ଛୋଟ ବାଉଁଶ ଚାଳିରେ ଗୋଟିଏ ଅଣଓସାରିଆ ଖଟ ଉପରେ କପଡ଼ା ଗଦା ହୋଇ ରହିଛି ଯାହା ମୋହିନୀ କୌର ମରାମତି କରିବେ କିମ୍ବା ସିଲେଇ କରିବେ । ନୂଆଦିଲ୍ଲୀର ସ୍ୱରୂପ ନଗରରୁ ଆସିଥିବା ୬୧ ବର୍ଷ ବୟସ୍କା କୌର୍ କୁହନ୍ତି, ‘‘ମୁଁ ଅତି ଭଲ ସିଲେଇ କରେନି, କିନ୍ତୁ ଯେତିକି କରିପାରେ କରେ । ମୁଁ ଏଠାକୁ ପ୍ରତିବାଦକାରୀ କୃଷକମାନଙ୍କୁ ସେବା ଦେବାକୁ ଆସିଥିଲି । ସେମାନେ ଆମ ପାଇଁ ଖାଦ୍ୟ ଅମଳ କରନ୍ତି, ମୁଁ ତାଙ୍କ ପାଇଁ ଏତିକି ହିଁ କରିପାରିଲି ।’’ ୨୦୨୦ ନଭେମ୍ବରରେ ସିଙ୍ଘୁର ପ୍ରତିବାଦସ୍ଥଳକୁ ଆସିଥିବା ମୋହିନୀ ଘରକୁ ଫେରିନଥିଲେ, ଥରେ ବି ନୁହେଁ – ଯେ ପର୍ଯ୍ୟନ୍ତ ଡିସେମ୍ବର ୯, ୨୦୨୧ରେ କୃଷକ ସଂଘଗୁଡ଼ିକ ସେମାନଙ୍କର ପ୍ରତିବାଦ ପ୍ରତ୍ୟାହାର କରିନଥିଲେ ।
ଯେତେବେଳେ ଦିଲ୍ଲୀ- ହରିୟାଣା ସୀମାରେ ସିଙ୍ଘୁଠାରେ ସେ ଜଣେ ସ୍ୱେଚ୍ଛାସେବୀ ଭାବରେ କାମ କରିବା ପଞ୍ଜାବୀ ଖବର କାଗଜ ଅଜିତ୍ର ପୃଷ୍ଠା ମଣ୍ଡନ କରିଥିଲା ସେତେବେଳେ ଏହା ପଞ୍ଜାବର ଜଣେ ପାଠକଙ୍କୁ ମୋହିନୀଙ୍କୁ ସାହାଯ୍ୟ କରିବା ପାଇଁ ପ୍ରେରଣା ଦେଇଥିଲା। ଚଳିତ ମାସ ଜୁଲାଇ ମାସରେ ସେହି ଯୁବକ, ୨୨ ବର୍ଷ ବୟସ୍କ ହର୍ଜିତ୍ ସିଂହ ସେହି ଚାଳିରେ ମୋହିନୀଙ୍କ ସହିତ ତାଙ୍କ କାମ କରିବା ଟେବୁଲ୍ରେ ଯୋଗ ଦେଇଥିଲେ ।
ହର୍ଜିତ୍ଙ୍କର ପଞ୍ଜାବର ଲୁଧିଆନା ଜିଲ୍ଲାର ଏକ ସହର ଖାନ୍ନାଠାରେ ଏକ ଟେଲରିଂ ଦୋକାନ ଅଛି । ତାଙ୍କ ବାପା ହେଉଛନ୍ତି ଜଣେ କୃଷକ ଯେ କି ସେମାନଙ୍କର ଚାରି ଏକର ଚାଷ ଜମିରେ ଧାନ, ଗହମ ଏବଂ ମକା ଚାଷ କରନ୍ତି । ହର୍ଜିତ୍ କୁହନ୍ତି, ‘‘ମୁଁ ମୋ ଦୋକାନକୁ ମୋର ଦୁଇ କାରିଗରଙ୍କ ଦାୟିତ୍ୱରେ ଦେଇ ଚଳିତବର୍ଷ ଜୁଲାଇରେ ମୋହିନୀଜୀଙ୍କୁ ସାହାଯ୍ୟ କରିବା ପାଇଁ ସିଙ୍ଘୁକୁ ଆସିଥିଲି । ଏଠାରେ ଏତେ କାମ ଅଛି; ସେ ଏକୁଟିଆ ଏ ସବୁ କରିପାରିବେ ନାହିଁ ।’’
ଖଟ ଏବଂ କାମ କରିବା ଟେବୁଲ୍ ବ୍ୟତୀତ ଦୁଇଟି ସିଲେଇ ମେସିନ୍ ଓ ଗୋଟିଏ ପେଡେଷ୍ଟାଲ୍ ଫ୍ୟାନ୍ ସେହି ଚାଳିର ଅଧିକାଂଶ ସ୍ଥାନ ପୂରଣ କରିଛି, ଯିବା ଆସିବା ପାଇଁ ଅଳ୍ପ ସ୍ଥାନ ରହିଛି । ଚଟାଣରେ ଗୋଟିଏ ଉଠା ଗ୍ୟାସ୍ ଷ୍ଟୋଭ୍ ଦୁଗ୍ଧ ସିଝାଇବା ପାଇଁ ବ୍ୟବହୃତ ହେଉଥିଲା । ଗୋଟିଏ ସମୟରେ ମାତ୍ର ଜଣେ ବ୍ୟକ୍ତି ମୋହିନୀ କିମ୍ବା ହର୍ଜିତ୍ଙ୍କ ସହ କଥା ହେବ ପାଇଁ ଭିତରକୁ ଆସିପାରିବେ । ‘ଗ୍ରାହକମାନେ’ – କୃଷକ ଏବଂ ପ୍ରତିବାସ ସ୍ଥଳରେ ଅନ୍ୟମାନେ – କବାଟ ପାଖରେ ଛିଡ଼ା ହୁଅନ୍ତି ।
କାମ କରିବାର ଟେବୁଲ୍ର ଗୋଟିଏ ମୁଣ୍ଡରେ ନୂଆ କପଡ଼ା ବଣ୍ଡଲ୍ ରଖାଯାଇଛି । ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର କପଡ଼ା ବିଷୟରେ ପଚାରୁଥିବା ବ୍ୟକ୍ତିଙ୍କୁ ମୋହିନୀ କହିଲେ, ‘‘ଏହା ସମ୍ପୂର୍ଣ୍ଣ ସୂତା ଏବଂ ଏହାର ଦାମ୍ ବଜାର୍ ଦାମ୍ ସହ ସମାନ । ମୁଁ ସିନ୍ଥେଟିକ୍ ରଖେନି । ଏହାର ଦାମ୍ ମିଟର ପିଛା ୧୦୦ ଟଙ୍କା ।’’ ସେ ତାଙ୍କ ଗ୍ରାହକଙ୍କଠାରୁ ଜିନିଷର ଦାମ୍ ନେଉଥିଲେ କିନ୍ତୁ ତାଙ୍କ ପରିଶ୍ରମ ମାଗଣା ଥିଲା । ଯଦି ଲୋକମାନେ ତାଙ୍କୁ ସିଲେଇ କରିବା ପାଇଁ କିଛି ଦେଉଥିଲେ, ସେ ଏହାକୁ ଗ୍ରହଣ କରୁଥିଲେ ।
ମୋହିନୀ ୧୯୮୭ରେ ବେଙ୍ଗାଲୁରୁରେ ଜଣେ ନର୍ସ ଭାବରେ ତାଲିମ୍ ନେଇଥିଲେ । ଶିଶୁ ସନ୍ତାନର ମାଆ ହେବା କାରଣରୁ ଚାକିରି ଛାଡ଼ିବା ପୂର୍ବରୁ ସେ ଅଳ୍ପ କେଇ ବର୍ଷ ନର୍ସ ଭାବରେ କାମ କରିଥିଲେ । ସେ ଏବେ ନିଜେ ନିଜର ଖର୍ଚ୍ଚ ବହନ କରନ୍ତି – ତାଙ୍କର ସ୍ୱାମୀ ୨୦୧୧ରେ ମୃତ୍ୟୁବରଣ କରିଥିଲେ । ତାଙ୍କର ବିବାହିତା ଝିଅ ଦକ୍ଷିଣ- ପଶ୍ଚିମ ଦିଲ୍ଲୀ ଜିଲ୍ଲାର ଦ୍ୱାରକା ନିକଟରେ ରୁହନ୍ତି । ପାଞ୍ଚ ବର୍ଷ ତଳେ ମୋହିନୀ ଭୀଷଣ ହାଡ଼ଫୁଟି କାରଣରୁ ତାଙ୍କର ପୁଅକୁ ହରାଇଥିଲେ । ତା’ର ବୟସ ୨୦ ବର୍ଷ ଆଖପାଖରେ ଥିଲା । ‘‘ମୋ ପୁଅର ମୃତ୍ୟୁର ଦୁଃଖ ସହ୍ୟ କରିବା ସହଜ ନଥିଲା । ତେଣୁ ମୁଁ ଭାବିଲି ମୁଁ କୃଷକମାନଙ୍କୁ ସାହାଯ୍ୟ କରିବି । ଏହା ମୋତେ କାମ କରିବାକୁ ପ୍ରେରଣା ଦିଏ ଏବଂ ମୁଁ ଅଧିକ ଏକୁଟିଆ ଅନୁଭବ କରେନି ।’’ ହର୍ଜିତ୍ ତାଙ୍କୁ ‘ମାଆ’ ଡାକନ୍ତି । ବେକରେ ମାପିବା ଫିତା ଓହଳାଇଥିବା ହର୍ଜିତ୍ କୁହନ୍ତି, ‘‘ମୁଁ ଏବେ ତାଙ୍କର ପୁଅ ।’’
ନଭେମ୍ବର ୨୬ରେ ସିଙ୍ଘୁର ପ୍ରତିବାଦ ସ୍ଥଳର ମଞ୍ଚ ଉଭୟ ମହିଳା ଏବଂ ପୁରୁଷ କୃଷକମାନଙ୍କର ପ୍ରାର୍ଥନା, ଉଦ୍ବୋଧନ, ଗୀତ ଏବଂ କରତାଳିରେ ମୁଖରିତ ହେଉଥିଲା । ସେମାନେ ସେଠାରେ କୃଷକ ପ୍ରତିବାଦର ବାର୍ଷିକୀ ପାଳନ କରିବା ପାଇଁ ଏକତ୍ରିତ ହୋଇଥିଲେ କିନ୍ତୁ ମୋହିନୀ ଏବଂ ହର୍ଜିତ୍ ସେମାନଙ୍କର କାମ ଟେବୁଲ୍ରେ ବ୍ୟସ୍ତ ଥିଲେ – ମାପିବା, କାଟିବା ଏବଂ ମେସିନ୍ ଚଳାଇବାରେ । ସେମାନେ କେବଳ ଭୋଜନ ପାଇଁ ଏବଂ ରାତିରେ ଶୋଇବା ପାଇଁ ବିରତି ନେଉଥିଲେ । ମୋହିନୀ ଚାଳିରେ ଶୋଉଥିଲେ, ହର୍ଜିତ୍ କିଛି ଦୂରରେ ତାଙ୍କ ଟ୍ରାକ୍ଟର- ଟ୍ରଲିରେ ।
ସେମାନେ କେବଳ ଭୋଜନ ପାଇଁ ଏବଂ ରାତିରେ ଶୋଇବା ପାଇଁ ବିରତି ନେଉଥିଲେ । ମୋହିନୀ ଚାଳିରେ ଶୋଉଥିଲେ, ହର୍ଜିତ୍ କିଛି ଦୂରରେ ତାଙ୍କ ଟ୍ରାକ୍ଟର- ଟ୍ରଲିରେ
ମୋହିନୀ ଏବଂ ହର୍ଜିତ୍ କୃଷକମାନେ ପ୍ରତିବାଦ ସ୍ଥଳରେ ଥିବା ପର୍ଯ୍ୟନ୍ତ ସେମାନଙ୍କର ଟେଲରିଂ ସେବା ଜାରି ରଖିବାକୁ ଚାହୁଁଥିଲେ – ଏବଂ ସେମାନେ କଲେ । ମୋହିନୀ କହିଥିଲେ, ‘‘ସେବା ସେ କଭି ଦିଲ୍ ନେହିଁ ଭର୍ତା (ଯେତେ ସେବା କଲେ ବି ହୃଦୟ ସନ୍ତୁଷ୍ଟ ହେବନି)।’’
ଡିସେମ୍ବର ୯, ୨୦୨୧ରେ କୃଷକ ପ୍ରତିବାଦର ୩୭୮ତମ ଦିବସରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ନେତୃବୃନ୍ଦ ଘୋଷଣା କଲେ ଯେ କୃଷକମାନେ ଦିଲ୍ଲୀ ସୀମାରେ ଏହି ପ୍ରତିବାଦ ସ୍ଥଳ ଖାଲି କରିଦେବେ । ସେମାନେ ଜୁନ୍ ୫, ୨୦୨୦ରେ ଏକ ଅଧ୍ୟାଦେଶ ଭାବରେ ପାରିତ ହୋଇଥିବା କୃଷି ଆଇନ୍ ବିରୋଧରେ ପ୍ରତିବାଦ କରିବା ପାଇଁ ଗତ ବର୍ଷ ଏହି ସ୍ଥଳକୁ ଅକ୍ତିଆର୍ କରିଥିଲେ । ଏହି ଆଇନ ସେପ୍ଟେମ୍ବର ୧୪ ତାରିଖରେ ସଂସଦରେ କୃଷି ବିଲ୍ ଭାବରେ ଆଗତ ହୋଇଥିଲା ଏବଂ ସେପ୍ଟେମ୍ବର ୨୦, ୨୦୨୦ରେ ଆଇନରେ ପରିଣତ ହୋଇଥିଲା ।
ଯେତେ ଶୀଘ୍ର ସେଗୁଡ଼ିକ ପାରିତ ହୋଇଥିଲା, ଆଇନଗୁଡ଼ିକ ସେହିପରି ଭାବରେ ନଭେମ୍ବର ୨୯, ୨୦୨୧ରେ ସଂସଦରେ ରଦ୍ଦ କରାଯାଇଥିଲା । ସେଗୁଡ଼ିକ ଥିଲା: ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଅଧିନିୟମ, ୨୦୨୦ ଉପରେ କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ରାଜିନାମା ; କୃଷକଙ୍କ ଉତ୍ପାଦ ବ୍ୟବସାୟ ଏବଂ ବାଣିଜ୍ୟ (ପ୍ରୋତ୍ସାହନ ଏବଂ ସୁବିଧାକରଣ) ଅଧିନିୟମ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଅଧିନିୟମ, ୨୦୨୦ ।
କେନ୍ଦ୍ର ସରକାର ସେମାନଙ୍କ ଦାବି ମଧ୍ୟରୁ ଅଧିକାଂଶ ଗ୍ରହଣ କରିବା ପରେ କୃଷକ ସଂଘଗୁଡ଼ିକ ଡିସେମ୍ବର ୯, ୨୦୨୧ରେ ଆନ୍ଦୋଳନ ପ୍ରତ୍ୟାହାର କଲେ । କିନ୍ତୁ ସେମାନେ ଦର୍ଶାଇଥିଲେ ଯେ ସର୍ବନିମ୍ନ ସହାୟକ ମୂଲ୍ୟ (ବା ଏମ୍ଏସ୍ପି)ର ଏକ ଆଇନଗତ ନିଶ୍ଚିତ ପ୍ରତିଶ୍ରୁତି ନିମନ୍ତେ ବୁଝାମଣା ଜାରି ରହିବ ।
ସିଙ୍ଘୁଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ପଶ୍ଚିମ ଦିଲ୍ଲୀ ସୀମାରେ ଟିକ୍ରିଠାରେ ଡକ୍ଟର ସାକ୍ଷୀ ପନ୍ନୁ ସପ୍ତାହ ସାରା ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଏକ ଚିକିତ୍ସା କ୍ଲିନିକ୍ ପରିଚାଳନା କରୁଥିଲେ । ସେ କୁହନ୍ତି, ‘‘ମୁଁ ପ୍ରତିଦିନ ପ୍ରାୟ ୧୦୦ ରୋଗୀଙ୍କୁ ଦେଖେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଥଣ୍ଡା ଏବଂ ଜ୍ୱର ପାଇଁ ଔଷଧ ମାଗନ୍ତି । କେତେକଙ୍କର ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଅଛି । ଏଠାରେ ପ୍ରତିବାଦ ଶିବିରରେ ରହି ଅନେକଙ୍କର ପେଟ ବି ଖରାପ ହୋଇଛି ।’’
ଯେତେବେଳେ ଆମେ ନଭେମ୍ବରରେ ସାକ୍ଷୀଙ୍କୁ ଭେଟିଲୁ, ତାଙ୍କ କ୍ଲିନିକ୍ରେ ରୋଗୀମାନଙ୍କର ଏକ କ୍ରମାଗତ ଧାଡ଼ି ଲାଗି ରହିଥିଲା । ସେ ଜଣେ ବ୍ୟକ୍ତିଙ୍କୁ ପରଦିନ କଫ ଔଷଧ ପାଇଁ ଆସିବାକୁ କହୁଥିଲେ କାରଣ ତାହାର ଷ୍ଟକ୍ ସରିଯାଇଥିଲା । ଗ୍ରାମୀଣ ହରିୟାଣାର ଏକ ସମାଜସେବା ଅନୁଷ୍ଠାନ ଉଜ୍ମା ବୈଠକ ଏହି କ୍ଲିନିକ୍ ପାଇଁ ଔଷଧ ଏବଂ ଉପକରଣ ଯୋଗାଇ ଦେଉଥିଲା ।
ସାକ୍ଷୀ କହିଥିଲେ ଯେ ସେ ଅଧିକ ସମୟ ପାଇଁ କ୍ଲିନିକ୍ ଖୋଲା ରଖିବାକୁ ଚାହାଁନ୍ତି, କିନ୍ତୁ, ‘‘ମୁଁ ଘରେ ମୋର ୧୮ ମାସର ପୁଅ ବଶିଷ୍ଠ ସହ କିଛି ସମୟ କଟାଇବା ମଧ୍ୟ ଦରକାର । ମୋତେ ତା’ର ଯତ୍ନ ନେବାକୁ ବି ହେବ ।’’ ଯେତେବେଳେ ସେ କ୍ଲିନିକ୍ରେ ବ୍ୟସ୍ତ ରହୁଥିଲେ – ଯେଉଁଠାରେ ସେ ଏ ବର୍ଷ ଏପ୍ରିଲ୍ଠାରୁ ସ୍ୱେଚ୍ଛାକୃତ ଭାବରେ ସେବା ପ୍ରଦାନ କରୁଥିଲେ – ସେତେବେଳେ ଏହି ପ୍ରତିବାଦକୁ ସମର୍ଥନ କରୁଥିବା ତାଙ୍କର ଶାଶୂ ଶ୍ୱଶୂର ସେମାନଙ୍କ ନାତିକୁ ସେମାନଙ୍କ ସହ ଆଣୁଥିଲେ ଏବଂ କ୍ଲିନିକ୍ଠାରୁ ମାତ୍ର କେଇ ଫୁଟ ଦୂରରେ ଥିବା ପ୍ରତିବାଦ ସ୍ଥଳରେ ପ୍ରାର୍ଥନା ଏବଂ ବୈଠକରେ ଯୋଗ ଦେଉଥିଲେ ।
ତାଙ୍କର ଜେଜେବାପା ଜମ୍ମୁର ଜଣେ କୃଷକ ଥିଲେ ଏବଂ ତାଙ୍କ ଶାଶୂ, ଶ୍ୱଶୂର ହରିୟାଣାର ଜିନ୍ଦ ଜିଲ୍ଲାର ଝମୋଲା ଗ୍ରାମରୁ ଆସିଛନ୍ତି । ସାକ୍ଷୀ କୁହନ୍ତି, ‘‘ଆମେ ଏବେବି ଆମର ଗ୍ରାମୀଣ ଆଧାର ସହ ସଂଯୁକ୍ତ ଏବଂ କୃଷି ଆଇନ ବିପକ୍ଷରେ କୃଷକମାନଙ୍କୁ ସେମାନଙ୍କର ଦାବି ଏବଂ ସେମାନଙ୍କ ପ୍ରତିବାଦରେ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରୁ ।’’
ଟିକ୍ରି ପ୍ରତିବାଦ ସ୍ଥଳରୁ ସାକ୍ଷୀଙ୍କ ଘର ପ୍ରାୟ ପାଞ୍ଚ କିଲୋମିଟର ଦୂର ହରିୟାଣାର ବାହାଦୂରଗଡ଼ ସହରରେ । ସେଠାରେ ସେ ବଶିଷ୍ଠ, ତାଙ୍କ ସ୍ୱାମୀ ଅମିତ୍ ଏବଂ ସ୍ୱାମୀଙ୍କ ପିତାମାତାଙ୍କ ସହ ରୁହନ୍ତି । ୨୦୧୮ରେ ନୂଆଦିଲ୍ଲୀର ଲେଡି ହାର୍ଡିଙ୍ଗ୍ ମେଡିକାଲ୍ କଲେଜରୁ ତାଙ୍କର ଏମ୍ବିବିଏସ୍ ଡିଗ୍ରୀ ସମ୍ପୂର୍ଣ୍ଣ କରିବା ପରେ ସାକ୍ଷୀ ବର୍ଷେ ପାଇଁ କଲେଜର ଡାକ୍ତରଖାନାରେ କାମ କରିଥିଲେ । ବର୍ତ୍ତମାନ ବିରତି ନେଇଥିବା ସାକ୍ଷୀ ତାଙ୍କ ପୁଅ ସାମାନ୍ୟ ବଡ଼ ହେବା ପରେ ଜେନେରାଲ୍ ମେଡିସିନ୍ରେ ଏକ ସ୍ନାତକୋତ୍ତର ଡିଗ୍ରୀ ପାଇଁ ଅଧ୍ୟୟନ କରିବାକୁ ଆଶା ରଖିଛନ୍ତି ।
ସାକ୍ଷୀ କହିଥିଲେ, ‘‘ମୁଁ ସବୁବେଳେ ସାଧାରଣ ଲୋକଙ୍କ ପାଇଁ କିଛି କରିବାକୁ ଚାହୁଁଥିଲି ।’’ ‘‘ତେଣୁ ଯେତେବେଳେ କୃଷକମାନେ ଏଠାରେ ଟିକ୍ରି ସୀମାରେ ଜମା ହେଲେ ସେତେବେଳେ ମୁଁ ଏହି କ୍ଲିନିକ୍କୁ ଆସିବା ପାଇଁ ଏବଂ ଜଣେ ଡାକ୍ତର ଭାବରେ ସେବା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲି । କୃଷକମାନେ ଏହି ପ୍ରତିବାଦ ସ୍ଥଳରେ ଥିବା ପର୍ଯ୍ୟନ୍ତ ମୁଁ ଏହା ଜାରି ରଖିବି ।’’
କୃଷକମାନେ ଘରକୁ ଫେରିବା ପାଇଁ ଜିନିଷପତ୍ର ସଜାଡ଼ୁଥିବା ଦେଖି ମୋହିନୀ ଆନନ୍ଦରେ ଗଦ୍ ଗଦ୍ ହୋଇ କୁହନ୍ତି, ‘‘ଫତେ ହୋ ଗୟି (ଆମେ ଜିତିଗଲୁ) ।’’ ଭାବପ୍ରବଣ ଏବଂ ଖୁସି ହେଉଥିବା ସାକ୍ଷୀ କୁହନ୍ତି, ‘‘ଗୋଟିଏ ବର୍ଷର କଠିନ ପରିଶ୍ରମ (କୃଷକମାନଙ୍କର) ଫଳପ୍ରଦ ହୋଇଛି ।’’ ସେବା ପାଇଁ ତାଙ୍କର ଉତ୍ସାହ ସବୁବେଳେ ଦୃଢ଼ ରହିଛି । ସେ ଏଥିସହ କୁହନ୍ତି, ‘‘ଶେଷ କୃଷକ ଘରକୁ ନ ଫେରିବା ପର୍ଯ୍ୟନ୍ତ ମୁଁ ଏଇଠାରେ ଅଛି ।’’
ଲେଖିକା ଏହି କାହାଣୀଟି ଲେଖିବା ପାଇଁ ସୂଚନା ସଂଗ୍ରହ କରିବା ନିମନ୍ତେ ତାଙ୍କୁ ସହଯୋଗ କରିଥିବାରୁ ଅମିର୍ ମଲିକଙ୍କୁ ଧନ୍ୟବାଦ ଦେବାକୁ ଚାହାଁନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍