ଦିନେ ଦ୍ୱିପହର ସମୟରେ ମାଝୋଲି ଗ୍ରାମରେ ଥିବା ଇଟା ଓ କାଦୁଅରେ ତିଆରି ତାଙ୍କ ଘର ବାହାରେ ଏକ ଖଟ ଉପରେ ବସି, ସୁକାଲୋ ଗୋଣ୍ଡ ଥଟ୍ଟାରେ ଏକଥା କହିଥିଲେ ଯେ, “୫ ମାର୍ଚ୍ଚରେ ଆମ ସମ୍ପ୍ରଦାୟକୁ ଉଚ୍ଛେଦ କରାଯିବା ପାଇଁ ସୁପ୍ରିମ କୋର୍ଟର ନିଷ୍ପତି ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଆମେମାନେ ରୋବର୍ଟ ଗଞ୍ଜ ସ୍ଥିତ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ କାର୍ଯ୍ୟାଳୟକୁ ଯାଇଥିଲୁ ।’’
ଫେବୃୟାରୀ ୧୩,୨୦୧୯ରେ ସୁପ୍ରିମ୍କୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶକୁ ସେ ଉଲ୍ଲେଖ କରିଛନ୍ତି । ଯେଉଁଥିରେ ଜଙ୍ଗଲ ଅଧିକାର ନିୟମ (ଏଫ୍ଆର୍ଏ)ର ବୈଧତା ନେଇ, ବନ୍ୟପ୍ରାଣୀ ସଂରକ୍ଷଣ ଗ୍ରୁପ୍ ଦ୍ୱାରା ଦାଖଲ ପିଟିସନ ଉପରେ ସୁପ୍ରିମକୋର୍ଟ ୧୬ରୁ ଅଧିକ ରାଜ୍ୟରେ ଲକ୍ଷାଧିକ ଆଦିବାସୀଙ୍କୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୦୬ର ଜଙ୍ଗଲ ଅଧିକାର ଆଇନର ଉଦ୍ଦେଶ୍ୟ, ଜଙ୍ଗଲରେ ଅଧିବାସୀଙ୍କୁ ତାଙ୍କର ପାରମ୍ପରିକ ଜମି ଉପରେ ଅଧିକାର ଦେବା ସେମାନେ ଯୁଗ ଯୁଗ ଧରି ସାମାଜିକ ଅନ୍ୟାୟ ସହିଛନ୍ତି ତାହା ଦୂର କରିବା ।
“ଡି.ଏମ୍ଙ୍କ କାର୍ଯ୍ୟାଳୟକୁ ଯିବା ଅତ୍ୟନ୍ତ ଜରୁରୀ ଥିଲା,” ବୋଲି ନାତିନାତୁଣିଙ୍କ ମେଳରେ ରହି ସୁକଲୋ କହିଲେ । ‘ଆମକୁ ପରସ୍ପର ସହିତ ଓ ଜଙ୍ଗଲରେ ବସବାସ କରୁଥିବା ଅନ୍ୟ ସମ୍ପ୍ରଦାୟ ସହିତ ମିଶି ଛିଡା ହେବାକୁ ହେବ। ଯଦିଓ ସୁପ୍ରିମ କୋର୍ଟରୁ ସ୍ଥଗିତାଦେଶ ଜାରି କରାଯାଇଛି, (କେନ୍ଦ୍ର ସରକାରଙ୍କ ତରଫରୁ ଅପିଲ କରାଯିବା ପରେ), ତଥାପି ଭାରପ୍ରାପ୍ତ ବ୍ୟକ୍ତିମାନଙ୍କ ଆଗରେ ଆମେ ଆମ ଅଧିକାର ମାଗିବାକୁ ଡରୁନାହୁଁ ବୋଲି ନିରନ୍ତର ଭାବେ ପ୍ରଦର୍ଶନ କରିବାକୁ ହେବ,’’ ସେ ହସିଲେ । “ଆମ ମଧ୍ୟରୁ ପ୍ରାୟ ୩୦ଜଣ ଡି.ଏମ୍ଙ୍କ କାର୍ଯ୍ୟାଳୟ ମଧ୍ୟକୁ ଅନଧିକାର ପ୍ରବେଶ କରିଥିଲେ, କିନ୍ତୁ ସେ ରାଗି ନଥଲେ ବା ଆମକୁ ସେହି ସ୍ଥାନ ଛାଡି ଚାଲିଯିବାକୁ କହିନଥିଲେ । ସେ ଆମମାନଙ୍କୁ ଫେରି ଆସିବାକୁ ଓ ତାଙ୍କ ସହିତ କଥା ହେବାକୁ କହିଥିଲେ । ସେ ବୋଧହୁଏ ନୂଆ ହୋଇଥିବାରୁ ଏପରି କଲେ ।’’
୨୦୧୬ ସେପ୍ଟେମ୍ବର ମାସରେ ମୁଁ ପ୍ରଥମ ଥର ପାଇଁ ସୁକାଲୋ ଗୋଣ୍ଡଙ୍କୁ ଉତ୍ତର ପ୍ରଦେଶର ରୋବର୍ଟସଗଞ୍ଜରେ ଅବସ୍ଥିତ ଅଲ୍ ଇଣ୍ଡିଆ ୟୁନିଅନ୍ ଅଫ୍ ଫରେଷ୍ଟ ୱାର୍କିଂ ପିପୁଲ୍ର କାର୍ଯ୍ୟାଳୟରେ ( ‘ଆଇ ନ୍ୟୁ ଆଇ ୱାଜ୍ ଗୋଇଂଗ୍ ଟୁ ଜେଲ୍ ଦାଟ୍ ଡେ’ ଦେଖନ୍ତୁ) ଭେଟିଥିଲି । ଏଆଇୟୁଏଫ୍ଡବ୍ଲୁପି ( ଜଙ୍ଗଲ ବାସୀ ଓ ଜଙ୍ଗଲରେ କାର୍ଯ୍ୟରତ ଶ୍ରମିକମାନଙ୍କ ଏକ ଜାତୀୟ ଫୋରମ, ଯାହା ୧୯୯୬ରେ ଗଠିତ ହୋଇଥିଲା) ୨୦୧୩ରେ ଗଠନ କରାଯାଇଥିଲା । ବର୍ତ୍ତମାନ ଏଥିରେ ପ୍ରାୟ ୧୫ଟି ରାଜ୍ୟରୁ ୧୫୦,୦୦୦ସଦସ୍ୟ ଅଛନ୍ତି । ଉତ୍ତର ପ୍ରଦେଶରେ ୟୁନିଅନ୍ ୧୮ଟି ଜିଲ୍ଲାରେ ସକ୍ରିୟ ଥିବାବେଳେ ଏଥିରେ ୧୦,୦୦୦ସଦସ୍ୟ ଅଛନ୍ତି ।




