ଅନନ୍ତପୁର ମଣ୍ଡଳର କୁରୁଗୁଣ୍ଟା ଗ୍ରାମର ୩୫ବର୍ଷ ବୟସ୍କା ମହିଳା ଚାଷୀ ସି.ଆଲିଭେଲାମ୍ମା କୁହନ୍ତି, “ଏହି ଫଟୋ ହିଁ ମୋର ରକ୍ଷକ । ମୋର ଦୃଢ଼ତା । ଆମେ ଏଠାକୁ ନ୍ୟାୟ ପାଇଁ ଆସିଛୁ, ଯଦ୍ଦ୍ୱାରା କୃଷକମାନେ ଆତ୍ମହତ୍ୟା କରିବେ ନାହିଁ ।” ଆଲିଭେଲ୍ଲାମା ନିଜର ଏଟିଏମ୍ କାର୍ଡ ସହ ଏକ ଛୋଟ ପ୍ୟାକେଟ୍ରେ ତାଙ୍କ ସ୍ୱାମୀଙ୍କ ଫଟୋ ରଖନ୍ତି ।
ଆଲିଭେଲାମ୍ମାଙ୍କ ସ୍ୱାମୀ ଶ୍ରୀ ଭେଙ୍କେଟରାମୁଡୁ ଜଣେ ଭାଗ ଚାଷୀ ଥିଲେ । ୨୦୧୩ ମସିହାରେ ବାଦାମ ସଂରକ୍ଷଣ ପାଇଁ ବ୍ୟବହାର ହେଉଥିବା ରାସାୟନିକ ଟାବଲେଟ୍ ଖାଇ ସେ ଆତ୍ମହତ୍ୟା କରିଥିଲେ । ଆଲିଭେଲ୍ଲାମା କୁହନ୍ତି, “ସେ ମୋତେ କହିଥିଲେ, ଅନେକ ଋଣ ଅଛି ଏବଂ ଫସଲରୁ ଲାଭ ମିଳୁନାହିଁ । ସେ ବାରମ୍ବାର ମୋତେ କହୁଥିଲେ ଯେ ଋଣ ଦାତାମାନେ ଅର୍ଥ ମାଗୁଛନ୍ତି, ମୁଁ ଭିତରେ ଭିତରେ ଅସ୍ତବ୍ୟସ୍ତ ହୋଇଯାଉଛି । ମୁଁ ଜାଣିନି, କ’ଣ କରିବାକୁ ହେବ । ଏପରିକି ବାଦାମ ବୁଣିବା ପାଇଁ ଅର୍ଥ ଯୋଗାଡ଼ କରିପାରିବି କି ନାହିଁ ।” ଆଲିଭେଲାମ୍ମା ବାରମ୍ବାର ତାଙ୍କ ସ୍ୱାମୀଙ୍କୁ ବାଦାମ ଚାଷ ବନ୍ଦ କରିବାକୁ କହୁଥିଲେ, କିନ୍ତୁ ସେ ସବୁବେଳେ ବାଦାମ ଚାଷ ଉପରେ ଜୋର୍ ଦେଉଥିଲେ ଏବଂ କହୁଥିଲେ, “ଯେଉଁଠୁ ହରାଇଛେ (ଯେଉଁ ଅର୍ଥ ହରାଇଛୁ) ସେଇଠାରୁ ହିଁ ଖୋଜିବା ଉଚିତ୍ ।”
ଆଲିଭେଲାମ୍ମା ତାଙ୍କ ମୃତ ସ୍ୱାମୀଙ୍କ ବିଷୟରେ କଥାବାର୍ତ୍ତା କରିବା ବେଳେ ବର୍ତ୍ତମାନ କାଳକୁ ଚାଲି ଆସିଲେ, “ସେ ଖର୍ଚ୍ଚ କରୁଛନ୍ତି ଏବଂ କ୍ଷତି କରିଚାଲିଛନ୍ତି”, ବୋଧହୁଏ ସେ ଏ ପର୍ଯ୍ୟନ୍ତ ତାଙ୍କ ଚାଲିଯିବାକୁ ଗ୍ରହଣ କରି ପାରିନାହାନ୍ତି । ଏହି କିଛିଦିନ ହେବ ସେ ତାଙ୍କ ସ୍ୱାମୀଙ୍କର ଏକ ଛୋଟ ଖାତା ନିଜ ସହ ଆଣିବା ବନ୍ଦ କରିଛନ୍ତି । ଏହି ଖାତାରେ ସେ ବିଭିନ୍ନ ଋଣଦାତାଙ୍କ ଠାରୁ କେତେ ଧାର ଆଣିଛନ୍ତି, ତାହା ଲେଖୁଥିଲେ ।
ବର୍ତ୍ତମାନ ଆଲିଭେଲାମ୍ମା ଅନନ୍ତପୁରରେ ଏକ ଅଣସରକାରୀ ସଂଗଠନ ଦ୍ୱାରା ଲିଜ୍ରେ ଦିଆଯାଇଥିବା ୮ଏକର ଜମିରେ ଭାଗଚାଷୀ ଭାବରେ କାମ କରୁଛନ୍ତି । ସେ ତାଙ୍କ ପୁଅର ଯତ୍ନ ନିଅନ୍ତି, ଯିଏକି ଏକ ଆଇଟିଆଇ (ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍) ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଛି । ତାଙ୍କର ଜମି କୃଷକମାନଙ୍କ ଗୋଷ୍ଠୀର ଏକ ଅଂଶ । ଏଠାରେ କାମ କରୁଥିବା ୧୦ଜଣ ଯାକ ମହିଳା ଚାଷୀ ହେଉଛନ୍ତି ବିଧବା କିମ୍ବା ସ୍ୱାମୀ ପରିତ୍ୟକ୍ତା ମହିଳା।
ମୁଁ ୨୦୧୮ ନଭେମ୍ବର ୨୯ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ ଆଲିଭେଲାମ୍ମାଙ୍କୁ ଭେଟିଥିଲି । ସେ କୁହନ୍ତି, “ଆମେ ଏଠାକୁ ନ୍ୟାୟ ପାଇଁ ଆସିଛୁ, ଯଦ୍ଦ୍ୱାରା କୃଷକମାନେ ଆତ୍ମହତ୍ୟା କରିବେ ନାହିଁ ।”
ଅନୁବାଦ: ଓଡ଼ିଶାଲାଇଭ୍