“ପିଢ଼ି ପରେ ପିଢ଼ି ଆମେ ଦୁଇଟି କାମ କରୁଛୁ – ଡଙ୍ଗା ଚଳାଇବା ଓ ମାଛ ଧରିବା। ମତେ ଲାଗୁଛି, ବର୍ତ୍ତମାନ କର୍ମଯୋଗାଣର (ବେକାରୀର) ଯେମିତି ଅବସ୍ଥା, ମୋ ପିଲାମାନଙ୍କୁ ବି ଏଇ କାମ କରିବାକୁ ପଡ଼ିବ”, କହନ୍ତି ବିକ୍ରମାଦିତ୍ୟ ନିସାଦ। ଗତ କୋଡ଼ିଏ ବର୍ଷ ହେଲା ବାରାଣାସୀକୁ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ସେ ଗଙ୍ଗାର ଗୋଟିଏ ଘାଟରୁ ଅନ୍ୟ ଘାଟକୁ ନବା ଆଣିବା କରିବା ପାଇଁ ଡଙ୍ଗା ଚଲାଉଛନ୍ତି।
ଗଙ୍ଗା ନଦୀ ଏକ ହଜାର କିମିରୁ ଅଧିକ ଗତିପଥରେ ପ୍ରବାହିତ ହେଉଥିବା ଉତ୍ତର ପ୍ରଦେଶରେ ଇଣ୍ଡିଆ ଏମ୍ପଲଏମେଣ୍ଟ ରିପୋର୍ଟ ୨୦୨୪ ଅନୁଯାୟୀ ଗତ ପାଞ୍ଚ ବର୍ଷ ଭିତରେ କର୍ମଯୋଗାଣ ସ୍ଥିତି ପ୍ରାୟ ୫୦ ଭାଗରେ ଅଟକି ରହିଛି।
“ମୋଦୀ ଜୀ ‘ସ୍ଥାନୀୟ କଥା କହିବା’ (ଭୋକାଲ ଫର୍ ଲୋକାଲ) ଓ ‘ବିରାସତ ହି ବିକାଶ’ (ଏ୍ୟତିହ୍ୟ ହିଁ ବିକାଶ) ବୋଲି କହି ପ୍ରଚାର କରୁଛନ୍ତି। ଦୟାକରି ମତେ କୁହନ୍ତୁ କାହା ପାଇଁ ସେହି ବିରାସତ (ଏ୍ୟତିହ୍ୟ)? ଆମ ପାଇଁ, କାଶୀର (ବାରାଣାସୀର) ଲୋକଙ୍କ ପାଇଁ ନା ବାହାର ଲୋକଙ୍କ ପାଇଁ?” ସେ ପ୍ରଶ୍ନ କରନ୍ତି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ବାରାଣାସୀରୁ ନିର୍ବାଚନ ଜିତିଥିଲେ ଓ ତାଙ୍କ ପ୍ରଚାରର ବହୁ ତିକ୍ତାନୁଭୁତି ରହିଛି ବୋଲି ଏହି ନାଉରିଆ ଜଣକ କହନ୍ତି, “ଆମେ ନିଶ୍ଚୟ ବିକାଶ ଦେଖିବାକୁ ଚାହିଁବୁ”।
'ଦୟାକରି ମତେ କୁହନ୍ତୁ କାହା ପାଇଁ ସେହି ବିରାସତ (ଏ୍ୟତିହ୍ୟ)? ଆମ ପାଇଁ, କାଶୀର (ବାରାଣାସୀର) ଲୋକଙ୍କ ପାଇଁ ନା ବାହାର ଲୋକଙ୍କ ପାଇଁ?'
ନିସାଦ କହନ୍ତି କି ୨୦୨୩ ଜାନୁୟାରୀରେ ମୋଦୀଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଜଳ-ପର୍ଯ୍ୟଟନ ତାଙ୍କ ଭଳି ନାଉରିଆମାନଙ୍କଠାରୁ କାମ ଛଡ଼େଇ ନେଲା। “ବିକାଶ ନାଁରେ ସେ (ମୋଦୀ) ସ୍ଥାନୀୟ ଲୋକଙ୍କ ବିକାଶ ଓ ଏ୍ୟତିହ୍ୟକୁ ଛଡ଼େଇ ନେଲା ଓ ବାହାର ଲୋକଙ୍କୁ ଦେଇଦେଲା”, ବାହାରୁ ଆସି ସେଠାରେ ବଡ଼ ବଡ଼ ପ୍ରକଳ୍ପ କରିଥିବା ଲୋକଙ୍କୁ ଉପଲକ୍ଷ କରି ସେ କହନ୍ତି। ରାଜ୍ୟର ଜଣେ ସାଧାରଣ କର୍ମଜୀବୀ ଲୋକ ମାସକୁ ଅତି ବେଶୀରେ ୧୦,୦୦୦ ଟଙ୍କା ରୋଜଗାର କରେ, ଯାହାକି ଦେଶରେ ଥିବା ଅନ୍ୟ ରାଜ୍ୟଗୁଡ଼ିକ ଅପେକ୍ଷା ସର୍ବନିମ୍ନ।
ହିନ୍ଦୁମାନେ ସର୍ବାଧିକ ପବିତ୍ର ଜଳ ବୋଲି ମାନୁଥିବା ଗଙ୍ଗାର ଜଳ ପ୍ରଦୂଷଣ ଏହି ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ଆଉ ଏକ ଦୁଃଖଦାୟକ ବିଷୟ। “ସେମାନେ କହନ୍ତି ଗଙ୍ଗା ଜଳ ଏବେ ପରିଷ୍କାର। ପୂର୍ବରୁ ଆମେ ଯଦି ପାଣିରେ ପଇସା ପକାଉଥିଲେ, ପାଣିର ସ୍ଵଚ୍ଛତା ଯୋଗୁଁ ଆମେ ତାକୁ ଆଣି ପାରୁଥିଲୁ, କିନ୍ତୁ ଏବେ ଯଦି କେହି ପାଣିରେ ବୁଡ଼ି ଯାଉଛି, ତାଙ୍କୁ ପାଣିରୁ ଖୋଜି ପାଇବାକୁ ଦିନ ଦିନ ଲାଗି ଯାଉଛି”, ସେ କହନ୍ତି।
ଗଙ୍ଗାର ପ୍ରଦୂଷଣକୁ କମାଇବା, ସଂରକ୍ଷଣ ବୃଦ୍ଧି ଓ ପୁନଃରୁଦ୍ଧାର କରିବା ପାଇଁ ୨୦ ହଜାର କୋଟି ବ୍ୟୟ ଅଟକଳରେ ନମାମୀ ଗଙ୍ଗେ ଯୋଜନା ୨୦୧୪ରେ ଆରମ୍ଭ ହୋଇଥିଲା। ତେବେ ୨୦୧୭ରେ ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ ଜଳ ଗୁଣବତ୍ତା ଇଣ୍ଡେକ୍ସ (ଡବ୍ଲ୍ୟୁ କ୍ୟୁ ଆଇ) ଏହାର ଉତପତି ଋଷିକେଶ ଓ ବାରାଣାସୀଠାରୁ ଶହଶହ କିମି ଉର୍ଦ୍ଧ୍ଵ ଜଳ ପ୍ରବାହ ମଧ୍ୟରେ ବହୁ ନିମ୍ନ ସ୍ତରରେ ରହିଛି। ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ପ୍ରକାଶିତ ଜଳ ଗୁଣବତ୍ତା ଇଣ୍ଡେକ୍ସ (ଡବ୍ଲ୍ୟୁ କ୍ୟୁ ଆଇ) ଅନୁଯାୟୀ ଜଳ ଗୁଣବତ୍ତା ଅତି ବିପଦଜନକ।
“ଜଳ-ପର୍ଯ୍ୟଟନ ପାଇଁ ଉଦ୍ଦିଷ୍ଟ ଜାହାଜ ସଦୃଶ ବଡ଼ ଡଙ୍ଗାଗୁଡ଼ିକ କେମିତି ଆମ ଏ୍ୟତିହ୍ୟ ଭାବେ ପରିଗଣିତ ହେବ? ଆମ ଡଙ୍ଗାଗୁଡ଼ିକ ହେଉଛି ଏ୍ୟତିହ୍ୟର ମୁହଁ, ବାରାଣାସୀର ପରିଚୟ,” ନିଜ ଡଙ୍ଗା ଭିତରେ ଯାତ୍ରୀଙ୍କୁ ଅପେକ୍ଷା ବେଳେ ସେ ‘ପରୀ’କୁ କହନ୍ତି। “ବିଶ୍ଵନାଥ ମନ୍ଦିର କରିଡର ତିଆରି କରିବା ପାଇଁ ସେ ଅସଂଖ୍ୟ ପ୍ରାଚୀନ ମନ୍ଦିରଗୁଡ଼ିକୁ ଭାଙ୍ଗି ଦେଲେ। ପୂର୍ବରୁ ବାରାଣାସୀ ଆସୁଥିବା ତୀର୍ଥଯାତ୍ରୀମାନେ କହୁଥିଲେ ‘ବାବା ବିଶ୍ଵନାଥ’ଙ୍କ ପାଖକୁ ନେଇଯିବାକୁ। ଏବେ କହୁଛନ୍ତି ‘କରିଡର’କୁ ଯିବେ ବୋଲି”, ତାଙ୍କ ପରି ସ୍ଥାନୀୟ ଲୋକଙ୍କ ଉପରେ ଏହି ସାଂସ୍କୃତିକ ପରିବର୍ତ୍ତନକୁ ଲଦି ଦିଆଯାଇ ଥିବାରୁ ଦୁଃଖରେ ମ୍ରିୟମାଣ ନିସାଦ କହନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍