‘ଗାନ୍ଧୀ ଓ ନେହରୁ
ହୃଦୟଙ୍ଗମ କରିପାରିଥିଲେ ଯେ ଆମ୍ବେଦକରଙ୍କ ବିନା ସେମାନେ ଆଇନ ଓ ସମ୍ବିଧାନ ଲେଖିପାରିବେ ନାହିଁ
। ଏଥିପାଇଁ ଆମ୍ବେଦକର ହିଁ ସବୁଠୁ ସମର୍ଥ ବ୍ୟକ୍ତି ଥିଲେ। ସେ ଏହି ଭୂମିକା ପାଇଁ କାହାରିକୁ ଗୁହାରି
କରିନଥିଲେ।’
ଶୋଭାରାମ ଗେହେରୱାର, ଯାଦୁଗର ବସ୍ତି (ଯାଦୁକର ବସ୍ତି),
ଅଜମେର, ରାଜସ୍ଥାନ
‘ଆମେ ବୋମା ତିଆରି କରୁଥିବା ସ୍ଥାନକୁ ବ୍ରିଟିଶ ପୋଲିସ୍ ଘେରି ନେଇଥିଲେ। ଏହା ଅଜମେର ନିକଟବର୍ତ୍ତୀ ଜଙ୍ଗଲର ଏକ ପାହାଡ଼ ଉପରେ ଥିଲା। ସେହି ପାଖରେ ଏକ ଝରଣା ମଧ୍ୟ ବୋହି ଯାଇଥିଲା, ଯେଉଁଠିକୁ ଗୋଟିଏ ବାଘ ପାଣି ପିଇବାକୁ ଆସୁଥିଲା। ସେହି ବାଘ ଆସୁଥିଲା ଓ ଚାଲି ଯାଉଥିଲା। ବେଳେବେଳେ ଆମେ ପିସ୍ତଲରୁ ଉପରକୁ ଫାଙ୍କା ଗୁଳି ଚାଳନା କରୁଥିଲୁ, ଏଥିରୁ ବାଘଟିକୁ ଶିକ୍ଷା ମିଳିଯାଉଥିଲା ଯେ, ସେ ଆସିବ, ପାଣି ପିଇବ ଓ ନିଜ ବାଟରେ ଚାଲିଯିବ। ନଚେତ ଆମେ ଉପରକୁ ଫାଙ୍କା ଗୁଳି ଚାଳନା ନକରି ତା’ ଆଡ଼କୁ ଗୁଳି ମାରିଥାନ୍ତୁ।
‘କିନ୍ତୁ ସେଦିନ ବ୍ରିଟିଶମାନେ ଆମ ଗୁପ୍ତ ଠିକଣା ବିଷୟରେ ଜାଣିନେଲେ ଏବଂ ସେହି ସ୍ଥାନର ନିକଟତର ହେଲେ। ଯାହାହେଲେ ବି ସେତେବେଳେ ବ୍ରିଟିଶ ରାଜର ସମୟ ଥିଲା। ତେଣୁ ଆମେ କିଛି ବୋମା ବିସ୍ଫୋରଣ କଲୁ – ମୁଁ ନୁହେଁ, ମୁଁ ବହୁତ ଛୋଟ ଥିଲି, ମୋ ଠାରୁ ବୟସରେ ବଡ଼ କିଛି ସାଥୀ ସେଠାରେ ଥିଲେ – ସେହି ସମୟରେ ବାଘ ପାଣି ପିଇବା ପାଇଁ ଆସିଥିଲା।’
‘ବାଘ ପାଣି ପିଇଲା ନାହିଁ ଓ ସେଠାରୁ ଦୌଡ଼ି ପଳାଇଲା, ଠିକ୍ ବ୍ରିଟିଶ ପୋଲିସ୍ଙ୍କ ପଛରେ ଦୌଡ଼ିଲା। ସେମାନେ ସମସ୍ତେ ଦୌଡ଼ିବା ଆରମ୍ଭ କଲେ। ସେମାନଙ୍କ ପଛରେ ଗୋଟିଏ ବାଘ ଥିଲା। ସେମାନଙ୍କ ମଧ୍ୟରୁ କିଛି ପାହାଡ଼ କଡ଼ରେ ଖସିପଡ଼ିଲେ, ଆଉ କିଛି ରାସ୍ତାରେ ପଡ଼ିଗଲେ। ଦଳାଚକଟାରେ ଦୁଇ ଜଣ ପୋଲିସ୍କର୍ମୀ ପ୍ରାଣ ହରାଇଥିଲେ। ସେଠାକୁ ଆସିବା ପାଇଁ ପୋଲିସ୍ର ଆଉ ସାହସ ହେଲା ନାହିଁ । ସେମାନେ ଆମକୁ ଡରୁଥିଲେ । ୱ ତୌବା କରତେ ଥେ (ଆମକୁ ସେମାନେ ଡରୁଥିଲେ)।’
ବାଘ ସେ କୋଳାହଳ ମଧ୍ୟରୁ ସୁରକ୍ଷିତ ଭାବେ ବାହାରିଗଲା। ଆଉ ତା’ପର ଦିନ ପାଣି ପିଇବାକୁ ଆସିଲା।
ଶୋଭାରାମ ଗେହେରୱାର ହେଉଛନ୍ତି ବର୍ତ୍ତମାନ ୯୬ ବର୍ଷ ବୟସରେ ଉପନୀତ ହୋଇଥିବା ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀ । ୧୪ ଏପ୍ରିଲ ୨୦୨୨ରେ ଅଜମେରସ୍ଥିତ ନିଜ ଘରେ ସେ ଆମ ସହ କଥା ହେଉଛନ୍ତି । ଆଜକୁ ପ୍ରାୟ ଗୋଟିଏ ଶତାବ୍ଦୀ ପୂର୍ବରୁ ସେ ଯେଉଁ ଦଳିତ ବସ୍ତିରେ ଜନ୍ମ ନେଇଥିଲେ ଏବେ ବି ସେଠାରେ ରହୁଛନ୍ତି । କେବେ ବି ଅଧିକ ଆରାମଦାୟକ ବାସଭବନକୁ ଚାଲି ଯିବା ପାଇଁ ଇଚ୍ଛା ପ୍ରକାଶ କରିନାହାନ୍ତି । ସେ ଦୁଇ ଥର ପୌରପାଳିକା ପାରିଷଦ ରହିସାରିଛନ୍ତି । ଇଚ୍ଛା କରିଥିଲେ ତାଙ୍କୁ ସହଜରେ ଏମିତି ସୁବିଧା ମିଳିପାରିଥାନ୍ତା। ବିଂଶ ଶତାବ୍ଦୀର ୩୦ ଏବଂ ୪୦ ଦଶକରେ ବ୍ରିଟିଶ ରାଜ ସହିତ ତାଙ୍କ ସଂଘର୍ଷର ସେ ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଥାନ୍ତି।
ଏମିତି କିଛି ଗୁପ୍ତ ବୋମା କାରଖାନା ଥିଲା କି ଯାହା ବିଷୟରେ ସେ କଥା ହେଉଛନ୍ତି?
‘ଆରେ, ଏହା ଜଙ୍ଗଲରେ ଥିଲା। କାରଖାନା ନୁହେଁ... ଫ୍ୟାକ୍ଟ୍ରୀ ମେଁ ତୋ କେଞ୍ଚି ବନ୍ତି ହେଁ (କାରଖାନାରେ ସେମାନେ କଇଁଚି ତିଆରି କରିଥାନ୍ତି)। ଏଠାରେ ଆମେ (ଗୁପ୍ତ ପ୍ରତିରୋଧ ସ୍ଥାନ) ବୋମା ତିଆରି କରୁଥିଲୁ।’
ସେ କୁହନ୍ତି, ‘ଥରେ, ଚନ୍ଦ୍ରଶେଖର ଆଜାଦ ଆମକୁ ଭେଟିବାକୁ ଆସିଥିଲେ।’ ତାହା ବୋଧହୁଏ ୧୯୩୦ ମସିହାର ଶେଷ ଭାଗ କିମ୍ବା ୧୯୩୧ ମସିହାର ପ୍ରାରମ୍ଭିକ ଭାଗର ସମୟ ହୋଇଥିବ। ସଠିକ ତାରିଖ ଅନିଶ୍ଚିତ । ‘ମୋତେ ସଠିକ୍ ତାରିଖ ବିଷୟରେ ପଚାର ନାହିଁ,’ ଶୋଭାରାମ କହିଥାନ୍ତି। ‘ପୂର୍ବରୁ ମୋ ପାଖରେ ସବୁକିଛି ଥିଲା, ମୋର ସବୁ କାଗଜପତ୍ର, ମୋର ସବୁ ଲେଖା ଓ ରେକର୍ଡ, ଏଇ ଘରେ ଥିଲା। ୧୯୭୫ରେ ବନ୍ୟା ଆସିଲା ଓ ମୁଁ ସବୁକିଛି ହରାଇଦେଲି।’
ଚନ୍ଦ୍ରଶେଖର ଆଜାଦ ସେହି ସଂଗ୍ରାମୀମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ, ଯେଉଁମାନେ ଭଗତ ସିଂହଙ୍କ ସହ ମିଶି ୧୯୨୮ ମସିହାରେ ହିନ୍ଦୁସ୍ତାନ ସୋଶାଲିଷ୍ଟ ରିପବ୍ଲିକାନ୍ ଆସୋସିଏସନର ପୁନର୍ଗଠନ କରିଥିଲେ । ୧୯୩୧ ମସିହା ଫେବୃଆରୀ ୨୭ ତାରିଖରେ, ଆହ୍ଲାବାଦର ଆଲଫ୍ରେଡ ପାର୍କଠାରେ ବ୍ରିଟିଶ ପୋଲିସ୍ ସହ ତାଙ୍କର ଗୁଳିବିନିମୟ ହୋଇଥିଲା। ପାଖରେ ମାତ୍ର ଗୋଟିଏ ଗୁଳି ବାକି ଥିବାରୁ ଚନ୍ଦ୍ରଶେଖର ଆଜାଦ୍ ସେହି ଗୁଳିରେ ନିଜର ପ୍ରାଣ ନେଇ ଯାଇଥିଲେ। ଏପରି କରି ସେ ଜୀବିତ ଧରା ନପଡ଼ିବା ଲାଗି ନିଜର ସଂକଳ୍ପକୁ ପୂରଣ କରିଥିଲେ ଏବଂ ସବୁଦିନ ପାଇଁ ‘ଆଜାଦ୍’ ବା ମୁକ୍ତ ରହିଯାଇଥିଲେ। ମୃତ୍ୟୁବରଣ କରିବା ସମୟରେ ତାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା।
ସ୍ୱାଧୀନତା ପରେ, ଆଲଫ୍ରେଡ ପାର୍କର ନାମ ବଦଳାଇ ଚନ୍ଦ୍ରଶେଖର ଆଜାଦ୍ ପାର୍କ କରି ଦିଆଯାଇଥିଲା।
ଏହି ୯୮ ବର୍ଷ ବୟସ୍କ ସ୍ୱାଧୀନତା ସଂଗ୍ରାମୀ ଜଣକ ନିଜକୁ ଉଭୟ ଗାନ୍ଧୀ ଓ ଆମ୍ବେଦକରଙ୍କ ଅନୁଗାମୀ ବୋଲି ମାନନ୍ତି। ସେ କୁହନ୍ତି, ‘ମୁଁ କେବଳ ନିଜ ପସନ୍ଦର ଆଦର୍ଶକୁ ଅନୁସରଣ କରିଥାଏ’
ଏପଟେ ଅଜମେରରେ ଶୋଭାରାମ କୁହନ୍ତି, ‘ଆଜାଦ୍ ଆସିଥିଲେ ଏବଂ ସେହି ସ୍ଥାନ (ବୋମା ନିର୍ମାଣକାରୀଙ୍କ ଶିବିର) ଦେଖିଥିଲେ’। ‘ଆମେ କିପରି ଆମ ବୋମାକୁ ଆହୁରି ପ୍ରଭାବୀ କରିପାରିବୁ ସେଥିପାଇଁ ସେ ଆମର ମାର୍ଗଦର୍ଶନ କରିଥିଲେ। ସେ ଆମକୁ ଏକ ଭଲ ଉପାୟ ଦେଇଥିଲେ। ଏପରିକି ସ୍ୱାଧୀନତା ସଂଗ୍ରାମୀମାନେ କାମ କରିଥିବା ସ୍ଥାନରେ ସେ ତିଲକ ମଧ୍ୟ ଲଗାଇଥିଲେ। ତା’ପରେ ସେ ବାଘ ଦେଖିବାକୁ ଚାହୁଁଥିବା କଥା ଆମକୁ କହିଥିଲେ। ଆମେ ତାଙ୍କୁ ରାତିରେ ରହିବା ପାଇଁ କହିଲୁ ଯାହାଫଳରେ ସେ ବାଘକୁ ଦେଖିପାରିବେ।’
‘ତା’ପରେ ବାଘ ଆସିଲା ଓ ଚାଲିଗଲା, ଆଉ ଆମେ ଫାଙ୍କା ଗୁଳି ଚାଳନା କଲୁ। ଆମେ କାହିଁକି ଗୁଳି ମାରିଲୁ ବୋଲି ଚନ୍ଦ୍ରଶେଖର ଜୀ ପଚାରିଲେ। ଆମେ ତାଙ୍କୁ କହିଲୁ ଯେ ବାଘ ଜାଣିଛି ଆମେ ତା’ର କ୍ଷତି କରିବୁ, ତେଣୁ ସେ ଗୁଳି ଫୁଟିବା ଶବ୍ଦ ଶୁଣି ଚାଲିଯାଇଥାଏ।’ ଏହା ଏକ ବ୍ୟବସ୍ଥା ଥିଲା ଯାହାକି ବାଘକୁ ପାଣି ଓ ସଂଗ୍ରାମୀମାନଙ୍କୁ ସୁରକ୍ଷା ଦେଉଥିଲା।
‘କିନ୍ତୁ ମୁଁ ତୁମକୁ ଯେଉଁଦିନ କଥା କହୁଛି ସେଦିନ ପ୍ରଥମେ ବ୍ରିଟିଶ ପୋଲିସ୍ ଆସିଥିଲେ। ଆଉ ଯାହା ମୁଁ କହିଲି ସେଠାରେ କୋଳାହଳ ଓ ଦଳାଚକଟା ହୋଇଥିଲା।’
ଏହି ବିଚିତ୍ର ଲଢ଼େଇ କିମ୍ବା ତା’ସହ ଜଡ଼ିତ ସଂଘର୍ଷରେ ତାଙ୍କର କୌଣସି ବ୍ୟକ୍ତିଗତ ଭୂମିକା ନଥିଲା ବୋଲି ଶୋଭାରାମ ଦାବି କରିଥାନ୍ତି। ଯଦିଓ ସେ ଏସବୁ ପ୍ରତ୍ୟକ୍ଷ ଭାବେ ଦେଖିଥିଲେ। ସେ କୁହନ୍ତି, ଯେତେବେଳେ ଆଜାଦ୍ ଆସିଥିଲେ ତାଙ୍କ ବୟସ ସେତେବେଳେ ୫ ବର୍ଷରୁ ଅଧିକ ହୋଇନଥିବ । ‘ସେ ଲୁଚି ବୁଲୁଥିଲେ। ଆମ କାମ ଥିଲା ବୋମା ତିଆରି ହେଉଥିବା ଜଙ୍ଗଲ ଓ ପାହାଡ଼ ଉପରକୁ ତାଙ୍କୁ ବାଟ କଢ଼େଇ ନେବା । ଆମେ ଦୁଇ ଜଣ ପିଲା ସେ ଓ ତାଙ୍କର ଜଣେ ସହଯୋଗୀଙ୍କୁ ସେହି ଶିବିରକୁ ନେଇ ଯାଇଥିଲୁ।’
ବାସ୍ତବରେ ଏହା ଏକ ଚତୁର ପ୍ରଲୋଭନର ଖେଳ ଥିଲା। ନିରୀହ ଦେଖା ଯାଉଥିବା କକା-ପୁତୁରା ସାଥୀରେ ବୁଲିବା ଭଳି ଦୃଶ୍ୟ।
‘ଆଜାଦ୍ ସେହି କର୍ମଶାଳା ଦେଖିଲେ – ତାହା କାରଖାନା ନଥିଲା – ଏବଂ ଆମର ପିଠି ଥାପୁଡ଼ାଇ ଦେଲେ। ଆଉ ସେ ଆମ ପିଲାମାନଙ୍କୁ କହିଲେ : “ ଆପ୍ ତୋ ଶେର୍ କେ ବଚେ ହେଁ ” (ଆପଣମାନେ ତ’ ସିଂହ ଛୁଆ)। ଆପଣମାନେ ସାହସୀ ଆଉ ମୃତ୍ୟୁକୁ ଡରୁ ନାହାନ୍ତି ।’’ ଏପରିକି ଆମ ପରିବାର ଲୋକମାନେ କହିଥିଲେ, “ତୁମେ ମରିଗଲେ କିଛି ଯାଏ ଆସେ ନାହିଁ । ତୁମେମାନେ ଏସବୁ କାମ ଆମ ସ୍ୱାଧୀନତା ପାଇଁ ଏସବୁ କରୁଛ।”
*****
‘ଗୁଳି ମୋତେ ମାରି ପାରିଲା ନାହିଁ କିମ୍ବା ସ୍ଥାୟୀ ଭାବେ ଅକ୍ଷମ କଲା ନାହିଁ। ତାହା ମୋ ଗୋଡ଼ରେ ବାଜି ଆଗକୁ ଚାଲିଗଲା। ଦେଖ?’ ଆଉ ଏହା କହି ସେ ଆମକୁ ତାଙ୍କ ଡାହାଣ ଗୋଡ଼ର ସେହି ସ୍ଥାନକୁ ଦେଖାଇଲେ ଯେଉଁଥିରେ ଗୁଳି ବାଜିଥିଲା, ଠିକ୍ ତାଙ୍କର ଆଣ୍ଠୁ ତଳେ। ଗୁଳି ତାଙ୍କ ଗୋଡ଼ ଭିତରେ ରହିନଥିଲା। କିନ୍ତୁ ତାହା ଏକ ଯନ୍ତ୍ରଣାଦାୟକ ଆଘାତ ଥିଲା। ସେ କୁହନ୍ତି, ‘ମୁଁ ଅଚେତ ହୋଇଗଲି ଏବଂ ସେମାନେ ମୋତେ ଡାକ୍ତରଖାନା ନେଇଗଲେ।’
ତାହା ପ୍ରାୟ ୧୯୪୨ ମସିହାର ଘଟଣା ଥିଲା, ସେତେବେଳକୁ ସେ ସାମାନ୍ୟ ବଡ଼ ହୋଇଯାଇଥିଲେ। ଅର୍ଥାତ୍ ୧୬ ବର୍ଷ ହୋଇଥିଲା ତାଙ୍କୁ, ଆଉ ସେ ପ୍ରତ୍ୟକ୍ଷ ଭାବେ ଆନ୍ଦୋଳନରେ ଭାଗ ନେଉଥିଲେ। ଆଜି ୯୬ ବର୍ଷ ବୟସରେ, ଶୋଭାରାମ ଗେହରୱାର ଖୁବ ସୁସ୍ଥ ଦେଖାଯାଉଛନ୍ତି – ଛଅ ଫୁଟରୁ ଅଧିକ ଲମ୍ବା, ଫିଟ୍, ସିଧା ଓ ସକ୍ରିୟ। ରାଜସ୍ଥାନର ଅଜମେରସ୍ଥିତ ନିଜ ଘରେ ଆମ ସହ ସେ କଥା ହେଉଛନ୍ତି। ୯ ଦଶନ୍ଧି ଧରି ନିଜର ବ୍ୟସ୍ତ ଜୀବନ ବିଷୟରେ ଆମକୁ କହୁଛନ୍ତି। ବର୍ତ୍ତମାନ ଆମକୁ ସେ ବିଗତ ଦିନ କଥା କହୁଛନ୍ତି ଯେତେବେଳେ ତାଙ୍କ ଶରୀରରେ ଗୁଳି ବାଜିଥିଲା।
‘ଗୋଟିଏ ସଭା ହେଉଥାଏ ଏବଂ କେହି ଜଣେ ବ୍ରିଟିଶ ରାଜ ବିରୋଧରେ “ସାମାନ୍ୟ ଅନିୟନ୍ତ୍ରିତ ହୋଇ” କିଛି କଥା କହିଦେଲେ। ତେଣୁ ପୋଲିସ୍ କିଛି ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଠାଇ ନେଲା। ସେମାନେ ଏହାର ଜବାବ ଦେଲେ ଏବଂ ପୋଲିସ୍କୁ ପିଟିବା ଆରମ୍ଭ କଲେ। ସ୍ୱତନ୍ତ୍ରତା ସେନାନୀ ଭବନ (ସ୍ୱାଧୀନତା ସଂଗ୍ରାମୀ’ ଭବନ) ଠାରେ ଏହି ଘଟଣା ଘଟିଥିଲା। ନିଶ୍ଚିତ ଭାବେ ଏହି ନାମ ସ୍ୱାଧୀନତା ପରେ ଦିଆଯାଇଥିଲା। ସେତେବେଳେ ଏହାର କିଛି ନିର୍ଦ୍ଦିଷ୍ଟ ନାମ ନଥିଲା।
‘ସେଠାରେ ଆୟୋଜିତ ସାଧାରଣ ସଭାରେ, ସ୍ୱାଧୀନତା ସଂଗ୍ରାମୀମାନେ ଦୈନିକ ସାଧାରଣ ଲୋକଙ୍କୁ ଭାରତ ଛାଡ଼ ଆନ୍ଦୋଳନ ବିଷୟରେ ସଚେତନ କରାଉଥିଲେ। ସେମାନେ ବ୍ରିଟିଶ ରାଜ୍ର ମୁଖା ଖୋଲି ଦେଇଥିଲେ । ସାରା ଅଜମେରରୁ ଲୋକମାନେ ଆସି ସେଠାରେ ଅପରାହ୍ଣ ୩ଟା ବେଳେ ଏକତ୍ରିତ ହେଉଥିଲେ। ଆମେ କେବେ କାହାକୁ ଡାକିନଥିଲୁ – ସେମାନେ ଆସୁଥିଲେ। ସେହି ସ୍ଥାନରେ ହିଁ କଟୁ ଭାଷଣ ଦିଆଯାଇଥିଲା ଏବଂ ଗୁଳିକାଣ୍ଡ ଘଟିଥିଲା।’
‘ଡାକ୍ତରଖାନାରେ ମୋର ଯେତେବେଳେ ଚେତା ଫେରିଲା, ପୋଲିସ୍ ମୋତେ ଦେଖିବାକୁ ଆସିଥିଲା। ସେମାନେ ନିଜ କାମ କରିଥିଲେ; ସେମାନେ କିଛି ଲେଖିଲେ। କିନ୍ତୁ ସେମାନେ ମୋତେ ଗିରଫ କଲେ ନାହିଁ। ସେମାନେ କହିଲେ: “ତା’କୁ ଗୁଳିମାଡ଼ ହୋଇଛି। ତା’ପାଇଁ ସେତିକି ଦଣ୍ଡ ଯଥେଷ୍ଟ।”
ସେ କୁହନ୍ତି, ପୋଲିସ୍ ଦୟାପରବଶ ହୋଇ ତାହା କରିନଥିଲା। ଯଦି ପୋଲିସ୍ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥାନ୍ତା, ତା’ହେଲେ ସେମାନଙ୍କୁ ଏହା ସ୍ୱୀକାର କରିବାକୁ ପଡ଼ିଥାନ୍ତା ଯେ ସେମାନେ ଶୋଭାରାମଙ୍କୁ ଗୁଳିମାଡ଼ କରିଛନ୍ତି। ଅନ୍ୟପଟେ ସେ ପୋଲିସ୍ ବିରୋଧରେ କୌଣସି ଉତ୍ତେଜନାମୂଳକ ଭାଷଣ ଦେଇନଥିଲେ। ନା ସେ କାହା ବିରୋଧରେ କୌଣସି ହିଂସା ପ୍ରୟୋଗ କରିଥିଲେ।
‘ବ୍ରିଟିଶମାନେ ନିଜର ସମ୍ମାନ ବଞ୍ଚାଇବାକୁ ଚାହୁଁଥିଲେ,’ ସେ କୁହନ୍ତି। ‘ଆମେ ମରିଗଲେ ସୁଦ୍ଧା ସେମାନଙ୍କୁ କୌଣସି ଫରକ ପଡ଼ୁନଥିଲା। ବର୍ଷ ବର୍ଷ ଧରି ଏମିତି କେତେ ଲୋକ ପ୍ରାଣବଳି ଦେବା ପରେ ଏ ଦେଶକୁ ସ୍ୱାଧୀନତା ମିଳିଥିଲା। ଯେମିତି କୁରୁକ୍ଷେତ୍ରରେ ସୂର୍ଯ୍ୟ କୁଣ୍ଡ ଯୋଦ୍ଧାମାନଙ୍କ ରକ୍ତରେ ପରିପୂର୍ଣ୍ଣ ହୋଇଯାଇଥିଲା। ଆପଣମାନେ ଏହାକୁ ଧ୍ୟାନରେ ରଖିବା ଉଚିତ୍। ଆମେ ଏତେ ସହଜରେ ଆମର ସ୍ୱାଧୀନତା ପାଇନଥିଲୁ। ଏଥିପାଇଁ ଆମକୁ ନିଜ ରକ୍ତ ବୁହାଇବାକୁ ପଡ଼ିଥିଲା। କୁରୁକ୍ଷେତ୍ରଠାରୁ ଅଧିକ ରକ୍ତ। ଆଉ ଚାରି ଆଡ଼େ ଆନ୍ଦୋଳନ ଚାଲିଥିଲା। କେବଳ ଅଜମେରରେ ନୁହେଁ । ସବୁଆଡ଼େ ସଂଘର୍ଷ ଜାରି ରହିଥିଲା। ମୁମ୍ବାଇରେ, କଲିକତାରେ (ଏବେ କୋଲକାତା)
‘ଗୁଳି ମାଡ଼ ଖାଇ ଆହତ ହେବା ପରେ, ମୁଁ ବିବାହ ନକରିବା ପାଇଁ ନିଷ୍ପତ୍ତି ନେଲି,’ ସେ କୁହନ୍ତି। ‘କିଏ ଜାଣିଥିଲା ମୁଁ ସଂଗ୍ରାମରେ ଜୀବିତ ରହିବି କି ନାହିଁ? ତା’ଛଡ଼ା ନିଜକୁ ଏକ ସଙ୍ଗେ ସେବା (ସମାଜ ସେବା)ରେ ନିୟୋଜିତ ରଖିବା ଏବଂ ପରିବାର ଚଳାଇବା ମୋ ପକ୍ଷେ ସମ୍ଭବ ନଥିଲା।’ ଶୋଭାରାମ ତାଙ୍କ ଭଉଣୀ ଶାନ୍ତି ଓ ତାଙ୍କର ପୁଅଝିଅ ଏବଂ ନାତିନାତୁଣୀଙ୍କ ସହ ରହୁଛନ୍ତି। ଶାନ୍ତିଙ୍କ ବୟସ ୭୫ ବର୍ଷ ଓ ସେ ଶୋଭରାମଙ୍କଠାରୁ ୨୧ ବର୍ଷ ସାନ।
‘ଆପଣଙ୍କୁ ମୁଁ ଗୋଟିଏ କଥା କହିବି କି? ଶାନ୍ତି ଆମକୁ ପଚାରନ୍ତି। ତା’ପରେ ସେ ସମ୍ପୂର୍ଣ୍ଣ ଶାନ୍ତ ଓ ନିଶ୍ଚିତ ହୋଇ କଥା ହୁଅନ୍ତି। ‘କେବଳ ମୋ ପାଇଁ ଏ ଲୋକ ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛନ୍ତି। ମୁଁ ଓ ମୋର ପିଲାମାନେ ସାରା ଜୀବନ ତାଙ୍କର ଯତ୍ନ ନେଇଛୁ। ମୁଁ ୨୦ ବର୍ଷ ବୟସରେ ବାହା ହୋଇଥିଲି ଏବଂ ଏହାର କିଛି ବର୍ଷ ପରେ ବିଧବା ହୋଇଯାଇଥିଲି। ମୋ ସ୍ୱାମୀ ୪୫ ବର୍ଷ ବୟସରେ ପ୍ରାଣ ହରାଇଥିଲେ। ମୁଁ ସବୁବେଳେ ଶୋଭାରାମଙ୍କ ଯତ୍ନ ନେଇଛି ଏବଂ ଏହାକୁ ନେଇ ମୁଁ ଗର୍ବିତ। ଏବେ ମୋର ନାତି ଓ ନାତୁଣୀବୋହୂମାନେ ତାଙ୍କର ଯତ୍ନ ନେଉଛନ୍ତି।’
‘କିଛି ଦିନ ପୂର୍ବରୁ, ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ଜୀବନ ଚାଲିଯିବା ଭଳି ଅବସ୍ଥା ଚାଲି ଆସିଥିଲା। ତାହା ୨୦୨୦ର ଘଟଣା ଥିଲା। ମୁଁ ତାଙ୍କୁ ନିଜ କୋଳରେ ଧରି ତାଙ୍କ ପାଇଁ ପ୍ରାର୍ଥନା କରିଥିଲି। ଏବେ ଆପଣ ତାଙ୍କୁ ଜୀବିତ ଓ ସୁସ୍ଥ ଦେଖୁଛନ୍ତି।’
*****
ତା’ହେଲେ ଗୁପ୍ତ ଶିବିରରେ ତିଆରି ହୋଇଥିବା ସେହି ବୋମାଗୁଡ଼ିକ କ’ଣ ହେଲା?
‘ଯେଉଁଠି ଆବଶ୍ୟକ ହେଉଥିଲା ଆମେ ସେଠାକୁ ଯାଉଥିଲୁ। ଏବଂ ବହୁ ପରିମାଣରେ ବୋମା ଥିଲା। ମୁଁ ଭାବୁଛି, ସେହିସବୁ ବୋମା ନେଇ ମୁଁ ଦେଶର କୋଣ ଅନୁକୋଣକୁ ଯାତ୍ରା କରିଛି। ଆମେ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଥିଲୁ। ଷ୍ଟେସନରୁ ଆମେ ଅନ୍ୟ ପରିବହନ ମାଧ୍ୟମରେ ଯାତ୍ରା କରୁଥିଲୁ। ଏପରିକି ବ୍ରିଟିଶ ପୋଲିସ୍ ଆମକୁ ଡରୁଥିଲା।’
ସେସବୁ ବୋମା କେମିତି ଦେଖାଯାଉଥିଲା?
‘ଠିକ୍ ଏମିତି (ସେ ନିଜ ହାତରେ ଛୋଟ ଗୋଲାକାର ଆକୃତି କରନ୍ତି)। ଏହି ଆକାର – ଏକ ଗ୍ରେନେଡ୍ ଭଳି। ବିସ୍ଫୋରଣ କରିବା ଲାଗି ଆବଶ୍ୟକ ସମୟ ଅନୁସାରେ ଅନେକ ପ୍ରକାରର ବୋମା ଥିଲା। କିଛି ତୁରନ୍ତ ବିସ୍ଫୋରଣ ହେଉଥିଲା; ଆଉ କିଛି ଚାରି ଦିନ ଲାଗୁଥିଲା। ବୋମାଗୁଡ଼ିକୁ କିପରି ଖଞ୍ଜିବାକୁ ହେବ ସେ ସମ୍ପର୍କରେ ଆମ ନେତାମାନେ ବିସ୍ତୃତ ଭାବେ କହିବା ପରେ ସେଗୁଡ଼ିକୁ ଆମ ପାଖକୁ ପଠାଉଥିଲେ।
‘ସେତେବେଳେ ଆମର ବିଶେଷ ଚାହିଦା ଥିଲା! ମୁଁ କର୍ଣ୍ଣାଟକ ଯାଇଛି। ମହିଶୂର, ବେଙ୍ଗାଲୁରୁ ଏମିତି ସବୁ ସ୍ଥାନକୁ ଯାଇଛି । ଦେଖନ୍ତୁ, ଅଜମେର ଭାରତ ଛାଡ଼ ଆନ୍ଦୋଳନ ପାଇଁ, ସଂଗ୍ରାମ ପାଇଁ ଏକ ପ୍ରମୁଖ କେନ୍ଦ୍ର ଥିଲା। ସେମିତି ବନାରସ (ବାରଣାସୀ) ଥିଲା । ଆହୁରି ଗୁଜରାଟର ବରୋଦା ଏବଂ ମଧ୍ୟପ୍ରଦେଶର ଦାମୋହ ମଧ୍ୟ ଅନୁରୂପ କେନ୍ଦ୍ର ଥିଲା। ଲୋକମାନେ ଅଜମେରକୁ ଚାହିଁ ରହୁଥିଲେ। ଏ ସହରରେ ଆନ୍ଦୋଳନ ଦୃଢ଼ ଥିବା କହୁଥିଲେ। ସେମାନେ ଏଠାକାର ସ୍ୱାଧୀନତା ସଂଗ୍ରାମୀଙ୍କ ପଦାଙ୍କ ଅନୁସରଣ କରୁଥିଲେ। ନିଶ୍ଚିତ ଭାବେ, ଆହୁରି ଅନେକ ସଂଗ୍ରାମୀ ମଧ୍ୟ ଥିଲେ।’
କିନ୍ତୁ ସେମାନେ କିଭଳି ଟ୍ରେନ୍ ଯାତ୍ରା କରୁଥିଲେ? ସେମାନେ କେମିତି ଧରାପଡ଼ୁନଥିଲେ? ଡାକ ବିଭାଗ କଟକଣାରୁ ବର୍ତ୍ତିବା ପାଇଁ ସେମାନେ ନେତାମାନଙ୍କ ମଧ୍ୟରେ ଗୁପ୍ତ ଚିଠି କାରବାର କରୁଥିବା ବ୍ରିଟିଶମାନେ ସନ୍ଦେହ କରୁଥିଲେ। ଆହୁରି ସେମାନେ ସନ୍ଦେହ କରୁଥିଲେ ଯେ କିଛି ଯୁବକ ବୋମା ନେବା ଆଣିବା କରୁଛନ୍ତି।
‘ତତ୍କାଳୀନ ସମୟରେ ଡାକରେ ଯାଉଥିବା ଚିଠିକୁ ଯାଞ୍ଚ କରାଯାଉଥିଲା ଏବଂ ଖୋଲି ପଢ଼ାଯାଉଥିଲା। ଏଥିରୁ ବର୍ତ୍ତିବା ପାଇଁ ଆମ ନେତାମାନେ କିଛି ଯୁବକଙ୍କୁ ନେଇ ଏକ ଦଳ ଗଢ଼ିଥିଲେ ଏବଂ ଆମକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ପତ୍ର ନେଇଯିବା ପାଇଁ ତାଲିମ ଦେଇଥିଲେ। “ତୁମକୁ ଏ ପତ୍ର ନେଇ ବରୋଦାରେ ଥିବା ଡକ୍ଟର ଆମ୍ବେଦକରଙ୍କୁ ଦେବାକୁ ପଡ଼ିବ।” କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ, ଅନ୍ୟ କେଉଁ ସ୍ଥାନରେ । ଆମେ ନିଜ ଅନ୍ତର୍ବାସ ଭିତରେ, ଜଙ୍ଘ ସନ୍ଧିରେ ରଖୁଥିଲୁ।
‘ବ୍ରିଟିଶ ପୋଲିସ୍ ଆମକୁ ଅଟକାଇ ପ୍ରଶ୍ନ କରୁଥିଲା। ଆମକୁ କୌଣସି ଟ୍ରେନରେ ଦେଖିଲେ ସେମାନେ ପଚାରୁଥିଲେ: “ତୁମେ ଆମକୁ ସେହି ସ୍ଥାନକୁ ଯାଉଛ ବୋଲି କହୁଥିଲେ, କିନ୍ତୁ ତୁମେମାନେ ଏବେ ଅନ୍ୟ କୌଣସି ସ୍ଥାନକୁ ଯାଉଛ ।” କିନ୍ତୁ ଏମିତି ହେବ ବୋଲି ଆମେ ଜାଣିଥିଲୁ ଓ ଆମର ନେତାମାନେ ଜାଣିଥିଲେ। ତେଣୁ ଯଦି ଆମେ ବନାରସ ଯାଉଥିଲୁ ତା’ହେଲେ ସେହି ସହର ଆସିବା ପୂର୍ବରୁ କିଛି ଦୂରରେ ଓହ୍ଲାଇ ଯାଉଥିଲୁ ।’
‘ବନାରସରେ ଯେମିତି ହେଉ ଡାକ (ଚିଠି) ପହଞ୍ଚାଇବାକୁ ହେବ ବୋଲି ଆମକୁ ପୂର୍ବରୁ କହି ଦିଆଯାଉଥିଲା। ଆମର ନେତାମାନେ ପରାମର୍ଶ ଦେଉଥିଲେ: “ସହରଠାରୁ କିଛି ଦୂରରେ ତୁମେ ଚେନ୍ ଟାଣି ଦେବ ଓ ଟ୍ରେନରୁ ଓହ୍ଲାଇଯିବ।” ଆମେ ତାହା ହିଁ କରୁଥିଲୁ।
‘ସେତେବେଳେ ଟ୍ରେନଗୁଡ଼ିକ ବାଷ୍ପଚାଳିତ ଇଞ୍ଜିନରେ ଚାଲୁଥିଲା। ଆମେ ଇଞ୍ଜିନ କୋଠରୀକୁ ଚାଲି ଯାଉଥିଲୁ ଏବଂ ରେଳ ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଉଥିଲୁ। “ଆଗ ତୁମକୁ ମାରିବୁ ଓ ତା’ପରେ ଯାଇ ଆମେ ମରିବୁ,” ଆମେ ତାଙ୍କୁ ଚେତାବନୀ ଦେଉଥିଲୁ। ତା’ପରେ ସେ ଓହ୍ଲାଇବା ପାଇଁ ଗୋଟିଏ ସ୍ଥାନ ଠିକ୍ କରୁଥିଲେ। ସିଆଇଡି, ପୋଲିସ୍ ବେଳେ ବେଳେ ଆସି ଯାଞ୍ଚ କରୁଥିଲେ । ଆଉ ଦେଖୁଥିଲେ ମୁଖ୍ୟ ବଗିରେ କେବଳ ସାଧାରଣ ଯାତ୍ରୀ ବସିଛନ୍ତି।’
‘ଯେମିତି ନିର୍ଦ୍ଦେଶ ଦିଆଯାଉଥିଲା ସେହି ଅନୁଯାୟୀ ଆମେ ନିର୍ଦ୍ଦିଷ୍ଟ ସ୍ଥାନରେ ଚେନ୍ ଟାଣି ଦେଉଥିଲୁ। ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ରେନ୍ ଅଟକି ରହୁଥିଲା। ତା’ପରେ ରାତି ହେଲେ କିଛି ସ୍ୱାଧୀନତା ସଂଗ୍ରାମୀ ଘୋଡ଼ା ନେଇ ଆସୁଥିଲେ। ଆମେ ସେହି ଘୋଡ଼ାରେ ବସି ଲୁଚି ପଳାଉଥିଲୁ। ଏପରିକି, ଟ୍ରେନ୍ ପହଞ୍ଚିବା ପୂର୍ବରୁ ଆମେ ବନାରସରେ ପହଞ୍ଚି ଯାଉଥିଲୁ!’
‘ଥରେ ମୋ ନାଁରେ ଏକ ୱାରେଣ୍ଟ ଆସିଥିଲା। ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ସମୟରେ ଆମେ ଧରା ପଡ଼ିଯାଇଥିଲୁ। କିନ୍ତୁ ଆମେ ସେସବୁ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲୁ। ପୋଲିସ୍ ସେସବୁ ପାଇଥିଲା ଏବଂ ଆମେ କେଉଁ ପ୍ରକାରର ବିସ୍ଫୋରକ ବ୍ୟବହାର କରୁଛୁ ତାହା ଯାଞ୍ଚ କରିଥିଲା। ସେମାନେ ଆମକୁ ଖୋଜିଥିଲେ। ତେଣୁ ଆମେ ଅଜମେର ଛାଡ଼ି ପଳାଇବୁ ବୋଲି ନିଷ୍ପତ୍ତି ହେଲା। ମୋତେ ବମ୍ବେ (ତତ୍କାଳୀନ) ପଠାଇ ଦିଆଗଲା।
ମୁମ୍ବାଇରେ ତାଙ୍କୁ କିଏ ଲୁଚାଇଥିଲା ଓ ଆଶ୍ରା ଦେଇଥିଲା?
‘ପୃଥ୍ଵୀରାଜ କପୁର,’ ସେ ଗର୍ବର ସହିତ କହିଥାନ୍ତି। ୧୯୪୧ ମସିହା ବେଳକୁ ଏହି ମହାନ ଅଭିନେତା ପ୍ରସିଦ୍ଧିର ନିକଟତର ହୋଇସାରିଥାନ୍ତି। କୁହାଯାଏ, ଯଦିଓ ଏହାର ସଠିକ ପ୍ରମାଣ ମିଳିବା କଷ୍ଟକର, ୧୯୪୩ ମସିହାରେ ପ୍ରତିଷ୍ଠା କରାଯାଇଥିବା ଇଣ୍ଡିଆନ ପିପୁଲ୍ସ ଥିଏଟର ଆସୋସିଏସନର ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ। ଶ୍ରୀ କପୁର ଓ ବମ୍ବେ ମଞ୍ଚ ଓ ଚଳଚ୍ଚିତ୍ର ଜଗତର ଆଉ କିଛି ଅଗ୍ରଣୀ ବ୍ୟକ୍ତିବିଶେଷ ସ୍ୱାଧୀନତା ଆନ୍ଦୋଳନକୁ ବିଶେଷ ସମର୍ଥନ ଯୋଗାଇ ଦେଉଥିଲେ ଏବଂ ପ୍ରତ୍ୟକ୍ଷ ଭାବେ ମଧ୍ୟ ସମ୍ପୃକ୍ତ ରହିଥିଲେ।
‘ସେ ମୋତେ ତାଙ୍କର ଜଣେ ସମ୍ପର୍କୀୟ ତ୍ରିଲୋକ କପୁରଙ୍କ ପାଖକୁ ପଠାଇଥିଲେ। ମୁଁ ଭାବୁଛି ସେ କିଛି ବର୍ଷ ପରେ ହର ହର ମହାଦେବ ନାମକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।’ ବାସ୍ତବରେ ତ୍ରିଲୋକ ଥିଲେ ପୃଥ୍ଵୀରାଜ କପୁରଙ୍କ ସାନ ଭାଇ, ଯଦିଓ ଏ ବିଷୟରେ ଶୋଭାରାମ ଜାଣିଥିଲେ। ସେ ତାଙ୍କ ସମୟର ଅନ୍ୟତମ ସଫଳ ଅଭିନେତା ଥିଲେ। ହର ହର ମହାଦେବ ଥିଲା ୧୯୫୦ ମସିହାର ସବୁଠୁ ବଡ଼ ଚଳଚ୍ଚିତ୍ର।
‘ପୃଥ୍ଵୀରାଜ ଆମକୁ କିଛି ଦିନ ପାଇଁ ଏକ କାର୍ ଦେଇଥିଲେ ଏବଂ ଆମେ ବମ୍ବେରେ ବିଭିନ୍ନ ସ୍ଥାନ ବୁଲିଥିଲୁ। ପ୍ରାୟ ଦୁଇ ମାସ ଧରି ମୁଁ ବମ୍ବେ ସହରରେ ରହିଥିଲି। ତା’ପରେ ଆମେ ଫେରିଆସିଲୁ। ଅନ୍ୟ କାମ ପାଇଁ ଆମର ଦରକାର ପଡ଼ିଲା। ସେହି ୱାରେଣ୍ଟ ପାଖରେ ଥିଲେ ମୁଁ ଆପଣଙ୍କୁ ଦେଖାଇ ପାରିଥାନ୍ତି। ତାହା ମୋ ନାଁରେ ଥିଲା। ଆହୁରି ଅନ୍ୟ ଯୁବକମାନଙ୍କ ନାମରେ ମଧ୍ୟ ୱାରେଣ୍ଟ ଜାରି ହୋଇଥିଲା।
‘କିନ୍ତୁ ୧୯୭୫ ମସିହାରେ ଏଠାକୁ ଆସିଥିବା ବନ୍ୟା ସବୁକିଛି ନଷ୍ଟ କରି ଦେଇଥିଲା,’ ଦୁଃଖରେ ମ୍ରିୟମାଣ ହୋଇ ସେ କହିଥାନ୍ତି। ‘ମୋର ସବୁ କାଗଜ ଧୋଇଗଲା। ଜବାହରଲାଲ ନେହରୁ ଦେଇଥିବା ପ୍ରମାଣପତ୍ର ସମେତ ଆହୁରି ଅନେକ ପ୍ରମାଣପତ୍ର ମଧ୍ୟ ନଷ୍ଟ ହୋଇଗଲା। ସେସବୁ କାଗଜପତ୍ର ଦେଖିଥିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯାଇଥାନ୍ତା। କିନ୍ତୁ ସବୁକିଛି ଧୋଇଗଲା’।
*****
‘ମୋତେ କାହିଁକି ଗାନ୍ଧୀ ଓ ଆମ୍ବେଦକରଙ୍କ ମଧ୍ୟରୁ ଜଣକୁ ବାଛିବାକୁ ହେବ? ମୁଁ ଉଭୟଙ୍କୁ ବାଛିପାରିବି, ନୁହେଁ କି?’
ଆମେ ଅଜମେରସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ଥାଉ । ସେଦିନ ଏହି ମହାପୁରୁଷଙ୍କ ୧୩୧ତମ ଜନ୍ମ ବାର୍ଷିକୀ ଥାଏ ଏବଂ ଆମେ ଶୋଭାରାମ ଗେହେରୱାରଙ୍କୁ ସାଙ୍ଗରେ ନେଇ ଏଠାକୁ ଆସିଥାଉ। ତାଙ୍କୁ ଏହି ସ୍ଥାନକୁ ନେଇ ଆସିବା ଲାଗି ବୃଦ୍ଧ ଗାନ୍ଧୀବାଦୀ ଜଣଙ୍କ ଆମକୁ କହିଥିଲେ ଯାହାଫଳରେ ସେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିପାରିବେ । ଠିକ୍ ଏତିକି ବେଳେ ଦୁଇ ମହାପୁରୁଷଙ୍କ ମଧ୍ୟରୁ କାହାକୁ ବାଛିବେ ବୋଲି ଆମେ ତାଙ୍କୁ ପଚାରିଥିଲୁ।
ପୂର୍ବରୁ ସେ ତାଙ୍କ ଘରେ ଆମକୁ ଯାହା କହିଥିଲେ ଏଠାରେ ମଧ୍ୟ ସେହି କଥା ଦୋହରାଇଲେ। ‘ଦେଖ, ଆମ୍ବେଦକର ଓ ଗାନ୍ଧୀ, ଉଭୟ ମହାନ କାର୍ଯ୍ୟ କରିଛନ୍ତି। ଗୋଟିଏ କାର୍କୁ ଆଗକୁ ବଢ଼ାଇବାକୁ ହେଲେ ଦୁଇ ପଟରେ ଦୁଇଟି ଲେଖାଏଁ ଚକ ଦରକାର। ଏଥିରେ ବିରୋଧାଭାସ କେଉଁଠୁ ଆସିଲା? ଯଦି ମୁଁ ମହାତ୍ମାଙ୍କ ଆଦର୍ଶରେ କିଛି ଭଲ କଥା ଦେଖେ, ତା’କୁ ଅନୁସରଣ କରିଥାଏ। ଯେଉଁଠି ଉଚିତ୍ ଲାଗେ, ସେଠାରେ ମୁଁ ଆମ୍ବେଦକରଙ୍କ ଆଦର୍ଶକୁ ଅନୁକରଣ କରିଥାଏ’।
ସେ କୁହନ୍ତି, ଉଭୟ ଗାନ୍ଧୀ ଓ ଆମ୍ବେଦକର ଅଜମେର ଆସିଛନ୍ତି । ଆମ୍ବେଦକରଙ୍କ କ୍ଷେତ୍ରରେ, ‘ରେଳ ଷ୍ଟେସନରେ ଆମେ ତାଙ୍କୁ ଭେଟି ତାଙ୍କ ଗଳାରେ ଫୁଲମାଳ ଦେଉଥିଲୁ। ତାଙ୍କ ଟ୍ରେନ ଅନ୍ୟ କେଉଁ ସ୍ଥାନକୁ ଯିବା ସମୟରେ ଏଠାରେ କିଛି କ୍ଷଣ ପାଇଁ ରହୁଥିଲା।’ ଶୋଭାରାମ ନିଜର ବାଲ୍ୟାବସ୍ଥାରେ ଉଭୟଙ୍କୁ ଭେଟିଥିଲେ ।
‘୧୯୩୪ ମସିହାରେ ମୁଁ ଖୁବ୍ ଛୋଟ ଥିବା ସମୟରେ ମହାତ୍ମା ଗାନ୍ଧୀ ଏଠାକୁ ଆସିଥିଲେ। ଏଇ ଜାଗାରେ, ଏବେ ଆମେ ଯେଉଁଠି ବସିଛୁ । ଏଇ ଛୋଟ ଯାଦୁଗର ବସ୍ତି (ଯାଦୁକରଙ୍କ ବସ୍ତି)କୁ।’ ସେତେବେଳେ ଶୋଭାରାମଙ୍କୁ ବୋଧହୁଏ ୮ ବର୍ଷ ହୋଇଥିଲା।
‘ଆମ୍ବେଦକରଙ୍କ କ୍ଷେତ୍ରରେ, ଥରେ ମୋ ନେତାମାନେ ତାଙ୍କ ଉଦ୍ଦେଶ୍ୟରେ ଦେଇଥିବା କିଛି ଚିଠି ନେଇ ମୁଁ ବରୋଦା (ବର୍ତ୍ତମାନର ଭଦୋଦରା) ଯାଇଥିଲି। ପୋଲିସ୍ ଡାକ ଘରେ ଆମ ଚିଠି ଖୋଲି ଯାଞ୍ଚ କରୁଥିଲା। ତେଣୁ ଆମେ ଜରୁରି କାଗଜପତ୍ର ଓ ଚିଠି ବ୍ୟକ୍ତିଗତ ଭାବେ ନେଇ ପହଞ୍ଚାଉଥିଲୁ। ସେତେବେଳେ, ସେ ମୋ ମୁଣ୍ଡକୁ ଥାପୁଡ଼ାଇ ଦେଇ ପଚାରିଥିଲେ, “ତୁମେ ଅଜମେରରେ ରୁହ?”
ଶୋଭାରାମ କୋଲି ସମ୍ପ୍ରଦାୟର ବୋଲି ସେ ଜାଣିଥିଲେ କି?
‘ହଁ ମୁଁ ତାଙ୍କୁ କହିଥିଲି। କିନ୍ତୁ ଏ ବିଷୟରେ ସେ ବେଶୀ କିଛି କଥା ହୋଇନଥିଲେ। ସେ ସବୁକିଛି ବୁଝିପାରୁଥିଲେ। ସେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଥିଲେ। ମୋର କିଛି ଦରକାର ହେଲେ ତାଙ୍କୁ ପତ୍ର ଲେଖିବା ପାଇଁ ସେ ମୋତେ କହିଥିଲେ।’
‘ଦଳିତ’ ଓ ‘ହରିଜନ’ ପରିଚୟରେ ଶୋଭାରାମଙ୍କର କୌଣସି ଅସୁବିଧା ନାହିଁ। ଆହୁରି, ‘ଯଦି ଜଣେ କୋଲି ହୋଇଥାଏ ସେଥିରେ କ’ଣ ଅଛି । ଆମେ କାହିଁକି ଆମର ଜାତି ଲୁଚାଇବୁ? ଆମେ ଯେତେବେଳେ ହରିଜନ କିମ୍ବା ଦଳିତ କହୁ, ସେଥିରେ କ’ଣ ଫରକ ପଡ଼ିଥାଏ। ସର୍ବୋପରି ତୁମେ ସେମାନଙ୍କୁ ଯାହା କହି ସମ୍ବୋଧନ କର, ସେମାନେ ସମସ୍ତେ ଅନୁସୂଚିତ ଜାତି ହୋଇ ରହିବେ।’
ଶୋଭାରାମଙ୍କ ମାତାପିତା ହାତରେ ମଇଳା ସଫା କରୁଥିବା ଶ୍ରମିକ ଥିଲେ । ପ୍ରାୟତଃ ରେଳ ପ୍ରକଳ୍ପ ଚାରିପାଖରେ।
‘ସମସ୍ତେ ଦିନକୁ ମାତ୍ର ଗୋଟିଏ ଓଳି ଖାଉଥିଲେ,’ ସେ କୁହନ୍ତି। ‘ଆଉ ପରିବାରରେ କେହି କେବେ ମଦ ପିଉନଥିଲେ।’ ସେ ଆମକୁ ସୂଚାଇ ଦେଇଥିଲେ ଯେ, ରାଷ୍ଟ୍ରପତି (ଏବେ ପୂର୍ବତନ) ରାମନାଥ କୋବିନ୍ଦ ଯେଉଁ ଜାତିର ସେ ମଧ୍ୟ ସେହି ସମ୍ପ୍ରଦାୟର ଅଧିବାସୀ। ଏକଦା ସେ ଆମ ଅଖିଳ ଭାରତୀୟ କୋଲି ସମାଜର ସଭାପତି ଥିଲେ।’
ଶୋଭାରାମଙ୍କ ସମ୍ପ୍ରଦାୟକୁ ଶିକ୍ଷାଠାରୁ ବଞ୍ଚିତ ରଖାଯାଇଥିଲା। ବୋଧହୁଏ ଏହା ହିଁ ମୁଖ୍ୟ କାରଣ ଥିଲା ଯେଉଁଥିପାଇଁ ସେ ବିଳମ୍ବରେ ବିଦ୍ୟାଳୟରେ ନାମ ଲେଖାଇଥିଲେ। ସେ କୁହନ୍ତି, ‘ହିନ୍ଦୁସ୍ତାନରେ’ ଉଚ୍ଚଜାତିର ଲୋକମାନେ, ବ୍ରାହ୍ମଣମାନେ, ଜୈନମାନେ, ଓ ଅନ୍ୟମାନେ ବ୍ରିଟିଶମାନଙ୍କର ଗୋଲାମ ସାଜିଥିଲେ। ଏହି ଲୋକମାନେ ହିଁ ସବୁବେଳେ ଅସ୍ପୃଶ୍ୟତା ପ୍ରଥା ଜାରି ରଖିଥିଲେ।
‘ମୁଁ ଆପଣଙ୍କୁ କହୁଛି, ତତ୍କାଳୀନ ସମୟର କଂଗ୍ରେସ ଦଳ ଓ ଆର୍ଯ୍ୟ ସମାଜ ଯଦି ନଥାନ୍ତା ତା’ହେଲେ ଏଠାକାର ଅଧିକାଂଶ ଅନୁସୂଚିତ ଜାତିର ଲୋକମାନେ ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କରି ନେଇଥାନ୍ତେ । ଯଦି ଆମେ ପୁରୁଣା ମାର୍ଗରେ ଆଗକୁ ବଢ଼ିଥାନ୍ତୁ ତା’ହେଲେ କେବେ ସ୍ୱାଧୀନତା ହାସଲ କରିପାରିନଥାନ୍ତୁ।
‘ଦେଖନ୍ତୁ, ସେତେବେଳେ କେହି ଅସ୍ପୃଶ୍ୟମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇବାକୁ ଦେଉନଥିଲେ। ସେମାନେ କହୁଥିଲେ, ସେ ଜଣେ କଞ୍ଜର, କିମ୍ବା ସେ ଜଣେ ଡମ ଏବଂ ଆହୁରି ଏମିତି। ଆମକୁ ପୃଥକ ରଖାଯାଇଥିଲା। କେବଳ ମୁଁ ୧୧ ବର୍ଷ ବୟସରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିଲି। କାରଣ ତତ୍କାଳୀନ ସମୟର ଆର୍ଯ୍ୟ ସମାଜ ଲୋକମାନେ ଖ୍ରୀଷ୍ଟିଆନମାନଙ୍କୁ ମୁକାବିଲା କରିବାକୁ ଚେଷ୍ଟା କରୁଥିଲେ। ଲିଙ୍କ ରୋଡ୍ ଅଞ୍ଚଳରେ ମୋ ଜାତିର ଅଧିକାଂଶ ଲୋକ ଖ୍ରୀଷ୍ଟ ଧର୍ମ ଗ୍ରହଣ କରି ନେଇଥିଲେ। ତେଣୁ କିଛି ହିନ୍ଦୁ ସମୁଦାୟ ଆମକୁ ଗ୍ରହଣ କରିବା ଆରମ୍ଭ କରିଥିଲେ, ଏପରି ଆମକୁ ଦୟାନନ୍ଦ ଆଙ୍ଗଲୋ ବେଦିକ୍ (ଡିଏଭି) ସ୍କୁଲରେ ନାମ ଲେଖାଇବା ପାଇଁ ପ୍ରୋତ୍ସାହିତ କରୁଥିଲେ।
କିନ୍ତୁ ସେହି ଭେଦଭାବ ଦୂର ହେଲା ନାହିଁ ଏବଂ କୋଲି ସମାଜ ନିଜର ଏକ ବିଦ୍ୟାଳୟ ଆରମ୍ଭ କଲା।
‘ସେହି ସ୍ଥାନ, ସରସ୍ୱତୀ ବାଳିକା ବିଦ୍ୟାଳୟକୁ ଗାନ୍ଧୀଜୀ ଆସିଥିଲେ। ଆମ ସମାଜର ବରିଷ୍ଠ ଲୋକମାନେ ଏହି ବିଦ୍ୟାଳୟ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହା ଚାଲୁଛି । ଗାନ୍ଧୀ ଆମ କାମ ଦେଖି ଚକିତ ହୋଇଥିଲେ। “ଆପଣମାନେ ଏକ ଭଲ କାମ କରିଛନ୍ତି। ମୁଁ ଯାହା ଆଶା କରିଥିଲି ଆପଣମାନେ ତା’ଠାରୁ ଢେର ଆଗକୁ ବଢ଼ିଯାଇଛନ୍ତି,” ସେ କହିଥିଲେ।’
‘ଯଦିଓ ଆମ କୋଲିମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା, ଅନ୍ୟ ଜାତିର ପିଲାମାନେ ମଧ୍ୟ ଏଠାକୁ ପାଠ ପଢ଼ିବାକୁ ଆସୁଥିଲେ। ପ୍ରଥମେ, ସମସ୍ତ ଅନୁସୂଚିତ ଜାତିର ପିଲାମାନେ ଏଠାକୁ ଆସୁଥିଲେ। ପରେ, ଅନ୍ୟ ଜାତିର ପିଲାମାନେ ମଧ୍ୟ ଏହି ବିଦ୍ୟାଳୟକୁ ପଢ଼ିବାକୁ ଆସିଲେ। ଶେଷରେ, ଅଗ୍ରୱାଲ୍ (ଉଚ୍ଚ ଜାତି) ମାନେ ମଧ୍ୟ ଆମ ବିଦ୍ୟାଳୟକୁ ଆସିଲେ । ଆମ ପାଖରେ ପଞ୍ଜିକରଣ ଥିଲା। କିନ୍ତୁ ସେମାନେ ପରିଚାଳନା କାର୍ଯ୍ୟ ହାତକୁ ନେଇଗଲେ।’ ସେ ଏବେ ବି ସେହି ବିଦ୍ୟାଳୟକୁ ଯାଆନ୍ତି, କିମ୍ବା କୋଭିଡ-୧୯ ମହାମାରୀ ଆସିବା ପର୍ଯ୍ୟନ୍ତ ଯାଉଥିଲେ । ହେଲେ ମହାମାରୀ କାରଣରୁ ସବୁ ସ୍କୁଲ୍ ବନ୍ଦ ହୋଇଗଲା।
‘ହଁ, ମୁଁ ଏବେ ବି ଯାଏ। କିନ୍ତୁ ଏବେ ସେହି (ଉଚ୍ଚ ଜାତିର) ଲୋକମାନେ ସ୍କୁଲ୍ ପରିଚାଳନା କରୁଛନ୍ତି। ସେମାନେ ଏକ ବିଏଡ୍ କଲେଜ ମଧ୍ୟ ଖୋଲିଛନ୍ତି।
‘ମୁଁ କେବଳ ନବମ ଶ୍ରେଣୀ ଯାଏ ପାଠ ପଢ଼ିଛି । ତା’କୁ ନେଇ ମୁଁ ଏବେ ଅନୁତାପ କରୁଛି । ସ୍ୱାଧୀନତା ପରେ ମୋର କେତେଜଣ ବନ୍ଧୁ ଆଗକୁ ବଢ଼ି ଆଇଏଏସ ଅଧିକାରୀ ହୋଇଥିଲେ। ଅନ୍ୟମାନେ ଶୀର୍ଷ ସଫଳତା ହାସଲ କରିଥିଲେ। କିନ୍ତୁ ମୁଁ ନିଜକୁ ସେବା ପାଇଁ ସମର୍ପି ଦେଇଥିଲି।’
ଶୋଭାରାମ ଜଣେ ଦଳିତ ଏବଂ ଆତ୍ମଘୋଷିତ ଗାନ୍ଧୀବାଦୀ। ସେ ମଧ୍ୟ ଡକ୍ଟର ଆମ୍ବେଦକରଙ୍କ ଜଣେ ଦୃଢ଼ ପ୍ରଶଂସକ। ଆଉ ସେ ଆମକୁ ଏକଥା କୁହନ୍ତି ଯେ: ‘ମୁଁ ଉଭୟ ପକ୍ଷ, ଗାନ୍ଧୀବାଦ ଓ କ୍ରାନ୍ତିବାଦ (ଗାନ୍ଧୀବାଦୀ ମାର୍ଗ ଓ ବିପ୍ଳବୀ ଆନ୍ଦୋଳନ) ସହ ରହିଥିଲି। ଉଭୟ ପରସ୍ପର ସହ ନିବିଡ଼ ଭାବେ ଜଡ଼ିତ ଥିଲା।’ ତେଣୁ, ମୁଖ୍ୟତଃ ଜଣେ ଗାନ୍ଧୀବାଦୀ ହୋଇଥିବା ବେଳେ ସେ ତିନୋଟି ରାଜନୈତିକ ଧାରା ସହ ଯୋଡ଼ି ହୋଇଥିଲେ।
ଶୋଭାରାମ ଗାନ୍ଧୀଜୀଙ୍କୁ ଯେତିକି ଭଲ ପାଆନ୍ତି ଓ ପ୍ରଶଂସା କରନ୍ତି, ସେତିକି ସମାଲୋଚନା ମଧ୍ୟ କରିଥାନ୍ତି। ବିଶେଷ କରି ଆମ୍ବେଦକରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ।
‘ଆମ୍ବେଦକରଙ୍କ ମୁକାବିଲା କରିବା ସମୟରେ ଗାନ୍ଧୀଜୀ ଭୟଭୀତ ହୋଇଯାଇଥିଲେ। ସବୁ ଅନୁସୂଚିତ ଜାତିର ଲୋକମାନେ ବାବାସାହେବଙ୍କ ସହିତ ଯାଉଥିବାରୁ ଗାନ୍ଧୀଜୀ ଡରିଯାଇଥିଲେ। ନେହରୁଙ୍କ ଅବସ୍ଥା ମଧ୍ୟ ସେମିତି ହୋଇଥିଲା। ଏହା ଏକ ବଡ଼ ଆନ୍ଦୋଳନକୁ ଦୁର୍ବଳ କରିଦେବ ବୋଲି ସେମାନେ ଆଶଙ୍କା କରୁଥିଲେ। ତଥାପି, ସେମାନେ ଉଭୟ ଜାଣିଥିଲେ ଯେ ଆମ୍ବେଦକର ଜଣେ ସାମର୍ଥ୍ୟବାନ ଲୋକ। ଦେଶ ଯେତେବେଳେ ସ୍ୱାଧୀନତା ହାସଲ କଲା ସମସ୍ତେ ଏହି ଦ୍ଵନ୍ଦ୍ଵକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ।
‘ସେମାନେ ଅନୁଭବ କଲେ ଯେ ଆମ୍ବେଦକରଙ୍କ ବିନା ସେମାନେ ଆଇନ ଓ ସମ୍ବିଧାନ ଲେଖିପାରିବେ ନାହିଁ। ଏଥିପାଇଁ ସେ ହିଁ ଏକମାତ୍ର ଯୋଗ୍ୟ ବ୍ୟକ୍ତି ଥିଲେ। ସେ କାହାକୁ ଏହି ଭୂମିକା ମାଗିନଥିଲେ। ଆମ ଆଇନର ଢାଞ୍ଚା ଲେଖିବା ପାଇଁ ସମସ୍ତେ ତାଙ୍କୁ ନିବେଦନ କରିଥିଲେ। ସେ ଥିଲେ ଏ ଦୁନିଆର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଭଳି। ଜଣେ ମେଧାବୀ, ଶିକ୍ଷିତ ମଣିଷ। ତଥାପି, ଆମେ ହିନ୍ଦୁସ୍ତାନୀ ଲୋଗ୍ (ଲୋକ) ଅତି ନିଷ୍ଠୁର ଥିଲୁ। ୧୯୪୭ ପୂର୍ବରୁ ଓ ପରେ ଆମେ ତାଙ୍କ ସହ ଅତି ଖରାପ ବ୍ୟବହାର କରିଥିଲୁ। ଏପରିକି ସ୍ୱାଧୀନତା ଆନ୍ଦୋଳନର କାହାଣୀରୁ ତାଙ୍କୁ ବାଦ୍ ଦିଆଯାଇଥିଲା। ହଁ, ସେ ମୋ ପାଇଁ ଏକ ପ୍ରେରଣା ଥିଲେ, ଆଜି ବି ଅଛନ୍ତି।’
ଶୋଭାରାମ ଆହୁରି କୁହନ୍ତି, ‘ମୁଁ ହୃଦୟରୁ ସମ୍ପୂର୍ଣ୍ଣ ଭାବେ ଜଣେ କଂଗ୍ରେସ କର୍ମୀ। ଜଣେ ପ୍ରକୃତ କଂଗ୍ରେସକର୍ମୀ।’ ଏହାର ଅର୍ଥ ହେଉଛି ବର୍ତ୍ତମାନ ଦଳର ସ୍ଥିତିକୁ ସେ ସମାଲୋଚନା କରିଥାନ୍ତି। ତାଙ୍କ ମତରେ ‘ଭାରତର ବର୍ତ୍ତମାନର ନେତୃତ୍ଵ ଦେଶକୁ ଏକଛତ୍ରବାଦ ଆଡ଼କୁ ଠେଲିଦେବ।’ ତେବେ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସବୁଠୁ ଅଧିକ ପ୍ରଶଂସା କରିଥାନ୍ତି। ‘ସେ ଲୋକଙ୍କ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତି। ସେ ଆମ ସ୍ୱାଧୀନତା ସଂଗ୍ରାମୀଙ୍କ କଥା ମଧ୍ୟ ବୁଝିଥାନ୍ତି’। ରାଜ୍ୟରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳୁଥିବା ଭତ୍ତା ଦେଶରେ ସର୍ବାଧିକ। ମାର୍ଚ୍ଚ ୨୦୨୧ରେ ଗେହଲଟ ସରକାର ଏହାକୁ ୫୦,୦୦୦ ଟଙ୍କାକୁ ବଢ଼ାଇ ଦେଇଥିଲେ। ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ସର୍ବାଧିକ କେନ୍ଦ୍ରୀୟ ଭତ୍ତା ପରିମାଣ ୩୦,୦୦୦ ଟଙ୍କା।
ଶୋଭାରାମ ନିଜକୁ ଜଣେ ଗାନ୍ଧୀବାଦୀ ବୋଲି କହିବା ଜାରି ରଖନ୍ତି। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଓହ୍ଲାଇ ଆସୁଥିଲେ ମଧ୍ୟ।
‘ଦେଖ, ମୁଁ ଯେଉଁମାନଙ୍କୁ ପସନ୍ଦ କରେ ସେମାନଙ୍କୁ ଅନୁସରଣ କରିଥାଏ। ପ୍ରତ୍ୟେକଙ୍କ ଯେଉଁ ବିଚାର ମୋତେ ଭଲ ଲାଗେ ସେଥିରେ ମୁଁ ସହମତ ହୋଇଥାଏ। ଆଉ ଏମିତି ଅନେକ ବିଚାର ରହିଛି। ଏମିତି କରିବାରେ ମୁଁ କେବେ ବି କିଛି ସମସ୍ୟା ଦେଖିନାହିଁ। ଅଥବା ଉଭୟଙ୍କ ମଧ୍ୟରୁ କୌଣସି ଜଣଙ୍କୁ ନେଇ ମୋର କିଛି ସମସ୍ୟା ନାହିଁ।
*****
ଅଜମେରରେ ବୃଦ୍ଧ ସ୍ୱାଧୀନତା ସଂଗ୍ରାମୀଙ୍କ ବୈଠକ ସ୍ଥାନ ସ୍ୱତନ୍ତ୍ରତା ସେନାନୀ ଭବନଠାରେ ଶୋଭାରାମ ଆମ ସହିତ କଥା ହେଉଛନ୍ତି। ଏହା ବ୍ୟସ୍ତବହୁଳ ବଜାରର କେନ୍ଦ୍ରସ୍ଥଳୀରେ ରହିଛି। ନିଷ୍ଠୁର ଟ୍ରାଫିକ ଭିଡ଼କୁ କାଟି, ଗଳିଗୁଡ଼ିକରେ ଦ୍ରୁତ ଗତିରେ ଚାଲି ଚାଲି ଯାଉଥିବା ଏହି ବୃଦ୍ଧ ଭଦ୍ର ବ୍ୟକ୍ତିଙ୍କ ସହ ତାଳ ଦେଇ ଚାଲିବାକୁ ମୁଁ ପାରୁପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଥାଏ। ଚାଲିବା ବେଳେ ସେ କୌଣସି ଆଶାବାଡ଼ି ବ୍ୟବହାର କରନ୍ତି ନାହିଁ। ତଥାପି ଖୁବ୍ ଦ୍ରୁତ ଗତିରେ ଚାଲିଥାନ୍ତି।
ପରେ ଏମିତି ଏକ ସମୟ ଆସେ ଯେତେବେଳେ ଆମେ ତାଙ୍କୁ ସାମାନ୍ୟ ହତପ୍ରଭ ହୋଇପଡ଼ିବା ଏବଂ ପରିସ୍ଥିତି ସହ ଖାପଖୁଆଇବା ପାଇଁ ଚେଷ୍ଟା କରୁଥିବାର ଦେଖୁ। ଆମେ ସେହି ବିଦ୍ୟାଳୟରେ ପହଞ୍ଚୁ ଯାହାକୁ ନେଇ ସେ ଅତି ଗର୍ବ କରିଥାନ୍ତି। ସେଠାରେ କାନ୍ଥରେ ଏକ ନୋଟିସ ବୋର୍ଡ ଲାଗିଥାଏ, ଯାହାକୁ ସେ ଧ୍ୟାନର ସହକାରେ ପଢ଼ନ୍ତି। ‘ ସରସ୍ୱତୀ ସ୍କୁଲ୍ ବନ୍ଦ ପଡ଼ା ହୈ ,’ ସେଠାରେ ହାତ ଲେଖା ନୋଟିସରେ ସୂଚନା ଦିଆଯାଇଥାଏ (‘ସରସ୍ୱତୀ ସ୍କୁଲ୍ ବନ୍ଦ ହୋଇଯାଇଛି’)। ସ୍କୁଲ୍ ଓ କଲେଜ ବନ୍ଦ ହୋଇଯାଇଛି। ସ୍ଥାୟୀ ଭାବେ ବନ୍ଦ ହୋଇଯାଇଛି, ସେଠାରେ ଥିବା ଜଗୁଆଳି ଓ ଆଖପାଖରେ ଥିବା ଅନ୍ୟମାନେ କୁହନ୍ତି। ଖୁବଶୀଘ୍ର ଏହା ଏକ ରିଅଲ ଇଷ୍ଟେଟ୍ ସମ୍ପତ୍ତି ହୋଇଯିବ।
କିନ୍ତୁ ସ୍ୱତନ୍ତ୍ରତା ସେନାନୀ ଭବନଠାରେ, ସେ ଅଧିକ ଉଦାସୀନ ଓ ଚିନ୍ତାଶୀଳ ହୋଇପଡ଼ନ୍ତି।
‘୧୫ ଅଗଷ୍ଟ ୧୯୪୭ରେ ଯେତେବେଳେ ସେମାନେ ଲାଲକିଲ୍ଲାରେ ଜାତୀୟ ପତାକା ଉଡ଼ାଇଥିଲେ, ଆମେ ଏଠାରେ ତ୍ରିରଙ୍ଗା ଉଡ଼ାଇଥିଲୁ। ଆମେ ଏହି ଭବନକୁ ନୂଆ କନିଆ ଭଳି ସଜେଇ ଦେଇଥିଲୁ। ଆଉ ଆମେ ସମସ୍ତେ ସ୍ୱାଧୀନତା ସଂଗ୍ରାମୀ ସେଠାରେ ଥିଲୁ। ଆମେ ସେତେବେଳକୁ ଯୁବକ ଥିଲୁ ଏବଂ ଦେଶର ସ୍ୱାଧୀନତାକୁ ନେଇ ସମସ୍ତେ ଉଲ୍ଲସିତ ହୋଇପଡ଼ିଥିଲୁ।
‘ଏହି ଭବନ ସ୍ୱତନ୍ତ୍ର। ଏହି ସ୍ଥାନର କେହି ଜଣେ ମାଲିକ ନାହାନ୍ତି। ଅନେକ ସ୍ୱାଧୀନତା ସଂଗ୍ରାମୀ ଅଛନ୍ତି ଏବଂ ଆମେ ଆମ ଲୋକଙ୍କ ପାଇଁ ଅନେକ କାମ କରିଛୁ । ବେଳେବେଳେ ଆମେ ଦିଲ୍ଲୀ ଯାଇ ନେହରୁଙ୍କୁ ଭେଟୁଥିଲୁ। ତା’ପରେ, ଆମେ ଇନ୍ଦିରା ଗାନ୍ଧୀଙ୍କୁ ଭେଟୁଥିଲୁ। ଏବେ, ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଜୀବିତ ନାହାନ୍ତି।’
‘ଆମ ଦେଶରେ ଅନେକ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ। କ୍ରାନ୍ତି ଦଳରେ ମୁଁ ଅନେକଙ୍କ ସହିତ କାମ କରିଛି। ଆଉ ସେବା ଦଳରେ ମଧ୍ୟ।’ ସେ କେତେଜଣଙ୍କ ନାଁ କୁହନ୍ତି।
‘ଡକ୍ଟର ସର୍ଦାନନ୍ଦ, ବୀର ସିଂ ମେହଟା, ରାମ ନାରାୟଣ ଚୌଧୁରୀ। ରାମ ନାରାୟଣ ଦୈନିକ ନବଜ୍ୟୋତିର ସମ୍ପାଦକ ଦୁର୍ଗାପ୍ରସାଦ ଚୌଧୁରୀଙ୍କ ବଡ଼ ଭାଇ ଥିଲେ। ଅଜମେରରୁ ଏକ ଭାର୍ଗବ ପରିବାର ମଧ୍ୟ ଥିଲା। ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ରଚନା କରିଥିବା କମିଟିରେ ମୁକୁଟ ବିହାରୀ ଭାର୍ଗବ ଜଣେ ସଦସ୍ୟ ଥିଲେ। ଆମର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଗୋକୁଲଭାଇ ଭଟ୍ଟ ଅନ୍ୟତମ ଥିଲେ। ସେ ରାଜସ୍ଥାନର ଗାନ୍ଧୀ ନାମରେ ପରିଚିତ ଥିଲେ।’ ଭଟ୍ଟ କିଛି ସମୟ ପାଇଁ ଦେଶୀୟ ରାଜ୍ୟ ସିରୋହୀର ମୁଖ୍ୟମନ୍ତ୍ରୀ ଥିଲେ କିନ୍ତୁ ସାମାଜିକ ସଂସ୍କାର ଓ ସ୍ୱାଧୀନତା ପାଇଁ ସେ ଏହି ପଦବୀ ତ୍ୟାଗ କରିଥିଲେ।
ସ୍ୱାଧୀନତା ସଂଗ୍ରାମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଜଣେ ହେଲେ ବ୍ୟକ୍ତିଙ୍କର କୌଣସି ଭୂମିକା ନଥିଲା ବୋଲି ଶୋଭାରାମ ଜୋର ଦେଇ କୁହନ୍ତି।
‘ୱ? ଉନ୍ହୋନେ ତୋ ଉଙ୍ଗଲି ଭି ନହିଁ କଟାଇ’ (‘ସେମାନଙ୍କ ଏମିତି କିଛି ଭୂମିକା ନଥିଲା ଯେ କାହାରି ଆଙ୍ଗୁଠିରେ ମଧ୍ୟ ଟିକିଏ କଟାଦାଗ ହୋଇଥିବ’)
ସ୍ୱତନ୍ତ୍ରତା ସେନାନୀ ଭବନର ଭାଗ୍ୟ ଏବେ କ’ଣ ହେବ ତା’କୁ ନେଇ ସେ ଏବେ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି।
‘ଏବେ ମୁଁ ବୁଢ଼ା ହୋଇଗଲିଣି। ମୁଁ ସବୁଦିନ ଏଠାକୁ ଆସିପାରିବି ନାହିଁ । କିନ୍ତୁ ଯଦି ମୁଁ ଭଲ ଅଛି, ତା’ହେଲେ ଏଠାକୁ ଆସି ଅତିକମ୍ରେ ଗୋଟିଏ ଘଣ୍ଟା ବିତାଇଥାଏ। ମୋ ପାଖକୁ ଆସୁଥିବା ଲୋକଙ୍କୁ ମୁଁ ଭେଟିଥାଏ ଏବଂ ସମ୍ଭବ ହେଲେ ସେମାନଙ୍କ ସମସ୍ୟା ସମାଧାନ କରିଥାଏ।
‘ମୋ ସହ କେହି ଜଣେ ହେଲେ ନାହାନ୍ତି। ଏବେ ମୁଁ ସମ୍ପୂର୍ଣ୍ଣ ଏକୁଟିଆ। ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଅଧିକାଂଶ ଏବେ ମୃତ୍ୟୁବରଣ କରିସାରିଲେଣି। ଆଉ ଯେଉଁମାନେ ଏବେ ବି ବଞ୍ଚିଛନ୍ତି ସେମାନେ ନିଷ୍କ୍ରିୟ ଓ ଅତି ଅସୁସ୍ଥ ହୋଇପଡ଼ିଛନ୍ତି। ତେଣୁ ମୁଁ ଏକାକୀ ସ୍ୱତନ୍ତ୍ରତା ସେନାନୀ ଭବନ କଥା ବୁଝୁଛି । ଆଜି ବି ମୁଁ ଏହାକୁ ନେଇ ବଞ୍ଚିଛି ଓ ଏହାକୁ ସଂରକ୍ଷିତ କରି ରଖିବାକୁ ଚେଷ୍ଟା କରୁଛି । କିନ୍ତୁ ଏହା ମୋ ଆଖିକୁ ଲୁହରେ ଭିଜାଇ ଦେଉଛି । କାରଣ ଆଉ କେହି ମୋ ସହ ନାହାନ୍ତି।’
‘ମୁଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ପତ୍ର ଲେଖିଛି । ଏ ଜାଗାକୁ ଆଉ କେହି ଛଡ଼ାଇ ନେବା ପୂର୍ବରୁ ସେ ଏହାର ସରକାର ଏହାର ଦାୟିତ୍ୱ ନିଅନ୍ତୁ ବୋଲି ମୁଁ ତାଙ୍କୁ ଅନୁରୋଧ କରିଛି।
‘ଏ ଜାଗାର ଦାମ୍ କୋଟି କୋଟି ଟଙ୍କା ହେବ। ଆଉ ଏହା ସହରର ଠିକ୍ କେନ୍ଦ୍ରସ୍ଥଳୀରେ ରହିଛି। ଅନେକ ଲୋକ ମୋତେ ପ୍ରଲୋଭିତ କରିବାକୁ ଚେଷ୍ଟା କରିଛନ୍ତି। ସେମାନେ କୁହନ୍ତି, “ଶୋଭାରାମଜୀ, ଆପଣ ଏକାକୀ କ’ଣ କରିପାରିବେ? ଏହାକୁ (ଏହି ସମ୍ପତ୍ତି) ଆମକୁ ଦେଇଦିଅ । ଆମେ ଆପଣଙ୍କୁ ନଗଦ କୋଟି କୋଟି ଟଙ୍କା ଦେବୁ।” ମୁଁ ମରିଯିବା ପରେ ସେମାନେ ଏହି କୋଠାକୁ ନେଇ ଯାହା ଇଚ୍ଛା ତାହା କରିପାରିବେ। ମୁଁ କ’ଣ କରିବି? ମୁଁ କେମିତି ସେମାନଙ୍କ କଥାରେ ରାଜି ହୋଇଯିବି? ଏଥିପାଇଁ, ଆମ ସ୍ୱାଧୀନତା ପାଇଁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ଆଉ ଏସବୁ ଟଙ୍କା ନେଇ ମୁଁ କରିବି କ’ଣ?
ଅନୁବାଦ: ଓଡ଼ିଶାଲାଇଭ୍