“ଛାତ୍ରଛାତ୍ରୀମାନଙ୍କ ପାଇଁ ନିଃସର୍ତ୍ତ ସ୍ନେହ ଏବଂ ସେମାନଙ୍କୁ ସଂପୂର୍ଣ୍ଣ ରୂପେ ଆଦରି ନେବା । ଜଣେ ଶିକ୍ଷୟିତ୍ରୀ ଭାବରେ ମୁଁ ତାହା ହିଁ ଶିଖିଛି।”
ବିନମ୍ର ଅଥଚ ଦୃଢ଼ କଣ୍ଠରେ ନିଜ ମତ ଦିଅନ୍ତି ମେଧା ଟେଙ୍ଗସେ । ସେ ଜଣେ ସ୍ୱତନ୍ତ୍ର ଶିକ୍ଷୟିତ୍ରୀ ଏବଂ ‘ସାଧନା ଭିଲେଜ୍’ ନାମକ ଅନୁଷ୍ଠାନର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟା । ଏହି ଅନୁଷ୍ଠାନରେ ବିଭିନ୍ନ ବୟସ ବର୍ଗର ଏବଂ ଭିନ୍ନ ଭିନ୍ନ ବୌଦ୍ଧିକ ଦକ୍ଷତା ସ୍ତରର, ୩୦ରୁ ଅଧିକ ବ୍ୟକ୍ତିଙ୍କୁ ଜୀବନଯାପନର ମୌଳିକ କୌଶଳ ସହିତ କିଛି କଳା, ସଙ୍ଗୀତ ଏବଂ ନୃତ୍ୟ ଶିକ୍ଷା ଦିଆଯାଏ ।
ପୁଣେ ଜିଲ୍ଲାର ମୁଲଶି ବ୍ଲକ୍ରେ ‘ସାଧନା ଭିଲେଜ୍’ ଅବସ୍ଥିତ । ବୌଦ୍ଧିକ ଅକ୍ଷମତାଗ୍ରସ୍ତ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଏହା ଏଭଳି ଏକ ଆବାସିକ ଶିକ୍ଷାନୁଷ୍ଠାନ, ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ ‘ବିଶେଷ ବନ୍ଧୁ’ ଭାବରେ ଅଭିହିତ କରାଯାଏ ଏବଂ ମେଧା ତାଇ, ଯେ କି ନିଜେ ଜଣେ ପ୍ରଶିକ୍ଷିତ ସାମ୍ବାଦିକ, ସେ ଏଠାକାର ୧୦ ଜଣ ଅନ୍ତେବାସୀଙ୍କ ପାଇଁ ନିଜ ଭୂମିକାକୁ ଗୃହ ମାତା (ଘରର ମା’) ଭାବରେ ପରିଭାଷିତ କରନ୍ତି । ସେମାନଙ୍କ ପାଇଁ ସେ “ଜଣେ ମାଆ, ଏବଂ ଜଣେ ଶିକ୍ଷକ ମଧ୍ୟ” ।
ତାଙ୍କର ଏହି ଭାବଧାରା ସହିତ ଏକମତ ହୁଅନ୍ତି ସତ୍ୟଭାମା ଅଲ୍ହଟ । ସେ ବଧିରମାନଙ୍କ ପାଇଁ ପୁଣେରେ ଅବସ୍ଥିତ ଧାୟରୀ ସ୍କୁଲ୍ର ଜଣେ ସ୍ୱତନ୍ତ୍ର ଶିକ୍ଷୟିତ୍ରୀ । ‘ପରୀ’କୁ ସେ କହନ୍ତି, “ଆମ ସ୍କୁଲ ଭଳି ଏକ ଆବାସିକ ସ୍କୁଲରେ ଜଣେ ଶିକ୍ଷକ ବା ଶିକ୍ଷୟିତ୍ରୀ, ବାପାମାଆଙ୍କ ସଦୃଶ ଏବଂ ଆମ ପିଲାମାନେ ଘରକୁ ଝୁରି ହୁଅନ୍ତୁ ବୋଲି ଆମେ ଚାହୁଁନାହିଁ ।” ଏହା କହିବା ସହିତ ସେଦିନ ନାଗ ପଞ୍ଚମୀ ହୋଇଥିବାରୁ ସେଠାକାର ଝିଅମାନଙ୍କୁ ପାରମ୍ପରିକ ଫୁଗାଡ଼ି ଖେଳ ଶିଖାଇବାକୁ ବୁଲି ପଡ଼ନ୍ତି ସେ । ଶ୍ରାବଣର ପଞ୍ଚମ ଦିବସରେ ନାଗ ପଞ୍ଚମୀ ପାଳିତ ହୁଏ ଏବଂ ସେଦିନ ଝିଅମାନେ ଏହି ପାରମ୍ପରିକ ଖେଳ ଖେଳନ୍ତି । ଧାୟରୀ ଏକ ପ୍ରାଥମିକ ସ୍କୁଲ୍ ଏବଂ ଏଠାରେ, ମହାରାଷ୍ଟ୍ରର ବିଭିନ୍ନ ଭାଗ ସହିତ କର୍ଣ୍ଣାଟକ, ଦିଲ୍ଲୀ, ପଶ୍ଚିମ ବଙ୍ଗ ଏବଂ ରାଜସ୍ଥାନ ଭଳି ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ୪୦ ଜଣ ଆବାସିକ ଛାତ୍ରଛାତ୍ରୀ ଏବଂ ୧୨ ଜଣ ଦିବାଧ୍ୟାୟୀ ଛାତ୍ରଛାତ୍ରୀ ଶିକ୍ଷାଲାଭ କରନ୍ତି ।
‘ପରୀ’କୁ ସତ୍ୟଭାମା କହିଲେ ଯେ, ଏହି ସ୍କୁଲରୁ ଶିକ୍ଷାଲାଭ କରି ଅନ୍ୟତ୍ର ଯାଇଥିବା ଛାତ୍ରଛାତ୍ରୀଙ୍କ ପାଖରୁ ଏହି ସ୍କୁଲରେ ଉପଲବ୍ଧ ସୁବିଧା ସୁଯୋଗ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସଂପର୍କରେ ଭଲ ଭଲ କଥା ସବୁ ଶୁଣିବା ପରେ ବାପାମାଆମାନେ ସେମାନଙ୍କ ପିଲାଙ୍କୁ ଏଠାକୁ ପଠାଇବା ଲାଗି ଆଗ୍ରହ ପ୍ରକାଶ କରନ୍ତି । ଏଠାରେ କୌଣସି ଦେୟ ଦେବାକୁ ନ ପଡ଼ିବା ଏବଂ ରହିବା ସୁବିଧା ଥିବାରୁ ସେମାନେ ଏଥିପ୍ରତି ଆକର୍ଷିତ ହୁଅନ୍ତି । ଏଠାରେ ସାଢ଼େ ୪ ବର୍ଷ ବୟସର ଛୋଟପିଲାମାନେ ବି ନାମ ଲେଖାନ୍ତି । କୌତୁହଳର କଥା ଯେ, କେବଳ ଯେ ବଧିର ପିଲାମାନଙ୍କ ନାମଲେଖା ସଂପର୍କରେ ବାପାମାଆମାନେ ପଚାରି ବୁଝନ୍ତି ତା ନୁହେଁ, ସତ୍ୟଭାମା କହନ୍ତି, “ଶୁଣିପାରୁଥିବା ପିଲାମାନଙ୍କ ବାପାମାଆମାନେ ବି ଏଠାକୁ ଆସନ୍ତି ଏବଂ ସେମାନଙ୍କ ନାମଲେଖା ସଂପର୍କରେ ପଚାରି ବୁଝନ୍ତି । କାରଣ, ସେମାନେ ଏହି ସ୍କୁଲକୁ ପସନ୍ଦ କରନ୍ତି । ଆମକୁ ସେମାନଙ୍କୁ ଫେରାଇ ଦେବାକୁ ପଡ଼େ ।”
ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଶିକ୍ଷକମାନଙ୍କୁ ‘ସ୍ୱତନ୍ତ୍ର ଶିକ୍ଷାଦାତା’ ରୂପେ ଦର୍ଶାଯାଇଥାଏ ଏବଂ ସେମାନେ ଏମିତି ଢଙ୍ଗରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରନ୍ତି, ଯେମିତି କି ସେମାନଙ୍କର ବ୍ୟକ୍ତିଗତ ପାର୍ଥକ୍ୟ ଓ ଅକ୍ଷମତା ପ୍ରତି ଧ୍ୟାନ ଦିଆଯାଇପାରିବ ଏବଂ ସେମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରାଯାଇପାରିବ ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଯାଇପାରିବ । ଏହି ଶିକ୍ଷକ ଏବଂ ଶିକ୍ଷାଦାତାମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମତରେ ସ୍ୱତନ୍ତ୍ର ଶିକ୍ଷାଦାନ ପ୍ରଣାଳୀର ମହତ୍ତ୍ୱ ବିଭିନ୍ନ ଜ୍ଞାନକୌଶଳ ଏବଂ ପଦ୍ଧତି ସଂପର୍କିତ ଶିକ୍ଷାଦାନ ତୁଳନାରେ ଖୁବ୍ ଅଧିକ । ଏହା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶ୍ୱାସ ଓ ବନ୍ଧନ ସଂପର୍କିତ ।
୨୦୧୮-୧୯ରେ ମହାରାଷ୍ଟ୍ରରେ ୩,୦୦,୪୬୭ ଜଣ ବିଶେଷ ଆବଶ୍ୟକତା ବିଶିଷ୍ଟ ପିଲା(CWSN)ଙ୍କ ନାମ ୧ମରୁ ୧୨ଶ ଶ୍ରେଣୀରେ ଲେଖାଯାଇଥିଲା । ମହାରାଷ୍ଟ୍ରରେ ୧,୬୦୦ଟି ବିଶେଷ ଆବଶ୍ୟକତା ସ୍କୁଲ ରହିଛି । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସକାଶେ ୨୦୧୮ ମସିହାରେ ପ୍ରଣୀତ ରାଜ୍ୟ ସରକାରଙ୍କ ନୀତି ଅନୁଯାୟୀ ବିଶେଷ ଆବଶ୍ୟକତା ବିଶିଷ୍ଟ ପିଲାମାନଙ୍କୁ ଉଚିତ ଶିକ୍ଷାଦାନ ସଂପର୍କିତ ଆକଳନ ନିମନ୍ତେ ପ୍ରତି ସ୍କୁଲରେ ଅନ୍ତତଃ ଜଣେ ସ୍ୱତନ୍ତ୍ର ଶିକ୍ଷକଙ୍କୁ ନିଯୁକ୍ତ କରାଯିବ । କିନ୍ତୁ, ମେଧା ତାଇଙ୍କ କହିବା ଅନୁସାରେ ୨୦୧୮ ମସିହାରେ ୯୬ଟି ଗାଁ ବିଶିଷ୍ଟ ମୁଲଶି ବ୍ଲକ୍ରେ ମାତ୍ର ନଅ ଜଣ ସ୍ୱତନ୍ତ୍ର ଶିକ୍ଷାଦାତାଙ୍କୁ ନିଯୁକ୍ତି ଦିଆଯାଇଥିଲା ।
ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ଶିକ୍ଷକମାନେ ସେମାନଙ୍କର ସମସ୍ତ ବ୍ୟକ୍ତିଗତ ପାର୍ଥକ୍ୟ ଓ ଅକ୍ଷମତା ପ୍ରତି ସଜାଗ ରହିବା ସହିତ ସେମାନଙ୍କର ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରି ସେମାନଙ୍କୁ ଆତ୍ମନିର୍ଭର କରି ଗଢ଼ି ତୋଳନ୍ତି
*****
ଜଣେ ସ୍ୱତନ୍ତ୍ର ଶିକ୍ଷାଦାତା ସ୍ୱତନ୍ତ୍ର ଶିକ୍ଷାଦାନ କୌଶଳ ଜାଣିଥିବା ଆବଶ୍ୟକ । ଗତ ବର୍ଷଠାରୁ ଏଠାରେ ରହିଆସୁଥିବା ୱାର୍ଦ୍ଧାର ଜଣେ ୨୬ ବର୍ଷୀୟ ସାମାଜିକ କର୍ମୀ ରାହୁଲ ୱାଙ୍ଖେଡ଼େ କହନ୍ତି, “ଯେତେବେଳେ ଛାତ୍ରଛାତ୍ରୀମାନେ ଆପଣଙ୍କ ବାପାମାଆଙ୍କ ବୟସର ହୋଇଥାଆନ୍ତି” ସେତେବେଳେ ଏହାର ଆବଶ୍ୟକତା ଆହୁରି ଅଧିକ । ତାଙ୍କର ଜଣେ ବରିଷ୍ଠ ସହକର୍ମୀ, ୨୭ ବର୍ଷୀୟ କାଞ୍ଚନ ୟେସଙ୍କର ଏଭଳି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରି ପାଞ୍ଚ ବର୍ଷ ବିତାଇ ସାରିଛନ୍ତି । ୱାର୍ଦ୍ଧାର କାଞ୍ଚନଙ୍କ ମତରେ ଏହି ଛାତ୍ରଛାତ୍ରୀମାନେ ହିଁ ତାଙ୍କୁ ଜଣେ ସୁଖୀ ବ୍ୟକ୍ତି ରୂପେ ବଞ୍ଚିବାକୁ ଶିକ୍ଷା ଦେଇଛନ୍ତି ।
କୋଡ଼ିଏ ବର୍ଷ ବୟସର କୁନାଲ ଗୁଜରଙ୍କର ମାନସିକ ସ୍ଥିତି ହାରାହାରିଠାରୁ କମ୍ ଏବଂ ତାଙ୍କ ବାମ ହାତ ମଧ୍ୟ ଦୁର୍ବଳ । ୩୪ ବର୍ଷୀୟା ସାମାଜିକ କର୍ମୀ ମୟୂରୀ ଗାଏକୱାଡ଼ ଏବଂ ତାଙ୍କ ସହକର୍ମୀମାନେ କୁନାଲ ଏବଂ ତାଙ୍କ ଭଳି ଅନ୍ୟ ସାତ ଜଣ ସ୍ୱତନ୍ତ୍ର ପିଲାଙ୍କୁ ସ୍ୱତନ୍ତ୍ର ଶ୍ରେଣୀରେ ଶିକ୍ଷାଦାନ ବ୍ୟବସ୍ଥା କରିଥିଲେ । ପୁଣେ ନିକଟବର୍ତ୍ତୀ ହଡ଼ଶିର କାଲେକରୱାଡ଼ିରେ ଥିବା ଦେବରାଇ କେନ୍ଦ୍ରରେ ଆମ ସହିତ କଥାବାର୍ତ୍ତା କରି କୁନାଲ କହନ୍ତି, “ସେ ମୋତେ ଗୀତ ଏବଂ ବିଭିନ୍ନ ସାରଣୀ ସଂପର୍କରେ ଶିଖାଇଥିଲେ ଏବଂ ବ୍ୟାୟାମ କରାଇଥିଲେ । ହାତ ଅସେ କରାୟଚେ, ମାଗ ଅସେ, ମାଗ ତସେ (ତୁମ ହାତକୁ ଏମିତି ଉଠାଅ, ଆଉ ସେମିତି ଉଠାଅ)।”
ମୟୂରୀ କହନ୍ତି, ଏହି କାର୍ଯ୍ୟ ନିମନ୍ତେ ଭଲ ପାଇବା ଏବଂ ଏକତ୍ୱର ଭାବନା ନିହାତି ଆବଶ୍ୟକ । ସେ ମଧ୍ୟ କାଟକରୀ ଆଦିବାସୀ ପିଲାମାନଙ୍କ ସହିତ କାର୍ଯ୍ୟ କରନ୍ତି ଏବଂ କେତେକ ପାଠାଗାର ଚଳାଉଛନ୍ତି । ସେ ଜଣେ କୃଷକ ତଥା ସାମାଜିକ କର୍ମୀ ଏବଂ ଭିନ୍ନକ୍ଷମ ପିଲାମାନଙ୍କ ପ୍ରତି ତାଙ୍କର ସ୍ନେହଭାବ ଏବଂ ସେମାନଙ୍କ ସହିତ ତାଙ୍କର ସହଜ ଜୀବନଧାରା ଯୋଗୁଁ ସେ ଦେବରାଇ କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ ରୂପରେ କାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି ।
ସଙ୍ଗୀତା କାଲେକରଙ୍କ ପୁଅ ସୋହନ ମୂର୍ଚ୍ଛା ରୋଗରେ ପୀଡ଼ିତ ଏବଂ ସେ ନିଜେ ହିଁ ତାଙ୍କ ପୁଅର ଏକମାତ୍ର ଶିକ୍ଷକ ଭାବରେ ତାକୁ ବସିବାଠାରୁ ଆରମ୍ଭ କରି କଥା କହିବା ପର୍ଯ୍ୟନ୍ତ- ସବୁ କିଛି ଶିଖାଇ ଆସିଛନ୍ତି । ସେ କହନ୍ତି, “ଏବେ ସେ ‘ ଆଇ, ଆଇ, ’ ବୋଲି କହି ପାରୁଛି ।” ଦଶ ବର୍ଷର ସୋହନ ଗୋଟିଏ ଚାବି ଧରି ଖେଳିବାରେ ବ୍ୟସ୍ତ, ଚାବିଟିକୁ ସେ ଦେଖୁଛି ଏବଂ ସେଇଟି ତଳେ ପଡ଼ିଗଲା ବେଳେ ସେଥିରୁ ଶବ୍ଦ ବାହାରୁଛି ।
ଅନ୍ୟ ଏକ ଆବାସିକ ଶିକ୍ଷାନୁଷ୍ଠାନ, ପୁଣେରେ ବଧିରମାନଙ୍କ ପାଇଁ ଥିବା ଧାୟରୀ ସ୍କୁଲର ଶିକ୍ଷକମାନଙ୍କ ମତରେ ସେମାନଙ୍କ ଶ୍ରେଣୀରେ ଜଣେ ପିଲା ଯେତେବେଳେ ବି କୌଣସି ଶବ୍ଦ ସୃଷ୍ଟି କରେ, ସେତେବେଳେ ସେ କଥା କହିବା ଆଡ଼କୁ ଆଉ ପାଦେ ଆଗକୁ ଯାଇଛି ବୋଲି ଗ୍ରହଣ କରାଯାଏ । ଏହି ସବୁ ଶବ୍ଦ ଓ ଇଙ୍ଗିତ ବ୍ୟତୀତ, “ସେମାନେ ସେମାନଙ୍କ ବୟସର ଅନ୍ୟ ‘ସ୍ୱାଭାବିକ’ ପିଲାମାନଙ୍କଠାରୁ ଭିନ୍ନ ନୁହଁନ୍ତି” ବୋଲି କହନ୍ତି ସତ୍ୟଭାମା ଅଲ୍ହଟ, ଯେ କି ଏଠାରେ ଗତ ୨୪ ବର୍ଷ ହେଲା କାର୍ଯ୍ୟ କରିଆସୁଛନ୍ତି ।
ବଧିରମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ସ୍କୁଲ୍ଟି ପୁଣେର ସୁହୃଦ ମଣ୍ଡଲ ଅନୁଷ୍ଠାନ ଦ୍ୱାରା ଆରମ୍ଭ କରାଯାଇଥିବା ୩୮ଟି ସ୍କୁଲ ମଧ୍ୟରୁ ଗୋଟିଏ । ଏହି ଅନୁଷ୍ଠାନ ଗତ ୫୦ ବର୍ଷ ହେଲା ସ୍ୱତନ୍ତ୍ର ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଇ ଆସୁଛି । ଏହି ଶିକ୍ଷକମାନେ ହୁଏତ ବିଇଡି (ବଧିର)ର ଡିଗ୍ରୀ କିମ୍ବା ଡିପ୍ଲୋମା ହାସଲ କରିଛନ୍ତି ଏବଂ ଜଣେ ଜଣେ ସ୍ୱତନ୍ତ୍ର ଶିକ୍ଷକ ହେବେ ବୋଲି ସଚେତନ ଭାବରେ ନିଷ୍ପତ୍ତି ନେଇଛନ୍ତି ।
ସ୍କୁଲ୍ର ୪ର୍ଥ ଶ୍ରେଣୀ ଶ୍ରେଣୀଗୃହରେ ଥିବା କଳାପଟାଟି ସୁନ୍ଦର ସୁନ୍ଦର ଚିତ୍ରରେ ଭରି ଯାଇଛି । ସେଥିରେ ରହିଛି ଗୋଟିଏ କୋଠା, ଗୋଟିଏ ଘୋଡ଼ା, ଗୋଟିଏ କୁକୁର ଓ ଗୋଟିଏ ପୋଖରୀ । ଏସବୁ ହେଉଛି ମୋହନ କାନେକର ତାଙ୍କ ଛାତ୍ରଛାତ୍ରୀଙ୍କୁ ଶିଖାଇବାକୁ ଚାହୁଁଥିବା ଗୋଟିଏ ଗୋଟିଏ ଶବ୍ଦ । ଏହି ଶିକ୍ଷାଦାନ କ୍ଷେତ୍ରରେ ୨୧ ବର୍ଷର ଅଭିଜ୍ଞତା ହାସଲ କରିଥିବା ୫୪ ବର୍ଷୀୟ ମୋହନ ‘ସଂପୂର୍ଣ୍ଣ ଯୋଗାଯୋଗ’ ପଦ୍ଧତି ଅନୁସରଣ କରନ୍ତି । ଏହି ପଦ୍ଧତିରେ ବଧିର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ସମୟରେ କଥା, ଓଠର ଗତି ପଠନ, ସଂକେତ ଏବଂ ଲେଖାଲେଖି ଭଳି ସମସ୍ତ ବିଷୟର ସମାହାର ଘଟିଥାଏ । ପ୍ରତିଟି ସଂକେତକୁ ତାଙ୍କ ଛାତ୍ରଛାତ୍ରୀମାନେ ଗ୍ରହଣ କରନ୍ତି ଏବଂ ଭିନ୍ନ ଭିନ୍ନ ସ୍ୱର ଓ ଉଚ୍ଚାରଣ ଶୈଳୀରେ ସେହି ଶବ୍ଦଟିର ପୁନରାବୃତ୍ତି ନିମନ୍ତେ ଚେଷ୍ଟା କରନ୍ତି । ଛାତ୍ରଛାତ୍ରୀଙ୍କ ମୁହଁର ଧ୍ୱନି ଶୁଣି ଖୁସିରେ ଅଳ୍ପ ହସନ୍ତି କାନେକର ଏବଂ ଜଣ ଜଣ କରି ସବୁ ପିଲାଙ୍କ ଉଚ୍ଚାରଣ ସୁଧାରିବାକୁ ଚେଷ୍ଟା କରନ୍ତି ।
ଅନ୍ୟ ଏକ ଶ୍ରେଣୀରେ, ଆଦିତି ସାଠେଙ୍କ ନିଜର ଶ୍ରବଣଶକ୍ତିହୀନତା ତାଙ୍କର ସାତ ଜଣ ‘ପର୍ଯ୍ୟାୟ- ୩’ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ବାଧକ ସାଜେ ନାହିଁ । ୧୯୯୯ ମସିହାରୁ ସେ ଏହି ସ୍କୁଲରେ ଜଣେ ସହାୟିକା ଭାବରେ କାର୍ଯ୍ୟ କରୁଛନ୍ତି ।
ସେ ଓ ତାଙ୍କ ଛାତ୍ରଛାତ୍ରୀମାନେ, ସେହି ଏକା ହଲ୍ରେ ଚାଲୁଥିବା ଅନ୍ୟ ଏକ ଶ୍ରେଣୀରୁ ଶୁଭୁଥିବା ‘କୋଳାହଳ’ ଯୋଗୁଁ ଆଦୌ ବିଚଳିତ ହୁଅନ୍ତି ନାହିଁ । ସେହି ଅନ୍ୟ ଶ୍ରେଣୀରେ, ସ୍କୁଲକୁ ପଢ଼ିବାକୁ ଆସୁଥିବା ସବୁଠାରୁ ଛୋଟ ବୟସର ପିଲାମାନଙ୍କୁ ପଢ଼ାଇବାରେ ବ୍ୟସ୍ତ ଥାଆନ୍ତି ସୁନୀତା ଜିନେ । ସ୍କୁଲ ଛାତ୍ରାବାସର ୪୭ ବର୍ଷୀୟା ଅଧୀକ୍ଷକ ସୁନୀତା ପିଲାମାନଙ୍କୁ ରଙ୍ଗ ସଂପର୍କରେ ପଢ଼ାନ୍ତି ଏବଂ ପିଲାମାନେ ନିର୍ଦ୍ଦିଷ୍ଟ ରଙ୍ଗ ଖୋଜି ଖୋଜି ହଲ୍ ଭିତରେ ଏଣେତେଣେ ଦୌଡୁଥାଆନ୍ତି । ଗୋଟିଏ ନୀଳ ବ୍ୟାଗ, ଗୋଟିଏ ନାଲି ଶାଢ଼ି, କଳା କେଶ, ହଳଦିଆ ଫୁଲ... ପିଲାମାନେ ଆନନ୍ଦରେ ଚିତ୍କାର କରନ୍ତି, କେତେ ଜଣଙ୍କ ମୁହଁରୁ ଧ୍ୱନି ବାହାରେ ତ ଆଉ କେତେଜଣ କେବଳ ହାତ ହଲାନ୍ତି । ସେ ଜଣେ ପ୍ରଶିକ୍ଷିତ ଶିକ୍ଷୟିତ୍ରୀ ଏବଂ ତାଙ୍କ ମୁହଁର ଭାବଭଙ୍ଗୀ ଜରିଆରେ ହିଁ ସେ ପିଲାମାନଙ୍କ ସହ କଥାବାର୍ତ୍ତା କରନ୍ତି ।
ମେଧା ତାଇ କହନ୍ତି, “ଆଜି, ଯେତେବେଳେ ସମାଜରେ, ଏବଂ ତା ସହିତ ସ୍କୁଲମାନଙ୍କରେ, ହିଂସା ଓ ଆକ୍ରମଣାତ୍ମକ ମନୋଭାବ ବଢ଼ିବାରେ ଲାଗିଛି, ଆମେ ନିଜର ବୁଦ୍ଧିମତ୍ତା ଓ ସଫଳତା ସଂପର୍କିତ ଆମ ବିଚାରଧାରା ଉପରେ ପ୍ରଶ୍ନ ଉଠାଇବା ଆବଶ୍ୟକ । ସେହିଭଳି ଶୃଙ୍ଖଳା ଓ ଶାସ୍ତିକୁ ନେଇ ମଧ୍ୟ ।” ଅନ୍ତତଃ ଗୋଟିଏ ସ୍କୁଲକୁ ଯାଇ ସେଠାକାର ସ୍ୱତନ୍ତ୍ର ପିଲାମାନଙ୍କ ସ୍ଥିତି ଦେଖିନେବାକୁ ଏବଂ “ବିନମ୍ର ଶବ୍ଦପୁଞ୍ଜ ବଳରେ କି କି ସଫଳତା ହାସଲ କରାଯାଇପାରିବ” ତାହା ଜାଣିନେବାକୁ ସେ ସବୁ ଶିକ୍ଷକମାନଙ୍କୁ ନିବେଦନ କରନ୍ତି ।
ଏହି ଲେଖା ନିମନ୍ତେ ରିପୋର୍ଟିଂ କରୁଥିବା ସମୟରେ ସବୁ ପ୍ରକାର ସହାୟତା ପାଇଁ ଏହି ରିପୋର୍ଟର ସୁରୁଦ ମଣ୍ଡଳର ଡାକ୍ତର ଅନୁରାଧା ଫାତରଫୋଡଙ୍କୁ ଧନ୍ୟବାଦ ଅର୍ପଣ କରନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍