ଆମ ଦେଶରେ ଲୋକଙ୍କ ଚେହେରା ଓ ବୃତ୍ତିଗତ ବିବିଧତାର ଆକଳନ ଆମ ଫେସେସ୍ ବା ‘ମୁଖମଣ୍ଡଳ’ ପ୍ରକଳ୍ପର ଲକ୍ଷ୍ୟ । ଏହା ହେଉଛି ଜିଲ୍ଲା ଓ ଗ୍ରାମ୍ୟସ୍ତରର ଲୋକଙ୍କ ଚେହେରା ଓ ଜୀବିକା ସଂପର୍କିତ ଟିକିନିଖି ବିବରଣୀ ସମ୍ବଳିତ ଏକ ଡାଟାବେସ୍ ବା ବିସ୍ତୃତ ତଥ୍ୟାବଳୀ, ଯାହା ଏବେ ହଜାର ହଜାର ସଂଖ୍ୟାରେ ପହଞ୍ଚିଲାଣି ।
ଏ ବର୍ଷ ୫୩ଟି ନୂଆ ବ୍ଲକରେ କାର୍ଯ୍ୟ କରିଥିଲା ‘ଫେସେସ୍’ । ଉଦାହରଣ ସ୍ୱରୂପ, ପଶ୍ଚିମ ବଙ୍ଗର ବୀରଭୂମ ଜିଲ୍ଲା ଅନ୍ତର୍ଗତ ଦୁବରାଜପୁର ବ୍ଲକରେ ଆମ ପ୍ରତିନିଧି ଭେଟିଥିଲେ ଜଣେ ଅବସରପ୍ରାପ୍ତ ଡାକ କର୍ମଚାରୀ ସମୀର ପାଠକ ଙ୍କୁ । ଆମେ ମଧ୍ୟ ନିମ୍ନୋକ୍ତ ଆଦିବାସୀ ସଂପ୍ରଦାୟକୁ ଆମ ସହିତ ସାମିଲ କରିଥିଲୁ: କାନିକର, ମହ୍ଲାର, କୋଲି, ପାନିୟାନ, କାଟ୍ଟୁନାୟକନ, ମଲାଇ ଆରାୟନ, ଆଦିୟାନ ଏବଂ ବୋଡ଼ୋ ।
ପ୍ରାରମ୍ଭିକ ପର୍ଯ୍ୟାୟରେ, ଅନେକ ଛାତ୍ରଛାତ୍ରୀ କେବଳ ଫଟୋଗ୍ରାଫ ଜରିଆରେ ଗ୍ରାମୀଣ ଭାରତ ସହ ସଂପର୍କ ଯୋଡ଼ିବା ଏବଂ ତଥ୍ୟ ନଥିଭୁକ୍ତ କରିବାର ଏକ ଅବଲମ୍ବନ ରୂପେ ଏହି ପ୍ରକଳ୍ପକୁ ଗ୍ରହଣ କରିନେଇଥିଲେ । ବର୍ଷ ପରେ ବର୍ଷ ବିତିବା ସହିତ, ଆମକୁ ରିପୋର୍ଟ ଦେଉଥିବା ଯୁବ ପ୍ରତିନିଧିମାନେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ, ସାରା ଦେଶର ବିଭିନ୍ନ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ବ୍ଲକରେ ବସବାସ କରୁଥିବା ଲୋକଙ୍କ ଫଟୋ ଉତ୍ତୋଳନ କରିଥିଲେ ।
କୌଣସି ରାଜ୍ୟ ଅନ୍ତର୍ଗତ ପ୍ରତ୍ୟେକ ଜିଲ୍ଲାର ପ୍ରତିଟି ବ୍ଲକରୁ ଅନ୍ତତଃ ଜଣେ ପ୍ରାପ୍ତବୟସ୍କ ପୁରୁଷ, ଜଣେ ପ୍ରାପ୍ତବୟସ୍କା ମହିଳା ଏବଂ ଜଣେ ଶିଶୁ କିମ୍ବା କିଶୋରଙ୍କ ପ୍ରତିରୂପକୁ ନଥିଭୁକ୍ତ କରିବା ‘ଫେସେସ୍’ର ଲକ୍ଷ୍ୟ । ଗ୍ରାମୀଣ ଭାରତ ବ୍ୟତିରେକ ସହରାଞ୍ଚଳରେ ବସବାସ କରୁଥିବା ପ୍ରବାସୀ ଶ୍ରମିକମାନଙ୍କ ତଥ୍ୟାବଳୀକୁ ମଧ୍ୟ ଏହି ପ୍ରକଳ୍ପରେ ରେକର୍ଡ କରାଯାଏ ।
ଆସନ୍ତୁ ଭେଟିବା ସୁମଙ୍ଗଳା ଙ୍କୁ, କେରଳର ଆଲାପୁଝା ଜିଲ୍ଲାର ହରିପାଦ ବ୍ଲକ ବାସିନ୍ଦା ଚାରି ଜଣ ନଡ଼ିଆ କତା ଶ୍ରମିକଙ୍କ ମଧ୍ୟରୁ ଜଣେ - ଏ ବର୍ଷ ‘ଫେସେସ୍’ରେ ସ୍ଥାନ ପାଇଥିବା ଏକ ନୂତନ ବୃତ୍ତି । ତାଙ୍କ ସଂପର୍କିତ ବିବରଣୀରୁ ଆମେ ଜାଣିପାରୁ ଯେ, ଗ୍ରାମୀଣ ଭାରତର ମହିଳାମାନେ କେବଳ ଯେ ଘରକାମ କରନ୍ତି ତାହା ନୁହେଁ – ସେମାନେ ଚାଷଜମିରେ କାମ କରନ୍ତି, ମାଛ ଓ ପନିପରିବା ବିକନ୍ତି, ସିଲେଇ, ତନ୍ତକାମ ଓ ହାତବୁଣା କାମ ବି କରନ୍ତି । ସଂକ୍ଷେପରେ, ସେମାନେ ବହୁବିଧ କାର୍ଯ୍ୟ ତୁଲାଇବାରେ ସକ୍ଷମ ।
ଏ ବର୍ଷ ଆମ ପାଇଁ ଖବର ସଂଗ୍ରହ କରୁଥିବା ପ୍ରତିନିଧିଙ୍କ ମଧ୍ୟରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଥିବାରୁ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ‘ଫେସେସ୍’ରେ ବି ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଫଟୋ ସ୍ଥାନ ପାଇଛି ।
ମେଘାଳୟର ପୂର୍ବ ଖାସୀ ହିଲସର ମାପଲାଙ୍ଗ ବ୍ଲକ୍ (ଏ ବର୍ଷର ଆଉ ଏକ ପ୍ରଥମ ବ୍ଲକ୍)ରେ ଆମର ସାକ୍ଷାତ ହୁଏ ନୋବିକା ଖାସାଇଁ ଙ୍କ ସହିତ, ୯ମ ଶ୍ରେଣୀର ଜଣେ ଛାତ୍ରୀ ଏବଂ ପାରମ୍ପରିକ ଖାସୀ ନୃତ୍ୟଶିଳ୍ପୀ । ନୋବିକା କହନ୍ତି, “ଯଦିବା ଏଥିରେ ଅଧିକ ସମୟ ଲାଗେ, ତଥାପି ପ୍ରତି ନୃତ୍ୟ (ପରିବେଷଣ) ପୂର୍ବରୁ ମୁଁ ଆମ ପାରମ୍ପରିକ ପୋଷାକ ପିନ୍ଧିବାକୁ ଭଲ ପାଏ।”
ଯଦି ଆମେ କରୁଥିବା କାମ ପ୍ରତି ଆପଣଙ୍କର ଆଗ୍ରହ ରହିଛି ଏବଂ ଆପଣ ‘ ପରୀ ’ ରେ ଆପଣଙ୍କ ଅବଦାନ ସାମିଲ କରିବାକୁ ଚାହାଁନ୍ତି, ତେବେ ଦୟାକରି ଆମକୁ [email protected] ମେଲ୍ ଆଇଡିରେ ଲେଖନ୍ତୁ । ଆମ ସହିତ କାମ କରିବା ଲାଗି ମୁକ୍ତବୃତ୍ତି ଏବଂ ସ୍ୱା ଧୀନ ଲେଖକ, ରିପୋର୍ଟର, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା, ଅନୁବାଦକ, ସଂପାଦକ, ଚିତ୍ରଶିଳ୍ପୀ ଏବଂ ଗବେଷକମାନଙ୍କୁ ଆମେ ସ୍ୱା ଗତ କରୁଛୁ ।
ପରୀ ’ ଏକ ଲାଭକାରୀ ସଂସ୍ଥା ନୁହେଁ ଏବଂ ଆମର ବହୁଭାଷୀ ଅନଲାଇନ୍ ପତ୍ରିକା ଏବଂ ଅଭିଲେଖାଗାରକୁ ପସନ୍ଦ କରୁଥିବା ବ୍ୟକ୍ତିମାନଙ୍କ ଅବଦାନ ଉପରେ ଆମେ ନିର୍ଭର କରୁ । ଆପଣ ଯଦି ‘ ପରୀ ’ କୁ କିଛି ଦାନ ଦେବାକୁ ଚାହାଁନ୍ତି, ତେବେ DONATE ଉପରେ କ୍ଲିକ୍ କରନ୍ତୁ ।
ଅନୁବାଦ : ଓଡ଼ିଶାଲାଇଭ୍