ଆଲାଗିରି ସାମି ପାକୁଆ ପାଟିରେ ହସୁଥିଲେ, ହସ୍ତ ତନ୍ତର ଛନ୍ଦମୟ ଖଟ୍ଖଟ୍ ଶବ୍ଦ ମଧ୍ୟରେ କିଛି କହିବାକୁ ଚେଷ୍ଟା କରୁଥିଲେ। ସେ କହିଲେ, ‘‘ସେମାନେ କୁହନ୍ତି ଆମେ ଏଠାକୁ ୫୦୦ ବର୍ଷ ତଳେ ଆସିଥିଲୁ ଏବଂ ଆମର କଳା ଚାଲୁ ରଖିବା ପାଇଁ ନଦୀ କୂଳରେ ବସବାସ କଲୁ’’। ‘‘ମୁଁ ଭାବୁଛି ଆମେ ଏଠାକୁ କେବଳ ମାଛ ପାଇଁ ଆସିଥିଲୁ।’’
୮୫ ବର୍ଷ ବୟସ୍କ ସାମି କୁଥାମ୍ପଲି ଗ୍ରାମର ଯେଉଁ ଶାଳରେ କାମ କରୁଛନ୍ତି, ସେଠାରେ ତିନୋଟି ଧାଡ଼ିରେ ୧୨ଟି ତନ୍ତ ରହିଛି। ଶାଳର ଚାରି ପାଖରେ ମାଲାପୁରମ୍ ଏବଂ କୋଇମ୍ବାଟୁରର୍ ସୁତା କଳଗୁଡ଼ିକରୁ ଆସିଥିବା କପା ସୁତାର ବଣ୍ଡଲ୍ଗୁଡ଼ିକ ଅଛି । ଲମ୍ବା ଲମ୍ବା ସୁତା ଶୁଖିବା ପାଇଁ ଝୁଲାଯାଇଛି। ପାତ୍ରରେ ତରଳ ମଣ୍ଡରେ ସୁନେଲି କାସାଭୁ (ଜରି)ର ବଣ୍ଡଲ୍ଗୁଡ଼ିକୁ ବୁଡ଼ାଯାଇ ଟାଣ କରିବା ପାଇଁ ରଖାଯାଇଛି। ସୁନେଲି ଧଡ଼ି ଥିବା ହାଲ୍କା ଧୂଷର ଲୁଙ୍ଗି ଏବଂ ସୁନ୍ଦର ଭାବରେ ବୁଣା ଯାଇଥିବା ହାତୀ, ମୟୂର ଏବଂ ପାରମ୍ପରିକ ଡିଜାଇନ୍ଗୁଡ଼ିକର ଶାଢ଼ି ଗ୍ରାହକମାନଙ୍କୁ ଯୋଗାଇବା ପାଇଁ ଥାକ ମରାଯାଇ ରଖାଯାଇଛି।
ସାମିଙ୍କ ପରିବାର ସେହି ଶାଳ ଏବଂ ଏଥିସହ ସଂଲଗ୍ନ ଏକ ହସ୍ତତନ୍ତ ଦୋକାନର ମାଲିକ। ସେମାନେ ବୁଣାକାରମାନଙ୍କର ଦେବାଙ୍ଗ ଚେଟିଆର୍ ଜାତି (ଦୈବାଙ୍ଗ ବ୍ରାହ୍ମଣ, ଏକ ଅନ୍ୟାନ୍ୟ ପଛୁଆ ଜାତି ଭାବରେ ତାଲିକାଭୁକ୍ତ) ଏବଂ ୧୯୬୨ ମସିହାରେ ଭାଗୀରଥୀ ଆମ୍ମାଙ୍କୁ ବିବାହ କରି ତାମିଲନାଡୁରୁ କୁଥାମପଲ୍ଲୀ ଆସିଥିଲେ। କେତେକ ଦସ୍ତାବିଜ ପ୍ରକାଶ କରେ ଯେ ଏହି ଜାତି ୫୦୦ ବର୍ଷ ତଳେ କର୍ଣ୍ଣାଟକରୁ କେରଳ ଆସିଥିଲେ କୋଚିର ରାଜାଙ୍କ ଅନୁରୋଧରେ ରାଜପରିବାର ପାଇଁ ବସ୍ତ୍ର ବୁଣିବାକୁ। ସେମାନେ ଉତ୍ତରରେ ଭାରତପୂଝା ନଦୀଠାରୁ ପଶ୍ଚିମରେ ଗାୟତ୍ରୀପୂଝା ନଦୀ (ପୋନ୍ନାନୀ ଭାବରେ ମଧ୍ୟ ଜଣାଶୁଣା) ପର୍ଯ୍ୟନ୍ତ ବସବାସ କରୁଥିଲେ।












