ଗୁଜରାଟର ନଲ ସରୋବର ହ୍ରଦ ଓ ପକ୍ଷୀ ଅଭୟାରଣ୍ୟରେ ଜଣେ ପ୍ରକୃତିବାଦୀ ଏବଂ ନାବିକ ୩୭ ବର୍ଷ ବୟସ୍କ ଗନି ଶର୍ମା। ଅହମ୍ମଦାବାଦ ଜିଲ୍ଲାର ବିରାମଗାମ ତହସିଲରେ ଅବସ୍ଥିତ ଏହି ୧୨୦ ବର୍ଗ କିଲୋମିଟର ହ୍ରଦ ଅନେକ ବିଦେଶାଗତ ପକ୍ଷୀଙ୍କୁ ଆକର୍ଷିତ କରେ। ଏହି ପକ୍ଷୀମାନେ କେନ୍ଦ୍ର ଏସୀୟ ଆକାଶପଥ ଦେଇ, ଉତ୍ତର ମହାସାଗରରୁ ଭାରତୀୟ ମହାସାଗରକୁ ଆସିଥାଆନ୍ତି।
ନଲ ସରୋବରକୁ ଆସୁଥିବା ଅନେକ ପ୍ରବାସୀ ପକ୍ଷୀଙ୍କ ସମେତ “ମୁଁ ୩୫୦ରୁ ଅଧିକ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନି ପାରିବି,” ସେ କହନ୍ତି। “ପୂର୍ବରୁ, ଏଠାରେ ପ୍ରାୟ ୨୪୦ଟି ପ୍ରଜାତିର ପକ୍ଷୀ ଦେଖାଯାଉଥିଲେ। ଏବେ ଏହି ସଂଖ୍ୟା ୩୧୫ରୁ ଅଧିକ ହେଲାଣି।”
ଏହି ହ୍ରଦ ଏବଂ ଏହାର ଆଖପାଖ ଅଞ୍ଚଳରେ ହିଁ ପିଲାଦିନ କାଟିଛନ୍ତି ଗନି। ସେ କହନ୍ତି, “ଏହି ପକ୍ଷୀମାନଙ୍କୁ ସୁରକ୍ଷିତ ରଖିବା ଲାଗି ମୋ ବାପା ଓ ଜେଜେବାପା ବନ ବିଭାଗର ସହାୟତା କରିଥିଲେ। ସେ ଦୁହେଁ ବନ ବିଭାଗର ଡଙ୍ଗାଚାଳକ ଭାବେ କାମ କରିଥିଲେ ଏବଂ ଏବେ ମୁଁ ତାହା କରୁଛି। “ମୁଁ (ଯେତେବେଳେ) ୧୯୯୭ରେ ଏହି କାମ ଆରମ୍ଭ କଲି, ବେଳେବେଳେ ମୋତେ କାମ ମିଳେ ଆଉ ଅନ୍ୟ ସମୟରେ କିଛି ମିଳେନାହିଁ।”
୨୦୦୪ରେ ସ୍ଥିତି ବଦଳିଲା ଏବଂ ସେଠାରେ ପ୍ୟାଟ୍ରୋଲିଂ କରିବାକୁ ଏବଂ ପକ୍ଷୀମାନଙ୍କୁ ସୁରକ୍ଷିତ ରଖିବାକୁ ବନ ବିଭାଗ ପକ୍ଷରୁ ତାଙ୍କୁ ଜଣେ ନାବିକ ଭାବରେ ନିଯୁକ୍ତି ଦିଆଗଲା, “ଏବେ ମୁଁ ମାସକୁ ପ୍ରାୟ ୧୯,୦୦୦ ଟଙ୍କା ରୋଜଗାର କରୁଛି।”
![Gani on a boat with his camera equipment, looking for birds to photograph on the Nal Sarovar lake in Gujarat](/media/images/02a-DSC07447-ZT-Birdman_and_boatman_of_Nal.max-1400x1120.jpg)
![Gani on a boat with his camera equipment, looking for birds to photograph on the Nal Sarovar lake in Gujarat](/media/images/02b-DSC07437-ZT-Birdman_and_boatman_of_Nal.max-1400x1120.jpg)
ଗୁଜରାଟର ନଲ ସରୋବର ହ୍ରଦରେ ଗୋଟିଏ ଡଙ୍ଗାରେ କ୍ୟାମେରା ଉପକରଣ ସହିତ ଗନି, ଫଟୋ ଉଠାଇବା ଲାଗି ପକ୍ଷୀ ଖୋଜୁଛନ୍ତି
![Left: Gani pointing at a bird on the water.](/media/images/03a-DSC07444-ZT-Birdman_and_boatman_of_Nal.max-1400x1120.jpg)
![Right: Different birds flock to this bird sanctuary.](/media/images/03b-DSC07500-ZT-Birdman_and_boatman_of_Nal.max-1400x1120.jpg)
ବାମ : ପାଣି ଭିତରେ ଗନି ଗୋଟିଏ ପକ୍ଷୀ ଦେଖାଇ ଦେଉଛନ୍ତି । ଡାହାଣ : ବିଭିନ୍ନ ପ୍ରଜାତିର ପକ୍ଷୀ ଏହି ପକ୍ଷୀ ଅଭୟାରଣ୍ୟକୁ ଆସନ୍ତି
ତୃତୀୟ ପିଢ଼ିର ଏହି ନାବିକ ଏବଂ ଉତ୍ସାହୀ ପକ୍ଷୀପ୍ରେମୀ ଜଣକ ନଲ ସରୋବରଠାରୁ ତିନି କିଲୋମିଟର ଦୂର ବେକରିୟା ଗାଁରେ ପିଲାବେଳ କାଟିଛନ୍ତି। ଏହି ହ୍ରଦରେ ପର୍ଯ୍ୟଟନ ସଂପର୍କିତ କାମ ହିଁ ତାଙ୍କ ଗାଁର ଲୋକମାନଙ୍କ ପାଇଁ ରୋଜଗାରର ଏକମାତ୍ର ଉତ୍ସ।
ଗନି ଗାଁର ସରକାରୀ ପ୍ରାଥମିକ ସ୍କୁଲରେ ପଢ଼ିଥିଲେ। କିନ୍ତୁ ୭ମ ଶ୍ରେଣୀରୁ ପଢ଼ା ଛାଡ଼ି ଦେଲେ। କାରଣ, ତାଙ୍କ ପରିବାର ପାଇଁ ସେ ରୋଜଗାର କରିବା ଆବଶ୍ୟକ ହୋଇପଡ଼ିଲା। ତାଙ୍କର ଦୁଇ ଭାଇ ଓ ଦୁଇ ଭଉଣୀ ଅଛନ୍ତି। ତାଙ୍କ ବୟସ ୧୪ ବର୍ଷ ହୋଇଥିବା ବେଳେ ସେ ଜଣେ ବେସରକାରୀ ନାବିକ ଭାବେ ନଲ ସରୋବରରେ କାମ କରିବା ଆରମ୍ଭ କରିଥିଲେ।
ଆନୁଷ୍ଠାନିକ ଶିକ୍ଷା ବନ୍ଦ ହୋଇଯାଇଥିଲେ ବି ଗନି ଥରଟିଏ ଦେଖି ଯେ କୌଣସି ପକ୍ଷୀକୁ ଚିହ୍ନିପାରିବେ ଏବଂ ନାଁ କହିପାରିବେ। ତାଙ୍କ ପାଖରେ କୌଣସି ପେସାଦାର ଫଟୋଗ୍ରାଫରଙ୍କ ଭଳି କ୍ୟାମେରା ନଥିଲେ ବି ସେ ବନ୍ୟଜୀବନର ଫଟୋ ଉଠାଇବାରେ ଲାଗିଲେ। “ମୋର ଯେତେବେଳେ କ୍ୟାମେରା ନଥିଲା, ମୁଁ ମୋ ଫୋନ୍କୁ ଟେଲିସ୍କୋପରେ ଲଗାଇ ପକ୍ଷୀମାନଙ୍କର ଫଟୋ ନେଉଥିଲି।” ଶେଷରେ, ୨୦୨୩ରେ ତାଙ୍କୁ ଗୋଟିଏ ନିକନ୍-କୁଲ୍ପିକ୍ସ ପି ୯୫୦ କ୍ୟାମେରା ମିଳିଲା ଏବଂ ଏକ ବାଇନୋକୁଲାର ମିଳିଲା। “କ୍ୟାମେରା ଓ ବାଇନୋକୁଲାର କିଣିବାରେ ଆର୍.ଜେ. ପ୍ରଜାପତି (ଉପ ବନ ସଂରକ୍ଷକ) ଏବଂ ଡି.ଏମ୍. ସୋଲାଙ୍କି (ବନଖଣ୍ଡ ଅଧିକାରୀ) ମୋର ସହାୟତା କଲେ।”
ଗନି ଗବେଷକମାନଙ୍କୁ ମଧ୍ୟ ସହାୟତା କଲେ ଏବଂ ଏହା ଫଳରେ ନଲ ସରୋବରରେ ସେ ଉଠାଇଥିବା ବିଦେଶାଗତ ପକ୍ଷୀମାନଙ୍କର ଫଟୋଗୁଡ଼ିକୁ ଅନ୍ତର୍ଜାତୀୟ ସ୍ୱୀକୃତି ମିଳିଲା। ଉତ୍ସାହର ସହିତ ସେ କହନ୍ତି, “ମୁଁ ରୁଷିଆର ଗୋଟିଏ ପକ୍ଷୀ ବସାରେ ଦୁଇଟି ପକ୍ଷୀଙ୍କ ଫଟୋ ନେଇଥିଲି। ସେମାନଙ୍କୁ ୟୁ୩ ଏବଂ ୟୁ୪ ରୂପେ ଚିହ୍ନିତ କରାଯାଇଥିଲା। ୨୦୨୨ରେ ମୁଁ ଏଠାକୁ ଆସିଥିବା ୟୁ୩କୁ ପାଇଲି ଏବଂ ଏ ବର୍ଷ (୨୦୨୩) ମୁଁ ୟୁ୪କୁ ବି ପାଇଲି। ଯେତେବେଳେ ଏହି ଫଟୋକୁ ଭାରତୀୟ ବନ୍ୟଜୀବ ମହାସଂଘ ଜରିଆରେ ରୁଷିଆର ଜଣେ ବୈଜ୍ଞାନିକଙ୍କ ପାଖକୁ ପଠାଗଲା, ବୈଜ୍ଞାନିକ ଜଣକ ଆମକୁ ଜଣାଇଲେ ଯେ ଏହି ପକ୍ଷୀ ଦୁଇଟି ଗୋଟିଏ ବସାରୁ ଆସିଛନ୍ତି। ଦୁଇଟି ଯାକ ପକ୍ଷୀ ନଲ ସରୋବରକୁ ଆସିଥିଲେ।”
ସେ କହନ୍ତି ଯେ ରୁଷିଆର ବିଜ୍ଞାନୀ ତାଙ୍କ ପକ୍ଷୀଦେଖା ସଂପର୍କରେ ଉଲ୍ଲେଖ କରିଛନ୍ତି। “ମୁଁ ପ୍ରାୟ ଆଠଟି ଚକ୍ରାକୃତିର ବଳୟ ଥିବା ପକ୍ଷୀ ଦେଖିଲି। ସେମାନେ ଡିମୋଇସେଲ୍ କ୍ରେନ୍ ( ଗ୍ରସ୍ ଭିର୍ଗୋ ) ନାମକ ଏକ ପ୍ରକାର ସାରସ ପକ୍ଷୀ। ମୁଁ ସେହି ପକ୍ଷୀମାନଙ୍କର ଫଟୋ ଉଠାଇଲି ଏବଂ ପରେ ସେଗୁଡ଼ିକୁ ପଠାଗଲା ଏବଂ ସେ ସଂପର୍କରେ ଉଲ୍ଲେଖ କରାଗଲା।”
![Left: A Sooty Tern seabird that came to Nal Sarovar during the Biporjoy cyclone in 2023.](/media/images/04a-1688469077368-ZT-Birdman_and_boatman_o.max-1400x1120.jpg)
![Right: A close-up of a Brown Noddy captured by Gani](/media/images/04b-1688469077445-ZT-Birdman_and_boatman_o.max-1400x1120.jpg)
ବାମ : ୨୦୨୩ ର ବିପର୍ଯ୍ୟୟ ବାତ୍ୟା ପରେ ନଲ ସରୋବରକୁ ଆସିଥିବା ସୁଟି ଟର୍ନ ନାମକ ଏକ ସାମୁଦ୍ରିକ ପକ୍ଷୀ । ଡାହାଣ : ଗନି ଉଠାଇଥିବା ବ୍ରାଉନ୍ ନଡି ନାମକ ଏକ ପକ୍ଷୀର କ୍ଲୋଜ୍-ଅପ୍ ଫଟୋ
![Left: A pair of Sarus cranes next to the lake.](/media/images/05a-1688469077345-ZT-Birdman_and_boatman_o.max-1400x1120.jpg)
![Right: Gani's picture of flamingos during sunset on the water.](/media/images/05b-1688469077415-ZT-Birdman_and_boatman_o.max-1400x1120.jpg)
ବାମ : ହ୍ରଦ ପାଖରେ ଗୋଟିଏ ଯୋଡ଼ି ସାରସ ପକ୍ଷୀ । ଡାହାଣ : ଗନି ଉଠାଇଥିବା ଫଟୋର ସୂର୍ଯ୍ୟାସ୍ତ ସମୟରେ ହ୍ରଦ ପାଣିରେ ମରାଳ ପକ୍ଷୀଙ୍କ ଦଳ
ଜଳବାୟୁ ପରିବର୍ତ୍ତନ ଯୋଗୁଁ ନଲ ସରୋବର ର ପରିବର୍ତ୍ତନ ଘଟୁଥିବା ଗନି ଲକ୍ଷ୍ୟ କରିଛନ୍ତି। “ଜୁନ ମାସରେ ଗୁଜରାଟରେ ସଂଘଟିତ ବିପର୍ଯ୍ୟୟ ବାତ୍ୟା ପ୍ରଭାବରେ ଏଠାକୁ କେତେକ ନୂଆ ପ୍ରଜାତିର ସାମୁଦ୍ରିକ ପକ୍ଷୀ ପ୍ରଥମ ଥର ପାଇଁ ଆସିଥିବା ଦେଖାଯାଇଛି। ସେମାନେ ହେଲେ ବ୍ରାଉନ୍ ନଡି ( ଆନୌସ ଷ୍ଟୋଲିଡସ୍ ), ସୁଟି ଟର୍ନ ( ଅନିକୋପ୍ରିଅନ୍ ଫସକାଟସ ), ଆର୍କଟିକ ସ୍କୁଆ ( ଷ୍ଟେର୍କୋରାରିଅସ୍ ପାରାସାଇଟିକସ୍ ) ଏବଂ ବ୍ରିଡଲଡ ଟର୍ନ ( ଅନିକୋପ୍ରିଅନ୍ ଆନାଥେଟସ୍ )।”
ଏହା ସହିତ କେନ୍ଦ୍ର ଏସୀୟ ଆକାଶପଥ ଦେଇ ଲାଲ ରଙ୍ଗର ହଂସ ( ବ୍ରାଣ୍ଟା ରୁଫିକୋଲିସ୍ ) ମଧ୍ୟ ଆସିଛନ୍ତି। ଶୀତ ଋତୁରେ ଏମାନେ ନଲ ସରୋବରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ। ଏମାନେ ଗତ ତିନି ବର୍ଷ ହେଲା ଏଠାକୁ ଆସୁଛନ୍ତି। ମଙ୍ଗୋଲିଆ ଏବଂ କଜାକସ୍ତାନ ଭଳି ସ୍ଥାନରୁ ଏମାନେ ଆସନ୍ତି। “ପୂର୍ବବର୍ତ୍ତୀ ତିନି ବର୍ଷ ହେଲା ସେଇ ଗୋଟିଏ ପ୍ରଜାତିର ପକ୍ଷୀମାନେ ଏଠାକୁ ଆସୁଛନ୍ତି। ସେମାନେ ଲଗାତର ଏଠାକୁ ଆସୁଛନ୍ତି,” ଗନି ସୂଚାଇ ଦିଅନ୍ତି। ସେ ମଧ୍ୟ ଗମ୍ଭୀର ଭାବରେ ବିଲୁପ୍ତପ୍ରାୟ ମେଳାପୀ ଟିଟ୍ଟିଭ ( ଭାନେଲସ ଗ୍ରେଗାରିଅସ୍ ) ପକ୍ଷୀ ସଂପର୍କରେ ଉଲ୍ଲେଖ କରି ସେମାନେ ମଧ୍ୟ ଏହି ପକ୍ଷୀ ଅଭୟାରଣ୍ୟକୁ ଆସୁଛନ୍ତି ବୋଲି କହନ୍ତି।
ଗୋଟିଏ ସାରସ ପକ୍ଷୀ ସଂପର୍କରେ କହିବାକୁ ଯାଇ “ଗୋଟିଏ ପକ୍ଷୀକୁ ମୋ ନାମରେ ନାମିତ କରାଯାଇଛି,” ବୋଲି ଗନି କହନ୍ତି। “ସେହି ପକ୍ଷୀଟି ଏବେ ରୁଷିଆରେ ଅଛି। ସେ ରଷିଆକୁ ଗଲା ଏବଂ ପରେ ଗୁଜରାଟକୁ ଆସି ପୁଣି ଥରେ ରୁଷିଆକୁ ଫେରି ଗଲା,” ସେ ମନେ ପକାଇ କହନ୍ତି।
ଗନି କହନ୍ତି, “ଅନେକ ସମୟରେ ମୁଁ ପକ୍ଷୀମାନଙ୍କ ଫଟୋକୁ ଖବରକାଗଜକୁ ଦେଇଥାଏ। ସେମାନେ ମୋ ନାଁ ପ୍ରକାଶ କରନ୍ତିନି। କିନ୍ତୁ ମୁଁ ସେଥିରେ ସେମାନଙ୍କର ଫଟୋ ଦେଖି ଖୁସି।”
ଅନୁବାଦ : ଓଡ଼ିଶାଲାଇଭ୍