ସେମାନେ ବି କୃଷକ । ଗର୍ବର ସହିତ ସେମାନେ ନିଜ ଛାତିରେ ପଦକଗୁଡ଼ିକ ଲଗାଇ ନ ଥିଲେ, ହୁଏତ, ସେମାନେ ମଧ୍ୟ ଦିଲ୍ଲୀର ଦ୍ୱାରଦେଶରେ ସମବେତ କୃଷକମାନଙ୍କ ଭିଡ଼ ଭିତରେ ହଜିଯାଇଥାଆନ୍ତେ । ସେମାନେ ହେଲେ ସେହି ପୁରୁଖା ଯୋଦ୍ଧାଗଣ,୧୯୬୫ ଓ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧରେ ସାହସିକତା ପାଇଁ ଯେଉଁମାନଙ୍କୁ ସମ୍ମାନିତ କରାଯାଇଛି, ସେମାନଙ୍କ ମଧ୍ୟରୁ କେତେକ ୧୯୮୦ ଦଶକରେ ଶ୍ରୀଲଙ୍କାରେ ମଧ୍ୟ ସେବା ପ୍ରଦାନ କରିସାରିଛନ୍ତି । ସ୍ପଷ୍ଟତଃ, ସେମାନେ କ୍ରୋଧିତ ଏବଂ ସରକାର ଓ ଗଣମାଧ୍ୟମର କେତେକ ଶକ୍ତିଶାଳୀ ବର୍ଗ ଦ୍ୱାରା ପ୍ରତିବାଦକାରୀ କୃଷକମାନଙ୍କୁ ‘ଦେଶବିରୋଧୀ’, ‘ଆତଙ୍କବାଦୀ’ ଏବଂ ‘ଖଲିସ୍ତାନୀ’ ରୂପେ ଅଭିହିତ କରିବା ଘଟଣାହିଁ ସେମାନଙ୍କୁ ସବୁଠାରୁ ଅଧିକ କ୍ଷୁବ୍ଧ କରିଛି ।
ପଞ୍ଜାବର ଲୁଧିଆନା ଜିଲ୍ଲା ଅନ୍ତର୍ଗତ ଗିଲ ଗାଁରୁ ଆସିଥିବା ବ୍ରିଗେଡିୟର ଏସ୍. ଏସ୍. ଗିଲ (ଅବସରପ୍ରାପ୍ତ) ମୋତେ କହନ୍ତି, “ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରୁଥିବା କୃଷକମାନଙ୍କ ବିରୋଧରେ ସରକାର ବଳପ୍ରୟୋଗ କରିବା ଦୁଃଖଦାୟକ । ସେମାନେ ଦିଲ୍ଲୀରେ ପହଞ୍ଚିବାକୁ ଚାହୁଁଥିଲେ, କିନ୍ତୁ ସରକାର ସେମାନଙ୍କୁ ଅଟକାଇଲେ, ଯାହାକି ଅସଭ୍ୟ ଏବଂ ଭୁଲ । ସେମାନେ ବାରିକେଡ୍ ତିଆରି କଲେ, ରାସ୍ତା ଖୋଳିଦେଲେ, କୃଷକମାନଙ୍କ ଉପରେ ଲାଠିମାଡ଼ ଏବଂ ୱାଟର କ୍ୟାନନ୍ରୁ ପାଣିମାଡ଼ କଲେ । କ’ଣ ପାଇଁ ? କାହିଁକି ? ଏସବୁ କରିବା ପଛରେ କି କାରଣ ଥିଲା ? କୃଷକମାନେ କେବଳ ସେମାନଙ୍କ ଦୃଢ଼ ସଂକଳ୍ପ ବଳରେ ହିଁ ଏହି ସବୁ ବାଧାବିଘ୍ନ ଅତିକ୍ରମ କରିଛନ୍ତି ।”
ସେନାରେ ସକ୍ରିୟ ସେବାରତ ଥିବା ସମୟରେ ଦେଶସେବା ପାଇଁ ୧୩ଟି ପଦକ ଜିଣିଥିବା ଏହି ୭୨ ବର୍ଷୀୟ ପୁରୁଖା ଯୋଦ୍ଧା ଜଣକ ଗିଲ୍ ଗାଁର ୧୬ ଜଣିଆ ପରିବାରରୁ ଆସିଛନ୍ତି ଏବଂ ସେଠାରେ ତାଙ୍କ ପରିବାରର କେଇ ଏକର ଜମି ରହିଛି । ୧୯୭୧ର ଯୁଦ୍ଧରେ ଭାଗ ନେବା ସହିତ ଅନ୍ୟ କେତେକ ସାମରିକ ଅଭିଯାନରେ ସେ ସେବା ପ୍ରଦାନ କରିଛନ୍ତି ଏବଂ ୧୯୯୦ ଦଶକରେ ପଞ୍ଜାବରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ମଧ୍ୟ ସାମିଲ ହୋଇଛନ୍ତି ।
ବ୍ରିଗେଡିୟର ଗିଲ୍ କହନ୍ତି, “କୃଷକମାନଙ୍କୁ ଏହି ଆଇନଗୁଡ଼ିକ ସଂପର୍କରେ ନା ପଚରାଯାଇଥିଲା, ନା ସେମାନଙ୍କ ପରାମର୍ଶ ନିଆଯାଇଥିଲା । ଏହା ହେଉଛି ବିଶ୍ୱର ଅନ୍ୟତମ ବୃହତ୍ତମ ବିପ୍ଳବ, ଯାହାକି ଏବେ ଦିଲ୍ଲୀର ଦୁଆରମୁହଁରେ ଚାଲିଛି । ମୁଁ ବୁଝିପାରୁନି ଯେ, ସରକାର କାହିଁକି ଏହି ଆଇନଗୁଡ଼ିକୁ ପ୍ରତ୍ୟାହାର କରିନେଉନାହାନ୍ତି । ଏତେବେଳ ସୁଦ୍ଧା ସେମାନେ ଏହା କରିଦେବା କଥା ।”
ଲକ୍ଷ ଲକ୍ଷ କୃଷକ ଏବେ ସେହି ତିନିଟି ଆଇନ ବିରୋଧରେ ପ୍ରତିବାଦ କରୁଛନ୍ତି ଯେଉଁଗୁଡ଼ିକୁ କେନ୍ଦ୍ର ସରକାର ପ୍ରଥମେ ୨୦୨୦ ଜୁନ୍ ୫ ତାରିଖ ଦିନ ଅଧ୍ୟାଦେଶ ଆକାରରେ ଜାରି କଲେ, ତା’ ପରେ ସେପ୍ଟେମ୍ବର ୧୪ ତାରିଖ ଦିନ ଏସବୁକୁ ସଂସଦରେ ଉପସ୍ଥାପନ କରିବା ପରେ ସେହି ମାସ ୨୦ ତାରିଖ ଦିନ ଏଗୁଡ଼ିକୁ ଆଇନ ରୂପରେ ଗୃହୀତ କରାଇନେଲେ । ଏହି ତିନିଟି ଆଇନ ହେଲା: କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ (ପ୍ରସାର ଓ ସୁଯୋଗ) ଆଇନ, ୨୦୨୦ ; ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ଆଇନ, ୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦ ।
ଏହି ଆଇନଗୁଡ଼ିକ କୃଷକମାନଙ୍କୁ କ୍ଷୁବ୍ଧ କରିଛି ଏବଂ ସେମାନେ ଏହାକୁ ବଡ଼ ବଡ଼ ଲାଭଖୋର କମ୍ପାନୀ ଆଗରେ ନିଜ ନିଜ ଜୀବିକାକୁ ସମର୍ପି ଦେବା ଭଳି ଦୃଷ୍ଟିରେ ଦେଖୁଛନ୍ତି । ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ସବୁ ନାଗରିକମାନଙ୍କର ଆଇନର ଆଶ୍ରୟ ନେବା ଅଧିକାରକୁ ଅକାମୀ କରିଦେଉଥିବା କାରଣରୁ ମଧ୍ୟ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଇଛି ।
ଫସଲର ନ୍ୟୂନତମ ସମର୍ଥନ ମୂଲ୍ୟ, କୃଷିଜାତ ସାମଗ୍ରୀ ବିପଣନ କମିଟି, ସରକାରଙ୍କ ଦ୍ୱାରା ଶସ୍ୟକିଣା ସମେତ କୃଷକମାନଙ୍କର ସହାୟତା ପାଇଁ ପ୍ରଚଳିତ ଅନେକ ବ୍ୟବସ୍ଥାକୁ ଏହି ନୂତନ ଆଇନଗୁଡ଼ିକରେ ଜଳାଞ୍ଜଳି ଦିଆଯାଇଛି । ଏହା ସହିତ କୃଷକମାନଙ୍କର ସୀମିତ ମୂଲଚାଲ ସାମର୍ଥ୍ୟକୁ ଆହୁରି କ୍ଷୁର୍ଣ୍ଣ କରିବା ସହିତ କୃଷି କ୍ଷେତ୍ରରେ ବଡ଼ ବଡ଼ କମ୍ପାନୀ ଓ ସଂସ୍ଥାର ପ୍ରବେଶ ପଥକୁ ଏହି ଆଇନଗୁଡ଼ିକରେ ଉନ୍ମୁକ୍ତ କରିଦିଆଯାଇଛି ।
ପଞ୍ଜାବର ଲୁଧିଆନାରୁ ଆସିଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଗଦୀଶ ସିଂହ ବ୍ରାର (ଅବସରପ୍ରାପ୍ତ) କହନ୍ତି, “ଏଗୁଡ଼ିକ ଯେ କେବଳ ଭୁଲ ପଦକ୍ଷେପ ତାହା ନୁହେଁ, ବରଂ ବାସ୍ତବରେ ସରକାର ଏବେ ବଡ଼ ବଡ଼ କମ୍ପାନୀର ପକେଟ୍କୁ ଚାଲିଯାଇଛି ।”
ଏବଂ ଏହା ସ୍ପଷ୍ଟ ଯେ, ସରକାର ଏବଂ ଗଣମାଧ୍ୟମ ଦ୍ୱାରା ବଦନାମ କରାଯାଉଥିବାରୁ ଏହି ପ୍ରବୀଣ ସୈନିକମାନେ ମର୍ମାହତ ହୋଇଛନ୍ତି ।
ସେନାରେ ସେବାରତ ଥିବା ସମୟରେ ୧୦ଟି ପଦକ ହାସଲ କରିଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ ବ୍ରାର କହନ୍ତି, “ଆମେ ଯେତେବେଳେ ଦେଶ ପାଇଁ ଯୁଦ୍ଧ କରୁଥିଲୁ, ସେତେବେଳେ ଏହି ପୁଞ୍ଜିବାଦୀ ବ୍ୟବସାୟୀମାନଙ୍କୁ ଦେଖିବାକୁ ମିଳୁନଥିଲା । ସେଠି ନା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଥିଲା, ନା (ସେହି ସବୁ ଯୁଦ୍ଧରେ) ଭାରତୀୟ ଜନତା ପାର୍ଟିର ସତ୍ତା ବା କୌଣସି ଭୂମିକା ଥିଲା।”୧୯୬୫ ଓ ୧୯୭୧ ମସିହାର ଯୁଦ୍ଧରେ ଲଢ଼ିଥିବା ଏହି ୭୫ ବର୍ଷୀୟ ପୁରୁଖା ଯୋଦ୍ଧାଙ୍କର ୧୦ ଜଣିଆ ପରିବାର ପଞ୍ଜାବର ମୋଗା ଜିଲ୍ଲା ଅନ୍ତର୍ଗତ ଖୋଟେ ଗାଁରେ ରହନ୍ତି ଏବଂ ସେଠାରେ ସେମାନଙ୍କର ୧୧ ଏକର ଜମି ରହିଛି ।
ଆନ୍ଦୋଳନ ସ୍ଥଳ ସିଂଘୁରେ ଉପସ୍ଥିତ ବହୁ ଅବସରପ୍ରାପ୍ତ ସେନା ଅଧିକାରୀ ଆଉ ଚାଷବାସରେ ସକ୍ରିୟ ନାହାନ୍ତି ସତ, ହେଲେ କୃଷକ ରୂପରେ ହିଁ ସେମାନଙ୍କର ସାମଗ୍ରିକ ପରିଚୟ ବିଦ୍ୟମାନ।
“ଆମେ ଆନ୍ଦୋଳନରତ କୃଷକମାନଙ୍କୁ ଏହି କାରଣରୁ ସମର୍ଥନ କରୁଛୁ ଯେ ସେମାନଙ୍କ ପାଇଁ ହିଁ ଆମେ ଜୀବନଧାରଣ କରୁଛୁ”, ଲୁଧିଆନା ଜିଲ୍ଲାର ମୁଲ୍ଲାନପୁର ଡାଖା ଗାଁରୁ ଆସିଥିବା ୫ ଏକର ଜମିର ମାଲିକ କର୍ଣ୍ଣେଲ ଭଗୱନ୍ତ ଏସ୍. ତତଲା (ଅବସରପ୍ରାପ୍ତ) କହନ୍ତି । ଏହି ୭୮ ବର୍ଷୀୟ ପଦକ ବିଜେତା କହନ୍ତି, “ଚାଷୀମାନଙ୍କ ଯୋଗୁଁ ହିଁ ଆମେ ପାକିସ୍ତାନ ବିରୋଧରେ ୧୯୬୫ ଓ ୧୯୭୧ରେ ଦୁଇଟି ବଡ଼ ଯୁଦ୍ଧରେ ବିଜୟଲାଭ କରିଥିଲୁ ।” ସେନାରେ ତତ୍ଲାଙ୍କ ସର୍ଭିସ୍ ରେକର୍ଡ କହେ ଯେ ସେ ହାବିଲଦାରରୁ ଆରମ୍ଭ କରି କର୍ଣ୍ଣେଲ ପାହ୍ୟାକୁ ଉନ୍ନୀତ ହୋଇଥିଲେ ।
ଲେଫ୍ଟନାଣ୍ଟ କର୍ଣ୍ଣେଲ ବ୍ରାର କହନ୍ତି, “ଆପଣମାନେ ଯୁବ ପିଢ଼ିର, ଆପଣ କେମିତି ଜାଣିବେ ! କୃଷକମାନେ ଆମକୁ ସାହାଯ୍ୟ କରିବାରୁ ହିଁ ଭାରତ ଏହି ସବୁ ଯୁଦ୍ଧରେ ଜିତିଥିଲା ।୧୯୬୫ରେ ପାକିସ୍ତାନ ପାଖରେ ପାଟନ ଟ୍ୟାଙ୍କ ଥିଲା- ଯାହାକି ସେତେବେଳର ସବୁଠାରୁ ସୁନ୍ଦର, ଗତିଶୀଳ ଏବଂ ବିଶ୍ୱର ନବୀନତମ ଟ୍ୟାଙ୍କ ଥିଲା। ଆମ ପାଖରେ କିଛି ନଥିଲା; ଏମିତି କି ଆମ ପାଖରେ ଜୋତା ହଳେ ବି ନଥିଲା । ତା ସାଙ୍ଗକୁ, ଗୋଳାବାରୁଦ ବୋହି ନେବା ପାଇଁ ଭାରତୀୟ ସେନା ପାଖରେ ଟ୍ରକ୍ କି ଡଙ୍ଗା ନଥିଲା । ସତ କହିବାକୁ ଗଲେ, ପାକିସ୍ତାନକୁ ଲାଗି ରହିଥିବା ସମଗ୍ର ସୀମାବର୍ତ୍ତୀ ଅଞ୍ଚଳକୁ ଜଗି ରହିବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସୈନ୍ୟବଳ ବି ନଥିଲା ।”
ସେ କହନ୍ତି, “ଏହିଭଳି ପରିସ୍ଥିତିରେ ପଞ୍ଜାବର ଲୋକେ, କୃଷକମାନେ, ଆମକୁ କହିଲେ, “ଏ ସଂପର୍କରେ ଚିନ୍ତା କରନାହିଁ । ଆଗେଇ ଚାଲ, ଏବଂ ଆମେ ତୁମକୁ ରନ୍ଧା ଖାଦ୍ୟ ଦେବୁ ଏବଂ ଗୋଳାବାରୁଦ ବୋହି ନେବା କଥା ବୁଝିବୁ ।” ପଞ୍ଜାବର ସବୁ ଟ୍ରକ୍ ଗଡ଼ିବାରେ ଲାଗିଲେ, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗୋଳାବାରୁଦ ପହଞ୍ଚାଇଲେ, ଏବଂ ଏମିତି ହିଁ ସେନା ତିଷ୍ଠି ରହିଲା ଏବଂ ଭାରତ ଯୁଦ୍ଧରେ ବିଜୟଲାଭ କରିପାରିଲା । ୧୯୭୧ରେ ପୂର୍ବ ପାକିସ୍ତାନ ବା ଏବେକାର ବାଂଲାଦେଶରେ ଯୁଦ୍ଧ ସମୟରେ ମଧ୍ୟ ସେଇ ଏକା କଥା ହେଲା । ସ୍ଥାନୀୟ ଲୋକେ ସାହାଯ୍ୟ କରି ନଥିଲେ ଆମ ପାଇଁ ଯୁଦ୍ଧ ଜିଣିବା କଷ୍ଟକର ହୋଇଥାଆନ୍ତା । ସେଠାରେ ବି, (ସୀମାବର୍ତ୍ତୀ ଅଞ୍ଚଳର) ସ୍ଥାନୀୟ ଲୋକେ ଥିଲେ କୃଷକ ।” ଦେଶ ବିଭାଜନ ସମୟରେ, ୱାରେଣ୍ଟ ଅଫିସର (ଅବସରପ୍ରାପ୍ତ) ଗୁରଟେକ୍ ସିଂହ ବିର୍କଙ୍କ ପରିବାର, ସେତେବେଳେ ପହିଲମାନଙ୍କ ସହର ରୂପେ ପରିଚିତ ପାକିସ୍ତାନର ଗୁଜରନୱାଲାରୁ ଉତ୍ତର ପ୍ରଦେଶର ପିଲିଭିତ୍ ଜିଲ୍ଲାକୁ ଆସିଥିଲେ । ତାଙ୍କ ୧୮ ଜଣିଆ ଯୌଥ ପରିବାରର ପ୍ରାୟ ୧୭ ଏକର ଜମି ସେହି ଜିଲ୍ଲାର ପୁରନ୍ପୁର ଗାଁରେ ରହିଛି । ତାଙ୍କ ବାପା ଓ ଜେଜେବାପା (ବ୍ରିଟିଶ ଶାସନ ସମୟରେ) ଉଭୟ ପୋଲିସ ଡେପୁଟୀ ସୁପରିଣ୍ଟେଣ୍ଡେଣ୍ଟ ପଦବୀରେ ଥିଲେ । ତାଙ୍କ ଭାଇ ଜଣେ ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଏବଂ ବିର୍କ ନିଜେ ଭାରତୀୟ ବାୟୁସେନାରେ ସେବାରତ ଥିଲେ ।
ଏହି ପୂର୍ବତନ ବାୟୁସେନା ଅଧିକାରୀ ଜଣକ କହନ୍ତି, “କିନ୍ତୁ ଚାଷବାସ ହିଁ ଆମର ମୂଳକାମ ଏବଂ ଆମେ ଏହାକୁ କେବେ ବି ଭୁଲିନାହୁଁ ।” ସୀମା ଆରପଟେ ଥିବା ବେଳେ ମଧ୍ୟ ଆମେ କୃଷକ ହିଁ ଥିଲୁ ବୋଲି ସେ କହନ୍ତି । “ଏବଂ ଏଠାରେ ଆମେ ୭୦ ବର୍ଷ ରହିବା ପରେ- ଏବେ ଭାରତ ସରକାର (ଏହି ସବୁ) ଆଇନ ଗୃହୀତ କରାଇଛନ୍ତି, ଯାହାକି ଆମକୁ ପୁଣି ଥରେ ଭୂମିହୀନ କରାଇ ଦେବାକୁ ଯାଉଛି । ଏ ସବୁ କେବଳ ସେଇ ବ୍ୟବସାୟୀମାନଙ୍କ ପାଇଁ, ଯେଉଁମାନେ କୌଣସି ମାନବୀୟ ମୂଲ୍ୟ ସଂପର୍କରେ ଚିନ୍ତା କରନ୍ତି ନାହିଁ, କେବଳ ନିଜ ଲାଭ ହିଁ ଦେଖନ୍ତି ।”
ଲୁଧିଆନା ଜିଲ୍ଲାର କର୍ଣ୍ଣେଲ ଯଶବିନ୍ଦର ସିଂହ ଗର୍ଚା କହନ୍ତି, “ଆମେ ଯେତେବେଳେ ଯୁଦ୍ଧରେ ଲଢ଼େଇ କରୁଥିଲୁ, ଆମ ବାପାମାଆ କ୍ଷେତରେ ଥିଲେ, ଚାଷ କରୁଥିଲେ । ଏବେ ଆମ ପିଲାମାନେ ଦେଶ ସୀମାରେ ଅଛନ୍ତି, ଏବଂ ଆମେ ଚାଷବାସ କରୁଛୁ ।” ସେ ୧୯୭୧ ଯୁଦ୍ଧରେ ଭାଗ ନେଇଥିଲେ ଏବଂ ପାଞ୍ଚଟି ପଦକ ପାଇଥିଲେ । ଏବେ, ବୟସର ୭୦ ଦଶକରେ ପହଞ୍ଚିଥିବା ଗର୍ଚା, ଜଣେ ଇଞ୍ଜିନିୟର ହେଲେ ବି କୃଷକ ହିଁ ତାଙ୍କର ପ୍ରଥମ ପରିଚୟ ବୋଲି କହନ୍ତି । ତାଙ୍କ ପୁଅମାନଙ୍କ ସହାୟତାରେ ସେ ଯଶୋୱାଲ ଗାଁରେ ଚାଷବାସ କରନ୍ତି ।
“ଏବେ, ପ୍ରତିଦିନ, ଚୀନ କିମ୍ବା ପାକିସ୍ତାନ ଆମ ଅଞ୍ଚଳ ଭିତରକୁ ମାଡ଼ି ଆସୁଛନ୍ତି ବୋଲି ସରକାର କାନ୍ଦୁଛନ୍ତି। କିଏ ସେମାନଙ୍କ ଗୁଳିର ମୁକାବିଲା କରିବ ? ଅମିତ ଶାହ କି ମୋଦି କରିବେ କି ? ଆଦୌ ନୁହେଁ । ଆମ ପିଲାମାନେ ହିଁ ତା’ର ମୁକାବିଲା କରିବେ,” ଲେଫ୍ଟନାଣ୍ଟ କର୍ଣ୍ଣେଲ ବ୍ରାର କହନ୍ତି ।
“ମୁଁ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଥିଲି,” ଅନୁତାପ ଭରା ସ୍ୱରରେ କହନ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ ଏସ୍, ଏସ୍. ସୋହି, “କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ପଦକ୍ଷେପ । ସରକାର କୃଷିକାର୍ଯ୍ୟକୁ ସଂପୂର୍ଣ୍ଣ ରୂପରେ ବରବାଦ କରିଦେଉଛନ୍ତି ।” ସୋହି ହେଉଛନ୍ତି ପଞ୍ଜାବର ପୂର୍ବତନ ସୈନିକମାନଙ୍କ ଅଭିଯୋଗ ପ୍ରକୋଷ୍ଠର ସଭାପତି। ଏହା ପୁରୁଖା ସୈନିକ ଏବଂ ସହିଦ ସୈନିକମାନଙ୍କ ବିଧବା ପତ୍ନୀମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଗଠିତ ଏକ କଲ୍ୟାଣକାରୀ ସଂଗଠନ ।
ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋହି ୧୯୬୫ ଓ ୧୯୭୧ର ଯୁଦ୍ଧରେ ଲଢ଼େଇ କରିଛନ୍ତି । ସେ ୧୨ଟି ପଦକ ଜିଣିଛନ୍ତି, ଯେଉଁଥିରେ କି ବିଭିନ୍ନ ଜରୁରୀକାଳୀନ ସ୍ଥିତି ଏବଂ ଶାନ୍ତିସ୍ଥାପନ ଅଭିଯାନରେ ତାଙ୍କର ଭୂମିକା ପାଇଁ ମିଳିତ ଜାତିସଂଘରୁ ମିଳିଥିବା ଗୋଟିଏ ପଦକ ଅନ୍ତର୍ଭୁକ୍ତ । ହରିଆଣାର କର୍ଣ୍ଣାଲ ଜିଲ୍ଲା ଅନ୍ତର୍ଗତ ନିଲୋଖେରି ଗାଁରେ ତାଙ୍କ ଚାରି ଜଣିଆ ପରିବାରର ୮ ଏକର ଜମି ରହିଥିଲା ଏବଂ ପଞ୍ଜାବର ମୋହାଲିରେ ଅବସର ଜୀବନ କାଟିବା ପାଇଁ କିଛି ବର୍ଷ ତଳେ ଏହି ଜମିକୁ ସେ ବିକି ଦେଇଥିଲେ ।
ତାଙ୍କ ମତରେ, “ରାଜନେତାମାନେ ବଡ଼ ବଡ଼ କମ୍ପାନୀ ପାଖରୁ ବହୁତ ଟଙ୍କା ନେଇଛନ୍ତି ଏବଂ ସେହି ଟଙ୍କାରେ ନିର୍ବାଚନ ଲଢ଼ିଛନ୍ତି । ଏବେ ସେମାନେ ଏଭଳି ଆଇନ ଆକାରରେ ସେହି ଟଙ୍କା ଫେରାଇ ଦେବାକୁ ଚାହୁଁଛନ୍ତି ।” ଦୁଃଖର କଥା ହେଉଛି, ସେ କହନ୍ତି, “ଭାରତର ମୁଖ୍ୟ ଶାସକ ଗୋଷ୍ଠୀ ବ୍ୟବସାୟୀ ସଂପ୍ରଦାୟର । ତେଣୁ, ସେମାନେ କେବଳ ବ୍ୟବସାୟୀଙ୍କ ପରିବାର ପାଇଁ ଚିନ୍ତିତ ।”
ଲେଫ୍ଟନାଣ୍ଟ କର୍ଣ୍ଣେଲ ବ୍ରାର କହନ୍ତି, “ସେମାନଙ୍କ ବିରୋଧରେ କେହି କିଛି କହୁ ବୋଲି ବଡ଼ ବଡ଼ କମ୍ପାନୀ ମାଲିକମାନେ ଚାହାଁନ୍ତି ନାହିଁ । ଆଉ ଏହି ଆଇନଗୁଡ଼ିକ କୃଷକମାନଙ୍କର ବିକାଶ ନିମନ୍ତେ ଉଦ୍ଦିଷ୍ଟ ବୋଲି କହି ପ୍ରଧାନମନ୍ତ୍ରୀ ଆପଣଙ୍କୁ ଭୁଆଁ ବୁଲାଉଛନ୍ତି । ମୁଁ ଆପଣଙ୍କୁ ବିହାର ରାଜ୍ୟର ଉଦାହରଣ ଦେବି । ଏହି ଗରିବ ରାଜ୍ୟରେ ୧୪ ବର୍ଷ ତଳେ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ କରାଯାଇଥିଲା (ଯାହାର ପରିଣତି ଭୟାବହ ହେଲା) ।” ସେ ଆହୁରି କହନ୍ତି, “ଆମ ଗାଁରେ ମୁଁ ଆମର ୧୧ ଏକର ଜମି ଚାଷ କରିବା ଲାଗି ମୋ ଭାଇଙ୍କୁ ଦେଇଛି । ମୋର ବୟସ ଯୋଗୁଁ ମୁଁ ଆଉ ଚାଷବାସ କରିପାରୁନାହିଁ ।”
ଲେଫ୍ଟନାଣ୍ଟ କର୍ଣ୍ଣେଲ ବ୍ରାର ସୂଚାଇ ଦିଅନ୍ତି ଯେ, “ସେମାନଙ୍କ ନିଜ ରାଜ୍ୟରେ ୧୦ ଏକର ଜମିର ମାଲିକାନା ଥିବା କୃଷକମାନେ ପଞ୍ଜାବରେ ୫ ଏକର ଜମିର ମାଲିକଙ୍କ ପାଖରେ ଶ୍ରମିକ ଭାବରେ କାମ କରିବାକୁ ଆସନ୍ତି । ଚାଷଜମିର ମାଲିକ ହୋଇଥିବା କୃଷକମାନଙ୍କୁ ଭିକ ମାଗିବା ପାଇଁ ବାଧ୍ୟ କରିବାଠାରୁ ଆଉ ଅଧିକ ଲଜ୍ଜାଜନକ କ’ଣ ହୋଇପାରେ ?” ଶେଷରେ ଏହି ଆଇନଗୁଡ଼ିକ ‘‘ସେମାନଙ୍କୁ ଭୂମିହୀନ ହିଁ କରିଦେବ” ବୋଲି ସେ କହନ୍ତି ।
ବାସ୍ତବରେ କ’ଣ ଏହା ହିଁ ଘଟିବ, ‘ଅଲ୍ ଇଣ୍ଡିଆ ଫୋରମ୍ ଫର୍ ରାଇଟ୍ ଟୁ ଏଜୁକେସନ’ ଏବଂ ଲୁଧିଆନାର ‘ସହିଦ ଭଗତ ସିଂହ କ୍ରିଏଟିଭିଟି ସେଣ୍ଟର’ର ଅଧ୍ୟକ୍ଷ ପ୍ରଫେସର ଜଗମୋହନ ସିଂହଙ୍କୁ ମୁଁ ଏହା ପଚାରିଲି । ସେ ମୋତେ କହିଲେ, “ହଁ. ଏହି ଆଇନଗୁଡ଼ିକ ପ୍ରତ୍ୟାହୃତ ନ ହେଲେ ଏହା ହିଁ ଆମର ଭବିଷ୍ୟତ । ଯେତେବେଳେ ବି କର୍ପୋରେଟ୍ର ସ୍ୱାର୍ଥହାସଲ ଇଚ୍ଛା ବଢ଼ିବ, ସେମାନେ ଚାଷୀମାନଙ୍କୁ ସେମାନଙ୍କ ଜମିରୁ ତଡ଼ି ଦେବେ । ଏହାର ଏକ ପ୍ରକୃଷ୍ଟ ଉଦାହରଣ ବ୍ରାଜିଲ, ଯେଉଁଠି, ୧୯୮୦ ଦଶକରେ ଏହିଭଳି ଏକ ଜମି ହଡ଼ପ ପ୍ରକ୍ରିୟା ବିରୋଧରେ କୃଷକମାନେ ଏକ ବିଶାଳ ଆନ୍ଦୋଳନ କରିଥିଲେ ।”
ବ୍ରିଗେଡିୟର ଗିଲ୍ କହନ୍ତି, “କେଉଁଠୁ କେଜାଣି,ସରକାର କାଳ୍ପନିକ କୃଷକମାନଙ୍କୁ ସାମନାକୁ ଆଣି ଆମ ଭିତରେ ବିଭାଜନ ସୃଷ୍ଟି ଲାଗି ଚେଷ୍ଟା କରୁଛନ୍ତି. ଯେଉଁମାନେ କହୁଛନ୍ତି ଯେ ‘ଆମେ ଏହି ଆଇନଗୁଡ଼ିକର ସମର୍ଥନ କରୁ’। ବାସ୍ତବରେ କୌଣସି କୃଷକ ଯେ ଏହାକୁ ସମର୍ଥନ କରିପାରିବ, ତାହା ମୁଁ ଜାଣିନି ।”
କର୍ଣ୍ଣେଲ ଗର୍ଚା ସତର୍କ କରାଇ ଦିଅନ୍ତିଯେ ‘ଧର୍ମ ଭିତ୍ତିରେ,“ଆପଣ ଜଣେ ଶିଖ କିମ୍ବା ଜଣେ ମୁସଲମାନ କିମ୍ବା ଜଣେ ହିନ୍ଦୁ” ବୋଲି କହି, କିମ୍ବା ଅଞ୍ଚଳ ଭିତ୍ତିରେ, “ଆପଣ ଜଣେ ପଞ୍ଜାବୀ, ହରିଆଣ୍ବୀ କିମ୍ବା ଜଣେ ବିହାରୀ” ବୋଲି କହି ଆନ୍ଦୋଳନକାରୀମାନଙ୍କୁ ବିଭାଜିତ କରିବା ଲାଗି ଉଦ୍ୟମ ହୋଇପାରେ ।
ଲେଫ୍ଟନାଣ୍ଟ କର୍ଣ୍ଣେଲ ବ୍ରାର କହନ୍ତି, “ପାଣି ପାଇଁ ସେମାନଙ୍କ ମଧ୍ୟରେ ଲାଗି ରହିଥିବା ପୁରୁଣା ବିବାଦ ପ୍ରସଙ୍ଗ ଉଠାଇ ହରିଆଣା ଓ ପଞ୍ଜାବ ଲୋକଙ୍କୁ ପରସ୍ପର ବିରୋଧରେ ଠିଆ କରାଇବାକୁ ସରକାର ଚେଷ୍ଟା କରିପାରନ୍ତି । କିନ୍ତୁ ଉଭୟ ରାଜ୍ୟର ଲୋକେ ବୁଦ୍ଧିମାନ ଏବଂ ଏକଥା ଭଲ ଭାବେ ଜାଣନ୍ତି ଯେ ଜମି ନଥିଲେ ପାଣିର ଉପଯୋଗ କେଉଁଠି ହେବ ?”
ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସେମାନଙ୍କ ବଳିଷ୍ଠ ଭୂମିକା କାରଣରୁ ଏହି ପୁରୁଖା ବୀର ଯୋଦ୍ଧାଗଣ ମୋଟ ୫୦ରୁ ଅଧିକ ପଦକ ଜିଣିଛନ୍ତି । ଏବେ, ଯଦି ସରକାର ଜିଦ୍ରେ ଅଡ଼ି ବସନ୍ତି ଏବଂ ଚାଷୀଙ୍କ ପ୍ରତି ସହାନୁଭୂତିଶୀଳ ନ ହୁଅନ୍ତି, ତେବେ ଏହି ପଦକଗୁଡ଼ିକୁ ସେମାନେ ଭାରତର ରାଷ୍ଟ୍ରପତିଙ୍କୁ- ସଶସ୍ତ୍ର ସେନାର ସର୍ବୋଚ୍ଚ ସେନାପତିଙ୍କୁ- ଫେରାଇ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ବ୍ରିଗେଡିୟର ଗିଲ୍ କହନ୍ତି, “ମୁଁ କେବଳ ଆଶା ଏବଂ ପ୍ରାର୍ଥନା କରୁଛି ଯେ ସରକାରଙ୍କର ସଦ୍ବୁଦ୍ଧି ଜାତ ହେଉ ଏବଂ ସେମାନେ ଏହି ଆଇନଗୁଡ଼ିକୁ ପ୍ରତ୍ୟାହାର କରି କୃଷକମାନଙ୍କୁ ଘରକୁ ଫେରିଯିବାକୁ ଦିଅନ୍ତୁ। ସେଥିରେ ହିଁ ଏହାର ଅନ୍ତ ଘଟିବ ।”
ଅନୁବାଦ: ଓଡ଼ିଶାଲାଇଭ୍