ଆକାଶରେ ଅନ୍ଧକାର ଛାଇଯିବା ସହିତ, ଓମ୍ ଶକ୍ତିଙ୍କର ଏକ ବିଶାଳ କଟ-ଆଉଟ୍, ସହିତ ଧାଡ଼ି ହୋଇ ରହିଥିବା ରଙ୍ଗୀନ ଆଲୋକମାଳା ଜଳି ଉଠିଥାଏ। ବଙ୍ଗଳାମେଡ଼ର ଇରୁଲରମାନେ ଦେବୀ ଓମ୍ ଶକ୍ତିଙ୍କ ପାଇଁ ବାର୍ଷିକ ନିଆଁରେ ଚାଲିବାର ପର୍ବ ବା ତୀମିଦି ତିରୁବିଳା ପାଳନ କରୁଛନ୍ତି।
କାଠ ଗଣ୍ଡି ଦ୍ୱିପ୍ରହର ସାରା ଜଳିବା ପରେ, ଅଙ୍ଗାର ହେବାକୁ ଲାଗିଥାଏ, ସ୍ୱେଚ୍ଛାସେବୀମାନେ ଏହାକୁ ଚମକୁଥିବା ଫୁଲର ବିଛଣା ଭଳି ଏକ ପତଳା ପରସ୍ତରେ ଖେଳାଇ ଦିଅନ୍ତି। ଏହି ତୀମଦି କୁ ‘ ପୁ-ମିଦୀ ’ ବା ଫୁଲ ଉପରେ ଚାଲିବା ବୋଲି ଦର୍ଶାଇ ଇରୁଲରମାନଙ୍କୁ ଏହା ଉପରେ ଚାଲିବାକୁ ଅନୁପ୍ରାଣିତ କରାଯିବ ।
ବାତାବରଣରେ ଏକ ସ୍ପଷ୍ଟ ପ୍ରତ୍ୟାଶା ରହିଛି । ଇରୁଲରମାନଙ୍କୁ ନିଆଁ ଉପରେ ଚାଲିବାର ଦେଖିବା ଲାଗି ପଡ଼ୋଶୀ ଗାଁର ଶତାଧିକ ଲୋକ ଏକତ୍ରିତ ହୋଇଛନ୍ତି । ସେମାନେ ଦେବୀ ଓମ୍ ଶକ୍ତିଙ୍କଠାରେ ରହିଥିବା ନିଜ ଅତୁଟ ବିଶ୍ୱାସର ସଙ୍କେତ ଦେଉଛନ୍ତି । ଓମ୍ ଶକ୍ତି ହେଉଛନ୍ତି ଏକ ଅଣ-ଇରୁଲର ଦେବୀ ଯାହାଙ୍କୁ ସାରା ତାମିଲନାଡ଼ୁରେ ଶକ୍ତି ଓ ସାମର୍ଥ୍ୟର ସ୍ୱରୂପ ଭାବେ ପୂଜା କରାଯାଏ।
ଇରୁଲାର୍ (ଇରୁଲା ମଧ୍ୟ କୁହାଯାଏ) ମାନେ ତାମିଲନାଡ଼ୁରେ ଅନୁସୂଚିତ ଜନଜାତି ଭାବେ ତାଲିକାଭୁକ୍ତ ଏବଂ ସେମାନେ ପାରମ୍ପରିକ ଭାବେ କନ୍ନିୟାମ୍ମାଙ୍କୁ ପୂଜା କରିଥାନ୍ତି, ଯାହାଙ୍କୁ ସେମାନେ ସାତ ଜଣ କୁମାରୀ ଦେବୀଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରିଥାନ୍ତି; ପ୍ରତ୍ୟେକ ଇରୁଲର ଘରେ ଗୋଟିଏ କଳସମ୍, ବା ମାଟି କଳସ ଥାଏ ଏବଂ ତାହା କିଛି ନିମ୍ବ ପତ୍ର ଉପରେ ରଖାଯାଇଥାଏ, ଏହାକୁ ସେମାନେ ଦେବୀଙ୍କ ପ୍ରତୀକ ବୋଲି ବିଶ୍ୱାସ କରିଥାନ୍ତି।
ତେଣୁ, ଓମ୍ ଶକ୍ତିଙ୍କ ପାଇଁ ବଙ୍ଗଳାମେଡ଼ ଇରୁଲର୍ ଉତ୍ସବର ଅର୍ଥ କ’ଣ?
ଜି. ମଣିଗଣ୍ଡନ (୩୬) ୯୦ ଦଶକର ଶେଷ ଭାଗରେ ଘଟିଥିବା ଏକ ଘଟଣା ବିଷୟରେ କହିଥାନ୍ତି। ତାଙ୍କ ଭଉଣୀ ଆଉ ଜଣେ ଅଣ-ଇରୁଲର ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିବାକୁ ନେଇ ଚରୁକନ୍ନୁରରେ ଜାତିଆଣ ଉତ୍ତେଜନା ଦେଖାଦେଲା। ଫଳରେ ତାଙ୍କ ପରିବାରକୁ ବାଧ୍ୟ ହୋଇ ରାତାରାତି ଗାଁ ଛାଡ଼ିବାକୁ ପଡ଼ିଥିଲ।। ଚରୁକନ୍ନୁର ହ୍ରଦ ନିକଟରେ ଥିବା ଏକ ଛୋଟ କୁଡ଼ିଆରେ ପରିବାର ଲୋକମାନେ ଆଶ୍ରା ନେଇଥିଲେ।
‘‘ରାତିସାରା ଏକ ଗଓଲି (ଝିଟିପିଟି) ଶବ୍ଦ କରୁଥିଲା ଏବଂ ତାହା ଆଶ୍ୱସ୍ତ କଲା ଭଳି ଲାଗିଲା। ଆମେ ତାହାକୁ ଅମ୍ମନ (ଦେବୀ)ଙ୍କ ତରଫରୁ ଏକ ଶୁଭ ସଙ୍କେତ ବୋଲି ଗ୍ରହଣ କଲୁ,’’ ସେ କୁହନ୍ତି, ଦେବୀ ଓମ ଶକ୍ତି ହିଁ ସେଦିନ ରାତିରେ ସେମାନଙ୍କ ଜୀବନ ବଞ୍ଚାଇଥିଲେ, ସେମାନେ ବିଶ୍ୱାସ କରିଥାନ୍ତି।
*****
‘‘ଆମେ ଯେତେବେଳେ ଲୁଚି ପଳାଇଲୁ, ଖାଦ୍ୟ ଓ କାମ ଯୋଗାଡ଼ କରିବା ସହଜ କଥା ନଥିଲା। ମୋ ମା’ ଚାଷ ଜମିରୁ ଚିନାବାଦାମ ସଂଗ୍ରହ କରିବା ସହିତ ଛୋଟ ଛୋଟ ପଶୁ ଶିକାର କରି ଆମକୁ ଖାଇବାକୁ ଦେଉଥିଲେ। କେବଳ ଅମ୍ମନ ହିଁ ଆମକୁ ସୁରକ୍ଷା ଦେଇଥିଲେ,’’ ସେ ସ୍ମରଣ କରି କୁହନ୍ତି। (ପଢ଼ନ୍ତୁ : ବଙ୍ଗଳାମେଡ଼ରେ ମୂଷାମାନଙ୍କ ସହ ଏକ ଭିନ୍ନ ରାସ୍ତାରେ )
ମଣିଗଣ୍ଡନଙ୍କ ପରିବାର ଏବଂ ସେମାନଙ୍କ ସହିତ ଲୁଚି ପଳାଇଥିବା ଅନ୍ୟ କିଛି ଲୋକ ଶେଷରେ ଚରୁକନ୍ନୁର ହ୍ରଦଠାରୁ ପାଖାପାଖି ଗୋଟିଏ କିଲୋମିଟର ଦୂର ବଙ୍ଗଳାମେଡ଼ରେ ରହିଥିଲେ ଏବଂ ସେମାନଙ୍କୁ ହ୍ରଦ ପାଖରେ ଥିବା ଚାଷ ଜମିରେ କାମ ମିଳିଗଲା।
ବଙ୍ଗଳାମେଡ଼ ପୂର୍ବରୁ ୧୦ରୁ କମ୍ ପରିବାରକୁ ନେଇ ଏକ ବସତି ଥିଲା, ବର୍ତ୍ତମାନ ଏହା ୫୫ ଇରୁଲର ପରିବାରର ଏକ ପଡ଼ା ପାଲଟିଛି । ଏହାକୁ ଚରୁକନ୍ନୁର ଇରୁଲର କଲୋନୀ ବୋଲି କୁହାଯାଉଛି । ଖୋଲା ବୁଦା ଘେରି ରହିଥିବା ଏହି ବସତିରେ ଗୋଟିଏ ରାସ୍ତାର ଦୁଇ ପାର୍ଶ୍ୱରେ ଧାଡ଼ି ଧାଡ଼ି ହୋଇ ଘରସବୁ ରହିଛି । ଦୀର୍ଘ ଦିନ ଧରି ପ୍ରତିବାଦ ଆନ୍ଦୋଳନ କରିବା ପରେ ଶେଷରେ ୨୦୧୮ରେ ଗାଁକୁ ବିଦ୍ୟୁତ ସଂଯୋଗ ହୋଇଥିଲା। ନିକଟରେ ଏହି ବସତିରେ କେତୋଟି ପକ୍କା ଘର ନିର୍ମାଣ କରାଯାଇଛି। ଇରୁଲରମାନେ ସେମାନଙ୍କ ରୋଜଗାର ପାଇଁ ଦିନ ମଜୁରି କାମ ଏବଂ ଏମଏନଆରଇଜିଏ କାମ ଉପରେ ନିର୍ଭର କରିଥାନ୍ତି। ମଣିଗଣ୍ଡନ ସେହି ହାତଗଣତି ବଙ୍ଗଳାମେଡ଼ ବାସିନ୍ଦାଙ୍କ ମଧ୍ୟରୁ ଅନ୍ୟତମ ଯିଏକି ମଧ୍ୟ ଇଂରାଜୀ ବିଦ୍ୟାଳୟ ଶିକ୍ଷା ସମ୍ପୂର୍ଣ୍ଣ କରିଛନ୍ତି ।
ଏଠାରେ ରହିବାର କିଛି ବର୍ଷ ପରେ ମଣିଗଣ୍ଡନଙ୍କ ପିତା - ବରିଷ୍ଠ ଇରୁଲର ପି. ଗୋପାଳ - ହ୍ରଦ ନିକଟରେ ଥିବା ଖଣ୍ଡେ ସରକାରୀ ଜମିରେ ଓମ୍ ଶକ୍ତିଙ୍କ ଏକ ମୂର୍ତ୍ତି ସ୍ଥାପନ କଲେ। ଦୁଃଖ ସମୟରେ ସେମାନଙ୍କୁ ସହାୟକ ହୋଇଥିବାରୁ ଏହା ଅମ୍ମନ ଙ୍କ ପ୍ରତି ଏକ କୃତଜ୍ଞତା ଥିଲା। ୨୦୧୮ରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ଏଠାରେ ପୂଜକ ଭାବେ କାର୍ଯ୍ୟ କରୁଥିଲେ। ‘‘ମନ୍ଦିର ଏକ ଛୋଟ କୁଡ଼ିଆ ଥିଲା। ଆମେ ହ୍ରଦର ମାଟିରେ ଅମ୍ମନ ଙ୍କ ମୂର୍ତ୍ତି ତିଆରି କରିଥିଲୁ। ମୋ ବାପା ହିଁ ଆଡ଼ି ତୀମିଦି ତିରୁବିଳା ଆରମ୍ଭ କରିଥିଲେ,’’ ମଣିଗଣ୍ଡନ କୁହନ୍ତି।
ଗୋପାଳ’ଙ୍କ ମୃତ୍ୟୁ ପରେ, ମଣିଗଣ୍ଡନଙ୍କ ବଡ଼ ଭାଇ ଜି. ସୁବ୍ରମଣୀ ତାଙ୍କ ବାପାଙ୍କ ପୂଜକ ଦାୟିତ୍ୱ ଗ୍ରହଣ କରିଥିଲେ। ସୁବ୍ରମଣି ସପ୍ତାହକୁ ଗୋଟିଏ ଦିନ ମନ୍ଦିରକୁ ସମର୍ପି ଦେଇଥାନ୍ତି; ଅବଶିଷ୍ଟ ୬ ଦିନ ସେ ମଜୁରି କାମ ସନ୍ଧାନରେ ଥାଆନ୍ତି।
୧୫ ବର୍ଷରୁ ଅଧିକ ସମୟ ଧରି, ବଙ୍ଗଳାମେଡ଼ ଇରୁଲରମାନେ ଓମ୍ ଶକ୍ତିଙ୍କ ପ୍ରତି ନିଜର ବ୍ରତ ପାଳନ କରିବା ଲାଗି ଦିନିକିଆ କାର୍ଯ୍ୟକ୍ରମ କରି ଆସୁଛନ୍ତି। ସେମାନେ ଅଙ୍ଗାର ଉପରେ ଚାଲିବା ସହିତ ଏକ କାର୍ଯ୍ୟକ୍ରମ ସମାପନ ହୋଇଥାଏ। ତାମିଲ ମାସ ଆଡ଼ି ରେ ଏହି ପର୍ବ ପାଳନ କରାଯାଇଥାଏ ଯାହାକି ଜୁଲାଇ-ଅଗଷ୍ଟ ମାସ ମଧ୍ୟରେ ପଡ଼ିଥାଏ। ଏହି ମାସରେ ମୌସୁମୀର ଆଗମନ ସହିତ ଅସହ୍ୟ ଗରମରୁ ମୁକ୍ତି ମିଳିଥାଏ। ଇରୁଲରମାନେ ଅଳ୍ପ କିଛି ବର୍ଷ ହେବ ତୀମଦି ପ୍ରଥା ଆରମ୍ଭ କରିଛନ୍ତି, କିନ୍ତୁ ତାମିଲ ଆଡ଼ି ମାସରେ ତିରୁଭଲ୍ଲୁର ଜିଲ୍ଲାର ତିରୁତ୍ତନି ତାଲୁକ ରେ ଏହା ଏକ ବହୁପ୍ରଚଳିତ ମହୋତ୍ସବ ଭାବେ ଆୟୋଜନ କରାଯାଇଥାଏ। ଏଥିରେ ଭକ୍ତମାନେ ମହାଭାରତ ମହାକାବ୍ୟର ଦ୍ରୌପଦୀ ଅମ୍ମନ, ମରିଅମ୍ମନ, ରୋଜା ଅମ୍ମନ, ରେବତୀ ଅମ୍ମନ ପ୍ରମୁଖଙ୍କ ଭଳି ଦେବୀମାନଙ୍କୁ ପୂଜା କରିଥାନ୍ତି ।
‘‘ଖରା ଦିନେ, ଲୋକମାନଙ୍କୁ ଅମ୍ମନ ଲାଗିବା କାରଣରୁ ସେମାନେ ଅସୁସ୍ଥ ହୋଇପଡ଼ନ୍ତି (ଏଠାରେ ମିଳିମିଳା ବିଷୟରେ କୁହାଯାଉଛି)। ଏହି କଷ୍ଟକର ମାସରେ ସୁରକ୍ଷିତ ରହିବା ଲାଗି ଆମେ ଅମ୍ମନ (ଦେବୀ)ଙ୍କୁ ପ୍ରାର୍ଥନା କରିଥାଉ,’’ ମଣିଗଣ୍ଡନ କୁହନ୍ତି। ସେ ଅମ୍ମନ ଶବ୍ଦକୁ ନମନୀୟ ଭାବେ ଉଭୟ ଦେବୀ ଓ ଅସୁସ୍ଥତା ପାଇଁ ଉପଯୋଗ କରିଥାନ୍ତି ଏବଂ ସାଧାରଣରେ ଏକ ଧାରଣା ରହିଛି ଯେ ଦେବୀ ହିଁ ରୋଗ ଦେଇଥାନ୍ତି ଏବଂ ଆସ୍ଥାବାନ ଭକ୍ତମାନଙ୍କୁ ସେ ହିଁ ସୁସ୍ଥ କରନ୍ତି।
ଗୋପାଳ ବଙ୍ଗଳାମେଡ଼ରେ ତୀମଦି ଆରମ୍ଭ କରିବା ପରଠାରୁ ନିକଟରେ ଥିବା ଗୁଡ଼ିଗୁଣ୍ଟା ଗ୍ରାମରୁ ଏକ ଅଣ-ଇରୁଲର ପରିବାର ଆସି ଏହାକୁ ଆୟୋଜନ କରିବାରେ ସାମିଲ ହେଉଛି । ସେମାନେ ଗାଁରୁ ଲୁଚି ପଳାଇ ଆସିବା ପରେ ଏହି ପରିବାରର ଜମିରେ ଥିବା କୁଡ଼ିଆରେ ଆଶ୍ରା ନେଇଥିଲେ।
ଚାଷ ଜମି ମାଲିକମାନଙ୍କ ମଧ୍ୟରୁ ଅନ୍ୟତମ ଟି.ଏନ କ୍ରିଷ୍ଣନ (୫୭) - ବନ୍ଧୁମାନଙ୍କ ମଧ୍ୟରେ ପାଲାନି ନାମରେ ପରିଚିତ- କୁହନ୍ତି, ‘‘ଇରୁଲରଙ୍କ ବ୍ୟତୀତ ଆମ ପରିବାର ଓ ବନ୍ଧୁଙ୍କ ମଧ୍ୟରୁ ୧୦ ଜଣ ଆରମ୍ଭରୁ ନିଆଁରେ ଚାଲି ଆସୁଛନ୍ତି। ଓମ୍ ଶକ୍ତିଙ୍କୁ ପୂଜା କରିବା ପରେ ସେମାନଙ୍କ ଘରେ ପିଲା ହୋଇଥିଲା ବୋଲି ପାଲାନିଙ୍କ ପରିବାର ବିଶ୍ୱାସ କରିଥାନ୍ତି ।
ଇରୁଲରଙ୍କ ସାଧାରଣ ମନ୍ଦିର କୁଡ଼ିଆ ସ୍ଥାନରେ ଏକ ଛୋଟ ପକ୍କା ଅଟ୍ଟାଳିକା ପ୍ରତିଷ୍ଠା କରି ସେମାନେ ଦେବୀଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଥିଲେ। ଇରୁଲରଙ୍କ ମାଟି ଅମ୍ମନଙ୍କ ସ୍ଥାନରେ ସେମାନେ ଏକ ପଥର ମୂର୍ତ୍ତି ସ୍ଥାପନ କରିଥିଲେ।
*****
ବଙ୍ଗଳାମେଡ଼ର ଇରୁଲରଙ୍କ ପାଇଁ, ବହୁ ପ୍ରତିକ୍ଷିତ ଆଡ଼ି ତୀମଦି କାର୍ଯ୍ୟକ୍ରମର କିଛି ଦିନ ପୂର୍ବରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ଯେଉଁ ଲୋକମାନେ ନିଆଁରେ ଚାଲିବାକୁ ଚାହୁଁଛନ୍ତି ସେମାନେ ନିଜ କଚଟିରେ ଏକ କାପ୍ପ , ବା ଏକ ପବିତ୍ର ଡେଉଁରିଆ ପିନ୍ଧିଥାନ୍ତି ଏବଂ ପର୍ବ ଦିନ ପର୍ଯ୍ୟନ୍ତ ଏକ କଠୋର ବ୍ୟକ୍ତିଗତ ଦିନଚର୍ଯ୍ୟା ପାଳନ କରିଥାନ୍ତି।
‘‘ଥରେ ଆମେ କାପ୍ପ ପିନ୍ଧି ସାରିବା ପରେ, ଆମେ ମୁଣ୍ଡ ବୁଡ଼ାଇ ସ୍ନାନ କରିଥାଉ ଏବଂ ଦିନକୁ ଦୁଇ ଥର ମନ୍ଦିରକୁ ଯାଇଥାଉ, ହଳଦିଆ ପୋଷାକ ପିନ୍ଧୁ, ମାଂସ ଖାଇନଥାଉ ଏବଂ ଗାଁ ଛାଡ଼ି ଅନ୍ୟ କେଉଁ ଆଡ଼େ ଯାଇନଥାଉ,’’ ଏସ ସୁମତି କୁହନ୍ତି। ତାଙ୍କର ବଙ୍ଗଳାମେଡ଼ରେ ଏକ ଛୋଟ ଦୋକାନଟିଏ ରହିଛି। କିଛି ଲୋକ ଗୋଟିଏ ସପ୍ତାହ ଏବଂ ଆଉ କିଛି ଲୋକ ଅଧିକ ଦିନ ପର୍ଯ୍ୟନ୍ତ ଏହି ବ୍ରତ ପାଳନ କରନ୍ତି। ‘‘ଯିଏ ଯେତେ ଦିନ କରିପାରିଲା। ଥରେ କାପ୍ପ ପିନ୍ଧି ସାରିବା ପରେ ଆମେ ଗାଁ ଛାଡ଼ିପାରିବୁ ନାହିଁ,’’ ମଣିଗଣ୍ଡନ କୁହନ୍ତି।
ଡକ୍ଟର ଏମ. ଦାମୋଦରନ ଅଣଲାଭକାରୀ ସଂସ୍ଥା ଏଡ୍ ଇଣ୍ଡିଆରେ ସାମିଲ ହୋଇ ବହୁ ବର୍ଷ ଧରି ଏହି ସମୁଦାୟ ସହିତ କାର୍ଯ୍ୟ କରିଛନ୍ତି । ସେ କୁହନ୍ତି, ଏହି ପ୍ରଥା ବିଭିନ୍ନ ସଂସ୍କୃତି ମଧ୍ୟରେ ବିଚାର ବା ପ୍ରଥାର ପ୍ରସାର ଆଡ଼କୁ ଇଙ୍ଗିତ କରିଥାଏ। ‘‘କିଛି ପ୍ରଥା, ଯଥା ବ୍ରତ ରଖିବା, ଉପବାସ କରିବା, ଏକ ନିର୍ଦ୍ଦିଷ୍ଟ ରଙ୍ଗର ପୋଷାକ ପିନ୍ଧିବା ଏବଂ ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରିବା ଆଦିକୁ ଅନେକ ଅଣ-ଇରୁଲର ସମୁଦାୟ ମଧ୍ୟରେ ବ୍ୟାପକ ଆକାରରେ ସ୍ୱୀକୃତି ମିଳିଛି,’’ ସେ କୁହନ୍ତି। ‘‘ସମସ୍ତ ଇରୁଲର ପଡ଼ାରେ ଏସବୁ ପ୍ରଥା ପାଳନ କରାଯାଏ ନାହିଁ।’’
ବଙ୍ଗଳାମେଡ଼ରେ, ଇରୁଲର ଲୋକମାନେ ଦିନର ସମସ୍ତ ପୂଜା ଅନୁଷ୍ଠାନ ପରିଚାଳନା କରିଥାନ୍ତି। ସେମାନେ ସାଜସଜ୍ଜାରେ ଖୁବ୍ ଅଳ୍ପ ଯୋଗଦାନ ଦେଇଥାନ୍ତି। ପର୍ବପର୍ବାଣୀ ସକାଳୁ, ମନ୍ଦିର ଆଡ଼କୁ ଯିବା ରାସ୍ତାରେ ଗଛରେ ସତେଜ ନିମ୍ବ ପତ୍ର ଗୁଚ୍ଛ ଛନ୍ଦାଛନ୍ଦି ହୋଇ ରହିଥାଏ। ମାଇକରେ ଜୋର ଶବ୍ବ କରି ଭକ୍ତି ସଙ୍ଗୀତ ବାଜୁଛି । ସତେଜ ନଡ଼ିଆ ପତ୍ର ଚଟେଇ ଏବଂ ଲମ୍ବା କଦଳୀ ପତ୍ର ସଜା ହୋଇ ମନ୍ଦିର ପ୍ରବେଶ ଦ୍ୱାରକୁ ସୁଶୋଭିତ କରିଥାଏ।
କାପ୍ପ ପିନ୍ଧିଥିବା ଲୋକମାନେ ହଳଦିଆ ପୋଷାକରେ ପରମ୍ପରା ପାଳନ ପାଇଁ ମନ୍ଦିର ନିକଟରେ ପହଞ୍ଚିଥାନ୍ତି। ଅରୁଳବାକ୍କ ବା ଅମ୍ମନ ଙ୍କ ଠାରୁ ଆସିଥିବା ଐଶ୍ୱରିକ ବାଣୀ ଶୁଣିବା ପରେ ଦିନର ସମାରୋହ ଆରମ୍ଭ ହୋଇଥାଏ। ଦେବୀ କୌଣସି ମାଧ୍ୟମରେ ଏହି ବାର୍ତ୍ତା ଦେଇଥାନ୍ତି ବୋଲି ସେମାନେ ବିଶ୍ୱାସ କରନ୍ତି। ‘‘ଯେତେବେଳେ ଅମ୍ମନ କାହା ଭିତରେ ପ୍ରବେଶ କରନ୍ତି, ସେ ତାଙ୍କ ଜରିଆରେ କଥା ହୁଅନ୍ତି,’’ ମଣିଗଣ୍ଡନ କୁହନ୍ତି । ‘‘ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନେ ମନ୍ଦିର ଭିତରେ କେବଳ ଖଣ୍ଡେ ପଥର ଦେଖନ୍ତି। ଆମ ପାଇଁ ମୂର୍ତ୍ତି ଜୀବନ୍ତ, ଯାହାର ଜୀବନ ଅଛି । ସେ ଆମ ମା’ଙ୍କ ଭଳି । ଆମେ ନିଜ ଲୋକ ଭଳି ତାଙ୍କ ସହ କଥା ହେଉ। ମା’ ଆମର ସମସ୍ୟା ବୁଝନ୍ତି ଏବଂ ପରାମର୍ଶ ଦିଅନ୍ତି ।’’
ମଣିଗଣ୍ଡନଙ୍କ ଭଉଣୀ, କନ୍ନିଅମ୍ମା, ପ୍ରତି ବର୍ଷ ଅରୁଳବାକ୍କ ପ୍ରଦାନ କରନ୍ତି, ସେ ବଳଦି ଆଯାଇଥିବା ଗଞ୍ଜା ଓ ଛେଳି ରକ୍ତ ମିଶ୍ରିତ ଚାଉଳକୁ ମନ୍ଦିର ଚାରିପାଖରେ ଏବଂ ଗାଁ ସୀମାରେ ସିଞ୍ଚି ଥା’ନ୍ତି। ସ୍ୱେଚ୍ଛାସେବୀମାନେ କୁଡ଼ୁ ବା ଚାଉଳ ଏବଂ ରାଗୀ (ମାଣ୍ଡିଆ) ଅଟାରେ ପ୍ରସ୍ତୁତ କ୍ଷୀରି ଭୋଗ ସମସ୍ତଙ୍କୁ ବାଣ୍ଟିଥା’ନ୍ତି। ଅପରାହ୍ଣରେ ସମସ୍ତେ ଏକ ବଡ଼ ତୋରା ବା ଫୁଲହାର ଏବଂ କଦଳି ଗଛ ଗଣ୍ଡିକୁ ପ୍ରସ୍ତୁତ କରାଯାଏ, ଯେଉଁଥିରେ ସବାର ହୋଇ ଦେବୀ ସନ୍ଧ୍ୟା ଶୋଭାଯାତ୍ରାରେ ବାହାରନ୍ତି।
କିଛି ବର୍ଷ ହେବ, ମାଟି କୁଡ଼ିଆ ସ୍ଥାନରେ ପକ୍କା ମନ୍ଦିର ନିର୍ମାଣ ହେବା ସହିତ, ପାର୍ବଣର ଆକାର ବୃଦ୍ଧି ପାଇଛି । ପାଲାନିଙ୍କ ଗୁଡ଼ିଗୁଣ୍ଟା ଗ୍ରାମ ସମେତ ପଡ଼ୋଶୀ ଗ୍ରାମର ବହୁସଂଖ୍ୟକ ଦର୍ଶକ ମାନସିକଧାରୀଙ୍କୁ ନିଆଁରେ ଚାଲୁଥିବା ଦେଖିବା ପାଇଁ ବଙ୍ଗଳାମେଡ଼ ଆସୁଛନ୍ତି। ‘‘ଏହି ପର୍ବ କେବେ ବନ୍ଦ ହୋଇନାହିଁ, ଏପରିକି କୋଭିଡ ସମୟରେ ମଧ୍ୟ ନୁହେଁ । ଯଦିଓ ସେହି ଦୁଇ ବର୍ଷ କମ୍ ସଂଖ୍ୟକ ଦର୍ଶକ ଆସିଥିଲେ,’’ ମଣିଗଣ୍ଡନ କୁହନ୍ତି । ୨୦୧୯ରେ, କୋଭିଡ ଆସିବା ପୂର୍ବରୁ, ଏହି ପର୍ବରେ ପ୍ରାୟ ୮୦୦ ଆଗନ୍ତୁକଙ୍କ ଭିଡ଼ ହୋଇଥିଲା।
କିଛି ବର୍ଷ ହେବ, ପାଲାନିଙ୍କ ପରିବାର, ଆଗନ୍ତୁକମାନଙ୍କୁ ମାଗଣା ଭୋଜନ ଦେଉଛନ୍ତି ବା ଅନ୍ନଦାନମ କରୁଛନ୍ତି। ‘‘୨୦୧୯ରେ, ଆମେ ବିରିୟାନୀ ପାଇଁ ୧୪୦ କିଲୋ କୁକୁଡ଼ା ମାଂସ ଦେଇଥିଲୁ ଏବଂ ଏଥିରେ ଏକ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା,’’ ପାଲାନୀ କୁହନ୍ତି। ଏବେ କୋଭିଡ଼ ପୂର୍ବବର୍ତ୍ତୀ ଦିନ ଭଳି ଆଗନ୍ତୁକଙ୍କ ଭିଡ଼ ହେଉଛି । ‘‘ସମସ୍ତେ ସନ୍ତୁଷ୍ଟ ହୋଇଥାନ୍ତି,’’ ସେ କୁହନ୍ତି। ଅଧିକ ଖର୍ଚ୍ଚ ତୁଲାଇବାକୁ ପାଲାନୀ ନିଜ ବନ୍ଧୁମାନଙ୍କଠାରୁ ଟଙ୍କା ଆଣିଥାନ୍ତି ।
‘‘ଆମେ ମନ୍ଦିର ପାଇଁ କୋଠା ତିଆରି କରିବା ପରଠାରୁ ହିଁ ଭକ୍ତଙ୍କ ଭିଡ଼ ବଢ଼ିଯାଇଛି। ଇରୁଲରମାନେ ଏହାକୁ ପରିଚାଳନା କରିପାରିବେ ନାହିଁ, ଠିକ୍ ନା?’’ ସେ ପ୍ରଶ୍ନ କରିଥାନ୍ତି। ସେ ଏହି ମନ୍ଦିରକୁ ନିଜ ଗାଁର ନାମାନୁସାରେ ଗୁଡ଼ିଗୁଣ୍ଟା ଓମ୍ ଶକ୍ତି ମନ୍ଦିର କୁହନ୍ତି ।
*****
‘‘ଯେତେବେଳେ ନୂଆ ମନ୍ଦିର ତିଆରି ହେଲା, ଆମ ମାଟି ମୂର୍ତ୍ତି ସ୍ଥାନରେ ଏକ ପଥର ମୂର୍ତ୍ତି ସ୍ଥାପନ ହେଲା; ସେମାନେ କହିଲେ ମନ୍ଦିର ଏମିତି ପ୍ରତିଷ୍ଠା କରାଯାଏ,’’ ମଣିଗଣ୍ଡନ କୁହନ୍ତି। ‘‘ଆମେ ନିଜ ମାଟି ମୂର୍ତ୍ତିକୁ ଏହା ପାଖରେ ରଖିଲୁ। ମାଟି ହିଁ ଆମକୁ ସୁରକ୍ଷା ଦେଇଥାଏ।’’
‘‘ସେମାନେ ଜଣେ ଆୟର (ବ୍ରାହ୍ମଣ ପୂଜକ)ଙ୍କୁ ଡାକିଲେ, ଯିଏକି ଆମ ଅରୁଆ ଚାଉଳ ଏବଂ ନିମ୍ବ ଭୋଗକୁ ବାହାର କରିଦେଲେ,’’ ସେ କୁହନ୍ତି। ‘‘ଏହା ଆମ ପୂଜାପଦ୍ଧତିଠାରୁ ଭିନ୍ନ,’’ ବିବ୍ରତ ହୋଇ ସେ କହିଥାନ୍ତି।
ନୃତତ୍ତ୍ୱ ବିଷୟରେ ଉଚ୍ଚ ଶିକ୍ଷା ହାସଲ କରିଥିବା ଡକ୍ଟର ଦାମୋଦରନ କୁହନ୍ତି, କନ୍ନିଅମ୍ମାଙ୍କ ଭଳି ଦେବୀଙ୍କ ପୂଜାରେ ସାଧାରଣ ବିସ୍ତୃତ ଏବଂ ସଂଗଠିତ ପୂଜା ପଦ୍ଧତି ଅବଲମ୍ବନ କରାଯାଏ ନାହିଁ କିମ୍ବା ଏଥିରେ ସମ୍ପୂର୍ଣ୍ଣ ସମୁଦାୟ ସମ୍ପୃକ୍ତ ରୁହନ୍ତି ନାହିଁ । ପୂଜା ଉପରେ ଜୋର ଦେବା ଏବଂ ଏହାକୁ ଏକ ନିର୍ଦ୍ଦିଷ୍ଟ ମାର୍ଗରେ କରିବା, ତା’ଛଡ଼ା ଏଥିରେ ଜଣେ ପୂଜକ (ପ୍ରାୟତଃ ବ୍ରାହ୍ମଣ)ଙ୍କୁ ସାମିଲ କରି ଏହାକୁ ମାନ୍ୟତା ପ୍ରଦାନ କରିବା, ଏକ ନମୁନା ପାଲଟିଗଲାଣି । ଏହା ଭିନ୍ନ ଭିନ୍ନ ସଂସ୍କୃତିର ଅଭିନବ ପୂଜା ପଦ୍ଧତିକୁ ହଟାଇ ଦେଇ ନିର୍ଦ୍ଦିଷ୍ଟ ପୂଜାପଦ୍ଧତି ଆପଣାଇବାକୁ ବାଧ୍ୟ କରିଥାଏ।’’
ପ୍ରତିବର୍ଷ ବଙ୍ଗଳାମେଡ଼ରେ ତୀମଦି ଅଧିକ ଭବ୍ୟ ହୋଇ ଚାଲିଥିବାରୁ, ପାର୍ବଣ ଧୀରେ ଧୀରେ ସେମାନଙ୍କ ହାତରୁ ଖସି ଯାଉଥିବା ମଣିଗଣ୍ଡନ ଏବଂ ତାଙ୍କ ପରିବାର ଲୋକମାନେ ଭାବୁଛନ୍ତି।
‘‘ପୂର୍ବରୁ ମୋ ବାପା ଖାଦ୍ୟ ବାବଦରେ ମୋଇ (ପର୍ବର ଭୋଜନ ସେବନ କରିସାରିବା ପରେ ଅତିଥିଙ୍କଠାରୁ ମିଳୁଥିବା ଉପହାର)ରୁ ସବୁ ଖର୍ଚ୍ଚ ତୁଲାଉଥିଲେ। ଏବେ ସେମାନେ (ପାଲାନୀଙ୍କ ପରିବାର) ସବୁ ଖର୍ଚ୍ଚ ତୁଲାଉଛନ୍ତି। ସେମାନେ କହୁଛନ୍ତି, ‘ମଣି, ତୁମେ କାପ୍ପ ପରମ୍ପରାରେ ଧ୍ୟାନ ଦିଅ,’’ ମଣିଗଣ୍ଡନ କୁହନ୍ତି। ତାଙ୍କ ପରିବାର ବେଳେବେଳେ ପାଲାନିଙ୍କ ଚାଷ ଜମିରେ କାମ କରିଥାନ୍ତି ।
ସମାରୋହ ପାଇଁ ଲାଗିଥିବା ପ୍ରଚାରପତ୍ରରେ ସ୍ୱର୍ଗତ ଗୋପାଳଙ୍କ ବଳିମୁରାଇ (ପରମ୍ପରା)କୁ ସ୍ୱୀକାର କରୁଥିବା ଖଣ୍ଡେ ବାକ୍ୟକୁ ଛାଡ଼ି, ଇରୁଲରଙ୍କ ବିଷୟରେ କୌଣସି ଉଲ୍ଲେଖ ନାହିଁ। ‘‘ଆମ ବାପାଙ୍କ ନାମ ସେଥିରେ ଉଲ୍ଲେଖ କରିବାକୁ ଆମେ ଜୋର ଦେଇଥିଲୁ। ଏଥିରେ କାହା ନାଁ ଯୋଡ଼ିବାକୁ ସେମାନେ ଚାହୁଁନଥିଲେ,’’ ମଣିଗଣ୍ଡନ କୁହନ୍ତି ।
ତେବେ ତୀମଦି ଦିନ ନିଆଁରେ ଚାଲୁଥିବା ମାନସିକଧାରୀମାନେ ଏସବୁ ଆଶଙ୍କାକୁ ମନରୁ ଦୂରେଇ ଦେଇଥାନ୍ତି କାରଣ ସେମାନେ ନିଜ ଭକ୍ତିର ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇଥାନ୍ତି - ସ୍ନାନ କରିବା ପରେ, ହଳଦିଆ କପଡ଼ା ପିନ୍ଧନ୍ତି, ବେକରେ ଫୁଲମାଳ ପଡ଼ିଥାଏ, ମୁଣ୍ଡରେ ଫୁଲ ସଜା ହୋଇଥାଏ, ଦେହସାରା ଚନ୍ଦନ ଲେପ ବୋଳା ହୋଇଥାଏ ଏବଂ ପବିତ୍ର ହାତରେ ନିମ୍ବ ପତ୍ରର ବିଡ଼ା ଥାଏ। ‘‘ସେହି ଦିନ ଯେମିତି ଅମ୍ମନ ଆମ ଭିତରେ ପ୍ରବେଶ କରିଥାନ୍ତି । ଏହି କାରଣରୁ ପୁରୁଷମାନେ ମଧ୍ୟ ଫୁଲ ପିନ୍ଧିଥାନ୍ତି,’’ କନ୍ନିୟମ୍ମା କୁହନ୍ତି ।
ନିଆଁରେ ଚାଲିବାକୁ ଥିବା ଲୋକମାନେ ଅଙ୍ଗାର ଗର୍ତ୍ତ ଉପରେ ଚାଲିବା ଆରମ୍ଭ କରିବା କ୍ଷଣି, ଲୋକଙ୍କ ଶାନ୍ତ ଭାବନା ଉନ୍ମାଦରେ ବଦଳି ଯାଏ। କିଛି ଆଗନ୍ତୁକ ଜୟ ଜୟକାର କରନ୍ତି, ଆଉ କିଛି ପ୍ରାର୍ଥନା କରିଥାନ୍ତି । ଅନେକ ଲୋକ ଏହି ସମ୍ମୋହକ ଦୃଶ୍ୟକୁ ନିଜ ମୋବାଇଲ ଫୋନରେ ରେକର୍ଡ କରନ୍ତି ।
ଏକଦା ସାଧାରଣ ଇରୁଲରଙ୍କ ପୂଜାସ୍ଥଳୀ ଥିବା ଏହି ସ୍ଥାନ ନୂଆ ନାମ, ନୂଆ ମୂର୍ତ୍ତି ଏବଂ ମନ୍ଦିର ଓ ପର୍ବ ପରିଚାଳନା ପାଇଁ ପରିବର୍ତ୍ତିତ ବ୍ୟବସ୍ଥା ସତ୍ତ୍ୱେ ମଣିଗଣ୍ଡନ ଓ ତାଙ୍କ ପରିବାର ସେମାନଙ୍କ ଅମ୍ମନ ଙ୍କ ପ୍ରତି ନିଜ ସ୍ୱର୍ଗୀୟ ବାପାଙ୍କ ପ୍ରତିଶ୍ରୁତି ରକ୍ଷା କରି ସେମାନଙ୍କ ଜୀବନ ରକ୍ଷା ପାଇଁ ତାଙ୍କୁ କୃତଜ୍ଞତା ଜଣାଉଛନ୍ତି ।
ସୂଚନା : ଏହି ରିପୋର୍ଟର ୨୦୧୯ରେ ତୀମଦି ପର୍ବ ଦେଖିବା ଲାଗି ବଙ୍ଗଳାମେଡ଼ ଯାଇଥିବା ସମୟରେ ଏହି ଫଟୋଗୁଡ଼ିକ ସହିତ କାହାଣୀ ସଂଗ୍ରହ କରାଯାଇଥିଲା।
ଅନୁବାଦ: ଓଡ଼ିଶାଲାଇଭ୍