ଦକ୍ଷିଣ କୋଲକାତାର ଏକ ବହୁସାଂସ୍କୃତିକ କେନ୍ଦ୍ର ଲେକ୍ ମାର୍କେଟରେ ନିଜର ଗ୍ରାହକଙ୍କ କଥା ବୁଝିବା, ବନ୍ଧୁଙ୍କ ସହିତ କଥା ହେବା ଏବଂ ବାଟ ପଚାରୁଥିବା ଅପରିଚିତ ଲୋକଙ୍କ ସହିତ ମତବିନିମୟ କରିବା ଲାଗି ମୀନା ଯାଦବ ଥର ଥର କରି ଭୋଜପୁରୀ, ବଙ୍ଗଳା ଓ ହିନ୍ଦୀ ଭାଷା ବ୍ୟବହାର କରିଥାନ୍ତି। ‘‘କୋଲକାତାରେ ଏହା (ଭାଷା) କୌଣସି ସମସ୍ୟା ନୁହେଁ,’’ ଜଣେ ପ୍ରବାସୀ ରୂପରେ ନିଜ ଦୈନନ୍ଦିନ ଜୀବନରେ ଆସୁଥିବା ସମସ୍ୟା ସମ୍ପର୍କରେ ବର୍ଣ୍ଣନା କରି ସେ କୁହନ୍ତି।
‘‘ ୟେ ସିର୍ଫ କେହନେ କା ବାତ୍ ହୈ କି ବିହାରୀ ଲୋଗ୍ ବିହାର ମେ ରହେଗା (ବିହାରୀ ଲୋକ କେବଳ ବିହାରରେ ରହିବେ, ଏକଥା କହିବା ଖୁବ ସହଜ)। ବାସ୍ତବତା ହେଉଛି ଆମେ ହିଁ ସବୁତକ କଠିନ ଶାରୀରିକ ପରିଶ୍ରମ କରିଥାଉ। ସବୁ ବୋଝ ଉଠାଇବା ଲୋକ, ପାଣି ବୋହିବା ଲୋକ ଏବଂ କୁଲିମାନେ ହେଉଛନ୍ତି ବିହାରୀ। ଏହା ବଙ୍ଗାଳୀମାନଙ୍କ ଚା’ କପ୍ ନୁହେଁ। ଆପଣ ନ୍ୟୁ ମାର୍କେଟ, ହାଓଡ଼ା, ସିୟାଲଦା... ଯେଉଁ ଆଡ଼େ ଯାଆନ୍ତୁ ଆପଣ ଦେଖିବେ ଯେ ବିହାରୀମାନେ ବୋଝ ବୋହୁଛନ୍ତି। କିନ୍ତୁ ଏତେ କଷ୍ଟ କରିବା ପରେ ମଧ୍ୟ ସେମାନଙ୍କୁ କୌଣସି ସମ୍ମାନ ମିଳେ ନାହିଁ। ବିହାରୀମାନେ ସମସ୍ତଙ୍କୁ ବାବୁ ବୋଲି କହିଥାନ୍ତି... କିନ୍ତୁ ସେମାନଙ୍କ ନ୍ୟୁନ କରି ଦେଖାଯାଏ। ଆମ୍ବ ରସ ବଙ୍ଗାଳୀ ବାବୁମାନେ ଖାଆନ୍ତି, କିନ୍ତୁ ଆମ ପାଇଁ ଆମ୍ବ ଟାକୁଆ ରହିଯାଏ,’’ ତିଳେ ହେଲେ ଅଟକି ନଯାଇ ସେ ନିଜର କଥା କହିବା ଜାରି ରଖିଥିଲେ।
ମୀନା ଯାଦବ ଭାଷା ଓ ଅସ୍ମିତାର ରାଜନୀତି ମଧ୍ୟରେ ଚତୁରତାର ସହିତ ଆଗକୁ ବଢ଼ିଥାଆନ୍ତି।
ସେ ଆହୁରି କହିଥାନ୍ତି, ‘‘ଚେନ୍ନାଇରେ ଆମେ (କଥାବାର୍ତ୍ତାରେ) ଅସୁବିଧାର ସମ୍ମୁଖିନ ହୋଇଥିଲୁ। ସେମାନେ ହିନ୍ଦୀ କିମ୍ବା ଭୋଜପୁରୀ କହିବାକୁ ଆଦୌ ଆଗ୍ରହୀ ନଥିଲେ। ସେମାନେ କେବଳ ନିଜ ଭାଷାରେ କଥା ହୋଇଥିଲେ ଯାହା ଆମେ ଜାଣିନାହୁଁ। କିନ୍ତୁ ଏଠାରେ ନୁହେଁ ।’’ ବିହାରର ଛାପ୍ରାରୁ ଆସି ୪୫ ବର୍ଷ ବୟସ୍କା ମୀନା ଏଠାରେ ମକା ବିକ୍ରି କରିଥାନ୍ତି। ଆଗକୁ ସେ କୁହନ୍ତି, ‘‘ଦେଖନ୍ତୁ, ନିର୍ଦ୍ଦିଷ୍ଟ ଗୋଟିଏ ବିହାରୀ ଭାଷା ନାହିଁ। ନିଜ ଘରେ ଆମେ ୩-୪ଟି ଭାଷାରେ କଥା ହେଉ। ବେଳେବେଳେ ଆମେ ଭୋଜପୁରୀ, କେତେବେଳେ ହିନ୍ଦୀ ଓ ଆଉ କେତେବେଳେ ଦରଭଙ୍ଗୀୟା (ମୈଥିଳୀ) ଓ ପୁଣି କେବେ କେବେ ବଙ୍ଗଳା ଭାଷାରେ କଥା ହୋଇଥାଉ। କିନ୍ତୁ ଦରଭଙ୍ଗୀୟା ଭାଷାରେ ଆମେ ଅଧିକ ସହଜ ଅନୁଭବ କରିଥାଉ।’’
‘‘ଆମେ ମଧ୍ୟ ଆରା ଓ ଛାପ୍ରା ବୋଲି ବ୍ୟବହାର କରିଥାଉ। ଆଦୌ କିଛି ସମସ୍ୟା ନାହିଁ, ଆମେ ଯେଉଁ ଭାଷାରେ କଥା ହେବାକୁ ଚାହୁଁ, ଆମେ କରିଥାଉ,’’ ସେ କୁହନ୍ତି। ଜଣେ ବହୁଭାଷାବିଦ୍ ଭାବେ ଆଶ୍ଚର୍ଯ୍ୟଜନକ ସହଜତା ତାଙ୍କ ଭିତରେ ଦେଖିବାକୁ ମିଳିଥାଏ। ତଥାପି, ସେ ନିଜକୁ ଏହି ବିଚାର ଦ୍ୱାରା ମୁର୍ଖ ହେବାକୁ ଦିଅନ୍ତି ନାହିଁ ଯେ ଏସବୁ ଭାଷା ଜ୍ଞାନ ସହିତ ତାଙ୍କର ଅସାଧାରଣ କୌଶଳର କୌଣସି ସମ୍ପର୍କ ରହିଛି।
‘ବିଶ୍ୱକୁ ଏହାର ବହୁଳତାବାଦ ମଧ୍ୟରେ ବ୍ୟକ୍ତ କରିବାର ପଦ୍ଧତିର ଉତ୍ସବ’ ପାଳନ କରିବା ବିଷୟରେ ହେଉଥିବା ଆଲୋଚନାକୁ ୟୁନେସ୍କୋ (ଯାହାକି ଅନ୍ତର୍ଜାତୀୟ ମାତୃଭାଷା ଦିବସ) ର ମହାନିର୍ଦ୍ଦେଶକଙ୍କ ପାଇଁ ସଂରକ୍ଷିତ ରଖାଯିବା ଉଚିତ୍ । ଯେମିତିକି ମୀନାଙ୍କ ପାଇଁ ଏହା ଖୁବ୍ ସିଧା ଓ ସ୍ପଷ୍ଟ। ସେ ତାଙ୍କ ମୁନିବ, ତାଙ୍କର କର୍ମଚାରୀ, ତାଙ୍କ ଗ୍ରାହକ, ତାଙ୍କ ଚାରିପାଖରେ ରହୁଥିବା ସମୁଦାୟର ଭାଷା ଶିଖିବା ଆବଶ୍ୟକ। ‘‘ବହୁ ସଂଖ୍ୟକ ଭାଷା ଶିଖିବା ହୁଏତ’ ଭଲ ହୋଇପାରେ, କିନ୍ତୁ ଆମେ ବଞ୍ଚିବା ପାଇଁ ସେଗୁଡ଼ିକୁ ଶିଖୁଛୁ,’’ ସେ କହିଥାନ୍ତି।
ପରୀ ଏହି ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ, ମୀନାଙ୍କ ଭଳି ଲୋକଙ୍କ ନିକଟରେ ପହଞ୍ଚିଛି - ଯେଉଁମାନେ ଗରିବ ପ୍ରବାସୀ, ସେମାନଙ୍କୁ ଅଧିକାଂଶ ସମୟରେ ନିଜ ଦେଶରେ ହିଁ ପରଦେଶୀ ମାନ୍ୟତା ମିଳିଥାଏ ଏବଂ ସେମାନେ ସବୁବେଳେ ନିଜ ମାତୃଭାଷା ଠାରୁ ପୃଥକ ହୋଇ ରହିଥାନ୍ତି। ସେମାନେ ଦେଶର ଭିନ୍ନ ଭିନ୍ନ ଭାଗରେ ରହୁଥିବାରୁ, ଆମେ ସେହି ଭାଷାଗତ ଦୁନିଆରେ ପ୍ରବେଶ କରିବାକୁ ଚେଷ୍ଟା କରିଛୁ ଯେଉଁଥିରେ ସେମାନେ ରହୁଛନ୍ତି, ଯାହାକୁ ସେମାନେ ସଂରକ୍ଷିତ ରଖିଛନ୍ତି ଓ ସୃଷ୍ଟି କରୁଛନ୍ତି।
ପୁଣେରେ ଜଣେ ପ୍ରବାସୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଶଙ୍କର ଦାସ ଆସାମର କଚ୍ଛାର ଜିଲ୍ଲା ବୋରଖୋଲା ବ୍ଲକରେ ଥିବା ନିଜ ଘରକୁ ଫେରିବା ପରେ ଏକ ଅଜବ ସମସ୍ୟାର ସମ୍ମୁଖିନ ହୋଇଥିଲେ। ନିଜ ଗାଁ ଜାରାଇଲତାଲାରେ ବଡ଼ ହେବା ସମୟରେ, ତାଙ୍କ ଚାରିପାଖରେ ବଙ୍ଗ ଭାଷୀ ଲୋକମାନେ ରହୁଥିଲେ। ତେଣୁ, ସେ କେବେ ବି ରାଜ୍ୟର ସରକାରୀ ଭାଷା ଅହମୀୟା ଶିଖିପାରିନଥିଲେ। ତାଙ୍କୁ ୨୦ ବର୍ଷ ବୟସ ଟପିବା ପରେ ସେ ଘର ଛାଡ଼ି ଚାଲିଯାଇଥିଲେ। ଦେଢ଼ ଦଶନ୍ଧି ଧରି ପୁଣେରେ ରହିବା ପରେ ତାଙ୍କର ହିନ୍ଦୀ ଭାଷାରେ ସୁଧାର ଆସିଥିଲା ଓ ସେ ମରାଠୀ ମଧ୍ୟ ଶିଖି ଯାଇଥିଲେ।
‘‘ମୁଁ ଭଲ ଭାବେ ମରାଠୀ ଶିଖିଛି। ମୁଁ ପୁଣେର କୋଣ ଅନୁକୋଣରେ ବୁଲିଛି। କିନ୍ତୁ ମୁଁ ଅହମୀୟା କହିପାରିବି ନାହିଁ। ମୁଁ ବୁଝିପାରିବି, କିନ୍ତୁ କହିପାରିବି ନାହିଁ,’’ ୪୦ ବର୍ଷ ବୟସ୍କ ଶଙ୍କର କୁହନ୍ତି। କୋଭିଡ ମହାମାରୀ ସମୟରେ ପୁଣେର ଏକ ଏଟିଏମରେ ସୁରକ୍ଷାକର୍ମୀ ଭାବେ କାମ କରିଥିବା ଶଙ୍କରଙ୍କ ଚାକିରି ଚାଲିଯିବା କାରଣରୁ ସେ ବାଧ୍ୟ ହୋଇ ଆସାମ ଫେରିଆସିଲେ ଓ କାମ ଖୋଜିଥିଲେ। ନିଜ ଗ୍ରାମ ଜାରାଇତାଲାରେ, ସେ କୌଣସି କାମ ନପାଇବାରୁ ଗୌହାଟୀ ଯାଇଥିଲେ କିନ୍ତୁ ଅହମୀୟା ଜାଣିନଥିବାରୁ ସେଠାରେ ମଧ୍ୟ ଭାଗ୍ୟ ତାଙ୍କୁ ସହାୟକ ହେଲା ନାହିଁ ।
ଯେମିତିକି ମୀନାଙ୍କ ପାଇଁ ଏହା ଖୁବ୍ ସିଧା ଓ ସ୍ପଷ୍ଟ। 'ବହୁ ସଂଖ୍ୟକ ଭାଷା ଶିଖିବା ହୁଏତ’ ଭଲ ହୋଇପାରେ, କିନ୍ତୁ ଆମେ ବଞ୍ଚିବା ପାଇଁ ସେଗୁଡ଼ିକୁ ଶିଖୁଛୁ,' ସେ କହିଥାନ୍ତି
‘‘ନିଯୁକ୍ତିଦାତାଙ୍କ ସହିତ କଥା ହେବା ବିଷୟ ଛାଡ଼ନ୍ତୁ ଏଠାରେ ବସ୍ରେ ବସିବା ମଧ୍ୟ କଷ୍ଟକର,’’ ସେ କୁହନ୍ତି। ‘‘ମୁଁ ପୁଣେ ଫେରିଯିବା ଲାଗି ଚିନ୍ତା କରୁଛି। ସେଠି ମୋତେ କାମ ମିଳିଯିବ ଏବଂ ଭାଷାକୁ ନେଇ ଏତେ କିଛି ସମସ୍ୟା ହେବ ନାହିଁ।’’ ଏବେ ତାଙ୍କ ଜନ୍ମସ୍ଥାନରେ ତାଙ୍କ ପାଇଁ ଆଉ ଚୁଲି ଜଳିବାର କିଛି ସମ୍ବଳ ନାହିଁ ।
ଗୌହାଟୀଠାରୁ ପ୍ରାୟ ଦୁଇ ହଜାର କିଲୋମିଟର ଦୂର ଜାତୀୟ ରାଜଧାନୀରେ ୧୩ ବର୍ଷ ବୟସ୍କ ପ୍ରଫୁଲ ସୁରିନ୍ ସ୍କୁଲରେ ରହିବା ପାଇଁ ହିନ୍ଦୀ ଶିଖିବା ଲାଗି ସଂଘର୍ଷ କରୁଛନ୍ତି। ଏକ ଦୁର୍ଘଟଣାରେ ପ୍ରଫୁଲଙ୍କ ବାପା ଚାଲିଯିବା ପରେ, ସେ ତାଙ୍କ ବୁଆ (ବାପାଙ୍କ ଭଉଣୀ) ସହ ରହିବା ପାଇଁ ନୂଆଦିଲ୍ଲୀର ମୁନିର୍କା ଗାଁକୁ ଆସିବା ଲାଗି ବାଧ୍ୟ ହୋଇଥିଲେ। ଏହି ସ୍ଥାନ ଝାଡ଼ଖଣ୍ଡର ଗୁମଲାରେ ଥିବା ପହାନଟୋଲୀ ପଡ଼ାରେ ଥିବା ତାଙ୍କର ଘରଠାରୁ ୧,୩୦୦ କିଲୋମିଟର ଦୂରରେ ରହିଛି। ସେ କୁହନ୍ତି, ‘‘ଏଠାକୁ ଆସିବା ପରେ ମୁଁ ନିଃସଙ୍ଗ ଅନୁଭବ କଲି। ଏଠି କେହି ମୁଣ୍ଡାରୀ ଜାଣନ୍ତି ନାହିଁ । ସେମାନେ ସମସ୍ତେ ହିନ୍ଦୀ କହୁଛନ୍ତି।’’
ଏହି ସହରକୁ ଆସିବା ପୂର୍ବରୁ ଗାଁ ସ୍କୁଲରେ ସେ ହିନ୍ଦୀ ଓ ଇଂରାଜୀର କେତେକ ଅକ୍ଷର ଶିଖିଥିଲେ, କିନ୍ତୁ ଏହା ଭାଷା ବୁଝିବା ଓ ନିଜର ଭାବନା ବ୍ୟକ୍ତ କରିବା ଲାଗି ଯଥେଷ୍ଟ ନୁହେଁ। ଦିଲ୍ଲୀରେ ଦୁଇ ବର୍ଷ ଧରି ପାଠ ପଢ଼ିବା ଏବଂ ବୁଆ ଯୋଗାଡ଼ କରି ଦେଇଥିବା ଟ୍ୟୁସନ ଯିବା ପରେ ଏବେ ସେ ‘‘ସ୍କୁଲରେ ଏବଂ ସାଙ୍ଗମାନଙ୍କ ସହିତ ଖେଳିବା ବେଳେ ସାମାନ୍ୟ ହିନ୍ଦୀ କହିପାରୁଛନ୍ତି,’’ ବୋଲି କୁହନ୍ତି। ‘‘କିନ୍ତୁ ଘରେ, ମୁଁ ବୁଆ ଙ୍କ ସହିତ ମୁଣ୍ଡାରୀରେ କଥା ହୁଏ। ଏହା ମୋର ମାତୃଭାଷା।’’
ଦିଲ୍ଲୀଠାରୁ ଆଉ ୧,୧୦୦ କିଲୋମିଟର ଦୂର ଛତିଶଗଡ଼ରେ ୧୦ ବର୍ଷ ବୟସ୍କା ପ୍ରୀତି ଯେଉଁ ସ୍କୁଲରେ ନାମ ଲେଖାଇଛନ୍ତି ସେଠି ଆଉ ପଢ଼ିବା ଲାଗି ଚାହୁଁନାହାନ୍ତି। ସେ ତାଙ୍କ ବାପାମା’ଙ୍କ ସହିତ ରହୁଛନ୍ତି, କିନ୍ତୁ ତାଙ୍କ ପାଇଁ ସବୁଠୁ ନିଜର ଥିବା ଭାଷାଠାରୁ ସେ ଦୂରଇ ରହିଛନ୍ତି।
ଲତା ଭୋଇ (୪୦) ଏବଂ ତାଙ୍କ ସ୍ୱାମୀ ସୁରେନ୍ଦ୍ର ଭୋଇ (୬୦) ମାଲୁଆ କନ୍ଧ ଆଦିବାସୀ ସମୁଦାୟର ଅଧିବାସୀ। ସେମାନେ ଏକ ଘରୋଇ ଫାର୍ମହାଉସର ରକ୍ଷଣାବେକ୍ଷଣ ଲାଗି ଓଡ଼ିଶାର କଳାହାଣ୍ଡି ଜିଲ୍ଲାର କେନ୍ଦୁପଡ଼ା ଗ୍ରାମରୁ ରାୟପୁର ଆସିଛନ୍ତି। ସେମାନଙ୍କର ଛତିଶଗଡ଼ୀରେ କାମଚଳା ଜ୍ଞାନ ରହିଛି ଏବଂ ଫାର୍ମରେ କାର୍ଯ୍ୟରତ ଅନ୍ୟ ସ୍ଥାନୀୟ ଶ୍ରମିକଙ୍କ ସହିତ ସେମାନେ କଥା ହୋଇପାରିବେ। ‘‘ଆମେ ଏଠାକୁ ୨୦ ବର୍ଷ ପୂର୍ବରୁ ରୋଜି ରୋଟି (ଜୀବିକା) ସନ୍ଧାନରେ ଏଠାକୁ ଆସିଥିଲୁ,’’ ଲତା କୁହନ୍ତି। ‘‘ଆମର ସବୁ ପରିବାର ଲୋକମାନେ ଓଡ଼ିଶାରେ ରହୁଛନ୍ତି। ସମସ୍ତେ ଓଡ଼ିଆ କୁହନ୍ତି। କିନ୍ତୁ ମୋ ପିଲାମାନେ ଆମ ମାତୃଭାଷା ପଢ଼ିପାରିବେ ନାହିଁ କି ଲେଖିପାରିବେ ନାହିଁ। ସେମାନେ କେବଳ କହିପାରିବେ। ଆମ ଘରେ ମଧ୍ୟ ଆମେ ଏହି ଭାଷାରେ କଥା ହେଉ। ଏପରିକି ମୁଁ ମଧ୍ୟ ଓଡ଼ିଆ ପଢ଼ି କିମ୍ବା ଲେଖିପାରିବି ନାହିଁ। ମୁଁ ସବୁ କଥାବାର୍ତ୍ତା ଜାଣିଛି।’’ ସେମାନଙ୍କର ସବୁଠୁ ସାନ ଝିଅ ପ୍ରୀତି ହିନ୍ଦୀ କବିତା ଭଲ ପାଏ, କିନ୍ତୁ ସ୍କୁଲରେ ରହିବାକୁ ଘୃଣା କରେ।
‘‘ମୁଁ ମୋର ସହପାଠୀଙ୍କ ସହିତ ଛତିଶଗଡ଼ୀ ଭାଷାରେ କଥା ହେବାକୁ ସକ୍ଷମ ହୋଇଥାଏ। କିନ୍ତୁ ଏଠି ଆଉ ଅଧିକ ଦିନ ପଢ଼ିବାକୁ ଚାହୁଁନାହିଁ,’’ ସେ କୁହନ୍ତି, ‘‘କାରଣ ମୋ ସ୍କୁଲ ସାଙ୍ଗମାନେ ମୋତେ ‘ଓଡ଼ିଆ- ଧୋଡ଼ିଆ’ କହି ଚିଡ଼ାଉଛନ୍ତି। ଛତିଶଗଡ଼ୀ ଭାଷାରେ ଧୋଡ଼ିଆ ର ଅର୍ଥ ହେଉଛି ଏକ ବିଷହୀନ ସାପର ପ୍ରଜାତି, ଯାହାକି ସ୍ୱଭାବତଃ ସାମାନ୍ୟ ଭୟାଳୁ ହୋଇଥାଏ। ତାଙ୍କର ମାତାପିତା ଏବେ ତାଙ୍କୁ ଓଡ଼ିଶାର ଏକ ସରକାରୀ ଆବାସିକ ବିଦ୍ୟାଳୟରେ ପଢ଼ାଇବାକୁ ଚାହୁଁଛନ୍ତି। ଅନୁସୂଚିତ ଜନଜାତି କୋଟାରେ ତାଙ୍କୁ ଏକ ସିଟ୍ ମିଳିଲେ ଏହା ସମ୍ଭବ ହୋଇପାରିବ।
କମ୍ ବୟସରେ ନିଜର ମାତା-ପିତା, ଭୂମି ଓ ଭାଷାଠାରୁ ପୃଥକ ହେବା ପ୍ରାୟ ସବୁ ପ୍ରବାସୀଙ୍କ ଜୀବନର ବାସ୍ତବତା।
୨୧ ବର୍ଷ ବୟସ୍କ ନାଗେନ୍ଦ୍ର ସିଂ ରୋଜଗାର ସନ୍ଧାନରେ ମାତ୍ର ୮ ବର୍ଷ ବୟସରେ ଘର ଛାଡ଼ିଥିଲେ ଏବଂ ଜଣେ କ୍ଲିନର ଭାବେ କ୍ରେନ୍ ପରିଚାଳନା ସେବାରେ ଯୋଗ ଦେଇଥିଲେ। ତାଙ୍କ ଘର ଉତ୍ତର ପ୍ରଦେଶର କୁଶୀନଗର ଜିଲ୍ଲାର ଜଗଦୀଶପୁର ଗ୍ରାମରେ, ଯେଉଁଠି ସେମାନେ ଭୋଜପୁରୀ ଭାଷାରେ କଥା ହୋଇଥାନ୍ତି। ‘‘ଏହା ହିନ୍ଦୀଠାରୁ ସାମାନ୍ୟ ଭିନ୍ନ,’’ ସେ କୁହନ୍ତି। ‘‘ଯଦି ଆମେ ଭୋଜପୁରୀ ଭାଷାରେ କଥା ହେବୁ ଆପଣ ତାହା ବୁଝିପାରିବେ ନାହିଁ।’’ ତାଙ୍କର ‘ଆମେ’ କହିବାର ଅର୍ଥ ହେଉଛି ଉତ୍ତର ବାଙ୍ଗାଲୋରର ଏକ ନିର୍ମାଣସ୍ଥଳୀରେ ରଙ୍ଗମିସ୍ତ୍ରୀ ଭାବେ କାମ କରୁଥିବା ଜଣେ ତିନି ସହକର୍ମୀ ଓ ତାଙ୍କ ରୁମ୍ମେଟ୍। ଅଲୀ (୨୬), ମନୀଷ (୧୮) ଏବଂ ନାଗେନ୍ଦ୍ରଙ୍କ ବୟସ, ଗାଁ, ଧର୍ମ ଓ ଜାତି ଅଲଗା ଅଲଗା ହୋଇଥିଲେ ମଧ୍ୟ ଗୋଟିଏ ମାତୃଭାଷା-ଭୋଜପୁରୀ ସେମାନଙ୍କୁ ଏକାଠି କରିଛି।
କିଶୋରାବସ୍ଥାରେ ଥିବା ସମୟରେ ସେମାନେ ନିଜ ଗାଁରେ ନିଜ ଘର ଓ ଭାଷାକୁ ଛାଡ଼ି ଦେଇ ଆସିଥିଲେ। ‘‘ଯଦି ଆପଣଙ୍କ ପାଖରେ ଦକ୍ଷତା ଅଛି, ତା’ହେଲେ କିଛି ସମସ୍ୟା ହେବ ନାହିଁ,’’ ଅଲୀ କୁହନ୍ତି। ‘‘ମୁଁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଏପରି ସାଉଦି ଆରବରେ ମଧ୍ୟ ରହିଛି। ମୁଁ ଆପଣଙ୍କୁ ମୋର ପାସପୋର୍ଟ ଦେଖାଇପାରିବି। ମୁଁ ସେଠି ଇଂରାଜୀ ଓ ହିନ୍ଦୀ ଶିଖିଛି।’’ ଏସବୁ ଘଟିବାର ମାର୍ଗ ଖୁବ୍ ସହଜ ଥିଲା, କଥାବାର୍ତ୍ତାରେ ସାମିଲ ହୋଇ ନାଗେନ୍ଦ୍ର କହିଥିଲେ। ‘‘ଯେଉଁଠି କାମ ମିଳେ ଆମେ ସେଠାକୁ ଯାଉ। ଗାଓଁ କା କୋଇ ଲଡ଼କା ବୁଲାତା ହୈ, ହମ୍ ଆ ଜାତେ ହୈ (ଆମ ଗାଁର କେହି ପିଲା ଡାକିଲେ ଆମେ ଯାଇଥାଉ),’’ ସେ କୁହନ୍ତି।
‘‘ଏ ମଉସାଙ୍କ ଭଳି କିଛି ଲୋକ ମଧ୍ୟ ଅଛନ୍ତି,’’ ନାଗେନ୍ଦ୍ର ଜଣେ ସହକର୍ମୀ ୫୭ ବୟସ୍କ ସୁବ୍ରମଣ୍ୟମଙ୍କୁ ଦେଖାଇ ଦେଇଥିଲେ। ମଦୁରାଇର ବାସିନ୍ଦା ସୁବ୍ରମଣ୍ୟମ କେବଳ ତାମିଲ ଭାଷା ଜାଣନ୍ତି। ‘‘ଆମେ ସାଙ୍କେତିକ ଭାଷା ବ୍ୟବହାର କରିଥାଉ। ଆମେ ତାଙ୍କୁ କିଛି କହିବାକୁ ଚାହୁଁଥିଲେ, ଆମେ ବଢ଼େଇଙ୍କୁ କହିଥାଉ, ତା’ପରେ ସେ ଏକଥା ମଉସାଙ୍କୁ ଜଣେଇ ଦିଅନ୍ତି। କିନ୍ତୁ ଆମେ ପରସ୍ପର ସହିତ ଭୋଜପୁରୀରେ କଥା ହେଉ। ସନ୍ଧ୍ୟାରେ ଘରକୁ ଫେରିଲେ, ମୁଁ ରୋଷେଇ କରେ ଏବଂ ଭୋଜପୁରୀ ଗୀତ ଶୁଣେ,’’ ସେ ତାଙ୍କର ମୋବାଇଲ ଫୋନ୍ ବାହାର କରି ନିଜ ପସନ୍ଦର ଗୀତ ଆମକୁ ଶୁଣାଇବାକୁ ଯାଇ କହିଥାନ୍ତି।
ପରିଚିତ ଭୋଜନ, ସଙ୍ଗୀତ, ପର୍ବପର୍ବାଣୀ, କିଛି ବିଶ୍ୱାସ ଯାହାକୁ ଆମେ ସବୁବେଳେ ନିଜ ସଂସ୍କୃତି ସହିତ ଯୋଡ଼ିଥାଉ, ଏସବୁ ପ୍ରାୟତଃ ଭାଷାଗତ ଅଭିଜ୍ଞତା ରୂପରେ ଆମ ପାଖକୁ ଆସିଥାଏ। ସେଥିପାଇଁ, ପରୀ ପକ୍ଷରୁ ଯେଉଁ ଲୋକମାନଙ୍କ ସହିତ ଆଲୋଚନା କରାଯାଇଥିଲା, ସେମାନଙ୍କୁ ଯେତେବେଳେ ନିଜର ମାତୃଭାଷା ବିଷୟରେ ପଚରାଗଲା ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜର ସଂସ୍କୃତି ବିଷୟରେ କହିବା ଆରମ୍ଭ କରିଥିଲେ।
ମୁମ୍ବାଇରେ ଘରୋଇ ସହାୟକ ରୂପରେ କାମ କରିବା ଲାଗି ବିହାରରେ ଥିବା ନିଜ ଗାଁ ପରତାପୁର ଛାଡ଼ିବାର ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ, ୩୯ ବର୍ଷ ବୟସ୍କ ବସନ୍ତ ମୁଖିଆଙ୍କ ମନରେ ମୈଥିଳୀର ପ୍ରଥମ ଉଲ୍ଲେଖ ଆସିବା ମାତ୍ରେ ଘର ଖାଇବା ଓ ଗୀତର ସ୍ମୃତିରେ ସେ ନିଜକୁ ହଜେଇ ଦେଇଥାନ୍ତି। ‘‘ମୁଁ ସତ୍ତୁ (ଭଜା ଚଣାରେ ତିଆରି ହୋଇଥିବା ଛତୁଆ) ଓ ଚୁରା ବା ପୋହା ଖୁବ ଭଲ ପାଏ,’’ ସେ କୁହନ୍ତି। ମୁମ୍ବାଇରେ ଏସବୁ ସେ ପାଇପାରିବେ। ‘‘କିନ୍ତୁ ଗାଁର ସୁଆଦ ଏଠି ମିଳିବ ନାହିଁ,’’ ଏହା କହିବା ବେଳେ ବସନ୍ତ ଖାଦ୍ୟପାନୀୟ ଆଡ଼େ ଆଲୋଚନାକୁ ଆଗେଇ ନିଅନ୍ତି। ‘‘ଆମ ଘରେ ଆମେ ସବୁ ଶନିବାର ମଧ୍ୟାହ୍ନ ଭୋଜନରେ ଖିଚଡ଼ି ଏବଂ ସନ୍ଧ୍ୟା ଜଳଖିଆ ଭୁଜା ଖାଇଥାଉ। ଚୁଡ଼ା, ଭଜା ବାଦାମ ଓ ପିଆଜ ସହିତ ଛଣା ହୋଇଥିବା କଳା ଚଣା, ଟମାଟୋ, କଞ୍ଚା ଲଙ୍କା, ଲୁଣ, ସୋରିଷ ତେଲ ଓ ଅନ୍ୟାନ୍ୟ ମସଲା ପଡ଼ି ଭୁଜା ତିଆରି ହୁଏ। ମୁମ୍ବାଇରେ କେବେ ଶନିବାର ଆସି ଚାଲିଯାଏ ଆମେ ଜାଣିପାରିନଥାଉ,’’ ସେ ଉଦାସୀଭରା ହସ ହସି କୁହନ୍ତି।
ଆଉ ଗୋଟିଏ କଥା ତାଙ୍କ ମନକୁ ଆସିଥାଏ ଓ ତାହା ହେଉଛି ସେମାନେ ତାଙ୍କ ଗାଁରେ କେମିତି ହୋଲି ଖେଳୁଥିଲେ। ‘‘ସେଦିନ ଆପଣଙ୍କୁ ଆଗୁଆ ନଜଣାଇ ସାଙ୍ଗମାନଙ୍କର ଏକ ଦଳ ହଠାତ୍ ଆପଣଙ୍କ ଘର ଭିତରକୁ ପ୍ରବେଶ କରି ଯାଆନ୍ତି। ଆମେ ମନଇଚ୍ଛା ରଙ୍ଗ ଖେଳିଥାଉ। ଆଉ ତା’ପରେ ଖାଇବା ଲାଗି ମାଲପୁଆ (ହୋଲିରେ ସୁଜି, ମଇଦା, ଚିନି ଓ କ୍ଷୀରରେ ତିଆରି ଏକ ବିଶେଷ ମିଠା) ଥାଏ। ଆମେ ହୋଲି ଗୀତ, ଫଗୁଆ ଗାଇଥାଉ,’’ ବସନ୍ତ କୁହନ୍ତି। ନିଜର ମାତୃଭାଷାଠାରୁ ଭିନ୍ନ ଭାଷାରେ କଥା ହେଉଥିଲେ ମଧ୍ୟ ତାଙ୍କ କହିବା ସମୟରେ ତାଙ୍କ ଜନ୍ମସ୍ଥାନର ଛବି ଆମ ମନରେ ଜୀବନ୍ତ ହୋଇ ଉଠୁଥିଲା।
ସେ ନିରାଶା ବ୍ୟକ୍ତ କରି କୁହନ୍ତି, ‘‘ନିଜ ଅଞ୍ଚଳର ଏବଂ ନିଜ ଭାଷା କହୁଥିବା ଲୋକଙ୍କ ସହିତ ପର୍ବପର୍ବାଣୀ ପାଳନ କରିବାର କିଛି ଭିନ୍ନ ମଜା ରହିଛି।’’
କିନ୍ତୁ ଏହାଠାରୁ ଟିକିଏ ଭିନ୍ନ ସ୍ଥିତିରେ ଅଛନ୍ତି, ଆହ୍ଲାବାଦ ଅମିଲୌତି ଗ୍ରାମର ରାଜୁ, ଏହି ନାଁରେ ସମ୍ବୋଧିତ ହେବାକୁ ସେ ପସନ୍ଦ କରିଥାନ୍ତି। ବିଗତ ୩୦ ବର୍ଷ ଧରି ସେ ପଞ୍ଜାବରେ ନିଜର ଜୀବିକା ଅର୍ଜନ କରୁଛନ୍ତି। ଅହିର ସମ୍ପ୍ରଦାୟର ଏହି ବ୍ୟକ୍ତି ଜଣଙ୍କ, ନିଜ ଘରେ ଅୱଧୀ ଭାଷାରେ କଥା ହେଉଥିଲେ। ପ୍ରଥମ ଥର ଅମୃତସରକୁ ଆସିବା ସମୟରେ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ‘‘କିନ୍ତୁ ଆଜି ମୁଁ ଭଲ ଭାବେ ପଞ୍ଜାବୀ କହିପାରୁଛି ଓ ସମସ୍ତେ ମୋତେ ଭଲ ପାଉଛନ୍ତି,’’ ସେ ଖୁସିର ସହକାରେ କୁହନ୍ତି।
ତଥାପି, ପଞ୍ଜାବର ତର୍ଣ୍ଣ ତରନ ଜିଲ୍ଲା ପଟ୍ଟି ସହରରେ ଫଳ ବିକାଳି ଭାବେ କାମ କରୁଥିବା ରାଜୁ ନିଜ ପର୍ବପର୍ବାଣୀକୁ ଖୁବ ମନେ ପକାଇଥାନ୍ତି। କାମର ଚାପ ଅଧିକାଂଶ ସମୟରେ ତାଙ୍କୁ ନିଜ ଗାଁକୁ ଯିବାରୁ ରୋକିଥାଏ ଏବଂ ‘‘ଏଠାରେ ନିଜର ପର୍ବପର୍ବାଣୀ ପାଳନ କରିବା ଅସମ୍ଭବ,’’ ସେ କୁହନ୍ତି। ‘‘୧୦୦ ଲୋକଙ୍କ ପର୍ବପର୍ବାଣୀରେ ଜଣେ ଭାଗ ନେଇପାରିବ, କିନ୍ତୁ ମୋତେ କୁହନ୍ତୁ, ମାତ୍ର ଦୁଇ କିମ୍ବା ଚାରି ଜଣ ଲୋକଙ୍କୁ ନେଇ ପର୍ବ ପାଳନ କଲେ ସେଥିରେ କିଏ ମିଶିବ?"
ଦେଶର ଅନ୍ୟ ଏକ ପ୍ରାନ୍ତରେ, ନିଜ ସ୍ୱାମୀଙ୍କ ସହିତ ରାଜସ୍ଥାନରୁ କାମ ସନ୍ଧାନରେ କେରଳ ଆସିଥିବା ଶବାନା ଶେଖ (୩୮), ସେହି ସମାନ ପ୍ରଶ୍ନ ପଚାରିଥାନ୍ତି। ‘‘ଆମେ ଆମ ଗାଁରେ ପର୍ବପର୍ବାଣୀ ପାଳନ କରିଥାଉ ଏବଂ ଏହାକୁ ପାଳନ କରିବାରେ କୌଣସି ଲଜ୍ଜା ନାହିଁ। କିନ୍ତୁ କେରଳରେ ଆମେ କିପରି ଏହାକୁ ପାଳନ କରିବୁ?’’ ସେ ପ୍ରଶ୍ନ କରିଥାନ୍ତି। ‘‘ଦୀପାବଳି ସମୟରେ, କେରଳରେ ବେଶି ଆଲୋକ ନଥାଏ। କିନ୍ତୁ ରାଜସ୍ଥାନରେ ଆମେ ପର୍ବପର୍ବାଣୀ ସମୟରେ ମାଟି ଦୀପ ଜଳାଉ। ଏହା ଖୁବ ସୁନ୍ଦର ଦେଖାଯାଏ,’’ ସେ କୁହନ୍ତି। ଏହି ସମୟରେ ତାଙ୍କ ଆଖି ସ୍ମୃତିରେ ଚମକି ଉଠେ।
ଆମେ ଯେଉଁସବୁ ପ୍ରବାସୀଙ୍କ ସହିତ କଥା ହୋଇଥିଲୁ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ଭାଷା, ସଂସ୍କୃତି ଓ ସ୍ମୃତି ମଧ୍ୟରେ ସମ୍ପର୍କ ଖୁବ୍ ଦୃଢ଼ ଭାବେ ବାନ୍ଧି ହୋଇ ରହିଛି। କିନ୍ତୁ ଘରଠାରୁ ଦୂରରେ ଉପାନ୍ତ କ୍ଷେତ୍ରରେ ରହିବା ଲାଗି ସେମାନେ ନିଜକୁ ବଞ୍ଚାଇବାର ନିଜସ୍ୱ ପଦ୍ଧତି ଆପଣେଇ ନେଇଛନ୍ତି।
୬୦ ବର୍ଷ ବୟସରେ ପହଞ୍ଚି ସାରିଥିବା ମଶରୁ ରବାରୀଙ୍କର କୌଣସି ସ୍ଥାୟୀ ଠିକଣା ନାହିଁ । ନାଗପୁର, ୱାର୍ଦ୍ଧା, ଚନ୍ଦରପୁର କିମ୍ବା ୟବତମାଲର କୌଣସି ପଡ଼ିଆ ତାଙ୍କର ଠିକଣା ହୋଇପାରେ। କେନ୍ଦ୍ରୀୟ ବିଦର୍ଭର ଜଣେ ପଶୁପାଳକ ଭାବେ ସେ ଗୁଜରାଟର କଚ୍ଛରୁ ଆସିଛନ୍ତି। ‘‘କହିବାକୁ ଗଲେ ମୁଁ ଜଣେ ବରହାଦୀ,’’ ସେ କୁହନ୍ତି। ସବୁବେଳେ ସେ ସ୍ୱତନ୍ତ୍ର ରବାରୀ ପୋଷାକ ପିନ୍ଧିଥାନ୍ତି - ମୋଡ଼ା ମୋଡ଼ା ହୋଇଥିବା ଏକ କମିଜ, ଧୋତି ପିନ୍ଧିବା ସହିତ ତାଙ୍କ ମୁଣ୍ଡରେ ଧଳା ପଗଡ଼ିଟିଏ ଶୋଭାପାଏ। ସେ ବିଦର୍ଭର ସ୍ଥାନୀୟ ସଂସ୍କୃତି ସହ ଗଭୀର ଭାବେ ଯୋଡ଼ି ହୋଇ ରହିଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ସ୍ଥାନୀୟ କଟୁବଚନ ଓ ଅପଶବ୍ଦ ମଧ୍ୟ କହିପାରନ୍ତି! ତଥାପି ସେ ନିଜ ଭୂମିର ପରମ୍ପରା ଓ ସଂସ୍କୃତି ସହିତ ନିଜର ସମ୍ପର୍କକୁ ଅକ୍ଷୂର୍ଣ୍ଣ ରଖିଛନ୍ତି। ସେମାନେ ଗୋଟିଏ ଭୂମିରୁ ଅନ୍ୟତ୍ର ଯିବା ସମୟରେ ସେମାନଙ୍କ ଓଟ ପିଠିରେ ଲୋକକଥାର ପେଡ଼ି, ଐତିହ୍ୟ ସୂତ୍ରରୁ ମିଳିଥିବା ଜ୍ଞାନ, ଗୀତ, ପ୍ରାଣୀଙ୍କ ଦୁନିଆ ବିଷୟରେ ପାରମ୍ପରିକ ଜ୍ଞାନ, ପରିବେଶ ପରିତନ୍ତ୍ର ଏବଂ ଆହୁରି ଅନେକ ଜ୍ଞାନ ଓ ସାମଗ୍ରୀ ଲଦା ହୋଇ ଆଗକୁ ବଢ଼ିଥାଏ।
ଝାଡ଼ଖଣ୍ଡରୁ ଆସିଥିବା ଜଣେ ଏକ୍ସକାଭେଟର ପରିଚାଳକ ଶାନାଲ୍ଲୁଆ ଆଲମ (୨୫) ଏବେ କର୍ଣ୍ଣାଟକର ଉଡ଼ୁପିରେ ରହୁଛନ୍ତି। କାର୍ଯ୍ୟକ୍ଷେତ୍ରରେ କେବଳ ସେ ହିଁ ଭଲ ହିନ୍ଦୀ କହିପାରନ୍ତି। ସେ କେବଳ ନିଜର ମୋବାଇଲ ଫୋନ ଜରିଆରେ ନିଜର ଭାଷା ଓ ଲୋକମାନଙ୍କ ସହିତ ଯୋଡ଼ି ହୋଇଥାନ୍ତି। ନିଜ ପରିବାର ଓ ବନ୍ଧୁମାନଙ୍କ ସହିତ ସେ ଫୋନରେ ହିନ୍ଦୀ ଓ ଖୋର୍ଥା ଭାଷାରେ କଥା ହୁଅନ୍ତି। ଝାଡ଼ଖଣ୍ଡର ଉତ୍ତର ଛୋଟନାଗପୁର ଓ ସାନ୍ଥା ପ୍ରଗଣାରେ ଖୋର୍ଥା ଏକ କଥିତ ଭାଷା ଭାବେ ପ୍ରଚଳିତ।
ଝାଡ଼ଖଣ୍ଡର ଆଉ ଜଣେ ୨୩ ବର୍ଷୀୟ ପ୍ରବାସୀ ସୋବିନ ଯାଦବ ମଧ୍ୟ ନିଜ ଭାଷା ଓ ଜନ୍ମସ୍ଥାନ ସହିତ ଯୋଡ଼ି ହେବା ଲାଗି ମୋବାଇଲ ଫୋନ ଉପରେ ନିର୍ଭର କରିଥାନ୍ତି। କିଛି ବର୍ଷ ପୂର୍ବରୁ ସେ ମଜଗାଓଁ ଗ୍ରାମରୁ ଚେନ୍ନାଇ ଚାଲି ଆସିଥିଲେ। ‘‘ଏହା କ୍ରିକେଟର ଧୋନିଙ୍କ ଘରଠାରୁ ପ୍ରାୟ ୨୦୦ କିଲୋମିଟର ଦୂର,’’ ସେ କୁହନ୍ତି। ଚେନ୍ନାଇର ଏକ ଭୋଜନାଳୟରେ କାମ କରୁଥିବାରୁ ସେ ଖୁବ କମ୍ ହିନ୍ଦୀ କୁହନ୍ତି। ସବୁଦିନ ସନ୍ଧ୍ୟାରେ ନିଜ ପତ୍ନୀଙ୍କ ସହିତ ମୋବାଇଲରେ କଥା ହେବା ସମୟରେ ନିଜ ମାତୃଭାଷା ବ୍ୟବହାର କରିଥାନ୍ତି। ‘‘ମୁଁ ମୋବାଇଲ ଫୋନରେ ହିନ୍ଦୀ ଡବିଂ ହୋଇଥିବା ତାମିଲ ଚଳଚ୍ଚିତ୍ର ମଧ୍ୟ ଦେଖିଥାଏ। ସୁରିୟା ମୋ ପ୍ରିୟ ଅଭିନେତା,’’ ତାମିଲ ଭାଷାରେ ସେ କୁହନ୍ତି।
‘‘ହିନ୍ଦୀ, ଊର୍ଦ୍ଦୁ, ଭୋଜପୁରୀ... ଏଠି କିଛି ଭାଷା ଚାଲିବ ନାହିଁ । ଏପରିକି ଇଂରାଜୀ ମଧ୍ୟ ନୁହେଁ। କେବଳ ହୃଦୟର ଭାଷା ଚାଲେ,’’ ବିନୋଦ କୁମର କୁହନ୍ତି। ବିହାର ମୋତିହାରୀ ଗ୍ରାମର ଏହି ରାଜମିସ୍ତ୍ରୀ ଜଣଙ୍କ କାଶ୍ମୀରର ବାରାମୁଲ୍ଲା ଜିଲ୍ଲା ପଟ୍ଟାନ ବ୍ଲକରେ ସାଜିଦ ଗନିଙ୍କ ରୋଷେଇ ଘରେ ମଧ୍ୟାହ୍ନ ଭୋଜନ କରୁଛନ୍ତି। ‘‘ଜଣେ ଘର ମାଲିକ ଆଉ ଜଣେ ଶ୍ରମିକଙ୍କ ସହିତ ବସି ଖାଉଛନ୍ତି - ଆପଣ କେବେ କେଉଁଠି ଏମିତି ଦେଖିଛନ୍ତି କି?’’ ସାଜିଦଙ୍କ ଆଡ଼କୁ ଇସାରା କରି ବିନୋଦ ଆମକୁ ପଚାରିଥିଲେ। ‘‘ସେ ମୋ ଜାତି କ’ଣ ଜାଣନ୍ତି ବୋଲି ମୁଁ ଭାବୁ ନାହିଁ । ସେଠି ଗାଁରେ ଏମିତି ଲୋକ ଅଛନ୍ତି, ମୁଁ ଛୁଇଁ ଦେଲେ ସେମାନେ ପାଣି ସୁଦ୍ଧା ପିଇବେ ନାହିଁ। କିନ୍ତୁ ଏଠି ସେ ମୋତେ ନିଜ ରୋଷେଇ ଘରେ ଖାଇବାକୁ ଦେଉଛନ୍ତି ଏବଂ ମୋ ପଛରେ ବସି ଖାଉଛନ୍ତି।’’
ବିନୋଦ ୩୦ ବର୍ଷ ହେବ କାଶ୍ମୀରକୁ କାମ କରିବା ପାଇଁ ଆସିଲେଣି। ‘‘୧୯୯୩ରେ ମୁଁ କାଶ୍ମୀରକୁ ଜଣେ ଶ୍ରମିକ ଭାବେ କାମ କରିବାକୁ ଆସିଥିଲି। କାଶ୍ମୀର ସମ୍ପର୍କରେ ମୋର ବିଶେଷ ଜ୍ଞାନ ନଥିଲା। ସେତେବେଳେ ବର୍ତ୍ତମାନ ଭଳି ଏମିତି ଗଣମାଧ୍ୟମ ନଥିଲା। ଏପରିକି ସମ୍ବାଦପତ୍ରରେ ଯଦି କିଛି ସୂଚନା ଆସୁଥିଲା, ମୁଁ କିପରି ଜାଣିଥାନ୍ତି? ମୁଁ ଲେଖି କିମ୍ବା ପଢ଼ିପାରିବି ନାହିଁ। ଆମେ ଯେତେବେଳେ ଜଣେ ଠେକେଦାର ଠାରୁ ଫୋନ ପାଉଥିଲୁ ଆମେ ରୋଜଗାର କରିବାକୁ ଚାଲି ଯାଉଥିଲୁ,’’ ସେ କୁହନ୍ତି।
ପୁରୁଣା ଦିନ କଥା ମନେ ପକାଇ ସେ କୁହନ୍ତି, ‘‘ସେତେବେଳେ ଅନନ୍ତନାଗ ଜିଲ୍ଲାରେ ମୋତେ କାମ ମିଳିଥିଲା। ଯେଉଁଦିନ ଆମେ ପହଞ୍ଚିଲୁ ହଠାତ୍ ସବୁକିଛି ବନ୍ଦ ହୋଇଗଲା। କିଛିଦିନ ପାଇଁ ମୁଁ ବେକାର ହୋଇ ବସି ରହିଲି। ପାଖରେ ଟଙ୍କାଟିଏ ନଥିଲା। କିନ୍ତୁ ଏଠାକାର ଗ୍ରାମବାସୀ ମୋତେ, ଆମ ସମସ୍ତଙ୍କୁ ସାହାଯ୍ୟ କଲେ। ଆମେ ୧୨ ଜଣ ସାଥୀ ହୋଇ ଆସିଥିଲୁ। ସେମାନେ ଆମକୁ ଖାଇବାକୁ ଦେଲେ। କୁହ, ବିନା କୌଣସି ଉଦ୍ଦେଶ୍ୟରେ ଦୁନିଆରେ କିଏ ଏମିତି କାହାକୁ ଖାଇବାକୁ ଦେବ?’’ ସେ ପ୍ରଶ୍ନ କରନ୍ତି। ବିନୋଦଙ୍କ ବାରଣକୁ ନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରି ସାଜିଦ ତାଙ୍କ ଥାଳିରେ ଆଉ ଖଣ୍ଡେ କୁକୁଡ଼ା ମାଂସ ଦେବା ଲାଗି ଆଗକୁ ନଇଁ ପଡ଼ୁଛନ୍ତି। ଏହି ସମୟରେ ବିନୋଦ ନିଜର କଥାବାର୍ତ୍ତା ଜାରି ରଖିଛନ୍ତି।
ବିନୋଦ କୁହନ୍ତି, ‘‘କାଶ୍ମୀର ଭାଷାର ଗୋଟିଏ ଶବ୍ଦ ସୁଦ୍ଧା ମୁଁ ବୁଝିପାରିବି ନାହିଁ । କିନ୍ତୁ ଏଠି ସମସ୍ତେ ହିନ୍ଦୀ ବୁଝନ୍ତି। ବର୍ତ୍ତମାନ ସୁଦ୍ଧା ସବୁକିଛି ଭଲ ଚାଲିଛି।’’
‘‘ଆଉ ଭୋଜପୁରୀ (ତାଙ୍କର ମାତୃଭାଷା)?’’ ଆମେ ତାଙ୍କୁ ପଚାରିଲୁ।
ସେ କୁହନ୍ତି, ‘‘ଏହା ବିଷୟରେ କ’ଣ? ଯେତେବେଳେ ମୋ ଗାଁ ସାଥୀମାନେ ଆସନ୍ତି, ଆମେ ଭୋଜପୁରୀରେ କଥା ହେଉ। କିନ୍ତୁ ଏଠି କାହା ସହିତ ଭୋଜପୁରୀରେ କଥା ହେବି? ଆପଣ କୁହନ୍ତୁ...?’’ ସେ ପ୍ରଶ୍ନ କରନ୍ତି। ତା’ପରେ ସେ ଟିକିଏ ହସି ଦେଇ କୁହନ୍ତି, ‘‘ମୁଁ ସାଜିଦ ଭୟାକୁ ମୋ ମାତୃଭାଷା ଟିକିଏ ଶିଖାଇ ଦେଇଛି। କା ହୋ ସାଜିଦ ଭାଇ? କଇସନ ବାନି? (କୁହନ୍ତୁ ସାଜିଦ ଭାଇ? କେମିତି ଅଛନ୍ତି?)’’
‘‘ଠିକବା (ମୁଁ ଭଲ ଅଛି),’’ ସାଜିଦ୍ ଉତ୍ତର ଦିଅନ୍ତି।
‘‘ଏଇଠି ଟିକିଏ ଭୁଲ ହୋଇଗଲା, ଏମିତି ହୁଏ। କିନ୍ତୁ ଆର ଥର ଏଠାକୁ ଆସିଲେ ମୋ ଭାଇ ମୁଁ ରିତେଶ (ଜଣେ ଭୋଜପୁରୀ ଅଭିନେତା)ଙ୍କ ଏକ ଗୀତ ଆପଣଙ୍କ ପାଇଁ ଗାଇଦେବି!’’
ଦିଲ୍ଲୀରୁ ମହମ୍ମଦ କମର ତବ୍ରେଜ; ପଶ୍ଚିମବଙ୍ଗରୁ ସ୍ମିତା ଖାଟୋର, କର୍ଣ୍ଣାଟକରୁ ପ୍ରତିଷ୍ଠା ପାଣ୍ଡ୍ୟା ଓ ଶଙ୍କର ଏନ. କେଞ୍ଚାନୁର; କାଶ୍ମୀରରୁ ଦେବେଶ, ତାମିଲନାଡ଼ୁରୁ ରାଜସଙ୍ଗୀତନ; ଛତିଶଗଡ଼ରୁ ନିର୍ମଳ କୁମାର ସାହୁ; ଆସାମରୁ ପଙ୍କଜ ଦାସ; କେରଳରୁ ରାଜିବ ଚେଲାନାଟ; ମହାରାଷ୍ଟ୍ରରୁ ଜୟଦୀପ ହାର୍ଦ୍ଦିକର ଓ ସ୍ୱ ର୍ଣ୍ଣ କାନ୍ତା; ପଞ୍ଜାବରୁ କମଲଜିତ କୌର ଏହି ଷ୍ଟୋରୀ ପାଇଁ ରିପୋର୍ଟ ସଂଗ୍ରହ କରିଛନ୍ତି ଏବଂ ମେଧା କାଲେ, ସ୍ମିତା ଖାଟୋର, ଜୋଶୁଆ ବୋଧିନେତ୍ର ଓ ସ ନ୍ୱି ତୀ ଆୟାରଙ୍କ ସମ୍ପାଦକୀୟ ସହାୟତାରେ ପ୍ରତିଷ୍ଠା ପାଣ୍ଡ୍ୟାଙ୍କ ଦ୍ୱାରା ସମ୍ପାଦିତ ହୋଇଛି । ବିନାଇଫର ଭରୁଚାଙ୍କ ଦ୍ୱାରା ଫଟୋ ଏଡିଟିଂ କରାଯାଇଛି । ଶ୍ରେୟା କୁଲକର୍ଣ୍ଣୀ ଭିଡିଓ ଏଡିଟିଂ କରିଛନ୍ତି।
ପ୍ରଚ୍ଛଦ ଅଳଙ୍କରଣ : ଲାବଣୀ ଜାଙ୍ଗୀ
ଅନୁବାଦ: ଓଡ଼ିଶାଲାଇଭ୍