“ଦୁଇ ହାତରେ ପାନା (ରେଞ୍ଚି) ଧରି ମୁଁ ମରିବି,” ଶାମସୁଦ୍ଦିନ୍ ମୁଲ୍ଲା କହନ୍ତି, “ମୃତ୍ୟୁ ହିଁ ହେବ ମୋର ଅବସର ନେବାର ସମୟ!”
ହୁଏତ ତାହା ନାଟକୀୟ ଶୁଭିପାରେ, କିନ୍ତୁ ବାସ୍ତବରେ ରେଞ୍ଚି ଓ ଅନ୍ୟାନ୍ୟ ଉପକରଣ ଚଳାଇ, ଶାମସୁଦ୍ଦିନ୍ ତାଙ୍କ ଜୀବନର ୭୦ ବର୍ଷରୁ ଅଧିକ କାଳର ଏକ ସୁଦୀର୍ଘ ଅଂଶ ଅତିବାହିତ କରିଛନ୍ତି । ସେଗୁଡ଼ିକୁ ବ୍ୟବହାର କରି ସେ ପାଣି ପମ୍ପ, ବୋର୍ୱେଲ୍ ପମ୍ପ୍, ଛୋଟ ଖନନ ଯନ୍ତ୍ର, ଡିଜେଲ୍ ଇଞ୍ଜିନ୍ ଏବଂ ଆହୁରି ଅନେକ ଯନ୍ତ୍ର ମରାମତି କରିଛନ୍ତି ।
କର୍ଣ୍ଣାଟକର ବେଲଗାମ ଜିଲ୍ଲା ଓ ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ବିଭିନ୍ନ ଗାଁରେ ତ୍ରୁଟିପୂର୍ଣ୍ଣ ଓ ଅଚଳ ଅବସ୍ଥାରେ ଥିବା ଚାଷଜମିର ଏସବୁ ଯନ୍ତ୍ରପାତିକୁ ଜୀବନ୍ୟାସ ଦେବାରେ ତାଙ୍କ କର୍ମନିପୁଣତାର ଚାହିଦା ଢେର୍ ଅଧିକ । କିଛିଟା ଗର୍ବର ସହିତ ସେ କହନ୍ତି, “ଲୋକେ କେବଳ ମୋତେ ହିଁ ଡାକନ୍ତି ।”
ଯନ୍ତ୍ରପାତିର କୌଣସି ତ୍ରୁଟି ପରଖିବାରେ ତାଙ୍କର ବିଶେଷ କୌଶଳ ଲୋଡ଼ିବା ପାଇଁ ଚାଷୀ ଓ ଅନ୍ୟ ଗ୍ରାହକମାନେ ଶାମସୁଦ୍ଦିନ୍ଙ୍କ ପାଖକୁ ଆସନ୍ତି । ବୁଝାଇ ଦେବାକୁ ଯାଇ ସେ କହନ୍ତି “ମୁଁ ଖାଲି ଅପରେଟରଙ୍କୁ ହ୍ୟାଣ୍ଡଲ ବୁଲାଇବାକୁ କହେ ଏବଂ ସେଥିରୁ ହିଁ ମୁଁ ଇଞ୍ଜିନ୍ର ଦୋଷତ୍ରୁଟି ଜାଣିପାରେ।”
ତା ପରେ ପ୍ରକୃତ କାମ ଆରମ୍ଭ ହୁଏ । ଗୋଟିଏ ଅକାମୀ ଇଞ୍ଜିନ୍ ମରାମତି କରିବା ଲାଗି ତାଙ୍କୁ ଆଠ ଘଣ୍ଟା ଲାଗେ । ଶାମସୁଦ୍ଦିନ୍ କହନ୍ତି, “ଏଥିରେ ଇଞ୍ଜିନ୍ ଖୋଲିବା ଏବଂ ପୁଣି ଥରେ ଖଞ୍ଜିବା ସମୟ ମିଶିଥାଏ’’ । “ଆଜିକାଲି, ରେଡିମେଡ୍ ସାମଗ୍ରୀ ସହିତ ଯନ୍ତ୍ରପାତି (ଇଞ୍ଜିନ୍) ଆସିଲାଣି, ତେଣୁ ସେଗୁଡ଼ିକୁ ମରାମତି କରିବା ସହଜ ହୋଇଗଲାଣି ।”
ହେଲେ ତାଙ୍କର ଏହି ଆଠ ଘଣ୍ଟାର ହାରାହାରି ମରାମତି ସମୟ ହାସଲ କରିବା ପଛରେ ରହିଛି ଘଣ୍ଟା ଘଣ୍ଟା ଧରି ଅସଂଖ୍ୟ ଘଣ୍ଟାର ଅଭ୍ୟାସ । ଶାମସୁଦ୍ଦିନ୍ଙ୍କୁ ଏବେ ୮୩ ବର୍ଷ ଏବଂ ତାଙ୍କ ଅନୁମାନରେ ସେ ଗତ ୭୩ ବର୍ଷ ଭିତରେ ୫,୦୦୦ରୁ ଅଧିକ ଇଞ୍ଜିନ୍ ମରାମତି କରିସାରିଛନ୍ତି - ସେଥିରେ ରହିଛି ନଦୀରୁ ପାଣି ଉଠାଇବାରେ, ଚିନାବାଦାମ ଓ ଅନ୍ୟାନ୍ୟ ତୈଳବୀଜରୁ ତେଲ ବାହାର କରିବାରେ, ନିର୍ମାଣସ୍ଥଳ ଏବଂ କୂଅରୁ ପଥର ହଟାଇବାରେ ଏବଂ ଅନ୍ୟାନ୍ୟ ଅନେକ କାମରେ ଲାଗୁଥିବା ଇଞ୍ଜିନ୍ ସମୂହ ।







