ଆଜିକାଲି ବେଳେବେଳେ ସୁଖମତି ଦେବୀଙ୍କ ଗୋଡ଼ ଥରେ। ଦୀର୍ଘ ବର୍ଷ ଧରି ପାହାଡ଼ିଆ ଅଞ୍ଚଳରେ ଉପରକୁ ଚଢ଼ିବା ଓ ଓହ୍ଲାଇବାର ପରିଣାମ। ପ୍ରାୟ ୩୬୦୦ ମିଟର ଉଚ୍ଚରେ ଥିବା ତାଙ୍କ ଗାଁ କୁଟିରେ ପହଞ୍ଚିବାକୁ ୭୦ କିଲୋମିଟରରୁ ଅଧିକ ଚାଲି ଚାଲି ଆସିଛନ୍ତି ୬୫ ବର୍ଷୀୟା କୃଷକ ସୁଖମତି । ମେ ମାସରୁ ନଭେମ୍ବର ପର୍ଯ୍ୟନ୍ତ ସେ କୁଟିରେ ରହନ୍ତି । ଯେତେବେଳେ ଗାଁ ବରଫରେ ଢାଙ୍କି ହୋଇଯାଏ, ସେ ୭୦ କିଲୋମିଟର ତଳକୁ ଓହ୍ଲାଇ ସମୁଦ୍ର ପତ୍ତନଠାରୁ ୯୦୦ ମିଟର ଉଚ୍ଚ ଧାରଚୁଲା ସହରକୁ ଯାଆନ୍ତି ।
କେବେ କେମିତି ସେ ଘୋଡ଼ାର ଉପଯୋଗ କରନ୍ତି, ସେତେବେଳେ ରାସ୍ତା ଏତେ ତୀଖ ହୋଇଥାଏ ଯେ, ପ୍ରାୟ ସାଢ଼େ ତିନି କିଲୋମିଟର ଚଢ଼ିବାକୁ ଘଣ୍ଟା ଘଣ୍ଟା ଲାଗିପାରେ । କିନ୍ତୁ ସେଇ ବିକଳ୍ପ ବି ଆଜିକାଲି କଷ୍ଟସାଧ୍ୟ । କାରଣ, ବର୍ଷାରେ ଧୋଇ ହୋଇ ତଳକୁ ଆସୁଥିବା ମାଟି ଓ ପଥର ଗଦା ତଳେ ରହି ପାଦଚଲା ରାସ୍ତାଟିର ଅନେକ ଅଂଶ ଉଭେଇ ଯାଇଛି । ଏଠାକାର ଗାଁ ଲୋକେ କହନ୍ତି ଯେ, ଲିପୁଲେଖ ଘାଟି ପର୍ଯ୍ୟନ୍ତ ରାସ୍ତା ତିଆରି କରୁଥିବା ସୀମା ସଡ଼କ ସଂଗଠନ (BRO) ଦ୍ୱାରା ଯେତେବେଳେ ପାହାଡ଼ ଫଟାଇବାକୁ ଡିନାମାଇଟ୍ ବିସ୍ଫୋରଣ କରାଯାଏ, ଏଭଳି ଘଟେ ।
ତେଣୁ, ମାଟି ଓ ପଥର ଗଦା ଉପରେ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡୁଥିବାରୁ, କୁଟି ପର୍ଯ୍ୟନ୍ତ ପାହାଡ଼ିଆ ରାସ୍ତାରେ ସୁଖମତିଙ୍କ ବାର୍ଷିକ ଯାତ୍ରା ଆହୁରି କଷ୍ଟକର ହୋଇପଡ଼ିଛି । ଏହି ବାଟରେ ରହିଛି ବିପଜ୍ଜନକ ଅଣଓସାରିଆ ଉଠାଣି ଯାହାର ବିଭିନ୍ନ ଭାଗ ଦେଇ କାଳୀ ଓ କୁଟି-ୟାଙ୍ଗ୍ତି ନଦୀ ବହିଯାଇଛି । ୨୦୧୭ମେ ମାସରେ ଆମେ ୭୦ କିଲୋମିଟର ଚାଲି ଚାଲି କୁଟିକୁ ଯିବା ବେଳେ ସେ ମତେ କହିଥିଲେ, “ମୁଁ ଆଶା କରେ ଯେ ଦିନେ ମୁଁ ମୋ ଗାଁକୁ କାର୍ରେ ଯାଇପାରିବି”। ହିମାଳୟର ବ୍ୟାସ ଉପତ୍ୟକାରେ ଥିବା ୩୬୩ଜଣ ଲୋକ ରହୁଥିବା ତାଙ୍କ ଗାଁରେ ପହଞ୍ଚିବା ପାଇଁ ଆମକୁ ପାଞ୍ଚ ଦିନ ଲାଗିଥିଲା ।
ଭାରତ-ଚୀନ ସୀମା ନିକଟବର୍ତ୍ତୀ ସାତଟି ଗାଁରେ ରହୁଥିବା ଭୋଟିଆ ଅଧିସୂଚିତ ଜନଜାତିର ୨,୦୫୯ ଅଧିବାସୀଙ୍କ ମଧ୍ୟରୁ ସୁଖମତି ଦେବୀ (ଉପରେ କଭର୍ ଫଟୋ) ଜଣେ । ଏହି ରାସ୍ତା ହିଁ ସେମାନଙ୍କ ପାଇଁ ୨୦୧୯ ଲୋକସଭା ନିର୍ବାଚନର ବଡ଼ ପ୍ରସଙ୍ଗ। ରାଜ୍ୟ ହେଉ କି ସାଧାରଣ ନିର୍ବାଚନ, ବହୁ ବର୍ଷ ହେଲା ପ୍ରତ୍ୟେକ ନିର୍ବାଚନ ସମୟରେ ଏହା ହିଁ ସେମାନଙ୍କ ପ୍ରମୁଖ ସମସ୍ୟା ମଧ୍ୟରୁ ଅନ୍ୟତମ । ଏପ୍ରିଲ ୧୧ରେ ଏହି ସବୁ ଗାଁ ଲୋକେ ଭୋଟ୍ ଦେବେ ।










