୩୦ ସେକେଣ୍ଡର ରେକର୍ଡିଂ କଲର୍ ଟ୍ୟୁନ୍ ବାଜି ବନ୍ଦ ହୋଇଯାଇଥିଲେ ହେଁ ଫୋନ୍ କଲ୍ର କୌଣସି ଉତ୍ତର ମିଳିନଥିଲା।: “ଭୁତାଣୁ ସଂକ୍ରମଣର ବିସ୍ତାରକୁ ବନ୍ଦ କରିବା ସମ୍ଭବ… ନିୟମିତ ଭାବରେ ସାବୁନରେ ହାତ ଧୋଇ ଦିଅନ୍ତୁ ଏବଂ ଅସୁସ୍ଥ ଥିବାର ସମ୍ଭାବନା ଥିବା ଲୋକଙ୍କଠାରୁ ଏକ ମିଟର ଦୂରତା ବଜାୟ ରଖନ୍ତୁ।”
ଯେତେବେଳେ ମୁଁ ଦ୍ୱିତୀୟ ଥର ଫୋନ କଲି, ସେ ଫୋନ ଉଠାଇଲେ, ବାଲାସାହେବ ଖେଡକର କଲର୍ ଟ୍ୟୁନ୍ ମାଧ୍ୟମରେ ଦିଆଯାଇଥିବା ପରାମର୍ଶର ଠିକ୍ ବିପରିତ କାର୍ଯ୍ୟ କରୁଥିଲେ। ସେ ପଶ୍ଚିମ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଆଖୁ କ୍ଷେତରେ ଆଖୁ କାଟୁଥିଲେ। ସେ କହିଲେ “ଏଠାରେ ସମସ୍ତେ କରୋନା ଭୂତାଣୁକୁ ନେଇ ଭୟଭୀତ ଅଛନ୍ତି।" ପୂର୍ବ ଦିନ ମୁଁ ଦେଖିଥିଲି ଜଣେ ମହିଳା ଜୋରରେ କାନ୍ଦୁଥିଲେ କାରଣ ସେ ଚିନ୍ତିତ ଥିଲେ ଯେ ସେ ଏହି ରୋଗ ଆଣିବେ ଏବଂ ତାଙ୍କ ପିଲା ମଧ୍ୟ ସଂକ୍ରମିତ ହେବ।"
୩୯ ବର୍ଷୀୟ ଖେଡକର ଜି.ଡି. ବାପୁ ଲାଡ ସମବାୟ ଚିନି କାରଖାନାରେ ଜଣେ ଶ୍ରମିକ ଭାବରେ ନିଯୁକ୍ତି ପାଇଛନ୍ତି - ମହାରାଷ୍ଟ୍ରର କାର୍ଯ୍ୟ ଜାରି ରଖିଥିବା କାରଖାନାଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ । ଚିନିକୁ ଏକ 'ଅତ୍ୟାବଶ୍ୟକ ଦ୍ରବ୍ୟ' ଭାବରେ ତାଲିକାଭୁକ୍ତ କରାଯାଇଛି ଯେଉଁଥିପାଇଁ ଭୂତାଣୁ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ଦେଶବ୍ୟାପୀ ତାଲାବନ୍ଦରୁ ଏହାକୁ ବାଦ୍ ପଡ଼ିଛି । ଏହାର ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟ ସୀମା ବନ୍ଦ କରି ଆନ୍ତଃରାଜ୍ୟ ଯାତ୍ରାକୁ ବାରଣ କରିଥିଲେ ।
ରାଜ୍ୟରେ ସମୁଦାୟ ୧୩୫ଟି ଚିନି କାରଖାନା ରହିଛି – ସେଥିମଧ୍ୟରୁ ୭୨ ଟି ସମବାୟ ସମିତି ଏବଂ ୬୩ ଟି ଘରୋଇ ମାଲିକାନା ଦ୍ୱାରା ପରିଚାଳିତ ବୋଲି ରାଜ୍ୟ ସମବାୟ ମନ୍ତ୍ରୀ ବାଲାସାହେବ ପାଟିଲ କହିଛନ୍ତି। ସେ ମୋତେ ଫୋନରେ କହିଥିଲେ , “ଏଥିମଧ୍ୟରୁ ୫୬ ଟି କାରଖାନା ମାର୍ଚ୍ଚ ୨୩ ରେ ବନ୍ଦ ହୋଇଯାଇଥିଲା ଏବଂ ୭୯ ଟି କାର୍ଯ୍ୟକ୍ଷମ ହୋଇ ରହିଛି। “ସେହି କାରଖାନାକୁ ଆସୁଥିବା ଆଖୁ ଏବେବି କ୍ଷେତରେ କଟାଯାଉଛି। ସେଗୁଡ଼ିକ ମଧ୍ୟରୁ କେତେକ ମାର୍ଚ୍ଚ ଶେଷ ସୁଦ୍ଧା ପେଡ଼ା ବନ୍ଦ କରିବେ, ଆଉ କେତେକ ଏପ୍ରିଲ ଶେଷ ପର୍ଯ୍ୟନ୍ତ କରିବେ। ”
ପ୍ରତ୍ୟେକ ଚିନି କାରଖାନାର ଏକ ନିର୍ଦ୍ଦିଷ୍ଟ ଏକର ପରିମାଣର ଜମିରେ ଆଖୁକ୍ଷେତ ରହିଛି। ସେହିସବୁ କାରଖାନା ଦ୍ୱାରା ନିଯୁକ୍ତ ଶ୍ରମିକମାନେ ସେହି କ୍ଷେତରେ ଆଖୁ କାଟିବା ଏବଂ ଏହାକୁ ପେଡ଼ିବା ପାଇଁ ସେଗୁଡିକୁ କାରଖାନାକୁ ଆଣିବା ଆବଶ୍ୟକ କରନ୍ତି। କାରଖାନା ଶ୍ରମିକମାନଙ୍କୁ ଠିକାଦାରଙ୍କ ମାଧ୍ୟମରେ ନିଯୁକ୍ତି ଦେଇଥାଏ।
ବାରମାଟି ନିକଟସ୍ଥ ଛତ୍ରପତି ଚିନି କାରଖାନାର ଜଣେ ଠିକାଦାର ହନୁମନ୍ତ ମୁଣ୍ଡେ କୁହନ୍ତି, ସେମାନେ ଶ୍ରମିକମାନଙ୍କୁ ଆଗୁଆ ଟଙ୍କା ଦେଇ ସେମାନଙ୍କୁ “ପଞ୍ଜିକରଣ’’ କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମକୁ ନିଶ୍ଚିତ କରିବାକୁ ହେବ ଯେ ସେମାନେ ଯେପରି ଋତୁ ଶେଷରେ ସେହି ଅଗ୍ରୀମ ମୂଲ୍ୟର ଆଖୁ କାଟନ୍ତି।ସାଙ୍ଗଲିରେ ଥିବା ଯେଉଁ ଚିନି କାରଖାନାରେ ଖେଡକର କାର୍ଯ୍ୟ କରୁଛନ୍ତି , ତାହା ପକ୍ଷରୁ ଏକ ଧମକ ଲୁକ୍କାୟିତ ଭାବରେ ଥିବା ବିଜ୍ଞପ୍ତିରେ ମାର୍ଚ୍ଚ ୧୮ରେ ଏହାର ଠିକାଦାରମାନଙ୍କୁ ଚିଠି ଲେଖାଯାଇଥିଲା ଯେ ଆଖୁ ଋତୁ ଶେଷ ହେବାକୁ ଯାଉଛି ଏବଂ ଶ୍ରମିକମାନଙ୍କ ପାଇଁ ଋତୁ ଶେଷ ପର୍ଯ୍ୟନ୍ତ ଆଖୁ କାଟିବା ବାଧ୍ୟତାମୂଳକ ଅଟେ। “ଅନ୍ୟଥା, ତୁମେ ତୁମର କମିଶନ ଏବଂ ଘରକୁ ଫେରିବା ପାଇଁ ଯାତ୍ରାଭତ୍ତା ପାଇବ ନାହିଁ ’’ ବୋଲି ଚିଠିର ଉପସଂହାର ଦର୍ଶାଇଛି ।
ତେଣୁ ଠିକାଦାରମାନେ, ଶ୍ରମିକମାନଙ୍କୁ ଆଗକୁ ଏହି କାର୍ଯ୍ୟ ଜାରି ରଖିବାକୁ କହିବାକୁ ବାଧ୍ୟ ହେବେ। ମୁଣ୍ଡେ କହିଛନ୍ତି ଯେ ସେ ମଧ୍ୟ ଜଣେ କୃଷକ ଏବଂ କାରଖାନାରୁ କମିଶନ ହରାଇବା ସହ୍ୟ କରିପାରିବେ ନାହିଁ। ସେ କହିଛନ୍ତି, “ ସେମାନେ ସମସ୍ତେ ଫେରିଯିବାକୁ ଚାହୁଁଛନ୍ତି, କିନ୍ତୁ ଦୁର୍ଭାଗ୍ୟବଶତଃ ଏହା ସେମାନଙ୍କ ହାତରେ ନାହିଁ। ”
ମାର୍ଚ୍ଚ ୨୭ ରେ ଯେତେବେଳେ ଆମେ ଫୋନରେ କଥା ହୋଇଥିଲୁ, ସେ ଶ୍ରମିକମାନଙ୍କ ସହ ବସିଥିଲେ। ମୁଁ ତାଙ୍କୁ ପଚାରିଲି ସେ ସେମାନଙ୍କ ମଧ୍ୟରୁ କାହାକୁ ଫୋନ୍ ଦେଇପାରିବେ କି ? ବିଡ୍ର ପାହାଡି ପାରଗାଓଁ ଗାଁର ୩୫ବର୍ଷୀୟ ମାରୁତି ମାସ୍କେ କଥା ହେବାକୁ ରାଜି ହୋଇଥିଲେ। ସେ କହିଲେ , “ଆମେ ଏହି ଭୂତାଣୁକୁ ନେଇ ଭୟଭୀତ ହୋଇପଡ଼ିଛୁ, ଏହାର ମୁଖ୍ୟ କାରଣ ହେଉଛି ଏହାର ପ୍ରକୃତ ଅର୍ଥ କ’ଣ କେହି ଆମକୁ କହୁନାହାନ୍ତି। “ହ୍ୱାଟସ୍ ଆପ୍ରେ ଥିବା ମେସେଜ୍ ଆତଙ୍କ ବଢ଼ାଇ ଦେଉଛି। ଆମେ କେବଳ ଘରକୁ ଫେରିବାକୁ ଚାହୁଁଛୁ। ”
ମାର୍ଚ୍ଚ ୨୬ ରେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକ ସାଧାରଣ ଅଭିଭାଷଣରେ ଶ୍ରମିକମାନଙ୍କୁ କହିଥିଲେ ଯେ ସେମାନେ ଯେଉଁଠାରେ ଅଛନ୍ତି ସେହିଠାରେ ହିଁ ରୁହନ୍ତୁ କାରଣ ଗମନାଗମନ ଭୂତାଣୁ ବିସ୍ତାରର ଆଶଙ୍କା ବଢ଼ାଇ ଦେଇଥାଏ। ସେ କହିଥିଲେ, “ଆମେ ଶ୍ରମିକମାନଙ୍କର ଯତ୍ନ ନେବୁ। ଏହା ଆମର ଦାୟିତ୍ୱ, ଏହା ଆମର ସଂସ୍କୃତି ।’’
ଯଦି ଆଖୁ ଶ୍ରମିକମାନେ ଯେଉଁଠାରେ ଅଛନ୍ତି ସେଠାରେ ରୁହନ୍ତି, ତେବେ ସେମାନଙ୍କ ଯତ୍ନ ନେବା ପାଇଁ ରାଜ୍ୟକୁ ବ୍ୟାପକ ପଦକ୍ଷେପ ନେବାକୁ ପଡିବ - ଶ୍ରମିକମାନେ ସର୍ବନିମ୍ନ ସ୍ତରରେ ବଞ୍ଚନ୍ତି ଏବଂ ଏହାକୁ ଏଠାରୁ ବାହାରିବା ପାଇଁ ଅପେକ୍ଷା କରିବା ସ୍ଥିତିରେ ନାହାଁନ୍ତି।
ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ଗାଁରେ କୃଷକ ଯେଉଁମାନଙ୍କର ଅଳ୍ପ କିଛି ଜମି ଅଛି, କିନ୍ତୁ ଚାଷ ଜମି ଆଉ ସେମାନଙ୍କ ପରିବାର ଚଳାଇବା ପାଇଁ ପର୍ଯ୍ୟାପ୍ତ ନୁହେଁ । ଦିନକୁ ଦିନ ପାଣିପାଗର ଅନିୟମିତତା ବଢୁଛି, ମଞ୍ଜି ଏବଂ ସାର ପରି ପ୍ରାଥମିକ ସାମଗ୍ରୀର ମୂଲ୍ୟ ବଢ଼ୁଛି ଏବଂ ଲାଭ ହ୍ରାସ ପାଉଛି। ବିଡ୍ ଏବଂ ଅହମ୍ମଦନଗର ସୀମାରେ ଥିବା ମୁଙ୍ଗୁସ୍ୱାଡେ ଗ୍ରାମର ଖେଡକରଙ୍କର ତିନି ଏକର ଜମି ଅଛି, ଯେଉଁଠାରେ ସେ ମୁଖ୍ୟତଃ ବାଜରା ଚାଷ କରନ୍ତି। ସେ କୁହନ୍ତି, "ଆମେ ଆଉ ଏହାକୁ ବିକ୍ରି କରୁନାହୁଁ। “ଏହି ଫସଲ କେବଳ ପରିବାରର ଭୋଜନ ପାଇଁ ଯଥେଷ୍ଟ ହେଉଛି । ଆମର ଆୟ ଏହି କାମ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ।”ଯେତେବେଳେ ନଭେମ୍ବରରେ ଏହି ଋତୁ ଆରମ୍ଭ ହୁଏ ସେତେବେଳେ ପ୍ରତିବର୍ଷ ତାଙ୍କ ପରି ମରାଠୱାଡାର କୃଷି ଅଞ୍ଚଳର ଲକ୍ଷ ଲକ୍ଷ ଶ୍ରମିକ ପଶ୍ଚିମ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ଚିନି କାରଖାନାକୁ ଯାଇଥାଆନ୍ତି। ସେମାନେ ସେଠାରେ ରୁହନ୍ତି ଏବଂ ଛଅ ମାସ ପର୍ଯ୍ୟନ୍ତ ଦିନକୁ ୧୪ ଘଣ୍ଟା ଭାବେ ଆଖୁ କାଟନ୍ତି ।
ବାଲାସାହେବ ଏବଂ ତାଙ୍କ ୩୬ ବର୍ଷୀୟା ପତ୍ନୀ ପାର୍ବତୀ ୧୫ ବର୍ଷ ଧରି ନିଜ ଗ୍ରାମରୁ ଆସୁଛନ୍ତି। ଉଭୟେ ଶହ ଶହ ଅନ୍ୟ ଶ୍ରମିକଙ୍କ ସହ ଖୋଲା ପଡ଼ିଆରେ କ୍ରମାଗତ ଭାବରେ ଆଖୁ କାଟୁଛନ୍ତି, ଯେତେବେଳେ କି ଦେଶରେ ଅନେକ ଲୋକ ଲକ୍ଡାଉନ୍ ଯୋଗୁଁ ସୁରକ୍ଷିତ ଭାବରେ ନିଜ ନିଜ ଘରେ ରହିଛନ୍ତି। ବାଲାସାହେବ କୁହନ୍ତି, "ଆମେ ହତାଶ, ତେଣୁ ଆମକୁ ଏହା କରିବାକୁ ପଡିବ।’’
ଅଧିକାଂଶ ଚିନି କାରଖାନାର ମାଲିକାନା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ରାଜ୍ୟର ଶକ୍ତିଶାଳୀ ରାଜନେତାଙ୍କ ହାତରେ ରହିଛି – ଯାହାକି ଖୁବ୍ ଲାଭଦାୟକ । ଯେତେବେଳେ କି ଶ୍ରମିକମାନେ ପ୍ରତି ଟନ୍ ଆଖୁ କାଟିବା ପାଇଁ ମାତ୍ର ଟ. ୨୨୮ ପାଇଥାଆନ୍ତି। ବାଲାସାହେବ ଏବଂ ପାର୍ବତୀ ଦିନକୁ ୧୪ ଘଣ୍ଟା କ୍ଷେତରେ ପରିଶ୍ରମ କରିବା ପରେ ଦିନକୁ ୨-୩ ଟନରୁ ଅଧିକ ଆଖୁ କାଟିପାରନ୍ତି ନାହିଁ। ସେ କୁହନ୍ତି, “ଛଅ ମାସ ଶେଷରେ ଆମେ ଦୁହେଁ ପ୍ରାୟ ୧ ଲକ୍ଷ ଟଙ୍କା ରୋଜଗାର କରିପାରିଥାଆନ୍ତୁ । ଆମେ ସାଧାରଣତଃ କୌଣସି ଅଭିଯୋଗ କରୁନି, କିନ୍ତୁ ଚଳିତ ବର୍ଷ ଏହି ବିପଦ ଖୁବ୍ ଅଧିକ ଥିବା ମନେହେଉଛି ।’’
ଯେତେବେଳେ ଶ୍ରମିକମାନେ ସ୍ଥାନାନ୍ତର ହୁଅନ୍ତି, ସେମାନେ ଆଖୁ କ୍ଷେତରେ ଅସ୍ଥାୟୀ କୁଡିଆଘର ସ୍ଥାପନ କରନ୍ତି । କେବଳ ଦୁଇ ଜଣଙ୍କ ଶୋଇବା ପାଇଁ ସ୍ଥାନଥିବା ଏହି ଘରଗୁଡିକ ପ୍ରାୟ ପାଞ୍ଚ ଫୁଟ ଉଚ୍ଚ ଏବଂ ନଡ଼ାରେ ତିଆରି, କିଛି ପ୍ଲାଷ୍ଟିକରେ ଆଚ୍ଛାଦିତ। ଶ୍ରମିକମାନେ ଖୋଲା ସ୍ଥାନରେ ଖାଦ୍ୟ ରାନ୍ଧନ୍ତି ଏବଂ କ୍ଷେତକୁ ଶୌଚାଳୟ ଭାବରେ ବ୍ୟବହାର କରିଥାଆନ୍ତି।
ବାଲାସାହେବ କୁହନ୍ତି, "ଯଦି ମୁଁ ତୁମକୁ ଆମେ କେମିତି ରହୁ ତାହାର ଫଟୋ ପଠାଏ, ତେବେ ତୁମେ ଚକିତ ହୋଇଯିବ। ସାମାଜିକ ଦୂରତା ହେଉଛି ଏକ ବିଳାସ ଯାହା ଆମେ କରିପାରିବୁ ନାହିଁ।’’
ପାର୍ବତୀ କୁହନ୍ତି, “କୁଡ଼ିଆଗୁଡ଼ିକ ପରସ୍ପରକୁ ଲାଗି ରହିଛି’’। “ଆମ କୁଡିଆଘର ଚାରିପଟ ହେଉ କିମ୍ବା କ୍ଷେତରେ, ଅନ୍ୟ ଶ୍ରମିକଙ୍କଠାରୁ ଏକ ମିଟର ଦୂରତା ବଜାୟ ରଖିବା ଅସମ୍ଭବ ଅଟେ। ଏଥିସହ, ଆମକୁ ପ୍ରତି ସନ୍ଧ୍ୟାରେ ପାଣି ଭରିବାକୁ ପଡିବ, ଏବଂ ୨୫ ଜଣ ମହିଳା ଗୋଟିଏ ଟ୍ୟାପରୁ ପାଣି ଭରନ୍ତି । ସେହି ସୀମିତ ଜଳ ସଫା କରିବା, ରାନ୍ଧିବା ଏବଂ ପିଇବା ପାଇଁ ବ୍ୟବହାର କରାଯିବ। ”
କେଡକର କୁହନ୍ତି, ‘‘ଏଭଳି ଭୟଙ୍କର ଅବସ୍ଥା ସତ୍ତ୍ୱେ ସେମାନେ ଏଥିପାଇଁ କିଛି କରିପାରିବେ ନାହିଁ। ଚିନି କାରଖାନା ମାଲିକମାନେ ଖୁବ୍ ଆଡମ୍ବର ଉପଭୋଗ କରନ୍ତି । ସେମାନଙ୍କ ବିରୁଦ୍ଧରେ କହିବା କିମ୍ବା ଆମର ଅଧିକାର ପାଇଁ ଠିଆ ହେବାକୁ ଆମ ଭିତରୁ କେହି ସାହସ କରିବେ ନାହିଁ। ”ବିଡ୍ରେ ରହୁଥିବା ଜଣେ ସାମାଜିକ କର୍ମୀ ଦୀପକ ନାଗରଗୋଜେ କୁହନ୍ତି, ପ୍ରତ୍ୟେକ ଚିନି କାରଖାନାରେ ଅତି କମରେ ୮୦୦୦ ଶ୍ରମିକ ନିଯୁକ୍ତ ଥାଆନ୍ତି । ସେ ପ୍ରବାସୀ ଚିନି ଶ୍ରମିକଙ୍କ ପରିବାରଗୁଡିକ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ କାର୍ଯ୍ୟ କରନ୍ତି। ଯଦି ଆଜି ୭୯ ଟି କାରଖାନା କାର୍ଯ୍ୟ କରୁଛି, ତେବେ ଏହାର ଅର୍ଥ ହେଉଛି ୬ ଲକ୍ଷରୁ ଅଧିକ କର୍ମଚାରୀ ସାମାଜିକ ଦୂରତା ଅଭ୍ୟାସ କରିବା ପାଇଁ କିମ୍ବା ପର୍ଯ୍ୟାପ୍ତ ପରିଚ୍ଛନ୍ନତା ରକ୍ଷା କରିବାରେ ସକ୍ଷମ ନୁହଁନ୍ତି। ନାଗରଗୋଜେ କୁହନ୍ତି, “ଏହା ଶ୍ରମିକମାନଙ୍କ ପ୍ରତି ଅମାନବିକତା ବ୍ୟତୀତ ଅନ୍ୟ କିଛି ନୁହେଁ। ଚିନି କାରଖାନାଗୁଡିକ ପକ୍ଷରୁ ସେମାନଙ୍କୁ ତୁରନ୍ତ ଛାଡିଦେବା ଉଚିତ ଏବଂ ସେମାନଙ୍କର ମଜୁରୀ ମଧ୍ୟ କାଟିବା ଉଚିତ ନୁହେଁ। ”
ନାଗରଗୋଜେ ସ୍ଥାନୀୟ ଗଣମାଧ୍ୟମରେ ଏହି ପ୍ରସଙ୍ଗ ଉଠାଇବା ପରେ ମାର୍ଚ୍ଚ ୨୭ ରେ ମହାରାଷ୍ଟ୍ରର ଚିନି କମିଶନର ସୌରଭ ରାଓ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଯେ ଚିନି ଏକ ଜରୁରୀ ଦ୍ରବ୍ୟ ଏବଂ ଏହାକୁ ଲକ୍ଡାଉନ୍ରେ ସାମିଲ କରାଯାଇପାରିବ ନାହିଁ। “ଯଦି ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଚିନି ଯୋଗାଣ ପାଇବାର ଅଛି, ତେବେ କାରଖାନାଗୁଡ଼ିକୁ କାର୍ଯ୍ୟ ଜାରି ରଖିବାକୁ ପଡିବ କାରଣ ସେହି ସ୍ଥାନରୁ କଞ୍ଚାମାଲ ଆସିଥାଏ। କିନ୍ତୁ କାରଖାନାଗୁଡ଼ିକରେ ଆଖୁ କାଟୁଥିବା ଶ୍ରମିକମାନଙ୍କର ଯତ୍ନ ନିଆଯିବା ଉଚିତ୍’’ ବୋଲି ବିଜ୍ଞପ୍ତିରେ କୁହାଯାଇଛି ଏବଂ କାରଖାନାଗୁଡ଼ିକୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଏଥିମଧ୍ୟରେ କାରଖାନାଗୁଡ଼ିକୁ ଶ୍ରମିକମାନଙ୍କ ରହିବା ଏବଂ ଖାଦ୍ୟ ପାଇଁ ବ୍ୟବସ୍ଥା କରିବା ସହିତ ସେମାନଙ୍କୁ ହ୍ୟାଣ୍ଡ ସାନିଟାଇଜର ଏବଂ ପର୍ଯ୍ୟାପ୍ତ ପରିଚ୍ଛନ୍ନତା ରକ୍ଷା ନିମନ୍ତେ ଯଥେଷ୍ଟ ପରିମାଣର ଜଳ ଯୋଗାଇ ଦେବା ପାଇଁ କୁହାଯାଇଛି। ଏହି ନିର୍ଦ୍ଦେଶାନାମା ମଧ୍ୟ ଶ୍ରମିକମାନେ ଯେପରି ସାମାଜିକ ଦୂରତା ବଜାୟ ରଖିପାରିବେ ତାହାକୁ ନିଶ୍ଚିତ କରିବାକୁ କହିଛି ।
ପୋଷ୍ଟ ସ୍କ୍ରିପ୍ଟ: ମାର୍ଚ୍ଚ ୨୯ ରବିବାର ସୁଦ୍ଧା ୨୩ ଟି କାରଖାନାର ଶ୍ରମିକମାନେ କାର୍ଯ୍ୟ ବନ୍ଦ କରିଦେଲେ କାରଣ କାରଖାନାଗୁଡ଼ିକ ଏଗୁଡ଼ିକ ମଧ୍ୟରୁ କୌଣସି ସୁବିଧା ଯୋଗାଇ ଦେଇ ନଥିଲେ ।
ବାଲାସାହେବ ଖେଡକର ମୋତେ କହିଥିଲେ ଯେ ତାଙ୍କ କାରଖାନାରେ ସ୍ଥାନୀୟ ଆଖୁ କର୍ମଚାରୀମାନେ କାମ ଜାରି ରଖିଛନ୍ତି। କିନ୍ତୁ ପାର୍ବତୀ ଏବଂ ତାଙ୍କ ପରି ପ୍ରବାସୀ ଶ୍ରମିକମାନେ ଦୁଇ ଦିନ ପୂର୍ବରୁ କାର୍ଯ୍ୟ ବନ୍ଦ କରିଦେଇଛନ୍ତି। ସେ କହିଛନ୍ତି, ‘‘ଏହା ଆହୁରି କଷ୍ଟସାଧ୍ୟ ହୋଇପଡିଛି କାରଣ ଆମ ଠାରେ କରୋନା ଭାଇରସ୍ ଥିବା ଆଶଙ୍କା କରି ସ୍ଥାନୀୟ ରେସନ ଦୋକାନଗୁଡିକ ମଧ୍ୟ ଆମଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି’’। “ଆମେ ଖାଲି ପେଟରେ ଏହି କାମ କରିପାରିବୁ ନାହିଁ । କାରଖାନା ଆମକୁ ମାସ୍କ କିମ୍ବା ସାନିଟାଇଜର ଦେଇ ନାହିଁ, କିନ୍ତୁ ଅନ୍ତତଃ ପକ୍ଷେ ଏହା ଆମର ଖାଦ୍ୟକୁ ନିଶ୍ଚିତ କରିବା ଉଚିତ୍। "
ଅନୁବାଦ: ଓଡ଼ିଶାଲାଇଭ୍