ଆମ ପଲସୁଣ୍ଡେ ଗ୍ରାମରେ ସାତଟି ଭିନ୍ନ ଭିନ୍ନ ଜନଜାତିର ଲୋକ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୱାର୍ଲିଙ୍କ ସଂଖ୍ୟା ସବୁଠାରୁ ଅଧିକ। ମୁଁ ସମସ୍ତ ସାତୋଟି ଆଦିବାସୀ ସମ୍ପ୍ରଦାୟର ଭାଷା ଶିଖିଛି : ୱାର୍ଲି, କୋଲି ମହାଦେବ, କାତକରୀ, ମା ଠାକୁର, କା ଠାକୁର, ଧୋର କୋଲି ଓ ମଲ୍ହାର କୋଲି। ଏହା ଅଧିକ କଷ୍ଟସାଧ୍ୟ ନଥିଲା, କାରଣ ଏହା ମୋର ଜନ୍ମସ୍ଥାନ, ମୋର କର୍ମଭୂମି; ମୋର ଶିକ୍ଷା ଏଠାରେ ହିଁ ହୋଇଥିଲା।
ମୁଁ ହେଉଛି ଭାଲଚନ୍ଦ୍ର ରାମଜୀ ଧନଗରେ, ମୋଖାଡ଼ା ସ୍ଥିତ ଜିଲ୍ଲା ପରିଷଦ ପ୍ରାଥମିକ ବିଦ୍ୟାଳୟର ଜଣେ ପ୍ରାଥମିକ ଶିକ୍ଷକ।
ମୋର ବନ୍ଧୁମାନେ ପ୍ରାୟତଃ ମୋତେ କୁହନ୍ତି, ‘‘ଆପଣ ଯେଉଁ ଭାଷା ଶୁଣନ୍ତି ତାହା ଆପଣ ଶୀଘ୍ର ଧରିନିଅନ୍ତି ଏବଂ କହିବା ଆରମ୍ଭ କରନ୍ତି।’’ ଯେତେବେଳେ ମୁଁ କୌଣସି ସମାଜ ପାଖକୁ ଯାଏ, ଲୋକମାନେ ମୋତେ ନିଜ ମାଟିର ଜଣେ ବ୍ୟକ୍ତି ଭାବରେ ଗ୍ରହଣ କରନ୍ତି ଏବଂ ନିଜ ଭାଷାରେ କଥା ହୁଅନ୍ତି।
ଆମର ଆଦିବାସୀ ଅଞ୍ଚଳର ପିଲାମାନଙ୍କ ସହ କଥାବାର୍ତ୍ତା ବେଳେ ମୁଁ ଅନୁଭବ କଲି ଯେ ସେମାନେ ନିଜର ବିଦ୍ୟାଳୟ ଶିକ୍ଷା ସମୟରେ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ମହାରାଷ୍ଟ୍ର ସରକାରଙ୍କ ଏକ ନିୟମ ରହିଛି ଯେ ଆଦିବାସୀ ଅଞ୍ଚଳରେ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କୁ ଏକ ସ୍ୱତନ୍ତ୍ର ଗ୍ରେଡ୍ ଦିଆଯାଏ। ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା ସ୍ଥାନୀୟ ଭାଷା ଶିଖିବା ଆବଶ୍ୟକ ହେଉଥିବାରୁ ଏହି ଗ୍ରେଡ୍ ପ୍ରଦାନ କରାଯାଇଥାଏ।
ଏଠି ମୋଖାଡ଼ାରେ ୱାର୍ଲି ହେଉଛି ସବୁଠୁ ଅଧିକ କଥିତ ଭାଷା ଏବଂ ବିଦ୍ୟାଳୟରେ ଏହି ଭାଷା କହୁଥିବା ଅଧିକ ପିଲା ଅଛନ୍ତି। ଯଦି ଆମେ ସେମାନଙ୍କୁ ଇଂରାଜୀ ଶିଖାଇବାକୁ ଚାହୁଁ, ତେବେ ଆମକୁ ପ୍ରଥମେ ଏହାର ମରାଠୀ ଶବ୍ଦ ଶିଖାଇବାକୁ ପଡିବ ଏବଂ ତା’ପରେ ସେହି ଶବ୍ଦକୁ ୱାର୍ଲିରେ ବୁଝାଇବାକୁ ହେବ। ତା’ପରେ ଆମେ ଶବ୍ଦଟିକୁ ଇଂରାଜୀରେ ଶିକ୍ଷା ଦେଉ।
ଏହା ଏକ ସହଜ ପରିସ୍ଥିତି ନୁହେଁ କିନ୍ତୁ ଏଠାକାର ପିଲାମାନେ ବହୁତ ବୁଦ୍ଧିମାନ ଏବଂ ପରିଶ୍ରମୀ। ଯେତେବେଳେ ସେମାନେ ମାନକ ଭାଷା ମରାଠୀକୁ ଶୀଘ୍ର ଗ୍ରହଣ କରିନିଅନ୍ତି, ସେତେବେଳେ ସେମାନଙ୍କ ସହ କଥାବାର୍ତ୍ତା କରିବା ବେଶ୍ ଚମତ୍କାର ଅନୁଭବ ଦେଇଥାଏ। ତଥାପି, ଏଠାରେ ଶିକ୍ଷାର ସାମଗ୍ରିକ ସ୍ତର ସେହି ଗତିରେ ପହଞ୍ଚି ନାହିଁ ଯାହା ହେବା ଉଚିତ ଥିଲା। ଏହା ସମୟର ଆବଶ୍ୟକତା। ସ୍ଥାନୀୟ ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ଏବେ ବି ଅଶିକ୍ଷିତ ଏବଂ ଏହି ଅଞ୍ଚଳର ବିକାଶ ମଧ୍ୟ ଅପେକ୍ଷାକୃତ ପଛୁଆ ଅଛି।
ପ୍ରାୟ ୧୯୯୦ ଦଶକ ପର୍ଯ୍ୟନ୍ତ, ଏହି କ୍ଷେତ୍ରରେ କ୍ୱଚିତ୍ କେହି ଥିଲେ ଯିଏ ଦଶମ ଶ୍ରେଣୀ ପରେ ଅଧ୍ୟୟନ କରିଥିଲେ । ନୂଆ ପିଢ଼ି ଧୀରେ ଧୀରେ ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଛନ୍ତି । ଧରାଯାଉ ଯଦି ୨୫ ଜଣ ୱାର୍ଲି ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ନାମ ଲେଖାନ୍ତି, ତେବେ ମାତ୍ର ଆଠ ଜଣ ଛାତ୍ରଛାତ୍ରୀ ପ୍ରାୟ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି। ଏଠାରେ ବିଦ୍ୟାଳୟ ପାଠପଢ଼ା ଛାଡ଼ୁଥିବା ପିଲାଙ୍କ ହାର ଖୁବ୍ ଅଧିକ। ଏହି ଆଠ ଜଣଙ୍କ ମଧ୍ୟରୁ ମାତ୍ର ୫-୬ ଜଣ ପରୀକ୍ଷାରେ ପାସ କରନ୍ତି। ଏପରିକି ଦ୍ୱାଦଶ ଶ୍ରେଣୀରେ ପହଞ୍ଚିବା ପର୍ଯ୍ୟନ୍ତ ଆହୁରି ଅଧିକ ପିଲା ସ୍କୁଲ୍ ଛାଡ଼ି ଦେଇଥା’ନ୍ତି। ତେଣୁ ଶେଷରେ ୩-୪ ଜଣ ପିଲା ହିଁ ସ୍କୁଲ୍ ପାଠପଢ଼ା ଶେଷ କରିପାରନ୍ତି।
ସ୍ନାତକ ଡିଗ୍ରୀ ପାଇଁ ପାଠ ପଢ଼ିବା ତାଲୁକା ସ୍ତରରେ ସମ୍ଭବ ହୋଇଥାଏ ଯାହା ଏଠାରୁ ପ୍ରାୟ ୧୦ କିଲୋମିଟର ଦୂର ହେବ। କିନ୍ତୁ ଏଠାରେ ଅଧିକ କିଛି ନାହିଁ ଏବଂ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ଠାଣେ, ନାଶିକ କିମ୍ବା ପାଲଘର ସହରକୁ ଯାଆନ୍ତି। ଯାହାର ଫଳସ୍ୱରୂପ ଏହି ତାଲୁକାର ମାତ୍ର ତିନି ପ୍ରତିଶତ ଲୋକଙ୍କ ପାଖରେ ସ୍ନାତକ ଡିଗ୍ରୀ ରହିଛି ।
ୱାର୍ଲି ସମ୍ପ୍ରଦାୟରେ, ଶିକ୍ଷାର ହାର ବିଶେଷ ଭାବରେ କମ୍, ଏବଂ ଏଥିରେ ସୁଧାର ପାଇଁ ପ୍ରୟାସ ଜାରି ରହିଛି। ଆମେ ଗାଁ ଗାଁ ବୁଲି, ଲୋକମାନଙ୍କ ସହ ସେମାନଙ୍କ ନିଜ ଭାଷାରେ କଥାବାର୍ତ୍ତା କରି, ସମ୍ପର୍କ ସ୍ଥାପନ କରିବା ସହ ବିଶ୍ୱାସ ସୃଷ୍ଟି କରିବା ପାଇଁ ମଧ୍ୟ ବ୍ୟାପକ ପ୍ରୟାସ କରୁଛୁ।
ପରୀ ଏହି ପ୍ରାମାଣିକ ତଥ୍ୟ ପ୍ରସ୍ତୁତିରେ ସହାୟତା ପାଇଁ ଆରୋହଣର ହେମନ୍ତ ସିଂଘଡେଙ୍କ ନିକଟରେ କୃତଜ୍ଞ।
ସାକ୍ଷାତକାର : ମେଧା କାଲେ
ଏହି କାହାଣୀ ପରୀର ବିଲୁପ୍ତପ୍ରାୟ ଭାଷା ପ୍ରକଳ୍ପର ଏକ ଅଂଶବିଶେଷ ଯାହାର ଉଦ୍ଦେଶ୍ୟ ହେଉଛି ଦେଶର ଅସୁରକ୍ଷିତ ଓ ଲୁପ୍ତପ୍ରାୟ ଭାଷାର ଦସ୍ତାବିଜ ପ୍ରସ୍ତୁତ କରିବା
ୱାର୍ଲି ହେଉଛି ଏକ ଇଣ୍ଡୋ-ଆର୍ଯ୍ୟ ଭାଷା ଏବଂ ଗୁଜରାଟ, ଡାମନ ଓ ଡିଉ, ଦାଦ୍ରା ଓ ନଗର ହାଭେଳୀ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୋଆରେ ରହୁଥିବା ୱାର୍ଲି ବା ଭାର୍ଲି ଆଦିବାସୀମାନେ ଏହି ଭାଷାରେ କଥା ହୁଅନ୍ତି। ୟୁନେସ୍କୋର ‘ଆଟ୍ଲାସ୍ ଅଫ୍ ଲାଙ୍ଗୁଏଜ'’ ୱାର୍ଲି ଭାଷାକୁ ଭାରତର ସମ୍ଭାବ୍ୟ ଅସୁରକ୍ଷିତ ଭାଷା ମଧ୍ୟରୁ ଅନ୍ୟତମ ଭାଷାଭାବେ ତାଲିକାଭୁକ୍ତ କରିଛି।
ମହାରାଷ୍ଟ୍ରରେ କଥିତ ୱାର୍ଲି ଭାଷାର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଆମେ ଲକ୍ଷ୍ୟ ରଖିଛୁ।
ଅନୁବାଦ : ଓଡ଼ିଶାଲାଇଭ୍