ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲା ଗୁମାଡିଦଲା ବ୍ଲକର ଡୋମାଡ଼ୁଗୁ ଗାଁରେ ଥିବା ଏକ ଇଟା ଭାଟିରେ ବୈଦେହୀ ଓ ତାଙ୍କ ସ୍ୱାମୀ ଏକ ଦଶନ୍ଧିରୁ ଅଧିକ ସମୟ ହେବ କାମ କରି ଆସୁଛନ୍ତି। ସେମାନେ ନୂଆପଡ଼ା ଜିଲ୍ଲା କୁରୁମପୁରୀ ପଞ୍ଚାୟତରୁ ପ୍ରତିବର୍ଷ ଏଠାକୁ ଆସନ୍ତି। ବୈଦେହୀ କହନ୍ତି, ‘‘ପ୍ରତିବର୍ଷ ଆମେ ସେଠ୍ଙ୍କଠାରୁ ୨୦,୦୦୦ ଟଙ୍କା ଅଗ୍ରୀମ ନେଇଥାଉ। ଏହା ବାଦ ଭାଟି ମାଲିକ ତାଙ୍କୁ ପ୍ରତିଦିନ ଖାଇବା ଖର୍ଚ୍ଚ ବାଦକୁ ୬୦ ଟଙ୍କା ଦିଏ। ‘‘ଦୟାକରି ସେଠ୍ଙ୍କୁ କୁହ ଆମକୁ ଅତି କମରେ ୮୦ ଟଙ୍କା ଦେବେ ଯେଉଁଥିରେ ଆମେ ଅଧା ପେଟରେ ଶୋଇପାରିବୁ। ’’
ବୈଦେହୀଙ୍କ ପରିବାରକୁ ୨୦୧୭ରେ ଭେଟିଥିଲି ଯେତେବେଳେ ମୁଁ ତେଲେଙ୍ଗାନାର ରଙ୍ଗାରେଡ୍ଡୀ, ସଙ୍ଗାରେଡ୍ଡୀ ଏବଂ ୟଦାରୀ ଭୁବନଗିରି ଜିଲ୍ଲାକୁ ଆଉ ଥରେ ଯାଇଥିଲି।
ଏହାର ଅନେକ ବର୍ଷ ପୂର୍ବରୁ, ୧୯୯୦ ଦଶକରେ, ଯେତେବେଳେ କଳାହାଣ୍ଡି (ବର୍ତ୍ତମାନ ବିଭାଜିତ ହୋଇ ନୂଆପଡ଼ା ଜିଲ୍ଲା ହୋଇଛି) ଏବଂ ଏହାର ପାର୍ଶ୍ୱବର୍ତ୍ତୀ ବଲାଙ୍ଗିର ଜିଲ୍ଲାରୁ (ବିଭାଜିତ ହୋଇ ସୋନପୁର ଜିଲ୍ଲା ହୋଇଛି। ଏହାକୁ ଏବେ ସୁବର୍ଣ୍ଣପୁର କୁହାଯାଉଛି) ଲୋକେ ରାଜ୍ୟ ବାହାରକୁ ଯିବା ନେଇ ମୁଁ ଗବେଷଣା ଏବଂ ରିପୋର୍ଟ ପ୍ରସ୍ତୁତ କରୁଥିଲି, ସେତେବେଳେ ଚାରି ପ୍ରକାର ସ୍ଥାନାନ୍ତରଣ ଦେଖିଛି।
ଯେଉଁମାନେ ରାୟପୁର ସହର (ବର୍ତ୍ତମାନ ଛତିଶଗଡ଼ର ରାଜଧାନୀ)କୁ ଯାଆନ୍ତି ସେମାନେ ଦିନ ମଜୁରି କରନ୍ତି, ରିକ୍ସା ଟାଣନ୍ତି, ହୋଟେଲ ସଫା କରନ୍ତି କିମ୍ବା ଅନ୍ୟ କେଉଁଠି ଶ୍ରମିକ ଭାବେ କାମ କରନ୍ତି; ଯେଉଁମାନେ ସମ୍ବଲପୁର ଏବଂ ବରଗଡ଼ ଭଳି ଜଳସେଚିତ ଜିଲ୍ଲାକୁ ଯାଆନ୍ତି; ଯେଉଁ ଯୁବକମାନେ ଦିଲ୍ଲୀ, ମୁମ୍ବାଇ କିମ୍ବା ଅନ୍ୟ ସହରାଞ୍ଚଳକୁ ଯାଆନ୍ତି ସେମାନେ ପ୍ରାୟ ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି; ଏବଂ କିଛି ପରିବାର ଆନ୍ଧ୍ରପ୍ରଦେଶକୁ ଇଟା ଭାଟିରେ କାମ କରିବାକୁ ଯାଆନ୍ତି (ଏବଂ ପରେ ଉପକୂଳ ଓଡ଼ିଶାକୁ ଯାଉଛନ୍ତି)।
୧୯୫୦ ଦଶକର ମଧ୍ୟ ଭାଗ ଆଡ଼କୁ ଏହି ଦେଶାନ୍ତରୀ ଆରମ୍ଭ ହୋଇଥିଲା, ଯେତେବେଳେ କଳାହାଣ୍ଡି ଏବଂ ବଲାଙ୍ଗିରରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ୮୦ ଦଶକର ଶେଷ ଭାଗ ଏବଂ ୯୦ ଦଶକର ଆରମ୍ଭରେ ଲେକେ ମରୁଡି, ଫସଲହାନୀ ଏବଂ ଋଣ ଯନ୍ତାରେ ପଡ଼ି ଦେଶାନ୍ତରୀ ହୋଇଥିଲେ। ଓଡ଼ିଶାରୁ ଯାଉଥିବା ଲୋକଙ୍କ ନିରାଶା ଦେଖିବା ପରେ ହୁଏତ ଇଟା ଭାଟି ମାଲିକମାନେ ସ୍ଥାନୀୟ ଶ୍ରମିକଙ୍କଠାରୁ କମ୍ ମଜୁରୀ ଦେଇଥିବେ। ପରବର୍ତ୍ତୀ ସମୟରେ ମଧ୍ୟ ଏହି ଶୋଷଣ ଚାଲିଲା। ସ୍ୱାମୀ ସ୍ତ୍ରୀ ଏବଂ ଆଉ ଜଣେ ପ୍ରାପ୍ତ ବୟସ୍ତ ଶ୍ରମିକଙ୍କୁ ଗୋଟିଏ ୟୁନିଟ୍ ବୋଲି ଧରାଯାଏ ଏବଂ ପ୍ରତି ୟୁନିଟ୍କୁ ୨୦,୦୦୦ ରୁ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅଗ୍ରୀମ ଦିଆଯାଏ।
ଏହା ବଦଳରେ, ଅକ୍ଟୋବର ନଭେମ୍ବରରେ ଅମଳଦମଳ ଏବଂ ଓଡ଼ିଶାର ଏକ ସ୍ଥାନୀୟ ଉତ୍ସବ ଶେଷ ହେବା ପରେ ପରିବାରଗୁଡ଼ିକ ବାହାରକୁ ଯିବା ପାଇଁ ପ୍ରସ୍ତୁତ ହୁଅନ୍ତି। ଡିସେମ୍ବର-ଜାନୁଆରୀ ମାସରେ ଠିକାଦାରମାନେ ଶ୍ରମିକମାନଙ୍କୁ ଇଟା ଭାଟିକୁ ନେଇ ଯାଆନ୍ତି। ସେଠି ସେମାନେ ପ୍ରାୟ ଜୁନ ପର୍ଯ୍ୟନ୍ତ କାମ କରନ୍ତି। ମୌସୁମୀ ଆରମ୍ଭରେ ସେମାନେ ପୁଣି ଗାଁକୁ ଫେରିଆସି କୃଷି ଶ୍ରମିକ ଭାବେ ବା ନିଜର ସ୍ୱଳ୍ପ ଜମିରେ କାମ କରନ୍ତି।
ଶ୍ରମିକମାନେ ନେଇଥିବା ଅଗ୍ରୀମ ଟଙ୍କାରେ ଋଣ ପରିଶୋଧ କରନ୍ତି କିମ୍ବା ବାହାଘର କରନ୍ତି, ବଳଦ କିଣନ୍ତି, ଚିକିତ୍ସା ବାବଦରେ ଏବଂ ଅନ୍ୟାନ୍ୟ ଖର୍ଚ୍ଚ କରନ୍ତି। ଖାଇବା ବାବଦକୁ ଇଟା ଭାଟିରେ ପ୍ରତି ୟୁନିଟ୍ ପିଛା ଦିନକୁ ୬୦ ଟଙ୍କା ଦିଆଯାଏ। ଯେଉଁ ପରିବାରଗୁଡ଼ିକ ଏକାଠି ଯାଇଥାନ୍ତି, ସେମାନଙ୍କୁ ମଧ୍ୟ ଏହି ହିସାବରେ ପଇସା ଦିଆଯାଇଥାଏ। ସିଜିନ ଶେଷରେ ସେମାନଙ୍କୁ ଦିଆଯାଇଥିବା ଆଗ୍ରୀମ ଟଙ୍କା ଏବଂ ପ୍ରତିଦିନର ଖାଇବା ଖର୍ଚ୍ଚ ମିଶାଇ ସେମାନେ କେତେଖଣ୍ଡ ଇଟା ଗଢିଲେ, ସେ ବାବଦକୁ ହିସାବ ହୁଏ।
ପ୍ରତି ୧,୦୦୦ ଇଟାକୁ ପ୍ରତି ୩ ଜଣିଆ ସଦସ୍ୟ ବିଶିଷ୍ଟ ୟୁନିଟର ରୋଜଗାର ୨୨୦ ଟଙ୍କାରୁ ୩୫୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଏହି ପରିମାଣ ଭାଟି ମାଲିକ କିମ୍ବା ଠିକାଦାର ସହ ମୂଲଚାଲ ଉପରେ ନିର୍ଭର କରେ। ଗୋଟିଏ ଶ୍ରମିକ ଗ୍ରୁପ୍ ପ୍ରାୟ ୫ ମାସ ମଧ୍ୟରେ ୧୦୦,୦୦୦ରୁ ୪୦୦,୦୦୦ ପର୍ଯ୍ୟନ୍ତ ଇଟା ଗଢି ପାରନ୍ତି। ଅଧିକ କେତେଜଣ ସହଯୋଗ କରି ପାରୁଛନ୍ତି ତା ଉପରେ ଏହା ନିର୍ଭର କରେ- ଯେଉଁ ପରିବାରରେ ୩ ଜଣିଆ ୟୁନିଟ୍ ବାଦ ଅଧିକ ଶାରୀରିକ ସକ୍ଷମ ସଦସ୍ୟ ଥାଆନ୍ତି। ଏହା ୨୦,୦୦୦ ଟଙ୍କାରୁ ସର୍ବାଧିକ ୧୪୦,୦୦୦ ପର୍ଯ୍ୟନ୍ତ ଆୟ ଦେଇଥାଏ। ଖାଇବା ବାବଦକୁ ଦିନକୁ ୬୦ ଟଙ୍କା ଏବଂ ଅଗ୍ରୀମ ଟଙ୍କା ଫେଡ଼ିଦେଲେ କଷ୍ଟକର ଇଟାଗଢା ସିଜିନ ଶେଷ ବେଳକୁ କିଛି ଶ୍ରମିକ ଋଣରେ ଥାଆନ୍ତି।