ରୂପେଶ ମୋହାରକର୍ ଉତ୍ସାହବର୍ଦ୍ଧକ ଆଲୋଚନା ପାଇଁ ୨୦ ବର୍ଷ ପାଖାପାଖି ବୟସର କିଛି ଯୁବକ ଓ ଯୁବତୀଙ୍କୁ ତୁରନ୍ତ ଏକଜୁଟ୍‌ କରି ଦେଇଛନ୍ତି ।

‘‘ଧ୍ୟାନ କେନ୍ଦ୍ରିତ କର,’’ ଯୁବକଯୁବତୀମାନେ ତାଙ୍କର ସଂକ୍ଷିପ୍ତ ପରାମର୍ଶକୁ ଧ୍ୟାନ ଦେଇ ଶୁଣୁଥିବା ବେଳେ ୩୧ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ବଡ଼ ପାଟିରେ କୁହନ୍ତି। ‘‘ଅଳସୁଆମି ପାଇଁ କୌଣସି ସ୍ଥାନ ନାହିଁ!’’ ଏବେ ନୁହେଁ ତ’ କେବେ ନୁହେଁ, ସେମାନଙ୍କୁ ସେ ଚେତାଇ ଦିଅନ୍ତି ।

ସମସ୍ତେ ତାଙ୍କ କଥାରେ ମୁଣ୍ଡ ଟୁଙ୍ଗାରି ସମ୍ମତି ପ୍ରକାଶ କରନ୍ତି, ସମସ୍ତଙ୍କ ମୁଖମଣ୍ଡଳ ଗମ୍ଭୀର ଥାଏ, ସାମୂହିକ ବିଜୟ ଘୋଷ ଗୁଞ୍ଜରିତ ହୋଇ ଉଠେ। ସମସ୍ତେ ଉତ୍ସାହିତ ହୋଇ ଦ୍ରୁତ ବେଗରେ ଦୌଡ଼ିବା, ଏବଂ ବ୍ୟାୟାମ କରିବା ଆରମ୍ଭ କରିଦିଅନ୍ତି। ସେମାନେ ଗୋଟିଏ ମାସ ହେବ ଏଭଳି ଶାରୀରିକ ତାଲିମ ଅଭ୍ୟାସ କରି ଆସୁଛନ୍ତି ।

ଏପ୍ରିଲ ମାସର ଆରମ୍ଭ ସମୟ, ସକାଳ ୬ଟା ବାଜିଛି ଏବଂ ଭଣ୍ଡାରାରେ ଥିବା ସହରର ଏକମାତ୍ର ସର୍ବସାଧାରଣ ପଡ଼ିଆରେ ଉତ୍ସାହପୂର୍ଣ୍ଣ ଯୁବବର୍ଗଙ୍କ ଭିଡ଼ ଲାଗି ରହିଛି। ସେମାନେ କଠିନ ପରିଶ୍ରମ କରି ଝାଳ ବୁହାଇ ଚାଲିଛନ୍ତି, କିଏ ୧୦୦ ମିଟର ଦ୍ରୁତ ଦୌଡ଼ରେ ବ୍ୟସ୍ତ ରହିଛି; ଆଉ କେଉଁମାନେ ୧୬୦୦ ମିଟର ଦୌଡ଼ିବା ଜାରି ରଖିଛନ୍ତି। ଶାରୀରିକ ଶକ୍ତି ବଢ଼ାଇବା ପାଇଁ ଶର୍ଟପୁଟ୍‌ ଏବଂ ଅନ୍ୟ ଅଭ୍ୟାସ ଜାରି ରଖିଛନ୍ତି।

ଏସବୁ ପରେ ସେମାନଙ୍କ ମନରେ ଯେଉଁ ଶେଷ କଥାଟି ରହିଛି ତାହା ହେଉଛି ଆଗାମୀ ସାଧାରଣ ନିର୍ବାଚନ ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ବିଜୟ ହାସଲ କରିବା ଲକ୍ଷ୍ୟରେ ରଖିଛନ୍ତି । ଭଣ୍ଡାରା-ଗୋନ୍ଦିଆ ସଂସଦୀୟ କ୍ଷେତ୍ରରେ ୧୯ ଏପ୍ରିଲ ୨୦୨୪ରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ, ଯାହା ଏକ ଲମ୍ବା, କଷ୍ଟକର ଏବଂ ଝାଳବୁହା ନିର୍ବାଚନୀ ଋତୁ ହେବ।

ନିର୍ବାଚନୀ ଲଢ଼େଇଠାରୁ ଦୂରରେ ରହି ଏହି ଯୁବକ ଓ ଯୁବତୀମାନେ ରାଜ୍ୟ ପୁଲିସ ନିଯୁକ୍ତି ଅଭିଯାନ ପାଇଁ ପ୍ରସ୍ତୁତିରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି, ଏଥିପାଇଁ ଆବେଦନର ଶେଷ ତାରିଖ ଏପ୍ରିଲ ୧୫। ଉଭୟ ଶାରୀରିକ ଏବଂ ଲିଖିତ ପରୀକ୍ଷାର ମିଶ୍ରଣରେ ଏହି ପରୀକ୍ଷା ଆୟୋଜନ କରାଯିବ । ପୁଲିସ କନଷ୍ଟେବଳ, କନଷ୍ଟେବଳ ଡ୍ରାଇଭର୍‌, ରାଜ୍ୟ ରିଜର୍ଭ ପୁଲିସ ବଳ, ପୁଲିସ ବ୍ୟାଣ୍ଡସ୍‌ମେନ୍‌ ଓ କାରାଗାର କନଷ୍ଟେବଳ ପାଇଁ ଖାଲି ଥିବା ପଦବୀ ପୂରଣ କରିବା ପାଇଁ ଆଉ ଦୁଇ ତିନି ମାସ ମଧ୍ୟରେ ପରୀକ୍ଷା ଆୟୋଜିତ ହେବ।

PHOTO • Jaideep Hardikar
PHOTO • Jaideep Hardikar

ପୂର୍ବ ମହାରାଷ୍ଟ୍ର ଅନ୍ତର୍ଗତ ଭଣ୍ଡାରାର ଜଣେ ଚାଷୀଙ୍କ ପୁଅ ରୂପେଶ ମୋହାରକର ରାଜ୍ୟ ପୁଲିସରେ ଯୋଗ ଦେବା ପାଇଁ ତାଲିମ ନେଉଛନ୍ତି, ଏହା ତାଙ୍କ ପାଇଁ ଶେଷ ସୁଯୋଗ। ସେ ମଧ୍ୟ ଭଣ୍ଡାରା ଓ ଗୋନ୍ଦିଆ ଜିଲ୍ଲାର ଯୁବକଯୁବତୀଙ୍କୁ ତାଲିମ ଦେଉଛନ୍ତି ଯେଉଁମାନେ କ୍ଷୁଦ୍ର ଚାଷୀଙ୍କ ପିଲା ଏବଂ ସ୍ଥାୟୀ ରାଜ୍ୟ ସରକାରୀ ଚାକିରି ଲକ୍ଷ୍ୟ ନେଇ ଅଭ୍ୟାସ କରୁଛନ୍ତି

ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ଏବଂ ମାନବ ବିକାଶ ପ୍ରତିଷ୍ଠାନ (ଆଇଏଚଡି) ଦ୍ୱାରା ନିକଟରେ ଜାରି କରାଯାଇଥିବା ୨୦୧୪ ଭାରତୀୟ ବେକାରୀ ରିପୋର୍ଟ ମୁତାବକ ଭାରତରେ ବେକାରୀ କାର୍ଯ୍ୟବଳରେ ପ୍ରାୟ ୮୩ ପ୍ରତିଶତ ଯୁବକ ରହିଛନ୍ତି, ଅନ୍ୟପଟେ ବେକାରଙ୍କ ମଧ୍ୟରେ ମାଧ୍ୟମିକ କିମ୍ବା ଉଚ୍ଚ ଶିକ୍ଷା ପ୍ରାପ୍ତ ଲୋକଙ୍କ ସଂଖ୍ୟା ୨୦୦୦ ମସିହାରେ ୫୪.୨ ପ୍ରତିଶତ ଥିବା ବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୬୫.୭ ପ୍ରତିଶତରେ ପହଞ୍ଚିଛି।

ଦେଶରେ ଗ୍ରାମୀଣ ଯୁବକଯୁବତୀଙ୍କ ମଧ୍ୟରେ ବେକାରୀ ଓ ବର୍ଦ୍ଧିତ ଚିନ୍ତାର ଯଦି କୌଣସି ସ୍ୱରୂପ ଥାଆନ୍ତା ତାହା ବର୍ତ୍ତମାନ ଶିବାଜୀ ଷ୍ଟାଡିୟମର ଏହି ଭିଡ଼ ଭଳି ଦେଖାଯାଉଥା’ନ୍ତା, ଯେଉଁଠି ସମସ୍ତେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, କିନ୍ତୁ ସମସ୍ତେ ଜାଣନ୍ତି ଯେ ଅଳ୍ପ କିଛି ଲୋକ ହିଁ ଆଗକୁ ବଢ଼ିବେ। ଆଗକୁ ବଢ଼ିବା କଠିନ। ଅଳ୍ପ କିଛି ପଦବୀ ପାଇଁ ଲକ୍ଷାଧିକ ଲୋକ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଭଣ୍ଡାରା ଓ ଗୌନ୍ଦିଆ ଘଞ୍ଚ ଜଙ୍ଗଲ ପୂର୍ଣ୍ଣ, ଅଧିକ ବର୍ଷା ପ୍ରବଣ ଜିଲ୍ଲା। ଏଠାରେ ମୁଖ୍ୟତଃ ଧାନ ଚାଷ ହୁଏ, କିନ୍ତୁ କୌଣସି ପ୍ରମୁଖ ଶିଳ୍ପାନୁଷ୍ଠାନ ନଥିବାରୁ ଏଠାକାର ବିପୁଳ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଲୋକଙ୍କୁ ନିଯୁକ୍ତି ମିଳିପାରୁନାହିଁ। ଗତ ଦୁଇ ଦଶନ୍ଧି ମଧ୍ୟରେ ଏସବୁ ଜିଲ୍ଲାରୁ ବହୁସଂଖ୍ୟାରେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ଅନ୍ୟ ରାଜ୍ୟକୁ କାମ ସନ୍ଧାନରେ ଚାଲି ଯାଇଛନ୍ତି।

ଜିଲ୍ଲାୱାରୀ କୋଟା ସହିତ ମହାରାଷ୍ଟ୍ର ଗୃହ ବିଭାଗ ପକ୍ଷରୁ ୧୭,୧୩୦ଟି ପଦବୀ ପୂରଣ ପାଇଁ ଏକ ନିଯୁକ୍ତି ଅଭିଯାନ ଘୋଷଣା କରାଯାଇଥିଲା। ଭଣ୍ଡାରା ପୁଲିସରେ ୬୦ଟି ଖାଲି ପଦବୀ ରହିଥିବା ବେଳେ ଏଥି ମଧ୍ୟରୁ ୨୪ଟି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଗୋନ୍ଦିଆରେ ପ୍ରାୟ ୧୧୦ଟି ପଦବୀ ରହିଛି।

ରୂପେଶ ଏଥିମଧ୍ୟରୁ ଗୋଟିଏ ପଦବୀ ପାଇଁ ଦାବିଦାର ରହିଛନ୍ତି । ଛୋଟ ବେଳୁ ବାପା ଚାଲିଯିବା ପରେ ମା’ ତାଙ୍କୁ ପାଳିପୋଷି ବଡ଼ କରିଛନ୍ତି। ଭଣ୍ଡାରା ନିକଟସ୍ଥ ସୋନୁଲି ଗ୍ରାମରେ ରୂପେଶଙ୍କ ପରିବାର ପାଖରେ ଗୋଟିଏ ଏକର ଜମି ରହିଛି। ୱର୍ଦ୍ଦି (ବର୍ଦ୍ଦି) ପିନ୍ଧିବା ଏବଂ ଏହି ନିଯୁକ୍ତି ଅଭିଯାନରେ ସଫଳତା ହାସଲ କରିବା ପାଇଁ ତାଙ୍କ ପାଖରେ ଶେଷ ସୁଯୋଗ ରହିଛି।

‘‘ମୋ ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ।’’

PHOTO • Jaideep Hardikar

ଭଣ୍ଡାରାର ଶିବାଜୀ ଷ୍ଟାଡିୟମରେ ଏକ ସଦ୍ୟତମ ତାଲିମ ଅଭ୍ୟାସ ସମୟରେ ୫୦ ଯୁବକ ଓ ଯୁବତୀଙ୍କୁ ଏକାଠି କରିଛନ୍ତି ରୂପେଶ ମୋହାରକର

ସେ ନିଜ ସ୍ୱପ୍ନ ପୂରଣ କରିବା ଲାଗି ଚେଷ୍ଟା ଜାରି ରଖିବା ସହିତ ପୂର୍ବ ମହାରାଷ୍ଟ୍ରର ଏହି ଆର୍ଥିକ ପଛୁଆ ଜିଲ୍ଲାରେ ପାଖାପାଖି ୫୦ ଜଣ ଯୁବକ ଓ ଯୁବତୀଙ୍କର ସ୍ୱେଚ୍ଛାକୃତ ଭାବେ ମାର୍ଗଦର୍ଶନ କରୁଛନ୍ତି ।

ରୂପେଶ ନିଜ ସଂଘର୍ଷ ସହିତ ଉପଯୁକ୍ତ ଭାବେ ନାମକରଣ ହୋଇଥିବା ‘ସଂଘର୍ଷ’ ନାମକ ଏକ ଏକାଡେମୀ ଅନୌପଚାରିକ ଭାବେ ଚଳାଉଛନ୍ତି । ତାଙ୍କ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ ଭଣ୍ଡାରା ଏବଂ ଗୋନ୍ଦିଆ ଜିଲ୍ଲାରେ ଥିବା ପଛୁଆ ଗାଁର ଛୋଟ ଚାଷୀଙ୍କ ପିଲାମାନେ ଯେଉଁମାନେ ଏକ ସ୍ଥାୟୀ ଚାକିରି ହାସଲ କରିବା ଲକ୍ଷ୍ୟରେ ଏବଂ ବର୍ଦ୍ଦି ପିନ୍ଧି ନିଜ ପରିବାର ବୋଝକୁ ହ୍ରାସ କରିବା ଆଶାରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷା ଶେଷ କରିଛନ୍ତି, ବହୁତ କମ୍‌ ଲୋକଙ୍କ ନିକଟରେ ଡିଗ୍ରୀ ରହିଛି।

ସେମାନଙ୍କ ମଧ୍ୟରୁ କେତେଜଣ ଚାଷ ଜମିରେ କାମ କରିଛନ୍ତି? ସମସ୍ତେ ହାତ ଉପରକୁ ଉଠାଇଥା’ନ୍ତି।

ସେମାନଙ୍କ ମଧ୍ୟରୁ କେତେଜଣ ଅନ୍ୟତ୍ର କାମ କରିବାକୁ ଲାଗି ଯାଇଛନ୍ତି? ସେମାନଙ୍କ ମଧ୍ୟରୁ କେତେଜଣ ଅତୀତରେ ଏପରି କାମ କରିଛନ୍ତି।

ସେମାନଙ୍କ ମଧ୍ୟରୁ ଅଧିକାଂଶ ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନ) କ୍ଷେତ୍ରରେ କାମ କରିଛନ୍ତି।

କିନ୍ତୁ ଏହା ତ’ ଗୋଟିଏ ଦଳ । ଷ୍ଟାଡିୟମରେ ଏମିତି ଅନେକ ଅନୌପଚାରିକ ଏକାଡେମୀର ଦଳ ଭରି ରହିଛି, ଯେଉଁଥିରେ ପୂର୍ବରୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରୁ ବିଫଳ ହୋଇଥିବା ରୂପେଶଙ୍କ ଭଳି ବ୍ୟକ୍ତିବିଶେଷମାନେ ନେତୃତ୍ୱ ନେଉଛନ୍ତି ।

PHOTO • Jaideep Hardikar
PHOTO • Jaideep Hardikar

ଭଣ୍ଡାରା ସହରରେ ଏକମାତ୍ର ଖୋଲା ପୁଲିସ ପଡ଼ିଆରେ ୨୦ ବର୍ଷ ବୟସ ଅତିକ୍ରମ କରିସାରିଥିବା ଯୁବକ ଓ ଯୁବତୀମାନେ ରାଜ୍ୟ ପୁଲିସ ନିଯୁକ୍ତି ଅଭିଯାନ ୨୦୨୪ରେ ଯୋଗ ଦେବା ପାଇଁ ଝାଳବୁହା ପରିଶ୍ରମ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମ ଓ ଦ୍ୱିତୀୟ ଥରର ଭୋଟର, ଯେଉଁମାନେ ନିଜ ଭବିଷ୍ୟତକୁ ନେଇ ଶଙ୍କାଗ୍ରସ୍ତ ରହିଛନ୍ତି

ଏଠାରେ ଶାରୀରିକ ଅଭ୍ୟାସ କରୁଥିବା ଅଧିକାଂଶ ଯୁବକଯୁବତୀ ପ୍ରଥମ କିମ୍ବା ଦ୍ୱିତୀୟ ଥରର ମତଦାତା। ସେମାନେ କ୍ରୋଧିତ, କିନ୍ତୁ ନିଜ କ୍ୟାରିଅର୍‌ ଓ ଭବିଷ୍ୟତକୁ ନେଇ ବେଶ ଶଙ୍କାଗ୍ରସ୍ତ ରହିଛନ୍ତି । ସେମାନେ ପରୀକୁ କହିଥିଲେ ଯେ ସେମାନେ ଅନ୍ୟ କ୍ଷେତ୍ରରେ ମଧ୍ୟ ସୁରକ୍ଷିତ ଚାକିରି, ଗୁଣବତ୍ତାପୂର୍ଣ୍ଣ ଶିକ୍ଷା, ଗାଁରେ ଉନ୍ନତ ଜୀବନ ଏବଂ ସମାନ ସୁଯୋଗ ଆଶାରେ ରହିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଜିଲ୍ଲା ପୁଲିସରେ ଖାଲି ଥିବା ପଦବୀରେ ସେମାନେ କୋଟା ପାଇଁ ଦାବି କରିଥାନ୍ତି।

‘‘ତିନି ବର୍ଷ ପରେ ଏହି ନିଯୁକ୍ତି ହେଉଛି,’’ ଅନ୍ୟ ଜଣେ ଆକାଂକ୍ଷୀ ପ୍ରାର୍ଥୀ ଗୁରୁଦୀପ ସିଂ ବେଚିଲ୍‌ କୁହନ୍ତି। ୩୨ ବର୍ଷ ବୟସରେ ସେ ରୂପେଶଙ୍କ ଭଳି ନିଜର ଅନ୍ତିମ ସୁଯୋଗ ପାଇବା ଅପେକ୍ଷାରେ ରହିଛନ୍ତି । ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅ ଗୋଟିଏ ଦଶନ୍ଧି ହେବ ପୁଲିସ ଚାକିରି ପାଇବା ପାଇଁ ଚେଷ୍ଟା କରୁଛନ୍ତି । ପ୍ରାର୍ଥୀମାନେ ଭିଡ଼ ଜମାଇଥିବା ପଡ଼ିଆରେ ବୁଲି ବୁଲି ସେ କୁହନ୍ତି, ‘‘ମୁଁ ଶାରୀରିକ ପରୀକ୍ଷଣ ପାସ୍‌ କରିନେଉଛି କିନ୍ତୁ ଲିଖିତ ପରୀକ୍ଷାରେ ଅଟକି ଯାଉଛି।’’

ଆଉ ଏକ ସମସ୍ୟା ରହିଛି: ମହାରାଷ୍ଟ୍ରର ବିକଶିତ ଅଞ୍ଚଳର ଭଲ ଭାବେ ପ୍ରସ୍ତୁତି କରିଥିବା ଏବଂ ଉନ୍ନତ ସମ୍ବଳ ସମ୍ପନ୍ନ ପ୍ରାର୍ଥୀ ଭଣ୍ଡାରା ଓ ଗୋନ୍ଦିଆ ଭଳି ପଛୁଆ ଅଞ୍ଚଳରେ ଖାଲି ଥିବା ପଦବୀ ପାଇଁ ଆବେଦନ କରିଥାନ୍ତି, ଯେଉଁମାନେ ସ୍ଥାନୀୟ ଲୋକଙ୍କୁ ପଛରେ ପକାଇ ଦେଇଥାନ୍ତି, ଅଧିକାଂଶ ପ୍ରାର୍ଥୀ ଅଭିଯୋଗ କରିଥା’ନ୍ତି । ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ପ୍ରଭାବିତ ଜିଲ୍ଲା ମଧ୍ୟରୁ ଅନ୍ୟତମ ଗଡ଼ଚିରୌଲି ଏ କ୍ଷେତ୍ରରେ ଏକ ବ୍ୟତିକ୍ରମ ଯେଉଁଠି କେବଳ ସ୍ଥାନୀୟ ବାସିନ୍ଦା ହିଁ ଆବେଦନ କରିପାରିବେ ଏବଂ ପୁଲିସ ଚାକିରି କରିପାରିବେ। ସେଥିପାଇଁ ରୂପେଶ ଓ ଅନ୍ୟ ଲୋକଙ୍କ ପାଇଁ ମାର୍ଗ କଠିନ ହୋଇଯାଇଛି।

ତେଣୁ ସେମାନେ ସମସ୍ତେ ଅଧିକରୁ ଅଧିକ କଠିନ ପରିଶ୍ରମ କରୁଛନ୍ତି।

ଦ୍ରୁତ ଗତିରେ ଦୌଡ଼ୁଥିବା ଶତାଧିକ ଗୋଡ଼ର ଚାପରୁ ସୃଷ୍ଟି ହୋଇଥିବା ଲାଲ୍‌ ଧୂଳି ଷ୍ଟାଡିୟମର ବାତାବରଣରେ ଭରି ଯାଇଛି। ପ୍ରାର୍ଥୀମାନେ ସାଧାରଣ ଟ୍ରାକ୍‌-ସୁଟ୍‌ କିମ୍ବା ପ୍ୟାଣ୍ଟ ପିନ୍ଧିଛନ୍ତି; ସେମାନଙ୍କ ମଧ୍ୟରୁ କେତେ ଜଣ ଜୋତା ପିନ୍ଧିଛନ୍ତି, ଅନ୍ୟମାନେ ଖାଲି ପାଦରେ ରହିଛନ୍ତି, ସମସ୍ତେ ନିଜ ସମୟକୁ ଉନ୍ନତ କରିବାର ଚେଷ୍ଟାରେ ରହିଛନ୍ତି । କୌଣସି କଥା ସେମାନଙ୍କ ଧ୍ୟାନ ଭଗ୍ନ କରିପାରିବ ନାହିଁ, ଏଠାରୁ ବହୁତ ଦୂର ଲାଗୁଥିବା ନିର୍ବାଚନ ମଧ୍ୟ ନୁହେଁ।

PHOTO • Jaideep Hardikar
PHOTO • Jaideep Hardikar

ବାମ : ରୂପେଶ ମୋହାରକର ଭଣ୍ଡାରାରେ ଥିବା ନିଜ ଖୁଡ଼ିଙ୍କ ଚିକେନ୍‌ ଦୋକାନରେ କାମ କରୁଛନ୍ତି। ଛୋଟ ବେଳୁ ବାପା ଚାଲିଯିବା ପରେ ମା’ ତାଙ୍କୁ ପାଳିପୋଷି ବଡ଼ କରିଛନ୍ତି, ତାଙ୍କ ପରିବାର ପାଖରେ ଭଣ୍ଡାରା ନିକଟବର୍ତ୍ତୀ ସୋନୁଲି ଗାଁରେ ଗୋଟିଏ ଏକର ଜମି ରହିଛି । ପରୀକ୍ଷାରେ ପାସ୍‌ କରିବା ଲାଗି ଏହା ତାଙ୍କ ପାଇଁ ଅନ୍ତିମ ସୁଯୋଗ। ଯେଉଁ ଯୁବକଯୁବତୀଙ୍କୁ ସେ ଶାରୀରିକ ଅଭ୍ୟାସ ତାଲିମ ଦେଉଛନ୍ତି ସେମାନେ ସଦ୍ୟତମ ସକାଳ ଅଧିବେଶନରେ ନିଜ ରଣନୀତି ଉପରେ ଆଲୋଚନା କରୁଛନ୍ତି ଏବଂ ନିଜ ଅଭାବ ବିଷୟରେ ଆଲୋଚନା କରୁଛନ୍ତି

ଭଣ୍ଡାରାସ୍ଥିତ ନିଜ ଖୁଡ଼ିଙ୍କ ଚିକେନ୍‌ ଦୋକାନରେ ରୂପେଶ କଂସେଇ କାମ କରିଥାନ୍ତି, ଯଦିଓ ଏହା ତାଙ୍କ ଜାତିର କାମ ନୁହେଁ। ଖୁଡ଼ି ପ୍ରଭା ଶେନ୍ଦ୍ରେଙ୍କ ପରିବାର ପାଇଁ ସେ ଏତିକି ଯୋଗଦାନ ଦେଇଥାନ୍ତି। ଆପ୍ରୋନ୍‌ ଟିଏ ପିନ୍ଧି ସେ ଦକ୍ଷତାର ସହିତ କୁକୁଡ଼ା ମାଂସ କାଟନ୍ତି ଏବଂ ଧୀରେ ଧୀରେ ଆସୁଥିବା ଗ୍ରାହକଙ୍କୁ ସେବା ଦିଅନ୍ତି। ସାତ ବର୍ଷ ଧରି ସେ ଏହି କାମ କରିଆସୁଛନ୍ତି, ଦିନେ ଖାକି ବର୍ଦ୍ଦି ପିନ୍ଧିବାର ସ୍ୱପ୍ନ ତାଙ୍କ ମନରେ ରହିଛି ।

ଅଧିକାଂଶ ପ୍ରାର୍ଥୀଙ୍କ ଦାରିଦ୍ର୍ୟ କାରଣରୁ ସେମାନଙ୍କ ପାଇଁ ରାସ୍ତା କଠିନ ହୋଇଥାଏ।

ରୂପେଶ କୁହନ୍ତି, କଠିନ ଶାରୀରିକ ଅଭ୍ୟାସ ପାଇଁ ଆପଣଙ୍କୁ ଭଲ ଖାଦ୍ୟ-କୁକୁଡ଼ା ମାଂସ, ଅଣ୍ଡା, ଛେଳି ମାଂସ, କ୍ଷୀର, ଫଳ… ଆଦିର ଆବଶ୍ୟକତା ରହିଛି । ‘‘ଆମ ଭିତରୁ ଅଧିକାଂଶ ଭଲ ଖାଦ୍ୟ ଯୋଗାଡ଼ କରିବାକୁ ସକ୍ଷମ ନୁହନ୍ତି,’’ ସେ କୁହନ୍ତି।

*****

ଭଣ୍ଡାରା ଗରିବ ଯୁବକ ଓ ଯୁବତୀଙ୍କ ପାଇଁ ଏକ କେନ୍ଦ୍ରସ୍ଥଳୀ । ପ୍ରତି ଥର ପୁଲିସ ନିଯୁକ୍ତିର ବିଜ୍ଞାପନ ପ୍ରକାଶ ପାଇଲେ ସେମାନେ ଏଠାରେ ଆସି ରହିବା ସହିତ ପ୍ରସ୍ତୁତି କରିଥାନ୍ତି ।

ଶିବାଜୀ ଷ୍ଟାଡିୟମରେ ଲକ୍ଷ ଲକ୍ଷ ସ୍ୱପ୍ନ ପରସ୍ପର ସହ ଧକ୍କା ଖାଇଥା’ନ୍ତି। ଦିନ ଆଗକୁ ବଢ଼ିବା ସହିତ ଜିଲ୍ଲାରୁ ଅଧିକରୁ ଅଧିକ ସଂଖ୍ୟାରେ ଯୁବକଯୁବତୀ ମୈଦାନକୁ ଆସିବେ। ଗଡ଼ଚିରୌଲି ସୀମାକୁ ଲାଗିଥିବା ଗୋନ୍ଦିଆର ଅର୍ଜୁନୀ ମୋର୍ଗାଓଁ ତହସିଲ ଅନ୍ତର୍ଗତ ଅରକତୋଣ୍ଡି ଗ୍ରାମର ଏକ ମନରେଗା କାର୍ଯ୍ୟସ୍ଥଳୀରେ ଆମେ ସେମିତି ଜଣେ ସ୍ନାତକ ମେଘା ମେଶ୍ରମ (୨୪)ଙ୍କୁ ଭେଟିଥିଲୁ। ସେ ଏକ ରାସ୍ତା ନିର୍ମାଣ ସ୍ଥଳୀରେ ଯୁବ ଓ ବୟସ୍କଙ୍କୁ ମିଶାଇ ପ୍ରାୟ ୩୦୦ ଗ୍ରାମବାସୀଙ୍କ ଗହଣରେ ନିଜ ମା’ ସରିତାଙ୍କ ସହିତ ବାଲି ଓ ପଥର ଖଣ୍ଡ ବୋହିବାରେ ନିୟୋଜିତ ଥିଲେ। ସେମିତି ଆଉ ଜଣେ ଯୁବତୀ ହେଉଛନ୍ତି ମେଘା ଆଡେ (୨୩)। ମେଘା ଜଣେ ଦଳିତ (ଅନୁସୂଚିତ ଜାତି) ହୋଇଥିବା ବେଳେ ମେଘା ଆଡ଼େ ଜଣେ ଆଦିବାସୀ (ଅନୁସୂଚିତ ଜନଜାତି)।

ମେଘା ମେଶ୍ରମ ସଂକଳ୍ପବଦ୍ଧ ସ୍ୱରରେ ଆମକୁ କୁହନ୍ତି, ‘‘ଆମେ ସକାଳେ ଓ ସନ୍ଧ୍ୟାରେ ଗାଁରେ ଆମର ଅଭ୍ୟାସ କରିଥାଉ।’’ ସେ ଘଞ୍ଚ ଜଙ୍ଗଲ ଇଲାକାରେ ରୁହନ୍ତି ଏବଂ ସାରା ଦିନ ନିଜ ମାତାପିତାଙ୍କ ସହାୟତା କରିବା ଲାଗି କାମ କରିଥାନ୍ତି ଓ ଦିନ ମଜୁରି ରୋଜଗାର କରିଥା’ନ୍ତି। ଦୁଇ ମେଘା ବାନ୍ଧବୀ ଭଣ୍ଡାରା ଏକାଡେମୀ ବିଷୟରେ ଶୁଣିଛନ୍ତି ଏବଂ ଆସନ୍ତା ମେ ମାସରେ ସେଠାକୁ ଯାଇ ପୁଲିସ ବାହିନୀରେ ଚାକିରି ଆଶାୟୀ ଥିବା ଶତାଧିକ ପ୍ରାର୍ଥୀଙ୍କ ସହ ଯୋଗ ଦେବାକୁ ଚିନ୍ତା କରୁଛନ୍ତି। ଖର୍ଚ୍ଚ ତୁଲାଇବା ପାଇଁ ସେମାନେ ନିଜ ମଜୁରି ଟଙ୍କା ସଞ୍ଚୟ କରୁଛନ୍ତି।

PHOTO • Jaideep Hardikar
PHOTO • Jaideep Hardikar

ବାମ : ମେଘା ମେଶ୍ରମ ପୁଲିସ ନିଯୁକ୍ତି ମେଳା ପାଇଁ ଆବେଦନ କରିଛନ୍ତି, ଏହି ଦଳିତ ଯୁବତୀ ଜଣଙ୍କ ଗାଁରେ ମନରେଗା କ୍ଷେତ୍ରରେ କାମ କରୁଛନ୍ତି, ନିଜ ମା’ ସରିତାଙ୍କୁ ସହଯୋଗ କରୁଛନ୍ତି । ଡାହାଣ : ମେଘା ମେଶ୍ରମଙ୍କ ସହିତ ମେଘା ଆଡ଼େ, ଉଭୟ ପରସ୍ପରର ବନ୍ଧୁ ଏବଂ ମନରେଗା କ୍ଷେତ୍ରରେ କାମ କରୁଛନ୍ତି । ଉଭୟ ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି ଏବଂ ରାଜ୍ୟ ପୁଲିସ ନିଯୁକ୍ତି ମେଳା ୨୦୨୪ରେ ଯୋଗ ଦେଇ ପୁଲିସ ଚାକିରି କରିବା ଆଶାରେ ଅଛନ୍ତି

ସେଠାରେ ପହଞ୍ଚିବା ପରେ ସେମାନେ ଘର ଭଡ଼ା ନେବେ ଏବଂ ଦଳବଦ୍ଧ ହୋଇ ରହିବେ, ରୋଷେଇ କରି ଖାଇବେ ଏବଂ ଏକାଠି ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ। କେହି ଜଣେ ସଫଳ ହେଲେ ସମସ୍ତେ ମିଶି ଖୁସି ମନେଇବେ । ଅନ୍ୟମାନେ ପରଦିନ ସକାଳେ ଟ୍ରାକ୍‌କୁ ଫେରିଯିବେ ଏବଂ ପରବର୍ତ୍ତୀ ନିଯୁକ୍ତି ଘୋଷଣାକୁ ଅପେକ୍ଷା କରି ରହିବେ।

ଯୁବତୀମାନେ ସେମାନଙ୍କ ପ୍ରତିପକ୍ଷ ଯୁବକଙ୍କଠାରୁ ପଛରେ ନାହାନ୍ତି, କଠିନ ପରିଶ୍ରମକୁ କେବେ ଖାତିର୍‌ କରି ନାହାନ୍ତି।

ବୈଶାଳୀ ମେଶ୍ରମ (୨୧) ଲାଜକୁଳା ସ୍ମିତ ହାସ୍ୟ ସହିତ କୁହନ୍ତି, ‘‘ଉଚ୍ଚତା କାରଣରୁ ମୁଁ ବିଫଳ ହୋଇଯାଉଛି। ଏହି ସ୍ମିତହାସ୍ୟ ତାଙ୍କର ନିରାଶାକୁ ପ୍ରତିଫଳିତ କରିଥାଏ। ଏହା ତାଙ୍କ ହାତରେ ନାହିଁ ବୋଲି ସେ କୁହନ୍ତି। ତେଣୁ ସେ ‘ବ୍ୟାଣ୍ଡସ୍‌ମେନ୍‌’ ବର୍ଗରେ ଆବେଦନ କରିଛନ୍ତି, ଯେଉଁଠି ଉଚ୍ଚତା ତାଙ୍କ ପାଇଁ ବାଧକ ସାଜିବ ନାହିଁ।

ବୈଶାଳୀ ନିଜ ସାନ ଭଉଣୀ ଗାୟତ୍ରୀ ଏବଂ ଅନ୍ୟ ଗାଁର ୨୧ ବର୍ଷୀୟା ପୁଲିସ ଆଶାୟୀ ପ୍ରାର୍ଥିନୀ ମୟୂରୀ ଘରାଡ଼େଙ୍କ ସହିତ ଗୋଟିଏ କୋଠରୀରେ ରୁହନ୍ତି । ନିଜର ସଫାସୁତୁରା କୋଠରୀରେ ସେମାନେ ପାଳି କରି ଖାଦ୍ୟ ପ୍ରସ୍ତୁତି କରିଥାନ୍ତି। ତାଙ୍କର ମାସିକ ଖର୍ଚ୍ଚ ଅତିକମ୍‌ରେ ୩,୦୦୦ ଟଙ୍କା। ପ୍ରୋଟିନ୍‌ ଭାବେ ସେ ମୁଖ୍ୟତଃ ଚଣା ଓ ଡାଲି ସେବନ କରନ୍ତି।

ଆକାଶଛୁଆଁ ଦରଦାମ ବୃଦ୍ଧି ସେମାନଙ୍କ ବଜେଟ୍‌କୁ ପ୍ରଭାବିତ କରୁଛି, ବୈଶାଳୀ କୁହନ୍ତି। ‘‘ସବୁକିଛି ଏବେ ମହଙ୍ଗା।’’

ସେମାନଙ୍କ ଦୈନନ୍ଦିନ ଜୀବନ ବ୍ୟସ୍ତବହୁଳ: ସେମାନେ ସକାଳ ୫ଟାରେ ଉଠନ୍ତି, ଶାରୀରିକ ଅଭ୍ୟାସ ପାଇଁ ପଡ଼ିଆକୁ ସାଇକେଲ୍‌ ନେଇ ଯାଆନ୍ତି । ଦିନ ୧୦ଟାରୁ ସାଢ଼େ ୧୨:୩୦ ପର୍ଯ୍ୟନ୍ତ ସେମାନେ ପାଖ ଲାଇବ୍ରେରୀରେ ପାଠ ପଢ଼ନ୍ତି। ରୂପେଶ ମାଂସ ଦୋକାନରେ କାମ କରିବା ମଝିରେ ସେମାନଙ୍କ ପାଖକୁ ଆସନ୍ତି ଏବଂ ମକ୍‌ ଟେଷ୍ଟ ପେପର୍‌ ଡ୍ରିଲରେ ସେମାନଙ୍କର ମାର୍ଗଦର୍ଶନ କରିଥାନ୍ତି; ପରୀକ୍ଷା ପ୍ରସ୍ତୁତି ସହିତ ସେମାନଙ୍କର ଦିନ ସମାପ୍ତ ହୋଇଥାଏ।

PHOTO • Jaideep Hardikar
PHOTO • Jaideep Hardikar

ଫଟୋରେ ଥିବା ଅନ୍ୟ ଯୁବତୀଙ୍କ ଭଳି ବୈଶାଳୀ ତୁଲସୀରାମ ମେଶ୍ରମ (ବାମ) ରାଜ୍ୟ ପୁଲିସ ଚାକିରି ପାଇଁ ଚେଷ୍ଟାରେ ଅଛନ୍ତି। ସେ ତାଙ୍କ ସାଥୀ ମୟୂରୀ ଘରାଡ଼େ (ଡାହାଣ) ସହ ଗୋଟିଏ କୋଠରୀରେ ରହୁଛନ୍ତି । ମୟୂରୀ ମଧ୍ୟ ମହାରାଷ୍ଟ୍ର ପୁଲିସ ନିଯୁକ୍ତି ମେଳା ୨୦୨୪ରେ ଉତ୍ତୀର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି

ରୂପେଶ କିମ୍ବା ବୈଶାଳୀଙ୍କ ଭଳି ବ୍ୟକ୍ତିବିଶେଷମାନେ ପ୍ରକୃତରେ କୃଷି ବେଉସା ଛାଡ଼ିବା ଲାଗି ଚେଷ୍ଟା କରୁଛନ୍ତି, ଯେଉଁଥିରେ ସେମାନେ କୌଣସି ଭବିଷ୍ୟତ ଦେଖିପାରୁନାହାନ୍ତି - ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ଦେଖୁଛନ୍ତି ଯେ ସେମାନଙ୍କ ବାପାମା’ ଚାଷ ଜମିରେ କଠିନ ପରିଶ୍ରମ କରୁଥିଲେ ସୁଦ୍ଧା କୌଣସି ଲାଭ ପାଉନାହାନ୍ତି । ସେମାନେ ଅନୌପଚାରିକ ଶ୍ରମିକ ଭାବେ ଅନ୍ୟତ୍ର ପଳାୟନ କରିବାକୁ ଚାହୁଁନାହାନ୍ତି।

ବୟସ ବଢ଼ିବା ସହିତ ସେମାନେ ସୁରକ୍ଷିତ ଚାକିରି ପାଇଁ ବ୍ୟଗ୍ର ହୋଇପଡ଼ିଛନ୍ତି, ଏହାକୁ ସେମାନେ ଏକ ସମ୍ମାନପୂର୍ଣ୍ଣ ଜୀବିକା ବୋଲି କହିଥାନ୍ତି । କିନ୍ତୁ ଘରୋଇ କ୍ଷେତ୍ର ଓ ସରକାରୀ କ୍ଷେତ୍ରରେ ଖୁବ୍‌ କମ୍‌ ଚାକିରି ରହିଛି । ୨୦୨୪ ନିର୍ବାଚନ ଆରମ୍ଭ ହୋଇସାରିଥିବାରୁ ବର୍ତ୍ତମାନର ସରକାର ସେମାନଙ୍କ ଭବିଷ୍ୟତକୁ ନେଇ ଯତ୍ନବାନ ନଥିବାରୁ ସେମାନେ ନିରାଶ ଅଛନ୍ତି । ପୁଲିସ ନିଯୁକ୍ତି ଅଭିଯାନରେ ଚାକିରି ପାଇବା ସେମାନଙ୍କ ପାଇଁ ଶେଷ ସୁଯୋଗ ଯେଉଁମାନେ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ ସୁଦ୍ଧା ଅନ୍ୟ କୌଣସି ଯୋଗ୍ୟତା ପାଇପାରିନାହାନ୍ତି।

ଆସନ୍ତା ନିର୍ବାଚନରେ ସେମାନେ କାହାକୁ ଭୋଟ୍‌ ଦେବେ?

ଏହି ପ୍ରଶ୍ନର ଏକ ଲମ୍ବା ନିରବ ଉତ୍ତର ମିଳିଥାଏ। ଏହା ପାଠ୍ୟକ୍ରମ ବାହାରେ!

ଅନୁବାଦ : ଓଡ଼ିଶାଲାଇଭ୍‍

Jaideep Hardikar

ஜெய்தீப் ஹார்டிகர் நாக்பூரிலிருந்து இயங்கும் பத்திரிகையாளரும் எழுத்தாளரும் ஆவார். PARI அமைப்பின் மைய உறுப்பினர்களுள் ஒருவர். அவரைத் தொடர்பு கொள்ள @journohardy.

Other stories by Jaideep Hardikar
Editor : Priti David

ப்ரிதி டேவிட் பாரியின் நிர்வாக ஆசிரியர் ஆவார். பத்திரிகையாளரும் ஆசிரியருமான அவர் பாரியின் கல்விப் பகுதிக்கும் தலைமை வகிக்கிறார். கிராமப்புற பிரச்சினைகளை வகுப்பறைக்குள்ளும் பாடத்திட்டத்துக்குள்ளும் கொண்டு வர பள்ளிகள் மற்றும் கல்லூரிகளுடன் இயங்குகிறார். நம் காலத்தைய பிரச்சினைகளை ஆவணப்படுத்த இளையோருடனும் இயங்குகிறார்.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE