କମଲକୋଷ ଚଟେଇର ସୂକ୍ଷ୍ମ ବୁଣାକାମକୁ ଅଳ୍ପ କେତେ ଜଣ ପସନ୍ଦ କରନ୍ତି।

ଆହୁରି କମ୍‌ ଲୋକ ଏହାକୁ ବୁଣିପାରନ୍ତି।

ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାରେ ତିଆରି ହୋଇଥାଏ ଏହି ଅତି ସୂକ୍ଷ୍ମ କାରିଗରୀ କୌଶଳ ସନ୍ନିହିତ ବେତ ଚଟେଇ। ମଣ୍ଡଦିଆ ଅତି ପତଳା ବେତ ପାତିଆରୁ ତିଆରି ଏହି ଚଟେଇ ଅନ୍ୟାନ୍ୟ ଚଟେଇଠାରୁ ଏଥିପାଇଁ ଭିନ୍ନ ଯେ, ଏହା ଉପରେ ଅଙ୍କା ହୋଇଥାଏ ବିଭିନ୍ନ ସାଂସ୍କୃତିକ ସନ୍ତକ।

“ଗୋଟିଏ ପାରମ୍ପରିକ କମଲକୋଷ ରେ ଶୋଭା ପାଉଥାଏ କଲା ଗାଛ (କଦଳୀ ଗଛ), ମୟୂର, ମଙ୍ଗଲ ଘଟ (ନଡ଼ିଆ ସହିତ ପୂର୍ଣ୍ଣକୁମ୍ଭ), ସ୍ୱସ୍ତିକ (ଶୁଭ ଚିହ୍ନ),” ପ୍ରଭାତୀ ଧର କହନ୍ତି।

ପ୍ରଭାତୀ ସେହି ହାତଗଣତି କମଲକୋଷ ବୁଣାକାରମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ଏଥିରେ ଚଟେଇ ବୁଣିପାରନ୍ତି, ଏବଂ ସେ ଏହି ବୁଣାକାମ ଆରମ୍ଭ କରିଥିଲେ ପିଲାଟି ଦିନରୁ, ମାତ୍ର ୧୦ ବର୍ଷ ବୟସରୁ। “ଏହି ଗାଁ (ଘେଘିରଘାଟ)ର ପ୍ରତ୍ୟେକ ବ୍ୟକ୍ତି ଖୁବ୍‌ ଅଳ୍ପ ବୟସରୁ ଚଟେଇ ବୁଣା ଆରମ୍ଭ କରନ୍ତି,” ଅଳ୍ପ ବୟସରେ ପରିପକ୍ୱତା ସମ୍ଭାବନାକୁ ଅଗ୍ରାହ୍ୟ କରି କହନ୍ତି ଏହି ୩୬ ବର୍ଷୀୟା ମହିଳା ଜଣକ। “ମୋ ମାଆ କମଲକୋଷ ର କେତେକ ଅଂଶ ବୁଣି ପାରୁଥିଲେ। କିନ୍ତୁ ମୋ ବାପା ଏହାର ଡିଜାଇନକୁ ଭଲ ଭାବରେ ଜାଣିଥିଲେ ଏବଂ ବେଳେବେଳେ ସେ ଏହାକୁ ବୁଝାଇ ଦେବାକୁ ଯାଇ ‘ଏହି ଡିଜାଇନକୁ ଏମିତି ବୁଣିବାକୁ ଚେଷ୍ଟା କର’ ବୋଲି କହୁଥିଲେ। ସେ ନିଜେ ବୁଣାକାମ କରି ପାରୁନଥିଲେ ସତ, କିନ୍ତୁ ଏ ସଂପର୍କିତ ତାଙ୍କର ବିସ୍ତୃତ ଜ୍ଞାନରୁ ପ୍ରଭାତୀ ବହୁତ କିଛି ଶିଖିଛନ୍ତି ବୋଲି ମନେ କରନ୍ତି।

ଆମେ ବସିଛୁ ଘେଘିରଘାଟ ଗାଁର ତାଙ୍କ ଘର ବାରଣ୍ଡାରେ। ଏ ଅଞ୍ଚଳର ଅନେକ ବୁଣାକାର ଏମିତି ଛାତ ତଳେ ଥିବା ବାରଣ୍ଡାରେ କାମ କରିବାକୁ ପସନ୍ଦ କରନ୍ତି। ପରିବାରର ଅନ୍ୟମାନେ ତାଙ୍କ ଆଖପାଖରେ ଥାଆନ୍ତି ଏବଂ ବୁଣାକାମ ସହ ସଂପୃକ୍ତ ଛୋଟମୋଟ କାମରେ ତାଙ୍କର ସହାୟତା କରନ୍ତି। ବେତ ଚଟେଇ ଉପରେ, ସରୁ ସରୁ ବେତର ପାତିଆରେ ବୁଣା ହେଉଥିବା ଏ ସବୁ ଶୁଭ ସଂକେତର ପରିକଳ୍ପନା କେବଳ ସେ ନିଜେ କରିଥାଆନ୍ତି। ତାଙ୍କ ଡିଜାଇନ ଅଙ୍କନର ପ୍ରକ୍ରିୟା ସଂପର୍କରେ ସୂଚାଇ ଦେବାକୁ ଯାଇ ସେ କହନ୍ତି, “ଆମେ ଯାହା ମନେ ରଖିଛୁ, ସେଥିରୁ ହିଁ ଏହା କରିବାରେ ଅଭ୍ୟସ୍ତ।”

PHOTO • Shreya Kanoi
PHOTO • Shreya Kanoi

ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାରେ ରହୁଥିବା ହାତଗଣତି କାରିଗରଙ୍କ ଭିତରୁ ଜଣେ ହେଲେ ପ୍ରଭାତୀ ଧର, ଯେ କି କମଲକୋଷ ବୁଣିପାରନ୍ତି ଘେଘିରଘାଟ ଗାଁରେ ତାଙ୍କ ଘରର ବାରଣ୍ଡା ଓ ଅଗଣା, ଯେଉଁଠାରେ ସେ ଓ ତାଙ୍କ ପରିବାର ଲୋକେ ବେତ ଚଟେଇ ବୁଣନ୍ତି

PHOTO • Shreya Kanoi

ବିକ୍ରି ପାଇଁ ପ୍ରସ୍ତୁତ ଏକ ଚଟେଇ ଦେଖାଉଛନ୍ତି ପ୍ରଭାତୀ ଏବଂ ତାଙ୍କ ସ୍ୱାମୀ ମନୋରଞ୍ଜନ

ନିକଟବର୍ତ୍ତୀ ଧାଲିଆବାଡ଼ି ସହରର ଜଣେ ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ଭୌମିକ ଅନେକ ସମୟରେ କମଲକୋଷ ପାଇଁ ପ୍ରଭାତୀଙ୍କୁ ବରାଦ ଦିଅନ୍ତି। “ କମଲକୋଷ ହଲୋ ଏକ୍‌ଟି ଶୌକୀନ ଜିନିଷ (କମଲକୋଷ ହେଉଛି ଗୁଣଗ୍ରାହୀ ଲୋକଙ୍କ ପସନ୍ଦର ଜିନିଷ)। କେବଳ ଜଣେ ବଙ୍ଗାଳି ବ୍ୟକ୍ତି ହିଁ ଗୋଟିଏ ଭଲ ପାଟି ର ମୂଲ୍ୟ ବୁଝିପାରିବେ। ସେହି କାରଣରୁ, ସେମାନେ ହିଁ ଉଚ୍ଚ ଗୁଣମାନ ବିଶିଷ୍ଟ ଚଟେଇର ମୁଖ୍ୟ ଗ୍ରାହକ,” ‘ପରୀ’କୁ ସେ କହନ୍ତି।

ଧର ପରିବାର ରହନ୍ତି ଘେଘିରଘାଟ ଗାଁରେ। ଏହି ଗାଁର ପ୍ରାୟ ସମସ୍ତେ କେବଳ ବୁଣାକାର ପରିବାରର, ବାସ୍ତବରେ ସମଗ୍ର କୁଚ୍‌ବିହାର-ପ୍ରଥମ ବ୍ଲକ୍‌ର ପ୍ରାୟ ସମସ୍ତେ ବୁଣାକାର। ସେମାନେ ହେଲେ ପାଟି ବୁଣାକାର, ବାଂଲାଦେଶର ମୂଳ ବାସିନ୍ଦା। ପ୍ରତ୍ୟେକ ବୁଣାକାରଙ୍କର ରହିଛି ପୃଥକ୍‌ ପୃଥକ୍‌ ନିଜସ୍ୱ ଶୈଳୀ ଓ କାରିଗରୀ, ଯାହାକି ସେମାନଙ୍କର ମୂଳ ବାସସ୍ଥାନ ଉପରେ ଆଧାରିତ। ହେଲେ ତାହା ଆଉ ଏକ କାହାଣୀ, ଖୁବ୍‌ ଶୀଘ୍ର ପ୍ରକାଶ ପାଇବ।

ମୋଟାମୋଟି ଭାବେ ଚଟେଇ ବୁଣାକୁ ପାଟି ବୁଣା ରୂପେ ବର୍ଗୀକରଣ କରାଯାଏ ଏବଂ ଏହା ମୋଟା ପାଟି ରୁ ଆରମ୍ଭ କରି ଅତି ସୂକ୍ଷ୍ମ ପାଟି ଏବଂ ବିରଳ କମଲକୋଷ ରୂପରେ ବୁଣାଯାଏ। ଏହି ବେତ ( Schumannianthus dichotomus ) ଏକ ଦେଶୀ ପ୍ରଜାତିର ବେତ ଏବଂ ଏହା ପଶ୍ଚିମବଙ୍ଗର କୁଚବିହାର ଅଞ୍ଚଳରେ ମିଳିଥାଏ।

କମଲକୋଷ ଚଟେଇର ବାହ୍ୟ ଆସ୍ତରଣ ପ୍ରସ୍ତୁତି ନିମନ୍ତେ ବେତର କାଣ୍ଡକୁ ଅତି ଯତ୍ନରେ ପତଳା ପାତିଆରେ ପରିଣତ କରାଯାଏ। ଯାହାକୁ ବେତ୍‌ ବୋଲି କୁହାଯାଏ। ତା’ପରେ ଅଧିକ ଚମକ ଏବଂ ଶୁଭ୍ରତା ଲାଗି ଏହାକୁ ମଣ୍ଡ ଦେଇ ସିଝାଇ ଦିଆଯାଏ- କପଡ଼ାରେ ରଙ୍ଗ ଦେବା ଲାଗି ଏହି ପ୍ରକ୍ରିୟା ଅଧିକ ଉପଯୋଗୀ।

ତାଙ୍କ ସ୍ୱାମୀ ମନୋରଞ୍ଜନ ଧର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି କାର୍ଯ୍ୟ କରିଥାଆନ୍ତି। ପୁରୁଣା କଥାକୁ ମନେ ପକାଇ ସେ କହନ୍ତି ଯେ, ତାଙ୍କ ବିବାହ ପରେ, ସେ ତାଙ୍କ ସ୍ୱାମୀଙ୍କୁ କହିଥିଲେ ଯେ ସେ ଖୁବ୍‌ ସୂକ୍ଷ୍ମ ଭାବରେ ଚଟେଇ ବୁଣି ପାରନ୍ତି। କିନ୍ତୁ ଏଥିପାଇଁ ଉପଯୁକ୍ତ କଞ୍ଚାମାଲ ଆବଶ୍ୟକ ଏବଂ ଏହା ପରେ “ଧୀରେ ଧୀରେ ମୋ ସ୍ୱାମୀ କମଲକୋଷ ବୁଣିବା ଲାଗି ବେତକୁ କାଟି ଅତି ପତଳା ପାତିଆ ତିଆରି କରିବା ଶିଖିଯାଇଥିଲେ।”

PHOTO • Shreya Kanoi
PHOTO • Shreya Kanoi

ବାମ : ପ୍ରଭାତୀ ଯେଉଁଠାରେ ରଙ୍ଗଦେବା କାମ କରନ୍ତି, ସେହି ଚାଳିଆ ଘର ପାଚେରିରେ ଡେରା ହୋଇ ରହିଛି ସଦ୍ୟପ୍ରସ୍ତୁତ ଏକ ଶୀତଲପାଟି ଏହା ପାଖରେ ଚଟେଇ ବୁଣିବାରେ ଲାଗୁଥିବା ପାଟିବେତ୍‌ ବା ସଦ୍ୟ ଅମଳ କରାଯାଇଥିବା ବେତ ପାତିଆ ଥାକ ମରା ହୋଇ ରହିଛି ଡାହାଣ : ସିଝାଇବା ଏବଂ ରଙ୍ଗ ଦେବା ଭଳି ପ୍ରକ୍ରିୟା ନିମନ୍ତେ ବେତ ପାତିଆକୁ ଏଭଳି ବିଡ଼ାରେ ବାନ୍ଧି ରଖାଯାଇଥାଏ

PHOTO • Shreya Kanoi
PHOTO • Shreya Kanoi

କମଲକୋଷ ବୁଣିବା ଲାଗି ପ୍ରଭାତୀ ମଣ୍ଡଦିଆ ବେତ ପାତିଆରେ ଆବଶ୍ୟକତା ମୁତାବକ ରଙ୍ଗ ଦିଅନ୍ତି (ବାମ) ଏବଂ ତା ପରେ ସେଗୁଡ଼ିକୁ ଶୁଖାଇ ଦିଅନ୍ତି

ପ୍ରଭାତୀ ଆମକୁ କହୁଥିବା ବେଳେ ଆମେ ତାଙ୍କ ହାତକୁ ଲକ୍ଷ୍ୟ କରୁଥାଉ। ଆମ କଥାବାର୍ତ୍ତାର ଶବ୍ଦ ବ୍ୟତୀତ ଆଉ ଯେଉଁ ଶବ୍ଦ ଆମ କାନରେ ବାଜୁଥାଏ, ତାହା ହେଲା ତାଙ୍କର ଚଳଚଞ୍ଚଳ ଆଙ୍ଗୁଠି ଭିତର ଦେଇ ଯାଉଥିବା ବେତ ପାତିଆଗୁଡ଼ିକ ଘଷି ହେବାର ଶବ୍ଦ। ଏ ଅଞ୍ଚଳର ଶାନ୍ତ ପରିବେଶରେ ଲଗାଲଗି ହୋଇ ଗଢ଼ି ଉଠିଛି ସେମାନଙ୍କ ଘରଗୁଡ଼ିକ। ମଝିରେ ମଝିରେ ରାସ୍ତାରେ ଗାଡ଼ିମଟର ଯିବାର ଶବ୍ଦ ଶୁଭୁଥାଏ। ତାଙ୍କ ଘରକୁ ଘେରି ରହିଥାଏ କେତେକ କଦଳୀ ଓ ଗୁଆ ଗଛ; ଘର ଭିତରୁ ଦିଶୁଥାଏ ପ୍ରାୟ ସାତ ଫୁଟ ଉଚ୍ଚ ଯାଏଁ ଗଦା ହୋଇ ରହିଥିବା ଅନେକ ଗହଳିଆ ବେତ ଗୋଛା।

ହାତମାପରେ କାମ କରନ୍ତି ଏହି ପ୍ରବୀଣ କାରିଗର ଜଣକ- ‘ ଏକ୍‌ ହାଥ୍‌ ’ କହିଲେ ମୋଟାମୋଟି ୧୮ ଇଞ୍ଚ, ଯାହା ଗୋଟିଏ ହାତର ଲମ୍ବା ଅନୁସାରେ ମାପ କରାଯାଏ। ଅଢ଼େଇ ହାତ ଚଉଡ଼ା ଏବଂ ଚାରି ହାତ ଲମ୍ବା ଚଟେଇ ଅର୍ଥାତ୍‌ ପ୍ରାୟ ଚାରି ଫୁଟ ଚଉଡ଼ା ଓ ଛଅ ଫୁଟ ଲମ୍ବାର ଚଟେଇ।

କାମରୁ କିଛି ସମୟ ବିରତି ନେଇ ପ୍ରଭାତୀ ତାଙ୍କ ମୋବାଇଲରେ ଫଟୋ ଖୋଜିବାରେ ଲାଗନ୍ତି ଏବଂ ତାଙ୍କ ଗ୍ରାହକମାନଙ୍କ ପାଇଁ ସେ ତିଆରି କରିଥିବା କେତେକ କମଲକୋଷ ଚଟେଇର ଫଟୋ ଆମକୁ ଦେଖାନ୍ତି। “ କମଲକୋଷ ଚଟେଇ କେବଳ ବରାଦ ଦେଲେ ତିଆରି ହୁଏ। ଏଠାକାର ବ୍ୟବସାୟୀମାନେ ବରାଦ ଦେଲେ ହିଁ ଆମେ ତାକୁ ବୁଣିଥାଉ। ଏଭଳି ସ୍ୱତନ୍ତ୍ର ଧରଣର ଚଟେଇ ହାଟରେ (ସାପ୍ତାହିକ ବଜାରରେ) ବିକ୍ରି ହୁଏ ନାହିଁ।”

ଆଜିକାଲି ଚଟେଇ ଉପରେ ନାଁ ଓ ତାରିଖ ବୁଣି ଏହାକୁ ବ୍ୟକ୍ତିଗତ କରି ରଖିବାର ଏକ ନୂତନ ଧାରା ଚାଲିଛି। “ବିବାହ ଉତ୍ସବ ପାଇଁ ଚଟେଇ ଉପରେ ବର ଓ କନ୍ୟାଙ୍କ ନାମ ବୁଣିଦେବା ଲାଗି ଗ୍ରାହକମାନେ ଆମକୁ କହନ୍ତି। ବିଜୟା ଦଶମୀ ଅବସରରେ ପରସ୍ପରକୁ ଅଭିନନ୍ଦନ ଜଣାଇବା ଲାଗି ବ୍ୟବହୃତ ‘ ଶୁଭ ବିଜୟା ’ ଭଳି ଶବ୍ଦ ଲେଖିବାକୁ ଅନେକ ଲୋକ ଅନୁରୋଧ କରନ୍ତି,” ପର୍ବପର୍ବାଣୀ ଏବଂ ବିବାହ ଉତ୍ସବ ସମୟରେ ଲୋକେ ଏଭଳି ସ୍ୱତନ୍ତ୍ର ଚଟେଇ କିଣନ୍ତି ବୋଲି ସେ କହନ୍ତି। ପ୍ରଭାତୀ କହନ୍ତି “ବଙ୍ଗାଳି ଭାଷା ତୁଳନାରେ ଇଂଲିଶରେ ଶବ୍ଦ ବୁଣିବା ଅଧିକ ସହଜ।” ବଙ୍ଗାଳି ଲିପିରେ ଅକ୍ଷରଗୁଡ଼ିକ ବକ୍ରାକାର ହୋଇଥିବାରୁ ଏହା ବୁଣିବା କଷ୍ଟକର।

PHOTO • Shreya Kanoi
PHOTO • Shreya Kanoi

ବିବାହ ସମୟରେ ନବଦମ୍ପତିଙ୍କୁ ଉପହାର ଦେବା ଲାଗି ବୁଣାଯାଇଥିବା ଏକ ଚଟେଇରେ ସେମାନଙ୍କ ନାମ ସହିତ ଏହି ଶୁଭ ଅବସରକୁ ସୂଚାଇବା ଲାଗି ମୟୂରର ଛବି ବୁଣାଯାଇଛି

PHOTO • Shreya Kanoi

କୁଚବିହାରର ଘୁଘୁମାରିସ୍ଥିତ ପାଟି ସଂଗ୍ରହାଳୟରେ ଏକ କମଲକୋଷ

ଏହା ଏକ ବିରଳ ଦକ୍ଷତା ବୋଲି ପ୍ରମାଣିତ କରନ୍ତି କୁଚବିହାର-ପ୍ରଥମ ବ୍ଲକ୍‌ ପାଟି ଶିଳ୍ପ ସମବାୟ ସମିତିର ସଂପାଦକ ପ୍ରଦୀପ କୁମାର ରାୟ। ସେ ନିଜେ ଜଣେ ବୁଣାକାର ଏବଂ ସେ କହନ୍ତି, ସମଗ୍ର କୁଚବିହାର ଜିଲ୍ଲାରେ ପ୍ରାୟ ୧୦,୦୦୦ ଚଟେଇ ବୁଣାକାର ଅଛନ୍ତି। ହେଲେ, ଏ ଅଞ୍ଚଳରେ ବିରଳ କମଲକୋଷ ବୁଣାକାରଙ୍କ ସଂଖ୍ୟା ଅତି ବେଶୀରେ ୧୦-୧୨ ହେବ।”

୧୯୯୨ରେ ଏହି ସମିତି ଗଠିତ ହୋଇଥିଲା ଏବଂ ଏଥିରେ ୩୦୦ ବୁଣାକାର ସଦସ୍ୟ ଅଛନ୍ତି। ଏ ଅଞ୍ଚଳରେ ଚଟେଇ ବୁଣାକାରମାନଙ୍କର ଏହା ସର୍ବପ୍ରଥମ ସମବାୟ ସମିତି ଏବଂ ସମିତି ପକ୍ଷରୁ ଘୁଘୁମାରିରେ ପ୍ରତି ଦୁଇ ସପ୍ତାହରେ ଥରେ ପାଟି ହାଟ (ସାପ୍ତାହିକ ଚଟେଇ ବଜାର) ଆୟୋଜିତ ହୋଇଥାଏ। କେବଳ ଚଟେଇ ଓ ମସିଣା କାରବାର ଲାଗି ଉଦ୍ଦିଷ୍ଟ ଏହି ହାଟ କୁଚବିହାର ଅଞ୍ଚଳରେ ଏ ଧରଣର ଏକମାତ୍ର ବଜାର, ଯେଉଁଠାରେ କି ଗୋଟିଏ ହାଟ ଦିନରେ ମୋଟାମୋଟି ଏକ ହଜାର ବୁଣାକାର ଏବଂ ପ୍ରାୟ ୧୦୦ ବ୍ୟବସାୟୀ ଏକତ୍ର ହୁଅନ୍ତି।

ଏ ଅଞ୍ଚଳରେ ଶେଷ ପିଢ଼ିର କମଲକୋଷ ବୁଣାକାରମାନଙ୍କ ମଧ୍ୟରୁ ଜଣେ ହେଲେ ପ୍ରଭାତୀ ଏବଂ ନିଷ୍ଠାପୂର୍ଣ୍ଣ ଭାବରେ  ସେ ଏହି ଦାୟିତ୍ୱ ତୁଲାଇଥାଆନ୍ତି। “ମୋ ମାଆ ପ୍ରତିଦିନ ବୁଣନ୍ତି। ଏମିତି କି ସେ ଦିନେ ହେଲେ ଛୁଟି ନିଅନ୍ତି ନାହିଁ। କେବଳ ଯଦି ଆମେ ବଜାର କରିବାକୁ ଯାଉ, କିମ୍ବା ମୋ ଜେଜେବାପାଙ୍କ ଘରକୁ ଯାଉ, ତେବେ ସେ ବିରତି ନିଅନ୍ତି,” ତାଙ୍କ ଝିଅ ମନ୍ଦିରା କହନ୍ତି। ମାତ୍ର ପାଞ୍ଚ ବର୍ଷ ବୟସରୁ ଏହି ବୁଣାକାମ ଦେଖିଦେଖି ମନ୍ଦିରା ଏଥିରେ ଦକ୍ଷତା ହାସଲ କରିବାରେ ଲାଗିଛନ୍ତି।

ପ୍ରଭାତୀ ଓ ମନୋରଞ୍ଜନଙ୍କର ଦୁଇଟି ସନ୍ତାନ, ୧୫ ବର୍ଷ ବୟସର ମନ୍ଦିରା ଏବଂ ୭ ବର୍ଷର ପୀୟୂଷ (ଆଦରରେ ଡାକନ୍ତି ତୋଜୋ)। ସ୍କୁଲ ସମୟ ବାହାରେ ସମୟ ବାହାର କରି ଦୁହେଁ ଏହି କାରିଗରୀକୁ ମନ ଦେଇ ଶିଖୁଛନ୍ତି। ମନ୍ଦିରା ପ୍ରଭାତୀଙ୍କ ବାପାମାଆଙ୍କ ସାଙ୍ଗରେ ରହନ୍ତି ଏବଂ ସପ୍ତାହକୁ ଦୁଇ ଥର ଘରକୁ ଆସି ମାଆଙ୍କୁ ବୁଣାକାମରେ ସାହାଯ୍ୟ କରନ୍ତି। ଅଳ୍ପ ବୟସର ହେଲେ ବି ବେଶ୍‌ ଉତ୍ସାହୀ ତୋଜୋ ବି ମନଦେଇ ଏହା ଶିଖନ୍ତି ଏବଂ ମାଆଙ୍କ ବୁଣିବା ପାଇଁ ନିଷ୍ଠାର ସହିତ ବେତ ପାତିଆ ତିଆରି କରନ୍ତି। ସାଙ୍ଗମାନେ ଖେଳରେ ମାତିଥିବା ବେଳେ ସେ କାମ କରିବାରେ ଲାଗନ୍ତି।

PHOTO • Shreya Kanoi
PHOTO • Shreya Kanoi

ବାମ: ମାଆ ପ୍ରଭାତୀ ଓ ତାଙ୍କ ଝିଅ ମନ୍ଦିରାଙ୍କ ପାଇଁ ବୁଣାବୁଣି ସକାଳ ବେଳାର ରୀତି ସଦୃଶ। ପୁଅ ପୀୟୂଷ ବେତକୁ ଚିରି ପାତିଆ ତିଆରି କରୁଛନ୍ତି, ଏହି ପ୍ରକ୍ରିୟାକୁ କୁହାଯାଏ ଶୋଲାଇ। ସେ କାମ ଶେଷ କଲେ କ୍ରିକେଟ ଖେଳିବେ ବୋଲି ତାଙ୍କ ସାଙ୍ଗମାନେ ଅପେକ୍ଷା କରୁଛନ୍ତି

PHOTO • Shreya Kanoi
PHOTO • Shreya Kanoi

ବାମ: ତାଙ୍କର ସେହି କଥା କହୁଥିବା ଚଟେଇ ବୁଣାକାମ ଶିଖିବା ଲାଗି ସେ ଅଞ୍ଚଳର ପିଲାମାନେ ପ୍ରଭାତୀଙ୍କ ଘରେ ଭିଡ଼ ଜମାନ୍ତି। ଚଟେଇର ଧାର ବୁଣି ପ୍ରଭାତୀଙ୍କ ସହାୟତା କରୁଛନ୍ତି (ବାମରୁ ଡାହାଣକୁ) ଗୀତାଞ୍ଜଳି ଭୌମିକ, ଅଙ୍କିତା ଦାସ ଏବଂ ମନ୍ଦିରା ଧର। ଡାହାଣ: ପ୍ରଭାତୀଙ୍କ ପାଟି ବୁଣା ପରିବାର: ସ୍ୱାମୀ ମନୋରଞ୍ଜନ ଧର, ପୁଅ ପୀୟୂଷ ଧର; ଝିଅ ମନ୍ଦିରା ଧର, ପ୍ରଭାତୀ ଧର ଏବଂ ତାଙ୍କ ପଡ଼ୋଶୀ ଅଙ୍କିତା ଦାସ

ପ୍ରଭାତୀଙ୍କର ଏହି କାରିଗରୀ କୌଶଳ ଶିଖିବା ଲାଗି ଆଗ୍ରହୀ ସେଠାକାର ପିଲାମାନେ ଏହି ବିଷୟରେ କ୍ଲାସ୍‌ ନେବାକୁ ତାଙ୍କୁ ବାରମ୍ବାର ଅନୁରୋଧ କରନ୍ତି: “ମୋ ପଡ଼ୋଶୀଙ୍କ  ଝିଅ ମୋତେ କହିଲା, ‘ କାକୀ (ଖୁଡ଼ି) ମୋତେ ବି ଶିଖାଇ ଦିଅ!’। ସପ୍ତାହାନ୍ତରେ ଏବଂ ଛୁଟିଦିନରେ ତାଙ୍କ ଘର ଏକ ସୃଜନଶୀଳ ପରିସରର ରୂପ ନିଏ। “କେମିତି ମୟୂର ଓ ଗଛ ବୁଣିବାକୁ ହେବ ଶିଖିବା ଲାଗି ସେମାନେ ଖୁବ୍‌ ଆଗ୍ରହୀ। ହେଲେ, ଶିଖିବା ମାତ୍ରେ ତ ସେମାନେ ଏହା ବୁଣିବାରେ ସମର୍ଥ ହେବେ ନାହିଁ। ତେଣୁ, ମୁଁ ତାଙ୍କୁ ପ୍ରଥମେ ଚଟେଇର ଧାର ବୁଣି ଶିଖିବାକୁ କହେ ଏବଂ ମୁଁ ବୁଣୁଥିବା ବେଳେ ସେହି ବୁଣିବା ଶୈଳୀକୁ ଭଲ ଭାବରେ ଦେଖିବାକୁ କହେ। ଧୀରେ ଧୀରେ ମୁଁ ସେମାନଙ୍କୁ ଶିଖାଇବି,” ସେ କହନ୍ତି।

ଯଦିଓ ମନ୍ଦିରା କମଲକୋଷ ବୁଣିବା ଶିଖୁଛନ୍ତି, ତଥାପି ସେ ଅନ୍ୟ ଏକ ଏଭଳି ବୃତ୍ତିକୁ ଆପଣେଇବାକୁ ଚାହାଁନ୍ତି ଯେଉଁଥିରୁ ଅଧିକ ରୋଜଗାର କରିହେଉଥିବ ଏବଂ ଖାଲି ସମୟ ମିଳୁଥିବ। “ହୁଏତ ମୁଁ ନର୍ସିଂରେ ପ୍ରଶିକ୍ଷଣ ନେବି,” ସେ କହନ୍ତି। “ଚଟେଇ ବୁଣିବାରେ ବହୁ ପରିଶ୍ରମ କରିବାକୁ ପଡ଼େ। ଯଦି କେହି (ଅନ୍ୟ ଏକ) ଚାକିରି କରନ୍ତି ତେବେ ସେ ଘରେ ବସି ଆରାମ କରିପାରିବେ ଏବଂ ରୋଜଗାର କରିପାରିବେ। ଏତେ ବେଶୀ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ସେଥିପାଇଁ (ଆମ ପିଢ଼ିର) କେହି ହେଲେ ଏହି ଚଟେଇ ବୁଣା କାମ କରିବାକୁ ଚାହୁଁନାହାନ୍ତି।

ତାଙ୍କ କଥାର ପ୍ରମାଣ ଦେବାକୁ ଯାଇ ସେ ତାଙ୍କ ମାଆଙ୍କ ଦିନକର କାମ ସଂପର୍କରେ କହନ୍ତି: “ମୋ ମାଆ ସବୁଦିନ ୫ଟା ୩୦ରେ ଉଠନ୍ତି। ସେ ଝାଡୁ ମାରି ଘର ସଫା କରନ୍ତି। ତା’ପରେ ସେ ଘଣ୍ଟାକ ପାଇଁ ଗୋଟିଏ ଚଟେଇ ବୁଣିବାକୁ ବସନ୍ତି। ଆମେମାନେ ସକାଳେ ଖାଉଥିବାରୁ ସେ ରନ୍ଧାରନ୍ଧି ମଧ୍ୟ କରନ୍ତି। ତା’ପରେ ସେ ନିଜେ ଖାଇ ମଧ୍ୟାହ୍ନ ଯାଏଁ ବୁଣନ୍ତି ଏବଂ ମଝିରେ ଗାଧୋଇବାକୁ ବିରତି ନିଅନ୍ତି। ତା’ପରେ ପୁଣି ସେ ଘର ସଫା କରି ଅପରାହ୍‌ଣ ଯାଏଁ ବୁଣିବାରେ ଲାଗନ୍ତି। ରାତି ୯ଟା ଯାଏଁ ସେ ବୁଣିବାରେ ଲାଗିଥାଆନ୍ତି। ତା’ପରେ ସେ ପୁଣି ରାନ୍ଧନ୍ତି, ଆମେମାନେ ଖାଉ ଏବଂ ଶୋଇବାକୁ ଯାଉ।”

“ଘରେ ବହୁତ କାମ ଥିବାରୁ ମୋ ବାପାମାଆ ମେଳା ଦେଖିବାକୁ ଯାଆନ୍ତି ନାହିଁ। ଆମେ ପ୍ରତିଦିନ ଗୋଟିଏ ପାଟି ତିଆରି କରିବାକୁ ଚେଷ୍ଟା କରୁ। କାରଣ ତା’ହେଲେ ଯାଇ ଆମ ପରିବାର ମାସକୁ ୧୫,୦୦୦ ଟଙ୍କା ରୋଜଗାର କରିପାରିବ ଯାହାକି ଆମର ନିତିଦିନିଆ ଜରୁରୀ ଖର୍ଚ୍ଚ ପାଇଁ ନିହାତି ଆବଶ୍ୟକ.” ମନ୍ଦିରା କହନ୍ତି।

PHOTO • Shreya Kanoi
PHOTO • Shreya Kanoi

ବୁଣାକାମ ବ୍ୟତୀତ, ଘର ଓ ପରିବାରର ଯତ୍ନ ବି ନିଅନ୍ତି ପ୍ରଭାତୀ

*****

ସ୍ଥାନୀୟ ଭାଷାରେ ପାଟି ତିଆରି ପ୍ରକ୍ରିୟାକୁ କୁହାଯାଏ ସମଷ୍ଟିଗତ କାଜ - ପରିବାର ଓ ସଂପ୍ରଦାୟର ସାମୂହିକ ପ୍ରୟାସ। “ ଏଟା ଆମାଦେର ପାଟିଶିଳ୍ପୀର କାଜ୍‌ଟା ଏକକ ଭାବେ ହୟ ନା ଟାକା ଯୋଡ଼ାତେ ଗେଲେ ସୋବାଇ କେ ହାଥ୍‌ ଦିତେ ହୟ (ଆମର ଏହି ଚଟେଇ ବୁଣା କାମ ଏକା ଏକା ହୁଏ ନାହିଁ। ମାସ ଶେଷରେ ଭଲ ରୋଜଗାର ପାଇବା ଲାଗି ସମସ୍ତଙ୍କୁ କିଛି ନା କିଛି କରିବାକୁ ପଡ଼େ),” ପ୍ରଭାତୀ କହନ୍ତି। ବୁଣାକାମର ପ୍ରସ୍ତୁତି ଲାଗି ତାଙ୍କ ପରିବାର ଉପରେ ସେ ନିର୍ଭର କରନ୍ତି।

ଏହି କାମ “ ମାଠେର କାଜ (ବାହାର କାମ) ଏବଂ ବାଡ଼ିର କାଜ (ଘରେ ହେଉଥିବା କାମ) ଭାବରେ ଦୁଇ ଭାଗରେ ବିଭକ୍ତ,” କାଞ୍ଚନ ଦେ କହନ୍ତି। ସେ ଗୋଟିଏ ବୁଣାକାର ପରିବାରର ଏବଂ ଏହି କାରିଗରୀରେ ତାଙ୍କର ବିଶେଷ ଦକ୍ଷତା ରହିଛି। ସେ ଆମକୁ ବୁଝାଇ ଦିଅନ୍ତି ଯେ କେମିତି ପୁରୁଷମାନେ ବେତକୁ ଗଛରୁ ଅମଳ କରନ୍ତି, ଏହାକୁ ଚିରି ବୁଣାଯୋଗ୍ୟ ପାତିଆରେ ପରିଣତ କରନ୍ତି ଏବଂ ମହିଳାମାନେ ଏହି ପାତିଆକୁ ମଣ୍ଡରେ ସିଝାଇବା ପରେ ଶୁଖାଇ ଦିଅନ୍ତି ଏବଂ ସେଥିରେ ଚଟେଇ ବୁଣନ୍ତି। ଏମିତି କି ଛୋଟପିଲାମାନେ ବି ଏହି ଲିଙ୍ଗଭିତ୍ତିକ କାର୍ଯ୍ୟ ବିଭାଜନକୁ ଅନୁସରଣ କରିବାରେ ଲାଗିଛନ୍ତି- ଝିଅମାନେ ସେ କେମିତି ବୁଣୁଛନ୍ତି ତାହା ଦେଖିବାକୁ ଆସନ୍ତି, ତେଣେ ପୁଅମାନେ ବେତ ଚିରିବା ଅଭ୍ୟାସ କରନ୍ତି। କାଞ୍ଚନ ଦେ ପଡ଼ୋଶୀ ଗଙ୍ଗାଲେର କୁଠି ଗାଁ ସ୍କୁଲର ଜଣେ ଶିକ୍ଷକ।

ଗୋଟିଏ ସାଧାରଣ ଆକାରର ବା ୬x୭ ଫୁଟ୍‌ ପାଟି (ଚଟେଇ) ତିଆରି କରିବା ଲାଗି ୧୬୦ଟି ବେତ ଖାଡ଼ି ବା ପାତିଆ ଲାଗିଥାଏ। ଏହି ବେତ ପାତିଆକୁ ପ୍ରସ୍ତୁତ କରିବା, ଅର୍ଥାତ୍‌ ବୁଣାକାମରେ ବ୍ୟବହାରଯୋଗ୍ୟ ଭଳି ନରମ କରିବା ଲାଗି ଦୁଇ ଦିନ କାମ କରିବାକୁ ପଡ଼େ। ଏହାକୁ ପୁରୁଷମାନେ କରନ୍ତି। ଏହି ଦୁଇ-ପାଖିଆ ପ୍ରକ୍ରିୟାକୁ କହନ୍ତି ବେତ ଶୋଲାଇ ଏବଂ ବେତ ତୋଲା । ଏଥିରେ ବେତର କାଣ୍ଡକୁ ବହୁଭାଗରେ କାଟିବାକୁ ପଡ଼େ, ଏହାର ଭିତର ପାଖରୁ କାଠ ଭଳି କଠିନ ଅଂଶକୁ ପାଦ ଦେବାକୁ ହୁଏ ଏବଂ ତା’ପରେ ଏହାକୁ ସତର୍କତାର ସହ ଚିରି ଅନେକ ପତଳା ପତଳା ପାତିଆ- ଯେମିତି କି ୨ ମିଲିମିଟରରୁ ୦.୫ ମିଲିମିଟର ମୋଟେଇର- ପ୍ରସ୍ତୁତ କରାଯାଏ। ଏହା ଏକ ଜଟିଳ ପ୍ରକ୍ରିୟା ଏବଂ ବେତକୁ ଅତି ପତଳା କରି ଚିରିବା ଲାଗି ଅଭ୍ୟସ୍ତ ଓ ସୁଦକ୍ଷ କାରିଗରୀ ହାତ ଦରକାର ହୁଏ।

PHOTO • Shreya Kanoi
PHOTO • Shreya Kanoi

ମନୋରଞ୍ଜନ ଧର ତାଙ୍କ କ୍ଷେତରୁ ବେତ ଅମଳ କରୁଛନ୍ତି (ବାମ)। ପୁଅ ପୀୟୂଷ (ଡାହାଣ) ସହିତ ବାଉଁଶ ପାତିଆ ତିଆରି କରୁଛନ୍ତି। ପୀୟୂଷ ବେତ ଶୋଲାଇ ଅର୍ଥାତ୍‌ ପ୍ରାଥମିକ ପର୍ଯ୍ୟାୟରେ ବେତ କାଣ୍ଡକୁ ବହୁ ଭାଗରେ ଚିରିବା ଏବଂ ଏହାର ଭିତର ଅଂଶର କାଠ ଭଳି କଠିନ ଅଂଶକୁ ବାହାର କରିବା କାମ କରୁଛନ୍ତି । ମନୋରଞ୍ଜନ ବେତ ତୁଲା କରୁଛନ୍ତି, ଅର୍ଥାତ୍‌ ଚୂଡ଼ାନ୍ତ ପର୍ଯ୍ୟାୟରେ ବେତ ଭିତରୁ ଅତି ସୂକ୍ଷ୍ମ ଓ ସରୁ ବେତ ଖାଡ଼ି ବାହାର କରୁଛନ୍ତି। ବେତ ଖାଡ଼ିରେ ତିନିଟି ସ୍ତର ରହିଛି: ବେତ, ବୁକା ଏବଂ ଛୋଟୁ। ଚୂଡ଼ାନ୍ତ ପର୍ଯ୍ୟାୟରେ କେବଳ ବେତ ବା ଶୀର୍ଷସ୍ତରକୁ ବ୍ୟବହାର କରାଯାଏ

PHOTO • Shreya Kanoi
PHOTO • Shreya Kanoi

ଚୂଡ଼ାନ୍ତ ରୂପରେ ପ୍ରସ୍ତୁତ ଚଟେଇକୁ ପରଖି ଦେଖୁଛନ୍ତି ମନୋରଞ୍ଜନ। ପାଟି ତିଆରି କରିବା ପ୍ରକ୍ରିୟା ପରିବାର ଓ ସଂପ୍ରଦାୟର ଏକ ସାମୂହିକ ପ୍ରୟାସ। ‘ମାସ ଶେଷରେ ଭଲ ରୋଜଗାର ପାଇବା ଲାଗି ସମସ୍ତଙ୍କୁ କିଛି ନା କିଛି କରିବାକୁ ପଡ଼ିବ,’ କହନ୍ତି ପ୍ରଭାତୀ, ଯେ କି ବୁଣାକାମର ପ୍ରସ୍ତୁତି ଲାଗି ତାଙ୍କ ପରିବାର ଉପରେ ନିର୍ଭର କରନ୍ତି

ବୁଣିବା ପରେ ଚଟେଇକୁ ଶୁଖାଇ ଦିଆଯାଏ। ସାଧାରଣ ଚଟେଇଗୁଡ଼ିକ ପ୍ରାକୃତିକ ବେତ ଖାଡ଼ିର ରଙ୍ଗରେ ବୁଣା ହେଉଥିବା ବେଳେ କମଲକୋଷ ସ୍ୱାଭାବିକ ଭାବେ ଦୁଇଟି ରଙ୍ଗରେ ହିଁ ବୁଣାଯାଇଥାଏ,” କହନ୍ତି ଏହି ପ୍ରବୀଣ ବୁଣାକାର ଜଣକ। ବୁଣିବା ପାଇଁ ସେ ଘଣ୍ଟା ଘଣ୍ଟା ଧରି ଚକାପାରି ବସନ୍ତି, କିଛିଟା ଆରାମ ପାଇବା ଲାଗି ବେଳେବେଳେ ସେ କାଠର ପିରି (ପିଢ଼ା) ବ୍ୟବହାର କରନ୍ତି। ଚଟେଇ ଘଷି ହୋଇ ନଷ୍ଟ ନହେବା ଉଦ୍ଦେଶ୍ୟରେ ପ୍ରଭାତୀ ନିଜ ପାଦରେ ଚଟେଇର ବୁଣା ସରିଥିବା ଅଂଶର ଧାରକୁ ଚାପି ଧରନ୍ତି। ବୁଣିବା ଶୈଳୀର ଆବଶ୍ୟକତା ଅନୁସାରେ ସେ ଦୁଇ ହାତରେ ଆନୁମାନିକ ପରିମାଣର ବେତ ପାତିଆ ବିଡ଼ାକୁ ଉଠାନ୍ତି।

ଥରକରେ ସେ ପ୍ରାୟ ୭୦ଟି ବେତ ପାତିଆ ଧରି ବୁଣିପାରନ୍ତି। ଚଟେଇର ପ୍ରତିଟି ଧାଡ଼ି ବୁଣି ସାରିବା ପରେ ପ୍ରଭାତୀ ବେତକୁ ଛନ୍ଦି ତଳୁ ଉପରକୁ ଆଉ ଗୋଟିଏ ଧାଡ଼ି ବୁଣନ୍ତି, ଯାହା କି ପ୍ରାୟ ୬୦୦ ବେତ ପାତିଆ ଭିତର ଦେଇ ଯାଇଥାଏ। ଏହାକୁ ଧରି ରଖିବା ପାଇଁ ତାଙ୍କ ପାଖରେ କେବଳ ନିଜ ହାତ ବ୍ୟତୀତ ଅନ୍ୟ କୌଣସି ଯାନ୍ତ୍ରିକ ଉପକରଣ ନଥାଏ। ଗୋଟିଏ ଛଅ ଫୁଟ ଓସାର ଓ ସାତ ଫୁଟ ଲମ୍ବା ଚଟେଇ ବୁଣିବା ଲାଗି ତାଙ୍କୁ ହାତରେ ପ୍ରାୟ ୭୦୦ ଥର ଏମିତି କରିବାକୁ ପଡ଼େ।

ଗୋଟିଏ କମଲକୋଷ ଚଟେଇ ଲାଗି ବେତ ପ୍ରସ୍ତୁତ କରିବା ଏବଂ ବୁଣିବାରେ ଯେତିକି ସମୟ ଲାଗେ ସେହି ସମୟ ମଧ୍ୟରେ ୧୦ଟି ସାଧାରଣ ଚଟେଇ ବୁଣାଯାଇ ପାରିବ ଏବଂ ମୂଲ୍ୟରେ ଏହା ପ୍ରତିଫଳିତ ହୋଇଥାଏ ବୋଲି ପ୍ରଭାତୀ କହନ୍ତି। “ କମଲକୋଷ ତିଆରି କରିବା ଅଧିକ କଠିନ କାମ, କିନ୍ତୁ ଏଥିରେ ଅଧିକ ପଇସା ବି ମିଳେ।” ଯେତେବେଳେ ଅଳ୍ପ ପରିମାଣର କମଲକୋଷ ବରାଦ ଥାଏ, ପ୍ରଭାତୀ ଅନ୍ୟ ସାଧାରଣ ଚଟେଇ ବି ବୁଣନ୍ତି। ପ୍ରକୃତରେ, ବର୍ଷକ ଭିତରେ ସେ ଅଧିକ ପରିମାଣର ସାଧାରଣ ଚଟେଇ ବୁଣିଥାଆନ୍ତି। କାରଣ, ସେ କହନ୍ତି ଯେ, ଏଗୁଡ଼ିକ ଅତି ଶୀଘ୍ର ବିକ୍ରି ହୋଇଯାଏ।

PHOTO • Shreya Kanoi
PHOTO • Shreya Kanoi

ଚଟେଇକୁ ଅତି ପାଖରୁ ଦେଖିଲେ ବୁଝିହୁଏ ଯେ କେମିତି ବେତ ପାତିଆ ଉପଯୋଗ କରି ଏଭଳି ଶୈଳୀ ଓ ଶୁଭ ସଙ୍କେତକୁ ସୁନ୍ଦର ଭାବରେ ଛନ୍ଦି ବୁଣାଯାଇଛି। ଯେଉଁ ବେତ ପାତିଆଗୁଡ଼ିକ ଲମ୍ବ ବାଗରେ କୋଣରୁ କୋଣକୁ ବୁଣାଯାଇଛି ସେଗୁଡ଼ିକ ଚଟେଇର ବିଭିନ୍ନ ଭାଗ ଦେଇ ଗତି କରିଛନ୍ତି। ଏହା ହିଁ ଏହି ବୁଣାକାମର ବାସ୍ତବିକ ଛନ୍ଦ – ଗୋଟିଏ ରେଖାରେ ନ ବୁଣି ଭାଗ ଭାଗ କରି ବୁଣିବା। ମନୋରଞ୍ଜନ (ଡାହାଣ) ଚଟେଇକୁ ଗୁଡ଼ାଇ ରଖନ୍ତି, ଏହାକୁ ସଳଖ କରି ରଖିବା ପାଇଁ ପ୍ରଥମେ ଗୋଟିଏ ପଟୁ, ତା’ ପରେ ଆରପଟୁ ଗୁଡ଼ାଇ ଦିଅନ୍ତି

PHOTO • Shreya Kanoi
PHOTO • Shreya Kanoi

ଶୀତଲପାଟି ବୁଣିବା ଲାଗି ଆବଶ୍ୟକ ହୁଏ (ବାମରୁ ଡାହାଣକୁ) ଗୋଟିଏ ପିରି ବା ବୁଣିବା ବେଳେ ବସିବା ପାଇଁ ଗୋଟିଏ ପିଢ଼ା ଏବଂ ଦାଓ କିମ୍ବା ବୋଟି, ବେତ ବାଡ଼ି ଚିରିବା ଲାଗି ବ୍ୟବହୃତ ଉପକରଣ;  ବେତକଟା, ଯାହା ବେତ ଅମଳରେ ବ୍ୟବହାର କରାଯାଏ; ଛୁରୀ, ଯାହା କି ବୁଣା ସରିବା ପରେ ଚଟେଇର ଧାର ଏବଂ ବାହାରକୁ ବାହାରିଥିବା ବେତ ପାତିଆ କାଟିବାରେ ଲାଗେ। ଗ୍ରାହକଙ୍କୁ ଦେବା ଲାଗି ଚଉତି ରଖାଯାଇଥିବା ଏବଂ ବିକ୍ରି ପାଇଁ ପ୍ରସ୍ତୁତ  କମଲକୋଷ ପାଟି ସହିତ ପ୍ରଭାତୀ

ବିନମ୍ର ପ୍ରଭାତୀ କହନ୍ତି ଯେ, ଜଣେ ମାଆ ହିସାବରେ ତାଙ୍କ ଭୂମିକା ସହିତ ଜଣେ କମଲକୋଷ ବୁଣାକାର ଭାବରେ ତାଙ୍କ ଖ୍ୟାତିକୁ ସେ ଉପଭୋଗ କରନ୍ତି। “ମୋ ପାଖରେ କମଲକୋଷ ବୁଣିବାର ସାମର୍ଥ୍ୟ ଅଛି, ସେଥିପାଇଁ ମୁଁ ତାହା କରେ। ଆମି ଗର୍ବବୋଧ କରି । ମୁଁ ଗର୍ବ ଅନୁଭବ କରେ।”

କିଛିଟା ଦ୍ୱିଧାବୋଧ ସହିତ ସେ ଆହୁରି କହନ୍ତି, “ଅନ୍ୟ ଅନେକ ଲୋକ ଏହାକୁ ବୁଣିପାରିବେ ନାହିଁ। ମୁଁ ଏହି ବିରଳ ଚଟେଇ ବୁଣି ପାରୁଥିବାରୁ ଆପଣ ମୋତେ ଦେଖା କରିବାକୁ ଆସିଛନ୍ତି, ନୁହେଁ କି ? ଆପଣ ଆଉ କାହା ପାଖକୁ ତ ଗଲେ ନାହିଁ !”

ଏହି ରିପୋର୍ଟ ପ୍ରସ୍ତୁତିରେ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (MMF)ର ଏକ ଫେଲୋସିପର ସହାୟତା ରହିଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Shreya Kanoi

ஷ்ரேயா கனோய் ஒரு வடிவமைப்பு ஆய்வாளர். கைவினைத் தொழில்கள் மற்றும் வாழ்வாதாரம் ஆகிய தளங்களில் இயங்குகிறார். அவர் 2023 PARI-MMF மானியப் பணியாளர் ஆவார்.

Other stories by Shreya Kanoi
Editor : Priti David

ப்ரிதி டேவிட் பாரியின் நிர்வாக ஆசிரியர் ஆவார். பத்திரிகையாளரும் ஆசிரியருமான அவர் பாரியின் கல்விப் பகுதிக்கும் தலைமை வகிக்கிறார். கிராமப்புற பிரச்சினைகளை வகுப்பறைக்குள்ளும் பாடத்திட்டத்துக்குள்ளும் கொண்டு வர பள்ளிகள் மற்றும் கல்லூரிகளுடன் இயங்குகிறார். நம் காலத்தைய பிரச்சினைகளை ஆவணப்படுத்த இளையோருடனும் இயங்குகிறார்.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE