ଅଗଷ୍ଟରେ ପାନ୍ନା ଜିଲ୍ଲାରେ ବର୍ଷା ହୋଇଛି ଏବଂ ଜଳ ଧାରଣାର ପୂର୍ଣ୍ଣ କ୍ଷମତା ଅନୁଯାୟୀ କୈଥାବାରୋ ଡ୍ୟାମ୍ ଭର୍ତ୍ତି ହୋଇ ଯାଇଛି । ପାନ୍ନା ଟାଇଗର ରିଜର୍ଭ (PTR) ନିକଟବର୍ତ୍ତି ପାହାଡ଼ରୁ ଏହା ବୋହି ଆସୁଛି ।
ସୁରେନ ଆଦିବାସୀ ହାତୁଡ଼ି ଧରି ଡ୍ୟାମ ନିକଟକୁ ଆସନ୍ତି। ପ୍ରବାହିତ ଜଳଧାରାକୁ ଯତ୍ନର ସହ ଦେଖନ୍ତି, ଯାଞ୍ଚ କରନ୍ତି ଯେ କୌଣସି ନୂତନ ପଥର କିମ୍ବା ଆବର୍ଜନା ପ୍ରବାହକୁ ଅବରୋଧ କରୁନାହିଁ ତ । ପ୍ରବାହିତ ଜଳଧାରାକୁ ଭଲ ଦିଗରେ ଗତି କରିବା ପାଇଁ ସେ ହାତୁଡ଼ି ବ୍ୟବହାର କିଛି ପଥରକୁ ଏପଟ-ସେପଟ କରନ୍ତି ।
‘‘ମୁଁ ଦେଖିବା ପାଇଁ ଆସିଛି ଭଲ ଭାବରେ ଜଳ ପ୍ରବାହିତ ହେଉଛି କି ନାହିଁ,’’ ସେ ‘ପରୀ’କୁ କୁହନ୍ତି । “ହଁ, ଏହା ପ୍ରବାହିତ ହେଉଛି,” ମୁଣ୍ଡ ହଲାଇ ଆଶ୍ୱସ୍ତ ହୁଅନ୍ତି ବିଲପୁରା ଗାଁର କ୍ଷୁଦ୍ର ଚାଷୀ ଯେ କିଛି ମିଟର ତଳମୁଣ୍ଡରେ ତାଙ୍କ ଧାନ ଫସଲ ଶୁଖିଯିବ ନାହିଁ।
ଛୋଟ ଡ୍ୟାମ୍ ଉପରେ ନଜର ପକାନ୍ତି ଏବଂ ସେ କୁହନ୍ତି, “ଏହା ଏକ ବଡ଼ ଆଶୀର୍ବାଦ । ଧାନ ହୋଇପାରେ, ଗହମ ବି । ଏହାପୂର୍ବରୁ ମୁଁ ଏଠାରେ ଥିବା ଏକ ଏକର ଜମିକୁ ଜଳସେଚନ କରି ଚାଷ କରି ପାରୁନଥିଲି ।”
ବିଲପୁରାର ଲୋକମାନେ ଡ୍ୟାମ ନିର୍ମାଣରେ ସାହାଯ୍ୟ କରିଛନ୍ତି, ଯାହା ସେମାନଙ୍କ ପାଇଁ ଆଶୀର୍ବାଦ ସଦୃଶ ।
ପ୍ରାୟ ଏକ ହଜାର ଲୋକଙ୍କ ଗାଁ, ବିଲପୁରାରେ ପ୍ରାୟତଃ ଗଣ୍ଡ ଆଦିବାସୀ (ଅନୁସୂଚିତ ଜନଜାତି) କୃଷକ ଅଛନ୍ତି, ପ୍ରତ୍ୟେକଙ୍କ ନିକଟରେ କିଛି ଗୋରୁ-ଗାଈ ଅଛନ୍ତି । ୨୦୧୧ ଜନଗଣନା ରେକର୍ଡ ଅନୁସାରେ ଗାଁରେ କେବଳ ଗୋଟିଏ ହ୍ୟାଣ୍ଡପମ୍ପ ଏବଂ ଗୋଟିଏ କୂଅ ଅଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପଥରରେ ଆଚ୍ଛାଦିତ ହୋଇଥିବା ପୋଖରୀ ନିର୍ମାଣ କରାଯାଇଛି, କିନ୍ତୁ ସ୍ଥାନୀୟ ଲୋକ କହିଛନ୍ତି ଯେ ସେଠାରେ କୌଣସି ଜଳଧାରଣ ଅଂଚଳ ନାହିଁ ଏବଂ, ‘‘ପାନି ରୁକତା ନହିଁ ହୈ (ଜଳ ରହେ ନାହିଁ) ।’’
ଗାଁର ଲୋକଙ୍କ ପାଖରେ ପ୍ରାୟ ୮୦ ଏକର ଜମି ଅଛି ଯାହା ଡ୍ୟାମ ଏବଂ ସେମାନଙ୍କ ଗାଁ ମଧ୍ୟରେ ଅବସ୍ଥିତ । ମହାରାଜ ସିଂ କୁହନ୍ତି, “ପୂର୍ବରୁ ଏକ ଛୋଟ ନାଳ (ଧାର) ଥିଲା ଏବଂ କିଛି ଏକର ଜମିରେ ଏହା ବ୍ୟବହୃତ ହେଉଥିଲା। ଡ୍ୟାମ୍ ହେବା ପରେ ହିଁ ଆମେ ସମସ୍ତେ ନିଜ କ୍ଷେତରେ ଫସଲ କରିବାକୁ ସକ୍ଷମ ହୋଇଛୁ।”
ଡ୍ୟାମ ସ୍ଥଳରେ ମଧ୍ୟ ପହଁଚିଛନ୍ତି ମହାରାଜ, ଏହା ସୁନିଶ୍ଚିତ କରିବାକୁ ଯେ ନିଜ ପାଇଁ ପାଞ୍ଚ ଏକର ଜମିରେ ସେ ଗହମ, ଚଣା (ବେଙ୍ଗଲ ଗ୍ରାମ), ଧାନ ଏବଂ ମକ୍କା ଲଗାଇଛନ୍ତି, ତାହା ସୁରକ୍ଷିତ ଅଛି କି ନାହିଁ । ଭଲ ବର୍ଷରେ ସେ କିଛି ଉତ୍ପାଦ ବିକ୍ରୟ କରିବାରେ ସମର୍ଥ ହୁଅନ୍ତି ।
ସେ ଇସାରା କରି କୁହନ୍ତି, “ଏହି ପାଣି ମୋ କ୍ଷେତକୁ ଯାଏ’’। “ପୂର୍ବରୁ ଏଠାରେ କୈଣସି ଚାଷ ହେଉନଥିଲା। ନିର୍ମାଣ ସ୍ଥଳରେ ଦିନ ମଜୁରିଆ ଭାବେ କାମ କରିବା ପାଇଁ ମୁଁ ଦିଲ୍ଲୀ ଏବଂ ମୁମ୍ବାଇକୁ ଯାଉଥିଲି।” ସେ ଏକ ପ୍ଲାଷ୍ଟିକ୍ ଏବଂ ପରେ ଏକ ସୂତା କମ୍ପାନୀରେ ମଧ୍ୟ କାମ କରୁଥିଲେ ।
୨୦୧୬ରେ ଏହି ଡ୍ୟାମ୍ ପୁନଃନିର୍ମାଣ ହେବା ପରେ ଆଉ ତାଙ୍କୁ ଯିବାକୁ ପଡ଼ିନାହିଁ - ଚାଷରୁ ହେଉଥିବା ରୋଜଗାର ତାଙ୍କର ଏବଂ ତାଙ୍କ ପରିବାରର ଭରଣ-ପୋଷଣ ହେଉଛି । ଡ୍ୟାମ ପାଣି ଏବେ ବର୍ଷ ତମାମ ଚାଲିଛି ଏବଂ ଏହା ଗୋରୁମାନଙ୍କ ପାଇଁ ମଧ୍ୟ ବ୍ୟବହାର ହେଉଛି ।
ଅଣ-ସରକାରୀ ସଂଗଠନ ପିପୁଲ୍ସ ସାଇନ୍ସ ଇନଷ୍ଟିଚ୍ୟୁଟ୍ (PSI) ଦ୍ୱାରା ଆୟୋଜିତ ସାଧାରଣ ସଭା ପରେ ଏହି ଡ୍ୟାମ୍ର ପୁନଃନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିଲା । ପିଏସଆଇ କ୍ଲଷ୍ଟର ସଂଯୋଜକ ଶରଦ ଯାଦବ କୁହନ୍ତି, "ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରିବା ପରେ ଆମେ ଜାଣିଲୁ ଯେ ସମସ୍ତଙ୍କର ଜମି ଅଛି, କିନ୍ତୁ ନିୟମିତ ଜଳସେଚନ ନ ଥିବାରୁ ସେମାନେ ଏହାକୁ ବ୍ୟବହାର କରିବାରେ ଅସମର୍ଥ ।"
କଇଥ (କାଠ ଆପଲ୍) ଗଛ ବଗିଚା ନିକଟରେ ଥିବା ଏକ ପୋଖରୀ ଉପରେ ଏକ ଡ୍ୟାମ ନିର୍ମାଣ କରିଥିଲେ ରାଜ୍ୟ ସରକାର । ଥରେ ନୁହେଁ, ୧୦ ବର୍ଷ ମଧ୍ୟରେ ତିନିଥର ନିର୍ମାଣ କରାଯାଇଥିଲା। ଗତଥର ମୌସୁମୀ ସମୟରେ ଏହା ଭାଙ୍ଗି ଯିବାରୁ ବିଭାଗୀୟ ଅଧିକାରୀମାନେ ନିଷ୍ପତ୍ତି ନେଇଥିଲେ ବହୁତ ହୋଇଗଲା ଏବଂ ଡ୍ୟାମର ଆକାର ହ୍ରାସ କରିଥିଲେ ।
ଛୋଟ ଡ୍ୟାମ୍ ଯଥେଷ୍ଟ ହେଲା ନାହିଁ: “ପାଣି ବହୁ କଷ୍ଟରେ କ୍ଷେତରେ ପହଞ୍ଚିଲା, ଏବଂ ଗ୍ରୀଷ୍ମ ପୂର୍ବରୁ ଏହା ପୂରା ଶୁଖିଗଲା, ତେଣୁ ଆମର ଜଳସେଚନ ଆବଶ୍ୟକତା ମେଣ୍ଟାଇ ପାରିନଥିଲା,’’ କୁହନ୍ତି ମହାରାଜ । ‘‘କେବଳ ୧୫ ଏକର ଚାଷ ହୋଇପାରୁଥିଲା ଏବଂ କେବଳ ଗୋଟିଏ ଫସଲ ।’’
୨୦୧୬ ରେ, ଗାଁର ଲୋକମାନେ ଏହାକୁ ନିଜ ହାତକୁ ନେବା ପାଇଁ ସ୍ଥିର କଲେ ଏବଂ ଏହାକୁ ପୁନଃନିର୍ମାଣ କରିବା ପାଇଁ ସେମାନେ ଶ୍ରମ ଦାନ (ଦାନ ଭାବରେ ସେମାନଙ୍କର ଶ୍ରମ ଦେବା) କଲେ । ମହାରାଜ କୁହନ୍ତି, ‘‘ଆମେ ମାଟି ଖୋଳିଲୁ, ବୋହିଲୁ, ପଥର ଭାଙ୍ଗିଲୁ ଏବଂ ସେଗୁଡ଼ିକୁ ରଖିଲୁ ଏବଂ ଗୋଟିଏ ମାସ ମଧ୍ୟରେ ଆମେ ଡ୍ୟାମ ନିର୍ମାଣ ଶେଷ କଲୁ । ସମସ୍ତ ଲୋକ ଆମ ଗାଁର ଥିଲେ, ପ୍ରାୟତଃ ଆଦିବାସୀ ଏବଂ ଅନ୍ୟ କିଛି ପଛୁଆ ବର୍ଗର ଲୋକ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।’’
ନୂଆ ଡ୍ୟାମର ଆକାର ବଡ଼ ଏବଂ ଏଥିରେ ଗୋଟିଏ ନୁହେଁ ଦୁଇଟି ନଳା ଅଛି ଯାହା ପାଣିକୁ ସମାନ ଭାବରେ ପ୍ରବାହିତ କରିଥାଏ ଏବଂ ପୁଣିଥରେ ଭାଙ୍ଗିବାକୁ ଦେଇନଥାଏ । ଡ୍ୟାମ ଉପରେ କୌଣସି ବିପଦ ନାହିଁ ବୋଲି ନିଶ୍ଚିନ୍ତ ଏବଂ ଆଶ୍ୱସ୍ତ ହୋଇ ଠିକ୍ ବର୍ଷା ହେବା ପୂର୍ବରୁ ମହାରାଜ ଏବଂ ସୁରେନ ନିଜ ନିଜ ଘରକୁ ଫେରିଥିଲେ ।
ଅନୁବାଦ : ଓଡ଼ିଶାଲାଇଭ୍