ଚାନ୍ଦିନି ପର୍ମା କୁହନ୍ତି, ‘‘ମହିଳାମାନେ ଏରୋପ୍ଲେନ୍ ମଧ୍ୟ ଚଳାଉଛନ୍ତି , ତାହା ହେଲେ ଅଟୋରିକ୍ସା ଚଳାଇବାରେ ଏତେ କଷ୍ଟ କେଉଁଠି?’’ ୨୦୧୮ ମସିହାର ଶେଷ ଭାଗରେ ମାତ୍ର ୨୦ବର୍ଷ ବୟସରେ ସେ ଭୁଜ୍ ସହରର ପ୍ରଥମ ମହିଳା ଅଟୋରିକ୍ସା ଚାଳକ ପାଲଟିଥିଲେ । ତାଙ୍କର ଠିକ୍ ପରେ ଆସିଥିଲେ ଆଶା ବାଘେଲା, ଗୋଟିଏ ବର୍ଷ ସାନ, ଯିଏକି ଚାନ୍ଦନିଙ୍କର ମାଉସି ବା ତାଙ୍କ ମାଆଙ୍କର ସବୁଠୁ ସାନଭଉଣୀ ।
ସେମାନେ ଯେଉଁ ଗାଡ଼ି ଚଳାନ୍ତି ତାହା ଚକାଦୋ ବା ଚକଡ଼ା ଭାବରେ ଜଣାଶୁଣା। ଏହା ହେଉଛି ଏକ ବଡ଼ ତିନିଚକିଆ ଯେଉଁଥିରେ ୧୦ଜଣ ପର୍ଯ୍ୟନ୍ତ ଲୋକ ଆରାମରେ ବସିପାରିବେ । ଗୁଜରାଟର କଛ ଜିଲ୍ଲାର ମୁଖ୍ୟାଳୟ, ଭୁଜ୍ରୁ ୨୫ କିଲୋମିଟର ପର୍ଯ୍ୟନ୍ତ ଥିବା ଗାଁକୁ ଯିବା ଆସିବା କରୁଥିବା ଲୋକଙ୍କ ପାଇଁ ଏହା ପରିବହନର ସାଧାରଣ ପଦ୍ଧତି । ଯେହେତୁ ଏହା ଏକ ଟ୍ୟାକ୍ସି ମିଟର ବିନା ଚାଲିଥାଏ, ଭଡ଼ା ସାଧାରଣତଃ ଏକ ଅଣଲିଖିତ ଦରରେ ନିଆଯାଇଥାଏ । ଆଶା କୁହନ୍ତି, ‘‘ଆମେ ପାଖ ରାସ୍ତା ପାଇଁ ଟ. ୨୦-୩୦ ନେଉ, ଅଧିକ ଦୂର ପାଇଁ ଅଧିକ ନେଉ । ଯଦି ଆମେ ଖୁବ୍ ଦୂରକୁ ଯାଉ ତେବେ ଏହି ଭଡ଼ା ଟ. ୩୦୦ ପର୍ଯ୍ୟନ୍ତ ମଧ୍ୟ ହୋଇପାରେ ।’’
ପ୍ରଥମେ ସେମାନଙ୍କ ପରିବାର – ବିଶେଷ କରି ଆଶାଙ୍କ ପିତାମାତା ସେମାନଙ୍କ ଝିଅମାନଙ୍କୁ ସେମାନଙ୍କ ପରିବାରର ଅନ୍ୟ କୌଣସି ମହିଳା କିମ୍ବା ଏପରିକି ସମଗ୍ର ଭୁଜ୍ରେ କେହି କରିନଥିବା କାମକୁ ଯିବା ପାଇଁ ଅନିଚ୍ଛୁକ ଥିଲେ । ଚାନ୍ଦନିଙ୍କ କ୍ଷେତ୍ରରେ ଏକ ବଡ଼ ବର୍ଦ୍ଧିଷ୍ଣୁ ପରିବାରର ଆର୍ଥକ ଆବଶ୍ୟକତା ତିନିଚକିଆ ଚଳାଇବା ଶିଖିବା ନିମନ୍ତେ ତାଙ୍କ ପିତାମାତାଙ୍କୁ ଅଧିକ ଆଗ୍ରହୀ କରିଥିଲା ।
ଚାରିଭଉଣୀ, ଦୁଇଭାଇ ଏବଂ ସେମାନଙ୍କ ପିତାମାତାଙ୍କ ପରିବାରର ସବୁଠାରୁ ବଡ଼ ସନ୍ତାନ ଚାନ୍ଦନି ଗୋଟିଏ ରବିବାର ଭୁଜ୍ ରେଳ ଷ୍ଟେସନ ପରେ ଥିବା ଏକ ଅର୍ଦ୍ଧଗ୍ରାମୀଣ କଲୋନୀ ଭୁତେଶ୍ୱର ନଗରରେ ଥିବା ତାଙ୍କ ଘରକୁ ଗାଡ଼ିରେ ବସାଇ ନେଇଥିଲେ । ମୁଖ୍ୟ ରାସ୍ତାରୁ ତାଙ୍କ ଘରକୁ ଯିବାକୁ ଥିବା ମାଟି ରାସ୍ତା ଅସମାନ ଏବଂ ଧକଡ଼କଚଡ଼ ଯାତ୍ରା ଥିଲା । ସେ କୁହନ୍ତି, ‘‘ମୋ ବ୍ୟତୀତ କୌଣସି ଅଟୋ ବାଲା ଏଠାକୁ ଆସିବେନି । ତେଣୁ ମୁଁ ମୋ ଘର ଆଖପାଖରୁ ସହରକୁ ଯିବାକୁ ଥିବା ଅନେକ ଗ୍ରାହକ ପାଇଯାଏ ।’’
ତାଙ୍କ ପିତା ଭାରତ ପରମାର ହେଉଛନ୍ତି ଜଣେ ଠିକାଶ୍ରମିକ, ଯିଏକି ବିବାହ ଏବଂ ଅନ୍ୟାନ୍ୟ ଉତ୍ସବରେ ହେଉଥିବା ବାଉଁଶ ଏବଂ କପଡ଼ାର ପେଣ୍ଡାଲ ତିଆରି କରନ୍ତି ଏବଂ ଭାଙ୍ଗନ୍ତି । ଚାନ୍ଦିନିଙ୍କ ମାଆ ବାବି ପରମାର ହସି ହସି କୁହନ୍ତି, ‘‘ଆମେ ଦୁହେଁ ଅନପଢ଼୍ [ନିରକ୍ଷର] । କିନ୍ତୁ ଆମେ ଚାହୁଁ ଆମର ସବୁ ପିଲା ପାଠପଢ଼ିବେ । ବର୍ତ୍ତମାନ ଆମେ ଆଠଜଣଯାକ ଦିନ ସାରା ବାହାରେ – ସ୍କୁଲ୍ରେ ନହେଲେ କାମରେ।’’ ସେ ଗୋଟିଏ ହୋଟେଲରେ ରୋଷେଇ କାମ କରନ୍ତି, ଦିନକୁ ପ୍ରାୟ ଶହେ ଚପାତି ବେଲନ୍ତି ।
ଚାନ୍ଦିନିଙ୍କ ସବୁ ଭାଇଭଉଣୀ ପାଠପଢ଼ୁଛନ୍ତି । ତାଙ୍କ ଭାଇ ରାହୁଲ ୮ମ ଶ୍ରେଣୀରେ ଏବଂ ଭାବିକ୍ ୭ମ ଶ୍ରେଣୀରେ । ଜଣେ ଭଉଣୀ ଗୀତା ୧୨ ଶ୍ରେଣୀ ସମ୍ପୂର୍ଣ୍ଣ କରିବା ପରେ ଭୁଜ୍ରେ ସରକାରୀ ପରିଚାଳିତ ଶିଳ୍ପ ପ୍ରଶିକ୍ଷଣ ଅନୁଷ୍ଠାନରେ କମ୍ପ୍ୟୁଟର ସାଇନ୍ସରେ ଏକ କୋର୍ସ କରୁଛନ୍ତି । ଆଉ ଜଣେ ଭଉଣୀ ଦକ୍ଷା ୯ ଶ୍ରେଣୀରେ ଏବଂ ସବୁଠାରୁ ସାନଭଉଣୀ ୩ୟ ଶ୍ରେଣୀରେ ଅଛି । ଚାନ୍ଦିନି ଖୁସିରେ କୁହନ୍ତି, ‘‘ବେଳେ ବେଳେ ଯେତେବେଳେ ମୋ ପିତାମାତା କାମକୁ ଯାଇଥାନ୍ତି, ମୁଁ ସେ ସମସ୍ତଙ୍କୁ [ଭାଇଭଉଣୀ]ଙ୍କୁ ମୋ ଚକଡ଼ାରେ ବୁଲାଇବା ପାଇଁ ନେଇଯାଏ ।’’
ସେ ମୋତେ କହିଲେ, ‘‘ଆଶା ପରି ମୁଁ ମଧ୍ୟ ୮ମ ଶ୍ରେଣୀ ପରେ ପଢ଼ିବାରେ ଖୁବ୍ ଆଗ୍ରହୀ ନଥିଲି ଏବଂ ଆମେ ସ୍କୁଲ୍ ଯିବା ବନ୍ଦ କରିଦେଲୁ ।’’ ଏହି କମ୍ ବୟସ୍କା ମାଉସୀ ଏବଂ ଝିଆରୀ ପରସ୍ପର ପାଇଁ ସମ୍ପର୍କୀୟା ଭଉଣୀ ପରି । ସ୍କୁଲ୍ ଛାଡ଼ିବା ପରେ ଆଶା ଅଧିକ ସମୟ ତାଙ୍କ ମାଆଙ୍କୁ ଘରୋଇ କାମରେ ସାହାଯ୍ୟ କରିବାରେ ବିତାଇଲେ। ସେମାନଙ୍କ ଘର ଭୁଜ୍ର ଗୋମତୀ ରୋଡ୍ରେ ଥିବା ଅର୍ଦ୍ଧ ଗ୍ରାମୀଣ କଲୋନୀ ରାମଦେବ ନଗରରେ ।
କିନ୍ତୁ ଚାନ୍ଦନି ଚାରିବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ୍ ବଲ୍ବ୍ ତିଆରି କରୁଥିବା ଏକ କାରଖାନାରେ ଜଣେ ପ୍ୟାକର ଭାବରେ କାମ କଲେ । ଜଣେ ସାମୟିକ ଶ୍ରମିକ ଭାବରେ ସେ ପ୍ରତିମାସରେ ପ୍ରାୟ ଟ, ୬,୦୦୦ରୁ ୭,୦୦୦ ଆୟ କଲେ । ଏହି ଆୟ ସେ କାମ କରୁଥିବା ଦିନର ସଂଖ୍ୟାଗୁଡ଼ିକ ଉପରେ ନିର୍ଭର କରୁଥିଲା। ଏହା ଏକ ଅସ୍ଥାୟୀ କାମ ଥିଲା ଯାହାକି ଏହି ୟୁନିଟ୍ ବନ୍ଦ ହେବା ସହ ଶେଷ ହୋଇଯାଇଥିଲା। ଏହା ପରେ ସେ ଗାଡ଼ିଚାଳନା ଶିଖିବାର ସୁଯୋଗ ଆସିବା ପର୍ଯ୍ୟନ୍ତ କେତେବର୍ଷ ବେରୋଜଗାର ରହିଲେ। ଏହା ହୋଇଥିଲା ଯେତେବେଳେ କଚ୍ଛରେ ମହିଳାମାନଙ୍କ ମଧ୍ୟରେ ଆର୍ଥିକ ସ୍ୱାଧୀନତାକୁ ପ୍ରୋତ୍ସାହିତ କରୁଥିବା ଏକ ଅନୁଷ୍ଠାନର ସାମାଜିକ କର୍ମୀମାନେ ସେମାନଙ୍କ ଅଞ୍ଚଳକୁ ଆସିଥିଲେ ।
କାମ ଏବଂ ସ୍ୱାଧୀନ ଆୟ ସେମାନଙ୍କୁ ଅଧିକ ସ୍ୱାଧୀନତା ଦେଇଥାଏ । ଜିନ୍ସ ଏବଂ ଟି-ସାର୍ଟ ପରି ଛୋଟ ଜିନିଷ ନିମନ୍ତେ ପିତାମାତାଙ୍କ ଅନୁମତି ଆବଶ୍ୟକ ହୁଏନାହିଁ ।
ଏହି ମହିଳା ଗୋଷ୍ଠୀ ଯାଞ୍ଚ କଲେ ଚାନ୍ଦନି ଏବଂ ଆଶା ପାରମ୍ପରିକ ଏମ୍ବ୍ରୋଡୋରୀ, ଟେଲରିଂ କିମ୍ବା ପାମ୍ପଡ଼ ଓ ଖାକ୍ରା ପରି ଶୁଖିଲା ସାମଗ୍ରୀ ପ୍ରସ୍ତୁତି ବ୍ୟତୀତ ଆଉ କ’ଣ କରିବାକୁ ଇଚ୍ଛା କରୁଛନ୍ତି । ଏହି ଝିଅମାନେ ଚିତ୍ରକଳା, ଫଟୋଗ୍ରାଫି, ଭିଡିଓଗ୍ରାଫି ଆଦିକୁ ଆଗ୍ରହ କିମ୍ବା ପ୍ରତିଭା ଅଭାବରୁ ମନା କରିଦେଇଥିଲେ । ଅଟୋରିକ୍ସା ଚଳାଇବା ଏକ ଉପଯୁକ୍ତ ବିକଳ୍ପ ବୋଲି ମନେହେଲା । କାରଣ ଏହା ପ୍ରାର୍ଥୀଙ୍କୁ କାମର ତୁରନ୍ତ ଏବଂ ସହଜ ଉପଲବ୍ଧି ଦେଉଥିଲା ।
ଭୁଜ୍ ଏବଂ ଅହମ୍ମଦାବାଦରେ ଥିବା ଅଣ ସରକାରୀ ଅନୁଷ୍ଠାନଗୁଡ଼ିକ ସେମାନଙ୍କ ତାଲିମ ନିମନ୍ତେ ଆର୍ଥିକ ସହାୟତା ଦେବା ସହ ବାହାନ କିଣିବା ପାଇଁ ଋଣ ଦେବାରେ ସହଯୋଗ କଲେ । ଚାନ୍ଦିନି ଏବଂ ଆଶା ତିନି ସପ୍ତାହରେ ସାଧାରଣ ଅଟୋରିକ୍ସା ଏବଂ ବଡ଼ ଚକଡ଼ା ଚଳାଇବା ଶିଖିଲେ । ୨୦୧୮ ମେ ମାସ ସୁଦ୍ଧା ଉଭୟ ଯୁବତୀ ନିଜ ପାଇଁ ଚକଡ଼ା କିଣିଲେ – ଉଭୟ ଟ. ୨୩୦,୦୦୦ର ସୁଧ ମୁକ୍ତ ଋଣ ନେଲେ । ସେମାନେ ଫେବୃଆରୀ ୨୦୧୯ ଠାରୁ ସେମାନଙ୍କ ଋଣକୁ ଟ. ୬,୫୦୦ ମାସିକ କିସ୍ତିରେ ପରିଶୋଧ କରୁଛନ୍ତି । ସମ୍ପୂର୍ଣ୍ଣ ପରିଶୋଧ କରିବା ଆଉ ପ୍ରାୟ ତିନିବର୍ଷ ସମୟ ନେବ ।
ସେମାନେ ପ୍ରତିଦିନ ପୂର୍ବାହ୍ନ ୮ଟାରେ କାମ ଆରମ୍ଭ କରନ୍ତି ଏବଂ ସନ୍ଧ୍ୟା ସଢ଼େ ସାତଟା ସୁଦ୍ଧା ସେମାନଙ୍କ ଘରକୁ ଫେରିଆସନ୍ତି। ଚାନ୍ଦିନିଙ୍କ ପାଇଁ ବର୍ଦ୍ଦି ବା ସ୍ଥିର ଯାତ୍ରୀ- ଏକ ନିଶ୍ଚିତ ଆୟ ଆଣନ୍ତି । କିଛି ମାସ ହେବ ସପ୍ତାହସାରା ସେ କଚ୍ଛ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କୁ ନେବା ଆଣିବା କରୁଛନ୍ତି । ସେ ତାଙ୍କୁ ସନ୍ଧ୍ୟାରେ ଘରେ ମଧ୍ୟ ଛାଡ଼ନ୍ତି । ୨୦୧୯ ନଭେମ୍ବରରେ ଆମେ ତାଙ୍କୁ ଯେତେବେଳେ ଭେଟିଲୁ, ସେତେବେଳେ ତାଙ୍କର ଏକମାତ୍ର ବର୍ଦ୍ଦି ଥିଲେ ଜଣେ ଦୃଷ୍ଟିହୀନ ମହିଳା, ତାଙ୍କ କାର୍ଯ୍ୟସ୍ଥଳକୁ ଏବଂ ଘରକୁ ନେବା ଆଣିବା କରିବାକୁ ହେଉଥିଲା । ପ୍ରତ୍ୟେକ ବର୍ଦ୍ଦିଙ୍କ ପାଇଁ ଆୟ ମାସିକ ଟ. ୧,୫୦୦ରୁ ଟ. ୩,୦୦୦ ପର୍ଯ୍ୟନ୍ତ ।
ଦିନର ବଳକା ସମୟରେ ତାଙ୍କ ଚକଡ଼ା ଭଡ଼ାରେ ନେବା ପାଇଁ ଉନ୍ମୁକ୍ତ ଥାଏ । ଆଶାଙ୍କ ଗାଡ଼ି ମଧ୍ୟ ଦିନ ସାରା ପାଇଁ ଥାଏ । ଭୁଜ୍ର ସ୍ୱାମୀ ନାରାୟଣ ମନ୍ଦିର ଏକ ବିଖ୍ୟାତ ସ୍ଥାନ, ସେମାନେ ଗ୍ରାହକ ପାଇବା ପାଇଁ ଏବଂ ସେମାନଙ୍କୁ ରେଳ ଷ୍ଟେସନ କିମ୍ବା ଭୁଜ୍ କିମ୍ବା ଏହା ବାହାରେ ଥିବା ଗ୍ରାମୀଣ ଅଞ୍ଚଳରେ ଥିବା ସେମାନଙ୍କ ଘରକୁ ନେବା ପାଇଁ ସେଠାରେ ଗାଡ଼ି ଲଗାନ୍ତି । ସେମାନଙ୍କ ମଧ୍ୟରୁ ଉଭୟ ହାରାହାରି ଭାବରେ ଦିନକୁ ପ୍ରାୟ ଟ. ୬୦୦ ଆୟ କରନ୍ତି, ଏ ମଧ୍ୟରୁ ଟ. ୨୦୦ ଇନ୍ଧନ କିଣିବାରେ ଯାଏ ଏବଂ ବଳକା ସେମାନଙ୍କ ଋଣର କିସ୍ତି ଏବଂ ବ୍ୟକ୍ତିଗତ ଓ ଘରୋଇ ଖର୍ଚ୍ଚରେ ଯାଏ ।
ମୁମ୍ବାଇ, ଥାନେ, ପୁନେ, କୋଲକାତା ଏବଂ ଇନ୍ଦୋର ପରି ଆଉ କେତେକ ସହରରେ ମହିଳା ଅଟୋରିକ୍ସା ଚାଳକ ଅଛନ୍ତି। କିନ୍ତୁ ଭାରତର ବୃହତ୍ତମ ଜିଲ୍ଲା କଛର ମୁଖ୍ୟାଳୟରେ ଚାନ୍ଦିନି ଏବଂ ଆଶା ରାସ୍ତାକୁ ନ ଓହ୍ଲାଇବା ପୂର୍ବରୁ କୌଣସି ମହିଳା ଚକଡ଼ା ଚାଳକ ନଥିଲେ ।
ଆହ୍ୱାନ ଗାଡ଼ି ପରିଚାଳନା କରିବାରେ ନଥିଲା, ତାହା ସହଜ ଥିଲା । କିନ୍ତୁ ସେମାନଙ୍କୁ ସମୂହର ଲୋକମାନେ – ସମାଜବାଲାମାନଙ୍କ ପ୍ରତିକ୍ରିୟା ଏବଂ ରାୟ ସତ୍ତ୍ୱେ ଚକଡ଼ା ଡ୍ରାଇଭର ହେବା କଷ୍ଟକର ଥିଲା । ଚାନ୍ଦନି କୁହନ୍ତି, ‘‘କିପରି ଜଣେ ମହିଳା ଗୋଟିଏ ଚକଡ଼ା ଚଳାଇପାରିବ ? ଏହା ପୁରୁଷଙ୍କ କାମ ନୁହେଁ କି ? ସେମାନଙ୍କ ପାଖରେ ଲାଜ ନାହିଁ କି ? ଏହିଗୁଡ଼ିକ ହିଁ ପଡ଼ୋଶୀମାନେ ପଚାରୁଥିବା ପ୍ରଶ୍ନ ଥିଲା ’’ ଆଶ କିଛି କ୍ରୋଧର ସହିତ କହିଥିଲେ, ‘‘କେତେଜଣ ଆମକୁ ଏହି ଲୋକ କିମ୍ବା ସେହି ଲୋକ ସହ ଯାଉଥିବାର କାହାଣୀ ବି କହୁଥିଲେ – ଯେତେବେଳେ କି ସେମାନେ ଇଙ୍ଗିତ ଦେଉଥିବା ଲୋକମାନେ ପ୍ରକୃତରେ ଯାତ୍ରୀ ଥିଲେ ଯେଉଁମାନେ କି ସେମାନଙ୍କ ଚକଡ଼ାରେ ଯାତ୍ରା ପାଇଁ ଭଡ଼ା ଦେଉଥିଲେ । ’’
ଚାନ୍ଦିନି କୁହନ୍ତି, ‘‘ପ୍ରଥମେ ଆମେ ଘର ବାହାରକୁ ଏକୁଟିଆ ପାଦ କାଢ଼ିବାକୁ ବି ଭୟ କରୁଥିଲୁ ଏବଂ ମୁଁ ଜାଣେନି କେଉଁଠାରୁ ଏହା କରିବା ପାଇଁ ଆମେ ସାହାସ ପାଇଲୁ’’। ଆଶା ବିଶ୍ୱାସ କରନ୍ତି: ‘‘ଆମ ପରିବାର ଆମ ସହ ଛିଡ଼ା ହେଲେ ସେହି କାରଣରୁ ଏହା ହୋଇପାରିଲା । ଆମେ ସେମାନଙ୍କଠାରୁ ଶକ୍ତି ପାଇଲୁ ଏବଂ ଅନ୍ୟମାନେ ଆମ ବିଷୟରେ କହୁଥିବା କିଛି କଦର୍ଯ୍ୟ ଜିନିଷ ଅଣଦେଖା କଲୁ ।’’
କାମ ଏବଂ ସ୍ୱାଧୀନ ଆୟ ସେମାନଙ୍କ ପାଇଁ ଅଧିକ ସ୍ୱାଧୀନତା ଆଣିଦେଲା। ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିବା ପରି ସାଧାରଣ ଜିନିଷ ପାଇଁ ପିତାମାତାଙ୍କ ଅନୁମତି ଆଉ ଆବଶ୍ୟକ ହେଲାନାହିଁ । ଚାନ୍ଦିନୀଙ୍କ ବାପା ତାଙ୍କୁ କହିଲେ, ‘‘ତୋ ନୂଆ କ୍ୟାରିୟରର ମଜା ନେ, ବିବାହ କରିବା ପାଇଁ କିଛି ତରବର ନାହିଁ।’’ ସେ କୁହନ୍ତି, ‘‘ସେମାନଙ୍କ ଝିଅମାନଙ୍କୁ ଘର ଭିତରେ ବନ୍ଦ କରି ନ ରଖିବା ପାଇଁ ମୁଁ ସମସ୍ତ ପିତାମାତାଙ୍କୁ କହିବାକୁ ଚାହେଁ । ଏହି ଦୁନିଆ ଖୁବ୍ ବଡ଼, ଏବଂ ସେଠାକୁ ବାହାରିବା ଜରୁରୀ ।’’
ଆଶା କୁହନ୍ତି, ‘‘କିଛି ଲୋକ ଚିନ୍ତା କରନ୍ତି ଝିଅମାନେ ଦୁର୍ବଳ । କିନ୍ତୁ ଆମେ ଦୁର୍ବଳ ନୁହେଁ ଆମେ ଦୃଢ଼ ! ଆମେ ସବୁ କିଛି କରିପାରିବୁ।’’ ଚାନ୍ଦନି କୁହନ୍ତି, ‘‘ଚକଡ଼ା ଡ୍ରାଇଭର ହେବା ଏବଂ ନିଜ ପାଇଁ ଉପାର୍ଜନ କରିବା ସେମାନଙ୍କ ଭିତରେ ଏକ ସ୍ୱାଧୀନତାର ଭାବ ଆଣି ଦେଇଛି ।’’
ସେ କୁହନ୍ତି, ‘‘ମୋତେ ଭଲ ଲାଗେ ଯେତେବେଳେ ମୁଁ ଗୋଟିଏ ଚକଡ଼ା ଚଳାଉଥିବାକୁ ଗ୍ରାହକମାନେ ପ୍ରଶଂସା କରନ୍ତି । କିନ୍ତୁ ପ୍ରକୃତ ଆନନ୍ଦ ଆସେ ଯେତେବେଳେ ରାସ୍ତାରେ ସେମାନଙ୍କ ଗାଡ଼ି ଚଳାଇ ଅତିକ୍ରମ କରିବା ବେଳେ ଝିଅମାନେ ଆମକୁ ବିଜୟର ଚିହ୍ନ ଦେଖାନ୍ତି ଏବଂ ଚିତ୍କାର କରନ୍ତି ‘ଗାର୍ଲ ପାଓ୍ୱାର, ବେଷ୍ଟ ଅଫ୍ ଲକ୍’ । ’’
ଏହି ଲେଖକ କଛ ମହିଳା ବିକାଶ ସଂଗଠନ ଏବଂ ଭୁଜ୍ର ସଖୀ ସଙ୍ଗିନୀକୁ ସେମାନଙ୍କର ସହାୟତା ନିମନ୍ତେ ଧନ୍ୟବାଦ ଦେବା ପାଇଁ ଚାହାଁନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍