୨୦୧୮ ମସିହାରେ ଗାଡ୍ଡାମିଡି ରାଜେଶ୍ୱରୀ ଜଣେ ଜମିମାଲିକ ହେଲେ। “ମୁଁ ବହୁତ ଖୁସି ଥିଲି! ମୁଁ ଜଣେ ମହିଳା ହୋଇ ବି ଜମିର ମାଲିକ ହେବି।”
ହାତରେ ଧରିଥିବା ଆନୁଷ୍ଠାନିକ ସତ୍ତ୍ୱାଧିକାରୀ ଡିଡ୍କୁ ଗର୍ବର ସହ ଚାହିଁ ସେ ଅନ୍ତତଃପକ୍ଷେ ସେତିକି ଭାବିଲେ।
ପାଞ୍ଚ ବର୍ଷ ପରେ ମଧ୍ୟ ତାଙ୍କ ଗାଁ ୟେଙ୍କେପଲ୍ଲୀଠାରୁ ୩୦ କିଲୋମିଟର ଦୂର ବାରୱାଡ୍ରେ ଟ. ୩୦, ୦୦୦ ଦେଇ କିଣିଥିବା ୧.୨୮ ଏକର ଜମି ଉପରେ ତାଙ୍କର ମାଲିକାନାକୁ ରାଜ୍ୟ ସରକାର ସ୍ୱୀକୃତି ଦେବା ପାଇଁ ସେ ଅପେକ୍ଷା କରି ରହିଛନ୍ତି।
ଜମି କିଣିବାର କିଛି ମାସ ମଧ୍ୟରେ, ରାଜେଶ୍ୱରୀଙ୍କୁ ଟାଇଟଲ୍ ଡିଡ୍, ଏନକ୍ୟୁମ୍ବ୍ରାନ୍ସ ଷ୍ଟେଟମେଣ୍ଟ ଏବଂ ପଟ୍ଟାଦାର ପାସବୁକ୍ ପାଇବା ପାଇଁ ଆବଶ୍ୟକ କରୁଥିବା ସମସ୍ତ ଡକ୍ୟୁମେଣ୍ଟ୍ ମିଳିଗଲା। କିନ୍ତୁ ସେସବୁ ବ୍ୟର୍ଥ ହୋଇଗଲା। “ଏବେକୁ ପାଞ୍ଚ ବର୍ଷ ବିତିଗଲାଣି ଏବଂ ମୁଁ ତଥାପି ମୋର ପଟ୍ଟାଦାର [ଜମି ମାଲିକ] ପାସବୁକ୍ ପାଇନାହିଁ। ପଟ୍ଟାଦାର ପାସବୁକ୍ ବିନା, ଏହା(ଜମି) କ’ଣ ପ୍ରକୃତରେ ମୋର?”
ଜମିର ମାଲିକାନା କିପରି ସ୍ଥାନାନ୍ତରିତ ହୋଇଛି ତାହା ଟାଇଟଲ୍ ଡିଡ୍ ଦର୍ଶାଉଥିବାବେଳେ, ପଟ୍ଟାଦାର୍ ପାସବୁକ୍ ମାଲିକାନା ବିଷୟରେ ଅଧିକ ବିବରଣୀ ପ୍ରଦାନ କରେ। ପାସବୁକ୍ରେ ପଟ୍ଟାଦାରଙ୍କ ନାମ, ସର୍ଭେ ନମ୍ବର, ଜମି ପ୍ରକାର ଏବଂ ଅଧିକ ବିବରଣୀ ଅଛି। ଏଥିରେ ମାଲିକଙ୍କ ପାସପୋର୍ଟ ଫଟୋ ଏବଂ ତହସିଲଦାରଙ୍କ ଦସ୍ତଖତ ମଧ୍ୟ ଅଛି।











