ଟେମ୍ପୁ ମାଞ୍ଝୀଙ୍କ ପରିବାର ଲୋକ କୁହନ୍ତି ଯେ, ସେ ଏମିତି ଏକ ଅପରାଧର ଦଣ୍ଡ ଭୋଗୁଛନ୍ତି ଯାହା ସେ କେବେ ବି କରିନାହାନ୍ତି।
ପରିବାରର କହିବା ଅନୁଯାୟୀ, ଜହାନାବାଦ କୋର୍ଟରେ ମାମଲାର ଶୁଣାଣି ସମୟରେ ପୁଲିସ କଥିତ ଭାବେ ତାଙ୍କ ଘରୁ ଜବତ ହୋଇଥିବା ସାମଗ୍ରୀକୁ ପ୍ରମାଣ ସ୍ୱରୂପ ଉପସ୍ଥାପନ କରିଥିଲା, କିନ୍ତୁ ସାମଗ୍ରୀ ତାଙ୍କ ଘରୁ ହିଁ ଜବତ ହୋଇଥିଲା, ଏହାର କୌଣସି ଠୋସ୍ ପ୍ରମାଣ ଦିଆଯାଇନଥିଲା।
ତାଙ୍କ ପତ୍ନୀ ୩୫ ବର୍ଷ ବୟସ୍କା ଗୁନା ଦେବୀ କୁହନ୍ତି, ‘‘ତାଙ୍କୁ ମିଥ୍ୟା ମାମଲାରେ ଫସେଇ ଦିଆଯାଇଛି।’’
ମାମଲାରେ ଯେଉଁ ପାଞ୍ଚ ଜଣ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀଙ୍କ ସାକ୍ଷ୍ୟ ଆଧାରରେ ଟେମ୍ପୁଙ୍କୁ ଦଣ୍ଡ ମିଳିଛି ସେମାନେ ସମସ୍ତେ ପୁଲିସକର୍ମୀ ଥିଲେ। ଏହି ତଥ୍ୟରୁ ପରିବାର ଲୋକଙ୍କ ଦାବିକୁ ବଳ ମିଳିଥାଏ। ଟେମ୍ପୁଙ୍କ ବିରୋଧରେ ବିହାର ମଦନିଷେଧ ଓ ଉତ୍ପାଦ ଆଇନ, ୨୦୧୬ ଅଧୀନରେ ରୁଜୁ ହୋଇଥିବା ମାମଲାର ଶୁଣାଣି ସମୟରେ ଜଣେ ହେଲେ ନିରପେକ୍ଷ ସାକ୍ଷୀଙ୍କୁ ହାଜର କରାଯାଇନଥିଲା।
ଗୁନା ଦେବୀ କୁହନ୍ତି, ‘‘ଘର ପଛପଟ ଜମିରୁ ମଦ ମିଳିଥିଲା। ଜମି କାହାର ଆମେ ଜାଣିନାହୁଁ। ଜବତ ହୋଇଥିବା ମଦ ବିଷୟରେ ଆମେ କିଛି ଜାଣିନାହୁଁ ବୋଲି ପୁଲିସକୁ କହିଥିଲୁ।’’ କିନ୍ତୁ, ପୁଲିସ ସେମାନଙ୍କ କଥା ଶୁଣିନଥିଲା। ‘‘ତୋରା ଘର କେ ପିଛେ (ଦାରୁ) ହୁ, ତଅ ତୋରେ ନ ହୋତଉ (ତୁମ ଘର ପଛପଟୁ ମଦ ମିଳିଛି, ତେଣୁ ତାହା ତୁମର ବୋଲି ଧରାଯିବ)।’’
ଟେମ୍ପୁ ମାଞ୍ଝୀଙ୍କୁ ୨୦୧୯ରେ ଗିରଫ କରାଯାଇଥିଲା। ଏହାର ତିନି ବର୍ଷ ପରେ ୨୫ ମାର୍ଚ୍ଚ, ୨୦୨୨ରେ ତାଙ୍କୁ ଘରେ ମଦ ପ୍ରସ୍ତୁତ କରିବା ଓ ବିକ୍ରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ୫ ବର୍ଷର ଦଣ୍ଡାଦେଶ ଦିଆଯାଇଥିଲା ଏବଂ ୧ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ ହୋଇଥିଲା।
ଟେମ୍ପୁ ମାଞ୍ଝୀ ଓ ଗୁନା ଦେବୀ ନିଜ ଚାରି ପିଲାଙ୍କ ସହିତ ଜହାନାବାଦ ଜିଲ୍ଲା କିନାରୀ ଗାଁରେ ଗୋଟିଏ ବଖୁରିକିଆ ଘରେ ରହିଥାନ୍ତି। ଏହି ପରିବାର ମୁସହାର ସମୁଦାୟର ପ୍ରତିନିଧିତ୍ୱ କରିଥାନ୍ତି ଏବଂ ଗାଁର ମୁସହାରଟୋଲି (ପଡ଼ା)ରେ ରୁହନ୍ତି। ୨୦୧୯, ମାର୍ଚ୍ଚ ୨୦ ତାରିଖ ସକାଳେ ଯେତେବେଳେ ଟେମ୍ପୁ ମାଞ୍ଝୀଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା, ସେତେବେଳେ ସେ ଘରେ ନଥିଲେ। ସେ ଜମି ମାଲିକଙ୍କ ପାଇଁ ସେମାନଙ୍କ ଘରକୁ ଫସଲ ବୋହୁଥିବା ଏକ ଗାଡ଼ିରେ (ଖଲାସୀ) ମଜୁରିଆ ଭାବେ କାମ କରୁଥିଲେ ଏବଂ ସକାଳୁ ଉଠି କାମକୁ ଚାଲି ଯାଇଥିଲେ।












