“ୟେ ବତାନା ମୁସ୍କିଲ ହୋଗା କି କୌନ ହିନ୍ଦୁ ହୈ ଔର କୌନ ମୁସଲମାନ [ଏହା କହିବା କଷ୍ଟକର କି କିଏ ହିନ୍ଦୁ ଆଉ କିଏ ମୁସଲମାନ]। ’’
୬୮ ବର୍ଷ ବୟସର ଶବିର କ୍ୟୁରେଶୀ ନିଜ ବିଷୟରେ ଓ ତାଙ୍କ ପଡୋଶୀ ୫୨ ବର୍ଷ ବୟସ୍କ ଅଜୟ ସୈନିଙ୍କ ବିଷୟରେ ଏଭଳି କହନ୍ତି। ଉଭୟେ ଅଯୋଧ୍ୟାର ଅଧିବାସୀ ଓ ରାମକୋଟର ଦୁରାହୀ କୁଆଁ ଅଞ୍ଚଳରେ ୪୦ ବର୍ଷ ଧରି ରହି ଆସୁଥିବା ବନ୍ଧୁ।
ଦୁଇ ପରିବାର ଘନିଷ୍ଠ, ଦୈନନ୍ଦିନ ଜୀବନର ଅଭାବ ଅସୁବିଧା ସହ ସମ୍ପୃକ୍ତ ଓ ପରସ୍ପର ନିର୍ଭରଶୀଳ। ଅଜୟ ସୈନି ମନେ ପକାନ୍ତି, “ଥରେ ଯେବେ କାମ ପାଇଁ ମୁଁ ବାହାରେ ଥିଲି, ଘରୁ ଖବର ପାଇଲି ଯେ ମୋ ଝିଅ ଦେହ ଖରାପ। ଯେତେ ଶୀଘ୍ର ସମ୍ଭବ ମୁଁ ଘରେ ଆସି ପହଁଚିଲା ବେଳକୁ ମୋ ସ୍ତ୍ରୀ କହିଲା ଯେ ସେ ଭିତରେ କ୍ୟୁରେଶୀ ପରିବାର ଆମ ଝିଅକୁ ହସ୍ପିଟାଲ ନେଇ ଦେଖେଇଛନ୍ତି ଓ ମେଡ଼ିସିନ୍ ବି କିଣି ଦେଇଛନ୍ତି।
ଘର ବାଡ଼ିପଟେ ଯେଉଁଠି ଦୁଇଜଣଯାକ ବସନ୍ତି ସେଠି ମଇଁଷି, ଛେଳି ଓ ଅଧ ଡଜନ କୁକୁଡ଼ାଙ୍କ ଗହଳି ଥାଏ। ଦୁଇ ପରିବାରର ପିଲାମାନେ ଏଣେତେଣେ ଦୌଡ଼ାଦୌଡ଼ି କରନ୍ତି, ଖେଳନ୍ତି ଓ ଗପସପ କରନ୍ତି।
୨୦୨୪ ଜାନୁୟାରୀ ମାସ, ବହୁ ଆଡମ୍ବରରେ ରାମମନ୍ଦିର ଉଦ୍ଘାଟନ ପାଇଁ ଅଯୋଧ୍ୟାରେ ଆୟୋଜନ ଚାଲିଥାଏ। ମନ୍ଦିର ପରିସରଠାରୁ ସେମାନଙ୍କ ଘରକୁ ଗୋଟିଏ ଦୁଇ ପରସ୍ତ ନୂଆ ଓଜନିଆ ଲୁହା ବାଡ଼ ଅଲଗା କରୁଥାଏ।
ଅଶି ଦଶକରେ ସୈନି ଯେତେବେଳେ କିଶୋର ବୟସର ଥିଲା ସେତେବେଳେ ସେ ଓ ତାଙ୍କ ପରିବାର କ୍ୟୁରେଶୀଙ୍କ ଘର ପାଖେ ଆସି ରହିଲେ। ସେତେବେଳେ ବାବରୀ ମସଜିଦ ପରିସରରେ ଥିବା ରାମଙ୍କ ବିଗ୍ରହକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କୁ ସେ ଟଙ୍କାଏରେ ଗୋଟିଏ ଗୋଟିଏ ଫୁଲମାଳ ବିକୁଥିଲା।
କ୍ୟୁରେଶୀମାନେ ମୂଳତଃ କଂସେଇ ଶ୍ରେଣୀର ଓ ଅଯୋଧ୍ୟା ସହର ଉପକଣ୍ଠରେ ତାଙ୍କ ପରିବାରର ଗୋଟିଏ ମାଂସ ଦୋକାନ ଥିଲା। ୧୯୯୨ରେ ସେମାନଙ୍କ ଘରେ ନିଆଁ ଲଗେଇ ଧ୍ୱଂସ କରିଦିଆଗଲା ପରେ ସେମାନଙ୍କ ପରିବାର ଗୋଟିଏ ଲୁହା ଝଳେଇ ବ୍ୟବସାୟ ଆରମ୍ଭ କଲା।
“ସେଇ ପିଲାମାନଙ୍କୁ ଦେଖନ୍ତୁ... ସେମାନେ ହିନ୍ଦୁ... ଆମେ ମୁସଲମାନ। ସେମାନେ ସମସ୍ତେ ଭାଇ ଓ ଭଉଣୀ” – କ୍ୟୁରେଶୀ ସେମାନଙ୍କ ଚାରି ପଟେ ଖେଳୁଥିବା ସବୁ ବୟସର ସାହି ପିଲାମାନଙ୍କୁ ଲକ୍ଷ୍ୟ କରି କହିଲେ। “ଅବ ଆପ ହମାରେ ରେହନ ସହେନ ସେ ପତ୍ତା କିଯିଏ କି ୟହା କୌନ କ୍ୟା ହୈ। ହମ ଏକ ଦୁସରେ କେ ସାଥ ଭେଦଭାବ ନହି କରତେ [ଏବେ ଆପଣ ଆମ ଚାଲିଚଳଣିରୁ କିଏ କଣ ହେଇଥିବ କୁହନ୍ତୁ। ଆମେ କେହି କାହା ସହ ଭେଦଭାବ କରୁନା],” ସେ ପୁଣି କହିଲେ। ଅଜୟ ସୈନିଙ୍କ ସ୍ତ୍ରୀ ଗୁଡ଼ିଆ ସୈନି ତାଙ୍କ କଥାରେ ସହମତ ହେବା ସହ କହିଲେ, “ସେମାନେ ଅନ୍ୟ ଧର୍ମର ହୋଇଥିବା ନେଇ ଆମ ପାଇଁ କିଛି ଫରକ ପଡ଼ୁନି”।
ଦଶ ବର୍ଷ ତଳେ ଯେତେବେଳେ କ୍ୟୁରେଶୀଙ୍କର ଏକ ମାତ୍ର ଝିଅ ନୁରଜହାଁ ବାହା ହେଲା, “ସତେବେଳେ ଆମେ ଅତିଥି ଅଭ୍ୟାଗତ ସମସ୍ତଙ୍କୁ ସ୍ୱାଗତ କରି ଆଣିବାଠାରୁ ସେମାନଙ୍କ ସେବା କରିବା ଆଦି ଉତ୍ସବର ସବୁ ଆନନ୍ଦ ଉଲ୍ଲାସରେ ଯୋଗ ଦେଇଥିଲୁ। ପରିବାରର ଜଣେ ପରି ସବୁ ସମ୍ମାନ ପାଇଥିଲୁ। ଆମେ ଜାଣିଥିଲୁ ଆମେ ପରସ୍ପରଙ୍କ ପାଇଁ ଅଛୁ”, ଅଜୟ ସୈନି କହିଲେ।
ସେମାନଙ୍କ କଥାବାର୍ତ୍ତା ଖୁବ ଶୀଘ୍ର ରାମ ମନ୍ଦିର ଉପରକୁ ଗଲା ଯାହାକୁ ସେମାନେ ଯେଉଁଠାରେ ବସନ୍ତି ସେଠାରୁ ଦେଖି ପାରନ୍ତି। ବିରାଟକାୟ କ୍ରେନଗୁଡ଼ିକ ଦ୍ଵାରା ଘେରି ରହିଥିବା ତାହା ଗୋଟିଏ ଆକାଶଭେଦି ବିଶାଳକାୟ ନିର୍ମାଣ, ଯାହାର କାମ ଆହୁରି ଚାଲିଥିଲା ଓ ସବୁକିଛି ଶୀତର କୁହୁଡ଼ିଆ ଆଚ୍ଛାଦନ ଭିତରେ ରହିଥିଲା।
ଇଟାମାଟିରେ ତିଆରି ତାଙ୍କ ନିଜର ସାଧାରଣ ଘରଠାରୁ ଅନତି ଦୂରରେ ଥିବା ସେହି ବିଶାଳକାୟ ନିର୍ମାଣ ଆଡକୁ ଦେଖାଇ ମସଜିଦ ଭାଙ୍ଗାଯିବା ପୂର୍ବ ସମୟର କଥାକୁ ମନେ ପକାଇ କ୍ୟୁରେଶୀ କହିଲେ, “ୱ ମସଜିଦ ଥି, ୱହାଁ ଜବ ମଘରିବ କେ ୱକ୍ତ ଆଜାନ ହୋତି ଥି ତୋହ ମେରେ ଘରମେଁ ଚିରାଗ ଜଲତା ଥା [ସେଠାରେ ଗୋଟିଏ ମସଜିଦ ଥିଲା, ଓ ସେଠାରେ ଆଜାନ ଶୁଭିବା ସହ ଆମ ଘରେ ବତୀ ଜଳୁଥିଲା]।“
କିନ୍ତୁ ଜାନୁୟାରୀ ୨୦୨୪ ଆରମ୍ଭରେ ସେଠାରେ କେବଳ ଆଜାନ ନୀରବ ହୋଇଯିବା ନୁହେଁ, ବରଂ ଆହୁରି ଅନେକ କିଛି କ୍ୟୁରେଶୀଙ୍କୁ ବିବ୍ରତ କରୁଥିଲା।
“ଆମକୁ କୁହାଗଲା ଯେ ରାମ ମନ୍ଦିର ପାଚେରୀକୁ ଲାଗି ରହିଥିବା ଜାଗାକୁ ସଫା କରି ଦିଆଯିବା ଯୋଜନା ଅଛି। ୨୦୨୩ ଏପ୍ରିଲ-ମେ ମାସ ବେଳକୁ ଜିଲ୍ଲା ପ୍ରଶାସନର ରାଜସ୍ଵ ବିଭାଗ ପକ୍ଷରୁ ଏହି ଅଞ୍ଚଳକୁ ଆସିଲେ, ସେମାନେ ଆମ ଘରଗୁଡିକର ମାପଚୁପ କରି ନେଇଗଲେ,” ସୈନି ଏହି ସାମ୍ବାଦିକକୁ କହିଲେ । ଯେହେତୁ ସୈନି ଓ କ୍ୟୁରେଶୀଙ୍କ ଘର ମନ୍ଦିର ପାଚେରୀ ଓ ଦୁଇଟି ବ୍ୟାରିକେଡ ଲାଗିଥିବା ବାଡ଼ ପାଖାପାଖି ରହିଥିଲା।
ଗୁଡ଼ିଆ ସେଥିରେ ତା’ ମତ ଯୋଡ଼ିଲା, “ଆମ ଘର ପାଖରେ ଏତେ ବଡ଼ ମନ୍ଦିର ହେଉଛି ଓ ଚାରିପଟେ ଏତେ ଯୋଉ ବିକାଶମୂଳକ କାମ ହେଉଛି ତା’ ଭାରି ଖୁସିର କଥା। କିନ୍ତୁ ଯୋଉ ବିସ୍ଥାପନ ହେଉଛି ସେଥିରୁ ଆମର କ’ଣ ଲାଭ ହେବ? ଅଯୋଧ୍ୟା କା କାୟା ପଲଟ ହୋ ରହ ହୈ, ମଗର ହମ ହୀ ଲୋଗୋ କୋ ପଲଟ କେ [ସେମାନେ ଆମକୁ ନଚାହିଁ ଅଯୋଧ୍ୟାର ରୂପାନ୍ତର କରୁଛନ୍ତି]”।
ଅନତି ଦୂରରେ ରହୁଥିବା , ଜ୍ଞାନମତୀ ଯାଦବର ଘର ଆଉ ନାହିଁ ଓ ତାଙ୍କ ପରିବାର ଏବେ ଗାଈ ଗୋବର ଓ ଶୁଖିଲା ଘାସରେ ଘୋଡା ହେଇଥିବା ଗୋଟିଏ ଅସ୍ଥାୟୀ ଘରେ ବର୍ତ୍ତମାନ ଆଶ୍ରୟ ନେଉଛନ୍ତି। “ଆମେ କଳ୍ପନା କରି ନଥିଲୁ ଯେ ଆମକୁ ଆମ ଘରୁ କାଢ଼ି ରାମ ତାଙ୍କ ମନ୍ଦିର ଗଢ଼ିବେ ବୋଲି”, ନୂଆ ପରିବେଶରେ ନିଜ ପରିବାରକୁ ଏକାଠି ରଖିବା ପାଇଁ ଚେଷ୍ଟା କରୁଥିବା ବିଧବା ଜଣକ କହନ୍ତି। ଯାଦବ ପରିବାର କ୍ଷୀର ବିକି ତାଙ୍କ ଗୁଜୁରାଣ ମେଣ୍ଟାନ୍ତି।
ଆହିରଣ ମୋହଲାରେ ମନ୍ଦିରର ମୁଖ୍ୟ ପ୍ରବେଶ ପଥକୁ ଲାଗି ରହିଥିବା ସେମାନଙ୍କ ଛ’ ବଖରାର ପକ୍କା ଘରକୁ ୨୦୨୩ ଡିସେମ୍ବର ମାସରେ ଭାଙ୍ଗି ଦିଆଗଲା। “ସେମାନେ ସିଧା ବୁଲଡୋଜର ଆଣି ଆମ ଘର ଭାଙ୍ଗିଦେଲେ। ଆମେ ଯେତେବେଳେ ସେମାନଙ୍କୁ ଘରର କାଗଜାତ, ହାଉସ ଟାକ୍ସ ରସିଦ ଓ ବିଦ୍ୟୁତ ବିଲ ଆଦି ଦେଖେଇଲୁ, ଅଫିସରମାନେ କହିଲେ ଯେ ସେଥିରୁ କିଛି ଲାଭ ନାହିଁ”, ତାଙ୍କ ବଡ଼ ପୁଅ ରାଜନ କହିଲେ। ସେଦିନ ରାତିରେ ଚାରି ପିଲାଙ୍କ ପରିବାର, ବୃଦ୍ଧ ଶଶୁର ଓ ଛ’ଟି ଗୋରୁଙ୍କୁ ଧରି ଶୀତୁଆ ଥଣ୍ଡା ରାତିରେ ଖୋଲା ଆକାଶ ତଳେ ସମସ୍ତଙ୍କୁ ଥରି ଥରି ରହିବାକୁ ପଡିଲା। ପରିବାରଟି ଦୁଇ ଦୁଇ ଥର ବିସ୍ଥାପିତ ହେଲା ପରେ ଶେଷକୁ ତାରପୋଲିନ ବନ୍ଧା ତମ୍ବୁରେ ଆସି ରହୁଛନ୍ତି।
“ଏଇଟା ମୋ ସ୍ଵାମୀଙ୍କର ପୈତୃକ ଘର। ସେ ଓ ତାଙ୍କ ଭାଇଭଉଣୀମାନେ ପ୍ରାୟ ପାଞ୍ଚ ଦଶନ୍ଧି ତଳେ ଏଇ ଘରେ ଜନ୍ମ ହେଇଥିଲେ। କିନ୍ତୁ କ୍ଷତିପୂରଣ ବାବଦରେ ଆମେ କିଛି ବି ପାଇଲୁନି, ଆମ ପାଖରେ ମାଲିକାନା ସତ୍ତ୍ଵ ଥିବା ସତ୍ତ୍ୱେ କର୍ତ୍ତୃପକ୍ଷ କହିଲେ ତାହା ନଜୁଲ ବା ସରକାରୀ ଜମି,” କହନ୍ତି ଜ୍ଞାନମତୀ।
କ୍ୟୁରେଶୀ ଓ ତାଙ୍କ ପୁଅମାନେ କହନ୍ତି କି ଯଦି ଯଥେଷ୍ଟ କ୍ଷତିପୂରଣ ମିଳେ ତେବେ ସେମାନେ ଅଯୋଧ୍ୟା ଉପକଣ୍ଠରେ ଆଉ ଖଣ୍ଡେ ଜାଗା ଅଛି ସେଠାକୁ ଚାଲିଯିବେ, କିନ୍ତୁ ସେପରି କରିବା ସହଜ କଥା ନୁହେଁ। “ଏଠି ସମସ୍ତେ ଆମକୁ ଜାଣନ୍ତି, ଆମର ସବୁ ନିକଟ ସମ୍ପର୍କୀୟ ଏଠି ରହନ୍ତି। ଯଦି ଆମେ ଏଠାରୁ ଯାଇ ଅଧିକ ମୁସଲମାନ ରହୁଥିବା ଫଇଜାବାଦରେ ରହିବୁ, ତେବେ ଆମେ ଅନ୍ୟ ସାଧାରଣ ଲୋକଙ୍କ ପରି ରହିବୁ। ଆମେ ଆଉ ଅଯୋଧ୍ୟାବାସୀ ହୋଇ ରହିବୁ ନାହିଁ”, କହନ୍ତି ଜମାଲ କ୍ୟୁରେଶୀ, ସବୀରଙ୍କ ସାନ ପୁଅମାନଙ୍କ ଭିତରୁ ଜଣେ।
ଭାବାବେଗର ସହ ଅଜୟ ସୈନି କହନ୍ତି, “ଏହି ଜାଗା ସହ ଆମର ବିଶ୍ଵାସ ଯୋଡ଼ି ହେଇ ରହିଛି। ଆମକୁ ଯଦି ଏଠାରୁ ପ୍ରାୟ ୧୫ କିମି ଦୂରରେ ଯାଇ ରହିବାକୁ ପଡ଼େ, ତେବେ ଆମ ବିଶ୍ୱାସ ଓ ବ୍ୟବସାୟ ଉଭୟ ଛଡ଼େଇ ନେଲା ପରି କଥା ହେବ।’’
ନିଜ ଘର ଛାଡ଼ି ଓ ଦୂର ଜାଗାରେ ଯାଇ ରହିବାକୁ ସୈନି ଅମଙ୍ଗ ହେବା ମଧ୍ୟ ତାଙ୍କ କାମ ସହ ଯୋଡ଼ା। “ଏଠାରୁ ମୁଁ ପ୍ରତିଦିନ ୨୦ ମିନିଟ ସାଇକେଲ ଚଲେଇ ଯାଇ ନୟାଘାଟ ନିକଟରେ ଥିବା ନାଗେଶ୍ଵର ମନ୍ଦିରରେ ଫୁଲ ବିକେ। ପର୍ଯ୍ୟଟକମାନଙ୍କ ଗହଳିକୁ ଧରି ମୁଁ ପ୍ରତିଦିନ ୫୦ଋ ୫୦୦ ଟଙ୍କା ପାର୍ଜୟନ୍ତ ରୋଜଗାର କରେ। ମୋ ପରିବାର ଚଳେଇବା ପାଇଁ ଏହା ମୋର ଏକମାତ୍ର ରୋଜଗାର ପନ୍ଥା। ଏଥିରେ କିଛି ପରିବର୍ତ୍ତନ ହେବା ମାନେ ଯିବାଆସିବା ପାଇଁ ମତେ ଅଧିକ ସମୟ ଲାଗିବ ଓ ମତେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ”, ସୈନି କହନ୍ତି।
ଜମାଲ କହେ, “ଆମ ବାରିପଟେ ଏତେ ବଡ ଚମତ୍କାର ମନ୍ଦିର ଥିବାରୁ ଆମେ ଗର୍ବିତ। ଧାର୍ମିକ ବିଶ୍ୱାସ ଆଧାରରେ ଦେଶର ସର୍ବୋଚ୍ଚ ନ୍ୟାୟଳୟ ଦ୍ଵାରା ଏହି ନିଷ୍ପତି ନିଆଯାଇଛି, ଓ ତେଣୁ ଏହାକୁ ବିରୋଧ କରିବାର କିଛି କାରଣ ନାହିଁ”।
“କିନ୍ତୁ, ଆମକୁ ଏଠି ରହିବାକୁ ଅନୁମତି ନାହିଁ। ଆମକୁ ଏଠାରୁ ଉଚ୍ଛେଦ କରାଯାଉଛି”, ସେ ପୁଣି ଯୋଡ଼େ।
ସେଠାରେ ରହୁଥିବା ପରିବାରଗୁଡିକ ସଶସ୍ତ୍ର ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର (ସିଆରପିଏଫ) ଲୋକଙ୍କ ଆତଯାତ ଭିତରେ ଗୋଟେ ଯୁଦ୍ଧ କ୍ଷେତ୍ରରେ ରହିବା ଭଳି ଚାପଗ୍ରସ୍ତ ହୋଇ ରହିଛନ୍ତି। ମନ୍ଦିର ପଛ ବାଡ ପାଖରେ ସେମାନଙ୍କ ଘର ନିକଟରେ ଜଗିବା ପାଇଁ ଗୋଟିଏ ୱାଚ ଟାୱାର ଛିଡା ହେଇଛି। “ପ୍ରତି ମାସରେ ଅଲଗା ଅଲଗା ଏଜେନ୍ସି ପକ୍ଷରୁ ସେଠାରେ ରହୁଥିବା ଅଧିବାସୀମାନଙ୍କ ତନଖି କରିବା ପାଇଁ ଚାରି ଚାରି ଥର ଆସୁଛନ୍ତି। ଯଦି କେହି ଅତିଥି କି ସମ୍ପର୍କୀୟ ରାତିରେ ରହୁଛନ୍ତି, ତେବେ ସେମାନଙ୍କ ବିବରଣୀ ପୋଲିସକୁ ଦେବା ପାଇଁ ବାଧ୍ୟତାମୂଳକ କରାଯାଇଛି,” କହେ ଗୁଡିଆ।
ମନ୍ଦିର ନିକଟସ୍ଥ ଅହିରଣ ଗଳି ଓ କେତେକ ରାସ୍ତାରେ ଗାଡ଼ି ଚଳେଇବା ବାରଣ କରାଯାଇଛି। ତା’ ପରିବର୍ତ୍ତେ କେନ୍ଦ୍ରସ୍ଥଳ ହନୁମାନଗଢ଼ି ଯିବାକୁ ସେମାନଙ୍କୁ ବୁଲା ରାସ୍ତାରେ ବୁଲି ବୁଲି ଯିବାକୁ ପଡୁଛି।
୨୨ ଜାନୁଆରୀ, ୨୦୨୪ ଦିନ ରାମ ମନ୍ଦିରର ବର୍ଣ୍ଣାଢ୍ୟ ଉଦଘାଟନ ପାଇଁ ଦୁରାହୀ କୁଆଁରେ ସେମାନଙ୍କ ଘର ସାମନା ରାସ୍ତା ଦେଇ ରାଜନୈତିକ ନେତା, ମନ୍ତ୍ରୀ ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଭଳି ଭିଆଇପିମାନେ ଦଳ ଦଳ ହୋଇ ଯିବା ଆସିବା କଲେ।
*****
୫ ଫେବୃୟାରୀ, ୨୦୨୪ ଦିନ ରାଜ୍ୟ ସରକାର ୨୦୨୪-୨୫ ପାଇଁ ରାଜା ରାମଙ୍କ ପାଇଁ ଉଦ୍ଦିଷ୍ଟ ଖର୍ଚ୍ଚ ଅଟକଳ ପ୍ରକାଶ କଲେ। “ଖର୍ଚ୍ଚ ଅଟକଳର ଭାବନାରେ, ସଂକଳ୍ପରେ ଓ ପ୍ରତିଟି ଶବ୍ଦରେ ରଜା ଶ୍ରୀ ରାମ ଅନୁରଣିତ ହୋଇଛି”, କହିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ବଜେଟରେ୧୫୦ କୋଟି ଟଙ୍କାର ପର୍ଯ୍ୟଟନ ବିକାଶ ଓ ଆନ୍ତର୍ଜାତିକ ରାମାୟଣ ଓ ବେଦିକ ରିସର୍ଚ ଇନଷ୍ଟିଚ୍ୟୁଟ ପାଇଁ ୧୦ କୋଟି ଟଙ୍କା ସମେତ ଅଯୋଧ୍ୟାରେ ଇନଫରାଷ୍ଟ୍ରକଚର ବିକାଶ ପାଇଁ ସମୁଦାୟ ୧୫୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟବସ୍ଥା ରହିଥିଲା।
ଏହି ମନ୍ଦିର ପରିସର ୭୦ ଏକର ଜମି ଉପରେ ପରିବ୍ୟାପ୍ତ ହେବ ବୋଲି କୁହାଯାଉଛି। ମୁଖ୍ୟ ରାମ ମନ୍ଦିର ୨.୭ ଏକର ଜମି ଉପରେ ରହିବ। ସମ୍ପୂର୍ଣ୍ଣ ପ୍ରକଳ୍ପଟି ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ (ଏଆରଜେଟିକେଟି) ଠାରୁ ଅର୍ଥ ଗ୍ରହଣ କରିବ। ଫରେନ କଣ୍ଟ୍ରିବୁସନ ରେଗୁଲେସନ ଆକ୍ଟରେ ଅନୁବନ୍ଧିତ ଅଳ୍ପ କେତୋଟି ପସନ୍ଦଯୋଗ୍ୟ ଅନୁଷ୍ଠାନ ମଧ୍ୟରେ ଏହି ଟ୍ରଷ୍ଟ ରହିଛି, ଯାହା ଫଳରେ ବିଦେଶୀ ନାଗରିକମାନେ ଚାନ୍ଦା ଦେଇ ପାରିବେ, ବିଶେଷ କରି ଯେଉଁ ଭାରତୀୟମାନେ ଚାନ୍ଦା ଦେବେ ସେମାନେ ଟ୍ୟାକ୍ସ ଛାଡ଼ ପାଇଁ ଯୋଗ୍ୟ ବିବେଚିତ ହେବେ।
ଅଯୋଧ୍ୟାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଏହି ଉଦାରତାର ନିଦର୍ଶନରେ ରହିଛି ୧୧୧୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ, ତା’ ସହ ରେଳ ଷ୍ଟେସନର କାୟା ପରିବର୍ତ୍ତନ ପାଇଁ ୨୪୦ କୋଟି ଟଙ୍କା ଓ ନୂଆ ବିମାନ ବନ୍ଦର ନିର୍ମାଣ ପାଇଁ ୧୪୫୦ କୋଟି ଟଙ୍କା ବ୍ୟବସ୍ଥା।
ଉଦଘାଟନ ପରେ ଆହୁରି ଅଧିକ ଉତ୍ତାଳ ଆସିବ ବୋଲି ଆଶା କରାଯାଉଛି। “ମନ୍ଦିରର ଉଦ୍ଘାଟନ ପରେ ଅଯୋଧ୍ୟାକୁ ପ୍ରତିଦିନ ତିନି ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିବେ”, କହନ୍ତି ମୁକେଶ ମେଶରାମ। ସେ ହେଉଛନ୍ତି ଉତ୍ତର ପ୍ରଦେଶ ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ।
ଆହୁରି ଅଧିକ ପରିଦର୍ଶନକାରୀଙ୍କ ପାଇଁ ସାରା ସହରରେ ଇନଫ୍ରାଷ୍ଟ୍ରକଚର ପ୍ରସାରଣ ଯୋଜନା ପୁରାତନ ଘର ଓ ବନ୍ଧୁତ୍ଵକୁ ବିଭାଜିତ କରିବ।
“ରାସ୍ତାର ଶେଷଆଡ଼କୁ ଯେଉଁ ମୁସଲମାନ ପରିବାର ରହନ୍ତି, ଯେଉଁମାନେ ଆମର ସମ୍ପର୍କୀୟ ସେମାନଙ୍କୁ କ୍ଷତିପୂରଣ ମିଳି ସାରିଲାଣି। ଯେହେତୁ ମନ୍ଦିରର ବାଡ଼କୁ ଲାଗି ସେମାନଙ୍କ ଘର ଥିଲା ତାହାକୁ କେତେକାଂଶରେ ଭଙ୍ଗା ଯାଇଛି”, କହନ୍ତି ଜମାଲ, କ୍ୟୁରେଶୀଙ୍କ ପୁଅ। ମନ୍ଦିରର ୭୦ ଏକର ପରିସରକୁ ଲାଗି ରହିଥିବା ୫୦ ମୁସଲମାନ ପରିବାର ସହ ସମୁଦାୟ ୨୦୦ ପରିବାରକୁ ଦେଖେଇ କହନ୍ତି ଯେ ଯେହେତୁ ମନ୍ଦିର ଟ୍ରଷ୍ଟ (ଏସଆରଜେଟିକେଟି) ଏହି ସ୍ଥାନକୁ ନେବାକୁ ଚାହେଁ, ଖୁବ ଶୀଘ୍ର ସେମାନଙ୍କୁ ଉଚ୍ଛେଦ କରାଯିବ।
“ଯେଉଁ ଘରଗୁଡିକ ମନ୍ଦିର ପରିଧି ମଧ୍ୟରେ ରହିଥିଲା ଟ୍ରଷ୍ଟ ପକ୍ଷରୁ ସେଗୁଡ଼ିକୁ କିଣି ନିଆ ଯାଇଛି, ଓ ଲୋକଙ୍କୁ କ୍ଷତି ପୂରଣ ଭାବେ ଯଥା ମୂଲ୍ୟ ଦିଆ ଯାଇଛି। ଆଉ ଅଧିକ ଅଧିଗ୍ରହଣର ଆବଶ୍ୟକତା ନାହିଁ,” କହନ୍ତି ଭିଏଚପି ନେତା ଶରଦ ଶର୍ମା।
ଏହା ମଧ୍ୟରେ ବିସ୍ଥାପିତ ହୋଇଥିବା ଯାଦବ ପରିବାର ସେମାନଙ୍କ ଘର ଆଗରେ ରାମଙ୍କର ଗୋଟିଏ ଫୋଟୋ ଝୁଲାଇଛନ୍ତି। “ଆମେ ଯଦି ଏହି ଛବିକୁ ଝୁଲେଇବୁନି, ତେବେ ଏଠି ରହିବା ଆମ ପାଇଁ କଷ୍ଟକର ହେଇଯିବ”, କହନ୍ତି ରାଜନ। ସେମାନଙ୍କ ଘର ଉଚ୍ଛେଦ କରି ଦିଆଗଲା ପରେ ପରିବାରକୁ ହଇରାଣ ହରକତ ହେବାରୁ ରକ୍ଷା କରିବା ପାଇଁ ୨୧ ବର୍ଷ ବୟସର ରାଜନକୁ କୁସ୍ତି ଖେଳ ପ୍ରଶିକ୍ଷଣ ଅଧାରୁ ଛାଡିବାକୁ ପଡିଲା। “ପ୍ରତି ସପ୍ତାହରେ ସରକାରୀ ଅଫିସର ଓ ଅଜଣା ଲୋକମାନେ ଆସି ଆମେ ଏଠି ତିଆରି କରିଥିବା କୁଡିଆ ଘରକୁ ଖାଲି କରିବାକୁ ଧମକ ଦେଉଛନ୍ତି। ଆମେ ଏହି ଜାଗାର ମାଲିକ, କିନ୍ତୁ ଏଠି ଆମେ କୌଣସି ପକ୍କା ନିର୍ମାଣ କରି କରିବାକୁ ଅନୁମତି ନାହିଁ”, ‘ପରୀ’କୁ ସେ କହିଲେ।
*****
“ଆମ ଘର ଜଳୁଥିଲା। ସେଠି ଲୁଟପାଟ ହେଲା। କ୍ରୋଧୀ ଲୋକଙ୍କ ଭିଡ଼ ଆମକୁ ଘେରି ରହିଥିଲା,” ୧୯୯୨ମସିହା ଡିସେମ୍ବର ୬ ତାରିଖ ଦିନ ହିନ୍ଦୁମାନେ ବାବରୀ ମସଜିଦ ଭାଙ୍ଗିଲା ପରେ ଅଯୋଧ୍ୟାରେ ଯେଉଁଭଳି ମୁସଲମାନମାନଙ୍କୁ ଆକ୍ରମଣ କରିଥିଲେ ତାହାକୁ ମନେ ପକଳେଇ କହନ୍ତି କ୍ୟୁରେଶୀ।
ତିରିଶି ବର୍ଷ ପରେ ସେ କହନ୍ତି, “ସେହି ପରିସ୍ଥିତିରେ ମୋ ସାହିର ଲୋକମାନେ ମତେ ଲୁଚାଇ ଦେଲେ ଓ ସୁରକ୍ଷିତ ରଖିଲେ। ସତ କହିବାକୁ ଗଲେ ମୁଁ ମଲା ପର୍ଯ୍ୟନ୍ତ ତାହାକୁ କଦାପି ଭୁଲିବି ନାହିଁ”।
ଅଳ୍ପ କିଛି ମୁସଲମାନ ଲୋକଙ୍କ ଭିତରୁ କ୍ୟୁରେଶୀ ପରିବାର ଅଧିକାଂଶ ହିନ୍ଦୁ ଅଧ୍ୟୁଷିତ ଦୁରାହୀ କୁଆଁ ଅଞ୍ଚଳରେ ରହନ୍ତି। “ଆମେ ଏଠୁ ଚାଲିଯିବା କଥା ଜମା ଭାବିନୁ। ଏଇଟା ମୋର ପୂର୍ବପୁରୁଷଙ୍କ ଘର। ଆମର କେତେ ପିଢ଼ି ଏ ଘରେ ରହିଛନ୍ତି ମୁଁ ଜାଣିନି। ଏଠାକାର ହିନ୍ଦୁମାନଙ୍କ ପରି ମୁଁ ସ୍ଥାନୀୟ ବାସିନ୍ଦା,” ନିଜ ଘର ବାରିପଟେ ଗୋଟିଏ ଧାତବ ଖଟରେ ବସି କ୍ୟୁରେଶୀ ଏହି ସାମ୍ବାଦିକକୁ କହିଲେ। ସେ ତାଙ୍କ ଦୁଇ ଭାଇ ଓ ସେମାନଙ୍କ ପରିବାର ତଥା ତାଙ୍କ ନିଜର ଆଠ ପୁଅ ଓ ସେମାନଙ୍କ ସ୍ତ୍ରୀ ଓ ପିଲାଛୁଆଙ୍କ ସମେତ ସମସ୍ତ ପରିବାରର ମୁଖ୍ୟ। ତାଙ୍କ କହିବା ଅନୁଯାୟୀ ପରିବାରର ଯେଉଁ ୧୮ ଜଣ ଏଠାରେ ରହିଗଲେ ସେ ସମସ୍ତଙ୍କୁ ପଡୋଶୀମାନେ ଲୁଚାଇ ରଖିଥିଲେ।
ଗୁଡିଆ ସୈନି କହିଲେ, “ସେମାନେ ଆମ ପରିବାର ପରି ଓ ଆମ ଦୁଃଖ ସୁଖରେ ଆମ ପାଖେ ଠିଆ ହୁଅନ୍ତି। ଯଦି ସେଭଳି ଦୁର୍ଗତି ସମୟରେ ଜଣେ ହିନ୍ଦୁ ବୋଲି ସାହାଯ୍ୟ କରିବନି, ତେବେ ସେଭଳି ହିନ୍ଦୁଭାବକୁ ନେଇ ଜଣେ କ ’ ଣ କରିବ?”
କ୍ୟୁରେଶୀ ତାଙ୍କ କଥା ଯୋଡ଼ିଲେ, “ଏହା ଅଯୋଧ୍ୟା, ତୁମେ ଏଠାକାର ହିନ୍ଦୁ କି ମୁସଲମାନକୁ ବୁଝି ପାରିବ ନାହିଁ। ତୁମେ ବୁଝି ପାରିବ ନାହିଁ ଏଠାକାର ଲୋକମାନେ କେତେ ଗଭୀର ଭାବେ ପରସ୍ପର ସହିତ ସମ୍ପୃକ୍ତ”।
ସେମାନଙ୍କ ଘର ଜାଲି ଦିଆଗଲା ପରେ ଗୋଟିଏ ଅଣଓସାରିଆ ଜାଗାରେ ସେମାନେ ଆଉ ଥରେ ତାଙ୍କ ଘର ତିଆରି କଲେ। ପଛପଟର ଖୋଲା ସ୍ଥାନକୁ ଘେରି ତିନି ପ୍ରକାରର ପୃଥକ ନିର୍ମାଣରେ ସେମାନଙ୍କ ଘର ଯେଉଁଠାରେ ପରିବାରର ୬୦ ଜଣ ସଦସ୍ୟ ରହୁଛନ୍ତି।
କ୍ୟୁରେଶୀଙ୍କ ଦୁଇ ପୁଅ – ୪୫ ବର୍ଷ ବୟସ୍କ ଅବଦୁଲ ୱାହିଦ, ଦ୍ଵିତୀୟ ବଡ ପୁଅ ଓ ୩୫ ବର୍ଷ ବୟସ୍କ ଜମାଲ, ଚତୁର୍ଥ ପୁଅ – ସେମାନେ ମିଶି ୱେଲ୍ଡିଙ୍ଗ ଦୋକାନ କରିଛନ୍ତି, ଯେଉଁଠାରୁ ମନ୍ଦିର ନିର୍ମାଣ କାମ ଗୋଟିଏ କଡ଼ରୁ ଦେଖି ହୁଏ। “ଆମେ ମନ୍ଦିର ପରିସୀମା ମଧ୍ୟରେ ୧୫ ବର୍ଷ ଧରି କାମ କରିବା ଭିତରେ ଆମେ ୧୩ଟି ସୁରକ୍ଷା ଟାୱାର ଓ ୨୩ଟି ପ୍ରତିବନ୍ଧକ ତିଆରି କରିଛୁ,” କହନ୍ତି ଜମାଲ। ସେମାନେ କହନ୍ତି କି ଆରଏସଏସ, ଭିଏଚପି ଓ ସବୁ ହିନ୍ଦୁ ମନ୍ଦିର ପାଇଁ ସେମାନେ କାମ କରନ୍ତି ଓ ଆରଏସଏସ କୋଠାର ୱାଚ ଟାୱାର ସେମାନେ ତିଆରି କରିଛନ୍ତି। “ୟେହି ତୋ ଅଯୋଧ୍ୟା ହୈ [ଏହା ହିଁ ତ ଅଯୋଧ୍ୟା]! ହିନ୍ଦୁ ଓ ମୁସଲମାନ ଲୋକେ ପରସ୍ପର ସହ ମିଶି ରହନ୍ତି ଓ କାମ କରନ୍ତି,” କହେ ଜମାଲ।
ସେମାନଙ୍କ ଦୋକାନ ନିଉ ଷ୍ଟାଇଲ ଇଞ୍ଜିନିୟରିଂ ଘରର ସାମ୍ନା ପଟେ ଚାଲେ। ବିଡମ୍ବନାର କଥା ହେଲା ଯେ ସେଠାକାର ଦକ୍ଷିଣପନ୍ଥୀ ସଂସ୍ଥାଗୁଡିକର ଅନୁଗାମୀମାନେ ମୁସଲମାନମାନଙ୍କୁ ହଇରାଣ କରୁଥିଲେ ବି କ୍ୟୁରେଶୀ ପରିବାର ପ୍ରତି ସେଭଳି କିଛି କରନ୍ତି ନାହିଁ। “ସମସ୍ୟା ସେତେବେଳେ ହୁଏ ଯେତେବେଳେ ବାହାର ଲୋକମାନେ ଆସି କିଛି ବିବାଦ ସୃଷ୍ଟି କରନ୍ତି,” ଜମାଲ ମତ ଦେଇ କହେ।
ସାମ୍ପ୍ରଦାୟିକ ଉତ୍ତେଜନାର ବିପଦ, ବିଶେଷ କରି ନିର୍ବାଚନ ବର୍ଷରେ ଯେମିତି ହୁଏ ତା’ ସହିତ ସବୁ ପରିବାର ପରିଚିତ। “ଏଭଳି ବିପଦଜନକ ଅବସ୍ଥା ଆମେ ବହୁବାର ଦେଖିଛୁ। ଆମେ ଜାଣୁ ଯେ ରାଜନୈତିକ ଲାଭ ପାଇବା ପାଇଁ ଏଭଳି କରାଯାଏ। ଦିଲ୍ଲୀ ଓ ଲକ୍ଷ୍ନୌରେ କୁର୍ସି (ରାଜନୈତିକ କ୍ଷମତା ପାଇବା) ପାଇଁ ଏଭଳି ଖେଳ ଖେଳାଯାଏ। ଏହା ଆମ ସମ୍ପର୍କକୁ ବଦଳେଇ ପାରିବ ନାହିଁ,” ଦୃଢ଼ତାର ସହ କହନ୍ତି କ୍ୟୁରେଶୀ।
ସୈନି ଜାଣନ୍ତି ଯେ ତାଙ୍କ ହିନ୍ଦୁ ପରିଚୟ ସାମୟିକ ଭାବେ ତାଙ୍କୁ ହିଂସ୍ର ଲୋକଙ୍କଠାରୁ କିଛିଟା ସୁରକ୍ଷା ଦେଇପାରେ, ଯେମିତି ୧୯୯୨ ମସିହା ଡିସେମ୍ବର ମାସରେ ତାଙ୍କ ଘରକୁ ଛାଡ଼ି ଦେଲେ ଓ କ୍ୟୁରେଶୀଙ୍କ ଘରକୁ ଆକ୍ରମଣ କଲେ – “ଯଦି ତାଙ୍କ ଘରେ ନିଆଁ ଲାଗିବ, ଆମ ଘରକୁ ମଧ୍ୟ ତାହା ବ୍ୟାପିବ”, ସୈନି ଟିପ୍ପଣୀ ଦେଲେ। ସେପରି ସ୍ଥଳେ, “ଆମେ ଅଧିକ ଗୋଟିଏ ବାଲଟିରେ ପାଣି ଭରି ରଖିବୁ ଓ ନିଆଁକୁ ଲିଭାଇବୁ। ଆମେ ଜାଣୁ ଆମେ ପରସ୍ପର ପାଇଁ ଅଛୁ”, କ୍ୟୁରେଶୀ ପରିବାର ସହ ତାଙ୍କ ବନ୍ଧନକୁ ଦୋହରାଇବାକୁ ଯାଇ ସେ କହିଲେ।
“ଆମେ ପରସ୍ପର ସହ ରହୁଛୁ ଓ ପରସ୍ପରକୁ ଯଥେଷ୍ଟ ସ୍ନେହ ଓ ଶ୍ରଦ୍ଧା କରୁ,” ଯୋଗ କରି କହିଲେ ଗୁଡିଆ।
ଓଡ଼ିଆ ଅନୁବାଦ: କପିଳାସ ଭୂୟାଁ