ତାଙ୍କର ସେଇଝୁମ୍ପୁଡ଼ି ବସ୍ତିର ଅଣଓସାରିଆ ଗଳିବାଟ ଦେଇ, ତାଙ୍କ କୋଠରିକୁ ଯିବା ପାଇଁ ଭାନୁ ପାହାଡ଼ ଉପରକୁ ଲମ୍ବିଯାଇଥିବା ରାସ୍ତାରେ ଚାଲୁଛନ୍ତି । ତାଙ୍କ ପାଟିରେ ରୁମାଲ ବନ୍ଧା ହୋଇଛି ଏବଂ ସହାୟତା ରୂପରେ ତାଙ୍କୁ ମିଳିଥିବା ଅଧା କିଲୋ ଲେଖାଏଁ ଚାଉଳ ଓ ଡାଲି ଥିବା ଦୁଇଟି ପଲିଥିନ୍ ବ୍ୟାଗ୍କୁ ସେ ହାତରେ ଧରିଛନ୍ତି । ଆରପଟରୁ କେତେକ ଲୋକ ଆସୁଥିବା ଦେଖି, ଗଳିରାସ୍ତା କଡ଼ରେ ଥିବା ଗୋଟିଏ ଘରର କାନ୍ଥ କଡ଼ରେ ସେ ନିଜକୁ ଲୁଚାଇ ଦିଅନ୍ତି। ପାହାଡ଼ ତଳକୁ ଚାଲି ଚାଲି ଯାଉଥିବା ସେଇ ଲୋକମାନେ କେତେକ ବସ୍ତା ଓ ପୁଟୁଳି ଧରିଥିଲେ । କିଛି ସମୟ ପାଇଁ ସେଇ ସବୁ ପରିଚିତ ଚେହେରାର ଚଲାପଥ ଉପରେ ଭାନୁଙ୍କ ନଜର ଲାଖି ରହେ ଏବଂ ସେ ପୁଣି ପାହାଡ଼ ଚଢ଼ିବା ଆରମ୍ଭ କରନ୍ତି ।
ଗୋଟିଏ ସରୁ ଖୋଲା ନର୍ଦ୍ଦମାକୁ ଡେଇଁ ସେ ଆଗେଇ ଚାଲନ୍ତି । ସେଇ ଗଳି ଭିତରେ ଥିବା ଅନେକ ୧୦x୧୦ ବର୍ଗଫୁଟ ଆକାରର କୋଠରିରେ ତାଲା ପଡ଼ିଥାଏ । ସେମାନଙ୍କର ସେଇ ସବୁ ଅସ୍ଥାୟୀ କବାଟ ପଛପଟେ ଲୁଚି ରହିଥାଏ ଏକ ଅପ୍ରୀତିକର ନିରବତା । କେହି କଥାବାର୍ତ୍ତା କରୁନାହାନ୍ତି, ଝଗଡ଼ା କରୁନାହାନ୍ତି, ହସୁନାହାନ୍ତି, ବଡ଼ପାଟିରେ ମୋବାଇଲ ଫୋନରେ ଚିତ୍କାର କରୁନାହାନ୍ତି, ପୂରା ଭଲ୍ୟୁମ୍ ଦେଇଟିଭି ଦେଖୁନାହାନ୍ତି । ରୋଷେଇବାସର ତୀବ୍ର ବାସ୍ନା ବି ବାରି ହେଉନାହିଁ । ଚୁଲି ସବୁ ଏବେ ଥଣ୍ଡା ହୋଇଯାଇଛି ।
ପାହାଡ଼ର ସବା ଉପରେ ଭାନୁଙ୍କ କୋଠରି । ଘରେ, ଗ୍ୟାସ୍ ଚୁଲି ପାଖରେ ବସି ଶୂନ୍ୟ ଆଖିରେ ଦୁଆରକୁ ଚାହିଁ ରହିଛନ୍ତି ତାଙ୍କ ସ୍ତ୍ରୀ ସରିତା । ତାଙ୍କ ପେଟ ଉପରେ ରହିଛି ହାତ ଦୁଇଟି, ଛଅ ମାସର ଗର୍ଭବତୀ ସେ । ସିମେଣ୍ଟ ଚଟାଣରେ ଖେଳନା କାରକୁ ଗୋଲ ଗୋଲ କରି ଚଲାଇବାରେ ଲାଗିଛି ନଅ ବର୍ଷର ପୁଅ ରାହୁଲ । କିଛି ଖାଇବାକୁ ଦେବା ଲାଗି ଥରକୁ ଥର ମାଆକୁ କହିବାରେ ଲାଗିଛି ।
“ଆମ୍ମା, ମତେ ଭୋକ ଲାଗିଲାଣି ! ମୁଁ ସକାଳୁ କିଛି ଖାଇନାହିଁ । ତମେ ଆଜି ମତେ କ୍ଷୀର ଆଉ କ୍ରିମ୍ ବିସ୍କୁଟ୍ ବି ଦେଇନାହଁ, ଆମ୍ମା....”
ଦୀର୍ଘଶ୍ଵାସ ଛାଡ଼ନ୍ତି ସରିତା, ପ୍ରାୟତଃ ଅଜାଣତରେ । ନିଜକୁ ସମ୍ଭାଳି ନେଉ ନେଉ ସେ କହନ୍ତି, “ହଁ ରେ ପୁଅ”, ମୁଁ ଜାଣିଛି । ଥାଆ, ମୁଁ ତତେ କିଛି ହେଲେ ବି ଦେବି । ଏଇ ଏବେ ତୋ ବାପା ଏଠି ପହଞ୍ଚିଯିବେ । ସେ ବହୁତ ଜିନିଷ ଆଣିବେ । ତୁ ଯାଇ ବାହାରେ ଖେଳୁନୁ କାହିଁକି ?”
“ମୋ ସାଙ୍ଗରେ ଖେଳିବାକୁ କେହି ନାହାନ୍ତି,” ଜବାବରେ ରାହୁଲ କହେ । “ଆମ୍ମା, ବିକି ଆଉ ବଣ୍ଟି କୁଆଡ଼େ ଗଲେ ?”
“ତାଙ୍କ ଗାଁକୁ ଯାଇଛନ୍ତି, ଗଲା ବର୍ଷ ଭଳି । ମୁଁ ଭାବୁଛି । ସେମାନେ ଫେରିଆସିବେ ।”
“ନା, ଆମ୍ମା, ସ୍କୁଲ ଚାଲିଥିବା ବେଳେ ବର୍ଷ ଅଧାରୁ ଜମା ନୁହେଁ । ସେମାନେ ଫେରିବେ ବୋଲି ମୁଁ ଭାବୁନି। ଆମେ ଇଞ୍ଜିନିୟର ହୋଇଥାଆନ୍ତୁ । ସ୍କୁଲ୍ ପାଠ ସାରିବା ପରେ ଆମେ ତିନି ଜଣ ଯାକ ଗ୍ୟାରେଜ୍ ଖୋଲି କାର୍ ଠିକ୍ କରିଥାଆନ୍ତୁ । କିନ୍ତୁ ଏବେ ସେମାନେ ତ ସ୍କୁଲକୁ ବି ଆଉ ଆସିବେନି !”
“ତୁ ଆଉ ତୋ କାର୍ ! ତୁ ଦିନେ ତୋ ନିଜର ଗ୍ୟାରେଜ୍ ଖୋଲିବୁ, ଗୋଟେ ବଡ଼ ଗ୍ୟାରେଜ୍ । ଆଉ ବଡ଼ ଲୋକ ହେବୁ !” ଏତକ କହୁ କହୁ ଉଠି ଠିଆ ହୁଅନ୍ତି ସରିତା, ଚୁଲି ପଛରେ ଥିବା ତିନିଟା ଯାକ ଥାକ ଅଣ୍ଡାଳନ୍ତି । ତାଙ୍କ ରନ୍ଧାଘରର ଗୋଟିଏ ଥାକରେ ଯାହା ସବୁ ଥାଏ, ତାହା ହେଲା, କିଛି ଖାଲି ପାତ୍ର, ଗୋଟିଏ କଡ଼େଇ, ଗୋଟିଏ କରଚୁଲି, ଚାମଚ, ଚାରିଟା ଥାଳି, ଆଉ କିଛି ଗିନା ଓ କେଇଟା ଛୋଟ ଛୋଟ ପ୍ଲେଟ୍ । ଅନ୍ୟ ଦୁଇଟି ଥାକରେ ଛୋଟ ଛୋଟ ଧାଡ଼ିରେ ଥାଏ ଲୁଣ, ଡାଲି, ଚାଉଳ, ଅଟା, ଶୁଖିଲା ଶସ୍ୟ, ମସଲା, ଖାଇବା ତେଲ ରଖିବାକୁ ଥିବା ପ୍ଲାଷ୍ଟିକ୍ ଜାର୍- ସବୁ ଜାର୍ ଖାଲି ପଡ଼ିଛି । ରାହୁଲକୁ କିଛି ଦେବା ପାଇଁ ଖୋଜିବାର ଅଭିନୟ କରି ଗୋଟିଏ ପରେ ଗୋଟିଏ ଡବା ଖୋଲି ଚାଲନ୍ତି ସେ । ଗୋଟିକରେ ଥାଏ କ୍ରିମ୍ ବିସ୍କୁଟ୍ର ଖାଲି ପ୍ୟାକେଟ୍ । ଖାଲି ପ୍ୟାକେଟ୍କୁ ପାଦରେ ଚକଟି ଦେଇ ସେ ରାହୁଲ ଆଡ଼କୁ ମୁହଁ ବୁଲାନ୍ତି ଏବଂ ଦୁଆର ମୁହଁରେ ଭାନୁଙ୍କୁ ଦେଖନ୍ତି । ଭାନୁ ତାଙ୍କ ମୁହଁରେ ଗୁଡ଼ା ହୋଇଥିବା ରୁମାଲ ଖୋଲି ଅବସନ୍ନ ଅବସ୍ଥାରେ ଏରୁଣ୍ଡିବନ୍ଧ ଉପରେ ବସି ଦୀର୍ଘଶ୍ଵାସ ଛାଡ଼ନ୍ତି । ବାପାଙ୍କ ପାଖରୁ ବ୍ୟାଗ୍ ନେବା ପାଇଁ ରାହୁଲ ଅତିଆଗ୍ରହରେ ଦୌଡ଼ି ଆସେ ।
“ତମେ ଘରକୁ ଫେରିଆସିଲ ?! ରାହୁଲ, ବାପାଙ୍କୁ ପାଣି ଦେ ତ ।”
ସେତେବେଳକୁ ଭାନୁଙ୍କ ମୁଣ୍ଡ ଭିତରେ ଠିକାଦାରଙ୍କ ସହ ସାକ୍ଷାତ ସମୟର ଦୃଶ୍ୟ ପୁଣି ଚାଲୁଥିଲା, ସହସ୍ରତମ ଥର ପାଇଁ ।
“ବାପା, ପାଣି... ବାପା... ପାଣି ନିଅ । ତମକୁ କିଛି ବିସ୍କୁଟ ମିଳିଲାନି, ମିଳିଲା କି ?” ରାହୁଲ ତାଙ୍କ କାନ୍ଧ ଧରି ହଲାଇ ଦିଏ ।
ରାହୁଲ ହାତରୁ ଗିଲାସ ନେଇ ଭାନୁ ଚୁପ୍ଚାପ ପାଣି ପିଅନ୍ତି ।
“ଠିକାଦାର କିଛି ପଇସା ଦେଲେନି, ଆଉ କହିଲେ ଆହୁରି ମାସେ ପର୍ଯ୍ୟନ୍ତ କାମ ଆରମ୍ଭ ହେବନି ।” କହିଲା ବେଳେ ସେ ସରିତାଙ୍କ ଆଡ଼କୁ ଚାହଁନ୍ତି ।
ତାଙ୍କ ଫୁଲିଲା ପେଟ ଉପରେ ହାତ ପାପୁଲି ବୁଲାଇ ଆଣନ୍ତି ସରିତା । ନିଜେ ଆଶ୍ଵସ୍ତ ହେବାକୁ ଚେଷ୍ଟା କରୁଛନ୍ତି କି ଗର୍ଭସ୍ଥକୁନି ଶିଶୁଟିକୁ ଆଶ୍ଵସ୍ତ କରିବାକୁ ଚାହୁଁଛନ୍ତି, କହିବା କଷ୍ଟକର ।
“ସରକାର ସବୁ ବନ୍ଦ କରିଦେଇଛନ୍ତି,” ଭାନୁ କହି ଚାଲନ୍ତି । “ଏଇଟା ଗୋଟେ ରୋଗ । ପୁଣି କେବେ କାମ ଆରମ୍ଭ ହେବ, ସେ କଥା କେବଳ ସରକାର ହିଁ କହିପାରିବେ ।”
“ବିନା ପଇସାରେ ଦେଢ଼ମାସରୁ ଅଧିକ ହେଲାଣି । ଡାଲି କି ଚାଉଳ, କିଛି ହେଲେ ନାହିଁ... ଆଉ କେତେ ଦିନ ଏମିତି ଲୋକଙ୍କ ଦୟାରେ ବଞ୍ଚି ରହିବା?”
“ମୁଁ ତମକୁ ଏଠାକୁ ଆଣି ନଥିଲେ ଭଲ ହୋଇଥାନ୍ତା,”ନିଜ ସ୍ଵରରେ ଅପରାଧବୋଧକୁ ଲୁଚାଇ ପାରନ୍ତିନି ଭାନୁ । “ତମର ଏଭଳି ଅବସ୍ଥାରେ... ଭଲ କରି ଖାଇବାକୁ ବି ଯୋଗାଡ଼ କରିବାରେ ଅକ୍ଷମ । ଏମିତି ଯଦି ଆଉ କିଛି ମାସ ଚାଲେ ତେବେ ଅବସ୍ଥା କ’ଣ ହେବ ?”
ଯନ୍ତ୍ରଣାରେ ଦୁଇ ହାତ ମକଚନ୍ତି ଭାନୁ । ଆଜିକୁ ଦେଢ଼ ମାସ ହେଲା ତାଙ୍କ ପରିବାରକୁ ଦିନରେ ଥରଟିଏ ଖାଇବାକୁ ମିଳୁଛି- କେବଳ ଭାତ ଆଉ ଡାଲି, ତା ବି ଯଦି ସ୍ଥାନୀୟ କେଉଁ ସଂଗଠନ ଦ୍ଵାରା ବଣ୍ଟା ହୁଏ । ଏସବୁ ଆରମ୍ଭ ହେଲା ଆଗରୁ ତାଙ୍କ ପରିବାର ଲୋକେ ସବୁଜ ପନିପରିବା, କ୍ଷୀର ଖାଇ ଆସୁଥିଲେ । ଏବଂ କେବେ କେମିତି ସମ୍ଭବ ହେଲେ କିଛି ସେଓ, କମଳା ଓ ଅଙ୍ଗୁର ଭଳି ଫଳ ।





