“ ଶାସନ କା ବରା କଦର କରତ ନାହି ଆମଚ୍ୟା ମେହନାତିଚି (ସରକାର କାହିଁକି ଆମର କଠିନ ପରିଶ୍ରମକୁ ସ୍ୱୀକାର କରୁନାହାନ୍ତି)?” ପଚାରନ୍ତି ଅଙ୍ଗନବାଡ଼ି କର୍ମୀ ମଙ୍ଗଲ କରପେ।
“ ଦେଶଲା ନିରୋଗୀ, ସୁଦୃଢ଼ ଥେବନ୍ୟାତ ଆମଚା ମୋଥା ହାଥଭର ଲଗତୋ (ଦେଶକୁ ସୁସ୍ଥ ଏବଂ ସୁଦୃଢ଼ ରଖିବାରେ ଆମର ଅନେକ ଅବଦାନ ରହିଛି),” ସେ କହନ୍ତି । ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମାଆ ଏବଂ ସେମାନଙ୍କ ଛୋଟ ଛୋଟ ଶିଶୁମାନଙ୍କ ଲାଗି ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନାକୁ ତାଙ୍କ ଭଳି ଅଙ୍ଗନବାଡ଼ି କର୍ମୀମାନେ ହିଁ କାର୍ଯ୍ୟକାରୀ କରାଉଥିବା କଥାକୁ ଉପଲକ୍ଷ୍ୟ କରି ସେ ଏହା କହନ୍ତି ।
ଅଣଚାଳିଶ ବର୍ଷ ବୟସ୍କା ମଙ୍ଗଲ, ମହାରାଷ୍ଟ୍ର ଅହମଦନଗର ଜିଲ୍ଲାର ରାହତା ତାଲୁକା ଅନ୍ତର୍ଗତ ଡୋହାଲେ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳନା କରନ୍ତି । ତାଙ୍କ ଭଳି ଦୁଇ ଲକ୍ଷରୁ ଅଧିକ ମହିଳା ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଅଙ୍ଗନବାଡ଼ି କର୍ମୀ ବା ସହାୟିକା ଭାବରେ କାମ କରନ୍ତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପରିଚାଳିତ ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) ଅନ୍ତର୍ଗତ ସମସ୍ତ ସ୍ୱାସ୍ଥ୍ୟ ସେବା, ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ ପ୍ରାରମ୍ଭିକ ଶିକ୍ଷାଦାନ କାର୍ଯ୍ୟକ୍ରମକୁ ସେମାନେ କାର୍ଯ୍ୟକାରୀ କରାନ୍ତି ।
ସେମାନଙ୍କ ପ୍ରତି ସରକାରଙ୍କ ଉଦାସୀନ ମନୋଭାବର ପ୍ରତିବାଦ କରିବା ସକାଶେ ୨୦୨୩ ଡିସେମ୍ବର ୫ ତାରିଖରୁ ସାରା ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ଆନ୍ଦୋଳନରେ ସେମାନେ ଶହ ଶହ ସଂଖ୍ୟାରେ ଅଂଶଗ୍ରହଣ କରୁଛନ୍ତି ।
“ପୂର୍ବରୁ ମଧ୍ୟ ଆମେ ଅନେକ ଥର ଆନ୍ଦୋଳନ କରିଛୁ,” ମଙ୍ଗଲ କହନ୍ତି । “ଆମେ ସରକାରୀ କର୍ମଚାରୀ ଅନୁରୂପ ମାନ୍ୟତା ଦାବି କରୁଛୁ । ଆମେ ଚାହୁଁଛୁ ମାସକୁ ୨୬,୦୦୦ (ଟଙ୍କା) ଦରମା । ଆମର ଦରକାର ଚାକିରିରୁ ଅବସର ନେବା ପରେ ପେନସନ୍, ଗସ୍ତ ଓ ଇନ୍ଧନ ଭତ୍ତା,” ଆନ୍ଦୋଳନକାରୀମାନଙ୍କର ମୁଖ୍ୟ ଦାବି ସଂପର୍କରେ ସୂଚାଇ ଦେବାକୁ ଯାଇ ସେ କହନ୍ତି ।
ପ୍ରତିବାଦ ଆନ୍ଦୋଳନର ତୃତୀୟ ଦିନରେ, ଏହି ରିପୋର୍ଟ ପ୍ରକାଶ ପାଇବା ପର୍ଯ୍ୟନ୍ତ, ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ନ ମିଳିବାରୁ ୨୦୨୩ ଡିସେମ୍ବର ୮ ତାରିଖ ଦିନ ଶହ ଶହ କର୍ମୀ ପଦଯାତ୍ରାରେ ଯାଇ ଶିରଡି ସହରରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
“ଆମେ ଆତ୍ମସମ୍ମାନର ସହ ଜୀବନ କାଟିବା ପାଇଁ (ସେମାନଙ୍କ ପାଖରେ) ଦାବି କରି କ’ଣ କିଛି ଭୁଲ କରୁଛୁ,” ୫୮ ବର୍ଷୀୟା ଅଙ୍ଗନବାଡ଼ି କର୍ମୀ ମନ୍ଦା ରୁକାରେ କହନ୍ତି । ସେ ଚିନ୍ତିତ ଯେ, ତାଙ୍କ ବୟସ ୬୦ ପାଖାପାଖି ହେଲାଣି: “ଆଉ କେଇଟା ବର୍ଷ ପରେ ମୁଁ ଅବସର ନେବି । ମୁଁ ଯେତେବେଳେ କୌଣସି କାମ ଲାଗି ଶାରୀରିକ ଭାବେ ସକ୍ଷମ ହେବି ନାହିଁ, ସେତେବେଳେ କିଏ ମୋର ଦେଖାଶୁଣା କରିବ?” ମନ୍ଦା ଗତ ୨୦ ବର୍ଷ ହେଲା, ସେହି ଅହମଦନଗର ଜିଲ୍ଲାରେ ଅବସ୍ଥିତ ତାଙ୍କ ଗାଁ ରୁଇର ଅଙ୍ଗନବାଡ଼ିରେ କାମ କରିଆସୁଛନ୍ତି । “ମୋର ସେବା ପ୍ରତିବଦଳରେ ସାମାଜିକ ସୁରକ୍ଷା ଭାବରେ ମୋତେ କ’ଣ ମିଳିବ?” ସେ ପଚାରନ୍ତି ।
ସଂପ୍ରତି ରାଜ୍ୟର ଅଙ୍ଗନବାଡ଼ି କର୍ମୀମାନେ ମାସିକ ୧୦,୦୦୦ ଟଙ୍କା ଓ ସହାୟିକାମାନେ ମାସିକ ୫,୫୦୦ ଟଙ୍କା ପାରିଶ୍ରମିକ ପାଉଛନ୍ତି । “ମୁଁ କାମ ଆରମ୍ଭ କରିବା ବେଳେ ମାସକୁ ୧,୪୦୦ (ଟଙ୍କା) ପାଉଥିଲି । ବର୍ଷ ବର୍ଷ ଧରି କାମ କରିବା ପରେ, ସେବେଠାରୁ (୨୦୦୫ରୁ) ଏଥିରେ ମାତ୍ର ୮,୬୦୦ ଟଙ୍କା ବୃଦ୍ଧି ହୋଇଛି,” ମଙ୍ଗଲ ସୂଚାଇ ଦିଅନ୍ତି ।
ଗହ୍ୱାଣେ ବସ୍ତିର ଅଙ୍ଗନବାଡ଼ିରେ ମଙ୍ଗଲ ୫୦ ଜଣ ଶିଶୁଙ୍କର ଯତ୍ନ ନିଅନ୍ତି- ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ବୟସ ୩ରୁ ୬ ବର୍ଷ ମଧ୍ୟରେ । ସେଠାରେ, “ପିଲାମାନେ ପ୍ରତିଦିନ କେନ୍ଦ୍ରକୁ ଆସୁଛନ୍ତି ବୋଲି ମୁଁ ନିଶ୍ଚିତ କରିନେବା ଦରକାର।” ତେଣୁ ଅନେକ ସମୟରେ ସେ ତାଙ୍କ ସ୍କୁଟରରେ ନିଜେ ସେମାନଙ୍କୁ ଆଣି ଆସନ୍ତି ।
ହେଲେ, ସବୁ ସେତିକି ନୁହେଁ । ସେ ମଧ୍ୟ, “ସକାଳର ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ରାନ୍ଧନ୍ତି ଏବଂ ସେମାନେ, ବିଶେଷତଃ ପୁଷ୍ଟିହୀନତାରେ ପୀଡ଼ିତ ପିଲାମାନେ ଯେ, ଉପଯୁକ୍ତ ଭାବରେ ଖାଇଛନ୍ତି, ତାହା ସୁନିଶ୍ଚିତ କରନ୍ତି ।” ତଥାପି ଏତିକିରେ ତାଙ୍କର ଦିନକର କାମ ସରେ ନାହିଁ- ତାଙ୍କୁ ପ୍ରତିଟି ଶିଶୁ ସଂପର୍କିତ ରେକର୍ଡ ରଖିବାକୁ ପଡ଼େ ଏବଂ ‘ପୋଷଣ’ ‘ଟ୍ରାକର୍ ଆପ୍’ରେ ଏ ସଂପର୍କିତ ସଦ୍ୟତମ ବିବରଣୀ ପୂରଣ କରିବାକୁ ପଡ଼େ - ଏହା ଏକ ସମୟସାପେକ୍ଷ ଏବଂ କ୍ଳାନ୍ତିକର ଡାଟା ଏଣ୍ଟ୍ରି କାମ ।
“ଡାଏରୀ ଓ ଅନ୍ୟାନ୍ୟ ଅଫିସ୍ ସାମଗ୍ରୀ, ‘ପୋଷଣ ଆପ୍’ ପାଇଁ ଇଣ୍ଟରନେଟ୍ ରିଚାର୍ଜ, ଘରକୁ ଘର ବୁଲିବା ପାଇଁ ଇନ୍ଧନ ପ୍ରଭୃତି ସବୁ ଖର୍ଚ୍ଚ ଆମକୁ ନିଜ ପକେଟରୁ କରିବାକୁ ପଡ଼େ,” ମଙ୍ଗଲ କହନ୍ତି । “ଯେଉଁ ଟଙ୍କା ମିଳେ ସେଥିରୁ ବେଶୀ କିଛି ବଳକା ରହେ ନାହିଁ ।”
ସେ ଜଣେ ଗ୍ରାଜୁଏଟ୍ ଏବଂ ଗତ ୧୮ ବର୍ଷ ହେଲା ଏହି କାମ କରିଆସୁଛନ୍ତି । ଘରେ ତାଙ୍କର ଦୁଇ ପିଲାଙ୍କ ଦାୟିତ୍ୱ ସେ ଏକାକୀ ସମ୍ଭାଳୁଛନ୍ତି । ପୁଅ ସାଇର ବୟସ ୨୦ ଏବଂ ଝିଅ ବୈଷ୍ଣବୀକୁ ୧୮ ବର୍ଷ । ସାଇ ଇଞ୍ଜିନିୟରିଂ ଡିଗ୍ରୀ ପାଇଁ ପଢୁଥିବା ବେଳେ ବୈଷ୍ଣବୀ ‘ନିଟ୍’ (NEET) ପରୀକ୍ଷା ଲାଗି ପ୍ରସ୍ତୁତି ଚଳାଇଛନ୍ତି । ‘ମୁଁ ଚାହେଁ ମୋ ପିଲାମାନେ ସବୁଠୁ ଭଲ ଶିକ୍ଷା ପାଆନ୍ତୁ । ବର୍ଷକୁ ଆମର ହଜାର ହଜାର (ଟଙ୍କା) ଖର୍ଚ୍ଚ ହେଉଛି । ମାତ୍ର ୧୦,୦୦୦ ଟଙ୍କାରେ ଏହା ସହିତ ପରିବାରର ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ଖୁବ୍ କଷ୍ଟକର,” ସେ କହନ୍ତି ।
ତେଣୁ ରୋଜଗାରର ଅନ୍ୟ ପନ୍ଥା ଖୋଜିବାକୁ ବାଧ୍ୟ ହୋଇଛନ୍ତି ମଙ୍ଗଲ । “ମୁଁ ଘରକୁ ଘର ବୁଲି ବ୍ଲାଉଜ୍ କି ଅନ୍ୟ ପୋଷାକପତ୍ର (ଭଳି) କାହାର କ’ଣ ସିଲେଇ କରିବାକୁ ଅଛି ବୋଲି ପଚାରେ । ଏହା ସହିତ ମୁଁ ଲୋକଙ୍କ ପାଇଁ ଛୋଟ ଛୋଟ ଭିଡିଓ ସଂପାଦନା କରେ, ଇଂରାଜୀରେ ବିଭିନ୍ନ ଫର୍ମ ପୂରଣ କରିବାରେ ସେମାନଙ୍କ ସହାୟତା କରେ । ଯେ କୌଣସି ଛୋଟମୋଟ କାମ ବି କରେ । ଆଉ ମୁଁ ବା କ’ଣ କରିପାରିବି ?” କାହିଁକି ସେ କାମ ଖୋଜି ବୁଲୁଥାଆନ୍ତି ବୋଲି ବୁଝାଇବାକୁ ଯାଇ ସେ କହନ୍ତି ।
ଅଙ୍ଗନବାଡ଼ି କର୍ମୀମାନଙ୍କର ସଂଘର୍ଷ ଠିକ୍ ‘ଆଶା’ କର୍ମୀମାନଙ୍କ ଭଳି । ‘ଆଶା’- ଆକ୍ରେଡିଟେଡ୍ ସୋସିଆଲ ହେଲଥ ଆକ୍ଟିଭିଷ୍ଟ ବା ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ । (ପଢ଼ନ୍ତୁ: ଗାଁର ସ୍ୱାସ୍ଥ୍ୟ ଆଶାଙ୍କ ଯତ୍ନ ଉପରେ ନିର୍ଭରଶୀଳ ) ଉଭୟ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଏବଂ ଶିଶୁ ଜନ୍ମ, ଟିକାଦାନ, ପୁଷ୍ଟିଯୋଗାଣରୁ ଆରମ୍ଭ କରି ଯକ୍ଷ୍ମା କିମ୍ବା କୋଭିଡ୍-୧୯ ଭଳି ବିଶ୍ୱ ମହାମାରୀ ସମୟରେ ପ୍ରତିଷେଧମୂଳକ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେବା ପ୍ରଦାନ କରିଥାଆନ୍ତି ।
୨୦୨୨ ଏପ୍ରିଲରେ ସୁପ୍ରିମ କୋର୍ଟ ଦେଇଥିବା ରାୟରେ, ପୁଷ୍ଟିହୀନତା ଏବଂ କୋଭିଡ୍- ୧୯ର ମୁକାବିଲା କରିବାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କର ଭୂମିକାକୁ ‘ଗୁରୁତ୍ୱପୂର୍ଣ୍ଣ’ ଏବଂ ‘ତାତ୍ପର୍ଯ୍ୟପୂର୍ଣ୍ଣ’ ବୋଲି ସ୍ୱୀକାର କରିଥିଲେ । ଯୋଗ୍ୟ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ‘ବାର୍ଷିକ ୧୦ ପ୍ରତିଶତ ସରଳ ସୁଧ ସହିତ’ ‘ଗ୍ରାଚୁଇଟି ପାଇବାକୁ ହକଦାର’ ବୋଲି କୋର୍ଟ ଏହି ରାୟରେ ନିର୍ଦ୍ଦେଶ ଦେଇଥିଲେ ।
ଏହି ରାୟର ଉପସଂହାରରେ ବିଚାରପତି ଅଜୟ ରାସ୍ତୋଗି ତାଙ୍କ ମନ୍ତବ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ‘ନିରବରେ କାମ କରିଚାଲିଥିବା ଏହି ବ୍ୟକ୍ତିମାନଙ୍କୁ ସେମାନଙ୍କ କାମ ଉପଯୋଗୀ ଉନ୍ନତ ଚାକିରି ସର୍ତ୍ତାବଳୀ ପ୍ରଦାନ ନିମନ୍ତେ ଉପାୟ ଖୋଜିବାକୁ’ ଉଲ୍ଲେଖ କରିଥିଲେ ।
ଏହାର କାର୍ଯ୍ୟକାରିତାକୁ ଅପେକ୍ଷା କରି ରହିଛନ୍ତି ମଙ୍ଗଲ, ମନ୍ଦା ଏବଂ ଲକ୍ଷ ଲକ୍ଷ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ।
“ଏଥର ଆମେ ସରକାରଙ୍କ ପାଖରୁ ଲିଖିତ ପ୍ରତିଶ୍ରୁତି ଚାହୁଁ । ତାହା ନହେଲା ପର୍ଯ୍ୟନ୍ତ ଆମେ ଧର୍ମଘଟରୁ ଓହରି ଯିବୁ ନାହିଁ । ଏହା ଆମମାନଙ୍କ ଲାଗି ଆତ୍ମସମ୍ମାନର ପ୍ରଶ୍ନ । ଏହା ଆମ ଅସ୍ତିତ୍ୱର ପ୍ରଶ୍ନ,” କଥା ଯୋଡ଼ି କହନ୍ତି ମଙ୍ଗଲ ।
ଅନୁବାଦ : ଓଡ଼ିଶାଲାଇଭ୍