ଶୀତ ଋତୁରେ ଫସଲ କାଟିବା ସମୟ ଆସିଲେ କୃଷ୍ଣ ଅମ୍ବୁଲକର ପ୍ରତ୍ୟେକ ଦିନ ସକାଳ ୭ଟାରେ ଘରକୁ ଘର ଯାଇ ସମ୍ପତ୍ତି ଏବଂ ଜଳ କର ଅସୁଲି ଅଭିଯାନ ଆରମ୍ଭ କରି ଦିଅନ୍ତି।
‘‘ଏଠାକାର ଚାଷୀମାନେ ଏତେ ଗରିବ ଯେ ୬୫ ପ୍ରତିଶତ ଲକ୍ଷ୍ୟ ହାସଲ କରିବା ବହୁତ ବଡ଼ କଥା,’’ ଜାମକୋଲିର ଏହି ଏକମାତ୍ର ପଞ୍ଚାୟତ କର୍ମଚାରୀ ଜଣଙ୍କ କୁହନ୍ତି।
ନାଗପୁରଠାରୁ ୭୫ କିଲୋମିଟର ଦୂରରେ ଜାମକୋଲି ଗ୍ରାମ ଅବସ୍ଥିତ ଏବଂ ଏଠାରେ ପ୍ରାୟତଃ ମାନା ଓ ଗୋୱାରୀ (ଅନୁସୂଚୀତ ଜନଜାତି) ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି ଯେଉଁମାନେ ଶୁଷ୍କ ଜମିରେ ଚାଷ କରୁଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ। କୂଅ କିମ୍ବା ନଳକୂଅ ଥିଲେ ସେମାନେ କପା, ସୋୟାବିନ, ହରଡ଼ ଏବଂ ଗହମ ଚାଷ କରିଥା’ନ୍ତି। ଚାଳିଷ ବର୍ଷ ବୟସ୍କ କୃଷ୍ଣ ଗାଁରେ ଏକମାତ୍ର ଓବିସି ଅଟନ୍ତି ଯିଏକି ଜାତିରେ ଜଣେ ନାଈ (ଭଣ୍ଡାରୀ) ଅଟନ୍ତି।
ଚଳିତ ବର୍ଷର ବଜେଟରେ କୃଷି ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିବା ଏବଂ ମଧ୍ୟବିତ୍ତଙ୍କୁ ଟିକସ ଛାଡ଼ କରାଯାଇଥିବାକୁ ନେଇ କେନ୍ଦ୍ର ସରକାର ଦାବି କରୁଛନ୍ତି। ଏସବୁଠାରୁ ଦୂରରେ ଅମ୍ବୁଲକର ପଞ୍ଚାୟତର ଚାଷୀମାନେ ଟିକସ ଅସୁଲି ଏବଂ ଫସଲର ଦାମ୍ ହ୍ରାସ ପାଇବାକୁ ନେଇ ଚିନ୍ତିତ ଅଛନ୍ତି।
କୃଷ୍ଣଙ୍କ ଚିନ୍ତାକୁ ସହଜରେ ବ୍ୟାଖ୍ୟା କରାଯାଇପାରେ: ସମସ୍ୟା ହେଉଛି ଯଦି ସେ ବିଫଳ ହେବେ ତା’ହେଲେ ତାଙ୍କୁ ୧୧,୫୦୦ ଟଙ୍କାର ବେତନ ମିଳିବ ନାହିଁ, ଯାହା ପଞ୍ଚାୟତର ୫.୫ ଲକ୍ଷ ଟଙ୍କାର ଟିକସ ରାଜସ୍ୱରୁ ଆସିଥାଏ।
‘‘ଆମର ଉତ୍ପାଦନ ଖର୍ଚ୍ଚ ଦ୍ୱିଗୁଣିତ କିମ୍ବା ତିନିଗୁଣିତ ହୋଇଛି; ମହଙ୍ଗାଇ (ମୁଦ୍ରାସ୍ଫୀତି) ଆମର ସଞ୍ଚୟକୁ ଖାଇ ଯାଉଛି’’, ଗୋୱାରୀ ସମ୍ପ୍ରଦାୟର ଗ୍ରାମ ମୁଖିଆ ଶାରଦା ରାଓତ୍ କୁହନ୍ତି। ଏହି ୪୫ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ ଦୁଇ ଏକରର ପାରିବାରିକ ଜମିରେ ଚାଷ କରିବା ବ୍ୟତୀତ ନିଜେ ଜଣେ କୃଷି ଶ୍ରମିକ ଭାବେ ମଧ୍ୟ କାମ କରନ୍ତି।
ଫସଲ ମୂଲ୍ୟ ସ୍ଥିର ରହିଛି କିମ୍ବା ହ୍ରାସ ପାଇଛି: ସୋୟାବିନ୍ ସର୍ବନିମ୍ନ ସହାୟକ ମୂଲ୍ୟ ୪୮୫୦ ଟଙ୍କାଠାରୁ ପ୍ରାୟ ୨୫ ପ୍ରତିଶତ କମ୍ରେ ବିକ୍ରି ହେଉଛି; କପା ମୂଲ୍ୟ ଅନେକ ବର୍ଷ ହେବ କୁଇଣ୍ଟାଲ ପିଛା ୭,୦୦୦ ଟଙ୍କାରେ ସ୍ଥିର ରହିଛି ଏବଂ ହରଡ଼ ଦାମ୍ କୁଇଣ୍ଟାଲ ପିଛା ୭-୭,୫୦୦ ଟଙ୍କା ମଧ୍ୟରେ ରହିଛି, ଏହା ପ୍ରାୟତଃ ଏମଏସପି ସହ ସମାନ କିମ୍ବା ଆରମ୍ଭରୁ କମ୍ ରହୁଛି।
ସରପଞ୍ଚ କୁହନ୍ତି, କୌଣସି ଗୋଟିଏ ପରିବାର ସବୁ ଉତ୍ସରୁ ବାର୍ଷିକ ୧ ଲକ୍ଷ ଟଙ୍କା ସୁଦ୍ଧା ରୋଜଗାର କରନ୍ତି ନାହିଁ। ସଂଯୋଗବଶତଃ ଏହା ହେଉଛି ସେତିକି ପରିମାଣର ଅର୍ଥରାଶି ଯାହା ସବୁଠୁ ନିମ୍ନ ଟିକସ ସ୍ଲାବରେ ଥିବା ବ୍ୟକ୍ତି ସଞ୍ଚୟ କରିପାରିବେ, ନିକଟରେ ଉପସ୍ଥାପିତ କେନ୍ଦ୍ର ବଜେଟରେ ଏହା କୁହାଯାଇଛି ।
‘‘ଆମେ ସରକାରୀ ବଜେଟ୍ ବିଷୟରେ କିଛି ଜାଣିନାହୁଁ,’’ ଶାରଦା କୁହନ୍ତି। ସେ ଥଟ୍ଟାର ସହ କହିଥାନ୍ତି, ‘‘କିନ୍ତୁ ଆମ ବଜେଟ୍ କମିବାରେ ଲାଗିଛି।’’
ଅନୁବାଦ: ଓଡ଼ିଶାଲାଇଭ୍