ରମେଶଭାଇ ମନୁଭାଇ ପଟେଲ ଗୁଜୁରାଟର ଖେଡ଼ା ଜିଲ୍ଲାର ନଦିଆଦ୍ ତାଲୁକାର ଦନ୍ତାଲି ଗ୍ରାମରେ ଥିବା ନିଜ ପୈତୃକ ଘର ଆଗରେ ନିଜ ଚାର୍ପାଇରେ ଦୃଢ଼ ଭାବରେ ବସିଥିଲେ। ଘରଟି ନଷ୍ଟ ହୋଇ ଆସୁଥିଲା, କାନ୍ଥରୁ ଖୋଳପା ଛାଡ଼ୁଥିଲା, ତଳୁ ବେରଙ୍ଗ ପାଲଟିଥିବା ଇଟା ଦେଖା ଯାଉଥିଲା।
ବୟସ୍କ କୃଷକ ଜଣକ ଗୋଟିଏ କୋଠରୀ ଆଡ଼କୁ ଥରୁଥିବା ଆଙ୍ଗୁଳି ନିର୍ଦ୍ଦେଶ କରୁଥିଲେ। ଏହା ତାଙ୍କ ପାଇଁ ବିଶେଷ – ୮୨ ବର୍ଷ ତଳେ ସେ ଏହି କୋଠରୀରେ ଜନ୍ମ ହୋଇଥିଲେ। ସେ ଭାବନାତ୍ମକ ଭାବରେ ଏହି ଘର ବିଶେଷ କରି ସେହି ନିର୍ଦ୍ଦିଷ୍ଟ କୋଠରୀ ସହ ସଂଯୁକ୍ତ।
କିନ୍ତୁ ଏହି କୋଠରୀ, ସମୁଦାୟ ଘର ଏବଂ ଏହାର ଚାରିପାଖରେ ଥିବା ଜମିର ଏକ ବୃହଦ୍ ଅଂଶ, ଯେଉଁଥିରେ ତାଙ୍କ ପରିବାର ଧାନ ଏବଂ ସବୁଜ ପନିପରିବା ଚାଷ କରନ୍ତି, ବୋଧହୁଏ ଏକ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ନିମନ୍ତେ ରାସ୍ତା ପରିଷ୍କାର କରିବାକୁ ଚିରି ହୋଇଯିବ।
ଏହି ହାଇ-ସ୍ପିଡ୍ ଟ୍ରେନ୍ ପ୍ରାୟ ତିନି ଘଣ୍ଟାରେ ୫୦୮ କିଲୋମିଟର ଦୂରତା ଅତିକ୍ରମ କରିବ- ୩୫୦ କିଲୋମିଟର ଗୁଜୁରାଟରେ, ୨ କିଲୋମିଟର ଦାଦ୍ରା ଏବଂ ନଗର ହାବେଲିରେ ଏବଂ ୧୫୫ କିଲୋମିଟର ମହାରାଷ୍ଟ୍ରରେ। ଟ୍ରେନଟି ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରୁ ଅହମଦାବାଦର ସାବରମତି ରେଳ ଷ୍ଟେସନ୍ ପର୍ଯ୍ୟନ୍ତ ଯାତାୟାତ କରିବ ବୋଲି ନ୍ୟାସନାଲ୍ ହାଇ ସ୍ପିଡ୍ ରେଲ୍ କର୍ପୋରେସନ୍ ଲିମିଟେଡ୍ର ଓ୍ୱେବ୍ସାଇଟ୍ରେ କୁହାଯାଇଛି।










