ଚାରୁବାଲା କାଳିନ୍ଦୀଙ୍କ ହାତରେ ରଂଗୀନ କପଡ଼ା ଖଣ୍ଡକ ଉଜ୍ଜ୍ୱଳ ଦିଶୁଥିଲା, ମୁହୂର୍ତ୍ତଟିଏ ପାଇଁ ବିଜୁଳି ଝଟକିବା ଭଳି। ଲାଲ୍ ଏବଂ ବ୍ଲୁ ରଂଗର ଘାଗରା ଝୁମର ଗୀତର ତାଳରେ ଘୁରୁଥିଲା। ନୃତ୍ୟ ସଂଗୀତର ପ୍ରଦର୍ଶନ ଆରମ୍ଭ ପାଇଁ ବାଦ୍ୟକାରମାନେ ଏକାଠି ହୋଇଥିଲେ।
ପଶ୍ଚିମବଙ୍ଗ ଆର୍ଶା ତାଲୁକର ସେନାବଣ ଗାଁରେ ଚାଲିଛି ପ୍ରଦର୍ଶନ - ଦେଖଣାହାରି ୮୦-୯୦ ଜଣ ଲୋକ - ବୃଦ୍ଧ ଓ ଯୁବକ, ପୁରୁଷ, ମହିଳା ଏବଂ ଛୋଟପିଲା। ଯଦିଓ ଚାରୁବାଲାଙ୍କ ବୟସ ୬୫, ତଥାପି ତାଙ୍କ ନୃତ୍ୟରେ ବେଶ୍ ଚମକ ଥିଲା।
କୁହାଯାଏ ନୃତ୍ୟ ଶିଳ୍ପୀ ପିନ୍ଧିଥିବା ଘୁଙ୍ଗୁର ସ୍ୱରରୁ ‘ଝୁମର’ ଶବ୍ଦ ଆସିଛି। ଏ ପ୍ରକାର ନୃତ୍ୟ ବିଶେଷକରି ପଶ୍ଚିମବଙ୍ଗର ଦକ୍ଷିଣ-ପଶ୍ଚିମ ଭାଗରେ ଏବଂ ଏହି ଅଞ୍ଚଳକୁ ଲାଗି ରହିଥିବା ଝାଡ଼ଖଣ୍ଡର କିଛି ଅଞ୍ଚଳରେ ବେଶ ଲୋକପ୍ରିୟ (ଆସାମରେ ଏହାର ଅନ୍ୟ ଏକ ସଂସ୍କରଣ ଦେଖିବାକୁ ମିଳେ)। ପାରମ୍ପରିକ ଝୁମର ଗୀତ ଲେଖିଥିବା ଅନେକ କବି ଦଳିତ ଜାତିର, ସେମାନଙ୍କର କିଛି ସଂଗୀତରେ ସାମାଜିକ ପ୍ରସଙ୍ଗ ଏବଂ ମରୁଡ଼ି, ବନ୍ୟା, ରାଜନୀତି ସହ ଅନ୍ୟାନ୍ୟ ସାମାଜିକ ବ୍ୟାଧି ସ୍ଥାନ ପାଇଥାଏ। ରାଧା-କୃଷ୍ଣଙ୍କ ପ୍ରେମ ଓ ପ୍ରତୀକ୍ଷା ଝୁମର ସଂଗୀତର ଆଉ ଏକ ପ୍ରଚଳିତ ବିଷୟବସ୍ତୁ।
ଏଥିରୁ ଅନେକ ବିଷୟ ଚାରୁବାଲାଙ୍କ ନିଜ ଜୀବନରେ ପ୍ରତିଫଳିତ ହୋଇଛି। ଏକଦା ସେ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାର ପୁରୁଲିଆ (ଜନଗଣନାରେ ପୁରୁଲିୟା) ଦ୍ୱିତୀୟ ତାଲୁକର ବେଲମା ଗାଁରେ ରହୁଥିଲେ। ତାଙ୍କୁ ଯେତେବେଳେ ୧୬-୧୭ ବର୍ଷ ହୋଇଥିଲା, ତାଙ୍କ ବାପା ମୋହନ କାଳିନ୍ଦୀ ତାଙ୍କୁ ପାଖ ଦୁମଦୁମି ଗାଁର ଶଙ୍କର କାଳିନ୍ଦୀଙ୍କ ସହ ବିବାହ କରାଇ ଦେଇଥିଲେ। ତାଙ୍କ ପରିବାର କାଳିନ୍ଦୀ ସଂପ୍ରଦାୟର। ପଶ୍ଚିମବଙ୍ଗରେ ଏହି ସଂପ୍ରଦାୟ ଅନୁସୂଚିତ ଜାତି ବର୍ଗରେ ତାଲିକାଭୁକ୍ତ ହୋଇଛି। ଏମାନେ ସାଧାରଣତଃ କୃଷି ଶ୍ରମିକ ଏବଂ ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି।
ଶଙ୍କରଙ୍କୁ ସେତେବେଳେ ୨୦ ବର୍ଷ, ସେ ମଧ୍ୟ ଯେତେବେଳେ ଯାହା ମିଳୁଥିଲା ମୂଲ ମଜୁରୀ କରୁଥିଲେ। ତେବେ ସେ ତାଙ୍କୁ ଶାରୀରିକ ନିର୍ଯାତନା ଦେଲେ। ମାଡ଼ ସହି ନପାରି ଚାରୁବାଲା ତାଙ୍କୁ ଛାଡ଼ି ବାପ ଘରକୁ ଚାଲି ଆସିଲେ। କିନ୍ତୁ ମୋହନ ତାଙ୍କୁ ଘରେ ରଖିବାକୁ ମନା କରିଦେଲେ। ସେ ଏତେ ଗରିବ ଯେ, ତାଙ୍କୁ ରଖିବା ପାଇଁ ସମ୍ବଳ ନଥିବା କହିଲେ। ଫଳରେ ଚାରୁବାଲା କିଛି ଦିନ ପାଇଁ ବେଘର ହୋଇ ରାସ୍ତା ଉପରେ ଜୀବନ କାଟିଲେ।
ଏହା ହେଉଛି ସେହି ସ୍ଥାନ, ଯେଉଁଠି ସେ ଶ୍ରବଣ କାଳିନ୍ଦୀଙ୍କୁ ଭେଟିଥିଲେ (ଉଭୟଙ୍କ ମଧ୍ୟରୁ କେହି ବର୍ଷ ମନେ ରଖି ନାହାନ୍ତି)। ଝୁମର କଳାକାର ଶ୍ରବଣ ତାଙ୍କୁ ସାଙ୍ଗରେ ଆଣିଥିଲେ। ନାଚୁଣୀ ହେବାକୁ ସେ ଚାରୁବାଲାଙ୍କୁ ତାଲିମ ଦେଇଥିଲେ। ଏଥିପାଇଁ ପଡ଼ୋଶୀ ଗାଁରେ ଥିବା ଅନ୍ୟ ଜଣେ ନାଚୁଣୀ ବିମଳା ସର୍ଦ୍ଦାରଙ୍କ ସହାୟତା ନେଇଥିଲେ। ୭୫ ବର୍ଷୀୟ ଶ୍ରବଣ ଏବେ ଚାରୁବାଲାଙ୍କ ରସିକ - ତାଙ୍କ ପରିଚାଳକ, ଗୁମାସ୍ତା ଏବଂ ନୃତ୍ୟ ସଂଯୋଜକ। ସେ ମଧ୍ୟ ବାଉଲ, ଭଦୁ, ଛଉ, କରମ କୀର୍ତ୍ତନ, ଟୁସୁ, କୀର୍ତ୍ତନ ଏବଂ ଅନ୍ୟାନ୍ୟ କଳା ସଂଗଠନ ସହ ସଂପୃକ୍ତ। ଏହା ସହ ସେ ବେଳେବେଳେ କୃଷି ଶ୍ରମିକ ଭାବେ ମଧ୍ୟ କାମ କରନ୍ତି।
ଜଣେ ରସିକଙ୍କୁ କବିତା ଏବଂ ସଂଗୀତ ବିଶେଷଜ୍ଞ ଭାବେ ବିବେଚନା କରାଯାଏ। ନାଚୁଣୀଙ୍କ ସହ ତାଙ୍କର ଶାରୀରିକ ସଂପର୍କ ଥାଏ, ଯାହା ବେଳେବେଳେ ମହିଳାଙ୍କ ପାଇଁ ପ୍ରତାରଣା ପାଲଟିଥାଏ। ଅନ୍ୟ ରସିକମାନଙ୍କ ପରି ଶ୍ରବଣ ମଧ୍ୟ ବିବାହିତ। ତାଙ୍କର ବଡ଼ ପରିବାର। ସ୍ତ୍ରୀ ସରଳା, ପୁଅ, ଝିଅ, ବୋହୂ ଏବଂ ନାତି ନାତୁଣୀ ଅଛନ୍ତି। ତେବେ ତାଙ୍କ ଔରସରୁ ଚାରୁବାଲା ଗୋଟିଏ ଝିଅ ଜନ୍ମ କରିଛନ୍ତି। ତାଙ୍କ ନାଁ କମଳା। ୨୪-ବର୍ଷୀୟ କମଳା ବିବାହିତା ଏବଂ ଉତ୍ତର ପ୍ରଦେଶ ପଳାଇଛନ୍ତି।
ବଡ଼ ପରିବାର ପାଇଁ ରୋଜଗାରର ଚାପ ଯୋଗୁଁ ଏ ବୟସରେ ମଧ୍ୟ ଚାରୁବାଲା ନାଚୁଛନ୍ତି। କିନ୍ତୁ ଶ୍ରବଣଙ୍କ ସ୍ତ୍ରୀ ହେବାର ସମ୍ମାନ ହାସଲ କରିପାରିନାହାନ୍ତି। ଏବେ ବି ଶ୍ରବଣଙ୍କ ସ୍ତ୍ରୀ ସରଳା ତାଙ୍କୁ ଗ୍ରହଣ କରିବାକୁ ରାଜି ନୁହନ୍ତି।
ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ପ୍ରତି ଶୋ’ରେ ଚାରୁବାଲା ୧,୦୦୦ ଟଙ୍କା ରୋଜଗାର କରନ୍ତି; ଏହି ଶୋ’ ଗୁଡ଼ିକ ୧ ଘଣ୍ଟାରୁ ୧.୫ ଘଣ୍ଟା ପର୍ଯ୍ୟନ୍ତ ଚାଲେ। ଏ ବୟସରେ ଚାରୁବାଲା ମାସରେ ଗୋଟିଏ କିମ୍ବା ଦୁଇଟି ଶୋ କରିପାରନ୍ତି। ସେହିପରି ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ମାସକୁ ୧,୦୦୦ ଟଙ୍କା ଲୋକ କଳାକାର ଭାବେ ଭତ୍ତା ପାଆନ୍ତି।
ପ୍ରାୟ ଅକ୍ଟୋବରରୁ ମେ ମାସ ପର୍ଯ୍ୟନ୍ତ ଝୁମର ସମୟରେ ପୂଜା କମିଟି ଏବଂ କ୍ଳବ୍ ଗୁଡ଼ିକ ଶୋ’ ଆୟୋଜନ କରିଥାନ୍ତି। ଏହି ଶୋ’ ଗୁଡ଼ିକ ରାତି ତମାମ ଚାଲେ। ଏହି ସମୟରେ ଜଣେ ନାଚୁଣୀଙ୍କୁ ଅତି କମ୍ରେ ପାଞ୍ଚ ଘଣ୍ଟା ପାଇଁ ନୃତ୍ୟ ଗୀତ ପ୍ରଦର୍ଶନ କରିବାକୁ ପଡ଼େ। ଏଥିପାଇଁ ୫ ରୁ ୬ ଜଣିଆ ଦଳ ୬,୦୦୦ ରୁ ୮,୦୦୦ ଟଙ୍କା ନେଇଥାନ୍ତି। ସେମାନଙ୍କ ଭିତରେ ଏହି ଟଙ୍କା ବଣ୍ଟା ଯାଇଥାଏ। ସହଯୋଗୀ ବାଦ୍ୟକାରମାନେ ଢୋଲ (ଦୁଇ ପାର୍ଶ୍ୱ ଥିବା ଡ୍ରମ୍), ଗୋଟିଏ ମାଦଳ (ପୋଲା କାଠ ଗଣ୍ଡିରେ ତିଆରି ଦୁଇ ପାର୍ଶ୍ୱର ଏକ ଛୋଟ ଡ୍ରମ୍), ଗୋଟିଏ ଧାମ୍ସା (ଏକ କେଟିଲ୍ ଡ୍ରମ୍), ଗୋଟିଏ ମରକସ୍ (ଶୁଖିଲା ବିନ୍ ଭର୍ତ୍ତି ହୋଇଥିବା ଏକ ଲାଉ ତୁମ୍ବା ବା ଲାଉ ଆକୃତିର ଖୋଳ) ଏବଂ ଶାହାନାଇ।
ଏହି କାମକୁ ଚାରୁବାଲା ତାଙ୍କ ଲକ୍ଷ୍ୟସ୍ଥଳ ଭାବେ ଗ୍ରହଣ କରି ନେଇଛନ୍ତି। ଶୁଖିଲା ହସଟିଏ ହସି ଚାରୁବାଲା କହିଲେ, ‘‘ଆଉ କଣ ଅଧିକ କରାଯାଇ ପାରିଥାନ୍ତା? ଯଦି ନାଚୁଣୀ ହେବା ପାଇଁ ଭଗବାନ ମୋ ଭାଗ୍ୟରେ ଲେଖିଛନ୍ତି, ତାକୁ ବଦଳାଇ ଦେବାକୁ ମୁଁ କିଏ? ଏଇ ବେଉଷା ଛାଡ଼ିଲେ ମୁଁ କଣ ଖାଇବି?’’
ଏହି ଫଟୋ କାହାଣୀର ଏକ ଭିନ୍ନ ସଂସ୍କରଣ ଶାହାପେଡ଼ିଆରେ ଅକ୍ଟୋବର ୨୫, ୨୦୧୮ରେ ପ୍ରକାଶ ପାଇଥିଲା।
ଅନୁବାଦ: ଓଡ଼ିଶାଲାଇଭ୍