ଅତିକୁଶଳୀ କୋରାଇ କଟାଳୀମାନଙ୍କୁ ଗଛଟି କାଟିବାକୁ ୧୫ ସେକେଣ୍ଡ ଲାଗିଥାଏ, ଝାଡିବା ପାଇଁ ଅଧ ମିନିଟ୍ ଏବଂ ଆଉ କିଛି ମିନିଟ୍ ବିଡା ବାନ୍ଧିବା ପାଇଁ ଲାଗିଥାଏ। ଏହି ଘାସ ଜାତୀୟ ଗଛଟି ସେମାନଙ୍କଠାରୁ ଅଧିକ ଉଚ୍ଚ ଅଟେ ଏବଂ ପ୍ରତ୍ୟେକ ବିଡାର ଓଜନ ପାଖାପାଖି ପାଞ୍ଚ କିଲୋଗ୍ରାମ୍। ମହିଳାମାନେ ଅକ୍ଳେଶରେ ୧୨-୧୫ ବିଡା ନିଜ ମୁଣ୍ଡ ଉପରେ ଲଦି ଖରାରେ ପ୍ରାୟ ଅଧକିଲୋମିଟର ଚାଲି କରି ଯାଆନ୍ତି - କେବଳ ପ୍ରତି ବିଡାକୁ ୨ ଟଙ୍କା ହିସାବରେ ରୋଜଗାର କରିବାପାଇଁ।
ସଂଧ୍ୟା ସୁଦ୍ଧା, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଅତିକମ୍ରେ ୧୫୦ ବିଡା ଲେଖାଏଁ କୋରାଇ ପ୍ରସ୍ତୁତ କରିଥାଆନ୍ତି, ଯାହାକି ତାମିଲନାଡୁର କରୁର ଜିଲ୍ଲାର ଉପକୂଳବର୍ତ୍ତି ଚାଷ ଜମିରେ ଅଧିକ ମାତ୍ରାରେ ହୋଇଥାଏ।
କାବେରୀ ନଦୀର କୂଳରେ ଥିବା କରୁର’ର ମନଭାସି ଗାଁର ଏକ ଛୋଟ ବସତି ନାଥମେଡୁରେ କୋରାଇ କାଟାଳିମାନେ-ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା-ଦିନକୁ ଆଠ ଘଣ୍ଟା କୌଣସି ବିରତି ବିନା କାମ କରନ୍ତି। ସେମାନେ ନଇଁକରି ଘଞ୍ଚ ଗଛର ପତ୍ରସମୂହକୁ କାଟିଥାଆନ୍ତି, ନିଜର ଖାଲିହାତରେ ଡେମ୍ପଗୁଡିକୁ ଝାଡି ବିଡା ବାନ୍ଧନ୍ତି, ଯାହାକୁ ସେମାନେ ସଂଗ୍ରହ କେନ୍ଦ୍ରରେ ନେଇ ରଖନ୍ତି। ଏହା କୌଶଳ ଓ ସାମର୍ଥ୍ୟ ଆବଶ୍ୟକ କରେ ଏବଂ ଏହା କଷ୍ଟକର କାର୍ଯ୍ୟ ଅଟେ।
ସେମାନେ କୁହନ୍ତି, ଯୁବତୀ ଅବସ୍ଥାରୁ ସେମାନଙ୍କ ମଧ୍ୟରୁ ଅନେକ କୋରାଇ କାଟି ଆସୁଛନ୍ତି। ୫୯ ବର୍ଷୀୟା ଏ.ସୌଭାଗ୍ୟମ କୁହନ୍ତି "ମୁଁ ଜନ୍ମ ହେବା ଦିନ ଠାରୁ,ଏହି କୋରାଇ ଜଙ୍ଗଲ[’ଜଙ୍ଗଲ’] ମୋ ଦୁନିଆ ପାଲଟି ଯାଇଛି। ମୁଁ ୧୦ ବର୍ଷ ବୟସରୁ କ୍ଷେତରେ କାମ କରିବା ଆରମ୍ଭ କରି, ଦିନକୁ ତିନି ଟଙ୍କା ରୋଜଗାର କରୁଥିଲି,"। ତାର ରୋଜଗାର ଏବେ ପାଞ୍ଚ ଜଣିଆ ପରିବାରକୁ ଆହାର ଯୋଗାଉଛି।
ସ୍କୁଲ ଯାଉଥିବା ଦୁଇ ପୁଅଙ୍କର ବିଧବା ମା ୩୩ ବର୍ଷୀୟା ଏମ୍.ମାଗେସ୍ୱରି ମନେପକାନ୍ତି ତାଙ୍କ ବାପା ତାଙ୍କୁ ଗାଈ ଜଗିବା ଏବଂ କୋରାଇ କାଟିବା ପାଇଁ ପଠାଉଥିଲେ। "ମୁଁ ଏମିତିକି ସ୍କୁଲରେ ପାଦବି ରଖିନି" ସେ କହନ୍ତି। ମା’ଙ୍କ ଚଲାପଥରେ ଯାଉଥିବା, ୩୯ ବର୍ଷୀୟା, ଆର.ସେଲଭି କୁହନ୍ତି, "ଏହି କ୍ଷେତଗୁଡିକ ମୋର ଦ୍ୱିତୀୟ ଘର।" ସେ କୁହନ୍ତି,"ସେ ମଧ୍ୟ ଜଣେ କୋରେଇ କଟାଳି ଥିଲେ। ମୁଁ ଏହି କାମ ମୋ ଜୀବନରେ ଅତି କମ୍ ବୟସରୁ ଆରମ୍ଭ କରିଦେଇଥିଲି।"
ତାମିଲନାଡୁର ପଛୁଆବର୍ଗ ଭାବରେ ତାଲିକାଭୁକ୍ତ ମୁଥାରୈୟାର ସଂପ୍ରଦାୟର ସମସ୍ତ ମହିଳା ତିରୁଚିରାପଲ୍ଲୀ ଜିଲ୍ଲାର ଅମୂରର ଅଟନ୍ତି। ନାଥମେଡୁଠାରୁ ୩୦ କିଲୋମିଟର ଦୂରରେ ଥିବା ମୁସିରି ତାଲୁକର ଗାଁଟି ମଧ୍ୟ କାବେରୀ ନଦୀ କୂଳରେ ଅବସ୍ଥିତ। କିନ୍ତୁ ଅମୂରରେ ଜଳର ବହୁତ ଅଭାବ, ଏହାର ମୁଖ୍ୟ କାରଣ ଏହି ସ୍ଥାନରେ ବାଲି ଉତ୍ତୋଳନ। "ଯେତେବେଳେ କେନାଲରେ [ନଦୀ] କିଛି ପାଣି ଥାଏ, ମୋ ଗାଁରେ କୋରାଇ ବଢିଥାଏ । ମାଗେସ୍ୱରି କୁହନ୍ତି, ନିକଟ ଅତୀତରେ ନଦୀରେ ପାଣି କମ୍ ଥିବା କାରଣରୁ, ଆମକୁ କାମପାଇଁ ଦୂର ସ୍ଥାନକୁ ଯିବାକୁ ପଡେ।"
ତେଣୁ ଅମୂର ଅଧିବାସୀମାନେ ପାଖ ଜିଲ୍ଲା କରୁରର ଜଳସେଚିତ କ୍ଷେତକୁ ଯାଆନ୍ତି। ଦିନକୁ ୩୦୦ ଟଙ୍କା ରୋଜଗାର କରିବାପାଇଁ ସେମାନେ ସେଠାକୁ ନିଜ ଖର୍ଚ୍ଚରେ ବସ୍ରେ, ବେଳେବେଳେ ଲରିରେ ଯାଆନ୍ତି। ୪୭ ବର୍ଷୀୟ ଭି.ଏମ. କନ୍ନନ ଯିଏକି ନିଜର ୪୨ ବର୍ଷୀୟା ସ୍ତ୍ରୀ କେ. ଅକ୍କନ୍ଦିଙ୍କ ସହିତ କୋରାଇ କାଟନ୍ତି, ସୂଚାଇ ଦିଅନ୍ତି: କାବେରୀ ଜଳ ଅନ୍ୟମାନଙ୍କ ପାଇଁ ଶୁଖିଯାଇଛି, ଯେତେବେଳେକି ସ୍ଥାନୀୟ ଅଧିବାସୀମାନଙ୍କୁ ଜଳ ପାଇଁ ସଂଘର୍ଷ କରିବାକୁ ପଡୁଛି।"
୪୭ ବର୍ଷୀୟ ଏ.ମରିୟାୟି, ଯିଏକି ୧୫ ବର୍ଷ ବୟସରୁ କୋରାଇ କାଟି ଆସୁଛନ୍ତି, କୁହନ୍ତି, ଆମ୍ଭେମାନେ ପୂର୍ବରୁ ପ୍ରତ୍ୟେକ ଦିନ ୧୦୦ ବିଡ଼ା ସଂଗ୍ରହ କରୁଥିଲୁ। ବର୍ତ୍ତମାନ ଆମେ ଅତି କମରେ ୧୫୦ ବିଡ଼ା ସଂଗ୍ରହ କରୁଛୁ ଏବଂ ୩୦୦ ଟଙ୍କା ରୋଜଗାର କରୁଛୁ। ପୂର୍ବରୁ ମଜୁରୀ ବହୁତ କମ୍ ଥିଲା, ବିଡ଼ା ପ୍ରତି ମାତ୍ର ୬୦ ପଇସା ଥିଲା।"
କନ୍ନନ, ଯିଏକି ୧୨ ବର୍ଷ ବୟସରୁ କୋରାଇ ଚାଷ କରି ଦିନକୁ ୮ ଟଙ୍କା ରୋଜଗାର କରନ୍ତି, ମନେପକେଇଲେ, "୧୯୮୩ ମସିହାରେ, ବିଡ଼ା ବାବଦରେ ମୂଲ୍ୟ ୧.୨୫ ପଇସା ଥିଲା"। ସେ କୁହନ୍ତି,ଏହା ମାତ୍ର ୧୦ ବର୍ଷ ତଳର କଥା, କଣ୍ଟ୍ରାକ୍ଟରକୁ ବହୁତ ଆପତ୍ତି କରିବା ପରେ, ବିଡା ପ୍ରତି ମୂଲ୍ୟ ୧ ଟଙ୍କାକୁ ବୃଦ୍ଧି କରାଗଲା, ଓ ପରେ ୨ ଟଙ୍କାକୁ ବୃଦ୍ଧି କରାଗଲା ।
ମଣି, କଣ୍ଟ୍ରାକ୍ଟର ଯିଏକି ୧-୧.୫ ଏକର କ୍ଷେତ ବ୍ୟବସାୟ ଉଦ୍ଦେଶ୍ୟରେ ଲିଜ୍ରେ ନେଇ ଅମୂରରୁ ଶ୍ରମିକ ଆଣି କୋରାଇ
ଚାଷ କରନ୍ତି। ସେ କୁହନ୍ତି, ଯେତେବେଳେ କ୍ଷେତରେ
ପାଣିର ସ୍ତର କମ୍ ଥାଏ,ଏକର ପ୍ରତି ମାସିକ ଭଡ଼ା ୧୨୦୦୦-୧୫୦୦୦ ରହିଥାଏ।
"ଯେତେବେଳେ ପାଣିର ସ୍ତର ଅଧିକ ଥାଏ ଏହା ୩-୪ ଗୁଣା ବଢିଯାଏ।" ସେ
କୁହନ୍ତି, ତାଙ୍କର ମାସକୁ ମାତ୍ର ୧୦୦୦-୫୦୦୦ ଟଙ୍କା ଲାଭ ହୋଇଥାଏ - ସମ୍ଭବତଃ ଏକ ପ୍ରାକ୍କଳନ।
କୋରାଇ ଏକ ସାଇପରାସି ଜାତୀୟ ଘାସ ଅଟେ; ଏହା ପାଖାପାଖି ୬ ଫୁଟ ଉଚ୍ଚତା ଯାଏଁ ବଢିଥାଏ। କରୁର ଜିଲ୍ଲାରେ ଏହାକୁ ବ୍ୟାବସାୟିକ ଉଦ୍ଦେଶ୍ୟରେ ମୁଶିରିରେ ଥିବା କୋରାଇ ମସିଣା ବୁଣା କାରଖାନା ପାଇଁ ଚାଷ କରାଯାଏ, ଯାହାକି ମସିଣା (ମସିଣା) ଓ ଅନ୍ୟାନ୍ୟ ବସ୍ତୁ ଉତ୍ପାଦନ ପାଇଁ ଲୋକପ୍ରିୟ ଅଟେ।
କ୍ଷେତରେ କାମକରୁଥିବା ଶ୍ରମିକମାନଙ୍କ ପାଇଁ ଶିଳ୍ପ ସଂସ୍ଥାଗୁଡିକ ଚାଲିଥାଏ। ଦିନକୁ ୩୦୦ ଟଙ୍କା ରୋଜଗାର କରିବା ମହିଳାମାନଙ୍କ ପାଇଁ ସହଜ ନଥିଲା, ଯେଉଁମାନେ ସକାଳ ୬ଟା ରୁ କାମ ଆରମ୍ଭ କରନ୍ତି, ନିଜ ଅଣ୍ଟା ବଙ୍କା କରି ନିପୁଣତାର ସହିତ ଉଚ୍ଚ ଗଛଗୁଡିକୁ ଦାଆ ସାହାଯ୍ୟରେ କାଟିଥାଆନ୍ତି। ବର୍ଷାଋତୁର କିଛି ଦିନକୁ ଛାଡିଦେଇ ସେମାନେ ବର୍ଷସାରା କାମକରନ୍ତି।
୪୪ ବର୍ଷୀୟା ଜୟନ୍ତି କୁହନ୍ତି, କାମଟିର ଚାହିଦା ଅଛି । ‘‘ମୁଁ ସବୁଦିନ ସକାଳ ଚାରିଟାରେ ଉଠେ, ପରିବାର ପାଇଁ ରୋଷେଇ କରି କ୍ଷେତକୁ ଯିବା ପାଇଁ ତରବର ହୋଇ ବସ୍ ଧରିବାକୁ ଯାଏ। ମୁଁ ଯାହା ଏଠି ରୋଜଗାର କରେ ତାହା ବସ୍ ଭଡା, ଖାଦ୍ୟ ଓ ଘର ଚଳାଇବାରେ ଖର୍ଚ୍ଚ ହୁଏ ।
ମାଗେଶ୍ୱରି ଯାହାର ସ୍ୱାମୀ ଚାରିବର୍ଷ ପୂର୍ବେ ହୃଦ୍ଘାତରେ ପ୍ରାଣତ୍ୟାଗ କରିଥିଲେ କୁହନ୍ତି "କିନ୍ତୁ ମୋ ପାଖରେ କ’ଣ ବିକଳ୍ପ ଅଛି? ଏହାହିଁ ଏକମାତ୍ର କାମ ଯାହା ମୋ ପାଇଁ ଉପଲବ୍ଧ ଅଛି। ସେ କୁହନ୍ତି,"ମୋର ଦୁଇଟି ପୁଅ ଅଛନ୍ତି, ଜଣେ ୯ ଶ୍ରେଣୀ ଓ ଅନ୍ୟଜଣେ ୮ ଶ୍ରେଣୀ ରେ ପଢନ୍ତି।
ପ୍ରାୟ ସମସ୍ତ ମହିଳା ନିଜ ଘରକୁ କୋରାଇ କାଟି ମିଳୁଥିବା ରୋଜଗାରରୁ ଚଳାନ୍ତି। ସେଲଭି ଯିଏକି ନିଜର ଚାରିଜଣିଆ ପରିବାର ଚଳାନ୍ତି କୁହନ୍ତି, "ଯଦି ମୁଁ ଦୁଇଦିନ ଏହି ଘାସ କାଟିବାକୁ ନଯାଏ, ତେବେ ଘରେ କିଛି ଖାଇବାକୁ ମିଳିବନାହିଁ।
ମରିୟାୟି କୁହନ୍ତି,"କିନ୍ତୁ ରୋଜଗାର ଯଥେଷ୍ଟ ନୁହେଁ। ମୋର ଜଣେ ସାନ ଝିଅ ନର୍ସ ହେବା ପାଇଁ ପଢୁଛି, ଏବଂ ମୋ ପୁଅ ୧୧ଶ୍ରେଣୀର ପଢୁଛି. ମୁଁ ଜାଣିପାରୁ ନାହିଁ ତାର ପାଠପଢା ଖର୍ଚ୍ଚ କେମିତି ତୁଲାଇବି। ମୋ ଝିଅର ଫି ଦେବା ପାଇଁ ମୁଁ ଋଣ କରିଅଛି।
ସୌଭାଗ୍ୟମ୍ କୁହନ୍ତି,"ଯେତେବେଳେ ସେମାନଙ୍କର ରୋଜଗାର ବଢି ଦିନକୁ ୩୦୦ଟଙ୍କା ହେଲା, ଏହା ସେମାନଙ୍କ ପାଇଁ ବହୁତକିଛି ନଥିଲା। ପୂର୍ବରୁ ଯେତେବେଳେ ଆମେ ୨୦୦ଟଙ୍କା ପାଉଥିଲୁ, ଆମ୍ଭେମାନେ ବହୁତ ପରିବା କିଣିପାରୁଥିଲୁ। କିନ୍ତୁ ଏବେ ୩୦୦ଟଙ୍କା ମଧ୍ୟ ଯଥେଷ୍ଟ ନୁହେଁ’’। ନିଜର ମା,ସ୍ୱାମୀ, ପୁଅ ଓ ବୋହୂକୁ ନେଇ ତାଙ୍କର ପାଞ୍ଚଜଣିଆ ପରିବାର। ‘‘ମୋର ରୋଜଗାର ହିଁ ସମସ୍ତଙ୍କୁ ଖାଦ୍ୟ ଯୋଗାଇଥାଏ।’’
ଅନେକ ପରିବାର ଏଠାରେ ମହିଳାମାନଙ୍କ ରୋଜଗାର ଉପରେ ସମ୍ପୂର୍ଣ୍ଣ ନିର୍ଭର କରନ୍ତି କାରଣ ପୁରୁଷମାନେ ମଦ୍ୟପାନରେ ବୁଡିରୁହନ୍ତି। ସୌଭାଗ୍ୟମ କୁହନ୍ତି "ମୋ ପୁଅ ଜଣେ ରାଜମିସ୍ତ୍ରୀ। ସେ ଭଲ ରୋଜଗାର କରେ, ଦିନକୁ ପ୍ରାୟ ୧୦୦୦ ଟଙ୍କା"। "କିନ୍ତୁ ସେ ନିଜ ସ୍ତ୍ରୀକୁ ପାଞ୍ଚପଇସା ବି ଦିଏ ନାହିଁ, ଏବଂ ସବୁ କିଛି ମଦପିଇବାରେ ଖର୍ଚ୍ଚ କରିଦିଏ। ଯେତେବେଳେ ତା ସ୍ତ୍ରୀ ତାକୁ କିଛି କୁହେ ,ସେ ତାକୁ ନିର୍ଦ୍ଦୟ ଭାବରେ ବାଡାଏ।" ମୋର ସ୍ୱାମୀ ଅଧିକ ବୟସ୍କ, ସେ କୌଣସି କାମ କରିବାକୁ ଅସମର୍ଥ।"
ଏହି କଷ୍ଟକର ଜୀବନ ମହିଳାମାନଙ୍କ ସ୍ୱାସ୍ଥ୍ୟଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଜୟନ୍ତି କୁହନ୍ତି "ମୁଁ ଛାତିରେ ଯନ୍ତ୍ରଣା ଅନୁଭବ କରେ, କାରଣ ମୁଁ ପୁରାଦିନ ନଇଁ ରହେ ଏବଂ କାଟିଥାଏ"। "ମୁଁ ପ୍ରତି ସପ୍ତାହର ଶେଷରେ ଚିକିତ୍ସାଳୟକୁ ଯାଏ, ଏବଂ ଏହାର ବିଲ୍ ୫୦୦ ରୁ ୧୦୦୦ ଟଙ୍କା ଆସିଥାଏ। ଯାହାସବୁ ମୁଁ ରୋଜଗାର କରୁଛି ମେଡିକାଲରେ ଗଲା ପରିକା ଲାଗୁଛି।"
ତୀବ୍ର ମାନସିକ ଯନ୍ତ୍ରଣାରେ ବ୍ୟଥିତ ମରିୟାୟି କହନ୍ତି, "ମୁଁ ଏହାକୁ ଆଉ ଅଧିକ ଦିନ କରିପାରିବି ନାହିଁ"। ସେ କୋରାଇ କାଟିବା ବନ୍ଦ କରିବାକୁ ଚାହୁଁଛନ୍ତି। "ମୋର କାନ୍ଧ, ପିଚା, ଛାତି, ବାହୁ ଏବଂ ଗୋଡରେ ଯନ୍ତ୍ରଣା ଅନୁଭବ କରୁଛି। ଗଛର ତୀକ୍ଷ୍ଣ ଧାର ଦ୍ୱାରା ମୋ ହାତ ଓ ପାଦରେ କ୍ଷତ ହେଇଯାଉଛି। ତୁମେ ଜାଣକି ଏହି ଖରାରେ ଏହା କେତେ ଅଶ୍ୱସ୍ତିକର?"
ଅପର୍ଣ୍ଣା କାର୍ତ୍ତିକେୟନଙ୍କ ଦ୍ୱାରା ପାଠ୍ୟ ପ୍ରଦାନ।
ଅନୁବାଦ: ଓଡ଼ିଶାଲାଇଭ୍