ଯେତେବେଳେ ତାଙ୍କ ପତ୍ନୀଙ୍କର ନିଃଶ୍ୱାସ ନେବାରେ କଷ୍ଟ ହେଲା, ୨୦୨୧ ମସିହା ମେ ମାସରେ ରାଜେନ୍ଦ୍ର ପ୍ରସାଦ ବାଧ୍ୟ ହୋଇ ଉତ୍ତରପ୍ରଦେଶର ଦୁର୍ଗମ ଗାଁ ପାଖରେ ଥିବା ଟାଉନ୍ର ଏକ ଘରୋଇ ଡାକ୍ତରଖାନାକୁ ଗଲେ। ଯଦିଓ ତାଙ୍କର ପ୍ରଥମ ପସନ୍ଦ ହେଉଛି ଦେଶର ସୀମା ଟପି ନିକଟରେ ରହିଥିବା ନେପାଳର ଏକ ଡାକ୍ତରଖାନା।
୩୭ ବର୍ଷ ବୟସ୍କ ରାଜେନ୍ଦ୍ର କୁହନ୍ତି ‘‘ଆମେ ସମସ୍ତେ ସୀମା ଆରପଟେ ଚିକିତ୍ସା ଲାଭ କରିବା ଅତି ସାଧାରଣ କଥା, ଆମ ଗାଁର ଅଧିକାଂଶ ଲୋକ ବର୍ଷ ବର୍ଷ ଧରି ଏହା ଉପରେ ନିର୍ଭର କରୁଛନ୍ତି’’। ସେମାନଙ୍କର ଅସ୍ୱାଭାବିକ ପ୍ରାଥମିକତା ବିଷୟରେ କହନ୍ତି। ନେପାଳରେ ଥିବା ଡାକ୍ତରଖାନା ରାଜେନ୍ଦ୍ରଙ୍କ ଗ୍ରାମ ବାଙ୍କାଟିଠାରୁ ମାତ୍ର ୧୫ କିଲୋମିଟର ଦୂର। ବାଙ୍କାଟି ଗ୍ରାମ ଲକ୍ଷ୍ମୀପୁର ଖେରି (ଖେରି ଭାବରେ ମଧ୍ୟ ଜଣାଶୁଣା) ଉତ୍ତରପ୍ରଦେଶର ବୃହତ୍ତମ ଜିଲ୍ଲାରେ ରହିଛି ଯାହାକି ନେପାଳ ସୀମାରେ ଅବସ୍ଥିତ।
ଏହି ମୁକ୍ତ ସୀମା ନୀତି ଭାରତ ଓ ନେପାଳ ମଧ୍ୟରେ ୧୯୫୦ ମସିହାରେ ଶାନ୍ତି ଓ ବନ୍ଧୁତ୍ୱ ସନ୍ଧିପତ୍ର ସ୍ୱାକ୍ଷରିତ ହେବାଠାରୁ ବଳବତ୍ତର ରହିଛି। ଏହା ଫଳରେ ଉଭୟ ଭାରତ ଓ ନେପାଳର ନାଗରିକମାନେ ଦୁଇ ଦେଶ ମଧ୍ୟରେ ଅବାଧରେ ମିଳାମିଶା କରିପାରନ୍ତି। ବାଣିଜ୍ୟ ବ୍ୟବସାୟ କରିବା ହେଉ, ସମ୍ପତ୍ତି ଦଖଲ କରିବା ହେଉ ଏବଂ ଚାକିରି ହେଉ ସେମାନେ ଅନାୟାସରେ କରିପାରନ୍ତି। ବାଙ୍କାଟିର ବାସିନ୍ଦାମାନେ ସୀମାମୁକ୍ତ ରହିବା ଫଳରେ ସେମାନେ ନେପାଳର ଶସ୍ତା ଏବଂ ଉନ୍ନତ ସ୍ୱାସ୍ଥ୍ୟ ଯତ୍ନ ଲାଭ କରିବାକୁ ସକ୍ଷମ ହେଉଛନ୍ତି।
କିନ୍ତୁ କୋଭିଡ୍-୧୯ ସେସବୁ ବଦଳାଇଦେଇଛି।
କିନ୍ତୁ ରାଜେନ୍ଦ୍ରଙ୍କର ୩୫ ବର୍ଷୀୟା ପତ୍ନୀ ଗୀତା ଦେବୀ ଯେତେବେଳେ ଡାକ୍ତରଖାନାରେ ଦାଖଲ ହେବା ପରିସ୍ଥିତି ଉପୁଜିଲା, ଭାରତରେ ମହାମାରୀର ଦ୍ୱିତୀୟ ଲହର ଉତ୍କଟ ରୂପ ଧାରଣ କରିଥିଲା। କିନ୍ତୁ ସେମାନେ ସୀମା ଟପି ନେପାଳର ଡାକ୍ତରଖାନାକୁ ଯାଇପାରିଲେ ନାହିଁ କାରଣ ନେପାଳ କୋଭିଡ୍ ୧୯ ବ୍ୟାପିବା ପରଠାରୁ ମାର୍ଚ୍ଚ ୨୩,୨୦୨୦ରୁ ଭାରତର ପାଞ୍ଚଟି ରାଜ୍ୟ ବ୍ୟାପୀ ରହିଥିବା ୧୮୫୦ କିଲୋମିଟର ସୀମା ପଥକୁ ବନ୍ଦ କରିଦେଇଛି।
ଏଥିପାଇଁ ରାଜେନ୍ଦ୍ରଙ୍କ ପରିବାରକୁ ଭାରି ମୂଲ୍ୟ ଦେବାକୁ ପଡ଼ିଛି।
ରାଜେନ୍ଦ୍ର ତାଙ୍କ ପତ୍ନୀ ଗୀତାଙ୍କୁ ବାଙ୍କାଟିଠାରୁ ୨୫ କିମି ଦୂରରେ ଅବସ୍ଥିତ ପାଲିଆ ଟାଉନ୍କୁ ନେଇ ଯାଇଥିଲେ। ଏହା ହେଉଛି ସେମାନଙ୍କ ଗାଁର ବ୍ଲକ୍ ଅଞ୍ଚଳର ମୁଖ୍ୟ କାର୍ଯ୍ୟାଳୟ। ‘‘ଏହି ରାସ୍ତା [ପାଲିଆକୁ] ଅତ୍ୟନ୍ତ ଭୟଙ୍କର, ତେଣୁ ସେଠାରେ ପହଞ୍ଚିବା ପାଇଁ ବହୁତ ସମୟ ଲାଗେ,’’ ସେ କହନ୍ତି। ‘‘ଟାଉନ୍ରେ ସରକାର ଡାକ୍ତରଖାନା ଅବସ୍ଥା ଭଲ ନୁହେଁ, ତେଣୁ ଆମକୁ ଘରୋଇ ଡାକ୍ତରଖାନାକୁ ଯିବାକୁ ପଡ଼ିଥିଲା’’ ରାଜେନ୍ଦ୍ର ଗୀତାଙ୍କୁ ପାଲିଆ ନେବା ପାଇଁ ୨୦୦୦ ଟଙ୍କା ଦେଇ ଏକ ଗାଡ଼ି ଭଡ଼ା କରିଥିଲେ କାରଣ ବାଙ୍କାଟିରେ ରହିଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍ସି)ରେ ଗୁରୁତର ରୋଗର ଚିକିତ୍ସା କରିବା ପାଇଁ ସୁବିଧା ନାହିଁ।
ଯଦିଓ ଗୀତାଙ୍କର କୋଭିଡ୍ର ଲକ୍ଷଣ ରହିଥିଲା -ଥଣ୍ଡା ଏବଂ କାଶ ହୋଇଥିଲା ଓ ଶ୍ୱାସକ୍ରିୟାରେ କଷ୍ଟ ହେଉଥିଲା -ଟାଉନ୍ ହସ୍ପିଟାଲରେ ତାଙ୍କର କୋଭିଡ୍ ପରୀକ୍ଷା ନେଗେଟିଭ୍ ଆସିଥିଲା କିନ୍ତୁ ତାଙ୍କଠାରେ ନିମୋନିଆ ଚିହ୍ନଟ ହୋଇଥିଲା। ରାଜେନ୍ଦ୍ର କହନ୍ତି ‘‘ତାଙ୍କର ନିଃଶ୍ୱାସ ନେବାରେ ଅସୁବିଧା ଜାରି ରହିଥିଲା,’’ ତା’ ପରେ ପାଲିଆରେ ଅକ୍ସିଜେନ୍ ଅଭାବ ଦେଖାଦେଇଥିଲା। ‘‘ମୁଁ ନିଜେ କିଛି ସିଲିଣ୍ଡର୍ ବ୍ୟବସ୍ଥା କଲି କିନ୍ତୁ ତାହା ଯଥେଷ୍ଟ ନଥିଲା। ସେ ଦାଖଲ ହେବାର ୬ ଦିନ ପରେ ପ୍ରାଣ ହରାଇଲା।’’
ରାଜେନ୍ଦ୍ର ହେଉଛନ୍ତି ଜଣେ କ୍ଷୁଦ୍ର ଚାଷୀ। ସେ ଗୋଟିଏ ଏକରରୁ ବି କମ୍ ଜମିରେ ଚାଷ କରନ୍ତି। ତାଙ୍କର ବାର୍ଷିକ ଆୟରେ କୌଣସି ସ୍ଥିରତା ନଥାଏ ଏବଂ ଏହା ବର୍ଷକୁ ୧.୫ ଲକ୍ଷରୁ ଅଧିକ ହେଉନଥିବ। ଗୀତାର ଚିକିତ୍ସା ପାଇଁ ସେ ମୋଟ ୫୦,୦୦୦ ଟଙ୍କା ଖର୍ଚ୍ଚ କରିଥିଲେ, ଏଥିରେ ଘରୋଇ ଭାବରେ ଅକ୍ସିଜେନ୍ ସିଲିଣ୍ଡର କିଣିବା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ସେ କହନ୍ତି ‘‘ମୋ ଠାରୁ ଚାଉଳ କିଣୁଥିବା ବେପାରୀଙ୍କଠାରୁ ମୁଁ ଟଙ୍କା ଉଧାର ନେଇଛି। ଅମଳ ହେଲା ମାତ୍ରେ ଟଙ୍କା ଶୁଝିବି’’। କୋହଭରା କଣ୍ଠରେ କହନ୍ତି ‘‘ଋଣ ନେବା ପାଇଁ ପଶ୍ଚାତାପ ନାହିଁ, କିନ୍ତୁ ଗୋଟିଏ ଦୁଃଖ ରହିଗଲା ଯେ ସଠିକ୍ ଚିକିତ୍ସା ପାଇପାରିଲା ନାହିଁ।’’ ଦୁଇଟି ପିଲାର ବାପା କହନ୍ତି ‘‘ମୁଁ ନିଜେ ଏବେ ମୋର ଦୁଇ କିଶୋର ସନ୍ତାନର ଦେଖାଶୁଣା କରୁଛି।’’
ଗୀତାଙ୍କର ମୃତ୍ୟୁ ଘଟିବାକୁ ନିକଟରେ ବର୍ଷେ ପୂରିଯିବ। ଏବେ ବି ରାଜେନ୍ଦ୍ର ଘାରି ହେଉଛନ୍ତି ଯେ ଯଦି ସେ ନେପାଳରେ ଥିବା ଡାକ୍ତରଖାନାକୁ ଯାଇଥାନ୍ତେ ତେବେ ଗୀତା ବଞ୍ଚି ଯାଇଥାନ୍ତେ। ସେ କହନ୍ତି ‘‘କେତେକ ବ୍ୟକ୍ତି ସୀମା ସିଲ୍ କରି ଦିଆଯିବା ସମୟରେ ନଦୀ [ମୋହନା] କିମ୍ବା ଜଙ୍ଗଲ [ଦୁଧୱା] ମଧ୍ୟଦେଇ ଲୁଚି ଛପି ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ’’। ‘‘କିନ୍ତୁ ମୁଁ ନେପାଳ ଯିବା ପରିବର୍ତ୍ତେ ପାଲିଆ ଯିବାକୁ ସ୍ଥିର କରିଥିଲି। ଏହା ଠିକ୍ ନିଷ୍ପତ୍ତି ଥିଲା କି ଭୁଲ୍ ମୁଁ ଜାଣେ ନାହିଁ।’’
ବାଙ୍କାଟିର ପ୍ରାୟ ୨୧୪ଟି ପରିବାର ମଧ୍ୟରୁ ସମସ୍ତେ ନେପାଳର ଧାଙ୍ଗାଡ଼ି ଜିଲ୍ଲାର ସେଟି ଜୋନାଲ୍ ହସ୍ପିଟାଲରେ ଚିକିତ୍ସା କରାଇଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବାଙ୍କାଟି ଗ୍ରାମର ପ୍ରଧାନ ଜୟ ବାହାଦୁର୍ ରାଣା। ତାଙ୍କର ବୟସ ୪୨ ବର୍ଷ।
ରାଣା ୬-୭ ବର୍ଷ ତଳେ ଯକ୍ଷ୍ମା (ଟିବି) ସଂକ୍ରମିତ ହୋଇଥିଲେ। ସେତେବେଳେ ପ୍ରାୟ ୫ ଥର ଡାକ୍ତରଖାନା ଯାଇଥିଲେ। ରାଣା କହନ୍ତି ‘‘ଏହି ଚିକିତ୍ସା ୬ ମାସ ବ୍ୟାପୀ ଚାଲିଥିଲା।’’ ‘‘ସେତେବେଳେ ସୀମାରେ ଏତେ ଯାଞ୍ଚ ହେଉନଥିଲା। ମୁଁ ଅବାଧରେ ଚିକିତ୍ସା ଲାଭ କରିପାରିଥିଲି।’’
ରାଣା କୁହନ୍ତି ଯେ ଗାଁ ଲୋକେ ସେଟି ଜୋନାଲ୍ ହସ୍ପିଟାଲକୁ ଯିବାକୁ ଚାହାନ୍ତି, ତାହାର ବିଭିନ୍ନ କାରଣ ରହିଛି। ‘‘ପାଲିଆକୁ ରାସ୍ତା ଦୁଧୱା ଅରଣ୍ୟ ମଧ୍ୟଦେଇ ଗତି କରିଛି, ଯିବା ଆସିବା କରିବା ପାଇଁ ଏହି ରାସ୍ତା ନିରାପଦ ନୁହେଁ। ବିଭିନ୍ନ ପ୍ରକାରର ବନ୍ୟ ଜନ୍ତୁ ରହିଛନ୍ତି,’’ ସେ କହନ୍ତି। ‘‘ଆଉ ପାଲିଆରେ ଆମେ ପହଞ୍ଚିଗଲେ ମଧ୍ୟ କ’ଣ ସୁବିଧା ଅଛି? ଆମେ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇ ପାରିବୁ ନାହିଁ। ଖେରିର ସାର୍ବଜନୀନ ଡାକ୍ତରଖାନାଗୁଡ଼ିକରେ କୌଣସି ସୁବିଧା ନାହିଁ। ତାହା ତୁଳନାରେ ସେଟିରେ ଡାକ୍ତରଖାନା ଓ ସୁବିଧା ବହୁତ ଭଲ।’’
ସେ ନେପାଳରେ ତାଙ୍କର ଅନୁଭୂତିକୁ ଆନନ୍ଦର ସହ ମନେ ପକାନ୍ତି। ‘‘ଏଠାରେ [ଭାରତରେ], ସାର୍ବଜନୀନ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ଏବଂ ଖଟିଆ ମାଗଣା ହୋଇଥାଏ କିନ୍ତୁ ଡାକ୍ତରମାନେ ଏମିତି ଔଷଧ ଲେଖନ୍ତୁ ଯାହାକୁ କି ବାହାରୁ [ମେଡିକାଲ୍ ଷ୍ଟୋର୍ରୁ] କିଣିବାକୁ ପଡ଼ିଥାଏ। ଏଥିପାଇଁ ବହୁତ ଖର୍ଚ୍ଚ ହୁଏ।’’ ନେପାଳରେ ଏମିତି ହୁଏ ନାହିଁ, ସେ କହନ୍ତି। ‘‘କେବଳ ଯଦି ଡାକ୍ତରଖାନାରେ ଔଷଧ ଉପଲବ୍ଧ ନଥାଏ ସେମାନେ ବାହାରୁ ଔଷଧ କିଣିବାକୁ ପରାମର୍ଶ ଦିଅନ୍ତି। ମୋ ଚିକିତ୍ସାରେ ଖର୍ଚ୍ଚ ଖୁବ୍ କମ୍ ଥିଲା। ମୋର ଭାଗ୍ୟ ଭଲ ଯେ ମାର୍ଚ୍ଚ ୨୦୨୦ ପରେ ଯକ୍ଷ୍ମାରେ ଆକ୍ରାନ୍ତ ହୋଇନାହିଁ। ନଚେତ୍ ମୋତେ ଖେରି କିମ୍ବା ଲକ୍ଷ୍ନୌ [ପ୍ରାୟ ୨୦ କିଲୋମିଟର ଦୂର] ଯାତ୍ରା କରି ଡାକ୍ତରଖାନା ଖୋଜିବାକୁ ପଡ଼ିଥାନ୍ତା। ଏପରିକି ସୀମା ଖୋଲିଗଲା ପରେ ମଧ୍ୟ ସମାନ ଅବସ୍ଥା ନାହିଁ।’’
ନେପାଳ ସ୍ଥିର କରିଛି ଯେ ସେପ୍ଟେମ୍ବର ୨୦୨୧ର ଶେଷ ସପ୍ତାହରେ ଭାରତରୁ ନେପାଳକୁ ସଡ଼କ ପଥରେ ଯାତାୟତ ପାଇଁ ଅନୁମତି ଦିଆଯିବ। ଅବଶ୍ୟ ଯିବାର ୭୨ ଘଣ୍ଟା ମଧ୍ୟରେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଅଣାଯାଇଥିବ ଏବଂ ଅନଲାଇନ୍ ଇଣ୍ଟରନ୍ୟାସନାଲ୍ ଟ୍ରାଭେଲର ଫର୍ମରେ ପୂରଣ ହୋଇଥିବା ଏକ ମୁଦ୍ରିତ କପି ବର୍ତ୍ତମାନ ଦାଖଲ କରାଯିବା ଆବଶ୍ୟକ ହେଉଛି।
ନୂତନ ବ୍ୟବସ୍ଥା ଯୋଗୁଁ ବାଙ୍କାଟିର ବାସିନ୍ଦାମାନେ ନିଜ ଦେଶରେ ଡାକ୍ତରୀ ସୁବିଧା ପାଇବାରୁ ବଞ୍ଚିତ ହେବାକୁ ବାଧ୍ୟ ହେଉଛନ୍ତି।
ରାଣା କହନ୍ତି ଏବେ (ଗୌରୀଫାଣ୍ଟା) ସୀମାରେ ଜଣକୁ ବହୁତ ପ୍ରଶ୍ନର ଉତ୍ତର ଦେବାକୁ ହେବ। ‘‘ସେମାନେ ଆପଣଙ୍କ ଗ୍ରାମର ନାମ, ପରିଚୟ, ଆପଣ ଯାତ୍ରା କରିବାର କାରଣ ଏବଂ ଏମିତି ଅନେକ ବିଷୟ ପଚାରିଥାନ୍ତି,’’ ସେ କହନ୍ତି। ‘‘ଯଦିଓ ସେମାନେ ବହୁ ସମୟରେ ଆମକୁ ପ୍ରବେଶ କରିବାକୁ ଦେଇଥାନ୍ତି, ସୁରକ୍ଷା କର୍ମୀମାନଙ୍କ ପ୍ରଶ୍ନର ଉତ୍ତର ଦେବା ଭୟରେ ଗ୍ରାମବାସୀମାନେ ଡରି ଯାଇପାରନ୍ତି। ତେଣୁ ବର୍ତ୍ତମାନ [କେବଳ] ନିହାତି ଆବଶ୍ୟକ ହେଲେ ହିଁ ଲୋକେ ସୀମା ପାର କରି ଆରପଟକୁ ଯାଇଥାନ୍ତି।’’
ଏପରି ଏକ ଅନିବାର୍ଯ୍ୟ କାରଣ ହେଉଛି ନେପାଳର କାଇଲାଲି ଜିଲ୍ଲାରେ ରହିଥିବା ଗେଟା ଆଇ ହସ୍ପିଟାଲକୁ ଯିବା।
୨୦୨୨ ମସିହା ଜାନୁୟାରୀ ମଧ୍ୟଭାଗରେ ମାନ ସରୋବର , ବୟସ ୨୩ ବର୍ଷ, ଖେରି ଜିଲ୍ଲାର କଜରିଆ ଗ୍ରାମରୁ, ତାଙ୍କ ଗାଁ ଜଙ୍ଗଲ ମଧ୍ୟଦେଇ ଚାଲି ଚାଲି ଯାଇଥିଲେ। ସେ ୨୦ କିଲୋମିଟର ଦୂରରେ ଥିବା ଆଇ ହସ୍ପିଟାଲରେ ପହଞ୍ଚିଥିଲେ। ଡାକ୍ତରଙ୍କୁ ଦେଖାଇବା ପାଇଁ ତାଙ୍କର ନବଜାତ ଶିଶୁକୁ ସାଙ୍ଗରେ ନେଇଯାଇଥିଲେ। ସେ କହନ୍ତି ‘‘ଆମ ଜିଲ୍ଲାରେ କୌଣସି ଡାକ୍ତରଖାନା ନାହିଁ, କିମ୍ବା ଆମ ରାଜ୍ୟରେ ଆଖି ଚିକିତ୍ସା ପାଇଁ ଗେଟା ପରି ଭଲ ଡାକ୍ତରଖାନା ନାହିଁ।’’ ‘‘ମୁଁ ମୋର ପୁଅର ସ୍ୱାସ୍ଥ୍ୟକୁ ନେଇ କୌଣସି ପ୍ରକାରର ସାଲିସ୍ କରିବାକୁ ଚାହିଁନଥିଲି।’’
ଏପ୍ରିଲ୍ ୨୦୨୧ରେ ତାଙ୍କର ପୁଅ ଜନ୍ମ ହୋଇଥିଲା, ସେବେଠାରୁ ଆଖି ସମସ୍ୟା ଲାଗି ରହିଥିଲା - ଆଖିରୁ ଅସ୍ୱାଭାବିକ ଭାବରେ ଲୁହ ଓ ସ୍ରାବ ଝରୁଥିଲା। ମାନସରୋବର ଡାକ୍ତରଖାନାକୁ ଯିବା ପର୍ଯ୍ୟନ୍ତ ଏହା ଲାଗି ରହିଥିଲା। ସେ କହନ୍ତି, ‘‘ମୋ ଭାଗ୍ୟ ଭଲ, ସୀମାରେ ମୋତେ କେହି ଅଟକାଇଲେ ନାହିଁ।’’ ‘‘ଦୁଇ ସପ୍ତାହରେ ମୋ ପୁଅ ଭଲ ହୋଇଗଲା। ମୋ ପୁଅର ଆଖି ଠିକ୍ ହେବା ପରେ ମୁଁ ପୁଣି ଥରେ ଡାକ୍ତରଖାନାକୁ ଯାଇଥିଲି। ଡାକ୍ତର ବାବୁ ମୋ ପୁଅ ମୁଣ୍ଡରେ ହାତ ରଖି କହିଲେ ଆଉ ଏଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ। ସମୁଦାୟ ଚିକିତ୍ସା ପାଇଁ ମୋର ୫୦୦ ଟଙ୍କା ଖର୍ଚ୍ଚ ହୋଇଥିଲା।’’
ଖେରି ସୀମାରେ ଗାଁ ଲୋକେ -ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତର ପ୍ରଦେଶର ଆଦିବାସୀ ଥାରୁ ସମ୍ପ୍ରଦାୟର - ସେମାନଙ୍କ ପାଇଁ ସୁଲଭ ଚିକିତ୍ସା ହେଉଛି ସମ୍ମାନଜନକ ଚିକିତ୍ସା ସଦୃଶ।
କଜାରିଆରେ, ବାଙ୍କାଟିଠାରୁ ପ୍ରାୟ ୭ କିଲୋମିଟର ଦୂରରେ, ୨୦ ବର୍ଷ ବୟସ୍କ ସୀମାଲି ରାଣା, ଜାଣନ୍ତି ଯେ ଡାକ୍ତରଖାନାରେ ଅସହାୟ ଅନୁଭବ କରିବା କେତେ ଯନ୍ତ୍ରଣାଦାୟକ। ‘‘ଆପଣ ଅସହାୟ ହୋଇଥାନ୍ତି, ଆପଣ କିଛି କହିପାରିବେ ନାହିଁ, କାରଣ ଆପଣଙ୍କ ଚିକିତ୍ସା କରୁଥିବା ଲୋକ ହିଁ ଆପଣଙ୍କୁ ହୀନ ଦୃଷ୍ଟିରେ ଦେଖିଥାନ୍ତି। ‘‘ସେ ପାଲିଆରେ ଏକ ଡାକ୍ତରଖାନାରେ ନିଜର ଅନୁଭୂତି ବର୍ଣ୍ଣନା କରି କହନ୍ତି।’’
ସେ ନଭେମ୍ବର ୨୦୨୧ରେ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ଶିଶୁଟିର ଫୁସଫୁସ୍ ସମସ୍ୟା ରହିଥିଲା। ‘‘ସେ ଠିକ୍ ଭାବରେ [ଭଲ ଭାବରେ] ନିଃଶ୍ୱାସ ନେଇପାରୁନଥିଲା ଏବଂ ସ୍ଥାନୀୟ ପିଏଚ୍ସି ପାଲିଆ ଯିବା ପାଇଁ ଆମକୁ କହିଥିଲେ କାରଣ ଏହି ଘଟଣାରେ କ’ଣ କରାଯିବ ସେ ଜାଣିନଥିଲେ।’’ ସେ କହନ୍ତି ‘‘ଆମେ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲୁ ଏବଂ ସେଠାରେ ଅନୁଭୂତି ଭୟଙ୍କର ଥିଲା’’।
ତାଙ୍କ ପୁଅ ଭଲ ହେବା ପରେ ମଧ୍ୟ ଡାକ୍ତର ଶିଶୁକୁ ଡିସଚାର୍ଜ କରିବାକୁ ରାଜି ହୋଇନଥିଲେ, ତାଙ୍କ ସ୍ୱାମୀ ୨୦ ବର୍ଷ ବୟସ୍କ ରାମ କୁମାର କହନ୍ତି। ‘‘ସେମାନେ ଅଧିକ ଟଙ୍କା ଶୋଷିବାକୁ ଚାହିଁଥିଲେ’’ ସେ କହନ୍ତି। ‘‘ଆମେ ଗରିବ ଚାଷୀ ଛୋଟିଆ ଜମି ଖଣ୍ଡିଏ ଆମର [ଗୋଟିଏ ଏକରରୁ କମ୍]। ଆମେ ସେମାନଙ୍କୁ କହିଲୁ ଯେ ଆମେ ଏତେ ଟଙ୍କା ଦେଇପାରିବୁ ନାହିଁ। ସେମାନେ ଅଗ୍ରୀମ ଟଙ୍କା ଦେବାକୁ ଅକ୍ଷମ ହେବା କାରଣରୁ ଆମକୁ ଅପମାନିତ କରିଥିଲେ’’।
ସେମାନେ ସମ୍ମୁଖୀନ ହେଉଥିବା ହୀନମନ୍ୟତା ବା ଭେଦଭାବ ଅସାଧାରଣ ନୁହେଁ। ନଭେମ୍ବର ୨୦୨୧ ଅକ୍ସଫାମ୍ ଇଣ୍ଡିଆ ଦ୍ୱାରା ପ୍ରକାଶିତ ରୋଗୀଙ୍କ ଅଧିକାର ଉପରେ ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି ରେ ଉତ୍ତର ପ୍ରଦେଶର ୪୭୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୫୨.୪୪% ବ୍ୟକ୍ତିଙ୍କୁ ଆର୍ଥିକ ସ୍ଥିତି ଆଧାରରେ ଭେଦଭାବ ମନୋଭାବ ପ୍ରଦର୍ଶନ କରାଯାଇଥିଲା। ଯେତେବେଳେ କି ଧର୍ମ ଆଧାରରେ ୧୪.୩୪% ଏବଂ ଜାତି ଆଧାରରେ ୧୮.୬୮% ଭେଦଭାବ ବା ହୀନମନ୍ୟତା ଅନୁଭବ କରିଥିଲେ।
ସୀମାଲି ଏବଂ ରାମକୁମାରଙ୍କ ପାଇଁ ଏହି ଦଃଖର ସମୟ ଏହି ସପ୍ତାହ ପର୍ଯ୍ୟନ୍ତ ଲାଗି ରହିଥିଲା। ପରିବାର ଲୋକ ବହୁତ ନେହୁରା ହୋଇ ଶିଶୁକୁ ଡିସଚାର୍ଜ କରାଇଲେ। ସେତେବେଳକୁ ରାମ କୁମାର ଡାକ୍ତରଖାନା ବିଲ୍ ପୈଠ କରିବା ପାଇଁ ସମ୍ପର୍କୀୟମାନଙ୍କଠାରୁ ୫୦,୦୦୦ଟଙ୍କା ଋଣ ନେଇ ସାରିଥିଲେ। ଏପରିକି ଯେତେବେଳେ ମୋ ପୁଅ ଡିସଚାର୍ଜ ହୋଇଥିଲା, ସେତେବେଳେ ଡାକ୍ତରମାନେ କହିଥିଲେ ‘‘ଯେ ଯଦି କିଛି ଘଟେ, ସେଥିପାଇଁ ଆମେ ଦାୟୀ ହେବୁ ନାହିଁ।’’
ନେପାଳରେ ମାନସରୋବରଙ୍କର ଅନୁଭୂତି ଠିକ୍ ବିପରୀତ ଥିଲା। ସେ ଗେଟା ଆଇ ହସ୍ପିଟାଲରୁ ଉପଶମ ଓ ଆଶ୍ୱସ୍ତିର ସହ ଫେରିଥିଲେ। ‘‘ଡାକ୍ତରମାନେ ବହୁତ ସମ୍ମାନ ଦିଅନ୍ତି,’’ ସେ କହନ୍ତି। ‘‘ଯଦି ଆପଣ ନେପାଳୀ ବୁଝନ୍ତି ନାହିଁ ତେବେ ସେମାନେ ହିନ୍ଦୀ ଭଲ ଭାବରେ ନ ଜାଣିଲେ ମଧ୍ୟ ଚେଷ୍ଟା କରି ହିନ୍ଦୀରେ କଥା ହୁଅନ୍ତି। ସେମାନେ ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ଦିଅନ୍ତି। ଭାରତରେ ଗରିବ ଲୋକମାନଙ୍କ ପ୍ରତି ବେଖାତିର ଭାବ ପ୍ରଦର୍ଶନ କରାଯାଇଥାଏ। ଏହା ହେଉଛି ଦେଶର ସବୁଠାରୁ ବଡ଼ ସମସ୍ୟା।’’
ପାର୍ଥ ଏମ୍. ଏନ୍ ଠାକୁର ପରିବାର ଫାଉଣ୍ଡେସନ୍ ପକ୍ଷରୁ ମିଳିଥିବା ଏକ ମୁକ୍ତିବୃତ୍ତ ଅନୁଦାନ ମାଧ୍ୟମରେ ଜନ ସ୍ୱା ସ୍ଥ୍ୟ ଏବଂ ନାଗରିକଙ୍କ ଅଧିକାର ସମ୍ପର୍କରେ ରିପୋର୍ଟ ଲେଖିଥାଆନ୍ତି । ଦି ଠାକୁର ଫାଉଣ୍ଡେସନ୍ ପକ୍ଷରୁ ଏହି ଆଲେଖ୍ୟର ବିଷୟବସ୍ତୁ ଉପରେ କୌଣସି ସମ୍ପାଦକୀୟ ନିୟନ୍ତ୍ରଣ କରାଯାଇନାହିଁ ।
ଅନୁବାଦ: ଓଡ଼ିଶାଲାଇଭ୍