“ସାମାନ୍ୟ କ୍ରୋଧ ଦର୍ଶାଇବା ପାଇଁ ଆଖି ଟିକେ ଟେକି ହେବା ଦରକାର... ଅତି କ୍ରୋଧ ପ୍ରକାଶ ପାଇଁ ଆଖି ବଡ଼ବଡ଼ ହେଇଥିବ ଓ ଆଖି ପତା ଟେକି ହେଇ ରହିବ। ଆନନ୍ଦ ପ୍ରକାଶ ପାଇଁ ମୁହଁରେ ହସ ସହିତ ଗାଲ ଟେକି ହୋଇ ରହିଥିବ”।
ଏହି ସମସ୍ତ ଦିଗ ପ୍ରତି ଧ୍ୟାନ ଦେଉଥିବାରୁ ଝାଡ଼ଖଣ୍ଡର ଷଢ଼େଇକଳା ଛଉ ନୃତ୍ୟର ମୁଖା ତିଆରି କରୁଥିବାରୁ ତାହା ଦିଲ୍ଲୀପ ପଟ୍ଟନାୟକଙ୍କୁ ଜଣେ ମାଷ୍ଟର କାରିଗରର ମର୍ଯ୍ୟାଦା ମିଳେ। “ମୁଖାଗୁଡ଼ିକ ଚରିତ୍ର ଚିତ୍ରଣ କରିବା ଦରକାର”, ସେ କହନ୍ତି। “ଷଢ଼େଇକଳା ଛଉର ମୁଖା ହେଉଛି ସ୍ଵତନ୍ତ୍ର, କାରଣ ତାହା ନବରସ, ନ’ ପ୍ରକାର ଭାବକୁ ପ୍ରକାଶ କରେ, ଯାହାକି ଅନ୍ୟ କୌଣସି ଛଉ ଶୈଳୀରେ ଦେଖିବାକୁ ମିଳେ ନାହିଁ”।
ତିଆରି ହେବାର ବିଭିନ୍ନ ଅବସ୍ଥାରେ ତାଙ୍କ କର୍ମଶାଳାର ଚାରିଆଡେ ପଡି ରହିଥିବା ମୁଖାଗୁଡିକର ପ୍ରସ୍ତୁତି ଶୈଳୀ ଅତି ସ୍ଵତନ୍ତ୍ର – ବଡ଼ ବଡ଼ ଆଖି, ପେନସିଲ ଗାର ପରି ଅତି ପତଳା ଭୃଲତା, ଉଜ୍ଜ୍ଵଳ ରଙ୍ଗର ଚର୍ମ, ଇତ୍ୟାଦି ବିଭିନ୍ନ ଭାବ ପ୍ରକାଶ କରି ପାରିବା ଭଳି।
ଏହି କଳା ଶୈଳୀରେ ନୃତ୍ୟ ଓ ସମର କଳାର ମିଶ୍ରଣ ରହିଥାଏ, ଓ ସେହି ମୁଖାଗୁଡିକୁ ପିନ୍ଧି ନୃତ୍ୟଶିଳ୍ପୀମାନେ ରାମାୟଣ, ମହାଭାରତ ଓ ସ୍ଥାନୀୟ ଲୋକକଥାର ଅଭିନୟ କରନ୍ତି। ଦିଲ୍ଲୀପ ସବୁ ପ୍ରକାରର ମୁଖା ତିଆରି କରନ୍ତି, କିନ୍ତୁ କୃଷ୍ଣଙ୍କ ମୁଖା ହେଉଛି ତାଙ୍କର ସବୁଠୁ ପ୍ରିୟ, କାରଣ “ବଡ ବଡ ଆଖି ଆଉ ଉଠି ରହିଥିବା ଭୃଲତା କରି କ୍ରୋଧ ପ୍ରକାଶ କରିବା ସହଜ ହୋଇଥିବା ବେଳେ ଦୁଷ୍ଟାମି ଦେଖେଇବା ସେତିକି ସହଜ ନୁହେଁ”।
ପ୍ରକୃତ ପକ୍ଷେ ଦିଲ୍ଲୀପ ନିଜେ ଜଣେ ନୃତ୍ୟଶିଳ୍ପୀ ହୋଇଥିବାରୁ ତାହା ତାଙ୍କୁ ସାହାଯ୍ୟ କରେ। ପିଲାଟି ବେଳୁ ସେ ଗୋଟିଏ ଛଉ ନୃତ୍ୟ ଦଳରେ ଥିଲେ ଓ ସ୍ଥାନୀୟ ଶିବ ମନ୍ଦିରରେ ଛଉ ଉତ୍ସବ ହେଲାବେଳେ ସେହି ଅଭିନୟକୁ ଦେଖି ଦେଖି ସେ ଶିଖିଥିଲେ। କୃଷ୍ଣଙ୍କ ନୃତ୍ୟ ତାଙ୍କର ସବୁଠୁ ପ୍ରିୟ ଥିଲା। ଏବେ ସେ ଢୋଲ ବଜାନ୍ତି ଓ ଗୋଟିଏ ଷଢ଼େଇକଳା ଛଉ ଦଳରେ ଅଛନ୍ତି।










