ଏକ୍‌ କିସେ ହୋର୍‌ ନୁ ଜିତା ରହେ ନେ, ସାଡ଼େ ଆଗେ କୋଇ ହର କୁଡ଼ି ନହିଁ ସି (ସେମାନେ ଆଉ ଜଣକୁ ଜିତାଇ ଦେଉଛନ୍ତି ସିନା, ଆମ ଆଗରେ ଆଉ କୌଣସି ଝିଅ ନ ଥିଲେ)” । କୋଚ୍‌ଙ୍କ ଆଗରେ ସମସ୍ୱରରେ ଅଭିଯୋଗ କରୁଛନ୍ତି କ୍ରୀଡ଼ାବିତ୍‌ ଯଶପାଲ, ରମନଦୀପ ଏବଂ ସେମାନଙ୍କ ସାଥୀମାନେ । ଚଣ୍ଡୀଗଡ଼ରେ ଆୟୋଜିତ ମାରାଥନ୍‌ରେ ଭାଗ ନେବା ପାଇଁ ଅମୃତସର ଜିଲ୍ଲାର ଡଜନେ ସରିକି ଯୁବକ-ଯୁବତୀ ୨୦୦ କିଲୋମିଟର ଯାତ୍ରା କରି ଆସିଥିଲେ, ଏବଂ ସେମାନଙ୍କ ମନର ତୀବ୍ର ଅସନ୍ତୋଷ ବେଶ୍‌ ବାରି ହୋଇ ପଡୁଥିଲା ।

ପାଞ୍ଚ କିଲୋମିଟର ଦୌଡ଼ରେ ଯଶପାଲ କୌର ଦ୍ୱିତୀୟ ପୁରସ୍କାର ବିଜୟୀ ହୋଇଛନ୍ତି ବୋଲି ମଞ୍ଚରୁ କରାଯାଇଥିବା ଘୋଷଣା କାରଣରୁ ଏ ସବୁ ଘଟୁଛି । ସେମାନେ ଜାଣିଥିଲେ ଯେ, ଯଶପାଲ ପ୍ରଥମ ହୋଇଥିଲେ, ରନର୍‌-ଅପ୍‌ ନୁହେଁ । କାରଣ, ପୂରା ଦୌଡ଼ ସମୟରେ ସେ ଅନ୍ୟମାନଙ୍କଠାରୁ ଆଗରେ ରହିଥିଲେ ଏବଂ ଫିନିଶିଂ ଲାଇନ୍‌ରେ ପହଞ୍ଚିଥିଲେ । କିନ୍ତୁ ନଗଦ ୫,୦୦୦ ଟଙ୍କାର ପୁରସ୍କାର ଲାଗି ଅନ୍ୟ ଜଣଙ୍କର ନାଁ ବିଜେତା ରୂପେ ଘୋଷଣା କରାଯାଇଥିଲା ।

ମଞ୍ଚ ଉପରକୁ ଯାଇ ଦ୍ୱିତୀୟ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଥିଲେ ଯଶପାଲ । ସେ ଓ ତାଙ୍କ କୋଚ୍‌ ମଞ୍ଚ ଉପରେ ଓ ତଳେ ଉପସ୍ଥିତ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ଯାଇ ସଂଗଠକମାନଙ୍କର ଏଭଳି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ଏଭଳି ଅନ୍ୟାୟର ପ୍ରତିରୋଧ କରିବାକୁ ସହାୟତା ଲୋଡ଼ିଥିଲେ । ଶେଷରେ, ତାଙ୍କ କୋଚ୍‌ଙ୍କ ଅନୁରୋଧରେ, ଯଶପାଲ ଦ୍ୱିତୀୟ ପୁରସ୍କାର ଗ୍ରହଣ କରିଥିଲେ, ଏବଂ ତାହା ଥିଲା ୩,୧୦୦ ଟଙ୍କା ଲେଖା ହୋଇଥିବା ବିଶାଳ ଆକାରର ଏକ ଚେକ୍‌ ।

ଏହାର ମାସକ ପରେ, ୨୦୨୩ ଏପ୍ରିଲ ମାସରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫,୦୦୦ ଟଙ୍କା ଜମା କରାଯାଇଥିବା ଦେଖି ବିସ୍ମିତ ହୋଇଥିଲେ ଯଶପାଲ । ଏ ସଂପର୍କରେ ଯଶପାଲଙ୍କୁ କେହି କିଛି କହି ନଥିଲେ କି ସ୍ଥାନୀୟ ଖବରକାଗଜରେ ମଧ୍ୟ ଏ ସଂପର୍କରେ କିଛି ପ୍ରକାଶ ପାଇ ନଥିଲା । ଦୌଡ଼ ପ୍ରତିଯୋଗିତାରେ ଫଳାଫଳ ନିର୍ଣ୍ଣୟ ଲାଗି ସମୟ ରେକର୍ଡ କରୁଥିବା ‘ରୁନିଜେନ୍‌ ଟାଇମିଂ ସିଷ୍ଟମ’ର ୱେବ୍‌ସାଇଟ୍‌ରେ ୫ କିଲୋମିଟର ଦୌଡ଼ ପ୍ରତିଯୋଗିତାର ଶୀର୍ଷରେ ତାଙ୍କ ନାଁ ରହିଥିଲା ଏବଂ ସେ ୨୩.୦୭ ସେକେଣ୍ଡରେ (ଦୌଡ଼ ସମୟ) ଦୌଡ଼ ଶେଷ କରିଥିବା ଉଲ୍ଲେଖ ରହିଥିଲା । ସେ ବର୍ଷ ପୁରସ୍କାର ବିତରଣ ସମୟରେ ଉତ୍ତୋଳିତ ଫଟୋଗୁଡ଼ିକରେ ସେ ନଥିଲେ । କିନ୍ତୁ ଯଶପାଲ ତାଙ୍କୁ ମିଳିଥିବା ଅନ୍ୟାନ୍ୟ ଅନେକ ପଦକ ସହିତ ଆଜି ବି ସେହି ବିଶାଳ ଆକାରର ଚେକ୍‌ଟିକୁ ନିଜ ପାଖରେ ରଖିଛନ୍ତି ।

୨୦୨୪ରେ, ପରବର୍ତ୍ତୀ ମାରାଥନ୍‌ ପ୍ରତିଯୋଗିତା ନିମନ୍ତେ ଝିଅମାନଙ୍କ ସହ ଯାଇଥିବା ଏହି ରିପୋର୍ଟର ଜାଣିବାକୁ ପାଇଥିଲେ ଯେ, ପୂର୍ବ ପ୍ରତିଯୋଗିତା ସମୟରେ ରେକର୍ଡ କରାଯାଇଥିବା ଭିଡିଓ ଯାଞ୍ଚ କରିବା ପରେ ଆୟୋଜକ ସଂଗଠନର କର୍ମକର୍ତ୍ତାମାନେ ଯଶପାଲଙ୍କ ପ୍ରତିଦ୍ୱନ୍ଦ୍ୱୀ ଝିଅଟିକୁ ଅଯୋଗ୍ୟ ଘୋଷଣା କରିଥିଲେ । ସେ ସମୟରେ ପ୍ରତିବାଦ କରୁଥିବା ଝିଅମାନେ ଠିକ୍‌ କହୁଥିଲେ ବୋଲି ସେମାନେ ହୃଦୟଙ୍ଗମ କରିଥିଲେ । ସେତେବେଳେ ସେହି ଦୌଡ଼ ପ୍ରତିଯୋଗିତାରେ ସମୟ ରେକର୍ଡ କରିବାକୁ ବ୍ୟବହୃତ କାଗଜରେ କିଛି ଏପଟସେପଟ କରାଯାଇଥିଲା । ସେହି କାରଣରୁ ପରେ ଯଶପାଲଙ୍କୁ ପ୍ରଥମ ସ୍ଥାନ ଲାଗି ନଗଦ ଟଙ୍କା ପୁରସ୍କାର ମିଳିଥିବା କଥା ବୁଝି ହୋଇଥିଲା ।

ଯଶପାଲଙ୍କ ପାଇଁ ପୁରସ୍କାର ବାବଦରେ ମିଳୁଥିବା ନଗଦ ଟଙ୍କା ଗୁରୁତ୍ୱପୂର୍ଣ୍ଣ । ଯଦି ସେ ପର୍ଯ୍ୟାପ୍ତ ଟଙ୍କା ସଞ୍ଚୟ କରିପାରିବେ ତେବେ ସେ ପୁଣି କଲେଜରେ ପଢ଼ିପାରିବେ । ଦୁଇ ବର୍ଷ ତଳେ, ଗୋଟିଏ ବେସରକାରୀ ବିଶ୍ୱବିଦ୍ୟାଳୟର ଅନ୍‌ଲାଇନ୍‌ ବିଏ (କଳା) ପାଠ୍ୟକ୍ରମରେ ଯଶପାଲ ଯୋଗ ଦେଇଥିଲେ । “କିନ୍ତୁ ମୁଁ ପ୍ରଥମ ସେମିଷ୍ଟାର ପରେ ଆଉ ଆଗକୁ ପରୀକ୍ଷା ଦେଇପାରି ନଥିଲି,” ସେ କହନ୍ତି । “ପରୀକ୍ଷାରେ ବସିବା ଲାଗି ପ୍ରତି ସେମିଷ୍ଟାର ବାବଦରେ ମୋତେ ପ୍ରାୟ ୧୫,୦୦୦ ଟଙ୍କା ଦେବାକୁ ପଡ଼ିଥାଆନ୍ତା । ପ୍ରଥମ ସେମିଷ୍ଟାର ସମୟରେ ମୁଁ ପରୀକ୍ଷା ଫି’ ଦେବା ଲାଗି ମୋତେ ପୁରସ୍କାର ରୂପରେ ମିଳିଥିବା ନଗଦ ଟଙ୍କା (ଗାଁର ଲୋକ ପ୍ରତିନିଧିମାନଙ୍କ ପାଖରୁ ଏବଂ ଜାତୀୟ ସ୍ତରରେ ସଫଳତା ଲାଗି ସ୍କୁଲ ତରଫରୁ) ଦେଇଥିଲି । କିନ୍ତୁ ତା’ପରେ ମୋ ପାଖରେ ଆଉ ଟଙ୍କା ନଥିବାରୁ ଅନ୍ୟ କୌଣସି ସେମିଷ୍ଟାର ଶେଷ କରିପାରି ନଥିଲି ।”

କଲେଜ ପାଠ ପଢ଼ିଥିବା ତାଙ୍କ ପରିବାରର ପ୍ରଥମ ପିଢ଼ିରେ ଗଣା ହୁଅନ୍ତି ୨୨ ବର୍ଷୀୟା ଯଶପାଲ ଏବଂ ତାଙ୍କ ଗାଁରେ, ପଞ୍ଜାବରେ ସର୍ବାଧିକ ବଞ୍ଚିତ ଅନୁସୂଚିତ ଜାତି ରୂପେ ଶ୍ରେଣୀଭୁକ୍ତ ମଜହବି ଶିଖ ସଂପ୍ରଦାୟ ନାମକ ତାଙ୍କ ସଂପ୍ରଦାୟର ଅଳ୍ପ କେତେକ ମହିଳାଙ୍କ ମଧ୍ୟରୁ ସେ ଜଣେ । ଯଶପାଲଙ୍କ ମାଆ, ୪୭ ବର୍ଷୀୟା ବଲଜିନ୍ଦର କୌର ୫ମ ଶ୍ରେଣୀ ଯାଏଁ ପଢ଼ିଥିଲେ  ଏବଂ ତାଙ୍କ ବାପା, ୫୦ ବର୍ଷୀୟ ବଲକାର ସିଂହ, ଆଦୌ ସ୍କୁଲ ଯାଇ ନଥିଲେ । ତାଙ୍କ ଗାଁ କୋହାଲି ଏବଂ ଆଖପାଖ ଅଞ୍ଚଳରେ ନିର୍ମାଣ ଶ୍ରମିକ ଭାବରେ କାମ କରୁଥିବା ତାଙ୍କ ବାପାଙ୍କୁ କାମରେ ସହାୟତା କରିବା ଲାଗି ତାଙ୍କ ବଡ଼ଭାଇ, ୨୪ ବର୍ଷୀୟ ଅମ୍ରିତପାଲ ସିଂହ ୧୨ଶ ଶ୍ରେଣୀ ପରେ ପାଠ ଛାଡ଼ିଦେଇଥିଲେ ଏବଂ ତାଙ୍କ ସାନଭାଇ ୧୭ ବର୍ଷର ଆକାଶଦୀପ ସିଂହ ୧୨ଶ ଶ୍ରେଣୀ ପାସ୍‌ କରିଥିଲେ ।

PHOTO • Arshdeep Arshi
PHOTO • Arshdeep Arshi

ଯଶପାଲ (ବାମ) ପାଇଥିବା ସବୁ ପୁରସ୍କାରକୁ ଏହି ଧାତବ ଆଲମିରାରେ ସୁରକ୍ଷିତ ରଖିଛନ୍ତି । ତାଙ୍କ ପରିବାର ସହିତ (ଡାହାଣ)

ତାଙ୍କ ବଡ଼ଭାଇଙ୍କ ସ୍ତ୍ରୀ ଓ ପିଲା ସମେତ ପରିବାରର ରୋଜଗାର ଏବେ ଦୁଇ ପୁରୁଷ ସଦସ୍ୟଙ୍କ କାମ ଏବଂ କାମ ମିଳିବା ଉପରେ ନିର୍ଭର କରେ । କିନ୍ତୁ ପ୍ରାୟତଃ କାମ ମିଳିବାର ଆଶା ନଥାଏ । ହେଲେ ସେମାନଙ୍କୁ କାମ ମିଳିଲେ ଘରର ସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହୁଏ ଏବଂ ସେମାନେ ମାସକୁ ୯,୦୦୦ରୁ ୧୦,୦୦୦ ଟଙ୍କା ଭିତରେ ଯାହା କିଛି ରୋଜଗାର କରନ୍ତି ।

ଯଶପାଲଙ୍କୁ ପୁରସ୍କାର ବାବଦରେ ମିଳୁଥିବା ଟଙ୍କାରୁ ସେ ତାଙ୍କର ପ୍ରବେଶିକା ଫି’ ଦିଅନ୍ତି ଏବଂ ପ୍ରତିଯୋଗିତା ସ୍ଥଳ ପର୍ଯ୍ୟନ୍ତ ଯିବାଆସିବା ଭଡ଼ା ବାବଦ ଖର୍ଚ୍ଚ ଭଳି କେତେକ ଖର୍ଚ୍ଚ ସହିତ ନିଜର ଶିକ୍ଷା ବାବଦ ଖର୍ଚ୍ଚ ଭରଣା କରନ୍ତି । “ଦୌଡ଼ ପାଇଁ ନାଁ ପଞ୍ଜୀକୃତ କରାଇଲେ ଆମକୁ କେବଳ ଟି-ଶାର୍ଟ ଯାହା ମିଳିଥାଏ । କିନ୍ତୁ ଶର୍ଟସ୍‌ ବା ହାଫ୍‌ ପ୍ୟାଣ୍ଟ, ଟ୍ରାକ୍‌ ସୁଟ୍‌ ପ୍ୟାଣ୍ଟ ଓ ଜୋତା କିଣିବା ଲାଗି ଆମକୁ ବାପାମାଆଙ୍କୁ କହିବାକୁ ପଡ଼େ,” ପଡ଼ିଆରେ ଅଭ୍ୟାସ ଲାଗି ନିଜର କ୍ରୀଡ଼ା ପୋଷାକ ପିନ୍ଧୁ ପିନ୍ଧୁ ସେ କହନ୍ତି ।

ପଡ଼ିଆର ଚାରିଆଡ଼େ ଆମେ ଯୁବ କ୍ରୀଡାବିତ୍‌ମାନଙ୍କୁ ଦେଖିବାକୁ ପାଉ, କେହି କେହି ୱାର୍ମ-ଅପ୍‌ କରୁଥିବା ବେଳେ ଅନ୍ୟ କେହି ଧୀରେ ଧୀରେ ପଡ଼ିଆର ପରିକ୍ରମା କରୁଥାଆନ୍ତି । ନିତିଦିନିଆ ତାଲିମ ଲାଗି ଅଳ୍ପ କେଇ ଜଣ ସେମାନଙ୍କ କୋଚ୍‌ ରାଜିନ୍ଦର ସିଂହଙ୍କ ପାଖରେ ଠିଆ ହୋଇଥାଆନ୍ତି । ସେମାନେ ସମସ୍ତେ ଭିନ୍ନ ଭିନ୍ନ ଗାଁରୁ ଆସିଥାଆନ୍ତି । ଯଶପାଲ ୪୦୦ ଏବଂ ୮୦୦ ମିଟର ଏବଂ ପାଞ୍ଚ କିଲୋମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନିଅନ୍ତି ଏବଂ ଗତ ସାତ ବର୍ଷ ଭିତରେ ସେ ଅନେକ ପୁରସ୍କାର ଓ ପଦକ ଜିଣିଛନ୍ତି । ତାଙ୍କ ଗାଁର ଅନେକ ଯୁବକଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଯଶପାଲ । ତାଙ୍କୁ ମିଳିଥିବା ପଦକ, ପ୍ରମାଣପତ୍ର ଏବଂ ନଗଦ ଟଙ୍କାର ପୁରସ୍କାର ବହୁ ଗରିବ ପରିବାରକୁ ସେମାନଙ୍କ ପିଲାମାନଙ୍କୁ ତାଲିମ ଲାଗି ପଠାଇବା ଲାଗି ଅନୁପ୍ରେରିତ କରିଛି ।

କିନ୍ତୁ ଯଶପାଲଙ୍କ କ୍ଷେତ୍ରରେ ସେ ଏ ପର୍ଯ୍ୟନ୍ତ ଏମିତି କିଛି ପୁରସ୍କାର ପାଇନାହାନ୍ତି ଯାହା ତାଙ୍କ ପରିବାରର ପର୍ଯ୍ୟାପ୍ତ ସହାୟତା କରିପାରିବ । ୨୦୨୪ ଫେବ୍ରୁଆରୀରୁ, ମାସକୁ ୮,୦୦୦ ଟଙ୍କା ଦରମାରେ ଅମୃତସର ନିକଟ ଏକ ଗୌଶାଳାର ହିସାବପତ୍ର ରଖିବା କାମ କରିବା ଲାଗି ସେ ଯା’ଆସ କରିଆସୁଛନ୍ତି । “ମୋ ପରିବାରର ରୋଜଗାରରେ ଯୋଗଦାନ ଲାଗି ମୁଁ ଏହି କାମ ଆରମ୍ଭ କଲି । କିନ୍ତୁ ଏବେ ମୁଁ ପାଠ ପଢ଼ିବାକୁ ସମୟ ପାଉନି,” ସେ କହନ୍ତି ।

ସେ ଜାଣନ୍ତି ଯେ, ତାଙ୍କ ପରିବାରର ଦାୟିତ୍ୱ ସମ୍ଭାଳିବା କଥା ବିଚାର କଲେ ଏହି ଚାକିରିରୁ ମିଳୁଥିବା ଦରମାରୁ ତାଙ୍କ ସେମିଷ୍ଟାର ଫି’ ଦେବା ଲାଗି ଆବଶ୍ୟକ ଟଙ୍କା ଯୋଗାଡ଼ କରିହେବ ନାହିଁ ।

୨୦୨୪ ମାର୍ଚ୍ଚରେ, ସେ ଚଣ୍ଡୀଗଡ଼ରେ ଆୟୋଜିତ ୧୦ କିଲୋମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେବାକୁ ସ୍ଥିର କଲେ । ଏଥର ସେ ଦ୍ୱିତୀୟ ରନର୍‌ ଅପ୍‌ ହେଲେ ଏବଂ ନଗଦ ୧୧,୦୦୦ ଟଙ୍କା ପୁରସ୍କାର ହାସଲ କଲେ ।

*****

କୌଣସି ପାଉଣା ନ ନେଇ ହର୍ସେ ଛିନା ଗାଁରେ ୬୦ ବର୍ଷୀୟ ରାଜିନ୍ଦର ସିଂହ ଛିନା ତାଲିମ ଦେଉଥିବା ୭୦ ଜଣିଆ କ୍ରୀଡ଼ାବିତ୍‌ ଗୋଷ୍ଠୀରେ ସେ ନିଶ୍ଚିତ ଭାବରେ ଜଣେ ‘ତାରକା’ ରୂପେ ପରିଗଣିତ । ରାଜିନ୍ଦର ନିଜେ ଜଣେ ଅନ୍ତର୍ଜାତୀୟ ୧୫୦୦ ମିଟର ଦୌଡ଼ ପ୍ରତିଯୋଗୀ ଏବଂ ସେ ଆଜିକୁ ଦଶ ବର୍ଷ ହେଲା ସେ ଏହି ନିଷ୍ପେଷିତ ସଂପ୍ରଦାୟର ପୁଅ ଓ ଝିଅମାନଙ୍କୁ ତାଲିମ ଦେଇ ଆସୁଛନ୍ତି ।

PHOTO • Arshdeep Arshi
PHOTO • Arshdeep Arshi

ପଞ୍ଜାବର ଅମୃତସର ଅନ୍ତର୍ଗତ ହର୍ସେ ଛିନା ଗାଁର ତାଲିମ ପଡ଼ିଆରେ ଯଶପାଲ (ବାମ) ଏବଂ ମନପ୍ରୀତ (ଡାହାଣ)

PHOTO • Arshdeep Arshi
PHOTO • Arshdeep Arshi

ତାଙ୍କ ପାଖରୁ ତାଲିମ ନେଉଥିବା କ୍ରୀଡ଼ାବିତ୍‌ମାନଙ୍କ ସହିତ କୋଚ୍‌ ରାଜିନ୍ଦର ସିଂହ ଛିନା (ବାମ) । ନିଜର ଆୟୁର୍ବେଦ ଔଷଧ ଦୋକାନରେ କୋଚ୍‌, ଏଠାରେ ସେ ପ୍ରତି ଦିନ କେଇ ଘଣ୍ଟା ପାଇଁ ରୋଗୀମାନଙ୍କୁ ଦେଖନ୍ତି

୨୦୦୩ ମସିହାର କଥା । ପଞ୍ଜାବର ଗ୍ରାମାଞ୍ଚଳରେ ବହୁସଂଖ୍ୟକ ଯୁବକ ବ୍ୟାପକ ଡ୍ରଗ୍‌ସ ସେବନ କରୁଥିବା ସଂପର୍କରେ ଚଣ୍ଡୀଗଡ଼ର ଜଣେ ବରିଷ୍ଠ ଅଧିକାରୀଙ୍କ ଉପହାସପୂର୍ଣ୍ଣ କଥା ଶୁଣିବା ପରେ, ଯୁବକଯୁବତୀମାନଙ୍କୁ ତାଲିମ ଦେବାକୁ ସ୍ଥିର କରିଥିଲେ ଏହି ପୁରୁଖା କ୍ରୀଡ଼ାବିତ୍‌ ଜଣକ । “ମୁଁ ପ୍ରଥମେ ଏହି ପିଲାମାନଙ୍କୁ ପଡ଼ିଆକୁ ଆଣିଲି,” ହର୍ସେ ଛିନା ଗାଁ ଅମୃତସରରେ ଅବସ୍ଥିତ କମ୍ରେଡ୍‌ ଅଚାର ସିଂହ ଛିନା ସରକାରୀ ଉଚ୍ଚ ମାଧ୍ୟମିକ ସ୍ମାର୍ଟ୍‌ ସ୍କୁଲର ଖେଳପଡ଼ିଆକୁ ଦେଖାଇ ସେ କହନ୍ତି । “ସେହି ପିଲାମାନଙ୍କୁ, ଯେଉଁମାନେ ସ୍କୁଲରେ ପଢୁ ନଥିଲେ, ଶ୍ରମିକ, ନିଷ୍ପେଷିତ ବର୍ଗ ପରିବାରର ପିଲାମାନଙ୍କୁ । ମୁଁ ସ୍କୁଲରେ ସେମାନଙ୍କ ନାଁ ଲେଖାଇଲି ଏବଂ ସେମାନଙ୍କୁ ତାଲିମ ଦେବା ଆରମ୍ଭ କଲି ଏବଂ ଏହି କାର୍ଯ୍ୟକ୍ରମ ଧୀରେ ଧୀରେ ବଢ଼ିବାରେ ଲାଗିଲା ।”

“ଆଜିକାଲି ସରକାରୀ ସ୍କୁଲରେ ବହୁସଂଖ୍ୟକ ନିଷ୍ପେଷିତ ବର୍ଗର ପିଲା ପଢୁଛନ୍ତି। ସେମାନେ କଠିନ ପରିଶ୍ରମୀ ଏବଂ ଶକ୍ତିଶାଳୀ। ଅନ୍ତତଃ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପର୍ଯ୍ୟନ୍ତ ସେମାନେ ଯାଇପାରିବେ ବୋଲି ଚିନ୍ତା କରି ମୁଁ ସେମାନଙ୍କୁ ନେଇ ଟିମ୍‌ ଗଢ଼ିଲି। ଗୁରୁଦ୍ୱାରାରେ ସେବା ଅର୍ପଣ କରିବାକୁ ମୋ ପାଖରେ ସମୟ ନଥିଲା। ମୋର ବିଶ୍ୱାସ ଯେ, କେହି ଯଦି ପାରିବେ ତେବେ ପିଲାମାନଙ୍କ ଶିକ୍ଷାରେ ସହାୟତା କରିବା ଉଚିତ,” ରାଜିନ୍ଦର କହନ୍ତି ।

“ଏଠାରେ ଅତି କମ୍‌ରେ ୭୦ ଜଣ ଆଥଲେଟ୍‌ଙ୍କୁ ମୁଁ ତାଲିମ ଦେଉଛି । ମୋର କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରୁ କେତେକ ଖୁବ୍‌ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଭଲ ଚାକିରି ପାଇଛନ୍ତି । କେତେକ ପ୍ରୋ-କବାଡ଼ି ଲିଗ୍‌ରେ ଅଛନ୍ତି,” ସଗର୍ବେ ଛିନା କହନ୍ତି । “ଆମେ କାହାରି ପାଖରୁ କୌଣସି ପ୍ରକାର ସହାୟତା ପାଉନାହିଁ । ଲୋକେ ଆସନ୍ତି, ଆମ ପିଲାମାନଙ୍କୁ ସମ୍ମାନିତ କରନ୍ତି, ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇ ଯାଆନ୍ତି, କିନ୍ତୁ ସେଥିରୁ କିଛି ମିଳେନାହିଁ । ଆମେ ନିଜେ ନିଜେ ଯାହା କରିପାରିବୁ, ତାହା ହିଁ କରୁ,” ସେ କହନ୍ତି ।

ସେ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ସ୍ନାତକ ବା ବିଏଏମ୍‌ଏସ୍‌ ଡିଗ୍ରୀ ହାସଲ କରିଛନ୍ତି ଏବଂ ଅମୃତସର ନିକଟ ରାମ ତୀରଥରେ ନିଜର କ୍ଲିନିକ୍‌ ଚଳାନ୍ତି । ସେଥିରୁ ହେଉଥିବା ରୋଜଗାର ତାଙ୍କ ଘର ଓ ଖେଳପଡ଼ିଆର ଖର୍ଚ୍ଚ ତୁଲାଇବା ଲାଗି ଯଥେଷ୍ଟ ବୋଲି ସେ କହନ୍ତି । “ହର୍ଡଲସ୍‌, ଓଜନ ଉତ୍ତୋଳନ ଉପକରଣ, ପଡ଼ିଆରେ ଚିହ୍ନ ଦେବାରେ ଲାଗୁଥିବା ଚୂନ ଭଳି ବିଭିନ୍ନ ବସ୍ତୁ କିଣିବା ଲାଗି ମୁଁ ପ୍ରତି ମାସରେ ୭,୦୦୦ରୁ  ୮,୦୦୦ ଟଙ୍କା ଖର୍ଚ୍ଚ କରେ ।” ତାଙ୍କର ତିନି ପିଲା, ସମସ୍ତେ ବୟସ୍କ ଓ କାର୍ଯ୍ୟରତ, ବିଭିନ୍ନ ସମୟରେ ଏଥିରେ ସହଯୋଗ କରନ୍ତି ।

“କୌଣସି ପିଲା ଡ୍ରଗ୍‌ସ ସେବନ କରୁ ବୋଲି ମୁଁ ଚାହେଁନି । ମୁଁ ଚାହେଁ ସେମାନେ ପଡ଼ିଆକୁ ଆସନ୍ତୁ, ଯାହା ଫଳରେ ସେମାନେ କିଛିଟା ସଫଳ ହୋଇପାରିବେ ।”

କୋଚ୍‌ ରାଜିନ୍ଦର ସିଂହ ଏବଂ ପଞ୍ଜାବରୁ ଆସିଥିବା ମହିଳା କ୍ରୀଡ଼ାବିତ୍‌ମାନଙ୍କର ତାଙ୍କ ଟିମ୍‌ ସେମାନଙ୍କ ଯାତ୍ରା ସଂପର୍କରେ କହନ୍ତି

ଭିଡିଓ ଦେଖନ୍ତୁ  ‘ପଞ୍ଜାବର ଗ୍ରାମାଞ୍ଚଳରେ ମହିଳା କ୍ରୀଡ଼ାବିତମାନଙ୍କ ସଂଘର୍ଷ’

*****

ତାଙ୍କ ଗାଁ କୋହାଲିରୁ ୧୦ କିଲୋମିଟର ଦୂର ପଡ଼ିଆକୁ ଆସିବା ପାଇଁ ଯଶପାଲଙ୍କୁ ଅଧିକ ଉଦ୍ୟମ କରିବାକୁ ପଡୁଥିଲା । “ଦୂରତା ସହିତ ମୋତେ ସଂଘର୍ଷ କରିବାକୁ ପଡ଼େ । ପଡ଼ିଆଠାରୁ ବହୁ ଦୂରରେ ଆମ ଗାଁ,” ଗାଁ ଉପକଣ୍ଠରେ ତାଙ୍କ ଦୁଇ ବଖୁରିଆ ଇଟା ଘର ସାମନାରେ ବସି ଯଶପାଲ କହନ୍ତି । “ଚାଲି ଚାଲି ଯିବାଆସିବା ଲାଗି ମୋତେ ୪୫ ମିନିଟ୍‌ ଲେଖାଏଁ ସମୟ ଲାଗୁଥିଲା,” ସେ କହନ୍ତି । “ପ୍ରତିଦିନ ମୁଁ ଭୋର ୩.୩୦ରେ ଉଠିପଡ଼େ । ସକାଳ ୪.୩୦ ବେଳକୁ ମୁଁ ପଡ଼ିଆରେ ଥାଏ । ସତର୍କତାର ସହ ଯା’ଆସ କରିବା ଲାଗି ମୋ ବାପାମାଆ କହନ୍ତି । କିନ୍ତୁ ମୁଁ କେବେହେଲେ ନିଜକୁ ଅସୁରକ୍ଷିତ ମଣିନାହିଁ । ପାଖରେ ଥିବା ଏକ ଆଖଡ଼ା ରେ  ପୁଅପିଲାମାନେ ପହଲୱାନି (କୁସ୍ତି) ଅଭ୍ୟାସ କରନ୍ତି । ସେମାନେ ଥିବାରୁ ରାସ୍ତା ଶୂନଶାନ୍ ନ ଥାଏ । ଆମେ ଦୁଇ ଘଣ୍ଟା ପାଇଁ ଅଭ୍ୟାସ କରୁ ଏବଂ ମୁଁ ସକାଳ ପାଖାପାଖି ୭.୩୦ ବେଳକୁ ମୁଁ ଚାଲି ଚାଲି ଘରକୁ ଫେରେ..” ସେ କହନ୍ତି ।

ଦୁଇ ବର୍ଷ ତଳେ, ସେ ତାଙ୍କ ବାପାଙ୍କର ପୁରୁଣା ବାଇକ୍‌ ଚଲାଇ ଶିଖିଲେ । ତା’ ପରଠାରୁ, କେବେ କେମିତି ସେ ମୋଟର ସାଇକେଲ ନେଇ ତାଲିମ ପଡ଼ିଆକୁ ଯାଆନ୍ତି ଏବଂ ସେତେବେଳେ ତାଙ୍କୁ ମାତ୍ର ୧୦ ମିନିଟ୍‌ ଲାଗେ । କିନ୍ତୁ ଅନେକ ଥର ଏମିତି ହୁଏ ଯେ ଯଶପାଲଙ୍କୁ ତାଲିମ ଅଧାରୁ ଛାଡ଼ି ତୁରନ୍ତ ଘରକୁ ଫେରିବାକୁ ପଡ଼େ । କାରଣ, ଘରର କେହି ଜଣେ ପୁରୁଷ ଲୋକ ବାଇକ୍‌ ଦରକାର କରୁଥାଆନ୍ତି । ଏହିଭଳି ଭାବରେ ସେ କେତେକ ତାଲିମ ଅଧିବେଶନରେ ଭାଗ ନେଇପାରି ନାହାନ୍ତି ।

“ଏବେ ବି ଏମିତି କେତେକ ଗାଁ ଅଛି, ଯେଉଁଠି ସରକାରୀ କି ବେସରକାରୀ ବସ୍‌ ଚଳାଚଳ କରୁନାହିଁ,” କୋଚ୍‌ କହନ୍ତି । “ ଏହି କାରଣରୁ ଯୁବ କ୍ରିଡ଼ାବିତ୍‌ମାନେ ପଡ଼ିଆରେ ପହଞ୍ଚିବା ଲାଗି ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏବଂ ସେମାନଙ୍କର ମଧ୍ୟରୁ ଅଧିକାଂଶ ପିଲାଙ୍କୁ ପାଠପଢ଼ା କ୍ଷେତ୍ରରେ ବେଶି ହଇରାଣ ହେବାକୁ ପଡ଼େ ।” ପାଖରେ କୌଣସି କଲେଜ ନ ଥିବାରୁ ବିଭିନ୍ନ ଗାଁର ଅଧିକାଂଶ ଝିଅ ୧୨ଶ ଶ୍ରେଣୀ ପରେ ପାଠପଢ଼ା ଛାଡ଼ିବାକୁ ବାଧ୍ୟ ହୁଅନ୍ତି । ଯଶପାଲଙ୍କ ପାଇଁ ସବୁଠାରୁ ପାଖ ବସ୍‌ ଷ୍ଟାଣ୍ଡ ତାଙ୍କ ଗାଁ ଆରପଟେ ରହିଛି । ଏବଂ ଠିକ୍‌ ସମୟରେ ପଡ଼ିଆରେ ପହଞ୍ଚିବା ଲାଗି ବସ୍‌ ଧରିବା ତାଙ୍କ ପାଇଁ ଆଉ ଏକ ସମସ୍ୟା ବୋଲି ସେ ବୁଝାଇ ଦିଅନ୍ତି ।

ତାଙ୍କ ଗାଁର ଆଉ ଜଣେ ମହିଳା କ୍ରୀଡ଼ାବିତ୍‌ ରମନଦୀପ କୌର ମଧ୍ୟ ତାଲିମ ନେବା ଲାଗି ଦିନକୁ ଦୁଇ ଥର ଦଶ କିଲୋମିଟର ଲେଖାଏଁ ଚାଲି ଚାଲି ଯାଆନ୍ତି । “କେବେ କେବେ ମୁଁ ପାଞ୍ଚ କିଲୋମିଟର ଚାଲି ଚାଲି ଯିବା ପରେ, ଚୈନପୁର ଗାଁର ଆଉ ଜଣେ ଝିଅ କୋମଲପ୍ରୀତ ସହ ସ୍କୁଟି (ଗିଅରବିହୀନ ବାଇକ୍‌)ରେ ପଡ଼ିଆକୁ ଯାଏ । ତାଲିମ ଶେଷ ହେବା ପରେ ମୁଁ ପାଞ୍ଚ କିଲୋମିଟର ଚାଲି ଚାଲି ଘରକୁ ଫେରିଥାଏ,” ସେ ବୁଝାଇ ଦିଅନ୍ତି ।

ରମନଦୀପ କହନ୍ତି, “ ଡର୍‌ ତନ ଲଗଦା ଇକଲ୍ଲେ ଆଉନ୍ଦେ-ଜାନ୍ଦେ, ପର କିସେ କୋଲ ଟାଇମ୍‌ ନହିଁ ନଲ ଜାନ ଔନ ଲାୟି (ଏକୁଟିଆ ଚାଲି ଚାଲି ଯିବାଆସିବା କରିବାକୁ ମୋତେ ଡର ଲାଗେ, ଖାସ୍‌ କରି ଅନ୍ଧାରରେ, କିନ୍ତୁ ମୋ ସହିତ ସବୁଦିନ ଯିବା ପାଇଁ ଆମ ଘରେ କାହାରି ପାଖରେ ସମୟ ନାହିଁ) ।” ପଡ଼ିଆରେ ତାଲିମ ଏବଂ ତା’ ସହିତ ଆଉ ୨୦ କିଲୋମିଟର ଚାଲିବା ଯୋଗୁଁ ସେ ଥକି ପଡ଼ନ୍ତି । “ମୁଁ ସବୁ ସମୟରେ ଥକି ପଡ଼ିଥାଏ,” ସେ କହନ୍ତି ।

PHOTO • Arshdeep Arshi
PHOTO • Arshdeep Arshi

ବାମ : ଦୁଇ ବର୍ଷ ତଳେ ଯଶପାଲ ମୋଟର ସାଇକେଲ ଚଲାଇ ଶିଖିଥିଲେ ଏବଂ କେବେ କେମିତି ସେ ଏହାକୁ ଚଲାଇ ତାଲିମ ନେବାକୁ ଯାଆନ୍ତି । ଡାହାଣ : ତାଙ୍କ ନିଜ ଘରେ ମାଆ ଓ ଭଉଣୀମାନଙ୍କ ସହିତ ରମନଦୀପ କୌର (କଳା ଟି-ଶାର୍ଟରେ), ତାଙ୍କ ସହିତ ରହିଛି ବର୍ଷ ବର୍ଷ ଧରି ସେ ଜିତିଥିବା ବିଭିନ୍ନ ଟ୍ରଫି

PHOTO • Arshdeep Arshi
PHOTO • Arshdeep Arshi

ପୁରସ୍କାର ବାବଦରେ ପାଇଥିବା ଟଙ୍କାରେ ରମନଦୀପ ଦୌଡ଼ିବା ପାଇଁ ଜୋତା କିଣିଲେ

କେବଳ ଦୌଡ଼ିବା ପାଇଁ ତାଲିମ ନେବାରେ ହିଁ ତାଙ୍କ କାମ ଶେଷ ହୁଏ ନାହିଁ ଏବଂ ୨୧ ବର୍ଷୀୟା ଏହି ଯୁବତୀଙ୍କୁ ଘରକାମ ବି କରିବାକୁ ପଡ଼େ । ତାଙ୍କ ପରିବାର ପୋଷିଥିବା ଗୋଟିଏ ଗାଈ ଏବଂ ମଇଁଷିର ଦେଖାରଖା କରିବାକୁ ହୁଏ । ତାଙ୍କ ଘରର ଠିକ୍‌ ସାମନାରେ, ୩-୪ ଫୁଟ ଓସାରର ଇଟାମାଟି ରାସ୍ତା ଆରପଟେ ଥିବା ଏକ ଛୋଟ ଜାଗାରେ, ସେମାନେ ସେମାନଙ୍କର ଗାଈ ଓ ମଇଁଷି ରଖନ୍ତି ।

ରମନଦୀପ ବି ମଜହବି ଶିଖ ସଂପ୍ରଦାୟର । ଶ୍ରମିକ ଭାବରେ କାମ କରୁଥିବା ତାଙ୍କ ଦୁଇ ଭାଇଙ୍କ ରୋଜଗାର ଉପରେ ନିର୍ଭର କରି ଚଳେ ତାଙ୍କର ଦଶ ଜଣିଆ ପରିବାର । “ସେମାନେ ସାଧାରଣତଃ କାଠ କାମ କରନ୍ତି କିମ୍ବା ଅନ୍ୟ ଯେ କୌଣସି କାମ ମିଳିଲେ ବି କରନ୍ତି  । କାମ ମିଳିଗଲେ ସେମାନେ ପ୍ରତ୍ୟେକ ଦିନକୁ ପାଖାପାଖି ୩୫୦ ଟଙ୍କା ରୋଜଗାର କରନ୍ତି,” ସେ କହନ୍ତି ।

ତାଙ୍କ ବାପାଙ୍କ ମୃତ୍ୟୁ ପରେ ୨୦୦୨ ମସିହାରେ ୧୨ଶ ଶ୍ରେଣୀ ପାସ୍‌ କରିବା ପରେ ସେ ପାଠପଢ଼ା ଛାଡ଼ିଦେଲେ । “ଆଉ ଆମେ ଖର୍ଚ୍ଚ କରିପାରିଲୁ ନାହିଁ,” ଗାଁ ଶେଷ ମୁଣ୍ଡରେ, କାନ୍ଥ ଫାଟି ଯାଇଥିବା ତାଙ୍କ ଦୁଇ ବଖୁରିଆ ଘରେ ବସି ସେ ଦୁଃଖଭରା କଣ୍ଠରେ କହନ୍ତି । “ମୋ ମାଆ ମୋତେ ଖେଳ ଲାଗି ଆବଶ୍ୟକ ପୋଷାକ କିଣି ଦିଅନ୍ତି । ସେ  ବିଧବା ଭତ୍ତା ବାବଦରେ ୧,୫୦୦ ଟଙ୍କା ପାଆନ୍ତି,” ସେ କହନ୍ତି ।

କ୍ୟାଶ୍‌ ପ୍ରାଇଜ୍‌ ଜିତ୍‌ କେ ଶୁଜ୍‌ ଲାୟେ ସି , ୧୦୦ ଦେ, ହୁନ୍‌ ଟୁଟ୍ଟ ଗୟେ, ଫେର କୋଇ ରେସ୍‌ ଜିତୁଙ୍ଗି ତେ ଶୁଜ୍‌ ଲାଉଙ୍ଗି (ଗୋଟିଏ ଦୌଡ଼ ପ୍ରତିଯୋଗିତାରେ ନଗଦ ୩,୧୦୦ ଟଙ୍କା ନଗଦ ପୁରସ୍କାର ଜିତି ମୁଁ ଏହି ଜୋତା କିଣିଥିଲି, ସେଇଟା ଏବେ ଛିଣ୍ଡି ଗଲାଣି । ଆଉ ଗୋଟିଏ ଦୌଡ଼ ଜିତିଲେ ଯାଇ ଜୋତା କିଣିବି), ସେ ଏବେ ପିନ୍ଧୁଥିବା ତାଙ୍କ ଛିଣ୍ଡା ଜୋତାକୁ ଦେଖାଇ ସେ କହନ୍ତି। ଜୋତା ଥାଉ କି ନ ଥାଉ, ସେ ଏବେ ଯେଉଁ ସ୍ଥିତିରେ ଅଛନ୍ତି, ତା’ଠାରୁ ଭଲ ସ୍ଥିତିରେ ରହିବା ଲାଗି ଦୌଡ଼ନ୍ତି ।

“ମୁଁ ପୋଲିସ ବାହିନୀରେ ଚାକିରିଟିଏ ପାଇବା ଲାଗି ଦୌଡୁଛି,” ରମନଦୀପ କହନ୍ତି ।

ଆଉ ଠିକ୍‌ ତାହା ହିଁ କରନ୍ତି ଚୈନପୁର ଗାଁର ୧୫  ବର୍ଷୀୟା କୋମଲପ୍ରୀତ କୌର, କୋହାଲି ଗାଁର ୧୫  ବର୍ଷୀୟ ଗୁରକିରପାଲ ସିଂହ, ରାଣେୱାଲି ଗାଁର ୨୦ ବର୍ଷୀୟା ମନପ୍ରୀତ କୌର ଏବଂ ସୈନ୍‌ସ୍ରା କଲାନ ଗାଁର ୨୦ ବର୍ଷୀୟା ମମତା । ସେମାନେ ସମସ୍ତେ କୋଚ୍‌ ଛିନାଙ୍କ ପାଖରୁ ତାଲିମ ନେବାକୁ ଆସନ୍ତି । ଏହି ସବୁ ଯୁବ କ୍ରୀଡ଼ାବିତମାନଙ୍କ ପାଇଁ ସାମାଜିକ ସ୍ଥିତିରେ ପରିବର୍ତ୍ତନ ବ୍ୟତୀତ, ସରକାରୀ ଚାକିରି ପାଇବା ଅର୍ଥ ସମଗ୍ର ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା । କିନ୍ତୁ ଏହି ସବୁ ଚାକିରି ଲାଗି ପ୍ରବେଶିକା ପରୀକ୍ଷା ପାସ୍‌ କରିବା ଆଉ ଏକ ବାଧା ଦୌଡ଼ ସଦୃଶ ।

PHOTO • Arshdeep Arshi
PHOTO • Arshdeep Arshi

ପଡ଼ିଆରେ ତାଲିମ ନେବା ଅବସରରେ କୋମଲପ୍ରୀତ ଏବଂ ମନପ୍ରୀତ

PHOTO • Arshdeep Arshi
PHOTO • Arshdeep Arshi

ବାମ : ଯୁବ କ୍ରୀଡ଼ାବିତ୍‌ ଗୁରକିରପାଲ ସିଂହ ସେ ଜିତିଥିବା ପୁରସ୍କାର ଦେଖାଉଛନ୍ତି । ଡାହାଣ : ଯୁବ କ୍ରୀଡ଼ାବିତମାନଙ୍କୁ ପ୍ରଶିକ୍ଷଣ ଦେବା ସମୟରେ କୋଚ୍‌ ଛିନା

ସରକାରୀ ଚାକିରିରେ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ରହିଥିବା ତିନି ପ୍ରତିଶତ ସଂରକ୍ଷଣ ଯୋଜନା ପାଇଁ ରାଜ୍ୟ କିମ୍ବା ଜାତୀୟ ସ୍ତରର ପ୍ରତିଯୋଗିତାରେ ଟ୍ରଫି ହାସଲ କରିଥିବା ଆବଶ୍ୟକ ଏବଂ ଏଥିପାଇଁ ବିଭିନ୍ନ ପ୍ରକାର ସମ୍ବଳ ଯୋଗାଡ଼ କରିବା ଦରକାର । ସେ ସବୁ ଅଭାବରୁ ଝିଅମାନେ କଠିନ ପରିଶ୍ରମ କରନ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ୫ ଏବଂ ୧୦ କିଲୋମିଟର ମାରାଥନ୍‌ ଦୌଡ଼ ପ୍ରତିଯୋଗିତାରେ ଭାଗ ନିଅନ୍ତି । ସେମାନେ ଯେଉଁ ପୁରସ୍କାର ଏବଂ ପଦକ ସବୁ ଜିଣନ୍ତି, ସେ ସବୁ ସେମାନେ ଚାହୁଁଥିବା ପୋଲିସ ଚାକିରିରେ ନିଯୁକ୍ତି ସମୟରେ ଶାରୀରିକ ପରୀକ୍ଷାରେ ସହାୟତା କରେ ।

ଏ ସବୁ ଚାକିରିରେ ମଜହବି ଶିଖମାନଙ୍କ ପାଇଁ ମଧ୍ୟ ସଂରକ୍ଷଣ ସୁବିଧା ରହିଛି । ୨୦୨୪ରେ ପଞ୍ଜାବ ପୋଲିସରେ ଖାଲି ପଡ଼ିଥିବା ମୋଟ ୧,୭୪୬ଟି କନେଷ୍ଟବଳ ପଦବୀ ପୂରଣ ନିମନ୍ତେ ରାଜ୍ୟସ୍ତରୀୟ ନିଯୁକ୍ତି ଅଭିଯାନ ସଂପର୍କିତ ପ୍ରକାଶିତ ବିଜ୍ଞପ୍ତିରେ ଅନୁସୂଚିତ ଜାତିର ଏହି ସଂପ୍ରଦାୟ ପାଇଁ ୧୮୦ଟି ପଦବୀ ସଂରକ୍ଷିତ ରଖାଯାଇଥିଲା । ଏବଂ ଏହି ୧୮୦ରୁ ୭୨ଟି ସେହି ସଂପ୍ରଦାୟର ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଥିଲା ।

ପୋଲିସ, ବିଚାର ବିଭାଗ, ଜେଲ ଏବଂ ଆଇନଗତ ସହାୟତା ଭଳି ପ୍ରମୁଖ ନ୍ୟାୟ ପ୍ରଦାନକାରୀ ବ୍ୟବସ୍ଥାରେ ପ୍ରତିଟି ରାଜ୍ୟ କେତେଦୂର ପର୍ଯ୍ୟନ୍ତ ସକ୍ଷମ ହୋଇପାରିଛନ୍ତି ତାହାର ଆକଳନ କରିବା ଏବଂ ତଦନୁଯାୟୀ ପାହ୍ୟା ପ୍ରଦାନ କରିବା ଲାଗି ଉଦ୍ଦିଷ୍ଟ ୨୦୨୨ର ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ ରେ ଦର୍ଶାଯାଇଛି ଯେ ୨୦୧୯ରୁ ୨୦୨୨ ମସିହା ମଧ୍ୟରେ ପଞ୍ଜାବ ଆଠଟି ପାହ୍ୟା ତଳକୁ ଖସିଛି ଏବଂ ୪ର୍ଥରୁ ଯାଇ ୧୨ଶ ସ୍ଥାନରେ ରହିଛି। ଏହି ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, “ଜାତି ହେଉ କି ଲିଙ୍ଗ ଭିତ୍ତିରେ, ସବୁ କ୍ଷେତ୍ରରେ ଖୁବ୍‌ କମ୍‌ ଲୋକଙ୍କୁ ସାମିଲ କରାଯାଇଛି ଏବଂ ଏ କ୍ଷେତ୍ରରେ ସଂଶୋଧନ କାର୍ଯ୍ୟକ୍ରମର ଗତି ଧିମେଇ ଯାଇଛି । ବର୍ଷ ବର୍ଷର ସରଗରମ ବିତର୍କ ସତ୍ତ୍ୱେ, ଯଦିବା କେତେକ ରାଜ୍ୟ ଗୋଟିଏ କିମ୍ବା ଅନ୍ୟ ବର୍ଗରେ ଲକ୍ଷ୍ୟ ହାସଲ କରିପାରିଛନ୍ତି, ତଥାପି, କୌଣସି ରାଜ୍ୟ ସମଗ୍ର ବ୍ୟବସ୍ଥା ଅନ୍ତର୍ଗତ ସମସ୍ତ ତିନିଟି କୋଟା ପୂରଣ କରିପାରିନାହାନ୍ତି । କୌଣସି ସ୍ଥାନରେ ମହିଳାମାନେ ପାଖାପାଖି ସମାନ ସ୍ଥିତିରେ ବି ନାହାନ୍ତି । ପୋଲିସ ଚାକିରିରେ ମହିଳା କର୍ମଚାରୀଙ୍କ ସଂଖ୍ୟା ୩.୩ ପ୍ରତିଶତରୁ ୧୧.୮ ପ୍ରତିଶତରେ ପହଞ୍ଚିବା ଲାଗି ୨୦୦୭ ଜାନୁଆରୀରୁ ୨୦୨୨ ଜାନୁଆରୀ ପର୍ଯ୍ୟନ୍ତ ପନ୍ଦର ବର୍ଷ ଲାଗି ଯାଇଛି ।” ପଞ୍ଜାବରେ ୨୦୨୨ରେ ମହିଳା କର୍ମଚାରୀଙ୍କ ସଂଖ୍ୟା ରହିଛି ୯.୯ ପ୍ରତିଶତ ।

ଗତ ବର୍ଷଠାରୁ ପଞ୍ଜାବ ପୋଲିସରେ କନେଷ୍ଟବଳ ଚାକିରି ଲାଗି ଉଭୟ ଯଶପାଲ ଓ ରମନଦୀପ ଆବେଦନ କରିଆସୁଛନ୍ତି । ୨୦୨୩ରେ ସେ ଦୁହେଁ ପଞ୍ଜାବୀ ଭାଷାରେ ଲିଖିତ ପରୀକ୍ଷା ଦେଇଥିଲେ, କିନ୍ତୁ ଏଥିରେ ଉତ୍ତୀର୍ଣ୍ଣ ପାରି ନଥିଲେ । “ଲିଖିତ ପରୀକ୍ଷା ଲାଗି ମୁଁ ଘରେ ପ୍ରସ୍ତୁତି ଚଳାଇଛି,” ରମନଦୀପ କହନ୍ତି ।

୨୦୨୪ରେ ପ୍ରକାଶିତ ନିଯୁକ୍ତି ବିଜ୍ଞାପନରେ ଉଲ୍ଲେଖ କରାଯାଇଥିବା ତିନି ପର୍ଯ୍ୟାୟ ବିଶିଷ୍ଟ ଚୟନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଏକ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ଶାରୀରିକ ଯାଞ୍ଚ ଏବଂ ଶାରୀରିକ ମାପଚୁପ ପରୀକ୍ଷା ଲାଗି ଯୋଗ୍ୟତା ହାସଲ କରିବାକୁ ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗର ପ୍ରାର୍ଥୀମାନଙ୍କୁ ଏହି ପରୀକ୍ଷାରେ ଅତି କମ୍‌ରେ ୩୫ ପ୍ରତିଶତ ମାର୍କ ରଖିବାକୁ ପଡ଼ିବ । ଶାରୀରିକ ପରୀକ୍ଷାରେ ଦୌଡ଼ିବା, ଲଙ୍ଗ ଜମ୍ପ, ହାଇ ଜମ୍ପ, ଶରୀରର ଓଜନ ଏବଂ ଉଚ୍ଚତା ନିର୍ଣ୍ଣୟ ରହିଛି ।

PHOTO • Courtesy: NMIMS, Chandigarh
PHOTO • Courtesy: NMIMS, Chandigarh

ଚଣ୍ଡୀଗଡ଼ର ଏନ୍‌ଏମ୍‌ଆଇଏମ୍‌ଏସ୍‌ ପକ୍ଷରୁ ଆୟୋଜିତ ମାରାଥନ ପ୍ରତିଯୋଗିତା ଅବସରରେ ରମନଦୀପ (ବାମ) ଏବଂ ଯଶପାଲ (ଡାହାଣ)

ପରୀକ୍ଷାରେ ଝିଅର ପ୍ରଦର୍ଶନକୁ ନେଇ ରମନଦୀପଙ୍କ ମାଆଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି । କାରଣ ସେ ବେଶି ଖାଏ ନାହିଁ ବୋଲି ତାଙ୍କ ମାଆ କହନ୍ତି । ଯୁବ କ୍ରୀଡ଼ାବିତ୍‌ମାନଙ୍କ ଶରୀରରେ ପୁଷ୍ଟି ଓ ଶକ୍ତିର ଆବଶ୍ୟକତା ପୂରଣ ଲାଗି ପନିପରିବା, ଫଳ, ମଞ୍ଜିଜାତୀୟ ଖାଦ୍ୟ, ଛୁଇଁ, ଡାଲି, ହାଲୁକା ମାଂସ, ମାଛ ଏବଂ ଦୁଗ୍‌ଧଜାତୀୟ ଖାଦ୍ୟ ଖାଇବାକୁ ଭାରତୀୟ ଆଥ୍‌ଲେଟିକ ମହାସଂଘର ଗାଇଡ୍‌ବୁକ୍‌ ରେ ଦିଆଯାଇଥିବା ପରାମର୍ଶ ସଂପର୍କରେ ସେ କିଛି ଜାଣି ନାହାନ୍ତି । ଏଥିରୁ ଅଧିକାଂଶ ଖାଦ୍ୟ ସାମଗ୍ରୀ କିଣିବା ସେମାନଙ୍କ ପକ୍ଷରେ ସହଜ ନୁହେଁ । ମାସକୁ ଥରେ ଘରକୁ ମାଂସ ଆସେ । “ ଡାଏଟ୍‌ ନହିଁ ମିଲଦି, ବସ୍‌ ରୋଟି ଜା ଜୋ ଭି ଘରେ ମିଲ ଜାନ୍ଦା (ଆମକୁ ଉପଯୁକ୍ତ ଖୋରାକ ମିଳୁନାହିଁ; କେବଳ ଚପାତି କିମ୍ବା ଘରେ ଯାହା କିଛି ରନ୍ଧା ହୁଏ),” ରମନଦୀପ କହନ୍ତି । “ଘରେ ଯାହା ରନ୍ଧା ହୁଏ ଆମେ ତାହା ହିଁ ଖାଉ, ଏବଂ ବତୁରା ଚଣେ ,” କଥା ଯୋଡ଼ନ୍ତି ଯଶପାଲ ।

ଏ ବର୍ଷର ନିଯୁକ୍ତି ବିଜ୍ଞାପନରେ ଉଲ୍ଲେଖ କରାଯାଇଥିବା କମ୍ପ୍ୟୁଟର-ଭିତ୍ତିକ ପରୀକ୍ଷା ସଂପର୍କରେ ଏହି ଦୁଇ ଝିଅ ଜାଣି ନାହାନ୍ତି । “ଗତ ବର୍ଷ ପଞ୍ଜାବୀ ଭାଷାରେ ଲିଖିତ ପରୀକ୍ଷା କରାଯାଇଥିଲା, କମ୍ପ୍ୟୁଟର ଭିତ୍ତିକ ନୁହେଁ,” ପୂର୍ବ ଅନୁଭୂତିକୁ ମନେ ପକାଇ ଯଶପାଲ କହନ୍ତି । “ଆମ ପାଖରେ କମ୍ପ୍ୟୁଟର ପାଇବାର ଉପାୟ ନାହିଁ ।” ଗତ ବର୍ଷ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଲାଗି ଯଶପାଲ ୩,୦୦୦ ଟଙ୍କା ଖର୍ଚ୍ଚ କରି ଦୁଇ ମାସ କାଳ କୋଚିଂ ନେଇଥିଲେ ।

ଏ ବର୍ଷ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ପଞ୍ଜାବୀ ଭାଷାରେ ଯୋଗ୍ୟତା ହାସଲ ପରୀକ୍ଷା ସହିତ ଆଉ ଏକ ଅତିରିକ୍ତ ପେପର ରହିଛି । ଏଥିରେ ପ୍ରାର୍ଥୀଙ୍କର ସାଧାରଣ ସଚେତନତା, ପରିମାଣ ସଂପର୍କିତ ଜ୍ଞାନ ଏବଂ ସଂଖ୍ୟାଭିତ୍ତିକ ଦକ୍ଷତା, ମାନସିକ ଦକ୍ଷତା ଏବଂ ତାର୍କିକ ବିଚାର କ୍ଷମତା, ଇଂରାଜୀ ଭାଷାରେ ଦକ୍ଷତା, ପଞ୍ଜାବୀ ଭାଷାରେ ଦକ୍ଷତା, ଡିଜିଟାଲ ଜ୍ଞାନ ଏବଂ ସଚେତନତା ପରୀକ୍ଷା କରାଯିବ ।

ଫିଜିକାଲ ଟେଷ୍ଟ ରିଟ୍‌ନ ଟେଷ୍ଟ କ୍ଲିଅର ହୋନ୍‌ ତୋଁ ବାଦ ଲାଇନ୍ଦେ ନେ, ରିଟ୍‌ନ ଟେଷ୍ଟ ହି କ୍ଲିଅର ନହି ସି ହୋୟା ଇସ୍‌ କରକେ ଫିଜିକାଲ ଟେଷ୍ଟ ତକ ପୋହଞ୍ଚେ ହି ନହି (ଲିଖିତ ପରୀକ୍ଷା ପାସ୍‌ କରିବା ପରେ ହିଁ ଶାରୀରିକ ପରୀକ୍ଷା କରାଯାଏ, ଆପଣ ଯେତେବେଳେ ଲିଖିତ ପରୀକ୍ଷାରେ ପାସ୍‌ କରିବାରେ ସକ୍ଷମ ନୁହଁନ୍ତି, ଶାରୀରିକ ପରୀକ୍ଷା କରାଯିବାର ପ୍ରଶ୍ନ ଉଠୁଛି କେଉଁଠୁ)?” ଯଶପାଲ କହନ୍ତି ।

“ମୋ ପାଖରେ ଗତ ବର୍ଷର ବହି ସବୁ ରହିଛି । ଏ ବର୍ଷ ବି ମୁଁ (ପୋଲିସ ବିଭାଗରେ ଖାଲି ପଡ଼ିଥିବା ପଦବୀ ପାଇଁ) ଆବେଦନ କରିଛି,” ରମନଦୀପ କହନ୍ତି । “ଦେଖାଯାଉ,” ସେ କହନ୍ତି, ଆଉ କହିଲା ବେଳେ ତାଙ୍କ କଣ୍ଠରେ ସନ୍ଦେହ ଓ ଆଶାର ମିଶ୍ରିତ ଭାବ ଫୁଟି ଉଠେ ।

ଅନୁବାଦ: ଓଡ଼ିଶାଲାଇଭ୍‍

Arshdeep Arshi

அர்ஷ்தீப் அர்ஷி சண்டிகரில் இருந்து இயங்கும் ஒரு சுயாதீன ஊடகர், மொழிபெயர்ப்பாளர். நியூஸ்18 பஞ்சாப், இந்துஸ்தான் டைம்ஸ் ஆகியவற்றில் முன்பு வேலை செய்தவர். பாட்டியாலாவில் உள்ள பஞ்சாபி பல்கலைக்கழகத்தில் ஆங்கில இலக்கியத்தில் எம்.ஃபில். பட்டம் பெற்றவர் இவர்.

Other stories by Arshdeep Arshi
Editor : Pratishtha Pandya

பிரதிஷ்தா பாண்டியா பாரியின் மூத்த ஆசிரியர் ஆவார். இலக்கிய எழுத்துப் பிரிவுக்கு அவர் தலைமை தாங்குகிறார். பாரிபாஷா குழுவில் இருக்கும் அவர், குஜராத்தி மொழிபெயர்ப்பாளராக இருக்கிறார். கவிதை புத்தகம் பிரசுரித்திருக்கும் பிரதிஷ்தா குஜராத்தி மற்றும் ஆங்கில மொழிகளில் பணியாற்றுகிறார்.

Other stories by Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE