ପ୍ରଥମେ ତାଙ୍କ ପିତା। ତା’ପରେ ପରଦିନ ତାଙ୍କ ମା’। ୨୦୨୧ ମସିହା ମଇ ମାସରେ କୋଭିଡ୍ -୧୯ର ଦ୍ୱିତୀୟ ଲହର ସମୟରେ ଏହିପରି ତାଙ୍କ ପିତାମାତା ଜଣକ ପରେ ଜଣେ ଜ୍ୱରରେ ଆକ୍ରାନ୍ତ ହେବାରୁ ପୁରୁଷୋତ୍ତମ ମିସାଲ ଭୟଭୀତ ଅବସ୍ଥାରେ ଥିଲେ। ପୁରୁଷୋତ୍ତମଙ୍କ ପତ୍ନୀ ବିଜୟମାଳା କୁହନ୍ତି, “ଗାଁର ଅନେକ ଲୋକ କୋଭିଡରେ ଆକ୍ରାନ୍ତ ହୋଇ ସାରିଥିଲେ। ସେ ସମୟରେ ଏହା ଭୟାନକ ଥିଲା''।
ମହାରାଷ୍ଟ୍ରର ତାଙ୍କ ବିଡ୍ ଜିଲ୍ଲାର ସରକାରୀ ଡାକ୍ତରଖାନାଗୁଡ଼ିକରେ ଅଧିକ ସଂଖ୍ୟାରେ ରୋଗୀମାନେ ଭର୍ତ୍ତି ହେବା ଖବର ପୁରୁଷୋତ୍ତମ ପଢିଥିଲେ। ବିଜୟମାଳା କୁହନ୍ତି, "ସେ ଜାଣିଥିଲେ ଯେ ତାଙ୍କୁ ନିଜ ପିତାମାତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିବ ଏବଂ ଚିକିତ୍ସାରେ ବହୁତ ଅର୍ଥ ଖର୍ଚ୍ଚ ହେବ"। "ଯଦି ଜଣେ ବ୍ୟକ୍ତି ଡାକ୍ତରଖାନାରେ ଗୋଟିଏ ସପ୍ତାହ ବିତାଉଛନ୍ତି, ତେବେ ବିଲ୍ ଲକ୍ଷ ଲକ୍ଷ (ଟଙ୍କା) ଆସିଥାଏ"। ଏକ ବର୍ଷରେ ପୁରୁଷୋତ୍ତମ ଯାହା ରୋଜଗାର କରିଥିଲେ ତାହାଠାରୁ ବହୁତ ଅଧିକ।
ଦାରିଦ୍ର୍ୟତା ସତ୍ତ୍ୱେ ପରିବାର ଉପରେ କୌଣସି ଋଣ ନଥିଲା। ହିୱାରା ଗୋବର୍ଦ୍ଧନଠାରୁ ୧୦ କିଲୋମିଟର ଦୂର ପାର୍ଲି ତାଲୁକାରେ ଥିବା ତାଙ୍କ ଗାଁ ସିରସାଲାରେ ଏକ ଚା ଷ୍ଟଲ୍ କରିଥିବା ୪୦ ବର୍ଷୀୟ ପୁରୁଷୋତ୍ତମଙ୍କୁ ଡାକ୍ତରଖାନା ଖର୍ଚ୍ଚ ପାଇଁ ଟଙ୍କା ଋଣ କରିବାର ଚିନ୍ତା ବ୍ୟଥିତ କରିଥିଲା। ୨୦୨୦ ମସିହା ମାର୍ଚ୍ଚ ମାସରେ କୋଭିଡ୍ -୧୯ ଆରମ୍ଭ ହେବା ଦିନଠାରୁ ଏହି ଦୋକାନ ପ୍ରାୟତଃ ବନ୍ଦ ରହିଥିଲା।
ତାଙ୍କର ମା' ଜ୍ୱରରେ ଆକ୍ରାନ୍ତ ହୋଇଥିବା ରାତିରେ ପୁରୁଷୋତ୍ତମ ଶଯ୍ୟାରେ ବାରମ୍ବାର କଡ଼ ଲେଉଟାଉଥିଲେ । ଏବଂ ସକାଳ ପ୍ରାୟ ଚାରିଟାରେ ସେ ନିଜ ପତ୍ନୀଙ୍କୁ କହିଥିଲେ: "ଯଦି ଏହା କୋଭିଡ ହୁଏ ତେବେ କ’ଣ ହେବ?" ୩୭ ବର୍ଷୀୟା ବିଜୟମାଳା ମନେପକାଇ କୁହନ୍ତି ଯେ ସେ ବହୁତ ବିବ୍ରତ ଥିଲେ ଏବଂ ତାଙ୍କ ଘରର ଟିଣ ଛାତକୁ ଚାହିଁ ରହିଥିଲେ। ସେତେବେଳେ ସେ ତାଙ୍କୁ ବ୍ୟସ୍ତ ନହେବାକୁ କହିଥିଲେ, "ସେ ତାଙ୍କୁ ଉତ୍ତରରେ କହିଥିଲେ ତୁମେ ବ୍ୟସ୍ତ ହୁଅ ନାହିଁ ଏବଂ ମୋତେ ପୁନର୍ବାର ଶୋଇବାକୁ କହିଥିଲେ’’।
ଏହାର କିଛି ସମୟ ପରେ ପୁରୁଷୋତ୍ତମ ଘରୁ ବାହାରି ଚା’ ଷ୍ଟଲ ଆଡ଼କୁ ଗଲେ। ନିକଟସ୍ଥ ଏକ ଖାଲି ଚାଳିଆରେ ସେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ।
ମହାରାଷ୍ଟ୍ରର ଏକ ଅବହେଳିତ ଦଳିତ ଜାତିର ମାତଙ୍ଗ ସଂପ୍ରଦାୟର ସେମାନଙ୍କ ପରିବାର। ପରିବାର ନାମରେ କୌଣସି କୃଷିକ୍ଷେତ୍ର ନଥିଲା। ଚା ଏବଂ ବିସ୍କୁଟ ବିକ୍ରୟ କରିବା ପୁରୁଷୋତ୍ତମଙ୍କ ଆୟର ମୁଖ୍ୟ ଉତ୍ସ ଥିଲା। ସେ ତାଙ୍କ ଗାଁର ଏକ ବ୍ୟାଣ୍ଡରେ ମଧ୍ୟ କାମ କରୁଥିଲେ ଯାହା ପ୍ରାୟତଃ ବିବାହରେ ପରିବେଷଣ କରୁଥିଲେ। ତାଙ୍କ ପରିବାର ସାତଜଣ ତାଙ୍କ ଉପରେ ନିର୍ଭରଶୀଳ ଥିଲେ। ବିଜୟମାଳା କୁହନ୍ତି, "ସେ ଚା ଦୋକାନରୁ ମାସକୁ ୫୦୦୦-୮୦୦୦ ଟଙ୍କା ରୋଜଗାର କରିପାରୁଥିଲେ’’। ଏବଂ ସେ ବ୍ୟାଣ୍ଡରୁ ଅର୍ଜନ କରୁଥିବା ଅର୍ଥକୁ ମିଶାଇଲେ ବର୍ଷକୁ ମୋଟ ଆୟ ପ୍ରାୟ ୧ଲକ୍ଷ ୫୦ହଜାର ଟଙ୍କା ହେଉଥିଲା।
ଦୁଃଖ ଭରିରହିଥିବା ସ୍ୱରରେ ୭୦ ବର୍ଷୀୟା ମା ଗାଙ୍ଗୁବାଇ କୁହନ୍ତି, "ମୋ ପୁଅ ଜଣେ ଭଲ ସଂଗୀତକାର ଥିଲା"। ପୁରୁଷୋତ୍ତମ ତୂରୀ ବଜାଉଥିଲେ ଏବଂ ବେଳେବେଳେ ପିଆନୋ ଏବଂ ଡ଼୍ରମ୍ ବଜାଉଥିଲେ। ଗାଁର ୨୫-୩୦ ଜଣ ଲୋକଙ୍କୁ ବାଦ୍ୟଯନ୍ତ୍ର ବଜାଇବାକୁ ଶିଖାଇଥିବା ତାଙ୍କ ପିତା ବାବୁରାଓ କୁହନ୍ତି, “ମୁଁ ତାଙ୍କୁ ଶେହାନାଇ ମଧ୍ୟ ଶିଖାଇଥିଲି।" ବାବୁରାଓ ତାଙ୍କ ଗ୍ରାମରେ 'ଉସ୍ତାଦ' (ସଂଗୀତ ଶିକ୍ଷକ) ଭାବରେ ଜଣାଶୁଣା।
କିନ୍ତୁ କୋଭିଡ କାରଣରୁ ବ୍ୟାଣ୍ଡ ପାଖରେ କୌଣସି କାମ ନଥିଲା। ବିଜୟମାଳା କୁହନ୍ତି: "ଲୋକମାନେ ଭୂତାଣୁକୁ ଭୟ କରୁଛନ୍ତି, କିନ୍ତୁ ସେମାନଙ୍କ ପାଖରେ ଗୋଟେ କପ୍ ଚା କିଣିବାକୁ କିମ୍ବା ବିବାହରେ ବ୍ୟାଣ୍ଡର ଆୟୋଜନ କରିବାକୁ ଅର୍ଥ ନାହିଁ।
୨୦୨୧ ମସିହା ମାର୍ଚ୍ଚ ମାସରେ ଆମେରିକାସ୍ଥିତ ପିୟୁ ରିସର୍ଚ୍ଚ ସେଣ୍ଟରରେ ପ୍ରକାଶିତ ରିପୋର୍ଟ ଦର୍ଶାଏ, ଆକଳନ ଅନୁଯାୟୀ କୋଭିଡ-୧୯ ଦ୍ୱାରା ସୃଷ୍ଟି ହୋଇଥିବା ମାନ୍ଦାବସ୍ଥା ଯୋଗୁଁ ଭାରତରେ ଗରିବ(ଯାହାର ରୋଜଗାର ୨ ଡଲାର ବା ତାଠାରୁ କମ୍) ଲୋକମାନଙ୍କ ସଂଖ୍ୟା ଆହୁରି ୭୫ ମିଲିୟନ ବଢ଼ିଯାଇଛି। ଏହି ରିପୋର୍ଟ ପ୍ରକାଶ କରେ, ୨୦୨୦ ମସିହାରେ ଆକଳନ ଅନୁସାରେ ଭାରତରେ ମଧ୍ୟବିତ୍ତ ପରିବାର ସଂଖ୍ୟା ୩୨ମିଲିୟନ କମିଯାଇଛି, ଯାହାକି ବିଶ୍ୱରେ ବୃଦ୍ଧି ପାଇଥିବା ଦାରିଦ୍ର୍ୟର ୬୦ ପ୍ରତିଶତ ଅଟେ।
ଲୋକଙ୍କ କ୍ରୟ କ୍ଷମତାର ହ୍ରାସ ପାଇବା ବିଡ୍ରେ ଜଳଜଳ ହୋଇ ଦେଖାଯାଉଛି - ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଥିବା ଏକ ଜିଲ୍ଲା ଯେଉଁଠାରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ମରୁଡ଼ି ହେତୁ କୃଷକମାନେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଋଣ ଏବଂ ଦାରିଦ୍ର୍ୟ ସହ ସଂଘର୍ଷ କରିଆସୁଛନ୍ତି। ସଂଘର୍ଷପୂର୍ଣ୍ଣ ଗ୍ରାମୀଣ ଅର୍ଥନୀତିରେ ବଞ୍ଚିବାକୁ ଚେଷ୍ଟା କରୁଥିବା ପରିବାରର ବୋଝକୁ କୋଭିଡ -୧୯ ବଢାଇ ଦେଇଛି।
ଯଦିଓ ପୁରୁଷୋତ୍ତମ ତାଙ୍କ ଜୀବିକା ପାଇଁ ଚାଷ ଉପରେ ସିଧାସଳଖ ନିର୍ଭରଶୀଳ ନଥିଲେ ମଧ୍ୟ ତାଙ୍କର ଅଧିକାଂଶ ଗ୍ରାହକ କୃଷକ ଥିଲେ। ଏବଂ ଯେତେବେଳେ ସେମାନଙ୍କର ଆୟ ନଷ୍ଟ ହେଲା, ଏହାର ପ୍ରଭାବ କୃଷି ସମାଜର ଚତୁପାର୍ଶ୍ୱରେ ଅନୁଭୂତ ହେଲା - ମୋଚି, ବଢେଇ, ବାରିକ, କୁମ୍ଭକାର, ଚା ବିକ୍ରେତା ଏବଂ ଅନ୍ୟମାନେ ମଧ୍ୟ ପ୍ରଭାବିତ ହେଲେ। ଅନେକ ଏବେ କିପରି ସେମାନଙ୍କ ଜୀବିକା ନିର୍ବାହ କରିବେ ସେଥିପାଇଁ ଚିନ୍ତିତ ଅଛନ୍ତି ।
ବିଡ୍ ତାଲୁକାର କାମଖେଡ଼ା ଗ୍ରାମରେ ଥିବା ତାଙ୍କ ଦୋକାନରେ ଗ୍ରାହକ ନଥିବା ଏକ ଦିନ ୫୫ ବର୍ଷୀୟା ଲକ୍ଷ୍ମୀ ୱାଘମାରେ କୋଭିଡ ପୂର୍ବର ସମୟ ବିଷୟରେ ମନେ ପକାଇ ସେ ଦୁଃଖରେ କୁହନ୍ତି, "ଆମେ ଜାଣି ନଥିଲୁ ଯେ ଆମର ଅବସ୍ଥା ଆହୁରି ଖରାପ ହୋଇଯିବ।"
ଲକ୍ଷ୍ମୀ ଏବଂ ତାଙ୍କ ସ୍ୱାମୀ ୫୫ ବର୍ଷୀୟ ନିଭ୍ରୁତି ୱାଘମାରେ ବିଭିନ୍ନ ପ୍ରକାରର ଦଉଡ଼ି ତିଆରି କରନ୍ତି। ଜଣେ ନବ ବୌଦ୍ଧ (ନୂଆ ବୌଦ୍ଧ, ପୂର୍ବରୁ ଦଲିତ) ଦମ୍ପତି ଯେଉଁମାନଙ୍କର ଜମି ନାହିଁ, ସେମାନେ କେବଳ ସେମାନଙ୍କ ହସ୍ତଶିଳ୍ପ ଉପରେ ନିର୍ଭର କରନ୍ତି, ଯାହା ଏକ ବଂଶଗତ ବୃତ୍ତି ଅଟେ। ମହାମାରୀ ନହେବା ପୂର୍ବରୁ ସେମାନେ ଗାଁର ସାପ୍ତାହିକ ବଜାରରେ ଦଉଡ଼ି ବିକ୍ରି କରୁଥିଲେ।
ନିଭ୍ରୁତି କୁହନ୍ତି, "ଆପଣ ସମସ୍ତଙ୍କୁ ବଜାରରେ ପାଇପାରିବେ। ସମସ୍ତେ କାର୍ଯ୍ୟବ୍ୟସ୍ତ ରହିଥିବେ’’। “ ପଶୁଧନ କାରବାର ହୋଇଥାଏ, କୃଷକମାନେ ପନିପରିବା ବିକ୍ରି କରନ୍ତି ଏବଂ କୁମ୍ଭକାରମାନେ ମାଟିପାତ୍ର ବିକ୍ରି କରନ୍ତି। ଆମେ ଦଉଡ଼ି ବିକ୍ରି କରୁ। ଗୋରୁ କିଣିବା ପରେ କୃଷକମାନେ ସାଧାରଣତଃ ଦଉଡ଼ି କିଣନ୍ତି ଯେଉଁଥିରେ ସେମାନେ ପଶୁମାନଙ୍କୁ ବାନ୍ଧି ନେଇଥାନ୍ତି।"
ନୋଭେଲ କରୋନା ଭାଇରସ ଆସିବା ପୂର୍ବରୁ, ବଜାରଗୁଡ଼ିକ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ ଥିଲା, ଯାହାକି ସାମଗ୍ରୀର ସହଜ ବାଣିଜ୍ୟ କରିବାରରେ ସହାୟକ ହେଉଥିଲା। ଲକ୍ଷ୍ମୀ କୁହନ୍ତି, "ଆମେ ଗୋଟିଏ ସପ୍ତାହରେ ଚାରୋଟି ବଜାର ଯାଇଥାଉ ଓ ୨୦,୦୦୦ ଟଙ୍କା ମୂଲ୍ୟର ଦଉଡ଼ି ବିକ୍ରି କରିଥାଉ। "ଆମର [ସପ୍ତାହକୁ ହାରାହାରି] ୪୦୦୦ ଟଙ୍କାର ଲାଭ ହୋଇଥାଏ। କୋଭିଡ ପରଠାରୁ ଆମେ ସପ୍ତାହକୁ ୪୦୦ ଟଙ୍କା ମୂଲ୍ୟର ଦଉଡ଼ି ବିକ୍ରି କରୁଛୁ ତେଣୁ ଲାଭ ବିଷୟରେ ପଚାରନ୍ତୁ ନାହିଁ।" ଚଳିତ ବର୍ଷ ଏପ୍ରିଲରେ ଲକ୍ଷ୍ମୀ ଏବଂ ନିଭ୍ରୁତି ଦଉଡ଼ି ପରିବହନ ପାଇଁ ବ୍ୟବହାର କରୁଥିବା ଟେମ୍ପୋକୁ ୫୦,୦୦୦ ଟଙ୍କାରେ ବିକ୍ରି କରିଥିଲେ। ଲକ୍ଷ୍ମୀ କୁହନ୍ତି, "ଆମେ ଏହାର ଆଉ ରକ୍ଷଣାବେକ୍ଷଣ କରିବାକୁ ସକ୍ଷମ ହୋଇପାରିଲୁ ନାହିଁ।
ଦଉଡ଼ି ତିଆରି ଏକ କଠିନ କାର୍ଯ୍ୟ ଯାହା କୌଶଳ ଆବଶ୍ୟକ କରେ। କୋଭିଡ ପୂର୍ବରୁ ଲକ୍ଷ୍ମୀ ଏବଂ ନିଭ୍ରୁତି ଏହି କାମ ପାଇଁ ଶ୍ରମିକ ନିଯୁକ୍ତ କରୁଥିଲେ। ବର୍ତ୍ତମାନ, ସେମାନଙ୍କ ପୁଅ ନିର୍ମାଣ ସ୍ଥଳରେ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ମାସକୁ ପ୍ରାୟ ୩,୫୦୦ ଟଙ୍କା ରୋଜଗାର କରୁଛନ୍ତି। ଲକ୍ଷ୍ମୀ କୁହନ୍ତି, "ସେଥିରୁ ଆମେ ଆମର ଗୁଜୁରାଣ ମେଣ୍ଟାଉଛୁ"। "ଆମ ଘରେ ଥିବା ଦଉଡ଼ିଗୁଡ଼ିକ ପୁରୁଣା ଏବଂ ରଙ୍ଗବିହୀନ ହୋଇଯାଉଛି।"
କାମଖେଡ଼ାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ପାଡାଲସିଙ୍ଗି ଗାଁର କାନ୍ତାବାଇ ଭୁଟାଦମାଲ ମଧ୍ୟ ବଜାର ଖୋଲିବାକୁ ଅପେକ୍ଷା କରିଛନ୍ତି। ସେ ଜାଣନ୍ତି ନାହିଁ ଯେ ସେ ତିଆରି କରୁଥିବା ଝାଡୁଗୁଡ଼ିକୁ କେଉଁଠାରେ ବିକ୍ରି କରିବେ। ସେ କୁହନ୍ତି, "ମୁଁ ମୋର ଝାଡୁଗୁଡିକୁ ବଜାରକୁ ନେଇଯାଉଥିଲି ଏବଂ ମୁଁ ଗାଁ ରୁ ଗାଁ ବୁଲି ବିକ୍ରି କରୁଥିଲି।" "ବଜାର ଖୋଲା ନାହିଁ ଏବଂ ତାଲାବନ୍ଦ କାରଣରୁ ପୋଲିସ ଆମକୁ ଯାତ୍ରା କରିବାକୁ ଦେଉ ନାହିଁ। ଯଦି କେହି ଗାଁକୁ କିଣିବାକୁ ଆସନ୍ତି ତେବେ ମୁଁ କେବଳ ମୋର ଝାଡୁ ବିକ୍ରି କରିପାରିବି। ମୁଁ ଏଥିରୁ କେତେ ଟଙ୍କା ରୋଜଗାର କରିପାରିବି?"
ମହାମାରୀ ପୂର୍ବରୁ କାନ୍ତାବାଇ ପ୍ରତି ସପ୍ତାହରେ ୧୦୦ ଟି ଝାଡୁ ବିକ୍ରି କରୁଥିଲେ - ପ୍ରତ୍ୟେକର ମୂଲ୍ୟ ୪୦-୫୦ ଟଙ୍କା ଥିଲା। ସେ କୁହନ୍ତି, "ବର୍ତ୍ତମାନ ଜଣେ ବ୍ୟବସାୟୀ ଆମ ପାଖରୁ ଥରେ ପ୍ରତି ଝାଡୁ ପିଛା ୨୦ ରୁ ୩୦ ଟଙ୍କାରେ କିଣି ନେଇଛନ୍ତି। "ମୁଁ ଯାହା କରୁଥିଲି ତାହାର ଅଧା ମଧ୍ୟ ବିକ୍ରି କରିପାରୁ ନାହିଁ। ବର୍ତ୍ତମାନ ପ୍ରତ୍ୟେକ ଘରର ଅବସ୍ଥା ଏହି ଭଳି - ଆମ ମଧ୍ୟରୁ ୩୦-୪୦ ଜଣ ଏଠାରେ [ଗାଁରେ] ଝାଡୁ ତିଆରି କରନ୍ତି।"
ବୟସ ସହିତ ନିଜର ଦୃଷ୍ଟି ଶକ୍ତି ଦୁର୍ବଳ ଅନୁଭବ କରୁଥିବା ୬୦ ବର୍ଷୀୟା କାନ୍ତାବାଇଙ୍କୁ ରୋଜଗାର କରିବା ପାଇଁ ଝାଡୁ ତିଆରି କରିବାକୁ ପଡ଼ିବ। "ମୁଁ ବର୍ତ୍ତମାନ ତୁମକୁ ସଠିକ୍ ଭାବରେ ଦେଖିପାରୁ ନାହିଁ," ସେ ମୋତେ କୁହନ୍ତି ଯେ ଯେତେବେଳେ ସେ ଝାଡୁ ବାନ୍ଧୁଥାନ୍ତି ତାଙ୍କର ହାତ ଆପେ ଆପେ କାମ କରିଥାଏ। "ମୋର ଦୁଇ ପୁଅ କାମ କରନ୍ତି ନାହିଁ। ମୋ ସ୍ୱାମୀ କିଛି ଛେଳି ପାଳନ୍ତି, କିନ୍ତୁ ତାହା ସେତିକି। ଆମର ବଞ୍ଚିବା ମୁଖ୍ୟତଃ ଝାଡ଼ୁ ଉପରେ ନିର୍ଭର କରେ।"
ଯେତେବେଳେ ମୁଁ ତାଙ୍କୁ ପଚାରିଲି ସେ କିପରି ସ୍ପଷ୍ଟ ଭାବରେ ଦେଖି ନପାରି ମଧ୍ୟ ଝାଡୁ ତିଆରି କରିପାରୁଛନ୍ତି, ସେ କୁହନ୍ତି,ମୁଁ ସାରା ଜୀବନ ଏହା କରିଆସୁଛି। ମୁଁ ସମ୍ପୂର୍ଣ୍ଣ ଅନ୍ଧ ହେଲା ପରେ ମଧ୍ୟ ମୁଁ ଏହା କରିପାରିବି।
କାନ୍ତାବାଇ ଜନଗହଳିପୂର୍ଣ୍ଣ ବଜାର ଖୋଲିବାକୁ ଅପେକ୍ଷା କରିଛନ୍ତି ଯାହା ଫଳରେ କି ସେ ସେଠାରେ ନିଜ ଝାଡୁ ବିକ୍ରି କରିପାରିବେ। ବଜାର ଖୋଲିବା ବାବୁରାଓଙ୍କୁ ମଧ୍ୟ ସାହାଯ୍ୟ କରିବ, ଯିଏକି ପୁରୁଷୋତ୍ତମଙ୍କ ଆତ୍ମହତ୍ୟା କରିବା ପରେ ତାଙ୍କର ଚା ଷ୍ଟଲ୍ ପରିଚାଳନା କରିବା ପାଇଁ ନିଜର ଅବସର ପରେ ଆସିଛନ୍ତି। ସେ କୁହନ୍ତି, "ଲୋକମାନେ ସାଧାରଣତଃ ବଜାରରୁ ଘରକୁ ଫେରିବା ପୂର୍ବରୁ ଏକ କପ୍ ଚା’ ପାଇଁ ଅଟକି ଯାଆନ୍ତି’’। "ମୋତେ ବର୍ତ୍ତମାନ ପରିବାରର ଯତ୍ନ ନେବାକୁ ପଡିବ, ସେମାନେ ମୋର ଦାୟିତ୍ୱ।"
ବାବୁରାଓ ପୁରୁଷୋତ୍ତମ ଏବଂ ବିଜୟମାଳାଙ୍କ କିଶୋର ସନ୍ତାନ - ପ୍ରିୟଙ୍କା, ବିନାୟକ ଏବଂ ବୈଷ୍ଣବୀଙ୍କ ପାଇଁ ଚିନ୍ତିତ ଥିଲେ। ସେ ପଚାରନ୍ତି, "ଆମେ କିପରି ସେମାନଙ୍କ ପାଇଁ ଦିନକୁ ଦୁଇ ମୁଠା ଖାଇବା ସୁନିଶ୍ଚିତ କରିବୁ?" "ଆମେ କିପରି ନିଶ୍ଚିତ କରିବୁ ଯେ ସେମାନେ ଅଧିକ ଅଧ୍ୟୟନ କରିବେ? ସେ କାହିଁକି [ପୁରୁଷୋତ୍ତମ] ଏତେ ଭୟଭୀତ ହେଇଗଲେ?"
ପୁରୁଷୋତ୍ତମଙ୍କ ମୃତ୍ୟୁର ଏକ ସପ୍ତାହ ମଧ୍ୟରେ, ବାବୁରାଓ ଏବଂ ଗାଙ୍ଗୁବାଇ ସୁସ୍ଥ ଅନୁଭବ କଲେ ଏବଂ ସେମାନଙ୍କର ଜ୍ୱର କମିଗଲା। ପୁଅ ଯେପରି ଭୟ କରୁଥିଲା ସେମାନଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଲା ନାହିଁ। ସୁରକ୍ଷା ଦୃଷ୍ଟିରୁ ବାବୁରାଓ ଏବଂ ଗାଙ୍ଗୁବାଇ କୋଭିଡ-୧୯ ପରୀକ୍ଷା କରାଇଥିଲେ ସେମାନଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା।
ଏହି କାହାଣୀଟି ପୁଲିତ୍ଜର ସେଣ୍ଟର ଦ୍ୱାରା ସାମ୍ବାଦିକଙ୍କୁ ଦିଆଯାଉଥିବା ଏକ ସ୍ୱାଧିନ ସାମ୍ବାଦିକତା ଅନୁଦାନ ମାଧ୍ୟମରେ ପ୍ରକାଶିତ ଏକ ସିରିଜ୍ର ଅଂଶ।
ଅନୁବାଦ: ଓଡ଼ିଶାଲାଇଭ୍