ଏସବୁ ଖଣ୍ଡେ କାଗଜ ଏବଂ ଜଣେ ଅପରିଚିତଙ୍କ ଗୋଟିଏ ପ୍ରଶ୍ନରୁ ହିଁ ଆରମ୍ଭ ହୋଇଥିଲା।
କମଲେଶ ଡାଣ୍ଡୋଲିୟାଙ୍କୁ ଅତିବେଶୀରେ ୧୨ ବର୍ଷ ବୟସ ହୋଇଥିବ , ରାଥେଡ଼ ଗ୍ରାମରେ ଥିବା ତାଙ୍କ ଘର ନିକଟ ଏକ ପର୍ଯ୍ୟଟକ ଅତିଥି ଭବନ ନିକଟରେ ସେ ବୁଲୁଥିବା ସମୟରେ ଜଣେ ପରଦେଶୀ (ଅପରିଚିତ ବ୍ୟକ୍ତି)ଙ୍କୁ ଭେଟିଲେ। ‘‘ ମୋତେ ଭରିଆ ଜଣାଅଛି କି ନାହିଁ ସେ ପଚାରିଲେ। ’’ କମଲେଶ କିଛି ଉତ୍ତର ଦେବା ପୂର୍ବରୁ , ‘‘ ସେହି ବ୍ୟକ୍ତି ଜଣଙ୍କ ମୋତେ ଖଣ୍ଡେ କାଗଜ ଧରାଇ ଦେଇ ପଢ଼ିବା ଲାଗି କହିଲେ। ’’
ଅପିରିଚିତ ବ୍ୟକ୍ତି ଜଣଙ୍କ ଯଥାର୍ଥ ଉଦ୍ୟମ କରୁଥିଲେ କାରଣ ଏଠାରେ ତାମିଆ ବ୍ଲକ୍ ପତାଲକୋଟ ଉପତ୍ୟାକାରେ ଭରିଆ ସମାଜର ବହୁ ସଦସ୍ୟ ରୁହନ୍ତି। ଏମାନେ ମଧ୍ୟପ୍ରଦେଶରେ ଅତି ଆପଦଗ୍ରସ୍ତ ଆଦିବାସୀ ଗୋଷ୍ଠୀ ( ପିଭିଟିଜି ) ଭାବେ ତାଲିକାଭୁକ୍ତ। କମଲେଶ ଜଣେ ଭରିଆ ଏବଂ ସେ ଏହି ସମାଜର ମାତୃଭାଷା ଭରିଆଟିରେ ପ୍ରାଞ୍ଜଳ ଭାବେ କଥା ହୋଇପାରୁଥିଲେ।
ଛୋଟ ପିଲାଟି ପ୍ରଥମେ ଆତ୍ମବିଶ୍ୱାସର ସହିତ କାଗଜଟିକୁ ପଢ଼ିଲା। ଏଥିରେ ତା ’ ସମାଜ ବିଷୟରେ ସାଧାରଣ ସୂଚନା ଥିଲା। ଯେହେତୁ ଏହା ଦେବନାଗରୀ ଲିପିରେ ଥିଲା , ‘‘ ପଢ଼ିବାକୁ ସହଜ ଲାଗିଲା। ’’ ଦ୍ୱିତୀୟ ଅଧ୍ୟାୟରେ ଯେଉଁଠି ବସ୍ତୁଗୁଡ଼ିକର ନାଁ ଥିଲା , କମଲେଶ ଝୁଣ୍ଟିବାକୁ ଲାଗିଲେ। ସେ ମନେ ପକାଇ କୁହନ୍ତି, ‘‘ଶବ୍ଦଗୁଡ଼ିକ ନିଶ୍ଚିତ ରୂପେ ଭରିଆଟି ଥିଲା। ସେହି ଉଚ୍ଚାରଣଗୁଡ଼ିକ ମଧ୍ୟ ପରିଚିତ ଲାଗୁଥିଲା, କିନ୍ତୁ ଶବ୍ଦଗୁଡ଼ିକ ଅପରିଚିତ ଲାଗୁଥିଲା।
କିଛି ଗୋଟେ ମନେ ପକାଇବାକୁ ଚେଷ୍ଟା କରିବା ସମୟରେ ସେ ଗୋଟିଏ ମିନିଟ୍ ପାଇଁ ଅଟକିଗଲେ। ‘‘ ଗୋଟିଏ ନିର୍ଦ୍ଦିଷ୍ଟ ଶବ୍ଦ ଥିଲା। ତାହା ଏକପ୍ରକାର ଜଙ୍ଗଲୀ ଜଡ଼ିବୁଟି ( ଔଷଧିୟ ଉଦ୍ଭିଦ ) ଥିଲା। ହୁଏତ ’ ମୁଁ ଏହାକୁ ଲେଖିପାରିଥା ’ ନ୍ତି ,’’ ସେ ନିରାଶାର ସହିତ ନିଜର ମୁଣ୍ଡ ହଲାଇ କୁହନ୍ତି। ‘‘ ବର୍ତ୍ତମାନ ମୁଁ ସେହି ଶବ୍ଦ କିମ୍ବା ତା ’ ର ଅର୍ଥକୁ ମନେ ପକାଇ ପାରୁନାହିଁ। ’’
ଗଣେଶଙ୍କ ମାନସିକ ଅଶାନ୍ତି ତାଙ୍କୁ ଚିନ୍ତା କରିବାକୁ ବାଧ୍ୟ କଲା: ‘‘ଭରିଆଟିରେ ଆଉ ଏମିତି କେତେ ଶବ୍ଦ ଅଛି ଯାହା ମୁଁ ଜାଣିନାହିଁ।’’ ସେ ଏହି ଭାଷାକୁ ପ୍ରାଞ୍ଜଳ ଭାବେ କହିପାରନ୍ତି ବୋଲି ଜାଣିଥିଲେ - ଜେଜେବାପା ଓ ଜେଜେମା’ ତାଙ୍କୁ ପାଳି ପୋଷି ବଡ଼ କରିଥିଲେ ଯାହାଙ୍କ ସହ ସେ ଭରିଆଟିରେ କଥା ହେଉଥିଲେ। ‘‘କିଶୋରାବସ୍ଥା ପର୍ଯ୍ୟନ୍ତ ମୁଁ କେବଳ ଏହି ଭାଷାରେ କଥା ହେଉଥିଲି। ଏବେ ବି ମୁଁ ପ୍ରାଞ୍ଜଳ ଭାବେ ହିନ୍ଦୀ କହିପାରୁନାହିଁ,’’ ସେ ହସି ହସି କୁହନ୍ତି।
ମଧ୍ୟପ୍ରଦେଶରେ ଭରିଆ ସମାଜର ପ୍ରାୟ ଦୁଇ ଲକ୍ଷ ଲୋକ ( ଅନୁସୂଚିତ ଜନଜାତି ପରିସଂଖ୍ୟାନ ପ୍ରୋଫାଇଲ୍ , ୨୦୧୩ ) ଅଛନ୍ତି କିନ୍ତୁ ଏମାନଙ୍କ ମଧ୍ୟରୁ ମାତ୍ର ୩୮୧ ଜଣ ଭରିଆଟିକୁ ନିଜର ମାତୃଭାଷା ବୋଲି କହିଥିଲେ। ତେବେ ଏହି ସୂଚନା ଭାରତୀୟ ଭାଷା ଗଣନା ଦ୍ୱାରା ପ୍ରକାଶିତ ୨୦୦୧ର ସଂଗୃହିତ ତଥ୍ୟରୁ ମିଳିଛି। କିନ୍ତୁ ୨୦୧୧ ଜନଗଣନାରେ ଭରିଆଟିକୁ ପୃଥକ ଭାବେ ତାଲିକାଭୁକ୍ତ କରାଯାଇନଥିବାରୁ ଏ ସମ୍ପର୍କରେ ଆଉ କୌଣସି ସଦ୍ୟତମ ତଥ୍ୟ ମିଳିପାରେ ନାହିଁ। ପ୍ରାୟତଃ ଅବହେଳାର ଶିକାର ହେଉଥିବା ୧୦ , ୦୦୦ରୁ କମ୍ ଲୋକଙ୍କ ଦ୍ୱାରା କଥିତ ଅନାମଧେୟ ମାତୃଭାଷା ବର୍ଗରେ ଏହା ଲୁଚି ରହିଛି।
ସରକାରଙ୍କ ଦ୍ୱାରା ଜାରି ଏହି ଭିଡିଓରେ ଦର୍ଶାଯାଇଛି ଯେ , ଏହି ସମାଜର ଲୋକମାନେ ପୂର୍ବରୁ ମହାରାଷ୍ଟ୍ର ରାଜାମାନଙ୍କର ବୋଝିଆ ଥିଲେ। ନାଗପୁର ରାଜା ମୁଧୋଜି ଦ୍ୱିତୀୟ ( ଅପ୍ପା ସାହେବ ନାମରେ ମଧ୍ୟ ପରିଚିତ ) ୧୮୧୮ ମସିହାରେ ତୃତୀୟ ଆଙ୍ଗ୍ଲୋ - ମରାଠା ଯୁଦ୍ଧରେ ପରାଜିତ ହେବା ପରେ ତାଙ୍କୁ ପଳାୟନ କରିବାକୁ ପଡ଼ିଥିଲା। ଏହାପରେ ଅନେକ ଭରିଆ ଲୋକମାନେ ତାଙ୍କୁ ଅନୁସରଣ କରି ଚାଲି ଯାଇଥିଲେ ଏବଂ ମଧ୍ୟପ୍ରଦେଶର ଛିନ୍ଦୱାଡ଼ା , ବେତୁଲ ଓ ପଚମଢ଼ୀର ଜଙ୍ଗଲରେ ଯାଇ ରହିଯାଇଥିଲେ।
ଆଜି ଏହି ସମାଜର ଲୋକମାନେ ନିଜକୁ ଭରିଆ ( ବା ଭାରତୀ ) ନାମରେ ପରିଚୟ ଦିଅନ୍ତି। ସେମାନଙ୍କର ପାରମ୍ପରିକ ବେଉସା ସ୍ଥାନାନ୍ତରିତ କୃଷି ଥିଲା। ସେମାନଙ୍କ ନିକଟରେ ଔଷଧିକ ଗୁଳ୍ମ ଏବଂ ଜଡ଼ିବୁଟିର ମଧ୍ୟ ବ୍ୟାପକ ଜ୍ଞାନ ଥିଲା - ଏହି କାରଣରୁ ଲୋକମାନେ ବର୍ଷସାରା ସେମାନଙ୍କ ଗାଁକୁ ଆସନ୍ତି। ‘‘ ସେମାନେ ଆମ ଠାରୁ ଜଡ଼ିବୁଟି କିଣିବା ଲାଗି ଏଠାକୁ ଆସନ୍ତି। ଅନେକ ବୟସ୍କଙ୍କ ନିକଟରେ ଏବେ ଲାଇସେନ୍ସ ଅଛି ଏବଂ ସେମାନେ ଏସବୁ ଔଷଧିୟ ଉଦ୍ଭିଦ ବିକ୍ରି କରିବା ଲାଗି ଯେକୌଣସି ସ୍ଥାନକୁ ଯାଇପାରିବେ।
କିନ୍ତୁ ଭାଷା ଭଳି , ଏସବୁ ଔଷଧିୟ ଉଦ୍ଭିଦର ଜ୍ଞାନ ମଧ୍ୟ , ‘‘ ଏବେ କେବଳ ଗାଁର ବୟସ୍କମାନଙ୍କୁ ଜଣାଅଛି ,’’ ସେ କହିଥା ’ ନ୍ତି।
ପାରମ୍ପରିକ ଜ୍ଞାନ ଶିଖିନଥିବା ଯୁବପିଢ଼ିଙ୍କ ପାଇଁ ଭୁର୍ ଟା ( ଭରିଆଟିରେ ମିଠା ମକା ) ସହିତ ଚାରକ ( ଭରିଆଟିରେ ଚିରୋଞ୍ଜି / କୁଡ୍ଡାପା ବାଦାମ ), ମହୁ ( ମହୁଲ ), ଆମଲା ( ଅଁଳା ) ଭଳି ଋତୁକାଳୀନ ଜଙ୍ଗଲଜାତ ଦ୍ରବ୍ୟ ଏବଂ ଜାଳେଣିକାଠ ଆଦି ବର୍ଷ ସାରା ସେମାନଙ୍କୁ ଜୀବିକା ଯୋଗାଇ ଦେଇଥାଏ।
ସେମାନଙ୍କ ଉପତ୍ୟାକାରେ ମହାଦେବ ମନ୍ଦିର ଏବଂ ରାଜା ଖୋହ ଗୁମ୍ପା ଭଳି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଥିଲେ ମଧ୍ୟ ଏହି ସମାଜ ଭଲ ରାସ୍ତା ସୁବିଧାରୁ ବଞ୍ଚିତ। ସେମାନେ ମୁଖ୍ୟତଃ ପତାଲକୋଟ ଅଞ୍ଚଳରେ ରୁହନ୍ତି ଯାହାକି ସତପୁଡ଼ା ପାର୍ବତ୍ୟ ଶୃଙ୍ଖଳା ପାଦଦେଶର ୧୨ଟି ଗାଁରେ ବ୍ୟାପି ରହିଛି। ଏହି ସମାଜର ପିଲାମାନେ ପ୍ରାୟତଃ ନିଜର ଶିକ୍ଷା ଅର୍ଜନ କରିବା ଲାଗି ଇନ୍ଦୋର ଭଳି ଆଖପାଖ ସହରରେ ଥିବା ଆବାସିକ ବିଦ୍ୟାଳୟରେ ରୁହନ୍ତି।
*****
ଏହାର ଦଶବର୍ଷ ପରେ ବଡ଼ ହୋଇଯାଇଥିବା କମଲେଶ ମଧ୍ୟ ଭାରତର ପାର୍ବତ୍ୟାଞ୍ଚଳରେ ନିଜର ଗୋରୁ ଓ ଛେଳିମାନଙ୍କୁ ଚରାଉଥିବା ବେଳେ ଆଉ ଜଣେ ଅପରିଚିତଙ୍କୁ ପୁଣିଥରେ ଭେଟିଲେ। ସେଦିନ କଥା ମନେ ପକାଇଲେ ତାଙ୍କ ମୁହଁରେ ହସ ଫୁଟି ଉଠେ। ସେହି ଅପରିଚିତ ଲୋକ ଜଣଙ୍କ କମଲେଶଙ୍କୁ ନିଜ ପ୍ରଶ୍ନ ପଚାରିବା ଲାଗି ଯେତେବେଳେ କାର୍ ଅଟକାଇଲେ , ସେ ମନେ ମନେ ଭାବିଲେ , ‘‘ ବୋଧହୁଏ ସେ ମଧ୍ୟ ମୋତେ ପଢ଼ିବା ପାଇଁ କାଗଟ ( କାଗଜ ) ଧରାଇଦେବେ !’’
ପରିବାରର ଚାଷ କାମରେ ସହଯୋଗ ନିମନ୍ତେ ଦ୍ୱାଦଶ ଶ୍ରେଣୀରୁ କମଲେଶ ପାଠପଢ଼ା ଛାଡ଼ି ଦେଇଥିଲେ ; ସେ ଓ ତାଙ୍କ ଭାଇଭଉଣୀଙ୍କ କଲେଜ ଓ ସ୍କୁଲ୍ ପାଠପଢ଼ା ଖର୍ଚ୍ଚ ଦେବା ପାଇଁ ଆବଶ୍ୟକ ଟଙ୍କା ନଥିଲା। ଗାଁରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଥିଲା। ତା ’ ପରେ ପୁଅମାନେ ତାମିୟା ଏବଂ ନିକଟବର୍ତ୍ତୀ ସହରରେ ଥିବା ଆବାସିକ ବିଦ୍ୟାଳୟକୁ ଯାଉଥିବା ବେଳେ ଝିଅମାନେ ଅଧାରୁ ପାଠ ଛାଡ଼ୁଥିଲେ।
ସେହି ଅପରିଚିତ ବ୍ୟକ୍ତି ଜଣଙ୍କ ୨୨ ବର୍ଷ ବୟସ୍କ କମଲେଶଙ୍କୁ ପଚାରିଥିଲେ , ସେ ତାଙ୍କ ମାତୃଭାଷାକୁ ସଂରକ୍ଷିତ ରଖିବାକୁ ଚାହୁଁଛନ୍ତି କି , ଯାହାଫଳରେ ପରବର୍ତ୍ତୀ ପିଢ଼ି ଭରିଆଟି ଭାଷା କେମିତି କୁହାଯାଏ ତାହା ମନେ ରଖିପାରିବେ। ଏହି ପ୍ରଶ୍ନ ତାଙ୍କ ମନକୁ ଛୁଇଁଲା ଏବଂ ସେ ତୁରନ୍ତ ରାଜି ହୋଇଗଲେ।
ସେହି ବ୍ୟକ୍ତି ଜଣଙ୍କ ଥିଲେ ଡେରାଡୁନସ୍ଥିତ ଲାଙ୍ଗୁଏଜ୍ ଆଣ୍ଡ୍ ଲିଙ୍ଗୁଇଷ୍ଟିକ୍ସ ଅନୁଷ୍ଠାନର ଜଣେ ଭାଷା ଗବେଷକ ପବନ କୁମାର ଯିଏକି ଭରିଆଟି ସମ୍ପର୍କରେ ଅଧ୍ୟୟନ କରିବା ଲାଗି ତାଙ୍କ ଗ୍ରାମକୁ ଆସିଥିଲେ। ସେ ଅନ୍ୟ କେତେକ ଗାଁ ବୁଲିସାରିଥିଲେ ଯେଉଁଠି ତାଙ୍କୁ କେହି ପ୍ରାଞ୍ଜଳ ଭାବେ ଏହି ଭାଷା କହିପାରୁଥିବା ଲୋକ ମିଳିନଥିଲେ। ପବନ କୁମାର ସେହି ଅଞ୍ଚଳରେ ତିନିରୁ ଚାରି ବର୍ଷ ରହିଲେ ଏବଂ ‘‘ ଆମେ ଭରିଆଟିରେ ଅନେକ ଡିଜିଟାଲ କାହାଣୀ ଏବଂ ଗୋଟିଏ କିତାପ ( ପୁସ୍ତକ ) ପ୍ରକାଶ କଲୁ ,’’ କମଲେଶ୍ କୁହନ୍ତି।
ଥରେ କମଲେଶ୍ ରାଜି ହୋଇଯିବା ପରେ , ପ୍ରଥମ କାମ ଥିଲା ଏମିତି ଗୋଟିଏ ସ୍ଥାନ ଖୋଜିବା ଯେଉଁଠି ସେ ବିନା କୌଣସି ବିଶୃଙ୍ଖଳାରେ କାମ କରିପାରିବେ। ‘‘ ୟାହାଁ ବହୁତ୍ ଶୋର୍ - ଶରାବା ହୋତା ଥା କ୍ୟୁଁ କି ଟୁରିଷ୍ଟୋଁ କା ଆନା ଜାନା ଲଗା ରେହତା ଥା ( ଏଠି ବହୁତ କୋଳାହଳପୂର୍ଣ୍ଣ ପରିବେଶ ଥିଲା କାରଣ ବହୁସଂଖ୍ୟାରେ ପର୍ଯ୍ୟଟକ ଯିବାଆସିବା କରୁଥିଲେ ) । ’’ ଭରିଆ ଭାଷା ବିକାଶ ଦଳ ଗଢ଼ିବା ପାଇଁ ସେ ଆଉ ଏକ ଗ୍ରାମକୁ ଯିବା ପାଇଁ ନିଷ୍ପତ୍ତି ନେଲେ।
ଗୋଟିଏ ମାସ ମଧ୍ୟରେ କମଲେଶ ଓ ତାଙ୍କର ସହଯୋଗୀମାନେ ସଫଳତା ପୂର୍ବକ ଭରିଆଟି ବର୍ଣ୍ଣମାଳା ତାଲିକା ବିକଶିତ କଲେ , ‘‘ ପ୍ରତ୍ୟେକ ଅକ୍ଷର ପାଇଁ ମୁଁ ଚିତ୍ର ଆଙ୍କିଲି। ’’ ବୟସ୍କମାନେ ଶବ୍ଦ ଚୟନ କରିବାରେ ସହାୟତା କଲେ। କିନ୍ତୁ ସେ ଏତିକିରେ ଅଟକିଗଲେ ନାହିଁ। ଗବେଷକଙ୍କ ସହଯୋଗକ୍ରମେ , ସେମାନଙ୍କର ଦଳ ବର୍ଣ୍ଣମାଳା ତାଲିକାର ୫୦୦ରୁ ଅଧିକ କପି ଡିଜିଟାଲ ପ୍ରିଣ୍ଟ କରିବାରେ ସକ୍ଷମ ହେଲେ। ଦୁଇଟି ଦଳରେ ବିଭାଜିତ ହୋଇ ସେମାନେ ମୋଟର ସାଇକେଲରେ ନରସିଂହପୁର , ସିୱନି , ଛିନ୍ଦୱାଡ଼ା ଏବଂ ହୋଶଙ୍ଗାବାଦ୍ ( ବର୍ତ୍ତମାନ ନର୍ମଦାପୁରମ୍ ନାମରେ ପରିଚିତ ) ସମେତ ବିଭିନ୍ନ ସହରରେ ଥିବା ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କୁ ଯାଇ ଏସବୁ ତାଲିକା ବାଣ୍ଟିଲେ। ‘‘ ମୁଁ ଏକାକୀ ତାମିୟା , ହରାଇ ଏବଂ ଏପରିକି ଜୁନ୍ନାରଦେଓରେ ଥିବା ୨୫୦ରୁ ଅଧିକ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି ବୁଲିଛି ,’’ କମଲେଶ୍ କୁହନ୍ତି।
ଦୂରବାଟ ହେଲେ ମଧ୍ୟ ଆମେ ଯାଉଥିଲୁ। କେବେ କେବେ ୮୫ କିଲୋମିଟର ଦୂର ଯାତ୍ରା କରିବାକୁ ପଡ଼ୁଥିଲା। ‘‘ ହମ୍ ତିନ୍ ଚାର୍ ଦିନ୍ ଘର୍ ପେ ନହି ଆତେ ଥେ । ହମ୍ କିସି କେ ଭି ଘର ରୁକ୍ ଯାତେ ଥେ ରାତ୍ ମୈ ଔର ସୁବ୍ ହା ୱାପସ୍ ଚାର୍ଟ ବାଟ୍ ନେ ଲଗତେ ( ଆମେ ତିନି ଚାରି ଦିନ ପର୍ଯ୍ୟନ୍ତ ଘରକୁ ଫେରୁନଥିଲୁ। ଆମେ ଅନ୍ୟ କାହା ଘରେ ଗୋଟିଏ ରାତି ପାଇଁ ଆଶ୍ରା ନେଉଥିଲୁ ଏବଂ ସକାଳ ହେଲେ ପୁଣିଥରେ ତାଲିକା ବାଣ୍ଟିବା ଆରମ୍ଭ କରୁଥିଲୁ ) । ’’
ସେମାନେ ଭେଟିଥିବା ଅଧିକାଂଶ ବିଦ୍ୟାଳୟ ଶିକ୍ଷକ ନିଜ ସମାଜ ବିଷୟରେ ଜାଣନ୍ତି ନାହିଁ , କମଲେଶ କୁହନ୍ତି , ‘‘ କିନ୍ତୁ ସେମାନେ ଆମର ପ୍ରୟାସକୁ ସମର୍ଥନ କରିଥିଲେ , ଯାହା ଆମକୁ ସେହିସବୁ ଗାଁରେ ପହଞ୍ଚିବାରେ ସହାୟକ ହୋଇଥିଲା ଯେଉଁଠି ଏବେ ଆଉ ଭରିଆଟି ଭାଷାରେ କେହି କଥା ହେଉନଥିଲେ। ’’
ଗୋଟିଏ ବର୍ଷ ମଧ୍ୟରେ କମଲେଶ ଏବଂ ତାଙ୍କର ଭାଷା ବିକାଶ ସହଯୋଗୀମାନେ ଭରିଆଟିରେ ଗୋଟିଏ ଭାଷା ବନାନ ଗାଇଡ୍ , ତିନୋଟି ସ୍ୱାସ୍ଥ୍ୟ କାହାଣୀ ଏବଂ ତିନୋଟି ନୈତିକ କାହାଣୀ ସମେତ କେତେକ ପୁସ୍ତକ ରଚନା କରିଥିଲେ। ‘‘ଆମେ ପ୍ରଥମେ କାଗଜରେ ସବୁକିଛି ଲେଖୁଥିଲୁ,’’ ସେ କୁହନ୍ତି। ଏହି ସମୟରେ ତାଙ୍କ ଘରେ ଗୋଟିଏ ବାକ୍ସରେ ରଖାଯାଇଥିବା କେତେକ ରଙ୍ଗୀନ ଚାର୍ଟ ପେପର୍ ବାହାର କରି ସେ ଦେଖାଇଦିଅନ୍ତି। ସମାଜର ଏସବୁ ପ୍ରୟାସ କାରଣରୁ ଭରିଆଟିରେ ଗୋଟିଏ ୱେବସାଇଟ୍ ବିକଶିତ କରାଗଲା।
‘‘ୱେବସାଇଟ୍ର ଦ୍ୱିତୀୟ ପର୍ଯ୍ୟାୟକୁ ନେଇ ଆମେ ଉତ୍ସାହିତ,’’ ରାଥେଡ଼ରେ ଥିବା ନିଜ ଘରେ ଥାଇ ଆମ ସହ କଥା ହେବା ବେଳେ ସେ କୁହନ୍ତି, ‘‘ଛୋଟ ପୁସ୍ତିକା, ଲୋକ ସଂଗୀତ, ଢଗଢମାଳି, ପିଲାଙ୍କ ପାଇଁ ଶବ୍ଦ ଖେଳ ଏବଂ ଆହୁରି ଅନେକ କିଛି…ର ଡିଜିଟାଲ କପି ଶେୟାର କରିବାକୁ ମୁଁ ପ୍ରସ୍ତୁତ ଥିଲି କିନ୍ତୁ ମହାମାରୀ ସବୁ ଯୋଜନାକୁ ପଣ୍ଡ କରିଦେଲା।’’ ଦଳର ଏହି ପ୍ରୟାସ ଅଟକିଗଲା। ଏହାଠାରୁ ଆହୁରି ଖରାପ ସେତିକି ବେଳେ ହେଲା ଯେତେବେଳେ କମଲେଶଙ୍କ ଫୋନ୍ ରିସେଟ୍ ହୋଇଯିବା କାରଣରୁ ସେଥିରେ ଥିବା ତଥ୍ୟ ସବୁ ରାତିରାତି ନଷ୍ଟ ହୋଇଗଲା। ‘‘ସବ୍ ଚଲେ ଗୟା,’’ ସେ ଦୁଃଖର ସହ କୁହନ୍ତି। ‘‘ଆମେ ହାତ ଲେଖା କପିଗୁଡ଼ିକୁ ମଧ୍ୟ ସୁରକ୍ଷିତ ରଖିପାରିଲୁ ନାହିଁ।’’ ତାଙ୍କ ପାଖରେ ସେତେବେଳେ ଗୋଟିଏ ସ୍ମାର୍ଟଫୋନ୍ ନଥିଲା; କେବଳ ଚଳିତ ବର୍ଷ ହିଁ ସେ ଇମେଲ୍ କେମିତି କରିବାକୁ ହେବ ଶିଖିଥିଲେ।
ଯାହା ଅଳ୍ପ କିଛି ବାକି ରହିଥିଲା ଅନ୍ୟ ଗାଁରେ ଥିବା ତାଙ୍କ ଦଳର ସଦସ୍ୟମାନଙ୍କୁ ସେ ହସ୍ତାନ୍ତର କଲେ। ସେମାନଙ୍କ ସହିତ ସେ ଆଉ ଯୋଗାଯୋଗରେ ନାହାନ୍ତି ବୋଲି ସେ କୁହନ୍ତି, ‘‘ସେମାନଙ୍କ ପାଖରେ ସେସବୁ ଥିବ ବୋଲି ମୁଁ ନିଶ୍ଚିତ ନୁହେଁ।’’
କେବଳ ମହାମାରୀ କାରଣରୁ କମଲେଶଙ୍କ ଦସ୍ତାବିଜ ପ୍ରସ୍ତୁତି ଅଟକି ଯାଇନଥିଲା। ଭରିଆଟିର ରେକର୍ଡ ପ୍ରସ୍ତୁତ କରି ରଖିବାରେ ତାଙ୍କ ସମାଜର ଯୁବ ଓ ବୟସ୍କ ଉଭୟଙ୍କ ଅନାଗ୍ରହ ମଧ୍ୟ ସବୁଠୁ ବଡ଼ ବାଧକ ସାଜିଥିଲା ବୋଲି ସେ କୁହନ୍ତି। ‘‘ ବୁଜୁର୍ଗୋ କୋ ଲିଖନା ନହିଁ ହୈ ଔର ବଚ୍ଚୋ କୋ ବୋଲନା ନାହିଁ ହୈ (ବୟସ୍କମାନେ ଲେଖିବାକୁ ଚାହାନ୍ତି ନାହିଁ ଏବଂ ପିଲାମାନେ କଥା କହିବାକୁ ଚାହାନ୍ତି ନାହିଁ), ସେ କୁହନ୍ତି। ‘‘ଧୀରେ ଧୀରେ ମୁଁ ଆଶା ହରାଇବା ଆରମ୍ଭ କଲି ଏବଂ ତା’ପରେ ମୁଁ ଅଟକିଗଲି।’’
କମଲେଶଙ୍କ ଦଳରେ କେତେଜଣ ସାଥୀ ଚାଷୀ ସାମିଲ ଥିଲେ ଯେଉଁମାନେ କ୍ଷେତରେ କାମ କରି ସେମାନଙ୍କର ଦିନ ବିତାଇଥା’ନ୍ତି। ଗୋଟିଏ ଲମ୍ବା କ୍ଳାନ୍ତ ଦିନ ପରେ, ସେମାନେ ଘରକୁ ଫେରି ଶୀଘ୍ର ଖାଇ ଶୋଇପଡ଼ୁଥିଲେ, ସେ କୁହନ୍ତି। କିନ୍ତୁ କିଛି ଦିନ ପରେ ସେମାନଙ୍କର ସମ୍ପୃକ୍ତି ମଧ୍ୟ କମିଗଲା।
‘‘ମୁଁ ଏକାକୀ ଏହା କରିପାରିନଥା’ନ୍ତି,’’ କମଲେଶ କୁହନ୍ତି। ‘‘ଏହା ଜଣେ ବ୍ୟକ୍ତିର କାମ ନୁହେଁ।’’
*****
ଗାଁ ଭିତରେ ଚାଲି ଚାଲି ଯାଉଥିବା ସମୟରେ, କମଲେଶ ଗୋଟିଏ ଘର ଆଗରେ ଅଟକି ଯାଆନ୍ତି। ‘‘ମୁଁ ଯେତେବେଳେ ମୋ ବନ୍ଧୁମାନଙ୍କୁ ଭେଟିଥାଏ, ଆମେ ପ୍ରାୟତଃ ଦିବ୍ଲୁ ଭେୟାଙ୍କ ବିଷୟରେ କଥା ହୋଇଥାଉ।’’
ଦିବ୍ଲୁ ବାଗଡରିୟା ଜଣେ ୪୮ ବର୍ଷ ବୟସ୍କ ଲୋକ ନୃତ୍ୟ ଓ ସଂଗୀତ କଳାକାର ଏବଂ ସେ ଅଧିକାଂଶ ସମୟରେ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭରିୟା ସମାଜର ପ୍ରତିନିଧିତ୍ୱ କରିଥା’ନ୍ତି। ‘‘ସେ ହିଁ ଏକମାତ୍ର ବ୍ୟକ୍ତି ଯିଏ ବୁଝିଛନ୍ତି ଯେ ଆମ ସଂସ୍କୃତିରେ ଆମ ଭାଷା କେତେ ଗୁରୁତ୍ୱପୂର୍ଣ୍ଣ,’’ କମଲେଶ୍ କୁହନ୍ତି।
ରାଥେଡ଼ ଥିବା ଦିବ୍ଲୁଙ୍କ ଘରେ ପରୀ ତାଙ୍କୁ ଭେଟିଥିଲା। ସେ ଭରିଆଟିରେ ଗୀତ ଗାଇ ନିଜର ନାତିନାତୁଣୀଙ୍କୁ ଶୁଣାଉଥିଲେ ଯେଉଁମାନେ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ସେମାନଙ୍କ ମା’କୁ ଅପେକ୍ଷା କରି ରହିଥିଲେ।
‘‘ଲେଖିବା ଓ କହିବା ଉଭୟ ଜରୁରୀ,’’ କମଲେଶଙ୍କ ଆଡ଼କୁ ନଇଁ ପଡ଼ି ଦିବ୍ଲୁ କୁହନ୍ତି । ‘‘ଯେମିତି ଇଂରାଜୀ ଓ ହିନ୍ଦୀ ଗୋଟିଏ ଗୋଟିଏ ବିଷୟ ଭାବେ ପଢ଼ାଯାଉଛି, ଭରିଆଟି ଏବଂ ଅନ୍ୟ ଆଦିବାସୀ ମାତୃଭାଷାକୁ ମଧ୍ୟ ଏକ ବିକଳ୍ପ (ବିଷୟ) ରୂପେ ପଢ଼ା ହୋଇପାରିବ ନାହିଁ କି?’’ ସେ ନିଜର ଛୋଟ ଛାୱା (ନାତି)କୁ କମଲେଶଙ୍କ ବର୍ଣ୍ଣମାଳା ଦେଖାଇବା ଆରମ୍ଭ କରନ୍ତି।
ତାଙ୍କର ନାତି ଚାର୍ଟରେ ଧଡ଼ୁସ୍ (ମାଙ୍କଡ଼) ଆଡ଼କୁ ଇସାରା କରେ, ‘‘ସେ ଖୁବ୍ ଶୀଘ୍ର ଭରିଆ ଶିଖିଯିବ,’’ ଦିବ୍ଲୁ କୁହନ୍ତି।
କମଲେଶ୍ ଏକଥାକୁ ସହଜରେ ବିଶ୍ୱାସ କରନ୍ତି ନାହିଁ, କାରଣ ସେ ନିଜ ସମାଜ ସହିତ କାମ କରିବା ସମୟରେ ଅନେକ ଆହ୍ୱାନର ମୁକାବିଲା କରିଛନ୍ତି। ଏହି ଭାଷା ସଂରକ୍ଷକ ଜଣଙ୍କ କୁହନ୍ତି, ‘‘ଯଦି ସେ ଆବାସିକ ବିଦ୍ୟାଳୟକୁ ଯିବ, ତା’ହେଲେ କେବେ ବି ଭରିଆଟି କହିପାରିବ ନାହିଁ। ଯଦି ସେ ଆମ ସହ (ଏଠାରେ) ରହିବ ତା’ହେଲେ ଏହି ଭାଷା କହିପାରିବ।’’
‘‘ ୱେସେ ତୋ ୧୦୦ ମେ ସେ ୭୫ ପ୍ରତିଶତ ତୋ ବିଲୁପ୍ତ ହି ହୋ ଚୁକି ମେରି ଭାଷା (ମୋ ଭାଷା ୧୦୦ରୁ ୭୫ ପ୍ରତିଶତ ବିଲୁପ୍ତ ହୋଇସାରିଲାଣି),’’ କମଲେଶ୍ କୁହନ୍ତି। ‘‘ଆମେ ଭରିଆଟିରେ ବିଭିନ୍ନ ସାମଗ୍ରୀର ମୂଳନାମ ଭୁଲି ଗଲୁଣି। ସବୁକିଛି ଧୀରେ ଧୀରେ ହିନ୍ଦୀ ସହ ମିଶ୍ରଣ ହୋଇଗଲାଣି।’’
ଲୋକମାନେ ଅଧିକ ଯାତ୍ରା କରିବା ଆରମ୍ଭ କରିବା ଏବଂ ପିଲାମାନେ ସ୍କୁଲ ଯିବା ଫଳରେ ସେମାନେ ହିନ୍ଦୀ ଶବ୍ଦ ଓ ଅଭିବ୍ୟକ୍ତି ନେଇ ଆସୁଛନ୍ତି ଓ ନିଜର ବାପା-ମା’ଙ୍କୁ ଶିଖାଉଛନ୍ତି। ଏପରିକି ପୁରୁଣା ପିଢ଼ି ମଧ୍ୟ ସେମାନଙ୍କ ପିଲାଙ୍କ ଭଳି କହିବା ଆରମ୍ଭ କରି ଦେଇଛନ୍ତି ଏବଂ ଭରିଆଟିର ବ୍ୟବହାର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି।
‘‘ସ୍କୁଲ ଆରମ୍ଭ ହେବା ପରେ ମୁଁ ମଧ୍ୟ କମ୍ ଭରିଆଟି କହିବା ଆରମ୍ଭ କରି ଦେଇଥିଲି କାରଣ ମୁଁ ହିନ୍ଦୀ କହୁଥିବା ମୋର ସାଙ୍ଗମାନଙ୍କ ସହିତ ଅଧିକ ସମୟ ବିତାଉଥିଲି। ଏହା ଅଭ୍ୟାସ ହୋଇଯାଇଥିଲା, ମୋ ପାଇଁ ମଧ୍ୟ,’’ କମଲେଶ କୁହନ୍ତି। ସେ ଉଭୟ ହିନ୍ଦୀ ଓ ଭରିଆଟି କୁହନ୍ତି, କିନ୍ତୁ ରୋଚକ କଥା ହେଉଛି ସେ କେବେହେଲେ ଏହି ଦୁଇଟି ଭାଷା ଏକାଠି କୁହନ୍ତି ନାହିଁ। ‘‘ମୁଁ ଅନ୍ୟମାନଙ୍କ ଭଳି ଏହାକୁ ସହଜରେ ମିଶ୍ରଣ କରିପାରିବି ନାହିଁ କାରଣ ମୁଁ ଭରିଆଟି କହୁଥିବା ମୋର ଜେଜେମା’ଙ୍କ ପାଖରେ ବଡ଼ ହୋଇଛି।’’
କମଲେଶଙ୍କ ଜେଜେ ମା’ ସୁକ୍ତିବାଇଙ୍କୁ ପ୍ରାୟ ୮୦ ବର୍ଷ, ତଥାପି ସେ ହିନ୍ଦୀ କୁହନ୍ତି ନାହିଁ। ସେ କୁହନ୍ତି, ଏହି ଭାଷା ସେ ବୁଝିପାରିବେ କିନ୍ତୁ କେବେ କହିପାରିବେ ନାହିଁ। କମଲେଶଙ୍କ ଭାଇଭଉଣୀମାନେ ମଧ୍ୟ ଭରିଆଟିରେ କଥା କୁହନ୍ତି ନାହିଁ କାରଣ ‘‘ସେମାନେ ଲଜ୍ଜିତ ଅନୁଭବ କରନ୍ତି। ସେମାନେ ହିନ୍ଦୀ କହିବାକୁ ପସନ୍ଦ କରନ୍ତି।’’ ତାଙ୍କର ପତ୍ନୀ ଅନୀତା କେବେ ମାତୃଭାଷାରେ କଥା ହୁଅନ୍ତି ନାହିଁ କିନ୍ତୁ ସେ ତାଙ୍କୁ ଏଥିପାଇଁ ଉତ୍ସାହିତ କରିଥା’ନ୍ତି।
‘‘ଭରିଆଟିର ଆବଶ୍ୟକତା କ’ଣ? ଏହା ରୋଜଗାର୍ (ରୋଜଗାର) ଦେଇଥାଏ କି? ସିର୍ଫ ଅପନୀ ଭାଷା ବୋଲନେ ସେ ଘର୍ ଚଲତା ହୈ? (ଆମର ମାତୃଭାଷା କହି ଆମେ ଆମ ଘର ଚଳାଇପାରିବା କି?),’’ ଭାଷାପ୍ରେମୀମାନଙ୍କୁ ଏହି ପ୍ରଶ୍ନ ଆନ୍ଦୋଳିତ କରିଥାଏ।
‘‘ଆମେ ହିନ୍ଦୀକୁ ଅଣଦେଖା କରିପାରିବା ନାହିଁ,’’ ବାସ୍ତବବାଦୀ ଦିବ୍ଲୁ କୁହନ୍ତି। ‘‘କିନ୍ତୁ ଆମେ ଆମର ଭାଷାକୁ ବଞ୍ଚେଇ ରଖିବାକୁ ହେବ।’’
କମଲେଶ୍ ଜବାବ ଦେଇ କୁହନ୍ତି, ‘‘ବର୍ତ୍ତମାନ ଆପଣ ନିଜର ଆଧାର କିମ୍ବା ଡ୍ରାଇଭିଂ ଲାଇସେନ୍ସ ଜରିଆରେ ନିଜର ପରିଚୟ ପ୍ରମାଣିତ କରିପାରିବେ।’’
ଦିବ୍ଲୁ ଆଗକୁ ବଢ଼ନ୍ତି, ତାଙ୍କ ଆଡ଼କୁ ନଇଁ ପଡ଼ି ପଚାରନ୍ତି, ‘‘ଯଦି କେହି ଏସବୁ କାଗଜପତ୍ର ବିନା ତୁମର ପରିଚୟ ମାଗେ, ତୁମେ କେମିତି ଦେବ?
କମଲେଶ ହସି ହସି ଉତ୍ତର ଦିଅନ୍ତି, ‘‘ମୁଁ ଭରିଆଟି କହିବି।’’
‘‘ଠିକ୍ କଥା, ଭାଷା ମଧ୍ୟ
ତୁମର ପରିଚୟ,’’ ଦିବ୍ଲୁ ସମର୍ଥନ କରନ୍ତି।
ଭରିଆଟି ଭାଷାର ଜଟିଳ ଇତିହାସ କାରଣରୁ ଏହାର ବର୍ଗୀକରଣକୁ ନେଇ ଅନିଶ୍ଚିତତା ରହିଛି। ଗୋଟିଏ ସମୟରେ ସମ୍ଭବତଃ ଏହା ଦ୍ରାବିଡ଼ୀୟ ଭାଷା ଥିଲା, ଏବେ କିନ୍ତୁ ଏହା ଦୃଢ଼ ଇଣ୍ଡୋ-ଆର୍ଯ୍ୟ ବୈଶିଷ୍ଟ୍ୟ ପ୍ରଦର୍ଶନ କରୁଛି, ବିଶେଷ କରି ଏହାର ଶବ୍ଦାବଳୀ ଓ ଧ୍ୱନିଗତ ଉଚ୍ଚାରଣରେ ଏପରି ଦେଖିବାକୁ ମିଳୁଛି ଯାହାକି ଏହାର ମଧ୍ୟ ଭାରତୀୟ ଉତ୍ପତି ଏବଂ ଉଭୟ ଭାଷା ପରିବାର ସହ ରହିଥିବା ସମ୍ପର୍କକୁ ଦର୍ଶାଉଛି। ଏହାର ବର୍ଗୀକରଣରେ ଏପରି ଅସ୍ପଷ୍ଟତା କାଳକ୍ରମେ ଇଣ୍ଡିକ୍ ଓ ଦ୍ରାବିଡ଼ୀୟ ପ୍ରଭାବର ଜଟିଳ ମିଶ୍ରଣ ଉପରେ ଆଲୋକପାତ କରିଥାଏ, ଯାହାଦ୍ୱାରା ଭାଷାବିତ୍ଙ୍କ ପାଇଁ ସ୍ପଷ୍ଟ ବର୍ଗୀକରଣ କରିବା କଷ୍ଟକର ହୋଇଯାଇଛି।
ରିପୋର୍ଟର ପରାର୍ଥ ସମିତିର ମଞ୍ଜିରୀ ଚାନ୍ଦେ ଓ ରାମଦାସ ନାଗରେ ଏବଂ ପଲ୍ଲବୀ ଚତୁର୍ବେଦୀଙ୍କୁ ଧନ୍ୟବାଦ ଜ୍ଞାପନ କରୁଛନ୍ତି। ଖାଲସା କଲେଜର ଗବେଷକ ଓ ଅଧ୍ୟାପିକା ଅନଘା ମେନନ ଏବଂ ଆଇଆଇଟି କାନପୁରର ମାନବିକ ଓ ସାମାଜିକ ବିଜ୍ଞାନ ବିଭାଗର ଭାଷାବିତ୍ ଓ ସହାୟକ ପ୍ରାଧ୍ୟାପକ ଡକ୍ଟର ଚିନ୍ମୟ କର ଧାରୁରକର ସହୃଦୟତାର ସହ ନିଜର ଜ୍ଞାନ ବାଣ୍ଟିଥିବାରୁ ସେମାନଙ୍କୁ ମଧ୍ୟ ଧନ୍ୟବାଦ।
ସଂକଟଗ୍ରସ୍ତ ଭାଷା କହୁଥିବା ଲୋକଙ୍କ ସ୍ୱର ଓ ଅଭିଜ୍ଞତା ମାଧ୍ୟମରେ ଦସ୍ତାବିଜକରଣ କରିବା ଲକ୍ଷ୍ୟ ନେଇ ପରୀର ଲୁପ୍ତପ୍ରାୟ ଭାଷା ପ୍ରକଳ୍ପ (ଇଏଲପି) କାର୍ଯ୍ୟ କରିଥାଏ।
ଅନୁବାଦ : ଓଡ଼ିଶାଲାଇଭ୍