ଜୁଲାଇ ୨୦୨୧ରେ ଯେତେବେଳେ ବନ୍ୟା ପାଣି ତାଙ୍କ ଘରେ ପ୍ରବେଶ କଲା ଶୁଭାଙ୍ଗୀ କାମ୍ବଲେ ନିଜର ସବୁ ଜିନିଷପତ୍ର ଛାଡ଼ି ପଳାୟନ କରିବାକୁ ବାଧ୍ୟ ହେଲେ। ତେବେ, ଘରୁ ଯିବା ସମୟରେ, ସେ ତରବର ହୋଇ ଦୁଇଟି ନୋଟ୍ ଖାତା ସାଥୀରେ ନେଇ ଯାଇଥିଲେ।
ଆଗାମୀ ସପ୍ତାହ ଓ ମାସଗୁଡ଼ିକରେ, ୧୭୨ ଲେଖାଏଁ ପୃଷ୍ଠା ଥିବା ଏ ଦୁଇଟି ଖାତା, ଅନେକ ଲୋକଙ୍କ ଜୀବନ ବଞ୍ଚାଇବାରେ ତାଙ୍କୁ ସହାୟକ ହୋଇଥିଲା ।
ସେତେବେଳକୁ ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ଥିବା ତାଙ୍କ ଗ୍ରାମ ଅର୍ଜ୍ଜୁନୱାଡ଼ ଆଉ ଏକ ବିପତ୍ତିକୁ ନେଇ ସଂଘର୍ଷ କରୁଥିଲା – ସେହି ବିପତ୍ତିଟି ଥିଲା କୋଭିଡ-୧୯ ସଂକ୍ରମଣ ବୃଦ୍ଧି । ଆଉ ଶୁଭାଙ୍ଗୀଙ୍କ ସେହି ନୋଟ୍ ଖାତାରେ ଗାଁର ସବୁ କରୋନା ଭୂତାଣୁ ସଂକ୍ରମିତଙ୍କ ସମ୍ପର୍କରେ ତଥ୍ୟ ସ୍ପଷ୍ଟ ଭାବେ ଲେଖାଯାଇଥିଲା। ଏଥିରେ ସଂକ୍ରମିତଙ୍କ ଫୋନ ନମ୍ବର, ଠିକଣା, ପରିବାରର ଅନ୍ୟ ସଦସ୍ୟମାନଙ୍କର ବିବରଣୀ, ସେମାନଙ୍କର ଚିକିତ୍ସା ଇତିହାସ, ସ୍ୱାସ୍ଥ୍ୟ ରେକର୍ଡ ଏବଂ ଆହୁରି ଅନ୍ୟାନ୍ୟ ତଥ୍ୟ ରହିଥିଲା।
ଭାରତର ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ୨୦୦୫ ଅଧୀନରେ ନିଯୁକ୍ତି ପାଇଥିବା ୧୦ ଲକ୍ଷରୁ ଅଧିକ ମହିଳା ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରୁ ଅନ୍ୟତମ, ଏହି ୩୩ ବର୍ଷୀୟା ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା) କୁହନ୍ତି ଯେ, ‘‘କୋଭିଡ ରିପୋର୍ଟ (ଗାଁରେ କରାଯାଇଥିବା ଆରଟି-ପିସିଆର ପରୀକ୍ଷା) ପ୍ରଥମେ ମୋ ପାଖକୁ ଆସୁଥିଲା।’’ ଶିରୋଲି ତାଲୁକାର ବନ୍ୟା ସହାୟତା ଶିବିରକୁ ସ୍ଥାନାନ୍ତରିତ ହୋଇଥିବା ଜଣେ ସଂକ୍ରମିତ ଗ୍ରାମବାସୀଙ୍କ ଯୋଗୁଁ ଅତିକମ୍ରେ ୫,୦୦୦ ଲୋକ ଭୂତାଣୁ ସଂକ୍ରମଣ ବିପଦ ଘେରକୁ ଚାଲି ଆସିଥିଲେ। ତେବେ ଶୁଭାଙ୍ଗୀଙ୍କ ନୋଟ ଖାତା ତାଙ୍କୁ ଜଣେ କୋଭିଡ ସଂକ୍ରମିତ ଗ୍ରାମବାସୀଙ୍କ ସ୍ଥିତି ଜାଣିବାରେ ସହାୟକ ହୋଇଥିଲା।
‘‘ବନ୍ୟା କାରଣରୁ, ଅଧିକାଂଶ ଲୋକଙ୍କ ଫୋନ୍ ବନ୍ଦ ଥିଲା କିମ୍ବା ନେଟୱର୍କ କ୍ଷେତ୍ର ବାହାରେ ଥିଲା,’’ ସେ କୁହନ୍ତି । ଶୁଭାଙ୍ଗୀ ୧୫ କିଲୋମିଟର ଦୂର ତେରୱାଡ଼ରେ ଥିବା ନିଜ ମା’ଙ୍କ ଘରକୁ ଚାଲିଯାଇଥିଲେ। ତୁରନ୍ତ ସେ ନିଜର ହାତଲେଖା ରେକର୍ଡ ଖୋଜିଲେ ଏବଂ ଶିବିରରେ ଥିବା ଅନ୍ୟ କିଛି ଲୋକଙ୍କ ଫୋନ୍ ନମ୍ବର ପାଇଲେ । ‘‘ଯେମିତି ବି ହେଉ ମୁଁ ସେହି ରୋଗୀଙ୍କ ସହିତ ଯୋଗାଯୋଗ କରିବାରେ ସକ୍ଷମ ହେଲି।’’
ନିକଟସ୍ଥ ଅଗର ଗ୍ରାମରେ ହୋଇଥିବା ଏକ କୋଭିଡ କେନ୍ଦ୍ରରେ ସେ ଗୋଟିଏ ଶଯ୍ୟା ବ୍ୟବସ୍ଥା କରିବାରେ ସଫଳ ହେଲେ ଏବଂ ସଂକ୍ରମିତ ରୋଗୀଙ୍କୁ ସେଠାକୁ ସ୍ଥାନାନ୍ତର କରାଗଲା। ‘‘ମୁଁ ଯଦି ସେହି ନୋଟଖାତା ସାଙ୍ଗରେ ନେଇନଥାନ୍ତି, ହଜାର ହଜାର ଲୋକ ସଂକ୍ରମିତ ହୋଇଯାଇଥାନ୍ତେ,’’ ସେ କୁହନ୍ତି ।
ଶୁଭାଙ୍ଗୀ କେବଳ ଏହି ଗୋଟିଏ ଥର ନିଜ ଗାଁକୁ ଏକ ବଡ଼ ବିପଦରୁ ଉଦ୍ଧାର କରିନଥିଲେ କିମ୍ବା ନିଜ ଠାରୁ ନିଜ କର୍ତ୍ତବ୍ୟକୁ ବଡ଼ କରି ଦେଖିନଥିଲେ। ୨୦୧୯ ବନ୍ୟା ପରେ (ଅଗଷ୍ଟ ମାସରେ), ଭାଙ୍ଗି ଯାଇଥିବା ନିଜ ମାଟି ଘରକୁ ସଜାଡ଼ିବା ପୂର୍ବରୁ ସେ କାର୍ଯ୍ୟକ୍ଷେତ୍ରକୁ ବାହାରି ଯାଇଥିଲେ। ‘‘ ପଞ୍ଚାୟତ ର ଆଦେଶ ଅନୁଯାୟୀ, ମୁଁ ସାରା ଗାଁରେ ଭାଙ୍ଗି ଯାଇଥିବା ଘରଗୁଡ଼ିକର ସର୍ବେକ୍ଷଣ କାମରେ ବ୍ୟସ୍ତ ହୋଇଯାଇଥିଲି,’’ ସେ କୁହନ୍ତି ।
ଏହାପରେ ତିନି ମାସରୁ ଅଧିକ ସମୟ ପର୍ଯ୍ୟନ୍ତ, ସେ ଗାଁ ସାରା ବୁଲି ବନ୍ୟା ବିପନ୍ନଙ୍କ ସହିତ କଥା ହୋଇଥିଲେ ଏବଂ ସବୁଆଡ଼େ ବନ୍ୟାର ଧ୍ୱଂସଲୀଳା ଦେଖିଥିଲେ । ଶୁଭାଙ୍ଗୀ ସର୍ବେକ୍ଷଣ କରିଥିବା ୧,୧୦୦ ପରିବାର କ୍ଷୟକ୍ଷତିକୁ ଆକଳନ କରି ଲେଖିବା ସମୟରେ ଯାହା ସେ ଦେଖିଲେ ଓ ଶୁଣିଲେ ସେଥିରେ ଗଭୀର ମାନସିକ ଆଘାତ ପାଇଥିଲେ; ଏହାପରେ ତାଙ୍କଠାରେ ଭୟ ଓ ମାନସିକ ଅବସାଦ ସୃଷ୍ଟିହେଲା।
‘‘ମୁଁ ମୋର ମାନସିକ ସ୍ୱାସ୍ଥ୍ୟକୁ ଅଣଦେଖା କରୁଥିଲି,’’ ସେ କୁହନ୍ତି । ‘‘କିନ୍ତୁ ମୋ ପାଖରେ ଆଉ କ’ଣ ବିକଳ୍ପ ଥିଲା?’’
ସେହି ବର୍ଷ ବନ୍ୟା ବିପର୍ଯ୍ୟୟ କାରଣରୁ ଶୁଭାଙ୍ଗୀ ଯେଉଁ ମାନସିକ ଆଘାତ ପାଇଥିଲେ ସେଥିରୁ ମୁକୁଳିବା ପୂର୍ବରୁ, ତାଙ୍କ ସାମ୍ନାରେ ୨୦୨୦ର କୋଭିଡ ମହାମାରୀ ମୁକାବିଲାର ଆହ୍ୱାନ ଚାଲି ଆସିଥିଲା। ଆହୁରି ଯେତେବେଳେ ମହାମାରୀ ପ୍ରକୋପ ଚରମସୀମାରେ ରହିଥିଲା, ସେ ଜୁଲାଇ ୨୦୨୧ର ବନ୍ୟା ପ୍ରଭାବିତଙ୍କୁ ସହାୟତା କରିବା କାର୍ଯ୍ୟରେ ନିୟୋଜିତ ଥିଲେ। ‘‘ବନ୍ୟା ଓ କୋଭିଡ ଉଭୟ ମିଶି ଆମ ପାଇଁ ଏକ କଳ୍ପନାତୀତ ବିପତ୍ତି ନେଇ ଆସିଥିଲେ,’’ ଶୁଭାଙ୍ଗୀ କୁହନ୍ତି ।
ସେ କ୍ରମାଗତ ଭାବେ ନିଜର ମାନସିକ ସ୍ୱାସ୍ଥ୍ୟକୁ ଅବହେଳା କରି ଚାଲିଥିଲେ । ପରବର୍ତ୍ତୀ ସମୟରେ ଏହାର ଗମ୍ଭୀର ପ୍ରଭାବ ଦେଖିବାକୁ ମିଳିଲା।
ଏପ୍ରିଲ ୨୦୨୨ରେ, ଶୁଭାଙ୍ଗୀ ନିମୋନିଆ ଏବଂ ମଧ୍ୟମ ଆନିମିଆ ବା ରକ୍ତହୀନତାର ଶିକାର ହୋଇଥିବା ଜଣାପଡ଼ିଥିଲା। ‘‘ଆଠ ଦିନ ପର୍ଯ୍ୟନ୍ତ ମୋତେ ଜ୍ୱର ହେବା ଭଳି ଲାଗୁଥିଲା, କିନ୍ତୁ କାମ ଥିବା କାରଣରୁ ମୁଁ ସବୁ ଲକ୍ଷଣକୁ ଅଣଦେଖା କରିଚାଲିଥିଲି,’’ ସେ କୁହନ୍ତି । ତାଙ୍କର ହିମୋଗ୍ଲୋବିନ ସ୍ତର ୭.୯କୁ ଖସି ଯାଇଥିଲା। ସାଧାରଣ ଜଣେ ମହିଳାଙ୍କଠାରେ ରହିବାକୁ ଥିବା ସ୍ୱାଭାବିକ ସ୍ତର (ରକ୍ତର ଡେସିଲିଟର ପିଛା ୧୨-୧୬ ଗ୍ରାମ) ଠାରୁ କମ୍ ଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଲା।
ଏହାର ଦୁଇ ମାସ ପରେ, ଯେତେବେଳେ ସେ ସୁସ୍ଥ ହେଉଥିଲେ, ତାଙ୍କ ଗାଁରେ ପ୍ରବଳ ବର୍ଷ ହେଲା – ଏବଂ ଦ୍ରୁତଗତିରେ ବଢ଼ୁଥିବା ଜଳସ୍ତରକୁ ଦେଖି ଶୁଭାଙ୍ଗୀ ପୁଣିଥରେ ମାନସିକ ଚାପର ସମ୍ମୁଖିନ ହୋଇଥିଲେ। ‘‘ଏକଦା ଆମେ ଆଗ୍ରହର ସହିତ ବର୍ଷାକୁ ଅପେକ୍ଷା କରି ରହୁଥିଲୁ, କିନ୍ତୁ ଏବେ ପ୍ରତିଥର ବର୍ଷାରେ ଆମକୁ ବନ୍ୟାର ଭୟ ଲାଗି ରହୁଛି,’’ ସେ କୁହନ୍ତି । ‘‘ଚଳିତ ବର୍ଷ ଅଗଷ୍ଟ ମାସରେ ଜଳସ୍ତର ଏତେ ଦ୍ରୁତ ଗତିରେ ବଢ଼ିଥିଲା ଯେ ଅନେକ ଦିନ ପର୍ଯ୍ୟନ୍ତ ମୁଁ ଶୋଇ ପାରିନଥିଲି।’’ [ଆହୁରି ପଢ଼ନ୍ତୁ : ଅନିୟମିତ ବର୍ଷା ଓ ବନ୍ୟା ଭୟରେ କୋହ୍ଲାପୁରର ମହିଳା କ୍ରୀଡ଼ାବିତ୍ ]
କ୍ରମାଗତ ଚିକିତ୍ସା ସତ୍ତ୍ୱେ, ଶୁଭାଙ୍ଗୀଙ୍କ ହିମୋଗ୍ଲୋବିନ ସ୍ତର କମ୍ ରହିଛି; ତାଙ୍କର ମୁଣ୍ଡ ବୁଲାଇବା ଏବଂ ଥକ୍କା ଲାଗିବା ଭଳି ସମସ୍ୟା ଦେଖା ଦେଇଛି । କିନ୍ତୁ ଏଥିରୁ କୌଣସି ଆଶ୍ୱସ୍ତି କିମ୍ବା ଏହାର କିଛି ଉପଚାର ମିଳୁନାହିଁ । ‘‘ଆଶା କର୍ମୀ ଭାବେ ଆମେ ଅନ୍ୟମାନଙ୍କୁ ସହାୟତା ଯୋଗାଇ ଦେବା କଥା, କିନ୍ତୁ ଆମେ ଏବେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛୁ,’’ ସେ କୁହନ୍ତି ।
*****
୨୦୨୧ ବନ୍ୟା କଥା ଶିରୋଲର ଗଣେଶୱାଡ଼ି ଗ୍ରାମର ଆଶା କର୍ମୀ ଛାୟା କାମ୍ବଲେ (୩୮)ଙ୍କର ଭଲ ଭାବେ ମନେ ରହିଛି। ‘‘ଉଦ୍ଧାରକାରୀ ଡଙ୍ଗା ଆମ ଘର ଉପର ଦେଇ ଯାଉଥିଲା,’’ ସେ କୁହନ୍ତି ।
ଶୁଭାଙ୍ଗୀଙ୍କ ଭଳି ଛାୟା ମଧ୍ୟ ପାଣି କମିବା ମାତ୍ରେ କାମକୁ ଫେରି ଆସିଥିଲେ; ତାଙ୍କ ଘର ସେମିତି ମରାମତି ଅପେକ୍ଷାରେ ରହିଥିଲା। ‘‘ଆମେ ସମସ୍ତେ (ଗଣେଶୱାଡ଼ିର ଛଅ ଜଣ ଆଶାକର୍ମୀ) ପ୍ରଥମେ ଉପକେନ୍ଦ୍ରକୁ ଯାଇଥିଲୁ,’’ ସେ କୁହନ୍ତି । କାରଣ ବନ୍ୟାରେ କୋଠା କ୍ଷତିଗ୍ରସ୍ତ ହୋଇଥିଲା, ସେଥିପାଇଁ ସେମାନେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ଘରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ଥାପନ କରିଥିଲେ ।
‘‘ପ୍ରତିଦିନ, ନିମୋନିଆ, ଝାଡ଼ାବାନ୍ତି, ଟାଇଫଏଡ, ଚର୍ମ ରୋଗ, ଜ୍ୱର ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ବହୁସଂଖ୍ୟାରେ ଲୋକ ଚିକିତ୍ସା ପାଇଁ (ଉପକେନ୍ଦ୍ରକୁ) ଆସୁଥିଲେ।’’ ଏହି କାମ ପୂରା ଗୋଟିଏ ମାସ ପର୍ଯ୍ୟନ୍ତ ଚାଲିଥିଲା, ଦିନେ ହେଲେ ଛୁଟି ମିଳିନଥିଲା।
‘‘ପ୍ରତ୍ୟେକ ଲୋକଙ୍କ ଆଖିରୁ ଲୁହ ଝରୁଥିବା ଦେଖିବା ଆପଣଙ୍କୁ ପ୍ରଭାବିତ କରିଥାଏ,’’ ଛାୟା କୁହନ୍ତି । ‘‘ଦୁର୍ଭାଗ୍ୟବଶତଃ, ଆମ ପାଇଁ କୌଣସି ମାନସିକ ସ୍ୱାସ୍ଥ୍ୟ ସୁବିଧା ନାହିଁ। ତେଣୁ ଆମେ କିପରି ଉପଶମ ପାଇବୁ?’’ ଲାଗୁଥିଲା, ଯେମିତି ସେ ସୁସ୍ଥ ହୋଇନାହାନ୍ତି ।
ତାଙ୍କର ମାନସିକ ଚାପ ସ୍ତର ବଢ଼ି ଚାଲିଥିଲା ଏବଂ ଖୁବଶୀଘ୍ର ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ। ‘‘କାମ ଚାପରୁ ଏମିତି ହେଉଥିବା ଭାବି ମୁଁ ଏ ଲକ୍ଷଣକୁ ଅଣଦେଖା କରିବାକୁ ଲାଗିଲି।’’ ମାତ୍ର କିଛି ମାସ ମଧ୍ୟରେ ଛାୟା ଶ୍ୱାସରୋଗର ଶିକାର ହୋଇଥିବା ଜଣାପଡ଼ିଲା। ‘‘ଅଧିକ ମାନସିକ ଚାପ କାରଣରୁ ଏହା ହୋଇଥିବା ଡାକ୍ତର କହିଥିଲେ,’’ ସେ କୁହନ୍ତି; ମାନସିକ ଚାପ ଏବଂ ଶ୍ୱାସରୋଗ ମଧ୍ୟରେ ସମ୍ପର୍କ ରହିଥିବା ଅନେକ ଅଧ୍ୟୟନରୁ ପ୍ରମାଣିତ ହୋଇଛି ।
ଯଦିଓ ଔଷଧ ଖାଇବା କାରଣରୁ ଛାୟାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳୁଛି, ତଥାପି ସେ ଜଳବାୟୁରେ ଦ୍ରୁତ ପରିବର୍ତ୍ତନକୁ ନେଇ ଚିନ୍ତିତ ଅଛନ୍ତି । ଉଦାହରଣ ସ୍ୱରୂପ ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲ ମାସର ଗ୍ରୀଷ୍ମ ପ୍ରବାହ ସମୟରେ, ତାଙ୍କଠାରେ ମୁଣ୍ଡ ବୁଲାଇବା ଏବଂ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେବା ଭଳି ସମସ୍ୟା ଦେଖା ଦେଇଥିଲା।
‘‘ଏହି ସମୟରେ ଡ୍ୟୁଟି କରିବା ସବୁଠୁ କଷ୍ଟଦାୟକ ଥିଲା। ମୋ ଦେହହାତ ପୋଡ଼ିଯିବା ଭଳି ଅନୁଭୂତ ହେଉଥିଲା,’’ ସେ ସ୍ମରଣ କରି କୁହନ୍ତି । ଗବେଷଣାରୁ ଜଣାପଡ଼ିଛି ଯେ ଉଚ୍ଚ ତାପମାତ୍ରା ମାନସିକ କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରିପାରେ, ଏପରିକି ଆତ୍ମହତ୍ୟା ହାର , ହିଂସା ଓ ଆକ୍ରମଣାତ୍ମକ ଭାବନାକୁ ବଢ଼ାଇ ଦେଇଥାଏ।
ଛାୟାଙ୍କ ଭଳି ଅନ୍ୟ ଆଶା କର୍ମୀମାନେ ମଧ୍ୟ ସମାନ ଲକ୍ଷଣ ଅନୁଭବ କରିଥିଲେ। ‘‘ଏହା ଆଦୌ ଅସ୍ୱାଭାବିକ ନୁହେଁ। ଏଗୁଡ଼ିକ ହେଉଛି ଋତୁକାଳୀନ ସ୍ୱାସ୍ଥ୍ୟ ବିକାର (ଏସଏଡି)ର ଲକ୍ଷଣ,’’ କୋହ୍ଲାପୁରରେ କାର୍ଯ୍ୟରତ ମାନସିକ ରୋଗ ବିଶେଷଜ୍ଞ ଶାଲମଲି ରାନମାଲେ-କାକାଡ଼େ କୁହନ୍ତି।
ଏସଏଡି ହେଉଛି ଏକପ୍ରକାର ମାନସିକ ଅବସାଦ ଯାହା ଋତୁ ପରିବର୍ତ୍ତନ କାରଣରୁ ହୋଇଥାଏ। ଏଥିରେ ସାଧାରଣତଃ ଉଚ୍ଚ ଅକ୍ଷାଂଶ ଥିବା ଦେଶରେ ଶୀତଋତୁ ସହିତ ଜଡ଼ିତ ଲକ୍ଷଣ ଦେଖା ଦେଇଥାଏ, ତେବେ ଭାରତ ଭଳି ଉଷ୍ଣ ମଣ୍ଡଳୀୟ ଦେଶରେ ଲୋକମାନେ ଏହି ବିକାରରେ ପୀଡ଼ିତ ହେବାର ଘଟଣା ବଢ଼ି ବଢ଼ି ଚାଲିଛି ।
‘‘ଜଳବାୟୁ ପରିବର୍ତ୍ତନ ସହିତ, ମୁଁ ଭୟଭୀତ ଅନୁଭବ କରିଥାଏ; ମୋର ମୁଣ୍ଡ ବୁଲାଏ। ଆତା ମାଲା ଆଜିବତ ସାହାନ ହୋଇନା ଝାଲେ (ମୁଁ ଏହାକୁ ଆଉ ସହିପାରିବି ନାହିଁ),’’ ଶୁଭାଙ୍ଗୀ କୁହନ୍ତି। ‘‘ପ୍ରାୟତଃ ପ୍ରତ୍ୟେକ ବନ୍ୟା ଯୋଗୁଁ ପ୍ରଭାବିତ ହେଉଥିବା ଆଶା କର୍ମୀମାନେ କିଛି ଭିନ୍ନ ପ୍ରକାରର ମାନସିକ ଚାପର ସମ୍ମୁଖିନ ହୋଇଥାନ୍ତି, ଯାହାକି ଏବେ ଜଟିଳ ଅସୁସ୍ଥତା ଆଡ଼କୁ ଗତି କରୁଛି। ଅନେକ ଲୋକଙ୍କ ଜୀବନ ରକ୍ଷା କରିବା ସତ୍ତ୍ୱେ ସରକାର ଆମକୁ ସହାୟତା କରୁନାହାନ୍ତି।’’
ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏ ସମସ୍ୟା ସମ୍ପର୍କରେ ଜାଣିନାହାନ୍ତି ବୋଲି ନୁହେଁ, ବରଂ ପ୍ରଶ୍ନ ହେଉଛି ସେମାନେ ଏ ଦିଗରେ ଗ୍ରହଣ କରୁଥିବା ପଦକ୍ଷେପ ଯଥେଷ୍ଟ କିମ୍ବା ଠିକ୍ କି ନୁହେଁ ।
ନିକଟସ୍ଥ ବନ୍ୟା ପ୍ରଭାବିତ ଅଞ୍ଚଳ ହଟକାନାଙ୍ଗଲେ ତାଲୁକା ର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରସାଦ ଦତାର କୁହନ୍ତି, ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା କର୍ମୀମାନେ ବନ୍ୟା ଓ କୋଭିଡ କାରଣରୁ ‘‘ଅତ୍ୟଧିକ କାର୍ଯ୍ୟଚାପ ଓ ମାନସିକ ଅବସାଦ’’ ଭୋଗୁଛନ୍ତି । ‘‘ଏସବୁ ଚିନ୍ତା ଦୂର କରିବା ଲାଗି, ଆମେ ଆଶା କର୍ମୀଙ୍କ ପାଇଁ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥାଉ,’’ ସେ କୁହନ୍ତି ।
ତେବେ, କୋହ୍ଲାପୁରର ଶିରୋଲ ତାଲୁକା ରେ ରହୁଥିବା ଆଶା ସଂଘ ନେତ୍ରୀ ନେତ୍ରଦୀପା ପାଟିଲ କୁହନ୍ତି ଯେ, ଏସବୁ କାର୍ଯ୍ୟକ୍ରମରୁ କୌଣସି ଲାଭ ମିଳୁନାହିଁ । ‘‘ମୁଁ ଯେତେବେଳେ କର୍ତ୍ତୃପକ୍ଷଙ୍କୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଆପତ୍ତି ଜଣାଇଲି, ସେମାନେ ମୋ କଥା ଏଡ଼ାଇ ଦେଇ କହିଥିଲେ, ଆମେ ଏଭଳି ପରିସ୍ଥିତିର ମୁକାବିଲା କରିବା ଶିଖିନେବା ଉଚିତ,’’ ସେ କୁହନ୍ତି ।
ରଣମାଲେ-କାକାଡ଼େ କୁହନ୍ତି ଆଶାକର୍ମୀଙ୍କୁ ଚିକିତ୍ସା ଓ ପରାମର୍ଶର ଆବଶ୍ୟକତା ରହିଛି ଯାହାଫଳରେ ସେମାନେ କ୍ରମାଗତ ସମ୍ମୁଖିନ ହେଉଥିବା ମାନସିକ ଚାପର ମୁକାବିଲା କରିପାରିବେ। ‘‘ସହାୟତା କରୁଥିବା ହାତ ମଧ୍ୟ, ସାହାଯ୍ୟ ଆବଶ୍ୟକ କରେ,’’ ସେ କୁହନ୍ତି। ‘‘ଦୁର୍ଭାଗ୍ୟବଶତଃ, ଏହା ଆମ ସମାଜରେ ଘଟୁନାହିଁ।’’ ଅଧିକନ୍ତୁ, ସେ ଆହୁରି କୁହନ୍ତି, ସମ୍ମୁଖ ଭାଗରେ ରହି କାମ କରୁଥିବା ଅନେକ ସ୍ୱାସ୍ଥ୍ୟ କର୍ମୀମାନେ ଏତେ ମାତ୍ରାରେ ‘ସହାୟତା କରିବା କାର୍ଯ୍ୟ’ରେ ନିୟୋଜିତ ଥାଆନ୍ତି ଯେ ସେମାନେ ନିଜର ଯନ୍ତ୍ରଣା, ହତାଶା ଏବଂ ମାନସିକ ଚାପ ସମ୍ପର୍କରେ ଜାଣିପାରିନଥାନ୍ତି ।
ଦ୍ରୁତ ଗତିରେ ବଦଳୁଥିବା ସ୍ଥାନୀୟ ପାଣିପାଗ ସ୍ଥିତି ଭଳି କ୍ରମାଗତ ମାନସିକ ଚାପର ମୁକାବିଲା କରିବା ଲାଗି, ବ୍ୟାପକ ଗଭୀରତା ଏବଂ ବାରମ୍ବାର ହସ୍ତକ୍ଷେପର ଆବଶ୍ୟକତା ରହିଛି, ସେ କୁହନ୍ତି।
*****
କୋହ୍ଲାପୁରରେ ଆଶା କର୍ମୀଙ୍କର ବିଗିଡ଼ି ଚାଲିଥିବା ମାନସିକ ସ୍ୱାସ୍ଥ୍ୟରେ ପରିବର୍ତ୍ତିତ ପାଣିପାଗ ସ୍ଥିତିର ଏକାଧିକ ଭୂମିକା ରହିଛି ।
ସେମାନଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଚାପ ସତ୍ତ୍ୱେ – ପ୍ରତ୍ୟେକ ଆଶା କର୍ମୀଙ୍କୁ ଗୋଟିଏ ଗ୍ରାମରେ ୧,୦୦୦ ଲୋକଙ୍କ ପାଇଁ ୭୦ରୁ ଅଧିକ ସ୍ୱାସ୍ଥ୍ୟ ସେବା କାର୍ଯ୍ୟ କରିବାକୁ ପଡ଼ିଥାଏ। ସୁରକ୍ଷିତ ଗର୍ଭଧାରଣଠାରୁ ଆରମ୍ଭ କରି ସାର୍ବଜନୀନ ଟିକାକରଣକୁ ସୁନିଶ୍ଚିତ କରୁଥିବା ଏହି ସ୍ୱାସ୍ଥ୍ୟ କର୍ମୀମାନେ କମ୍ ପାରିଶ୍ରମିକ ପାଇ ଶୋଷଣର ଶିକାର ହୋଇଥାନ୍ତି।
ନେତ୍ରାଦୀପା କୁହନ୍ତି ଯେ, ମହାରାଷ୍ଟ୍ରରେ ଆଶା କର୍ମୀଙ୍କୁ ମାସିକ ୩,୫୦୦-୫,୦୦୦ ଟଙ୍କା ମିଳିଥାଏ, ତାହା ପୁଣି ତିନି ମାସ ବିଳମ୍ବରେ । ‘‘ଏପରିକି ଆଜି ମଧ୍ୟ ଆମକୁ ସମସ୍ତେ, ସ୍ୱେଚ୍ଛାସେବୀ ଭାବେ ବିବେଚନା କରିଥାନ୍ତି, ଯାହାକି ଆମକୁ ସର୍ବନିମ୍ନ ମଜୁରି ଓ ଅନ୍ୟାନ୍ୟ ଲାଭରୁ ବଞ୍ଚିତ କରିଥାଏ,’’ ସେ ବିଶେଷ ଭାବେ କୁହନ୍ତି । ଆଶା କର୍ମୀମାନଙ୍କୁ ସରକାରଙ୍କ କଥିତ ‘ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ ରାଶି,’ ମିଳିଥାଏ ଯାହାର ଅର୍ଥ ହେଉଛି ସେମାନଙ୍କୁ ନିଜ ସମୁଦାୟରେ କିଛି କାମ ସମ୍ପୂର୍ଣ୍ଣ କରିବା ପାଇଁ ପାଉଣା ମିଳିଥାଏ। ସେମାନଙ୍କୁ କୌଣସି ସ୍ଥିର ବେତନ ମିଳେନାହିଁ ଏବଂ ଭିନ୍ନ ଭିନ୍ନ ରାଜ୍ୟରେ ସେମାନଙ୍କୁ ଅଲଗା ଅଲଗା ପାରିଶ୍ରମିକ ମିଳିଥାଏ।
ଏହି କାରଣରୁ ବହୁ ଆଶା କର୍ମୀ, କେବଳ ନିଜ ସମୁଦାୟର ସ୍ୱାସ୍ଥ୍ୟ ସେବା ଆବଶ୍ୟକତା ପୂରଣ କରି ହେଉଥିବା ଆୟ ଉପରେ ନିର୍ଭର କରି ଚଳିପାରନ୍ତି ନାହିଁ । ଉଦାହରଣ ସ୍ୱରୂପ, ଶୁଭାଙ୍ଗୀ କୃଷି ଶ୍ରମିକ ଭାବେ କାମ କରି ନିଜ ପରିବାର ଚଳାଇଥାନ୍ତି ।
‘‘୨୦୧୯ ଏବଂ ୨୦୨୧ ବନ୍ୟା ପରେ, ଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କାରଣରୁ ତିନି ମାସ ପର୍ଯ୍ୟନ୍ତ ମୋତେ କୌଣସି କାମ ମିଳିନଥିଲା,’’ ସେ କୁହନ୍ତି । ‘‘ଜଳବାୟୁ ପରିବର୍ତ୍ତନ ହେଉଥିବା କାରଣରୁ, ଅନିୟମିତ ବର୍ଷା ହେଉଛି । ଅଳ୍ପ କିଛି ସମୟ ପାଇଁ ବର୍ଷା ହେଲେ ମଧ୍ୟ ସବୁକିଛି ନଷ୍ଟ ହୋଇଯାଉଛି । ଏହାସହିତ ଚାଷ କାମ କରିବା ଲାଗି ଆମ ଆଶା ମଧ୍ୟ ଧୋଇଯାଉଛି।’’ ଜୁଲାଇ ୨୦୨୧ରେ, ପ୍ରବଳ ବର୍ଷା ଏବଂ ବନ୍ୟା କୋହ୍ଲାପୁର ସମେତ ମହାରାଷ୍ଟ୍ରର ୨୪ଟି ଜିଲ୍ଲାରେ ୪.୪୩ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ କରି ଦେଇଥିଲା ।
୨୦୧୯ ପରେ, ବାରମ୍ବାର ବନ୍ୟା ଜନିତ ସମ୍ପତ୍ତି ହାନି ଏବଂ ଚାଷ କାମ ନଷ୍ଟ ହେବା କାରଣରୁ ଶୁଭାଙ୍ଗୀ ଭିନ୍ନ ଭିନ୍ନ ସାହୁକାରଙ୍କ ଠାରୁ ଅଧିକ ସୁଧ ହାରରେ ମୋଟ୍ ୧,୦୦,୦୦୦ ଟଙ୍କାର ଛୋଟ ଛୋଟ ଋଣ ନେବାକୁ ବାଧ୍ୟ ହୋଇଛନ୍ତି। ଏପରିକି ତାଙ୍କୁ ନିଜର ଅଳଙ୍କାର ବନ୍ଧା ପକାଇବାକୁ ପଡ଼ିଛି ଏବଂ ନିଜ ପୁରୁଣା ଘରକୁ ମରାମତି କରିନପାରିବା କାରଣରୁ ସେ ବାଧ୍ୟ ହୋଇ ୧୦ x ୧୫ ଫୁଟ ଟିଣ କୁଡ଼ିଆରେ ରହୁଛନ୍ତି ।
‘‘ଉଭୟ ୨୦୧୯ ଓ ୨୦୨୧ରେ, ମାତ୍ର ୩୦ ଘଣ୍ଟା ମଧ୍ୟରେ ବନ୍ୟା ପାଣି ଘର ଭିତରକୁ ପ୍ରବେଶ କରିଥିଲା। ଆମେ କିଛି ବଞ୍ଚାଇ ପାରିଲୁ ନାହିଁ,’’ ତାଙ୍କ ସ୍ୱାମୀ ସଞ୍ଜୟ (୩୭) କୁହନ୍ତି । କୃଷି ଶ୍ରମିକ ଭାବେ କୌଣସି କାମ ମିଳୁନଥିବା କାରଣରୁ ସଞ୍ଜୟ ଏବେ ଜଣେ ରାଜମିସ୍ତ୍ରୀ ଭାବେ କାମ କରିବା ଆରମ୍ଭ କରିଛନ୍ତି ।
ନିଜର କ୍ଷତି ଏବଂ ଦୁଃଖ ସତ୍ତ୍ୱେ, ଶୁଭାଙ୍ଗୀଙ୍କୁ ଜଣେ ଆଶା କର୍ମୀ ଭାବେ ନିଜର କାର୍ଯ୍ୟର ଅନ୍ତହୀନ ଦାୟିତ୍ୱ ପୂରଣ କରିବା ଲାଗି ଅଧିକ ସମୟ ବିନିଯୋଗ ପଡ଼ୁଛି ।
ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ କରିବା ସହିତ, ଆଶା କର୍ମୀଙ୍କୁ ଜଳବାହିତ ରୋଗ ସଂକ୍ରମଣକୁ ରୋକିବା ଲାଗି ପାନୀୟ ଜଳ ଉତ୍ସକୁ ବିଶୋଧନ କରିବା କାମ ଦିଆଯାଇଛି । ସେମାନଙ୍କୁ ଅନେକ କାମ ପାଇଁ ପାରିଶ୍ରମିକ ମଧ୍ୟ ମିଳିନଥାଏ ବୋଲି ନେତ୍ରଦୀପା କୁହନ୍ତି । ‘‘ଏସବୁ ବନ୍ୟା ପରବର୍ତ୍ତୀ ସହାୟତା କାମ କରିବା ଯୋଗୁଁ ଆମକୁ ନାନା ମାନସିକ ଚାପର ସମ୍ମୁଖିନ ହେବାକୁ ପଡ଼ିଥାଏ, କିନ୍ତୁ ଏଥିପାଇଁ ଆଦୌ କିଛି ପାରିଶ୍ରମିକ ମିଳେ ନାହିଁ। ଏସବୁ ମାଗଣା ଶ୍ରମ।’’
‘‘ଆମେ ପ୍ରତି ଘରକୁ ଯାଇଥାଉ ଏବଂ ପରିବାରରେ କେହି ଜଳବାହିତ କିମ୍ବା ମଶାବାହିତ ରୋଗରେ ସଂକ୍ରମିତ ହୋଇଛନ୍ତି କି ନାହିଁ ତାହାର ତାଲିକା ପ୍ରସ୍ତୁତ କରିଥାଉ,’’ ଶୁଭାଙ୍ଗୀ କୁହନ୍ତି । ‘‘ଠିକ୍ ସମୟରେ ଚିକିତ୍ସା ଯୋଗାଇ ଦେଇ ଆଶାମାନେ ଅନେକ ଜୀବନ ରକ୍ଷା କରିପାରିଛନ୍ତି ।’’
ତଥାପି, ଚଳିତ ବର୍ଷ ଏପ୍ରିଲ ମାସରେ ଶୁଭାଙ୍ଗୀ ନିଜେ ଯେତେବେଳେ ଅସୁସ୍ଥ ହୋଇପଡ଼ିଥିଲେ, ତାଙ୍କୁ ସରକାରୀ ବ୍ୟବସ୍ଥାରୁ ପ୍ରାୟତଃ କୌଣସି ସହାୟତା ମିଳିନଥିଲା। ‘‘ଜଣେ ସରକାରୀ ସ୍ୱାସ୍ଥ୍ୟ କର୍ମୀ ହୋଇଥିବା ସତ୍ତ୍ୱେ ମୋତେ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ପଡ଼ିଲା ଏବଂ ଏଥିପାଇଁ ୨୨,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ହେଲା । କାରଣ ଘରୋଇ ଡାକ୍ତରଖାନାରେ ମୋତେ କେବଳ ଔଷଧ ସୁପାରିସ କରାଯାଇଥିଲା, ଅନ୍ୟପଟେ ମୋର ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ରହିଥିଲା,’’ ସେ କୁହନ୍ତି । ଯଦିଓ ସରକାରୀ ଉପ କେନ୍ଦ୍ରରୁ ତାଙ୍କୁ ମାଗଣାରେ ଫଲିକ ଏସିଡ ଏବଂ ଆଇରନ୍ ବଟିକା ମିଳିଯାଉଛି, ତଥାପି ପ୍ରତି ମାସରେ ତାଙ୍କୁ ଔଷଧ ବାବଦରେ ୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି ।
ଛାୟା, ଆଶା କର୍ମୀ ଭାବେ ମାସିକ ୪,୦୦୦ ଟଙ୍କା ରୋଜଗାର କରିଥାନ୍ତି। ହେଲେ ତାଙ୍କୁ ଔଷଧ ବାବଦରେ ମାସିକ ୮୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ, ଯାହାକୁ ବହନ କରିବା ତାଙ୍କ ପକ୍ଷେ କଷ୍ଟକର। ‘‘ସର୍ବଶେଷରେ, ଆମକୁ ଏକଥା ସ୍ୱୀକାର କରିବାକୁ ହେବ ଯେ ଆମେ ସମସ୍ତେ ସାମାଜିକ କର୍ମୀ। ବୋଧହୁଏ ଏହି କାରଣରୁ ଆମକୁ ଏତେ ସଂଘର୍ଷ କରିବାକୁ ପଡ଼ୁଛି,’’ ସେ କୁହନ୍ତି।
ଉପାନ୍ତ ଅଞ୍ଚଳରେ ରହୁଥିବା ଜନସମୁଦାୟଙ୍କୁ ସରକାରୀ ସ୍ୱାସ୍ଥ୍ୟ ସୁବିଧା ସହ ଯୋଡ଼ିବା ଜରିଆରେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ନିମନ୍ତେ ୨୦୨୨ରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଆଶା କର୍ମୀମାନଙ୍କୁ ଗ୍ଲୋବାଲ ହେଲଥ୍ ଲିଡର୍ସ ପୁରସ୍କାର ରେ ସମ୍ମାନିତ କରାଯାଇଥିଲା। ‘‘ଆମେ ସମସ୍ତେ ଏହାକୁ ନେଇ ଗର୍ବିତ,’’ ଛାୟା କୁହନ୍ତି । ‘‘କିନ୍ତୁ ଆମେ ଯେତେବେଳେ ଆମର ଉପରିସ୍ଥ ପଦାଧିକାରୀମାନଙ୍କୁ ବିଳମ୍ବିତ ଏବଂ ଅଳ୍ପ ବେତନ ବିଷୟରେ ପଚାରିଥାଉ, ସେମାନେ କୁହନ୍ତି ଯେ ଆମେ ମାନବଜାତି ପାଇଁ ଉଲ୍ଲେଖନୀୟ ସେବା କରୁଛୁ – ‘ ପେମେଣ୍ଟ ଚାଙ୍ଗଲା ନାହି ମିଲାତ, ପଣ ତୁମଲା ପୁଣ୍ୟ ମିଲତେ (ତୁମମାନଙ୍କୁ ହୁଏତ’ ଭଲ ପାରିଶ୍ରମିକ ମିଳୁନାହିଁ, କିନ୍ତୁ ଲୋକମାନଙ୍କର ଆଶୀର୍ବାଦ ତ’ ମିଳୁଛି),’ ସେମାନେ ଆମକୁ କୁହନ୍ତି’’।
ଏକ ଡବ୍ଲୁଏଚଓ ପଲିସି ବ୍ରିଫ୍ ରେ ଏହି ସମ୍ମୁଖ କର୍ମୀମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ ଆକର୍ଷିତ କରାଯାଇଛି: ‘‘ଖରାପ ପାଣିପାଗ ଜନିତ ଘଟଣା ପରେ ଅବସାଦ, ଭୟ ଏବଂ ମାନସିକ ଚାପ ପରିସ୍ଥିତି ଭଳି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବିକଶିତ ହୋଇଥିବା ଦେଖିବାକୁ ମିଳିଛି।’’
ନେତ୍ରଦୀପା କୁହନ୍ତି, ଅନିଶ୍ଚିତ ପାଣିପାଗ ଜନିତ ଘଟଣା ସହିତ ଦିନକୁ ଦିନ ଖରାପ ହେଉଥିବା କାର୍ଯ୍ୟ ପରିସ୍ଥିତି ଏବଂ ଆଶା କର୍ମୀଙ୍କ ସମସ୍ୟା ପ୍ରତି ଅଣଦେଖା କରାଯିବା କାରଣରୁ ସେମାନଙ୍କର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି। ‘‘ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ବେଳେ ସର୍ବେକ୍ଷଣ କରିବା ସମୟରେ ଆମ ଭିତରୁ ଅଧିକାଂଶ ଲୋକଙ୍କଠାରେ ଦେହହାତ କୁଣ୍ଡେଇ ହେବା, ପୋଡ଼ିଯିବା ଭଳି ଲାଗିବା ଏବଂ ଥକାପଣ ଅନୁଭୂତ ହୋଇଥିଲା,’’ ସେ କୁହନ୍ତି । ‘‘ଆମକୁ କୌଣସି ସୁରକ୍ଷା ଉପକରଣ ଦିଆଯାଇନଥିଲା।’’
ପୁଣେସ୍ଥିତ ଭାରତୀୟ ଗ୍ରୀଷ୍ମମଣ୍ଡଳୀୟ ପାଣିପାଗ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଟିଏମ)ର ଜଣେ ପାଣିପାଗ ବିଜ୍ଞାନୀ ଏବଂ ଜଳବାୟୁ ପରିବର୍ତ୍ତନ ରିପୋର୍ଟ ଉପରେ ମିଳିତ ଜାତିସଂଘ ଆନ୍ତଃସରକାରୀ ପାନେଲରେ ଯୋଗଦାନ ଦେଇଥିବା ରକ୍ସି କୋଲ ଏକ ‘ଜଳବାୟୁ କାର୍ଯ୍ୟାନୁଷ୍ଠାନ ଯୋଜନା’ ଉପରେ ଗୁରୁତ୍ୱ ଦେଇଥାନ୍ତି । ଏଥିରେ ଗ୍ରୀଷ୍ମପ୍ରବାହ ଏବଂ ଖରାପ ପାଣିପାଗ ଜଡ଼ିତ ଦିନଗୁଡ଼ିକର ଅବଧି ଆହୁରି ଅଧିକ ବୃଦ୍ଧି ପାଇଥିବା ବିଷୟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ‘‘ଆମ ପାଖରେ ଆସନ୍ତା କିଛି ବର୍ଷ ଠାରୁ ଆରମ୍ଭ କରି ଅନେକ ବର୍ଷ ପର୍ଯ୍ୟନ୍ତ ଜଳବାୟୁ ପୂର୍ବାନୁମାନ ରହିଛି। ତେଣୁ, ଶ୍ରମିକମାନେ କେତେବେଳେ ଖରାକୁ ବାହାରିବେ ନାହିଁ ସେହି ଦିନ ଓ ଅଞ୍ଚଳକୁ ଚିହ୍ନଟ କରିବା ଆମ ପକ୍ଷେ ସମ୍ଭବ,’’ ସେ କୁହନ୍ତି । ‘‘ଏହା କୌଣସି ବଡ଼ କାମ ନୁହେଁ । ସେଥିରେ ପୂର୍ବରୁ ତଥ୍ୟ ରହିଛି ।’’
ଏ ଦିଗରେ କୌଣସି ବିଧିବଦ୍ଧ ନୀତି ଓ ପ୍ରୟାସର ଅଭାବ କାରଣରୁ, ଆଶା କର୍ମୀଙ୍କୁ ଏହି ପରିସ୍ଥିତିର ମୁକାବିଲା ଲାଗି ନିଜ ଆଡ଼ୁ ଉଦ୍ୟମ କରିବା ଲାଗି ଛାଡ଼ି ଦିଆଯାଇଛି । ତେଣୁ ପାଣିପାଗ ପୂର୍ବାନୁମାନକୁ ଯାଞ୍ଚ କରି ଶୁଭାଙ୍ଗୀ ନିଜ ଦିନ କାର୍ଯ୍ୟ ଆରମ୍ଭ କରିଥାନ୍ତି। ‘‘ମୁଁ ମୋ କର୍ତ୍ତବ୍ୟରୁ ଓହରି ପାରିବି ନାହିଁ; ମୁଁ ଅତିକମ୍ରେ ସେହି ଦିନର ଖରାପ ପାଣିପାଗକୁ ମୁକାବିଲା କରିବା ଲାଗି ଚେଷ୍ଟା କରିପାରିବି,’’ ସେ କୁହନ୍ତି ।
ଏହା କାହାଣୀ ରିପୋର୍ଟରଙ୍କୁ ନିରପେକ୍ଷ ସାମ୍ବାଦିକତା ଅନୁଦାନ ମାଧ୍ୟମରେ ଇଣ୍ଟରନ୍ୟୁଜର ଆର୍ଥ ଜର୍ଣ୍ଣାଲିଜମ ନେଟୱର୍କ ଦ୍ୱାରା ସମର୍ଥିତ ଶୃଙ୍ଖଳାର ଏକ ଅଂଶବିଶେଷ ।
ଅନୁବାଦ: ଓଡ଼ିଶାଲାଇଭ୍