‘‘ଭୋକ ସହିତ ଆହୁରି ଅନେକ କିଛି କଥା ମଦ ପିଇଦେଲେ ଭୁଲି ହୋଇଯାଏ,’’ ସିଙ୍ଗଧୁଇ ଗ୍ରାମର ବାସିନ୍ଦା ରବୀନ୍ଦ୍ର ଭୂଇୟାଁ କୁହନ୍ତି।
ଭୂଇୟାଁ ଜଣେ ସବର (ପଶ୍ଚିମବଙ୍ଗରେ ସଭର ଭାବେ ତାଲିକାଭୁକ୍ତ) ଆଦିବାସୀ ଏବଂ ତାଙ୍କ ବୟସ ୫୦ରୁ ଅଧିକ ହେବ । ମୁଣ୍ଡା ଆଦିବାସୀ ସମୁଦାୟରୁ ଆସିଥିବା ସବରମାନେ ଭାରତର ପୂର୍ବ ଭାଗରେ ରହିଥାନ୍ତି । ଏମାନେ ସଅର, ସୋର, ଶବର ଓ ସୁରୀ ନାମରେ ମଧ୍ୟ ପରିଚିତ ହୋଇଥାନ୍ତି । ଲୋଧା ଶବରମାନେ ମୁଖ୍ୟତଃ ଅବିଭାଜିତ ପଶ୍ଚିମ ମେଦିନାପୁରର ବାସିନ୍ଦା ଏବଂ ଖରିଆ ଶବରମାନେ ମୁଖ୍ୟତଃ ପୁରୁଲିଆ, ବାଙ୍କୁଡ଼ା ଓ ଅବିଭାଜିତ ପଶ୍ଚିମ ମେଦିନାପୁରରେ ରହିଥାନ୍ତି ।
ମହାଶ୍ୱେତା ଦେବୀଙ୍କ ପୁସ୍ତକ ଦ ବୁକ୍ ଅଫ୍ ଦ ହଣ୍ଟର (ପ୍ରଥମେ ବଙ୍ଗଳାରେ ବ୍ୟାଧଖଣ୍ଡ ନାମରେ ୧୯୯୪ରେ ପ୍ରକାଶିତ)ରେ ଏହି ସମୁଦାୟର ଉତ୍କଟ ଦାରିଦ୍ର୍ୟ ଏବଂ ଅବହେଳିତ ସ୍ଥିତିକୁ ଦର୍ଶାଯାଇଛି । ଏହାର ବହୁ ଦଶନ୍ଧି ପରେ, ମଧ୍ୟ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ ଏବଂ ୨୦୨୦ରେ ପ୍ରକାଶିତ ରିପୋର୍ଟ ଲିଭିଂ ୱାର୍ଲ୍ଡ ଅଫ୍ ଦ ଆଦିବାସୀସ୍ ଅଫ୍ ୱେଷ୍ଟବେଙ୍ଗଲ ଅନୁଯାୟୀ ‘‘ସର୍ବେକ୍ଷଣରେ ସାମିଲ ହୋଇଥିବା ୬୭ ପ୍ରତିଶତ ଗ୍ରାମ କ୍ଷୁଧାରେ ପ୍ରପୀଡ଼ିତ ଥିବା ଜଣାପଡ଼ିଛି ।’’
ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗଠାରୁ ଆରମ୍ଭ କରି ୧୯୫୨ ପର୍ଯ୍ୟନ୍ତ ଏହି ସମୁଦାୟକୁ ବ୍ରିଟିଶମାନେ ‘ଅପରାଧୀ ସମୁଦାୟ’ ଭାବେ ମାନ୍ୟତା ଦେଇଥିଲେ । ତେବେ ୧୯୫୨ରେ ଏମାନଙ୍କୁ ଅଣ-ଅଧିସୂଚୀତ କରାଯାଇଥିଲା। ପାରମ୍ପରିକ ଭାବେ ଶିକାରୀ ହୋଇଥିବା କାରଣରୁ, ସେମାନେ ଜଙ୍ଗଲରୁ ଫଳ, ପତ୍ର ଓ ମୂଳ ସଂଗ୍ରହ କରିବା ସହିତ ପଶୁ ଶିକାର କରିବାରେ ସିଦ୍ଧହସ୍ତ। ସ୍ୱାଧୀନତା ପରେ, କିଛି ଲୋକଙ୍କୁ ଚାଷ କରିବା ପାଇଁ ଜମି ଦିଆଗଲା, କିନ୍ତୁ ଏଥିମଧ୍ୟରୁ ଅଧିକାଂଶ ପଥୁରିଆ ଓ ଅନୁର୍ବର ଜମି ଥିଲା। ତେଣୁ ସେମାନେ ଅନ୍ୟ ଉପାୟ ନପାଇ ପ୍ରବାସୀ ଶ୍ରମିକ ଭାବେ କାମ ଆରମ୍ଭ କଲେ । ଅଣ-ଅଧିସୂଚୀତ ହେବା ସତ୍ତ୍ୱେ, ସେମାନଙ୍କ ପ୍ରତି ଭେଦଭାବ ଜାରି ରହିଛି । ସେମାନଙ୍କ ଗତିବିଧି ଉପରେ ଅଙ୍କୁଶ ଲଗାଉଥିବା ସ୍ଥାନୀୟ ପୁଲିସ ଓ ଜଙ୍ଗଲ ବିଭାଗର ଦୟାରେ ସେମାନଙ୍କୁ ବଞ୍ଚିବାକୁ ପଡ଼ୁଛି ।
ରୋଜଗାର ପାଇଁ ଖୁବ୍ କମ୍ ସୁଯୋଗ ରହିଥିବା କାରଣରୁ, ପଶ୍ଚିମ ମେଦିନାପୁର ଓ ଝାଡ଼ଗ୍ରାମ ଜିଲ୍ଲାର ସବର ସମୁଦାୟ ମଧ୍ୟରେ ଅନାହାର ସମସ୍ୟା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥାଏ। ଭୂଇୟାଁଙ୍କ ଭଳି ଅନେକ ଲୋକ ମଦ ପିଇ ସେମାନଙ୍କର ଭୋକ ଭୁଲାଇ ଦେବାକୁ ଚେଷ୍ଟା କରନ୍ତି କିମ୍ବା, ‘‘ଆମେ ଦିନକୁ ତିନି ଥର ପାନ୍ତା ଭାତ (ପଖାଳ ଭାତ) ଖାଇଥାଉ। ଆମେ ଏମିତି ଜୀବନ ନିର୍ବାହ କରିଥାଉ,’’ ବଙ୍କିମ୍ ମଲ୍ଲିକ କୁହନ୍ତି । ତପୋବନ ଗ୍ରାମର ୫୫ ବର୍ଷ ବୟସ୍କ ବାସିନ୍ଦା ବଙ୍କିମ ମଲ୍ଲିକ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ)ରେ ମିଳୁଥିବା ମାସିକ ୫ କିଲୋଗ୍ରାମ୍ ଚାଉଳ ବିଷୟରେ ଉଲ୍ଲେଖ କରି ଏହା କୁହନ୍ତି । ‘‘ଲୁଣ ଓ ତେଲ ମିଳିବା ବ୍ୟୟବହୁଳ ବ୍ୟାପାର।’’ ସେ ତାଙ୍କର ଭଙ୍ଗା ଘର ବାହାରେ ବସି ପାନ୍ତାଭାତ ଖାଉଛନ୍ତି।
ଅଳ୍ପ ରାସନକୁ ଛାଡ଼ି ଦେଲେ ଅନ୍ୟ ଖାଦ୍ୟ ପାଇଁ ସବରମାନେ ବର୍ଷ ସାରା ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରିଥାନ୍ତି । ଗ୍ରୀଷ୍ମ ମାସରେ - ବୈଶାଖ , ଜ୍ୟେଷ୍ଠ ଏବଂ ବର୍ଷା ମାସ - ଆଷାଢ଼ ସମୟରେ ଏହି ସମୁଦାୟର ଲୋକମାନେ ଜଙ୍ଗଲରୁ ଫଳମୂଳ ସଂଗ୍ରହ କରନ୍ତି, ଚଢ଼େଇ ଛୁଆ, ସାପ, ଗୋସାପ (ବଙ୍ଗରେ ଦେଖିବାକୁ ମିଳୁଥିବା ଏକ ପ୍ରଜାତିର ଗୋଧି), ବେଙ୍ଗ, ଗେଣ୍ଡା ଶିକାର କରିଥାନ୍ତି । ମାଟି ବେଙ୍ଗ, ବଡ଼ ଗେଣ୍ଡା, ଛୋଟ ମାଛ ଓ କଙ୍କଡ଼ା ମଧ୍ୟ ସେମାନେ ଧରନ୍ତି ।
ପରେ ଶ୍ରାବଣ , ଭାଦ୍ର ଓ ଆଶ୍ୱୀନ ରେ ନଦୀ ଶଯ୍ୟାରୁ ମାଛ; ଆଉ ଏହାପରେ ଆସୁଥିବା କାର୍ତ୍ତିକ , ଅଗ୍ରହାୟନ ଓ ପୌଷ - ମାସରେ ଏହି ସମୁଦାୟ ଚାଷ ଜମିରେ ଥିବା ଗାତରେ ମୂଷାମାନେ ଗଚ୍ଛିତ କରିଥିବା ଧାନ ସଂଗ୍ରହ କରିଥାନ୍ତି। ଏହା କରିବା ପୂର୍ବରୁ ପ୍ରଥମେ ସେମାନେ ଜମିରୁ ମୂଷାଙ୍କୁ ଧରିଥାନ୍ତି । ଶୀତ ମାସ ମାଘ ଏବଂ ତା’ପରେ ଆସୁଥିବା ବସନ୍ତ ଋତୁ - ଫାଲଗୁନ ଓ ଚୈତ୍ର ମାସରେ ସେମାନେ ଛୋଟ ପ୍ରାଣୀଙ୍କୁ ଶିକାର କରିଥାନ୍ତି ଏବଂ ଜଙ୍ଗଲୀ ଫଳ ଓ ଚକ୍ (ମହୁ ଛତା) ସଂଗ୍ରହ କରିଥାନ୍ତି।
କିନ୍ତୁ ଅନ୍ୟ ଆଦିବାସୀ ସମୁଦାୟଙ୍କ ଭଳି, ସେମାନଙ୍କ ପାଇଁ ମଧ୍ୟ ଜଙ୍ଗଲକୁ ଯିବା କଷ୍ଟକର ହେଉଛି। ଏହାର କାରଣ ଦର୍ଶାଇ ସେମାନେ କୁହନ୍ତି, ଜଙ୍ଗଲ ପଶୁ ଆକ୍ରମଣାତ୍ମକ ହୋଇ ଖାଦ୍ୟ ଅନ୍ୱେଷଣ କରୁଛନ୍ତି । ସେଥିପାଇଁ ଜଙ୍ଗଲକୁ ଗଲେ ସେମାନଙ୍କର ପ୍ରାଣ ଚାଲିଯିବାର ଭୟ ରହୁଛି ।
‘‘ରାତି ହେବା ପରେ ଆମେ ଗାଁ ଛାଡ଼ି ନଥାଉ, ଏପରିକି କେହି ଅସୁସ୍ଥ ହେଲେ ବି ଆମେ ବାହାରକୁ ବାହାରିନଥାଉ। କିଛି ହାତୀ ଦଳ ସାମାନ୍ୟ ସୁଦ୍ଧା ହଲିନଥାନ୍ତି । ଯେମିତି ସେମାନଙ୍କ ଆଧାର କାର୍ଡ (ଏଠାକାର ବାସିନ୍ଦା ବୋଲି ଦେଖାଇବାକୁ) ଅଛି,’’ ଯୋଗ ମଲ୍ଲିକ (୫୨) ସାମାନ୍ୟ ମଜାରେ କୁହନ୍ତି ।
ତପୋବନ ଗ୍ରାମର ଆଉ ଜଣେ ସବର ସୁକ୍ରା ନାୟକଙ୍କୁ ୬୦ ବର୍ଷରୁ ଅଧିକ ବୟସ ହେବ । ସେ କୁହନ୍ତି, ହାତୀମାନଙ୍କର ଉପସ୍ଥିତି, ‘‘ଏଠାରେ ଅତି ଭୟାନକ ବାତାବରଣ ସୃଷ୍ଟି କରିଥାଏ। ସବୁଆଡ଼େ ଏବେ ହାତୀ ବୁଲୁଛନ୍ତି ଏବଂ ସେମାନେ ଅତି ଆକ୍ରମଣାତ୍ମକ ହୋଇଯାଇଛନ୍ତି । ସେମାନେ, କେବଳ ଲୋକଙ୍କୁ ଆକ୍ରମଣ କରୁନାହାନ୍ତି, ବରଂ ଧାନକ୍ଷେତ, କଦଳୀ ଗଛ ନଷ୍ଟ କରିଦେବା ସହିତ ଘର ମଧ୍ୟ ଭାଙ୍ଗି ଦେଉଛନ୍ତି।’’
କିନ୍ତୁ ତାଙ୍କ ପଡ଼ୋଶୀ ବେନାଶୂଳି ଗ୍ରାମର ବାସିନ୍ଦା ଯତୀନ ଭୋକ୍ତା କୁହନ୍ତି, ‘‘ଯଦି ଆମେ ଜଙ୍ଗଲକୁ ଯିବୁ ନାହିଁ ଖାଇବୁ କ’ଣ? ଦିନେ ଦିନେ ଆମେ କେବଳ ଗୋଟିଏ ଓଳି ପାନ୍ତାଭାତ ଖାଇ ବଞ୍ଚିଥାଉ’’।
ଖାଇବାରେ ସାଲିସ୍ କରୁଥିବା କାରଣରୁ ସବର ଲୋକମାନେ ଯକ୍ଷ୍ମା ଭଳି ରୋଗରେ ଆକ୍ରାନ୍ତ ହେବା ଲାଗି ଅତି ସମ୍ବେଦନଶୀଳ ହୋଇ ପଡ଼ିଥାନ୍ତି । ସାରଥୀ ମଲ୍ଲିକ ଜଣେ ଯକ୍ଷ୍ମା ରୋଗୀ ଏବଂ ସେ ଚିକିତ୍ସା ଶିବିରରେ ଯୋଗ ଦେଇସାରିଛନ୍ତି କିନ୍ତୁ ଆଉ ସେଠାକୁ ଯିବା ପାଇଁ ଚାହୁଁନାହାନ୍ତି । ବେନାଶୂଳି ଗ୍ରାମର ଏହି ୩୦ ବର୍ଷ ବୟସ୍କ ବାସିନ୍ଦା କୁହନ୍ତି: ‘‘ମୋ ପରିବାରରେ ମୁଁ ହିଁ ଏକମାତ୍ର ମହିଳା। ଯଦି ମୁଁ ଡାକ୍ତରଖାନାରେ ଭର୍ତ୍ତି ହେବି, ଘର କାମ କରିବ କିଏ? ମୋ ସ୍ୱାମୀଙ୍କ ସହିତ କିଏ ଜଙ୍ଗଲକୁ ଯାଇ ପତ୍ର ସଂଗ୍ରହ କରିବ?’’ ତା’ଛଡ଼ା ଡାକ୍ତରଖାନାକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଖର୍ଚ୍ଚସାପେକ୍ଷ, ‘‘କେବଳ ଗୋଟିଏ ପଟ ଯାତ୍ରା ପାଇଁ ୫୦ରୁ ୮୦ ଟଙ୍କା ଖର୍ଚ୍ଚ ହୋଇଥାଏ। ସେହି ଖର୍ଚ୍ଚ ବହନ କରିବା ଆମ ପକ୍ଷେ ସମ୍ଭବ ନୁହେଁ ।’’
ସବର ପରିବାର ମୁଖ୍ୟତଃ ଶାଳପତ୍ର ସଂଗ୍ରହ କରି ଏବଂ ସେଗୁଡ଼ିକୁ ବିକ୍ରି କରି ଟଙ୍କା ରୋଜଗାର କରିଥାନ୍ତି ଯାହାକି ଏକ କଠିନ କାର୍ଯ୍ୟ। ଶାଳ କାଠ ବହୁତ ଟାଣ ଏବଂ ଭାରତରେ ଏହି କାଠର ବିଶେଷ ଚାହିଦା ରହିଛି । ବଜାରକୁ ଶାଳ ପତ୍ର ସଂଗ୍ରହ କରିବାକୁ ଆସୁଥିବା ଓଡ଼ିଶାର ଜଣେ କ୍ରେତା ଦିଲୀପ ମହାନ୍ତି କୁହନ୍ତି, ‘‘ଏଥର ଶାଳପତ୍ର ଯୋଗାଣ ବହୁତ କମିଯାଇଛି । ସବର ସମୁଦାୟ ଏବେ ହାତୀଙ୍କୁ ଡରି ଜଙ୍ଗଲକୁ ଯାଉନାହାନ୍ତି ।’’
ଯତୀନଙ୍କ ପଡ଼ୋଶୀ କୋଣ୍ଡା ଭୋକ୍ତା ଏଥିରେ ସହମତ ହୋଇ କୁହନ୍ତି, ଏହି କାର୍ଯ୍ୟ ଅତି ବିପଦପୂର୍ଣ୍ଣ। ‘‘ସାଧାରଣତଃ ଆମେ ଦଳବଦ୍ଧ ହୋଇ ଯାତ୍ରା କରିଥାଉ। ଏହା ଅତ୍ୟନ୍ତ ବିପଜ୍ଜନକ କାର୍ଯ୍ୟ, ସାପ ଓ ହାତୀଙ୍କ ଭୟ ରହିଛି । ଆମେ ସକାଳ ପ୍ରାୟ ୬ଟା ବେଳେ ଯାଉ ଏବଂ ଅପରାହ୍ଣ ସୁଦ୍ଧା ଫେରି ଆସୁ।’’
ଜଙ୍ଗଲରୁ ସଂଗ୍ରହ କରାଯାଉଥିବା ପତ୍ରକୁ ପ୍ରଥମେ ଶୁଖାଯାଏ ଏବଂ ତା’ପରେ, ‘‘ଆମେ ପ୍ରତି ସପ୍ତାହର ଶନିବାର ପଡ଼ୁଥିବା ନିକଟସ୍ଥ ହାଟକୁ ନେଇ ସେଗୁଡ଼ିକୁ ବିକ୍ରି କରିଥାଉ। ଓଡ଼ିଶାର କ୍ରେତାମାନେ ସେଠାକୁ ଆସିଥାନ୍ତି ଏବଂ ସେମାନେ ୧,୦୦୦ ପତ୍ର ଥିବା ଗୋଟିଏ ବିଡ଼ାକୁ ଆମଠାରୁ ୬୦ ଟଙ୍କାରେ କିଣିନିଅନ୍ତି । ଯଦି ମୁଁ ସପ୍ତାହକୁ ଚାରି ବିଡ଼ା ବିକ୍ରି କରେ, ମୁଁ ୨୪୦ ଟଙ୍କା ରୋଜଗାର କରିପାରିବି’’, ଯତୀନ ଭୋକ୍ତା କୁହନ୍ତି । ‘‘ଏଠାକାର ଅଧିକାଂଶ ପରିବାର ହାରାହାରି ଏତିକି ଟଙ୍କା ରୋଜଗାର କରିଥାନ୍ତି।’’
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଅଧୀନରେ ସବର ସମାଜ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବାସ ନିର୍ମାଣ କରାଯାଇଛି। କିନ୍ତୁ ସାବିତ୍ରୀ ମଲ୍ଲିକ (୪୦) କୁହନ୍ତି, ‘‘ଆମେ ସେଠାରେ ରହିପାରିବୁ ନାହିଁ।’’ ଖରାଦିନେ ୪୩ ଡିଗ୍ରୀ ତାପମାତ୍ରା ସମୟରେ ଆଜବେଷ୍ଟସ ଛାତ ଥିବା କଂକ୍ରିଟ୍ ଘରେ ତାତି ଅସହ୍ୟ ହୋଇପଡ଼ୁଛି । ‘‘ମାର୍ଚ୍ଚରୁ ଜୁନ୍ ମାସ ମଧ୍ୟରେ ଅଧିକ ତାପମାତ୍ରା ଥିବା ସମୟରେ ଆମେ ଏଠାରେ ରହିବୁ କିପରି?’’
ଏହି ସମୁଦାୟର ଜୀବନ ଧାରଣ ମାନରେ ସୁଧାର ଆଣିବା ଲାଗି କାର୍ଯ୍ୟ କରୁଥିବା ଏକ ସ୍ୱେଚ୍ଛାସେବୀ ସଂସ୍ଥା କଜଲା ଜନକଲ୍ୟାଣ ସମିତି (କେଜେକେଏସ) ଦ୍ୱାରା ବେନାଶୂଳି ଓ ତପୋବନ ଭଳି ଗ୍ରାମରେ କିଛି ଘରୋଇ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଏଠାରେ ୪୦ ପ୍ରତିଶତ ସାକ୍ଷରତା ହାର ରହିଛି ଯାହାକି ରାଜ୍ୟ ଓ ଜାତୀୟ ହାରଠାରୁ ବହୁତ କମ୍। ଏହି କ୍ଷେତ୍ରର ପ୍ରତି ତିନି ଜଣ ଆଦିବାସୀ ପିଲା ମଧ୍ୟରୁ ପ୍ରାୟ ଜଣେ କେବେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇନଥିବା ୨୦୨୦ର ଏହି ରିପୋର୍ଟରେ କୁହାଯାଇଛି । ଜାତି ଭିତ୍ତିକ ହିଂସା, ବିଦ୍ୟାଳୟର ଦୂରତା, ଶିକ୍ଷା ଖର୍ଚ୍ଚ ବହନ କରିନପାରିବା ଏବଂ ରୋଜଗାର କରିବାର ଦାୟିତ୍ୱ ଭଳି କାରଣ ଯୋଗୁ ଅଧିକାଂଶ ଛାତ୍ରଛାତ୍ରୀ ବିଦ୍ୟାଳୟରୁ ପାଠପଢ଼ା ଛାଡ଼ି ଦେଉଛନ୍ତି ।
କେଜେଏସର ମୁଖ୍ୟ ସ୍ୱପନ ଜାନା କୁହନ୍ତି, ‘‘ଯେତେବେଳେ ଗୋଟିଏ ସମୁଦାୟ ଯଥେଷ୍ଟ ରୋଜଗାର କରିପାରିନଥାଏ, ପିଲାଙ୍କୁ ସ୍କୁଲ ପଠାଇବା ସେମାନଙ୍କ ପାଇଁ ବ୍ୟୟବହୁଳ ହୋଇଥାଏ।’’
ପଲ୍ଲବୀ ସେନଗୁପ୍ତ କୁହନ୍ତି, ଏଠାରେ ସ୍ୱାସ୍ଥ୍ୟସେବା ମଧ୍ୟ ଅପହଞ୍ଚ । ‘‘ନିକଟରେ କୌଣସି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନଥିବାରୁ ସେମାନଙ୍କ ପାଇଁ ଏକ୍ସ-ରେ କରିବା ମଧ୍ୟ କଷ୍ଟକର । ତେଣୁ ସେମାନେ ପାରମ୍ପରିକ ଚିକିତ୍ସକଙ୍କ ଉପରେ ନିର୍ଭର କରିଥାନ୍ତି,’’ ସେନଗୁପ୍ତ କୁହନ୍ତି । ସେ ଏଠାକାର ଆଦିବାସୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଏକ ଦାତବ୍ୟ ସଂସ୍ଥା ଜର୍ମାନ ଡକ୍ଟର୍ସ ସହିତ କାମ କରିଥାନ୍ତି । ସାପ କାମୁଡ଼ା ମଧ୍ୟ ଏହି ଅଞ୍ଚଳରେ ଏକ ସାଧାରଣ ଘଟଣା। ଡାକ୍ତରୀ ସୁବିଧା ନଥିବାରୁ ଏବେ ବି ପାରମ୍ପରିକ ବୈଦ୍ୟମାନେ ଚିକିତ୍ସା କରିଥାନ୍ତି।
ପଶ୍ଚିମବଙ୍ଗରେ ସବରଙ୍କ ସଂଖ୍ୟା ୪୦,୦୦୦ରୁ ସାମାନ୍ୟ ଅଧିକ (ଭାରତରେ ଅନୁସୂଚିତ ଜନଜାତିଙ୍କ ରୂପରେଖ ପରିସଂଖ୍ୟାନ, ୨୦୧୩) ହୋଇଥିଲେ ମଧ୍ୟ ଏମାନେ ଅନାହାର ଦ୍ୱାରଦେଶରେ ରହିଛନ୍ତି ।
୨୦୦୪ରେ, ମେଦିନିପୁର ଜିଲ୍ଲା, ବର୍ତ୍ତମାନ ଝାଡ଼ଗ୍ରାମ ଜିଲ୍ଲାର ସବର ଗ୍ରାମରେ ୫ ଜଣ ବ୍ୟକ୍ତି ଅନେକ ମାସ ଧରି ଅନାହାରରେ ରହିବା ଫଳରେ ପ୍ରାଣ ହରାଇଥିଲେ, ଯାହାକି ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାର ୨୦ ବର୍ଷ ପରେ କିଛି ବି ବଦଳି ନାହିଁ: ଅନାହାର ବଢ଼ିବାରେ ଲାଗିଛି ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ଅପହଞ୍ଚ ହୋଇ ରହିଛି। ଘଞ୍ଚ ଜଙ୍ଗଲରେ ଥିବା ପଡ଼ାରେ ଅଧିକାଂଶ ସମୟରେ ମଣିଷ-ପଶୁ ସଂଘର୍ଷ ଦେଖିବାକୁ ମିଳୁଛି ।
ସ୍ଥାନୀୟ ବାସିନ୍ଦାଙ୍କ ଦୟନୀୟ ସ୍ଥିତିକୁ ଦେଖି, ସେମାନେ କ’ଣ ମଦକୁ ଖାଦ୍ୟର ବିକଳ୍ପ ଭାବେ ଗ୍ରହଣ କରିଛନ୍ତି କି ବୋଲି ପ୍ରଶ୍ନ କରାଯିବାରୁ ଏହାର ଉତ୍ତରରେ ରବୀନ୍ଦ୍ର ଭୂଇୟାଁ ଏହି ରିପୋର୍ଟରଙ୍କୁ ପଚାରନ୍ତି, ‘‘ଯଦି ମୋ ପାଟିରୁ ମଦ ଗନ୍ଧ ବାହାରିବ ତା’ହେଲେ ଆପଣ ମୋତେ ଗାଳି କରିବେ?’’
ଅନୁବାଦ: ଓଡ଼ିଶାଲାଇଭ୍