୬୦ ବର୍ଷ ବୟସ୍କ ସୁବ୍ବୈୟା ବିଗତ କିଛି ବର୍ଷ ଧରି ନିଜ ଆଖପାଖର ଚାଷୀଙ୍କୁ ସେମାନଙ୍କ ଜମି ପାଖରେ ଲାଗି ରହିଥିବା ବର ଗଛ (ଫିକସ ବେଙ୍ଗାଲେନ୍ସିସ)କୁ ବିକ୍ରି କରୁଥିବା ଦେଖି ବିବ୍ରତ ହୋଇ ଉଠୁଥିଲେ। ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ସୁବ୍ବୈୟା ମଧ୍ୟ ନିଜର ଦୁଇ ଏକର ଚାଷ ଜମି ମଝିରେ ଏକ ବରଗଛ ଚାରା ଲଗାଇଥିଲେ। ସେହି ଚାରା ଏବେ ଶାଖାପ୍ରଶାଖା ମେଲାଇ ବଡ଼ ଗଛର ଆକାର ନେଇସାରିଥିଲା ଏବଂ ଗରମ ଦିନରେ ଛାଇ ଓ ଆଶ୍ରୟ ଦେଉଥିଲା।
ଏବେ ସୁବ୍ବୈୟାଙ୍କ ବରଗଛ ମଧ୍ୟ ବିକ୍ରି କରିବାର ସମୟ ଆସିଯାଇଥିଲା, ହେଲେ ମାତ୍ର ୮,୦୦୦ ଟଙ୍କାରେ। ପତ୍ନୀଙ୍କ ଚିକିତ୍ସା ପାଇଁ ଅର୍ଥାଭାବ କାରଣରୁ ତାଙ୍କୁ ବାଧ୍ୟ ହୋଇ ଏହା କରିବାକୁ ପଡ଼ିଥିଲା। ଦୁଇ ବର୍ଷ ପୂର୍ବରୁ ଗୌରୀ ଗଣେଶା ହବ୍ବା (କର୍ଣ୍ଣାଟକର ଏକ ପର୍ବ)ର ପନ୍ଦର ଦିନ ପୂର୍ବରୁ ସୁବ୍ବୈୟାଙ୍କ ୫୬ ବର୍ଷୀୟା ପତ୍ନୀ ମହାଦେବାମ୍ମା ନିଜର ଛେଳିମାନଙ୍କୁ ଚରାଇବା ସମୟରେ ଗୋଟିଏ ପଥର ଉପରେ ତାଙ୍କର ପାଦ ଖସିଯାଇଥିଲା ଏବଂ ପଡ଼ିଯାଇ ତାଙ୍କର ନିତମ୍ବ ହାଡ଼ ଖସିଯାଇଥିଲା।
‘‘ଛେଳି ପଲରୁ ବାଟବଣା ହୋଇଯାଇଥିବା ଗୋଟିଏ ଛେଳି ଛୁଆ ପଛରେ ମୁଁ ଦୌଡ଼ିଲି ଏବଂ ପଥରକୁ ଦେଖିପାରିଲି ନାହିଁ। ପଡ଼ିଯିବା ପରେ ଉଠି ଛିଡ଼ା ହୋଇପାରିଲି ନାହିଁ,’’ ସେହି ଦୁର୍ଭାଗ୍ୟପୂର୍ଣ୍ଣ ଦିନ ବିଷୟରେ ମନେ ପକାଇ ମହାଦେବାମ୍ମା କହିଥାନ୍ତି। ମୋର ଭୟଙ୍କର ଯନ୍ତ୍ରଣା ହେଉଥିଲା। ସୌଭାଗ୍ୟବଶତଃ, ସେହି ବାଟ ଦେଇ ଯାଉଥିବା ଲୋକମାନେ ମୋତେ ସାହାଯ୍ୟ କଲେ ଏବଂ ଘରେ ପହଞ୍ଚାଇଦେଲେ।’’
ପୂର୍ବରୁ ଦାରିଦ୍ର୍ୟରେ ପୀଡ଼ିତ ପରିବାରର ସ୍ଥିତିକୁ ଏହି ଘଟଣା ଆହୁରି ଖରାପ କରିଦେଲା।










