ଶକ୍ତ ଶାଗୱାନ (ଶାଗୁଆନ) ଗଛ ଡାଳରେ ଗୁଡ଼ାଇ ହୋଇ ରହିଛି ନାଗ ସାପ । ରତ୍ତି ଟୋଲା ଗାଁ ଲୋକଙ୍କର ଆପ୍ରାଣ ଉଦ୍ୟମ ସତ୍ତ୍ୱେ ସାପଟି ନିଜ ସ୍ଥାନରୁ ଚଙ୍କୁ ନାହିଁ ।
ପାଞ୍ଚ ଘଣ୍ଟା ପରେ, ଶେଷରେ ମୁନ୍ଦ୍ରିକା ଯାଦବଙ୍କୁ ଡାକି ଆଣିଲେ ଅସହାୟ ଗ୍ରାମବାସୀମାନେ। ଏକଦା ନିକଟସ୍ଥ ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ବନରକ୍ଷୀ ଥିଲେ ମୁନ୍ଦ୍ରିକା । ବାଘ, ଚିତାବାଘ, ଗଣ୍ଡା ଏବଂ ସାପ ସମେତ ୨୦୦ରୁ ଅଧିକ ବନ୍ୟଜୀବଙ୍କୁ ଉଦ୍ଧାର କରିସାରିଛନ୍ତି ସେ ।
ମୁନ୍ଦ୍ରିକା ସେଠାରେ ପହଞ୍ଚି ପ୍ରଥମେ ନାଗ ସାପକୁ ତଳକୁ ଓହ୍ଲାଇ ଆଣିବାକୁ ଚେଷ୍ଟା କଲେ । ସାପଟି ତାହା ହିଁ କଲା । “ମୁଁ ତା ପାଟିରେ ବାଉଁଶ କାଠି ପୂରାଇ ଦଉଡ଼ିକୁ କଷି କରି ବାନ୍ଧି ଦେଲି । ତା’ପରେ ମୁଁ ତାକୁ ବସ୍ତାରେ ଭର୍ତ୍ତି କରି ନେଇ ପୁଣି ଜଙ୍ଗଲରେ ଛାଡ଼ି ଦେଲି,” ୪୨ ବର୍ଷୀୟ ମୁନ୍ଦ୍ରିକା କହନ୍ତି । “ଏଥିପାଇଁ ମୋତେ ମାତ୍ର ୨୦-୨୫ ମିନିଟ୍ ଲାଗିଲା ।”
ବିହାରର ପଶ୍ଚିମ ଚମ୍ପାରନ ଜିଲ୍ଲାରେ ୯୦୦ ବର୍ଗ କିଲୋମିଟର ବ୍ୟାପୀ ରହିଥିବା ଏହି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳ ରେ ଅନେକ ପ୍ରକାରର ବନ୍ୟପ୍ରାଣୀଙ୍କ ସହିତ ୫୪ଟି ବାଘ ରହନ୍ତି । “ ହମ୍ ସ୍ପଟ୍ ପର ହି ତୁରନ୍ତ ଯୁଗାଡ଼ ବନା ଲେତେ ହୈଁ (ମୁଁ ଘଟଣାସ୍ଥଳରେ ହିଁ କୌଣସି ଏକ ନୂଆ ଉପାୟ ବାହାର କରିନିଏ),” ତାଙ୍କ ଉଦ୍ଧାର କୌଶଳ ସଂପର୍କରେ ମୁନ୍ଦ୍ରିକା କହନ୍ତି ।
ମୁନ୍ଦ୍ରିକା, ଯାଦବ ସଂପ୍ରଦାୟ (ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ ରୂପେ ତାଲିକାଭୁକ୍ତ) ଅନ୍ତର୍ଭୁକ୍ତ ଏବଂ ଏହି ଜଙ୍ଗଲ ଓ ଏଥିରେ ବସବାସ କରୁଥିବା ପ୍ରାଣୀମାନଙ୍କ ପାଖରେ ରହି ବଢ଼ିଛନ୍ତି । “ଆଗରୁ ଜଙ୍ଗଲକୁ ମଇଁଷି ଚରାଇବାକୁ ଯାଉଥିବା ବେଳେ, ଅନେକ ସମୟରେ ମୁଁ ସାପମାନଙ୍କୁ ଧରୁଥିଲି । ସେହି ସମୟରୁ ହିଁ ବନ୍ୟଜୀବନ ପ୍ରତି ମୋର ମମତା ଜାଗି ଉଠିଲା । ତେଣୁ, ୨୦୧୨ରେ ଯେତେବେଳେ ବନରକ୍ଷୀ ନିଯୁକ୍ତି ଲାଗି ଶାରୀରିକ ପରୀକ୍ଷା ହେଲା, ମୁଁ ଆବେଦନ କଲି ଏବଂ ଚାକିରି ପାଇଲି,” ବିଜୟପୁର ଗାଁର ଏହି ବାସିନ୍ଦା ଜଣକ କହନ୍ତି । ଏଠାରେ ସେ ତାଙ୍କ ସ୍ତ୍ରୀ ଓ ଝିଅ ସହିତ ରହନ୍ତି ।
“ସମଗ୍ର ସଂରକ୍ଷିତ ଅଞ୍ଚଳର ମାନଚିତ୍ର ଆମ ଆଖିରେ ରହିଛି । ଆପଣ ଆମ ଆଖିରେ ପଟି ବାନ୍ଧି ଜଙ୍ଗଲରେ ଛାଡ଼ି ଦିଅନ୍ତୁ, ଏବଂ ଗୋଟିଏ କାର୍ରେ ବସି ବାହାରନ୍ତୁ, ଆମେ ଆପଣଙ୍କ ଆଗରୁ ଜଙ୍ଗଲରୁ ବାହାରି ଆସିବୁ,” ଏହି ପୂର୍ବତନ ବନରକ୍ଷୀ ଜଣକ କହନ୍ତି ।
ପରବର୍ତ୍ତୀ ଆଠ ବର୍ଷ ପାଇଁ ସେ ବନରକ୍ଷୀ ଭାବରେ କାମ କଲେ, ପ୍ରାୟ ବର୍ଷେ ପର୍ଯ୍ୟନ୍ତ ମାସିକ ଦରମା ମିଳିବାରେ ନିୟମିତ ଭାବରେ ବିଳମ୍ବ ହେଉଥିଲେ ହେଁ ସେ ଚାକିରି କରି ଚାଲିଲେ । “ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ମୋ ଭିତରେ ଏକ ଆବେଗ ସୃଷ୍ଟି କରିଥିଲା,” ‘ପରୀ’କୁ ସେ କହନ୍ତି ।
୨୦୨୦ରେ ମୁକ୍ତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ବିହାର ସରକାର ନୂଆ ବନରକ୍ଷୀମାନଙ୍କୁ ନିଯୁକ୍ତି ଦେଲେ । ଯାଦବଙ୍କ ଭଳି ପୂର୍ବରୁ ରହିଥିବା ବନରକ୍ଷୀମାନଙ୍କୁ ଅନ୍ୟ କାମ ଦିଆଗଲା- ଏବେ ସେ ବାଲ୍ମିକୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଭିଟିଆର୍)ର ଗାଡ଼ି ଚଳାଉଛନ୍ତି । “ଆମକୁ ଅଣଦେଖା କରାଯାଇଛି,” ସେ କହନ୍ତି । ତାଙ୍କର ନୂଆ ଚାକିରିକୁ ନେଇ ସେ ଆଦୌ ଖୁସି ନୁହଁନ୍ତି । ତାଙ୍କ ବୟସ ଓ ଶିକ୍ଷାଗତ ଯୋଗ୍ୟତା କାରଣରୁ ମୁନ୍ଦ୍ରିକା ନୂତନ ନିଯୁକ୍ତି ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେଲେ ନାହିଁ । ସେ ମ୍ୟାଟ୍ରିକ୍ ପାସ୍ କରିଛନ୍ତି- ଯାହା କି ବନରକ୍ଷୀ ପଦବୀ ପାଇଁ ଯଥେଷ୍ଟ ନୁହେଁ ।
ଯେତେବେଳେ ପରିସ୍ଥିତି ବିପଜ୍ଜନକ ଏବଂ ଗୁରୁତର ହୋଇଯାଏ, ନୂତନ ବନରକ୍ଷୀମାନେ ମୁନ୍ଦ୍ରିକାଙ୍କ ପାଖରେ ପହଞ୍ଚନ୍ତି । “ପରୀକ୍ଷା ଜରିଆରେ ନିଯୁକ୍ତି ପାଇଥିବା ବନରକ୍ଷୀମାନଙ୍କ ପାଖରେ ଡିଗ୍ରୀ ଥାଇପାରେ, କିନ୍ତୁ ସେମାନଙ୍କ ପାଖରେ ବ୍ୟାବହାରିକ ଜ୍ଞାନ ନାହିଁ,” ସେ କହନ୍ତି । “ଆମେ ଜଙ୍ଗଲରେ ଜନ୍ମ ନେଇଛୁ ଏବଂ ବନ୍ୟଜୀବମାନଙ୍କୁ କେମିତି ଉଦ୍ଧାର କରିବାକୁ ହେବ, ସେ କଥା ସେମାନଙ୍କ ସହିତ ରହି ଶିଖିଛୁ ।”
ଅନୁବାଦ: ଓଡ଼ିଶାଲାଇଭ୍