ପ୍ରତି ବୁଧବାର ସକାଳ ୧୦ଟାରୁ, ବିଭିନ୍ନ ଗାଁରୁ ଆସିଥିବା ଆଦିବାସୀମାନେ ଆମବେଡା ଗାଁର ସାପ୍ତାହିକ ହାଟରେ ଏକତ୍ରିତ ହୁଅନ୍ତି। ଆମବେଡାର ଜଣେ ଗଣ୍ଡ ଆଦିବାସୀ ସମାଜସେବୀ ସୁକୟ କଶ୍ୟପଙ୍କ କହିବା ଅନୁସାରେ ପ୍ରାୟ ୪୫ରୁ ୫୦ ଟି ଗାଁର ଲୋକେ ଏଠାକୁ ଆସନ୍ତି। ଏହି ଅନୁନ୍ନତ ଗାଁ ଗୁଡିକରେ କୌଣସି ତେଜରାତି ଦୋକାନ ନ ଥିବା କାରଣରୁ ସେମାନେ ସପ୍ତାହକ ପାଇଁ ନିତ୍ୟବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ଜିନିଷପତ୍ର କିଣିବା ପାଇଁ ଛତିଶଗଡ କାଙ୍କର ଜିଲ୍ଲାର ଅନ୍ତଗଡ ବ୍ଲକ(ଉତ୍ତର ବସ୍ତର)ରେ ଥିବା ଏହି ହାଟକୁ ଆସନ୍ତି।
ପ୍ରାୟ ୩୦ କିଲୋମିଟର ପରିଧି ଅଞ୍ଚଳରୁ, ପଖନଜୁର ତହସିଲରୁ ପନିପରିବା ଓ ମାଛ ବିକାଳି ଏବଂ କେଶକଲ ଓ ଧନୋରା ବ୍ଲକରୁ ବ୍ୟବସାୟୀମାନେ ଆମବେଡାକୁ ସେମାନଙ୍କ ଉତ୍ପାଦ ବିକ୍ରି କରିବାକୁ ଆସନ୍ତି। ହାଟରେ ବିକ୍ରି ହେଉଥିବା ପନିପରିବା ଭିତରେ ଥାଏ ଆଳୁ, ପିଆଜ, ବିଲାତି, ବାଇଗଣ, ବନ୍ଧାକୋବି, ଫୁଲକୋବି ଏବଂ କଞ୍ଚାଲଙ୍କା ଇତ୍ୟାଦି। ଆଦିବାସୀଙ୍କ ଭିତରୁ ଅନେକ ମକା, ଯଅ ଓ ଚାଉଳ ବିକ୍ରି କରିବାକୁ ଆଣନ୍ତି। କେତେକ ମହୁଲ ଫୁଲ, ପହଁରା, ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ବି ଆଣନ୍ତି। କେତେଜଣ ମସଲା, ତେଲ ଓ ସାବୁନ ବି ବିକ୍ରି କରନ୍ତି। କୁମ୍ଭାର ମାନେ ମାଟି ଜିନିଷ ଆଣନ୍ତି, କମାର ଶ୍ରମିକ ଓ କୃଷକଙ୍କ ପାଇଁ ଆବଶ୍ୟକୀୟ ବିଭିନ୍ନ ଉପକରଣ ବିକ୍ରି କରନ୍ତି। ବାହାରର ବ୍ୟବସାୟୀମାନେ ଆସିବା ଫଳରେ କିଛି ବର୍ଷ ହେଲା ହାଟର କଳେବର ବୃଦ୍ଧି ପାଇଛି। ସେମାନେ ଘଣ୍ଟା, ପ୍ଲାଷ୍ଟିକ୍ ବାଲଟି, ମଗ, ହେୟାର କ୍ଲିପ୍ ଓ ଅନ୍ୟାନ୍ୟ ଜିନିଷ ଆଣନ୍ତି। ସେମାନେ ମଧ୍ୟ ବ୍ୟାଟେରୀ ଦ୍ୱାରା ପରିଚାଳିତ ଟ୍ରାନଜିଷ୍ଟର ରେଡିଓ, ଚାର୍ଜର ଓ ବିଭିନ୍ନ ଆକାରର ଟର୍ଚ୍ଚ ବିକ୍ରି କରିବାକୁ ଆଣନ୍ତି, ଯାହାକି ଅନ୍ଧାରିଆ ଜଙ୍ଗଲ ରାସ୍ତାରେ ସଂଧ୍ୟା ବା ରାତିରେ ଲୋକଙ୍କ ଯାତାୟାତ ପାଇଁ ଅତ୍ୟାବଶ୍ୟକୀୟ।
ଯଦିଓ ନିକଟବର୍ତ୍ତୀ ଗାଁ ଗୁଡିକରେ ବି ଏହିପରି ସାପ୍ତାହିକ ବଜାର ଅଛି, କିନ୍ତୁ ଆମବେଡା ହାଟ ସେ ସବୁ ମଧ୍ୟରୁ ପୁରୁଣା। ମୁଁ ଭେଟିଥିବା ଅଧିକାଂଶ ବୃଦ୍ଧ ବୃଦ୍ଧାଙ୍କ କହିବା ଅନୁସାରେ ସେମାନେ ପିଲା ଦିନରୁ ହିଁ ଏହି ହାଟକୁ ଆସୁଛନ୍ତି। କିନ୍ତୁ ପୂର୍ବରୁ ହାଟରେ ଅଦଳ ବଦଳ ବ୍ୟବସ୍ଥା ଚାଲୁଥିଲା। ଉଦାହରଣ ହେଲା, ଲୁଣ ପାଇଁ ଧାନ। ଏବେ ଦିନ ମଜୁରୀ ବା ଅନ୍ୟ କାମରୁ ଲୋକେ ଆୟ କରୁଥିବା ଟଙ୍କା ହିଁ କିଣାବିକାର ମାଧ୍ୟମ ହୋଇଛି।
୫୩ ବର୍ଷୀୟ କେଶବ ସୋରି କହନ୍ତି, “ମୁଁ ଯେତେବେଳେ ପିଲା ଥିଲି(ପ୍ରାୟ ୮ ବର୍ଷ ବୟସର) ମୁଁ ମୋ ମାମୁଁଙ୍କ ସହ ପ୍ରାୟ ହାଟକୁ ଆସୁଥିଲି।” ସୋରି କାଙ୍କର ସ୍ଥିତ ଏକ ସ୍ୱେଚ୍ଛାସେବୀ ସଂଗଠନରେ କାମ କରୁଛନ୍ତି। ସେ କହନ୍ତି ମୋ ମାମୁଁ ଅଞ୍ଜୁରାମ ସୋରୀ ହାଟକରା ଗାଁର ଜଣେ ବାଉଁଶ ପାଛିଆ ବୁଣାଳି ଥିଲେ, ଏବଂ ସେ ଗୋଟିଏ ସାଇକେଲରେ ସେ ହାଟକୁ ଆସୁଥିଲେ। ପୂର୍ବ ଦିନ ସଂଧ୍ୟାରୁ ଆମେ ଯାତ୍ରା ଆରମ୍ଭ କରୁଥିଲୁ, ରାସ୍ତାରେ ରାତିରେ ରହୁଥିଲୁ, ପରଦିନ ଭୋରରୁ ପୁଣି ଯାତ୍ରା ଆରମ୍ଭ କରୁଥିଲୁ। ସେତେବେଳେ ଅଧିକାଂଶ କିଣାବିକା ଦ୍ରବ୍ୟ ଅଦଳ ବଦଳ ମାଧ୍ୟମରେ ହେଉଥିଲା। ଖୁବ୍ କମ୍ ଲୋକ ଟଙ୍କା ବ୍ୟବହାର କରୁଥିଲେ। ମୋ ମାମୁଁ ମଧ୍ୟ ଚାଉଳ ଓ ଅନ୍ୟାନ୍ୟ ଜିନିଷପତ୍ର ପାଇଁ ତାଙ୍କ ବାଉଁଶ ପାଛିଆ ବିକ୍ରି କରୁଥିଲେ।
କାଙ୍କର ସହରଠାରୁ ୩୫ କିଲୋମିଟର ଦୂରରେ ରହିଛି ଆମବେଡା ହାଟ। ଏହା ଏକ ଜଙ୍ଗଲିଆ ଅଞ୍ଚଳ,ଯେଉଁଠାକୁ ରାସ୍ତା ଓ ଗମନାଗମନ ସୁବିଧା ଅତ୍ୟନ୍ତ ଦୁର୍ବଳ, କୌଣସି ବସ୍ ଯାଏ ନାହିଁ, କେବଳ ବୋଲେରୋ ଟ୍ୟାକ୍ସି ବା ଟେମ୍ପୋ ଚଳାଚଳ କରନ୍ତି। ଏହି ଅଞ୍ଚଳ ନକ୍ସଲ ହିଂସା ଦ୍ୱାରା ପ୍ରଭାବିତ। ପୋଲିସ୍ ନିୟମିତ ଭାବେ ଯାନବାହନ ଯାଂଚ କରନ୍ତି। ସେମାନେ ଆମର ଗାଡିକୁ ବି ଯାଂଚ କରିଥିଲେ, ଆମେ କେଉଁଠାରୁ ଆସିଛୁ, କାହିଁକି ହାଟକୁ ଯାଉଛୁ ସେ ବାବଦରେ ବି ଆମକୁ ପଚାରିଥିଲେ।
ଅପରାହ୍ନ ବେଳକୁ ଆମେ ଆମବେଡାରେ ପହଞ୍ଚି ଯାଇଥିଲୁ, ଯେତେବେଳେ ବିଣାବିକା ଜୋରସୋରରେ ଚାଲିଥିଲା। ଅପରାହ୍ନ ୧ଟାରୁ ୩ଟା ପରେ ଏମିତି ଜୋରସୋରରେ କିଣାବିକା ପରେ ଲୋକେ ହାଟରୁ ନିଜ ନିଜ ଗାଁ ଅଭିମୁଖେ ଫେରିବାକୁ ଆରମ୍ଭ କରନ୍ତି। ଏବଂ ଆମେ ଗୋଟିଏ ଗଞ୍ଜା ଲଢେଇ ଦେଖିବାକୁ ଠିକ୍ ସମୟରେ ପହଞ୍ଚି ଯାଇଥିଲୁ। ଗଞ୍ଜା ଲଢେଇ ଏକ ଲୋକପ୍ରିୟ ଖେଳ ଏବେ ଏହା ଭାରତର ଅଧିକାଂଶ ସ୍ଥାନରେ ଆଦିବାସୀ ହାଟ ଗୁଡିକରେ ଦେଖିବାକୁ ମିଳେ। ମୁଁ ଛତିଶଗଡ, ଓଡିଶା, ଆନ୍ଧ୍ରପ୍ରଦେଶ ଓ ଝାଡଖଣ୍ଡରେ ଏହା ଦେଖିଛି। ଗାଁ ଲୋକଙ୍କ ପାଇଁ ଗୋଟିଏ ଲଢୁଆ ଗଞ୍ଜାର ମାଲିକ ହେବା ଏବଂ ଲଢେଇରେ ଜିତିବା ଗର୍ବର କଥା।
ଗୋଟିଏ ବଡ ଲଢେଇ ପାଇଁ ଆମବେଡାରେ ପ୍ରାୟ ୨୦୦ ପୁରୁଷ (ମହିଳା ନଥାନ୍ତି) ଏକତ୍ରିତ ହୋଇଥାଆନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୫୦ ଜଣ ନିଜର ଗଞ୍ଜା ନେଇ ଆସିଥାନ୍ତି, ଅନ୍ୟମାନେ ଦର୍ଶକ, ଯେଉଁମାନେ ନିଜ ନିଜ ଭିତରେ ଲଢେଇ କରୁଥିବା ଗଞ୍ଜା ସବୁ ପାଇଁ ବାଜି ମାରନ୍ତି। ୧୦୦ ଟଙ୍କାରୁ ଆରମ୍ଭ କରି ଏମିତିକି ୫,୦୦୦ ଟଙ୍କା (ସେମାନେ ମୋତେ କହିଲେ) ଯାଏଁ ବାଜି ଲଗାଯାଏ। ୫ରୁ ୧୦ ମିନିଟ ସମୟର ପ୍ରାୟ ୨୦ରୁ ୨୫ ଥର ଲଢେଇ ହୁଏ, ଯେତେବେଳ ଯାଏଁ ଗୋଟିଏ ପ୍ରତିଯୋଗୀ ଗୁରୁତର ଭାବେ ଆହତ ବା ମୃତ ନ ହୋଇଛି। ବିଜେତା ମାଲିକ ମୃତ କୁକୁଡାକୁ ହାସଲ କରେ, ଏବଂ ପରେ ନିଜ ଘରେ ଭୋଜି କରେ। ଲଢେଇ ଚାଲିଥିବାବେଳେ ଗୋଟିଏ କୁସ୍ତି ଆଖଡା ଭଳି ଏଠାରେ ବି ଲୋକେମାନେ ପାଟି କରି ଉତ୍ସାହିତ କରନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍