“ଆପଣ ଯଦି ଅଳିଆ ସୃଷ୍ଟି କରୁଛନ୍ତି, ତେବେ ଆମେ କେମିତି ‘ କଚରେୱାଲି ’ (ଅଳିଆ-ମହିଳା) ହେଲୁ? ପ୍ରକୃତରେ ଏ ସହରକୁ ପରିଷ୍କାର ରଖୁଥିବା ଲୋକ ହେଲୁ ଆମେ। ଏଠାକାର ନାଗରିକମାନେ ‘କଚରେୱାଲେ’ ନୁହଁନ୍ତି କି ?” ପଚାରନ୍ତି ପୁଣେର ଜଣେ ମହିଳା ଅଳିଆ ସଂଗ୍ରାହକ ସୁମନ ମୋରେ।
ପ୍ରଥମ ଥର ପାଇଁ ୧୯୯୩ରେ କାଗଦ କାଚ ପତ୍ରା କଷ୍ଟକାରୀ ପଞ୍ଚାୟତ ତରଫରୁ ସଂଗଠିତ ୮୦୦ ବର୍ଜ୍ୟବସ୍ତୁ ସଂଗ୍ରାହକମାନଙ୍କ ମଧ୍ୟରୁ ଜଣେ ମହିଳା ହେଲେ ସୁମନ। ଏବେ ଏଥିରେ ମହିଳାମାନଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ସେମାନଙ୍କ କାର୍ଯ୍ୟକୁ ଆନୁଷ୍ଠାନିକ ମାନ୍ୟତା ପ୍ରଦାନ ନିମନ୍ତେ ସରକାରୀ ପରିଚୟ ପତ୍ର ପାଇବାକୁ ସେମାନେ ପୁଣେ ପୌର ନିଗମ (PMC) ପାଖରେ ଦାବି କରିଥିଲେ। ୧୯୯୬ରେ ତାହା ସେମାନଙ୍କୁ ମିଳିଥିଲା।
ଏବେ ଏହି ମହିଳାମାନେ ପୁଣେ ପୌର ନିଗମ ସହିତ କାମ କରୁଛନ୍ତି ଏବଂ ଘର ଘର ବୁଲି ଅଳିଆ ସଂଗ୍ରହ କରନ୍ତି। ସେମାନେ ସମସ୍ତେ ମାହାର ଏବଂ ମାତଙ୍ଗ ସଂପ୍ରଦାୟର। ମହାରାଷ୍ଟ୍ରରେ ଏହି ଦୁଇ ସଂପ୍ରଦାୟ ଅନୁସୂଚିତ ଜାତି ରୂପେ ତାଲିକାଭୁକ୍ତ। ସୁମନ କହନ୍ତି, “ଆମେ ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରୁ, ଏବଂ ଓଦା ଆବର୍ଜନାକୁ ଅଳିଆ ଟ୍ରକ୍ରେ ପକାଇ ଦେଉ।” ସେ ଆହୁରି କହନ୍ତି, “ଶୁଖିଲା ଆବର୍ଜନାରୁ ଆମେ ଯାହା ଚାହୁଁ ସେ ସବୁ ନେବା ପରେ ସେଗୁଡ଼ିକୁ ବି ଅଳିଆ ଟ୍ରକ୍ରେ ପକାଇ ଦେଉ।”
ଏବେ ଏହି ମହିଳାମାନଙ୍କ ପାଇଁ ଚିନ୍ତାର ବିଷୟ ହେଲା ଯେ, ପୁଣେ ପୌର ନିଗମ ସେମାନଙ୍କର ଏହି ଅଳିଆ ସଂଗ୍ରହ କାର୍ଯ୍ୟକୁ ଘରୋଇ ଠିକାଦାର ଓ କମ୍ପାନୀ ହାତରେ ଟେକିଦେବାକୁ ଯାଉଛି। ଏବଂ ଏହା ବିରୋଧରେ ଲଢ଼େଇ କରିବାକୁ ସେମାନେ ପ୍ରସ୍ତୁତ - ଆଶା କାମ୍ବଲେ କହନ୍ତି, “ଆମ କାମକୁ ଆଉ କେହି ନେଇଯିବ, ଏହା ଆମେ କରାଇ ଦେବୁନାହିଁ।”
ଏହି ଚଳଚ୍ଚିତ୍ର,
ମୋଲ
(ମୂଲ୍ୟ) ସେମାନଙ୍କ ନିଜସ୍ୱ ସ୍ୱର ମାଧ୍ୟମରେ, ପୁଣେର ମହିଳା ଆବର୍ଜନା
ସଂଗ୍ରହକାରୀଙ୍କ ଆନ୍ଦୋଳନର ଇତିହାସ ଉପରେ ପର୍ଯ୍ୟବସିତ।
ଅନୁବାଦ : ଓଡ଼ିଶାଲାଇଭ୍