‘‘ନିର୍ବାଚନ ଦିନ ସ୍ଥାନୀୟ ଅଞ୍ଚଳରେ ଉତ୍ସବ ଭଳି ପରିବେଶ ସୃଷ୍ଟି ହୋଇଥାଏ,’’ ଗଦି ବୁଣିବା ଲାଗି କପଡ଼ା ଅଲଗା କରୁଥିବା ମର୍ଜିନା ଖାତୁନ୍ କୁହନ୍ତି। ‘‘ଯେଉଁମାନେ କାମ କରିବା ଲାଗି ଅନ୍ୟ ରାଜ୍ୟକୁ ଚାଲି ଯାଇଥାନ୍ତି, ସେମାନେ ଭୋଟ୍ ଦେବା ପାଇଁ ଘରକୁ ଫେରି ଆସିଛନ୍ତି।’’
ସେ ରହୁଥିବା ରୂପାକୁଶି ଗାଁ ଧୁବ୍ରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସିଥାଏ ଯେଉଁଠି ୭ ମେ, ୨୦୨୪ରେ ମତଦାନ ହୋଇଛି।
କିନ୍ତୁ ୪୮ ବର୍ଷ ବୟସ୍କା ମର୍ଜିନା ଭୋଟ୍ ଦେଇନାହାନ୍ତି। ‘‘ମୁଁ ସେହି ଦିନକୁ ଅଣଦେଖା କରିଥାଏ। ମୁଁ ଲୋକଙ୍କ ନଜର ଆଢ଼ୁଆଳରେ ରହିବା ପାଇଁ ଘର ଭିତରେ ଲୁଚି ଯାଏ।
ମର୍ଜିନାଙ୍କୁ ମତଦାତା ତାଲିକାରେ ଜଣେ ସନ୍ଦିଗ୍ଧ ମତଦାତା (ଡି-ଭୋଟର୍) ଭାବେ ତାଲିକାଭୁକ୍ତ କରାଯାଇଛି। ସେ ଏହି ବର୍ଗର ୯୯,୯୪୨ ଜଣ ମତଦାତାଙ୍କ ମଧ୍ୟରୁ ଜଣେ ଯେଉଁମାନେ ନିଜର ଭାରତୀୟ ନାଗରିକତାକୁ ପ୍ରମାଣ କରିବା ଲାଗି ବିଶ୍ୱସନୀୟ ପ୍ରମାଣ ଯୋଗାଇ ଦେବାରେ ସକ୍ଷମ ହୋଇପାରିନାହାନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆସାମର ବଙ୍ଗଳାଭାଷୀ ହିନ୍ଦୁ ଓ ମୁସଲମାନ।
ଆସାମ ହେଉଛି ଭାରତର ଏକମାତ୍ର ରାଜ୍ୟ ଯେଉଁଠି ଡି-ଭୋଟର୍ ରହିଛନ୍ତି। ବାଂଲାଦେଶରୁ ଆସୁଥିବା କଥିତ ବେଆଇନ ପ୍ରବାସୀ ସମସ୍ୟା ନିର୍ବାଚନ ରାଜନୀତିରେ ଏକ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ। ଭାରତର ନିର୍ବାଚନ ଆୟୋଗ ୧୯୯୭ରେ ଡି-ଭୋଟର୍ ବ୍ୟବସ୍ଥା ଆରମ୍ଭ କରିଥିଲେ, ସେହି ବର୍ଷ ମର୍ଜିନା ପ୍ରଥମ ଥର ମତଦାତା ତାଲିକାରେ ସାମିଲ ହେବା ଲାଗି ମତଦାତା ତାଲିକା ପ୍ରସ୍ତୁତକାରୀ ଅଧିକାରୀମାନଙ୍କୁ ନିଜ ନାଁ ଦେଇଥିଲେ। ‘‘ସେତେବେଳେ ସ୍କୁଲ ଶିକ୍ଷକମାନେ ମତଦାତା ତାଲିକାରେ ଲୋକଙ୍କ ନାମ ସାମିଲ କରିବା ଲାଗି ଘରକୁ ଘର ବୁଲୁଥିଲେ। ମୁଁ ମଧ୍ୟ ମୋ ନାଁ କହିଥିଲି,’’ ମର୍ଜିନା କୁହନ୍ତି। ‘‘କିନ୍ତୁ ପରବର୍ତ୍ତୀ ନିର୍ବାଚନରେ ମୁଁ ଯେତେବେଳେ ଭୋଟ୍ ଦେବାକୁ ଗଲି, ମୋତେ ଭୋଟ୍ ଦେବାକୁ ଅନୁମତି ମିଳିଲା ନାହିଁ। ସେମାନେ କହିଲେ ଯେ ମୁଁ ଡି-ଭୋଟର୍।’’
ଆମେ ତାଙ୍କ ଘର ଆଡ଼କୁ ଯିବା ସମୟରେ ମର୍ଜିନା କୁହନ୍ତି, ୨୦୧୮-୧୯ରେ ଫରେନର୍ସ ଟ୍ରିବ୍ୟୁନାଲ୍ ଆସାମର ଅନେକ ଡି-ଭୋଟରଙ୍କୁ ବେଆଇନ ପ୍ରବାସୀ ରୂପେ ଘୋଷଣା କରିବା ପରେ ଗିରଫ କରିଥିଲା।
ଏହି ସମୟରେ ମର୍ଜିନା କାହିଁକି ଡି-ଭୋଟର୍ ଭାବେ ଚିହ୍ନଟ ହେଲେ ତା’ର କାରଣ ଖୋଜିବା ପାଇଁ ଆରମ୍ଭ କରିଥିଲେ। ‘‘କୋଭିଡ-୧୯ ଲକଡାଉନ୍ ପୂର୍ବରୁ ମୁଁ ତିନି ଜଣ ଓକିଲଙ୍କୁ ୧୦,୦୦୦ ଟଙ୍କା ଦେଇଥିଲି। ସେମାନେ ସର୍କଲ୍ ଅଫିସ୍ (ମନ୍ଦିଆ)ରେ ଏବଂ ଟ୍ରିବ୍ୟୁନାଲ୍ରେ (ବରପେଟାରେ) ଯାଞ୍ଚ କଲେ ଏବଂ ମୋ ବିରୋଧରେ କିଛି ପାଇଲେ ନାହିଁ,’’ ନିଜ କଚ୍ଚା ଘର ଅଗଣାରେ ବସି କାଗଜପତ୍ର ଖୋଜୁ ଖୋଜୁ ସେ କୁହନ୍ତି।
ମର୍ଜିନା ଜଣେ ଭାଗଚାଷୀ - ସେ ଓ ତାଙ୍କ ସ୍ୱାମୀ ହାସିମ୍ ଅଲି ଦୁଇ ବିଘା (୦.୬୬ ଏକର) ଅଣଜଳସେଚିତ ଜମି ୮,୦୦୦ ଟଙ୍କା ଲେଖାଏଁ ଦେଇ ଭାଗରେ ନେଇଛନ୍ତି ଯେଉଁଥିରେ ସେମାନେ ନିଜ ଖାଇବା ପାଇଁ ଧାନ ଓ ବାଇଗଣ, ଲଙ୍କା, କାକୁଡ଼ି ଭଳି ପରିବା ଚାଷ କରିଥାନ୍ତି।
ନିଜର ପ୍ୟାନ୍ ଓ ଆଧାର କାର୍ଡକୁ ବାହାର କରି ସେ କୁହନ୍ତି, ‘‘ମୁଁ ପୀଡ଼ିତ ନୁହେଁ କି ଏବଂ ମନମାନୀ କରାଯାଇ ମୋତେ ମତାଧିକାରରୁ ବଞ୍ଚିତ କରାଯାଉନାହିଁ କି?’’ ତାଙ୍କ ବାପ ଘର ଲୋକଙ୍କ ସବୁ ସଦସ୍ୟଙ୍କ ପାଖରେ ବୈଧ ଭୋଟର୍ କାର୍ଡ ରହିଛି। ୧୯୬୫ ମସିହାର ମତଦାତା ତାଲିକାରେ ମର୍ଜିନାଙ୍କ ପିତା ନାଶିମ୍ ଉଦ୍ଦିନଙ୍କୁ ବାରପେଟା ଜିଲ୍ଲାର ମୁରିଶେ ଗ୍ରାମର ବାସିନ୍ଦା ଭାବେ ଦର୍ଶାଯାଉଛି। ମର୍ଜିନା କୁହନ୍ତି, ‘‘ମୋର ବାପା-ମା’ଙ୍କ ମଧ୍ୟରୁ କାହାରି ସୁଦ୍ଧା ବାଂଲାଦେଶ ସହିତ କୌଣସି ସମ୍ପର୍କ ନାହିଁ ।’’
କିନ୍ତୁ ଭୋଟ୍ ଦେବା ଲାଗି ନିଜର ଗଣତାନ୍ତ୍ରିକ ଅଧିକାରକୁ ପ୍ରୟୋଗ କରିବା ମର୍ଜିନାଙ୍କୁ ସମସ୍ୟାରେ ପକାଉଥିବା ଏକମାତ୍ର ଚିନ୍ତା ନୁହେଁ।
‘‘ସେମାନେ ମୋତେ ଅଟକ କେନ୍ଦ୍ରରେ ନେଇ ବନ୍ଦୀ କରିଦେବେ ବୋଲି ମୋର ଡର ଥିଲା,’’ ମର୍ଜିନା ଧୀର ସ୍ୱରରେ କୁହନ୍ତି, ‘‘ମୁଁ ନିଜ ପିଲାଙ୍କ ବିନା କେମିତି ରହିପାରିବି ବୋଲି ଚିନ୍ତାରେ ପଡ଼ିଯାଇଥିଲି, ପିଲାମାନେ ସେତେବେଳେ ଛୋଟ ଥିଲେ। ମୁଁ ମୃତ୍ୟୁବରଣ କରିବା ବିଷୟରେ ଚିନ୍ତା କରୁଥିଲି।’’
ବୁଣାକାର ଗୋଷ୍ଠୀର ସଦସ୍ୟା ହେବା ଏବଂ ଅନ୍ୟ ମହିଳାଙ୍କ ସହିତ ରହିବାରୁ ମର୍ଜିନାଙ୍କୁ ସହାୟତା ମିଳିଥାଏ। ସେ ପ୍ରଥମେ କୋଭିଡ ୧୯ ଲକଡାଉନ ସମୟରେ ଗୋଷ୍ଠୀ ବିଷୟରେ ଜାଣିବାକୁ ପାଇଥିଲେ। ବାରପେଟାସ୍ଥିତ ଏକ ସଂଗଠନ, ଆମ୍ରା ପରୀ ଦ୍ୱାରା ପ୍ରଥମେ ବୁଣାକାର ଗୋଷ୍ଠୀ ପ୍ରତିଷ୍ଠା କରାଯାଇଥିଲା। ଏହି ସଂଗଠନ ଗାଁକୁ ରିଲିଫ ବାଣ୍ଟିବାକୁ ଆସିଥିଲା। ସେତେବେଳେ ମର୍ଜିନା କୁହନ୍ତି, ‘‘ ବାଇଦେଉ (ମହାଶୟା) କିଛି ମହିଳାଙ୍କୁ ଖେତା (ଗଦି) ବୁଣିବା ପାଇଁ କହିଥିଲେ।’’ ଘରୁ ବାହାରକୁ ନବାହାରି ଏଥିରେ ରୋଜଗାରର ସମ୍ଭାବନା ରହିଥିବା ମହିଳାମାନେ ହୃଦୟଙ୍ଗମ କଲେ। ‘‘ଖେତା କେମିତି ବୁଣିବାକୁ ହୁଏ ମୁଁ ତାହା ପୂର୍ବରୁ ଜାଣିଥିଲି, ତେଣୁ ମୁଁ ସହଜରେ ଏଥିରେ ସାମିଲ ହୋଇଗଲି,’’ ସେ ଆହୁରି କହିଥାନ୍ତି।
ଗୋଟିଏ ଗଦି ବୁଣିବାକୁ ତାଙ୍କୁ ପ୍ରାୟ ତିନିରୁ ପାଞ୍ଚ ଦିନ ଲାଗିଥାଏ ଏବଂ ଗୋଟିଏ ବିକ୍ରି କରି ସେ ପ୍ରାୟ ୪୦୦-୫୦୦ ଟଙ୍କା ରୋଜଗାର କରିଥାନ୍ତି।
ରୂପାକୁଶିରେ ଥିବା ଇନୁୱାରା ଖାତୁନାଙ୍କ ଘରେ ଏକାଠି ହୋଇଥିବା ମର୍ଜିନା ଓ ଅନ୍ୟ ପ୍ରାୟ ୧୦ ଜଣ ମହିଳାଙ୍କୁ ମଧ୍ୟ ପରୀ ଭେଟିଥିଲା। ସେମାନେ ସ୍ଥାନୀୟ ଅଞ୍ଚଳରେ ଖେତା ନାମରେ ପରିଚିତ ପାରମ୍ପରିକ ଗଦି ବୁଣିବା ଲାଗି ସେଠାରେ ଏକତ୍ରିତ ହୋଇଥିଲେ।
ଗୋଷ୍ଠୀର ଅନ୍ୟ ମହିଳା ଏବଂ ସେମାନଙ୍କୁ ଭେଟିବା ଲାଗି ଆସିଥିବା ମାନବାଧିକାର କର୍ମୀଙ୍କ ସହିତ ଆଲୋଚନା ମାଧ୍ୟମରେ ମର୍ଜିନା ସାମାନ୍ୟ ଆତ୍ମବିଶ୍ୱାସ ପାଇବାରେ ସକ୍ଷମ ହୋଇଥିଲେ। ‘‘ମୁଁ ଜମିରେ କାମ କରିଥାଏ ଏବଂ ଖେତା ବୁଣେ କିମ୍ବା କିଛି ଏମ୍ବ୍ରୋଡୋରୀ କାମ କରିଥାଏ। ଦିନରେ ମୁଁ ସବୁକିଛି ଭୁଲି ଯାଏ। କିନ୍ତୁ ଏବେ ସୁଦ୍ଧା ରାତିରେ ମୋତେ ମାନସିକ ଚାପ ଅନୁଭବ ହୋଇଥାଏ।
ନିଜ ପିଲାଙ୍କ ଭବିଷ୍ୟତକୁ ନେଇ ମଧ୍ୟ ସେ ଚିନ୍ତିତ । ମର୍ଜିନା ଓ ତାଙ୍କ ସ୍ୱାମୀ ହାଶିମ ଅଲୀଙ୍କର ଚାରି ପିଲା ରହିଛନ୍ତି - ତିନି ଝିଅ ଏବଂ ଗୋଟିଏ ପୁଅ। ଦୁଇ ବଡ଼ ଝିଅ ବାହା ହୋଇସାରିଛନ୍ତି, କିନ୍ତୁ ସାନ ପିଲାମାନେ ଏବେ ବି ସ୍କୁଲ୍ରେ ପଢ଼ୁଛନ୍ତି । ସେମାନେ ଚାକିରି ପାଇବାକୁ ନେଇ ଏବେ ସୁଦ୍ଧା ଚିନ୍ତିତ । ‘‘ବେଳେବେଳେ ମୋର ପିଲାମାନେ କୁହନ୍ତି ଯେ ଯଦି ସେମାନେ ପାଠପଢ଼ି ଶିକ୍ଷିତ ହେବେ, ତଥାପି ନାଗରିକତା କାଗଜପତ୍ର ନଥିଲେ ସେମାନେ (ସରକାରୀ) ଚାକିରି ପାଇବା ଲାଗି ସକ୍ଷମ ହେବେ ନାହିଁ ।
ନିଜ ଜୀବନ କାଳରେ ଅତିକମ୍ରେ ଥରେ ଭୋଟ୍ ଦେବାକୁ ମର୍ଜିନାଙ୍କର ଇଚ୍ଛା ରହିଛି। ‘‘ଏହା ମୋ ନାଗରିକତା ପ୍ରମାଣ କରିବ ଏବଂ ମୋର ପିଲାମାନେ ଯେଉଁ ଚାକିରି ଚାହୁଁଛନ୍ତି ପାଇପାରିବେ,’’ ସେ କହିଥା’ନ୍ତି।
ଅନୁବାଦ : ଓଡ଼ିଶାଲାଇଭ୍