ଯେତେବେଳେ ଯଶଦୀପ କୌରଙ୍କୁ ଭଲ ପଢ଼ିବା ପାଇଁ ସ୍ମାର୍ଟଫୋନ୍ କିଣିବାର ଆବଶ୍ୟକତା ପଡ଼ିଲା, ତା’ଙ୍କ ମାତାପିତା ତାଙ୍କୁ ୧୦,୦୦୦ ଟଙ୍କା ଉଧାର ଦେଇଥିଲେ। ଉଧାର ସୁଝିବା ପାଇଁ ଏହି ୧୮ ବର୍ଷୀୟା ଯୁବତୀଙ୍କୁ ୨୦୨୩ ଗ୍ରୀଷ୍ମ ଦିନ ଛୁଟିରେ ଧାନ ରୋଇବାକୁ ପଡ଼ିଥିଲା।
ପଞ୍ଜାବର ମୁକ୍ତସର ସାହେବରେ ଏହି ଦଳିତ ଯୁବତୀଙ୍କ ଭଳି ଆହୁରି ଅନେକ ପିଲାଙ୍କୁ ନିଜ ପରିବାରର ଭରଣପୋଷଣ ପାଇଁ କ୍ଷେତରେ କାମ କରିବାକୁ ହୋଇଥାଏ।
‘‘ଆମେ ଖୁସିରେ ଚାଷ ଜମିରେ ମୂଲ ଲାଗିନଥାଉ, ବରଂ ଅସହାୟତା ବଶତଃ ଆମକୁ ଏହା କରିବାକୁ ହୋଇଥାଏ,’’ ଯଶଦୀପ କୁହନ୍ତି। ତାଙ୍କ ପରିବାର ମଜହବୀ ଶିଖ ସମ୍ପ୍ରଦାୟର ହୋଇଥିବା ବେଳେ ପଞ୍ଜାବରେ ସେମାନେ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ ଅଟନ୍ତି। ଏହି ସମ୍ପ୍ରଦାୟର ଅଧିକାଂଶ ଲୋକଙ୍କ ପାଖରେ ଚାଷ ଜମି ନଥିବାରୁ ସେମାନେ ଉଚ୍ଚ ଜାତିର ଚାଷୀଙ୍କ ଜମିରେ ମୂଲ ଲାଗିଥାନ୍ତି।
ତାଙ୍କ ବାପାମା’ ତାଙ୍କୁ ଯେଉଁ ଟଙ୍କା ଦେଇଥିଲେ ତାହା ସେମାନେ ମାଇକ୍ରୋଫାଇନାନ୍ସ କମ୍ପାନୀଠାରୁ ଗାଈ କିଣିବାକୁ ଆଣିଥିବା ୩୮,୦୦୦ ଟଙ୍କା ଋଣରୁ ଦେଇଥିଲେ। ଲିଟର ପିଛା ୪୦ ଟଙ୍କାରେ କ୍ଷୀର ବିକିଲେ ଘର ଖର୍ଚ୍ଚରେ ସହାୟତା ମିଳିବ। ଶ୍ରୀ ମୁକ୍ତସର ସାହେବ ଜିଲ୍ଲାରେ ଥିବା ଖୁଣ୍ଡେ ହଲାଲ ଗ୍ରାମରେ ରୋଜଗାର ସୁଯୋଗ ସୀମିତ- ଏଠାକାର ୩୩ ପ୍ରତିଶତ ଲୋକ କୃଷି ଶ୍ରମିକ ଭାବେ କାମ କରିଥାନ୍ତି।
ଯଶଦୀପ ଯେତେବେଳେ ଜୁନ ମାସରେ କଲେଜ ପରୀକ୍ଷା ଦେଇଥିଲେ, ଏହି ସ୍ମାର୍ଟଫୋନ୍ ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା - ଧାନ ଜମିରେ ମୂଲ ଲାଗିବା ପରେ ଯେଉଁ ୨ ଘଣ୍ଟା ବିଶ୍ରାମ ମିଳିଥିଲା ସେଥିରେ ସେ ଅନଲାଇନ୍ ପରୀକ୍ଷା ଦେଇଥିଲେ। ‘‘ମୁଁ କାମ ଛାଡ଼ିବାର ବିପଦ ମୁଣ୍ଡାଇ ପାରିବି ନାହିଁ। ମୁଁ ଯେଉଁଦିନ କଲେଜ୍ ଯିବି ସେଦିନ ମୋର ବେତନ କଟିଯିବ,’’ ସେ କହିଥାନ୍ତି।
ପଞ୍ଜାବର ଶ୍ରୀ ମୁକ୍ତସର ଜିଲ୍ଲାରେ ଥିବା ସରକାରୀ କଲେଜ ମୁକ୍ତସରରେ ଦ୍ୱିତୀୟ ବର୍ଷ ବାଣିଜ୍ୟ ଛାତ୍ରୀ ଭାବେ ପଢ଼ୁଥିବା ଯଶଦୀପଙ୍କ ପାଇଁ ଚାଷ ଜମିରେ ମୂଲ ଲାଗିବା ନୂଆ କଥା ନୁହେଁ। ସେ ୧୫ ବର୍ଷ ବୟସରୁ ହିଁ ନିଜ ପରିବାର ଲୋକଙ୍କ ସହିତ ଚାଷ ଜମିରେ କାମ କରି ଆସୁଛନ୍ତି।
‘‘ଅନ୍ୟ ପିଲାମାନଙ୍କୁ ଖରା ଦିନ ଛୁଟି ସମୟରେ ନିଜ ନାନୀ ପିଣ୍ଡ (ଆଈଙ୍କ ଗାଁ) ଯିବାକୁ କୁହାଯାଏ,’’ ସେ ହସି ହସି କୁହନ୍ତି। ‘‘ହେଲେ ଆମେ ଯଥାସମ୍ଭବ ଅଧିକରୁ ଅଧିକ ଧାନ ରୋଇବା ପାଇଁ ଚେଷ୍ଟା କରିଥାଉ।’’
ଯଶଦୀପ ନିଜ ପରିବାରକୁ ମାଇକ୍ରୋଫାଇନାନ୍ସ କମ୍ପାନୀଠାରୁ ଆଣିଥିବା ଏକ ଲକ୍ଷ ଟଙ୍କାର ଦୁଇଟି ଋଣ ସୁଝିବାରେ ସହାୟତା କରିବା ଲାଗି ପ୍ରଥମେ ଧାନ ରୋଇବା କାମ କରିବା ଆରମ୍ଭ କରିଥିଲେ। ତାଙ୍କ ବାପା ୨୦୧୯ରେ କିଣିଥିବା ଏକ ବାଇକ ପାଇଁ ଉଭୟ ଋଣ ନିଆଯାଇଥିଲା। ପରିବାରକୁ ଗୋଟିଏ ଋଣ ପାଇଁ ୧୭,୦୦୦ ଟଙ୍କା ଏବଂ ଆଉ ଗୋଟିଏ ପାଇଁ ୧୨,୦୦୦ ଟଙ୍କାର ସୁଧ ଦେବାକୁ ପଡ଼ିଥିଲା।
ଯଶଦୀପଙ୍କ ଭାଇ-ଭଉଣୀ ମଙ୍ଗଳ ଓ ଯଗଦୀପ ଉଭୟଙ୍କ ବୟସ ୧୭ ବର୍ଷ ହେବ। ସେମାନେ ୧୫ ବର୍ଷ ବୟସର ହେବା ପରଠାରୁ ଚାଷ ଜମିରେ କାମ କରିବା ଆରମ୍ଭ କରି ଦେଇଥିଲେ। ସେମାନଙ୍କ ମା’ ୩୮ ବର୍ଷ ବୟସ୍କା ରାଜବୀର କୌର ଆମକୁ କୁହନ୍ତି ଯେ, କୃଷି ଶ୍ରମିକ ପରିବାରର ଲୋକମାନେ ସେମାନଙ୍କ ପିଲାଙ୍କୁ ସାତ ଆଠ ବର୍ଷ ବୟସରୁ ଚାଷ ଜମିକୁ ନେଇ ଯାଆନ୍ତି ଯାହାଫଳରେ ପିଲାମାନେ ନିଜ ବାପାମା’ଙ୍କୁ କାମ କରୁଥିବାର ଦେଖିପାରିବେ, ‘‘ପିଲାମାନେ ଯେତେବେଳେ ଆମ ସହ କାମ ଆରମ୍ଭ କରିବେ ସେମାନଙ୍କୁ କୌଣସି ଅସୁବିଧା ହେବ ନାହିଁ,’’ ସେ କୁହନ୍ତି।
ପଡ଼ୋଶୀ ନୀରୁ, ତାଙ୍କର ତିନି ଭଉଣୀ ଏବଂ ସେମାନଙ୍କ ବିଧବା ମା’ଙ୍କ ଘରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥାଏ। ସେମାନେ କାହିଁକି ଗାଁ ଠାରୁ ଦୂରକୁ କାମ କରିବାକୁ ଯାଇ ପାରିବେ ନାହିଁ ସେ ସମ୍ପର୍କରେ ସୂଚନା ଦେଇ ନୀରୁ (୨୨) କୁହନ୍ତି, ‘‘ମୋ ମା’ଙ୍କୁ ଧାନ ରୋଇବାରେ ସମସ୍ୟା ହୋଇଥାଏ କାରଣ ସେ କାଲା ପିଲିଆ (ହେପାଟାଇଟିସ୍-ସି)ରେ ପୀଡ଼ିତ।’’ ଏହି ରୋଗ ତାଙ୍କୁ ୨୦୨୨ରେ ହୋଇଥିଲା। ୪୦ ବର୍ଷ ବୟସ୍କା ସୁରୀନ୍ଦର କୌର ଖରା ପ୍ରତି ସମ୍ବେଦନଶୀଳ ଅଟନ୍ତି ଏବଂ ତାଙ୍କୁ ଜ୍ୱର ଓ ଟାଇଫଏଡ୍ ହେବାର ବିପଦ ଲାଗି ରହିଥାଏ। ତାଙ୍କୁ ମାସିକ ୧,୫୦୦ ଟଙ୍କାର ବିଧବା ଭତ୍ତା ମିଳିଥାଏ, କିନ୍ତୁ ଏହା ଘର ଚଳାଇବା ପାଇଁ ଯଥେଷ୍ଟ ନୁହେଁ।
ତେଣୁ ୧୫ ବର୍ଷ ବୟସରୁ ନୀରୁ ତାଙ୍କ ଭଉଣୀମାନେ ଧାନ ରୋଇବା, ଘାସ ବାଛିବା ଏବଂ କପା ତୋଳିବା କାମ କରି ଆସୁଛନ୍ତି। ଏହି ଭୂମିହୀନ ମଜହବୀ ଶିଖ ପରିବାର ପାଇଁ ଏହା ହିଁ ଏକମାତ୍ର ରୋଜଗାର ପନ୍ଥା। ‘‘ଆମର ସମ୍ପୂର୍ଣ୍ଣ ଛୁଟିଦିନ ଚାଷ ଜମିରେ ମଜୁରି ଖଟିବାରେ ବିତିଯାଇଥାଏ। ଆମକୁ ମାତ୍ର ଗୋଟିଏ ସପ୍ତାହ ବିଶ୍ରାମ ମିଳିଥାଏ ଯେଉଁଥିରେ ଆମେ ଛୁଟି ଦିନର ହୋମୱାର୍କ ସମ୍ପୂର୍ଣ୍ଣ କରିଥାଉ,’’ ନୀରୁ କୁହନ୍ତି।
ହେଲେ ବିଶେଷ କରି ଲମ୍ବା, ଗରମ ଖରା ଦିନେ କାମ କରିବାର ପରିସ୍ଥିତି ଖୁବ୍ କଠିନ ହୋଇଥାଏ: ଚାଷ ଜମିରେ ଥିବା ପାଣି ଗରମ ହେବା ଆରମ୍ଭ କରିଥାଏ, ମହିଳା ଓ ଝିଅମାନେ ଅପରାହ୍ଣରେ ଛାଇ ଖୋଜିଥା’ନ୍ତି, ଅପରାହ୍ଣ ୪ଟା ପରେ ସେମାନେ ପୁଣି କାମ ଆରମ୍ଭ କରିଥାନ୍ତି। ଏହା ଶାରୀରିକ ଭାବେ ଖୁବ୍ କଠିନ କାମ, କିନ୍ତୁ ଋଣ ପରିଶୋଧ କରିବା ପାଇଁ ନୀରୁ ଓ ଯଶଦୀପଙ୍କ ପରିବାର ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।
‘‘ଯଦି ଆମର ସବୁ ରୋଜଗାର ଖର୍ଚ୍ଚରେ ଚାଲିଯିବ ତା’ହେଲେ ଆମେ ଘର ଖର୍ଚ୍ଚ କିଭଳି ତୁଲାଇବୁ,’’ ପ୍ରତିବର୍ଷ ବିଦ୍ୟାଳୟ ଶୁଳ୍କ, ନୂଆ ବହି ଓ ୟୁନିଫର୍ମ କିଣିବାରେ ହେଉଥିବା ଖର୍ଚ୍ଚ ବିଷୟରେ ସୂଚନା ଦେଇ ରାଜବୀର ପ୍ରଶ୍ନ କରିଥାନ୍ତି।
ସେମାନଙ୍କ ପକ୍କା ଘର ଅଗଣାରେ ପଡ଼ିଥିବା ମନ୍ଜ୍ଜି (ଖଟିଆ)ରେ ବସି ସେ କୁହନ୍ତି, ‘‘ସେ ଦୁଇ ଜଣଙ୍କୁ ସ୍କୁଲ୍ ଯିବାକୁ ପଡ଼ିବ!’’ ଜଗଦୀପ ନିଜ ଗାଁଠାରୁ ୧୩ କିଲୋମିଟର ଦୂର ଲଖେୱାଲୀ ସରକାରୀ ବାଳିକା ସିନିୟର ସେକେଣ୍ଡାରୀ ସ୍ମାର୍ଟ ସ୍କୁଲ୍ରେ ପଢ଼ିଥାନ୍ତି।
‘‘ଝିଅମାନଙ୍କୁ ଗାଡ଼ିରେ ନେବା ଆଣିବା ପାଇଁ ଆମେ ମାସିକ ୧,୨୦୦ ଟଙ୍କା ଖର୍ଚ୍ଚ କରୁ। ତା’ପରେ, ଆମକୁ ସେମାନଙ୍କ ପାଠପଢ଼ା ପାଇଁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ,’’ ଯଶଦୀପ କହିଥାନ୍ତି। ଧୈର୍ଯ୍ୟର ସହିତ ସେ ଆହୁରି କୁହନ୍ତି, ‘‘ସବୁବେଳେ କିଛି ନା କିଛି ଖର୍ଚ୍ଚ ପଡ଼ିଥାଏ।’’
ଖରା ଛୁଟି ପରେ, ଜୁଲାଇ ମାସରେ ମଙ୍ଗଳ ଓ ଜଗଦୀପଙ୍କୁ ସେମାନଙ୍କ ସ୍କୁଲ୍ ପରୀକ୍ଷା ଦେବାକୁ ପଡ଼ିଥାଏ। ପରିବାର ଲୋକମାନେ ସେମାନଙ୍କୁ ଛୁଟି ଶେଷରେ କିଛି ଦିନର ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି ଯାହାଫଳରେ ସେମାନେ ନିଜର ପାଠପଢ଼ାରେ ଧ୍ୟାନ କେନ୍ଦ୍ରିତ କରିପାରିବେ।
ଯଶଦୀପଙ୍କୁ ନିଜ ସାନ ଭାଇ-ଉଭଣୀଙ୍କ ଭଲ ପ୍ରଦର୍ଶନ କରିବାର କ୍ଷମତା ଉପରେ ଭରସା ରହିଛି। ତେବେ ଗାଁର ଅନ୍ୟ ଯୁବକଯୁବତୀଙ୍କ ପାଇଁ ପରିସ୍ଥିତି ସମାନ ହୋଇନପାରେ। ‘‘ସେମାନେ ସଂଘର୍ଷ କରିଥାନ୍ତି ଏବଂ ଏହାକୁ ନେଇ ତାଙ୍କୁ ଚିନ୍ତା ହୋଇଥାଏ,’’ ସେ ମନ୍ଜ୍ଜି ଉପରେ ନିଜ ମା’ଙ୍କ ପାଖରେ ବସି କୁହନ୍ତି। ଏହି ଯୁବତୀ ଜଣଙ୍କ ନିଜ କର୍ତ୍ତବ୍ୟ ନିର୍ବାହ କରୁଛନ୍ତି - ତାଙ୍କ ଭଳି କେତେଜଣ କଲେଜ ପଢ଼ୁଆ ଦଳିତ ଛାତ୍ରଛାତ୍ରୀ ସନ୍ଧ୍ୟାରେ ସେମାନଙ୍କ ସମ୍ପ୍ରଦାୟର ଛୋଟ ପିଲାମାନଙ୍କୁ ମାଗଣାରେ ଟ୍ୟୁସନ୍ ପଢ଼ାଇଥାନ୍ତି। ଜୁନ୍ ମାସରେ ଏହି ପାଠପଢ଼ା ନିୟମିତ ହୋଇପାରିନଥାଏ କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନରାହ୍ଣ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଷ ଜମିରେ ଥାଆନ୍ତି।
*****
ଧାନ ରୋଇବା କାମ ଚାଷ ଜମିରେ ମୂଲ ଲାଗୁଥିବା ଭୂମିହୀନ ପରିବାର ପାଇଁ ଉପଲବ୍ଧ କେତେକ ଋତୁକାଳୀନ ବୃତ୍ତି ମଧ୍ୟରୁ ଗୋଟିଏ। ପ୍ରତ୍ୟେକ ପରିବାରକୁ ଗୋଟିଏ ଏକର ଜମିରେ ଧାନ ରୋଇବା ପାଇଁ ପାଖାପାଖି ୩,୫୦୦ ଟଙ୍କାର ପାରିଶ୍ରମିକ ମିଳିଥାଏ। ଯଦି ନର୍ସରୀ ଚାଷ ଜମିଠାରୁ ପାଖାପାଖି ଦୁଇ କିଲୋମିଟର ଦୂରରେ ରହିଛି ତା’ହେଲେ ଅତିରିକ୍ତ ୩୦୦ ଟଙ୍କା ମିଳେ। ଯଦି ଏହି କାମ ପାଇଁ ପରିବାରର ଦୁଇ କିମ୍ବା ଅଧିକ ସଦସ୍ୟ ଚାଷ ଜମିରେ ନିୟୋଜିତ ହୁଅନ୍ତି ତା’ହେଲେ ସେମାନେ ଦୈନିକ ମଜୁରି ଆକାରରେ ମୁଣ୍ଡପିଛା ୪୦୦ ଟଙ୍କାରୁ ୫୦୦ ଟଙ୍କା ରୋଜଗାର କରିଥା’ନ୍ତି।
ତେବେ ଖୁଣ୍ଡେ ହଲାଲର ଅନେକ ପରିବାର ଏବେ ଖରିଫ ଋତୁରେ କାମ ଉପଲବ୍ଧତା ହ୍ରାସ ପାଉଥିବା ନେଇ ସୂଚନା ଦେଇଥାନ୍ତି। ଉଦାହରଣ ସ୍ୱରୂପ, ଯଶଦୀପ ଓ ତାଙ୍କ ବାପା-ମା’ ଚଳିତ ଋତୁରେ ୨୫ ଏକର ଜମିରେ ଧାନ ଲଗାଇ ଥିଲେ, ଯାହା ପୂର୍ବ ଋତୁ ତୁଳନାରେ ପାଞ୍ଚ ଏକର କମ୍। ସେ ତିନି ଜଣ ମିଶି ୧୫,୦୦୦ ଟଙ୍କା ଲେଖାଏଁ ରୋଜଗାର କରିଛନ୍ତି। ସାନ ଭାଇ-ଭଉଣୀଙ୍କ ମଧ୍ୟରୁ ପ୍ରତ୍ୟେକ ଗୋଟିଏ ଋତୁରେ ୧୦,୦୦୦ ଟଙ୍କା ଲେଖାଏଁ ରୋଜଗାର କରିଛନ୍ତି।
କାମ ପାଇଁ ଅନ୍ୟ ଏକ ବିକଳ୍ପ ହେଉଛି ଶୀତ ଦିନେ କପା ତୋଳିବା। ଏହା ପୂର୍ବରୁ ଯେପରି ଲାଭଜନକ ଥିଲା ଏବେ ଆଉ ନାହିଁ, ଯଶଦୀପ କୁହନ୍ତି, ‘‘ବିଗତ ଦଶ ବର୍ଷ ମଧ୍ୟରେ କୀଟ ଆକ୍ରମଣ ଏବଂ ଭୂତଳ ଜଳସ୍ତର ହ୍ରାସ ପାଉଥିବା କାରଣରୁ କପା ଚାଷ ଧୀରେ ଧୀରେ ଲୁପ୍ତ ହେବାକୁ ବସିଲାଣି।’’
କାମ ସୁଯୋଗ ଅଭାବ କାରଣରୁ କୃଷି ଶ୍ରମିକମାନେ ଅନ୍ୟ କାର୍ଯ୍ୟପନ୍ଥା ଆପଣାଉଛନ୍ତି। ଯଶଦୀପଙ୍କ ବାପା ଯଶବିନ୍ଦର ଜଣେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ କିନ୍ତୁ ଶରୀରର ନିମ୍ନ ଭାଗରେ ଯନ୍ତ୍ରଣା କାରଣରୁ ସେ ଏହି କାମ ଛାଡ଼ି ଦେଇଛନ୍ତି। ଜୁଲାଇ ୨୦୨୩ରେ ଏହି ୪୦ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ ଗୋଟିଏ କାର୍ - ମହିନ୍ଦ୍ରା ବୋଲେରୋ କିଣିବାକୁ ଘରୋଇ ବ୍ୟାଙ୍କରୁ ଋଣ ନେଇଛନ୍ତି ଏବଂ ଏବେ ଗାଁରେ ଯାତ୍ରୀମାନଙ୍କୁ ନେବାଆଣିବା କରୁଛନ୍ତି; ତଥାପି ସେ କୃଷି ଶ୍ରମିକ ଭାବେ କାମ କରୁଛନ୍ତି। ପାଞ୍ଚ ବର୍ଷ ମଧ୍ୟରେ ପରିବାରକୁ ଯେମିତି ହେଉ ଋଣ ପରିଶୋଧ କରିବାକୁ ପଡ଼ିବ।
ଗତ ଦୁଇ ବର୍ଷ ପର୍ଯ୍ୟନ୍ତ ନୀରୁଙ୍କ ପରିବାର ଖରା ଛୁଟିରେ ଅତି କମ୍ରେ ୧୫ ଏକର ଜମିରେ ଧାନ ରୋପଣ କରୁଥିଲେ। ଚଳିତ ବର୍ଷ ସେମାନେ ନିଜ ଗୃହପାଳିତ ପ୍ରାଣୀଙ୍କ ପାଇଁ ଗୋଖାଦ୍ୟ ଯୋଗାଡ଼ କରିବା ଲାଗି ମାତ୍ର ଦୁଇ ଏକର ଜମିରେ କାମ କରିଛନ୍ତି।
୨୦୨୨ରେ ନୀରୁଙ୍କ ବଡ଼ ଭଉଣୀ ଶିଖା ଶ (୨୫) ଏଠାରୁ ୨୬ କିଲୋମିଟର ଦୂର ଡୋଡାରେ ଜଣେ ମେଡ଼ିକାଲ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ କାମ କରିବା ପରେ, ପରିବାର ଲୋକମାନେ କ୍ଷୀର ବିକ୍ରି କରି ନିଜ ଘରୋଇ ଖର୍ଚ୍ଚ ଚଳାଇବା ପାଇଁ ଗୋଟିଏ ଗାଈ ଓ ଗୋଟିଏ ମଇଁଷି କିଣିଥିଲେ; ଅଳ୍ପ ବାଟ ଯାତ୍ରା କରିବା ପାଇଁ ଝିଅମାନେ ଗୋଟିଏ ସେକେଣ୍ଡ ହ୍ୟାଣ୍ଡ୍ ମୋଟର ସାଇକେଲ୍ ମଧ୍ୟ କିଣିଥିଲେ। ନୀରୁ ମଧ୍ୟ ତାଙ୍କ ଭଉଣୀଙ୍କ ଭଳି ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ ହେବାକୁ ତାଲିମ ନେଉଛନ୍ତି ଏବଂ ଗାଁର ଏକ ସମାଜ ମଙ୍ଗଳ ସମିତି ତାଙ୍କର ଶୁଳ୍କ ଦାୟିତ୍ୱ ବହନ କରୁଛି।
ସେମାନଙ୍କ ସାନ ଭଉଣୀ, କମଲ (୧୪) ପରିବାର ଲୋକଙ୍କ ସହ ଚାଷ ଜମିରେ କାମରେ ଯୋଗ ଦେଇଛି। ସେ ଜଗଦୀପ ପଢ଼ୁଥିବା ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ପଢ଼ୁଛି ଏବଂ ତା’କୁ ମଜୁରି କାମ ସହିତ ପାଠପଢ଼ା ଜାରି ରଖିବାକୁ ହେଉଛି
*****
ପଞ୍ଜାବ କ୍ଷେତ ମଜଦୁର ସଂଘର ମହାସଚିବ ତରସେମ୍ ସିଂ କୁହନ୍ତି, ‘‘ଗାଁର କୃଷି ଶ୍ରମିକଙ୍କ ପାଖରେ ଏବେ ଚଳିତ ଋତୁରେ ମାତ୍ର ୧୫ ଦିନର କାମ ବାକି ରହିଛି କାରଣ ଚାଷୀମାନେ ଡିଏସଆର ପଦ୍ଧତିକୁ ଦ୍ରୁତ ଗତିରେ ଆପଣାଉଛନ୍ତି।’’ ଯଶଦୀପ ଏକଥାରେ ରାଜି ହୋଇ କୁହନ୍ତି ଯେ ଏକଦା କେବଳ ଧାନ ରୋଇବାରୁ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ୨୫,୦୦୦ ଟଙ୍କା ଲେଖାଏଁ ରୋଜଗାର କରିପାରୁଥିଲେ।
କିନ୍ତୁ ଏବେ, ‘‘ଅନେକ ଚାଷୀ ମେସିନର ଉପଯୋଗ କରି ସିଧିବିଜାଇ (ସିଧାସଳଖ ଧାନ ରୋପଣ କିମ୍ବା ଡିଏସଆର) କରିବାକୁ ପସନ୍ଦ କରିଥାନ୍ତି। ଏସବୁ ମେସିନ ଆମ ମଜ୍ଦୁରୀ (ମଜୁରୀ) ଛଡ଼ାଇ ନେଇଛି,’’ ଯଶଦୀପଙ୍କ ମା’, ରାଜବୀର ଦୁଃଖର ସହିତ କହିଥାନ୍ତି।
ନୀରୁ ଆହୁରି କୁହନ୍ତି, ‘‘ଏହି କାରଣରୁ ଅନେକ ଗ୍ରାମବାସୀ କାମ ସନ୍ଧାନରେ ଦୂରବର୍ତ୍ତୀ ଗାଁକୁ ଯାତ୍ରା କରୁଛନ୍ତି।’’ ଡିଏସଆର ପଦ୍ଧତି ଆପଣାଇବା ପାଇଁ ସରକାର ଏକର ପିଛା ୧,୫୦୦ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିବା କାରଣରୁ ମେସିନ ବ୍ୟବହାର ବୃଦ୍ଧି ପାଇଛି ବୋଲି କିଛି ଶ୍ରମିକ ବିଶ୍ୱାସ କରନ୍ତି ।
ଖୁଣ୍ଡେ ହଲାଲରେ ଚାଷୀ ଗୁରପିନ୍ଦର ସିଂ (ବାମ)ଙ୍କର ୪୩ ଏକର ଜମି ରହିଛି ଏବଂ ସେ ଦୁଇଟି ଋତୁ ହେବ ଡିଏସଆର୍ ପଦ୍ଧତି ବ୍ୟବହାର କରି ଆସୁଛନ୍ତି। ସେ କୁହନ୍ତି, ‘‘ଶ୍ରମିକ କିମ୍ବା ଏକ ମେସିନ ସହାୟତାରେ ଧାନ ରୋଇବାରେ କୌଣସି ପାର୍ଥକ୍ୟ ନାହିଁ। ଚାଷୀମାନେ ସିଧାସଳଖ ଧାନ ରୋପଣ କରି ପାଣି ସଞ୍ଚୟ କରିପାରିଥା’ନ୍ତି, ଟଙ୍କା ନୁହେଁ।’’
ଏହି ୫୩ ବର୍ଷୀୟ ଚାଷୀ ଜଣଙ୍କ କୁହନ୍ତି ଯେ ସେମାନେ ଡିଏସଆର ବ୍ୟବହାର କରି ଦୁଇ ଗୁଣା ପରିମାଣର ମଞ୍ଜି ବୁଣିବାକୁ ସକ୍ଷମ ହୋଇଛନ୍ତି । କିନ୍ତୁ, ସେ ଏକଥାକୁ ସ୍ୱୀକାର କରିଥାନ୍ତି ଯେ ଏହି ପଦ୍ଧତିରେ ଜମି ଶୁଖି ଯାଏ, ଫଳରେ ମୂଷା ପଶିବା ଓ ଫସଲକୁ ନଷ୍ଟ କରିବା ସହଜ ହୋଇଥାଏ। ‘‘ଆମେ ଡିଏସଆର ପଦ୍ଧତି ବ୍ୟବହାର କଲେ ଅଧିକ ଘାସ ହେଉଥିବାରୁ ଅଧିକ ପରିମାଣରେ ତୃଣନାଶକ ସିଞ୍ଚନ କରିବାକୁ ପଡ଼ିଥାଏ। ଅନ୍ୟପଟେ ଶ୍ରମିକମାନଙ୍କ ଦ୍ୱାରା ଧାନ ରୋପଣ କରାଗଲେ କମ୍ ଘାସ ଉଠିଥାଏ,’’ ସେ କୁହନ୍ତି।
ତେଣୁ, ଗୁରପିନ୍ଦରଙ୍କ ଭଳି ଚାଷୀମାନେ ଶେଷରେ ଘାସ ବାଛିବା ପାଇଁ ପୁଣିଥରେ ଶ୍ରମିକଙ୍କୁ ନିଯୁକ୍ତ କରିଛନ୍ତି।
‘‘ଯଦି ନୂଆ ଜ୍ଞାନକୌଶଳ ଆପଣାଇବାରେ କୌଣସି ଲାଭ ହେଉନାହିଁ ତା’ହେଲେ ଚାଷୀମାନେ କାହିଁକି କୃଷି ଶ୍ରମିକମାନଙ୍କୁ କାମରେ ନିୟୋଜିତ କରୁନାହାନ୍ତି?’’ ଜଣେ ମଜହବୀ ଶିଖ୍ ତର୍ସିମ୍ ପଚାରନ୍ତି। ସେ କୁହନ୍ତି, କୀଟନାଶକ କମ୍ପାନୀର ପକେଟ୍ ଭରିବାରେ ଚାଷୀଙ୍କର କୌଣସି ସମସ୍ୟା ନାହିଁ, କିନ୍ତୁ ‘‘ ମଜଦୁରା ଦେ ତନ୍ କାଲ୍ଲେ ହାତ୍ ହି ହୈ , ଔଭି ୟେ ଖାଲିକରନ ’ ଚଲାଗେହୈ (ଶ୍ରମିକମାନଙ୍କୁ କାମରୁ ବଞ୍ଚିତ କରିବାରେ ଅସୁବିଧା ରହିଛି),’’ ସେ କହିଥାନ୍ତି।
ଅନୁବାଦ : ଓଡ଼ିଶାଲାଇଭ୍