ଏବଂ ସେମାନଙ୍କର କ୍ଳାନ୍ତ ଆଖି କ’ଣ ଦେଖିବ?
ବିକ୍ଷିପ୍ତ ହୋଇପଡ଼ିଥିବା କ୍ଷତାକ୍ତ ସ୍ୱପ୍ନ!
ଭାଙ୍ଗି ପଡ଼ିଥିବା ସ୍ୱର୍ଗୀୟ ଯୋଜନା!
(ଶ୍ରୀରଙ୍ଗମ ଶ୍ରୀନିବାସ ରାଓଙ୍କର ‘ଦ ଡିଫିଟେଡ୍’ରୁ ଅନୁବାଦ କରାଯାଇଛି, ତାଙ୍କର ମୂଳ ରଚନା ୧୯୩୫ ମସିହାର ତେଲୁଗୁ କବିତା ‘ପାରିଜାତୁଲୁ’)
ଘର ଭଙ୍ଗା ଦଳ ଭୋର ୫ଟାରୁ ଆସିଲେ। ‘‘ସେମାନେ ଆମକୁ ଘର ଭିତରୁ ନିଜର ଆବଶ୍ୟକ ଜିନିଷ ବାହାର କରିବା ପାଇଁ ମଧ୍ୟ ସମୟ ଦେଲେ ନାହିଁ,’’ କହିଲେ ଡି. ଗାଙ୍ଗୁଲାମ୍ମା, ତାଙ୍କ ବୟସ ପ୍ରାୟ ୪୦ ପାଖାପାଖି ଏବଂ ସେ ଜଣେ ଦିନ ମଜୁରିଆ ଭାବରେ କାମ କରନ୍ତି, ଯେ କି ଆନ୍ଧ୍ରପ୍ରଦେଶର ଅନନ୍ତପୁର ସହର ଉପକଣ୍ଠରେ ବିଜୟନଗର କଲୋନୀରେ ବାସ କରନ୍ତି। ‘‘ସେମାନେ ଆମ ଜୀବନକୁ ଠେଲି ଆଣି ରାସ୍ତାରେ ଠିଆ କରାଇଦେଲେ।’’
ଏହି ବାସିନ୍ଦାମାନଙ୍କର ଆକଳନ ଅନୁଯାୟୀ ପ୍ରାୟ ଆଠଟି ବୁଲ୍ଡୋଜର ଓ ୨୦୦ ପାଖାପାଖି ପୋଲିସଙ୍କ ସହିତ ଆଠ ଜଣ କନେଷ୍ଟବଳ ସେମାନଙ୍କ ସହିତ ଦିନ ୯ଟାରେ ଯୋଗ ଦେଇଥିଲେ - ସେମାନେ ଏହି କଲୋନୀରେ ପ୍ରାୟ ୩୦୦ ଘର ରହିଥିବା ୧୫୦ଟି ବାସଗୃହ ଧ୍ୱଂସ କରିଦେଇଥିଲେ। ଅଧିକାଂଶ ଘର ଗତ ୩-୪ ବର୍ଷ ଭିତରେ ତିଆରି ହୋଇଥିଲା, ଏହି କଲୋନୀରେ ଅତ୍ୟନ୍ତ ଗରିବ ଲୋକ ରହୁଥିଲେ।
ଫଟା ପ୍ଲାଷ୍ଟିକ୍ ବାଲ୍ଟି, ଚିରି ଯାଇଥିବା ସ୍କୁଲ୍ ବହି, ଭାଙ୍ଗି ଯାଇଥିବା ଠାକୁରଙ୍କ ଫଟୋ, ମଇଳା ଲୁଗାର ଗଦା ଓ ଅନ୍ୟାନ୍ୟ ଜିନିଷ - ଭୟ ଓ ତରତରରେ ସବୁକିଛି ଛାଡ଼ି ଆସିଲେ - ଏବେ ତାଙ୍କ ଘରର ଧ୍ୱଂସାବଶେଷ ମଧ୍ୟରେ ବିକ୍ଷିପ୍ତ ହୋଇ ପଡ଼ିଛି।
ପ୍ରାୟ ଛଅଟି ପରିବାର ଯାହାର ଘର ଭାଙ୍ଗି ଦିଆଯାଇଛି ସେମାନେ ଏହି ଘର ଭଙ୍ଗା ଯିବାର ମାତ୍ର ସପ୍ତାହେ ପୂର୍ବରୁ ଅଗଷ୍ଟ ୩ ତାରିଖରେ ଏଠାକୁ ଆସିଥିଲେ। ଘରେ ବସି ଦରଜୀ କାମ କରୁଥିବା ପର୍ବିନ୍ ଭାନୁ କହିଲେ ‘‘ଆମ୍ଭେମାନେ ଗତ ସପ୍ତାହରେ ଏଠାକୁ ଆସିଥିଲୁ’’। ତାଙ୍କର ସ୍ୱାମୀ ଜଣେ ଦିନ ମଜୁରିଆ। ଦୁହେଁ ଅନନ୍ତପୁରର ଭବାନୀ କଲୋନୀରୁ ବିଜୟନଗର କଲୋନୀକୁ ଆସିଥିଲେ। ଅନ୍ୟ କେତେକ ପରିବାର ମଧ୍ୟ ଅନନ୍ତପୁରର ବସ୍ତି ଅଞ୍ଚଳରୁ ଏଠାରେ ଭଡ଼ା କମ୍ ବୋଲି ଏଠାକୁ ଚାଲିଆସିଥିଲେ। ‘‘ସେମାନେ ଆସିଲେ ଓ ଆମ ଘର ଭାଙ୍ଗି ଦେଲେ,’’ ପର୍ବିନ୍ କହିଲେ। ‘‘ସେମାନେ ଆମକୁ ଆମେ ମୂଳଦୁଆ ପକାଇବା ପୂର୍ବରୁ ଜଣାଇ ଦେଇଥାନ୍ତେ।’’
ବିଜୟନଗର କଲୋନୀର ଅଧିକାଂଶ ବାସିନ୍ଦା ହେଉଛନ୍ତି ଦଳିତ, ଅନୁସୂଚିତ ଜନଜାତି ଏବଂ ମୁସଲମାନ; ସେମାନଙ୍କ ମଧ୍ୟରୁ ଅଧିକାଂଶ ଘର ସଫା କରିବା, ମଜୁରିଆ, ଫଳ ଓ ଫୁଲ ବିକାଳୀ ଭାବରେ କାମ କରନ୍ତି କିମ୍ବା ଅନ୍ୟ ଖୁଚୁରା ବ୍ୟବସାୟ କରନ୍ତି। ମହମ୍ମଦ ହୁସେନ୍ଙ୍କ ପରି ଅନେକ ଯାଯାବର ଶ୍ରମିକ ମଧ୍ୟ ଅନନ୍ତପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଛନ୍ତି। ହୁସେନ୍ ହେଉଛନ୍ତି ବୃତ୍ତିରେ ଜଣେ ଦରଜୀ। ସେ ପ୍ରାୟ ୨୦ ବର୍ଷ ପୂର୍ବେ ଗାଁରେ ତାଙ୍କ ବ୍ୟବସାୟ କରିବା ପରେ ଧର୍ମାଭରମରୁ ଏଠାକୁ ଆସିଥିଲେ, କାରଣ କୃଷି ଓ ବୁଣାବୁଣି କ୍ଷେତ୍ରରେ ଗ୍ରାହକମାନଙ୍କ ନିର୍ଭରଶୀଳତା ହ୍ରାସ ପାଇଥିଲା। ସେ କହନ୍ତି, ‘‘ଆମେ ଜୀବିକା ପାଇଁ ଏଠାକୁ ଆସିଥିଲୁ।’’ ଆମେ ଅଗଷ୍ଟ ୩ ତାରିଖରେ ଆମ ଘର ହରାଇଲୁ, ଯାହାକି ମାତ୍ର ୩ ବର୍ଷ ତଳେ ତିଆରି କରିଥିଲୁ।
ବିଜୟନଗର କଲୋନୀ ପ୍ରାୟ ୩୦ ବର୍ଷ ପୁରୁଣା। ଭଙ୍ଗା ଯାଇଥିବା ଘରଗୁଡ଼ିକ ଗତ କିଛି ବର୍ଷ ମଧ୍ୟରେ ତିଆରି ହୋଇଥିଲା, ସେଗୁଡ଼ିକ ବର୍ଷ ବର୍ଷ ଧରି ବୃଷ୍ଟିପାତ ହ୍ରାସ ପାଇବା ଯୋଗୁଁ ବୁକାରାୟସମୁଦ୍ରମ୍ ଏବଂ ଚିକାବଡ଼ିଆଲୁ ଚେରୁଭୁ ନାମକ ଦୁଇଟି ହ୍ରଦ ଶୁଖିଯିବା କାରଣରୁ ସୃଷ୍ଟି ହୋଇଥିବା ଖାଲି ସ୍ଥାନ ଉପରେ ଗଢ଼ା ଯାଇଥିଲା।
ଯେତେବେଳେ ୨୦୧୪, ଜୁନ୍ ମାସରେ ନୂଆ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ସରକାର କ୍ଷମତାକୁ ଆସିଥିଲା, ବର୍ତ୍ତମାନର ବାସହରା ବିଜୟନଗର ବସ୍ତିବାସିନ୍ଦାଙ୍କୁ ସ୍ଥାନୀୟ ଟିଡିପି କର୍ପୋରେଟର ଆର. ଉମାମହେଶ୍ୱର ଆଶ୍ୱାସନା ଦେଇଥିଲେ ଯେ ସେମାନେ ଏଠାରେ ତାଙ୍କ ପାଇଁ ଘର ତିଆରି କରିଦେବେ। ତେଣୁ ସେମାନେ ଘର ତିଆରି କରିଦେଲେ ଏବଂ ଇଲେକ୍ଟ୍ରିସିଟି ମିଟର ଦେଲେ ଓ ଆମେ ମଧ୍ୟ ବିଦ୍ୟୁତ୍ ବିଲ୍ ପୈଠ କରୁଥିଲୁ।
କିନ୍ତୁ ଏହି ଘର ଭାଙ୍ଗିବା ନୋଟିସ୍ ଜୁନ୍ ୮, ୨୦୧୭ରେ ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ଏକ ରିଟ୍ ପିଟିସନ୍ରେ ଦାଖଲ କରାଯାଇଥିଲା, ଉଚ୍ଚତମ ନ୍ୟାୟାଳୟର ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଜୁଲାଇ ୨୫, ୨୦୦୧ ଏବଂ ଦୁଇଟି ମେମୋ ଦାଖଲ କରାଯାଇଥିଲା; ସେମାନେ କହନ୍ତି ଯେ ଏହି କାରଣରୁ ସେମାନଙ୍କୁ ହ୍ରଦ ରହିଥିବା ସ୍ଥାନରେ ଗଢ଼ି ଉଠିଥିବା ଘରଗୁଡ଼ିକ ଭାଙ୍ଗିବାକୁ ପଡ଼ିଥିଲା। ଘର ଭଙ୍ଗା କାର୍ଯ୍ୟର ତଦାରଖ କରୁଥିବା ଅନନ୍ତପୁରର ରାଜସ୍ୱ ବିଭାଗୀୟ ଅଧିକାରୀ ଏ. ମଲୋଲା କହନ୍ତି ‘‘ଏହା ହେଉଛି ଏକ ହ୍ରଦ’’। ସେ ପୁଣି ମଧ୍ୟ କହନ୍ତି ଯେ ଉଚ୍ଚତମ ନ୍ୟାୟାଳୟ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କୁ ଜବର ଦଖଲ ହୋଇଥିବା ଜମି ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇ ଏକାଧିକ ରାୟ ପ୍ରଦାନ କରିଛନ୍ତି। ସେ ପଚାରିଥିଲେ ‘‘ଯଦି କେହି ଏକ ହ୍ରଦକୁ ଜବରଦଖଲ କରନ୍ତି ଆପଣ ଏହାକୁ ଗ୍ରହଣ କରିବେ କି?’’ ଏବଂ ସେ ଜୋର୍ ଦେଇ କହିଥିଲେ ଯେ ମାତ୍ର ୧୦ରୁ ୧୫ଟି ଘରେ ଲୋକ ରହୁଥିଲେ ଏବଂ ‘‘ଅବଶିଷ୍ଟ ଘର ଖାଲି ଥିଲା।’’
ଅବଶ୍ୟ, ଏହି ବସ୍ତିର ଲୋକେ ଅଭିଯୋଗ କରିଥିଲେ ଯେ ସରକାରୀ ଅଧିକାରୀମାନେ ତାଙ୍କର ଘର ଭାଙ୍ଗି ସେମାନଙ୍କ ଜୀବନକୁ ଧ୍ୱଂସ କରିବା ପୂର୍ବରୁ ଆଗୁଆ ସୂଚନା ଦେଇନଥିଲେ। ‘‘ସେମାନେ ସକାଳୁ ଘରଗୁଡ଼ିକରେ ନୋଟିସ୍ ଲଗାଇଥିଲେ (ସେହି ଦିନ ସକାଳେ) ଏବଂ ସେହି ଘରଗୁଡ଼ିକୁ ଭାଙ୍ଗିବା କାମ ଚାଲୁ ରଖିଥିଲେ। ପୋଲିସ ସେମାନଙ୍କୁ ଠେଲି ବାହାର କରୁଥିଲା। ମୁଁ ସେଠାରୁ ଦୌଡ଼ି ପଳାଇଲି,’’ ସ୍ଥାନୀୟ ମ୍ୟୁନିସିପାଲ୍ ସ୍କୁଲରେ ପଢ଼ୁଥିବା ଷଷ୍ଠ ଶ୍ରେଣୀର ବାଳକ ବି. ଅନିଲ୍ କୁମାର, ବୟସ ପ୍ରାୟ ୧୨ ବର୍ଷ ହେବ କହନ୍ତି।
ଅନ୍ୟମାନେ ଏହି ଘଟଣାକ୍ରମ ବିଷୟରେ କହିଲେ। ସେମାନେ କହିଲେ ଏହି ସରକାରୀ ନୋଟିସଗୁଡ଼ିକରେ ଜୁଲାଇ ୨୫ ଭାବରେ ପଛୁଆ ତାରିଖ ପକାଯାଇଛି ଏବଂ ସେମାନଙ୍କ ଘର ଭଙ୍ଗାଯିବାର ମାତ୍ର କେଇ ମିନିଟ୍ ପୂର୍ବରୁ ସେସବୁ ଭାଙ୍ଗି ଦିଆଯାଇଥିଲା। ‘‘ସେମାନେ ଆମ ଆଖି ଆଗରେ ଘରେ ନୋଟିସ୍ ଲଗାଇଲେ ଏବଂ ଆମ ଘର ଭାଙ୍ଗିଦେଲେ। ଆମ ମଧ୍ୟରୁ କେତେ ଜଣ ମୋବାଇଲ୍ରେ ଏହା ଫଟୋ ଉଠାଇବାକୁ ଚେଷ୍ଟା କଲୁ କିନ୍ତୁ ସେମାନେ ଆମ ଫୋନ୍ ଛଡ଼ାଇନେଲେ।’’ କହନ୍ତି ପି. ଜଗଦିଶ, ଯେ କି ବିଜୟନଗର କଲୋନୀରେ ଜନ୍ମ ହୋଇଥିଲେ କିନ୍ତୁ କିଛି ବର୍ଷ ତଳେ ନିଜ ଘରକୁ ଚାଲିଯାଇଛନ୍ତି।
ଅନନ୍ତପୁର ସହରରେ ଦିନମଜୁରିଆ ଭାବରେ କାମ କରୁଥିବା ଏସ୍. ପର୍ବିଣ, ଯାହାର ବୟସ ୨୮ ବର୍ଷ, କହିଲେ ‘‘ଏପରିକି ଘୁଷୁରୀମାନଙ୍କୁ ମଧ୍ୟ ଅନ୍ୟ ସ୍ଥାନକୁ ନେଲା ବେଳେ (ରାଜ୍ୟର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅଧିକାରୀଙ୍କ ଦ୍ୱାରା) କିଛି ସମୟ ଦିଆଯାଏ’’। ଦିନକୁ ୧୬୦ ଟଙ୍କା ପାରିଶ୍ରମିକ ପାଇଁ ତାଙ୍କୁ ୧୫୦ଟି ସିମେଣ୍ଟ ଇଟା ତିଆରି କରିବାକୁ ପଡ଼େ, ପ୍ରତିଟି ଇଟାର ଓଜନ ୨୦ କିଲୋଗ୍ରାମ୍ ହୋଇଥାଏ। ପର୍ବିଣଙ୍କର ସ୍ୱାମୀ ସହରରେ ରାଜମିସ୍ତ୍ରୀ ଭାବରେ କାମ କରନ୍ତି। ଏହି ପରିବାର ବର୍ଷେ ତଳେ ସେ ସଭ୍ୟା ଥିବା ଏକ ସଞ୍ଚୟ ଗୋଷ୍ଠୀରୁ ପ୍ରାୟ ୩ ଲକ୍ଷ ଟଙ୍କା ଋଣ ନେଇ ଘର ତିଆରି କରିଥିଲେ; ସାହୁକାର ପାଖରୁ ମଧ୍ୟ କିଛି ଋଣ ନେଇଥିଲେ। ଏହି ଚାରି ଜଣିଆ ପରିବାରର ମାସିକ ଆୟ ପ୍ରାୟ ୧୨,୦୦୦ ଟଙ୍କା, ସେମାନେ ପ୍ରତି ମାସରେ ଋଣର ସୁଧ ବାବଦକୁ ୭,୦୦୦ ଟଙ୍କା ଦେଉଛନ୍ତି। ଘର ଚଳାଇବାକୁ ପୁଣି ଋଣ କରିବାକୁ ପଡ଼ୁଛି।
ଘର ଭାଙ୍ଗିଯିବା ପରେ, ନିରାଶ ପର୍ବିଣ କଲେକ୍ଟରଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ନିଜ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇଦେବାକୁ ଉଦ୍ୟମ କରିଥିଲେ କିନ୍ତୁ ପୋଲିସ ଅଟକାଇ ଦେଲା। ‘‘ଯଦି ସେମାନେ ଆମକୁ ଆଗୁଆ କହିଥାନ୍ତେ, ଆମେ ହୁଏତ କବାଟ ଝରକା ବିକ୍ରି କରିଦେଇଥାଆନ୍ତୁ...’’ ସେ କହନ୍ତି। ସାରା ପରିବାର ଅଳିଆ ଗଦା ଭିତରୁ ତାଙ୍କର ସାଇତି ରଖିଥିବା ସମ୍ବଳ ସାଉଁଟୁଥିଲେ, ଲୁହାର ଥାକ, ଲୁଗାପଟା ଆଉ କିଛି ବାସନକୁସନ। କିନ୍ତୁ ଫ୍ୟାନ୍, ଲାଇଟ୍, ଅନ୍ୟାନ୍ୟ ଜିନିଷ ଭାଙ୍ଗି ଯାଇଥିଲା।
ଗାଙ୍ଗୁଲାମ୍ମା ନିଜ ଉପରେ ମଧ୍ୟ କିରୋସିନ୍ ଢ଼ାଳି ଦେଇଥିଲେ। ସେ କହିଲେ ‘‘ମୁଁ ଭାବିଲି ସେମାନଙ୍କୁ ଅଟକାଇପାରିବି... ଯଦି ମୁଁ ନିଜକୁ ନିଆଁ ଲଗାଇଦେବି ସେମାନେ ଆମ ଘର ଛାଡ଼ି ଚାଲିଯିବେ।’’ କିନ୍ତୁ ପୋଲିସ ତାଙ୍କର ନିଜ ଦେହରେ ନିଆଁ ଲଗାଇବା ଉଦ୍ୟମ ପଣ୍ଡ କରିଦେଲା ଏବଂ ସେ କହନ୍ତି, ‘‘ସେମାନେ ଆମ ଘର ଭାଙ୍ଗି ଚାଲିଲେ।’’
କେବଳ ସେତିକି ନୁହେଁ ଏହି ବାସିନ୍ଦାମାନଙ୍କୁ ସରକାରୀ ଅଧିକାରୀମାନେ ଏବଂ ପୋଲିସମାନେ ଶାରୀରିକ ଦୁର୍ବ୍ୟବହାର କରିବା ସହିତ ଗାଳି ଦେଇଥିବାର ମଧ୍ୟ ଅଭିଯୋଗ କରିଛନ୍ତି - ଅବଶ୍ୟ ମାଲୋଲା, ରାଜସ୍ୱ ବିଭାଗୀୟ ଅଧିକାରୀ କହିଛନ୍ତି ଯେ ତାଙ୍କ ବିଭାଗର ଲୋକେ ଏପରି କିଛି କରିନାହାନ୍ତି। ଜଣେ ଗୃହିଣୀ, ବି. ଶୋଭା କହିଛନ୍ତି ଯେ ‘‘ମୋତେ ଠେଲି ଦେଲେ ଏବଂ ମୁଁ ଘର ବାହାରେ ଥିବା ଖାଲରେ ଜମିଥିବା ପାଣିରେ ପଡ଼ିଗଲି’’। ଶୋଭାଙ୍କର ସ୍ୱାମୀ ଜଣେ ସାର ଦୋକାନୀ। ଶୋଭା ଗର୍ଭବତୀ ଅଛନ୍ତି ଏବଂ ସେ ଯେତେବେଳେ ପଡ଼ିଗଲେ କାଖରେ ତିନି ବର୍ଷର ଝିଅ ଗୀତିକାଙ୍କୁ ଧରିଥିଲେ ବୋଲି ପଡୋଶୀମାନେ କହିଲେ।
ଘର ଭାଙ୍ଗିବାର ସପ୍ତାହେରୁ ଅଧିକ ହେଲାଣି, ଅଧିକାଂଶ ଲୋକେ ଏ ପର୍ଯ୍ୟନ୍ତ ମାନସିକ ଆଘାତରୁ ମୁକୁଳିପାରିନାହାନ୍ତି, ସେମାନଙ୍କ ଆଖି ଆଗରେ ଏବେବି ବୁଲଡୋଜର ଘର ଭାଙ୍ଗୁଥିବାର ଚିତ୍ର ନାଚି ଯାଉଛି। ପି. ଭାରତୀ କହନ୍ତି, ‘‘ମୁଁ ଦୁଇ ଥର ଚେତା ହରାଇଲିଣି। ଚିନ୍ତା ମାଡ଼ିବସୁଛି (ଏବେ), ଖାଇବାକୁ ଖାଦ୍ୟ ନାହିଁ କି ପିଇବାକୁ ପାଣି ମଧ୍ୟ ନାହିଁ’’ ‘‘ମୋ ପିଲାମାନେ ସପ୍ତାହେ ହେଲା ସ୍କୁଲ୍ ଯାଇନାହାନ୍ତି। ଖାଇବାକୁ ମୁଠେ ନାହିଁ ପିଲାଙ୍କୁ ସ୍କୁଲ୍ କିପରି ପଠାଇବି?’’
ବସ୍ତିର ଲୋକେ ତାଙ୍କର ଭଙ୍ଗା ଘର ପାଖରେ ଏବେ ରାନ୍ଧୁଛନ୍ତି, ଖାଉଛନ୍ତି ଓ ଶୋଉଛନ୍ତି। ଘର ଭଙ୍ଗାଯିବା ଦିନ, କେତେକ ସ୍ଥାନୀୟ ବ୍ୟକ୍ତି ଘର ଭଙ୍ଗା ସରିବା ପରେ ଏକ ପେଣ୍ଡାଲ୍ ତିଆରି କରିଥିଲେ, କାରଣ ସେ ଦିନ ରାତିରେ ବର୍ଷା ହୋଇଥିଲା, ସେମାନେ ମଧ୍ୟ ବାଉଁଶ ଉପରେ ଆଜବେଷ୍ଟସ୍ ସିଟ୍ ରଖି ଏକ ଅସ୍ଥାୟୀ ଆଶ୍ରୟ କେନ୍ଦ୍ର ତିଆରି କରିଥିଲେ। ସେମାନେ ଏକାଠି ରାନ୍ଧି ଖାଇବା ପାଇଁ କୌଣସି ପ୍ରକାରେ ଅର୍ଥ ଯୋଗାଡ଼ କରୁଛନ୍ତି ଏବଂ ଏବେ ଓଳିଏ ଖାଇଲେ ଓଳିଏ ଉପାସ ରହିବା ଅବସ୍ଥା।
ବିଜୟନଗର ବସ୍ତିରେ ଟିଡିପି ସମର୍ଥକମାନେ ରହନ୍ତି ଏବଂ ଏହି ଘର ଭଙ୍ଗାଯିବା ଫଳରେ ବାସିନ୍ଦାମାନଙ୍କର ଦୃଢ଼ ଅନୁଭବ ହୋଇଛି ଯେ ସେମାନଙ୍କର ନେତା ତାଙ୍କୁ ଠକି ଦେଇଛନ୍ତି। ଜଣେ ଦିନ ମଜୁରିଆ ଓ ଟିଡିପିର ସଭ୍ୟ ଏମ୍. ଜୟପୁତ୍ରା କହିଛନ୍ତି ‘‘ମୋତେ ଲାଗୁଛି ଯେମିତି ମା’ କୁକୁଡ଼ା ତା’ ପିଲାମାନଙ୍କୁ ମାରି ଦେଉଛି,’’। ଏଠାକାର କେତେକ ସ୍ଥାନୀୟ ବାସିନ୍ଦା, ଯିଏ କି ଟିଡିପି ସଦସ୍ୟ- ପାଟି ଭିତରେ ଲୋକଙ୍କର କନ୍ଦଳ - ସ୍ଥାନୀୟ କର୍ପୋରେଟର ଆର୍. ଉମାମହେଶ୍ୱର ଏବଂ ଅନ୍ୟମାନଙ୍କ ମଧ୍ୟରେ ମତଭେଦ କାରଣରୁ ଏପରି ଘଟିଛି - ଘରଭଙ୍ଗା ସ୍କ୍ୱାର୍ଡ ତାଙ୍କ ଉପରେ ରାଗ ଶୁଝାଇଛନ୍ତି। ଉମାମହେଶ୍ୱର କହନ୍ତି, ‘‘ଏହି ହ୍ରଦ ଅଞ୍ଚଳରେ ପ୍ରାୟ ୧୮ଟି ବସ୍ତି ବା କଲୋନୀ ରହିଛି କିନ୍ତୁ କେବଳ ଆମ ବସ୍ତି ଭାଙ୍ଗି ଦିଆଯାଇଛି।
ଏହି ବାସହରା ବ୍ୟକ୍ତିମାନେ ଏବେ ଏହି ଭଙ୍ଗା ସ୍ତୁପ ଉପରେ ରହିବାକୁ ଯୋଜନା କରୁଛନ୍ତି, ତାଙ୍କ ଦୈନନ୍ଦିନ ଜୀବନ ସଜାଡ଼ିବାକୁ ଉଦ୍ୟମ କରୁଛନ୍ତି। ଫୁଲ ବିକାଳୀ, ଏସ୍. ଶିବାମ୍ମା କହନ୍ତି ‘‘ଆମ୍ଭେମାନେ ଏଇଠି ରହିବୁ ଏବଂ ଯେତେ ଦିନ ଲାଗୁଛି ଲାଗୁ ସଂଗ୍ରାମ କରିବୁ।’’
ଦୃଶ୍ୟ: ଅନନ୍ତପୁରର ଭାଙ୍ଗି ଯାଇଥିବା ଘରଗୁଡ଼ିକ ଫଟୋ ଆଲ୍ବମ୍
ଅନୁବାଦ: ଓଡ଼ିଶାଲାଇଭ୍