ଜୟୀରାମ ଶଗଡ଼ି ନିରାଶ ହୋଇଥିଲେ ଯେତେବେଳେ ତାଙ୍କ ପ୍ରଥମ କ୍ଷେପର ମାଣ୍ଡିଆ ଅଗ୍ରାହ୍ୟ ହୋଇଯାଇଥିଲା। ସେ କହନ୍ତି, ‘‘ଏହା ପରିଷ୍କାର ନଥିଲା ବୋଲି ସେମାନେ ମୋତେ କହିଲେ।’’ ତାଙ୍କ ଶସ୍ୟରେ ଚଷୁ ଥିଲା
ଜାନୁଆରୀ ୨୦୧୯ରେ, ଜୟୀରାମ କୁନ୍ଦୁଲି ଗାଁରେ ଥିବା ଗୋଦାମ ଘରକୁ ୧୨ ବସ୍ତା ନେଇଥିଲେ। ପ୍ରତି ବସ୍ତାରେ ୫୦ କିଲୋଗ୍ରାମ ଥିଲା। ଏହି ଗୋଦାମ ଘର କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ବ୍ଳକ୍ରେ ଥିବା ତାଙ୍କ ଗାଁ ବଡ଼ ଟେମା ଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ। ଗାଁରେ ସେ ୪ଏକର ଜମିରେ ଚାଷ କରନ୍ତି - ଗୋଟିଏ ଏକର ଜମିରେ ମାଣ୍ଡିଆ ଓ ଗୋଟିଏ ଏକର ଜମିରେ ଟମାଟୋ, କାକୁଡ଼ି ଆଦି ପରିବା, ଏବଂ ଦୁଇ ଏକର ଜମିରେ ୟୁକାଲିପଟାସ ଲଗାଇଛନ୍ତି।
ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ତାଙ୍କ ମାଣ୍ଡିଆ ବିକ୍ରି କରିବାକୁ ସେପ୍ଟେମ୍ବର-ଅକ୍ଟୋବର ମାସ, ୨୦୧୮ ଖରିଫ ଋତୁରେ, ୬୫-ବର୍ଷୀୟ ଜୟୀରାମ କୁନ୍ଦୁଲିରେ ଥିବା ଲାର୍ଜ ସାଇଜ ଏଗ୍ରିକଲଚରାଲ ମଲ୍ଟି-ପର୍ପୋଜ କୋଅପରେଟିଭ ସୋସାଇଟି (LAMPS) ସହ ଚୁକ୍ତି କରିଥିଲେ।
ସେ କହନ୍ତି, ‘‘ଗତବର୍ଷ ଏହାର ବଜାର ମୂଲ୍ୟ ଥିଲା କିଲୋ ପ୍ରତି ୧୫-୧୬ ଟଙ୍କା, କିନ୍ତୁ ଏ ବର୍ଷ ଏହା ପ୍ରାୟ ୨୦-୨୨ ଟଙ୍କା। ତେବେ ଲ୍ୟାମ୍ପସ୍ ତାଙ୍କୁ କିଲୋ ପ୍ରତି ୨୯ ଟଙ୍କା ଦେଉଥିଲା’’ ବା ୨୦୧୮ ଖରିଫ ଋତୁ ପାଇଁ କ୍ୱିଣ୍ଟାଲ ପିଛା ୨,୮୯୭ ଟଙ୍କା ଥିଲା - କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଏମଏସ୍ପି- ୨୦୧୭ ଖରିଫ ଋତୁରେ ୧,୯୦୦ ଟଙ୍କାରୁ ଉପରକୁ ଉଠିଥିଲା।
ଏହା ଥିଲା ପ୍ରଥମ କୃଷି ଋତୁ, ଯେତେବେଳେ ରାଜ୍ୟ କୃଷି ବିଭାଗର ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ସେଲ ଲ୍ୟାମ୍ପ (ଟ୍ରାଇବାଲ ଡେଭଲପମେଣ୍ଟ କୋପରେଟିଭ୍ କାର୍ପୋରେସନ୍ ଅଫ୍ ଓଡ଼ିଶା ଲମିଟେଡ୍ ଦ୍ୱାରା ପରିଚାଳିତ) ମାଧ୍ୟମରେ ଅଧିକ ପରିମାଣର ମାଣ୍ଡିଆ ସଂଗ୍ରହ କରିଥିଲେ। ସେହିପରି ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ପ୍ରାଇମେରୀ ଏଗ୍ରିକଲଚର କ୍ରେଡିଟ୍ ସୋସାଇଟି ଜରିଆରେ ମଧ୍ୟ ସଂଗ୍ରହ ହୋଇଥିଲା।
ସ୍ୱତନ୍ତ୍ର ଭାବେ ଆଦିବାସୀ ଅଞ୍ଚଳରେ ବାଜରା ଜାତୀୟ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସରକାର ନିକଟରେ କରିଥିବା ଉଦ୍ୟମର ଏହା ଏକ ଅଂଶବିଶେଷ। ସମବାୟ ବିଭାଗର ୨୦୧୮ ଡିସେମ୍ବର ଗାଇଡ଼ଲାଇନ ଅନୁସାରେ, ‘‘ବାଜରାରେ ଥିବା ପୋଷକ ତତ୍ତ୍ୱକୁ ଦୃଷ୍ଟିରେ ରଖି’’, ଓଡ଼ିଶା ସରକାରଙ୍କର ସାର୍ବଜନୀନ ବିତରଣ ବ୍ୟବସ୍ଥା (ପିଡିଏସ୍), ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) ଏବଂ ମଧ୍ୟାହ୍ନ ଭୋଜନ (ଏମଡିଏମ) ଯୋଜନାରେ ଏହାକୁ ସାମିଲ କରିବାକୁ ସେ [ରାଜ୍ୟ ସରକାର] ନିଷ୍ପତ୍ତି ନେଇଛନ୍ତି।’’








