ରୁଖାବାଈ ପଡ଼ୱୀ ନିଜ ଆଙ୍ଗୁଠିକୁ କପଡ଼ା ଉପରେ ଚଳାଇବାରୁ ନିଜକୁ ଅଟକାଇ ପାରୁନାହାନ୍ତି। ଆମର କଥାବର୍ତ୍ତା ସମୟରେ, ମୋତେ ଜଣାପଡ଼େ ଯେ ଏପରି କରିବା ଦ୍ୱାରା ସେ ତାଙ୍କ ଜୀବନର ବିତିଯାଇଥିବା ଅତୀତର ସ୍ମୃତିଚାରଣ କରୁଛନ୍ତି।
‘‘ଏହା ହେଉଛି ମୋ ବାହାଘର ଶାଢ଼ୀ,’’ ସେ ଅକରାନୀ ତାଲୁକାର ପାହାଡ଼ିଆ ଓ ଆଦିବାସୀ ଅଞ୍ଚଳରେ କଥିତ ଆଦିବାସୀ ଭାଷା ‘ଭିଲ’ରେ କଥା ହୋଇ କହିଥାନ୍ତି। ଚାରପାଇରେ ବସିଥିବା ୯୦ ବର୍ଷ ବୟସ୍କା ଏହି ମହିଳା ଜଣଙ୍କ ତାଙ୍କ କୋଳରେ ହାଲୁକା ଗୋଲାପୀ ଏବଂ ସୁନେଲି ରଙ୍ଗର ଧଡ଼ି ଥିବା ସୂତା ଶାଢ଼ୀକୁ ଧୀରେ ଧୀରେ ହାତ ବୁଲାଇ ଅନୁଭବ କରନ୍ତି।
ସେ ପିଲାଙ୍କ ଭଳି ସ୍ମିତ ହସି କୁହନ୍ତି, ‘‘ମୋ ବାପା-ମା’ ସେମାନଙ୍କ ପରିଶ୍ରମର ରୋଜଗାରରରୁ ଏହାକୁ କିଣିଥିଲେ। ଏହି ଶାଢ଼ୀରେ ସେମାନଙ୍କର ସ୍ମୃତି ରହିଛି।’’
ରୁଖାବାଈଙ୍କ ଜନ୍ମ ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲା ଅନ୍ତର୍ଗତ ଅକରାନୀ ତାଲୁକାର ମୋଜାରା ଗାଁରେ ହୋଇଥିଲା; ଏହି ଅଞ୍ଚଳ ସବୁଦିନ ପାଇଁ ତାଙ୍କର ଘର ହୋଇ ରହିଆସିଛି ।
‘‘ମୋ ବାପା ମା’ ମୋ ବାହାଘରରେ ୬୦୦ ଟଙ୍କା ଖର୍ଚ୍ଚ କରିଥିଲେ। ସେତେବେଳେ ଏତିକି ଟଙ୍କାର ବହୁତ ମୂଲ୍ୟ ଥିଲା। ସେମାନେ ଏହି ବାହାଘର ଶାଢ଼ୀ ସମେତ ପାଞ୍ଚ ଟଙ୍କା ମୂଲ୍ୟରେ ଲୁଗାପଟା କିଣିଥିଲେ,’’ ସେ କୁହନ୍ତି। ତେବେ ତାଙ୍କର ପ୍ରିୟ ମା’ ଘରେ ହିଁ ତାଙ୍କ ପାଇଁ ଗହଣା ତିଆରି କରିଥିଲେ।
‘‘ସେତେବେଳେ କେହି ବଣିଆ କିମ୍ବା କାରୀଗର ନଥିଲେ। ମୋ ମା’ ରୂପା ମୁଦ୍ରାରୁ ଗୋଟିଏ ହାର ତିଆରି କରିଥିଲେ। ଅସଲି ମୁଦ୍ରାରେ। ପ୍ରଥମେ ସେ ଖୁଚୁରା ମୁଦ୍ରାରେ କଣା କରିଥିଲେ ଏବଂ ତା’ ଭିତର ଦେଇ ଗୋଧଡ଼ି (ହାତ ତିଆରି ଚଦର)ର ଗୋଟିଏ ମୋଟା ଧଡ଼ି ଭର୍ତ୍ତି କରି ସିଲେଇ କରିଦେଇଥିଲେ,’’ ରୁଖାବାଇ କୁହନ୍ତି । ସେହି ପ୍ରୟାସର ସ୍ମୃତି ମନେ ପକାଇ ସେ ହସନ୍ତି। ତା’ପରେ ସେ ଦୋହରାଇ କୁହନ୍ତି, ‘‘ରୂପା ମୁଦ୍ରା ହା । ବର୍ତ୍ତମାନର କାଗଜ ଟଙ୍କା ନୁହେଁ।’’
![Left and right: Rukhabai with her wedding saree](/media/images/02a-IMG_1029-JS-Rukhabais_wedding_saree.max-1400x1120.jpg)
![Left and right: Rukhabai with her wedding saree](/media/images/02b-IMG_1036-JS-Rukhabais_wedding_saree.max-1400x1120.jpg)
ବାମ ଓ ଡାହାଣ : ରୁଖାବାଇ ତାଙ୍କ ବାହାଘର ଶାଢ଼ୀ ସହିତ
ସେ କୁହନ୍ତି ଯେ ତାଙ୍କର ବାହାଘର ବହୁତ ଧୂମଧାମରେ ହୋଇଥିଲା ଏବଂ ଏହାର ତୁରନ୍ତ ପରେ, କିଶୋରୀ କନିଆଁ ନିଜ ଶାଶୂ ଘର ଗାଁ ସୁରବାନୀକୁ ଚାଲି ଆସିଥିଲା। ଏହି ଗାଁ ମୋଜାରାଠାରୁ ପ୍ରାୟ ୪ କିଲୋମିଟର ଦୂରରେ ରହିଛି। ଏହି ଠାରୁ ଜୀବନରେ ପରିବର୍ତ୍ତନ ଆରମ୍ଭ ହୋଇଥିଲା। ତାଙ୍କର ଦିନଗୁଡ଼ିକ ଏତେ ସରଳ କିମ୍ବା ସୁଖପୂର୍ଣ୍ଣ ନଥିଲା।
‘‘ଏହି ଘର ମୋ ପାଇଁ ଏକ ଅଜଣା ଦୁନିଆ ଥିଲା। ମୋତେ ଏବେ ଏଇଠି ହିଁ ରହିବାକୁ ହେବ ବୋଲି ମୁଁ ନିଜ ମନକୁ ରାଜି କରେଇ ନେଲି। ସାରା ଜୀବନ ପାଇଁ,’’ ସେ କୁହନ୍ତି। ‘‘ମୋର ଋତୁସ୍ରାବ ହେଉଥିଲା, ତେଣୁ ମୁଁ ବଡ଼ ହୋଇଯାଇଛି ବୋଲି ସମସ୍ତେ ଭାବି ନେଇଥିଲେ,’’ ୯୦ ବର୍ଷରୁ ଅଧିକ ବୟସ୍କ ଏହି ମହିଳା ଜଣଙ୍କ କୁହନ୍ତି।
‘‘କିନ୍ତୁ ବାହାଘର କ’ଣ, ସ୍ୱାମୀ କିଏ, ସେସବୁ ବିଷୟରେ ମୋତେ କିଛି ଜଣାନଥିଲା।’’
ତଥାପି ସେ ଛୋଟ ପିଲା ଥିଲେ; ଏତେ ଛୋଟ ଯେ ଅନ୍ୟ ପିଲାଙ୍କ ଭଳି ନିଜ ସାଙ୍ଗମାନଙ୍କ ସହ ଖେଳିବା ବୟସରେ ଥିଲେ। ତେବେ, କମ୍ ବୟସରେ ତାଙ୍କର ବାହାଘର ହୋଇଯିବା କାରଣରୁ ତାଙ୍କୁ ଏକ ଭିନ୍ନ ଭୂମିକା ନିର୍ବାହ କରିବାକୁ ପଡ଼ିଲା ଏବଂ ନିଜ ଠାରୁ ଅଧିକ ବୟସର କଷ୍ଟଯାତନା ସହିବାକୁ ପଡ଼ିଲା।
‘‘ରାତି ସାରା ମୋତେ ମକା ଓ ବାଜରା ଚୁରିବାକୁ ପଡ଼ୁଥିଲା। ମୋ ଶାଶୂ ଘର ଲୋକ, ମୋ ଯା’, ମୋ ସ୍ୱାମୀ ଓ ନିଜ ପାଇଁ, ଏମିତି ପାଞ୍ଚ ଜଣଙ୍କ ପାଇଁ ମୋତେ ଏହି କାମ କରିବାକୁ ହେଉଥିଲା।
କଷ୍ଟ କାମ ପାଇଁ ସେ ଥକି ଯାଉଥିଲେ, ଏପରିକି ତାଙ୍କର କ୍ରମାଗତ ପିଠି ଯନ୍ତ୍ରଣା ହେଉଥିଲା। ‘‘ମିକ୍ସର ଓ ମିଲ୍ କାରଣରୁ ଏବେ ସବୁକିଛି ଅତି ସହଜ ହୋଇଯାଇଛି।’’
ସେତେବେଳେ, ନିଜ ଭିତରେ ହେଉଥିବା କଷ୍ଟ ଯନ୍ତ୍ରଣାକୁ ଅନ୍ୟ କାହା ଆଗରେ କହିବା ଅସମ୍ଭବ ଥିଲା। ସେ କୁହନ୍ତି, କେହି ତାଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ। ଇଚ୍ଛୁକ ଓ ସହାନୁଭୂତିପୂର୍ଣ୍ଣ ଶ୍ରୋତାଙ୍କ ଅଭାବ ସତ୍ତ୍ୱେ, ରୁଖାବାଈଙ୍କୁ ଜଣେ ଅପ୍ରତ୍ୟାଶିତ ସାଥୀ ମିଳିଯାଇଥିଲା-ଯାହାକି ଏକ ନିର୍ଜୀବ ବସ୍ତୁ ଥିଲା। ଗୋଟିଏ ପୁରୁଣା ଧାତୁ ଟ୍ରଙ୍କରେ ରଖାଯାଇଥିବା ମାଟି ବାସନକୁସନ ସେ ବାହାର କରନ୍ତି। ‘‘ମୁଁ ମୋର ଅଧିକାଂଶ ସମୟ ଏମାନଙ୍କ ସହିତ, ଚୁଲ୍ (ଚୁଲି) ଉପରେ, ସବୁ ଭଲ ଓ ଖରାପ କଥା ବିଷୟରେ ଚିନ୍ତା କରି ବିତାଇଛି। ବାସନକୁସନ ହିଁ ମୋର ଧୈର୍ଯ୍ୟପୂର୍ଣ୍ଣ ଶ୍ରୋତା ଥିଲେ।’’
![Left: Old terracotta utensils Rukhabai used for cooking.](/media/images/03a-IMG_1048-JS-Rukhabais_wedding_saree.max-1400x1120.jpg)
![Right: Rukhabai sitting on the threshold of her house](/media/images/03b-IMG_1066-JS-Rukhabais_wedding_saree.max-1400x1120.jpg)
ବାମ : ରୁଖାବାଈ ରୋଷେଇ ପାଇଁ ବ୍ୟବହାର କରୁଥିବା ପୁରୁଣା ଟେରାକୋଟା ବାସନକୁସନ । ଡାହାଣ : ରୁଖାବାଇ ତାଙ୍କ ଘର ଦ୍ୱାରବନ୍ଧରେ ବସିଛନ୍ତି
ଏହା ଅସ୍ୱାଭାବିକ ନୁହେଁ। ଗ୍ରାମୀଣ ମହାରାଷ୍ଟ୍ରର ଅଧିକାଂଶ ଭାଗରେ, ମହିଳାଙ୍କୁ ଆଉ ଏକ ସରଳ ରୋଷେଇ ସାମଗ୍ରୀ : ଚକିରେ ଜଣେ ବିଶ୍ୱାସର ପାତ୍ର ମିଳିଯାଇଥାଏ। ପ୍ରତ୍ୟେକ ଦିନ ଅଟା ପ୍ରସ୍ତୁତ କରିବା ସମୟରେ, ପ୍ରତ୍ୟେକ ବୟସର ମହିଳାମାନେ ନିଜ ସ୍ୱାମୀ, ଭାଇ ଓ ପିଲାମାନଙ୍କ କାନଠାରୁ ଦୂରରେ, ଏହି ରୋଷେଇ ଉପକରଣ ଉପରେ ଖୁସି, ଦୁଃଖ ଓ ମନ ଭାଙ୍ଗିଯିବାର ଗୀତ ଗାଇଥା’ନ୍ତି। ଆପଣ ଗ୍ରୀଣ୍ଡ ମିଲ୍ ସଙ୍ଗସ୍ ବା ଚକି ଗୀତ ଉପରେ ପରୀ ଅଧ୍ୟାୟ ବିଷୟରେ ଏଠାରେ ଅଧିକ ପଢ଼ିପାରିବେ ।
ରୁଖାବାଈ ଯେତେବେଳେ ଟ୍ରଙ୍କରେ କିଛି ଖୋଜନ୍ତି, ତାଙ୍କର ଉତ୍ସାହ ବୃଦ୍ଧି ପାଇଥାଏ। ସେ କୁହନ୍ତି, ‘‘ଏହା ହେଉଛି ଦାୱି (ଶୁଖିଲା ଲାଉରେ ତିଆରି ଏକ କରଚୁଲି)। ପୂର୍ବରୁ ଆମେ ଏମିତି ପାଣି ପିଉଥିଲୁ,’’ ସେ କୁହନ୍ତି ଓ କେମିତି ଦେଖାଇ ଦିଅନ୍ତି। ମୋତେ ଏହାକୁ ଦେଖାଇବା ଲାଗି ଗୋଟିଏ ଛୋଟ କାମ ତାଙ୍କୁ ହସାଇବା ପାଇଁ ଯଥେଷ୍ଟ ଥିଲା।
ବାହାଘରର ଗୋଟିଏ ବର୍ଷ ପରେ, ରୁଖାବାଈ ମା’ ହୋଇଥିଲେ। ସେତେବେଳେକୁ ଘର ଓ ଚାଷ କାମ ଏକାଠି କେମିତି କରିବାକୁ ହେବ ତାହା ସେ ଜାଣିନେଇଥିଲେ।
ପିଲା ଆସିବା ପରେ ଘରେ ନିରାଶା ଖେଳିଯାଇଥିଲା। ‘‘ଘରେ ସମସ୍ତେ ପୁଅଟିଏ ଚାହୁଁଥିଲେ, କିନ୍ତୁ ଝିଅଟିଏ ଜନ୍ମ ନେଇଥିଲା। ମୋତେ ଏହା ବାଧିନଥିଲା, କାରଣ ମୋତେ ହିଁ କେବଳ ପିଲାର ଯତ୍ନ ନେବାର ଥିଲା,’’ ସେ କୁହନ୍ତି।
![Rukhabai demonstrates how to drink water with a dawi (left) which she has stored safely (right) in her trunk](/media/images/04a-IMG_0994-JS-Rukhabais_wedding_saree.max-1400x1120.jpg)
![Rukhabai demonstrates how to drink water with a dawi (left) which she has stored safely (right) in her trunk](/media/images/04b-IMG_1006-JS-Rukhabais_wedding_saree.max-1400x1120.jpg)
ନିଜ ଟ୍ରଙ୍କରେ ସୁରକ୍ଷିତ ଭାବେ ରଖିଥିବା ଦାୱି ( ବାମ ) ରେ କେମିତି ପାଣି ପିଇବାକୁ ହୁଏ ରୁଖାବାଈ ତାହା ଦେଖାଇ ଦେଉଛନ୍ତି
ଏହାପରେ ରୁଖାବାଈଙ୍କର ପାଞ୍ଚ ଝିଅ ହୋଇଥିଲେ। ‘‘ପୁଅ ପାଇଁ ସେମାନେ ବହୁତ ଜିଦ୍ କରୁଥିଲେ। ଶେଷରେ ମୁଁ ସେମାନଙ୍କୁ ଦୁଇ ପୁଅ ଦେଲି। ତା’ପରେ ମୁଁ ମୁକ୍ତ ହୋଇଥିଲି,’’ ପୁରୁଣା ଦିନର କଥା ମନେ ପକାଇ ଏହା କହିବା ବେଳେ ସେ ଆଖିରୁ ଲୁହ ପୋଛି ଦିଅନ୍ତି।
ଆଠ ଜଣ ପିଲାଙ୍କୁ ଜନ୍ମ ଦେବା ପରେ ତାଙ୍କ ଶରୀର ବହୁତ ଦୁର୍ବଳ ହୋଇଗଲା। ‘‘ପରିବାର ବଢ଼ିଯାଇଥିଲା କିନ୍ତୁ ଆମର ଦୁଇ ଗୁଣ୍ଢା (ପ୍ରାୟ ୨,୦୦୦ ବର୍ଗଫୁଟ) ଜମିରେ ଅମଳ ବଢ଼ିନଥିଲା। ଖାଇବାକୁ ଯଥେଷ୍ଟ ଖାଦ୍ୟ ନଥିଲା। ମହିଳା ଓ ଝିଅମାନଙ୍କୁ ଖୁବ୍ କମ୍ ଖାଦ୍ୟ ମିଳୁଥିଲା। ଏଥିରୁ କୌଣସି ଲାଭ ମିଳିଲା ନାହିଁ ଏବଂ ମୋର ନିୟମିତ ପିଠି ଯନ୍ତ୍ରଣା ହେଉଥିଲା।’’ ବଞ୍ଚିବା ଲାଗି ଅଧିକ ରୋଜଗାର ଦରକାର ଥିଲା। ‘‘ଯନ୍ତ୍ରଣା ସତ୍ତ୍ୱେ, ଦିନକୁ ୫୦ ପଇସା ମଜୁରୀରେ ମୋ ସ୍ୱାମୀ ମୋଟ୍ୟା ପଡ଼ୱି ଙ୍କ ସହିତ ମୁଁ ରାସ୍ତା କାମ କରିବାକୁ ଯାଉଥିଲି।’’
ଆଜି, ରୁଖାବାଈ ନିଜ ଆଖି ସାମ୍ନାରେ ତାଙ୍କର ତୃତୀୟ ପିଢ଼ିଙ୍କୁ ବଡ଼ ହେଉଥିବା ଦେଖୁଛନ୍ତି। ‘‘ଏହା ଏକ ନୂଆ ଦୁନିଆ,’’ ସେ କୁହନ୍ତି ଏବଂ ପରିବର୍ତ୍ତନ ଯୋଗୁଁ କିଛି ଭଲ ହୋଇଛି ବୋଲି ସ୍ୱୀକାର କରନ୍ତି।
ଆମ କଥାବାର୍ତ୍ତା ସରିବା ବେଳକୁ ବର୍ତ୍ତମାନ ସମୟର ଆଉ ଏକ ସମସ୍ୟା ବିଷୟରେ ସେ ଆମକୁ କୁହନ୍ତି : ‘‘ପୂର୍ବରୁ ଋତୁସ୍ରାବ ସମୟରେ ଆମେ ସବୁଆଡ଼କୁ ଯାଉଥିଲୁ। ଏବେ ମହିଳାମାନଙ୍କୁ ରୋଷେଇ ଘର ଭିତରକୁ ଯିବାକୁ ଦିଆଯାଉନାହିଁ,’’ ସେ ବିରକ୍ତି ପ୍ରକାଶ କରି କୁହନ୍ତି। ‘‘ଘର ଭିତରକୁ ଭଗବାନଙ୍କ ଫଟୋ ଆସିଲା, କିନ୍ତୁ ମହିଳାମାନେ ସେଠାରୁ ବାହାରିଗଲେ।’’
ଅନୁବାଦ : ଓଡ଼ିଶାଲାଇଭ୍