ମୁଁ ପୁରୁଲିୟାରେ ଭବାନୀ ମାହାତୋଙ୍କୁ ପଚାରିଲି, ‘‘ଯେତେବେଳେ ଭାରତ ଛାଡ଼ ଆନ୍ଦୋଳନରେ ତୁମ ସ୍ୱାମୀ ବୈଦ୍ୟନାଥ ୧୩ ମାସ ପାଇଁ ଜେଲ୍‌ ଯାଇଥିଲେ ସେ ସମୟ ତୁମ ପାଇଁ ନିଶ୍ଚୟ ଖୁବ୍‌ କଷ୍ଟକର ହୋଇଥିବ? ଏତେ ବଡ଼ ଯୁଗ୍ମ ପରିବାରକୁ ଚଳାଇବା ଏବଂ...’’

ସେ ଶାନ୍ତ କିନ୍ତୁ ଦୃଢ଼ ଭାବରେ କହିଲେ, ‘‘ସେ ଘରକୁ ଫେରିଆସିବା ପରେ ଅଧିକ କଷ୍ଟ ହୋଇଥିଲା। ଏହାର ଅର୍ଥ ହେଉଛି ସେ ତାଙ୍କ ସାଙ୍ଗସାଥୀଙ୍କୁ ନେଇ ଆସୁଥିଲେ କିମ୍ବା ମୋତେ ସେମାନଙ୍କ ପାଇଁ ରାନ୍ଧିବାକୁ ପଡ଼ୁଥିଲା ଓ ସେମାନେ ଖାଇବା ନେଇ ଚାଲିଯାଉଥିଲେ। ବେଳେ ବେଳେ ୫, ୧୦, ୨୦ କିମ୍ବା ତା’ଠାରୁ ଅଧିକ ଲୋକ। ମୋ ପାଖରେ ବିଶ୍ରାମ ପାଇଁ ଗୋଟିଏ ମୁହୂର୍ତ୍ତ ବି ରହୁନଥିଲା।’’

‘‘କିନ୍ତୁ ନିଶ୍ଚିତ ଭାବରେ, ଭାରତ ଛାଡ଼ ଆନ୍ଦୋଳନ ସହିତ ଆପଣଙ୍କର ସଂପୃକ୍ତି...’’

ସେ ପଚାରନ୍ତି, ‘‘ମୋର ତା’ ସହିତ କିମ୍ବା ସେମିତି ଅନ୍ୟ କିଛି ସହିତ କ’ଣ କରିବାର ଥିଲା?’’ ଭବାନୀ କୁହନ୍ତି, ‘‘ମୋର ସଂଗ୍ରାମରେ କିଛି କରିବାର ନଥିଲା, ମୋ ସ୍ୱାମୀ ବୈଦ୍ୟନାଥ ମାହାତୋ ସେଥିରେ ସଂପୃକ୍ତ ଥିଲେ। ମୁଁ କେବଳ ଗୋଟିଏ ବଡ଼ ପରିବାର, ଏତେସବୁ ଲୋକଙ୍କ ଭଲମନ୍ଦ ବୁଝିବାରେ ଖୁବ୍‌ ବ୍ୟସ୍ତ ଥିଲି, ମୋତେ କେତେ ରାନ୍ଧିବାକୁ ପଡୁଥିଲା – ପ୍ରତିଦିନ ରୋଷେଇ ବଢ଼ୁଥିଲା!’’ ‘‘ମନେରଖନ୍ତୁ, ମୁଁ ମଧ୍ୟ ଚାଷ କାମ ବୁଝୁଥିଲି।’’

ଆମେ ହତାଶ ହୋଇଗଲୁ। ଆମର ନିରାଶା ଆମ ଚେହେରାରେ ସ୍ପଷ୍ଟ ଦେଖାଯାଉଥିଲା। ଆମେ ଜୀବିତ ଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ସନ୍ଧାନରେ ଅନେକ ଦୂରକୁ, ପଶ୍ଚିମବଙ୍ଗର ଏହି ଦୂରନ୍ତ ସ୍ଥାନକୁ ଆସିଥିଲୁ ଏବଂ ଏଠାରେ, ମାନବଜାର ଆଇ ବ୍ଲକ୍‌ର ଚେପୁୟା ଗ୍ରାମରେ, ଏଥିରେ ଭୂମିକା ନିର୍ବାହ କରିଥିବା ଏହି ମହାନ୍‌ ମହିଳା ଜଣକ ଭାରତକୁ ସ୍ୱାଧୀନତା ଆଣିଦେଇଥିବା ଐତିହାସିକ ସଂଗ୍ରାମ ସହିତ କୌଣସି ସଂଯୋଗକୁ ଅସ୍ୱୀକାର କରୁଥିଲେ।

ଭବାନୀ ମାହାତୋ ଖୁବ୍‌ ସ୍ପଷ୍ଟ ଭାବରେ ଏବଂ ଭାବିଚିନ୍ତି କୁହନ୍ତି। ତାଙ୍କ ବୟସ ୧୦୧ରୁ ୧୦୪ ବର୍ଷ ମଧ୍ୟରେ ଥିଲା। ଦୂରନ୍ତ ଗ୍ରାମୀଣ ଅଞ୍ଚଳରେ ଗରିବ ଲୋକଙ୍କ ବୟସର ଦଲିଲ୍‌କରଣ କରିବା ସବୁ ସମୟରେ କଷ୍ଟକର। ଏକ ଶତାବ୍ଦୀ ପୂର୍ବେ, ଯେତେବେଳେ ସେ ଜନ୍ମ ହୋଇଥିଲେ, ଏହା ପ୍ରାୟ ନଥିଲା। କିନ୍ତୁ ତାଙ୍କ ସ୍ୱର୍ଗତଃ ସ୍ୱାମୀଙ୍କ ରେକର୍ଡ, ଏବଂ ବୟସର ୭୦ ଦଶକରେ ପହଞ୍ଚିଥିବା ତାଙ୍କର ଜଣେ ପୁଅ ସମେତ ତାଙ୍କ ବଡ଼ ପରିବାରର ସଦସ୍ୟମାନଙ୍କ ଜରିଆରେ ଆମେ ଭବାନୀଙ୍କ ବୟସ ଅଟକଳ କରିପାରିଥିଲୁ। ଏଥିସହିତ ଆମେ ପୁରୁଲିୟା (ପୁରୁଲିଆ ଭାବରେ ମଧ୍ୟ ଉଚ୍ଚାରିତ)ରେ କେତେକ ଗ୍ରାମରେ ଭେଟିଥିବା ତାଙ୍କଠାରୁ ସାମାନ୍ୟ କମ୍‌ ବୟସର ସମସାମୟିକମାନଙ୍କଠାରୁ ତାହା ଜାଣିପାରିଥିଲୁ।

ଏହା ଯେ କୌଣସି ପ୍ରକାରେ, ଏଠାରେ ଅଚଳ ଆଧାର କାର୍ଡ ବ୍ୟବସ୍ଥାଠାରୁ ଅଧିକ ଭରସାଯୋଗ୍ୟ ଯେଉଁଥିରେ ତାଙ୍କ ପିଢ଼ିର ଲୋକମାନଙ୍କ ପାଇଁ ମନଇଛା ବୟସ ଦିଆଯାଇଥିଲା। ସେଥିରେ ଭବାନୀଙ୍କୁ ୧୯୨୫ ମସିହା ଜନ୍ମ ବର୍ଷ ଭାବରେ ଦିଆଯାଇଛି। ଯାହା ଅନୁଯାୟୀ ତାଙ୍କର ବୟସ ୯୭।

ତାଙ୍କ ପରିବାର କୁହନ୍ତି ତାଙ୍କର ବୟସ ୧୦୪ ବର୍ଷ।

Bhabani’s age is somewhere between 101 and 104. Here she is with her son Shyam Sundar Mahato who is in his 70s
PHOTO • P. Sainath

ଭବାନୀଙ୍କ ବୟସ ୧୦୧ ରୁ ୧୦୪ ମଧ୍ୟରେ । ଏଠାରେ ସେ ତାଙ୍କ ପୁଅ ଶ୍ୟାମ ସୁନ୍ଦର ମାହାତୋଙ୍କ ସହିତ ଯାହାଙ୍କ ବୟସ ୭୦ ରୁ ଅଧିକ

ସେ କୁହନ୍ତି, ‘‘ଆମର ଏକ ବଡ଼ ଯୁଗ୍ମ ପରିବାର ଥିଲା’’। ‘‘ସବୁ ଦାୟିତ୍ୱ ମୋର ଥିଲା। ମୁଁ ସବୁ କାମ କରୁଥିଲି। ମୁଁ ସବୁକିଛିର ଭଲ ମନ୍ଦ ବୁଝୁଥିଲି। ସବୁକିଛି।  ମୁଁ ପରିବାର ଚଳାଉଥିଲି। ମୁଁ ୧୯୪୨-୪୩ରେ ସମସ୍ତଙ୍କ କଥା ବୁଝୁଥିଲି ଯେତେବେଳେ ଏସବୁ ଘଟଣା ଘଟିଥିଲା।’’ ଭବାନୀ ‘ଘଟଣାଗୁଡ଼ିକ’ର ନାମ ନେଇନଥିଲେ। କିନ୍ତୁ ସେଗୁଡ଼ିକ ମଧ୍ୟରେ ଭାରତ ଛାଡ଼ ଆନ୍ଦୋଳନ ଥିଲା। ଏଥିସହିତ ସେତେବେଳେ ମଧ୍ୟ ବଙ୍ଗର ସବୁଠାରୁ ଅବହେଳିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ ଥିବା ସ୍ଥାନରେ ୧୨ଟି ପୋଲିସ୍‌ ଷ୍ଟେସନ୍‌ରେ ତ୍ରିରଙ୍ଗା ଉତ୍ତୋଳନ କରିବା ପାଇଁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦ୍ୱାରା କରାଯାଇଥିବା ସେପ୍ଟେମ୍ବର ୩୦, ୧୯୪୨ର ବିଖ୍ୟାତ ଉଦ୍ୟମ ମଧ୍ୟ ଥିଲା।

ଗୋଟିଏ ଜିଲ୍ଲା ଯେଉଁଠାରେ, ଆଜି ମଧ୍ୟ, ଏକ ତୃତୀୟାଂଶ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ବାସ କରନ୍ତି। ଏବଂ ପଶ୍ଚିମବଙ୍ଗରେ ଏବେ ମଧ୍ୟ ସର୍ବାଧିକ ସ୍ତରର ଦାରିଦ୍ର୍ୟର ଖବର ଏଠାରୁ ମିଳେ। ଭବାନୀଙ୍କ ବୃହତ୍‌ ପରିବାର ପାଖରେ କିଛି ଏକର ଜମି ଥିଲା ଏବଂ ଏ ପର୍ଯ୍ୟନ୍ତ ରହିଛି। ଯାହାଫଳରେ ସେମାନେ ଅନେକଙ୍କଠାରୁ ତୁଳନାତ୍ମକ ଭାବରେ ଭଲ ଅବସ୍ଥାରେ ଥିଲେ।

ତାଙ୍କ ସ୍ୱାମୀ ବୈଦ୍ୟନାଥ ମାହାତୋ ଜଣେ ସ୍ଥାନୀୟ ନେତା ଥିଲେ। ସେ ସକ୍ରିୟ ଭାବରେ ବ୍ରିଟିଶ ଶାସନ ବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ। ପୁରୁଲିୟାରେ ଏ ପର୍ଯ୍ୟନ୍ତ ଜୀବିତ ଥିବା ଦୁଇ ଜଣ ସ୍ୱାଧୀନତା ସଂଗ୍ରାମୀ ଠେଲୁ ମାହାତୋ ଏବଂ ‘ଲୋଖି’ ମାହାତୋ ପିରଡ଼ା ଗ୍ରାମରେ ଆମକୁ କହିଥିଲେ, ଦୂରନ୍ତ ଅଞ୍ଚଳଗୁଡ଼ିକରେ ଯେ କୌଣସି ପ୍ରକାରର ଖବର ପହଞ୍ଚିବା ପାଇଁ ଅନେକ ସମୟ ଲାଗିଯାଉଥିଲା। ଠେଲୁ ମାହାତୋ କୁହନ୍ତି, ‘‘ଭାରତ ଛାଡ଼ ଡାକରା ଦିଆଯିବାର ବୋଧହୁଏ ମାସେ ପରେ ଆମେ ସେ ସମ୍ପର୍କରେ ଜାଣିବାକୁ ପାଇଥିଲୁ।’’

ଏବଂ ସେଥିପାଇଁ ଏହାର ପ୍ରତିକ୍ରିୟାରେ ଯୋଜନା କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସେପ୍ଟେମ୍ବର ୩୦, ୧୯୪୨ ମସିହାରେ ଘଟିଥିଲା। ଅଗଷ୍ଟ ୮, ୧୯୪୨ ମସିହାରେ ମୁମ୍ବାଇର ଗୋୱାଲିଆ ଟ୍ୟାଙ୍କ ମଇଦାନରେ ଇଂରେଜମାନେ ‘ଭାରତ ଛାଡ଼ିବା’ ପାଇଁ ମହାତ୍ମା ଗାନ୍ଧିଙ୍କ ଡାକରାର ପୁରା ୫୩ ଦିନ ପରେ ଏହା କରାଯାଇଥିଲା। କାର୍ଯ୍ୟାନୁଷ୍ଠାନରେ ବୈଦ୍ୟନାଥ ଗିରଫ ହୋଇଥିଲେ ଏବଂ ଏହା ପରବର୍ତ୍ତୀ ଅତ୍ୟାଚାର ସହିଥିଲେ। ସ୍ୱାଧୀନତା ପରେ ସେ ଜଣେ ସ୍କୁଲ୍‌ ଶିକ୍ଷକ ହୋଇଥିଲେ। ସେ ସମୟରେ ଶିକ୍ଷକମାନେ ରାଜନୈତିକ ମତାମତ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ। ଏହି ଭୂମିକା ସ୍ୱାଧୀନ ଭାରତରେ କେଇ ଦଶକ ପର୍ଯ୍ୟନ୍ତ ଚାଲୁ ରହିଥିଲା।

*****

Bhabani ran the family’s farm for decades right from preparing the soil for sowing, to supervising the labour and the harvesting. She even transported the produce back home herself
PHOTO • P. Sainath

ସେ କେଇ ଦଶକ ଧରି ପରିବାରର କୃଷି କାର୍ଯ୍ୟ ଚଳାଉଥିଲେ ।  ବିହନ ବୁଣିବା ପାଇଁ ମାଟି ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି କୃଷି ଶ୍ରମିକମାନଙ୍କୁ ଓ ଅମଳକୁ ତଦାରଖ କରିବା । ସେ ଅମଳ ହେଉଥିବା ସାମଗ୍ରୀ ଘରକୁ ମଧ୍ୟ ବୋହିକରି ନେଉଥିଲେ

ପୋଲିସ୍ ଥାନାକୁ ଦଖଲ କରିବା ଏବଂ ସେଗୁଡ଼ିକ ଉପରେ ପତାକା ଉତ୍ତୋଳନ କରିବା ଉଦ୍ୟମରେ ବିଭିନ୍ନ ପ୍ରକାର ଗୋଷ୍ଠୀ ସଂପୃକ୍ତ ଥିଲେ। ସେମାନଙ୍କ ମଧ୍ୟରେ ଇଂରେଜ ଶାସନର ଶୋଷଣରେ ଅତିଷ୍ଠ ହୋଇଯାଇଥିବା ସାଧାରଣ ଜନତା ଥିଲେ। ବିଭିନ୍ନ ପୃଷ୍ଠଭୂମିରୁ ଅନେକ ଲୋକ ଥିଲେ। ବାମପନ୍ଥୀ କ୍ରାନ୍ତିକାରୀ ଏବଂ ଗାନ୍ଧି ଅନୁଗାମୀ ଥିଲେ। ଏଥିସହିତ ଠେଲୁ ଓ ‘ଲୋଖି’ ମାହାତୋଙ୍କ ପରି ଅନେକ ଲୋକ ଥିଲେ ଯେଉଁମାନେ ସେମାନଙ୍କ ବିଚାରଧାରାରେ ବାମପନ୍ଥୀ ଏବଂ ବ୍ୟକ୍ତିତ୍ୱରେ ଗାନ୍ଧିବାଦୀ ଥିଲେ ବୋଲି ଆମେ ଅନୁଭବ କରିପାରୁଥିଲୁ।

ସେମାନଙ୍କର ରାଜନୀତି, ସେମାନଙ୍କର ଉତ୍ସାହ, ବାମପନ୍ଥ ସହ ଥିଲା। ସେମାନଙ୍କର ନୈତିକତା ଏବଂ ଜୀବନଶୈଳୀ ଗାନ୍ଧିଙ୍କ ମାର୍ଗଦର୍ଶନରେ ଥିଲା। ସେମାନେ ଅଧିକାଂଶ ସମୟରେ ଏହି ଦୁଇଟି ମାର୍ଗ ମଧ୍ୟରେ ଦୁଇ ଭାଗ ହୋଇଯାଉଥିଲେ। ସେମାନେ ଅହିଂସାରେ ବିଶ୍ୱାସ କରୁଥିଲେ ଏବଂ ବେଳେ ବେଳେ ଇଂରେଜମାନଙ୍କ ବିରୋଧରେ ହିଂସା ଦ୍ୱାରା ପ୍ରତିବାଦ ଜଣାଉଥିଲେ। ସେମାନେ କୁହନ୍ତି: ‘‘ଦେଖନ୍ତୁ, ସେମାନେ ଆମ ଉପରେ ଗୁଳି ଚଳାଇଥିଲେ। ଆଖି ଆଗରେ ପୋଲିସ୍ ସେମାନଙ୍କର ବନ୍ଧୁ, ପରିବାର ଏବଂ ସାଥୀମାନଙ୍କୁ ଗୁଳି କରି ହତ୍ୟା କଲେ, ତାହା ଦେଖି ଲୋକେ ପ୍ରତିବାଦ କଲେ।’’ ଉଭୟେ ଠେଲୁ ଏବଂ ‘ଲୋଖି’ ହେଉଛନ୍ତି କୁର୍ମି ସମୂହର।

ଭବାନୀଙ୍କ ପରିବାର ମଧ୍ୟ କୁର୍ମି, ଏହା ପଶ୍ଚିମବଙ୍ଗର ଜନଗଲମାହଲ ଅଞ୍ଚଳର ବୃହତ୍ତମ ସମୂହ।

ବ୍ରିଟିଶ ଶାସନ ସେମାନଙ୍କୁ ୧୯୧୩ରେ ଏକ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ କରିଥିଲା। ୧୯୩୧ ଜନଗଣନାରେ ଏହା ସେମାନଙ୍କୁ ସେହି ଗୋଷ୍ଠିରୁ ବାହାର କରିଦେଇଥିଲା। ୧୯୫୦ରେ ଭାରତରେ ସେମାନେ ଓବିସି ଭାବରେ ତାଲିକାଭୁକ୍ତ ହୋଇଥିଲେ। ଏହି ରାଜ୍ୟରେ ସେମାନଙ୍କର ଆଦିବାସୀ ପରିଚୟର ପୁନରୁଦ୍ଧାର କୁର୍ମିମାନଙ୍କର ଗୋଟିଏ ମୁଖ୍ୟ ଦାବି ହୋଇରହିଛି।

କୁର୍ମିମାନେ ମଧ୍ୟ ଏଠାରେ ସ୍ୱାଧୀନତା ସଂଗ୍ରାମରେ ସବୁଠାରୁ ଆଗରେ ଥିଲେ। ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ୧୯୪୨ ମସିହା ସେପ୍ଟେମ୍ବର ମାସର ଶେଷ ଦୁଇ ଦିନ ୧୨ଟି ପୋଲିସ୍‌ ଥାନାକୁ ଯାଇଥିଲେ।

Baidyanath Mahato was jailed 13 months for his role in the Quit India stir
PHOTO • Courtesy: the Mahato family

ଭବାନୀଙ୍କ ସ୍ୱାମୀ ବୈଦ୍ୟନାଥ ଭାରତ ଛାଡ଼ ଆନ୍ଦୋଳନରେ ୧୩ ମାସ ପାଇଁ ଜେଲ୍‌ରେ ରହିଥିଲେ

ବୟସର ୭୦ ଦଶକରେ ପହଞ୍ଚିଥିବା ତାଙ୍କ ପୁଅ ଶ୍ୟାମ ସୁନ୍ଦର ମାହାତୋ କୁହନ୍ତି, ‘‘ବୈଦ୍ୟନାଥ ପରବର୍ତ୍ତୀ ୧୩ ମାସ ଜେଲ୍‌ରେ କଟାଇଥିଲେ। ତାଙ୍କୁ ଭାଗଲପୁର ଜେଲ୍‌ କ୍ୟାମ୍ପ୍‌ରେ ରଖାଯାଇଥିଲା।’’ ଏହା ପରେ ହିଁ ଆମେ ସେ ଜେଲ୍‌ରେ ବନ୍ଦୀ ହେବା ତାଙ୍କ ପାଇଁ କଷ୍ଟକର ହୋଇଥିବ ବୋଲି ଭବାନୀଙ୍କୁ ପଚାରିଥିଲୁ। ଏବଂ ତାଙ୍କଠାରୁ ଚମକେଇବା ଭଳି ଉତ୍ତର ପାଇଥିଲୁ ଯେ ସେ ଘରକୁ ଫେରିବା ଅଧିକ କଷ୍ଟକର ହୋଇଥିଲା।

‘‘ଏହାର ଅର୍ଥ ହେଉଛି ଅଧିକ ଲୋକ ଆସିବା। ଅଧିକ ଲୋକଙ୍କୁ ଖାଇବାକୁ ଦେବା। ଅଧିକ ଲୋକଙ୍କ ଭଲମନ୍ଦ ବୁଝିବା। ସେ ଯେତେବେଳେ ଫେରିଆସିଲେ ମୁଁ ଖୁବ୍‌ କାନ୍ଦୁଥିଲି ଏବଂ ମୋର କ୍ରୋଧ ପ୍ରକାଶ କରୁଥିଲି। କହୁଥିଲି ଯେ ତାଙ୍କର ଏହିସବୁ ମହାନ୍‌ ବୀରତ୍ୱ ମୋ ମୂଲ୍ୟରେ, ତାଙ୍କ ପରିବାରର ମୂଲ୍ୟରେ ହିଁ ହେଉଛି। ଏବଂ ସେ ଫେରିବା ସହିତ ମୋ କାମ ବଢ଼ିଯାଉଥିଲା।’’

ଆମେ ଆମର ଧ୍ୟାନ ଆଉ ଥରେ ଭବାନୀଙ୍କ ଉପରକୁ ଆଣିଲୁ। ତାଙ୍କ ଚିନ୍ତାଧାରା ଉପରେ ଗାନ୍ଧିଙ୍କର କୌଣସି ପ୍ରଭାବ ଥିଲା କି? ସେ ସତ୍ୟାଗ୍ରହ ଏବଂ ଅହିଂସା ବିଷୟରେ କ’ଣ ଚିନ୍ତା କରୁଥିଲେ?

ଯଦିଓ ସେ ଶାନ୍ତ ଥିଲେ, ଭବାନୀ ଉଭୟ ସ୍ପଷ୍ଟବାଦୀ ଏବଂ ଭାବନାତ୍ମକ ଭାବରେ ନିଜକୁ ପରିପ୍ରକାଶ କରିବା ପରି ବ୍ୟକ୍ତିତ୍ୱ ଥିଲେ। ସେ ଆମକୁ ନରମ ଚାହାଁଣି ଦେଉଥିଲେ ଯାହା କିଛି ପରିମାଣରେ ଏହି ଭାବନା ପ୍ରକାଶ କରୁଥିଲା ଯେ ସେ ଅବୁଝା ପିଲାମାନଙ୍କ ଆଗରେ ନିଜକୁ ପରିପ୍ରକାଶ କରୁଛନ୍ତି ଯେଉଁମାନେ କି ତାଙ୍କୁ ବୁଝିପାରୁନାହାନ୍ତି।

‘‘ଗାନ୍ଧି... ତୁମେ କହିବାର ଅର୍ଥ କ’ଣ?’’ ସେ ପଚାରନ୍ତି। ସେ ଜୋର୍‌ ଦେବା ପାଇଁ ଆମ ଆଗରେ ହାତ ହଲାଇ କହୁଥିଲେ, ‘‘ତୁମେ କ’ଣ କହୁଛ? ତୁମେ ଭାବୁଛ କି ମୁଁ ସେସବୁ ବିଷୟରେ ବସି ଚିନ୍ତା କରିବାକୁ ଏବଂ ବିଚାର କରିବାକୁ ଯାଉଥିଲି ? ପ୍ରତିଦିନ ଲୋକଙ୍କ ସଂଖ୍ୟା ବଢ଼ୁଥିଲା। ଯେଉଁମାନଙ୍କୁ ମୋତେ ପରଷିବାକୁ ହେଉଥିଲା, ଭଲ ମନ୍ଦ ବୁଝିବାକୁ ହେଉଥିଲା ଏବଂ ସେମାନଙ୍କ ପାଇଁ ରୋଷେଇ କରିବାକୁ ହେଉଥିଲା।’’

‘‘ଦୟାକରି ବୁଝ, ଯେତେବେଳେ ମୋର ବିବାହ ହେଲା ମୋର ବୟସ ୯ ବର୍ଷ ଥିଲା। ସେତେବେଳେ ମୁଁ ଏପରି ବଡ଼ ବଡ଼ ପ୍ରସଙ୍ଗ ବିଷୟରେ କ’ଣ ଚିନ୍ତା କରିପାରୁଥିଲି? ତା’ ପରେ କେଇ ଦଶକ ପର୍ଯ୍ୟନ୍ତ ମୁଁ ଗୋଟିଏ ବଡ଼ ଯୁଗ୍ମ ପରିବାରର ଦାୟିତ୍ୱ ଏକୁଟିଆ ଚଳାଉଥିଲି। ତୁମେ ଜାଣ, ମୁଁ ଚାଷ କଥା ବୁଝୁଥିଲି। ମାଟି ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ବୁଣିବା ଏବଂ ମୁନିସ୍‌ (ଶ୍ରମିକ)ମାନଙ୍କୁ ତଦାରଖ କରିବା, ବଛାବଛି କରିବାଠାରୁ ଅମଳ କରିବା ପର୍ଯ୍ୟନ୍ତ...’’ ସେତେବେଳେ ସେ କୃଷି ଶ୍ରମିକମାନଙ୍କୁ ରନ୍ଧା ଖାଦ୍ୟ ଦେଉଥିଲେ।

ଏହା ପରେ ସେ ସେହି ଜଙ୍ଗଲ କଡ଼ରେ ଥିବା ଏହି ବିଲଗୁଡ଼ିକରୁ ଅମଳ ହୋଇଥିବା ଫସଲକୁ ଘରକୁ ଆଣୁଥିଲେ।

ଏବଂ ଯେଉଁ ସମୟରେ ତାଙ୍କର କୌଣସି ଯାନ୍ତ୍ରିକ ଉପକରଣ ନଥିଲା ସେହି ସମୟରେ ସେ ଏସବୁ କରୁଥିଲେ – ବିଦ୍ୟୁତ୍‌ ବିଷୟରେ ସେ ସମୟରେ ଶୁଣିବାକୁ ବି ମିଳିନଥିଲା। ଏବଂ ସେ ଜମିରେ କରୁଥିବା ସମସ୍ତ ଶାରୀରିକ ପରିଶ୍ରମ ଅବିଶ୍ୱସନୀୟ ଭାବରେ ପୁରୁଣା ଉପକରଣ ଓ ସାମଗ୍ରୀଗୁଡ଼ିକରେ କରୁଥିଲେ ସେଗୁଡ଼ିକ ପୁରୁଷ ଲୋକଙ୍କ ହାତ ପାଇଁ ବଡ଼ ଆକାରରେ ପ୍ରସ୍ତୁତ କରାଯାଇଥିଲା। ଏହା ପୁଣି ସେ ଅସମାନତା ଏବଂ କ୍ଷୁଧାରେ ପ୍ରପୀଡ଼ିତ ଅତ୍ୟନ୍ତ ମରୁଡ଼ି ପ୍ରବଣ ଅଞ୍ଚଳରେ ହିଁ କରୁଥିଲେ।

ସେ ବିବାହ କରିବାର ତିନି ଦଶକ ପରେ ବୈଦ୍ୟନାଥ ପୁଣି ଥରେ ବିବାହ କଲେ। ଏଥର ସେ ଭବାନୀଙ୍କ ନିଜ ଭଉଣୀ ଉର୍ମିଳାଙ୍କୁ ବିବାହ କରିଥିଲେ ଯେ କି ଭବାନୀଙ୍କଠାରୁ ପ୍ରାୟ ୨୦ ବର୍ଷ ସାନ ଥିଲେ। ସେମାନଙ୍କ ସମ୍ପର୍କୀୟମାନେ କହନ୍ତି ଏକ ଗୁରୁତର ପାରିବାରିକ ବିପର୍ଯ୍ୟୟ କାରଣରୁ ଏହି ଘଟଣା ଘଟିଥିଲା। ଉଭୟ ଭଉଣୀଙ୍କର ତିନୋଟି ଲେଖାଏଁ ସନ୍ତାନ ଥିଲେ।

PHOTO • P. Sainath
PHOTO • P. Sainath

ପୁରୁଲିୟା ଜିଲ୍ଲାର ଚେପୁୟା ଗ୍ରାମରେ ତାଙ୍କ ନିଜ ଘରେ ଭବାନୀ

ଏହା ଧୀରେ ଧୀରେ ବୁଝି ହେଉଥିଲା। ଭବାନୀ ମାହାତୋ ତାଙ୍କ ପରିବାର ଏବଂ ଆଉ ଅନ୍ୟମାନଙ୍କ ପାଇଁ ରାନ୍ଧିଥିବା ଖାଦ୍ୟ ନିଜେ ଚାଷ କରୁଥିଲେ, ଅମଳ କରୁଥିଲେ ଏବଂ ନେବା ଆଣିବା କରୁଥିଲେ। ସେ ୧୯୨୦ ଏବଂ ୧୯୩୦ ଦଶକରେ ଏବଂ ୧୯୪୦ ଦଶକରେ ମଧ୍ୟ ତାହା କରୁଥିଲେ।

ସେ କେତେ ଏକର ଜମିରେ ଚାଷ କରୁଥିଲେ ତାହା ଟିକେ ଅସ୍ପଷ୍ଟ ଥିଲା। ତାଙ୍କ ପରିବାର ଯେଉଁ ଜମିକୁ ନିଜର ବୋଲି ମନେକରୁଥିଲେ ସେଥିରେ ଚାଷ କରୁଥିଲେ କିନ୍ତୁ ଏହାର ସ୍ୱତ୍ୱାଧିକାର ସେମାନଙ୍କ ପାଖରେ ନଥିଲା। ସେମାନେ ଜମିଦାରମାନଙ୍କ ଇଛା ଉପରେ ନିର୍ଭର କରି ଏଥିରେ କାମ କରୁଥିଲେ। ୨୦ ସଦସ୍ୟ ବିଶିଷ୍ଟ ତାଙ୍କର ବିଶାଳ ପରିବାର ଜନଡ଼ାରେ ଥିବା ଭବାନୀଙ୍କ ନିଜ ପରିବାରର ଜମି ଏବଂ ଚେପୁୟାରେ ତାଙ୍କ ସ୍ୱାମୀଙ୍କ ପରିବାରର ଜମି ଉପରେ ନିର୍ଭର କରୁଥିଲେ। ଉଭୟ ଗ୍ରାମରେ ତାହା ସମୁଦାୟ ପାଖାପାଖି ୩୦ ଏକର ଥିଲା।

ତାଙ୍କ ଉପରେ ପଡ଼ୁଥିବା କାର୍ଯ୍ୟର ଅମାନବୀୟ ବୋଝ ତାଙ୍କର ପ୍ରତ୍ୟେକ ଜାଗ୍ରତ ସମୟକୁ ନେଇଯାଉଥିଲା। ଏବଂ ତାହା ଅଧିକ ଥିଲା।

ତା’ହେଲେ ସେ ସକାଳ ୪ଟା ସୁଦ୍ଧା ଉଠିପଡ଼ୁଥିଲେ? ସେ ବ୍ୟଙ୍ଗ କରି କୁହନ୍ତି, ‘‘ତା’ର ବହୁତ ପୂର୍ବରୁ, ତାହାର ବହୁତ ପୂର୍ବରୁ।’’ ମନେ ହେଉଥିଲା ସେ ପୂର୍ବାହ୍ଣ ୨ଟା ସୁଦ୍ଧା ଉଠିଯାଉଥିଲେ। ‘‘ଏବଂ ମୁଁ କେବେ ବି ରାତି ୧୦ଟା ପୂର୍ବରୁ ଶୋଇବାକୁ ଯାଇନି। ସାଧାରଣତଃ ଏହାର ଅନେକ ପରେ।’’

ତାଙ୍କର ପ୍ରଥମ ସନ୍ତାନ ଅମାଶୟ କାରଣରୁ ମୃତ୍ୟୁବରଣ କରିଥିଲା।  ‘‘ଆମେ ଜଣେ ଚିକିତ୍ସକଙ୍କ ପାଖକୁ ଯାଇଥିଲୁ, କବିରାଜ କୁହାଯାଉଥିବା ଜଣେ ଫକିରଙ୍କ ପାଖକୁ। କିନ୍ତୁ ଏଥିରେ କିଛି ଲାଭ ହେଲା ନାହିଁ। ମାତ୍ର ବର୍ଷେ ହୋଇଥିଲା ସେ ମରିଗଲା।’’

ମୁଁ ପୁଣି ଥରେ ତାଙ୍କୁ ଗାନ୍ଧି ଏବଂ ଆନ୍ଦୋଳନ ବିଷୟରେ ପଚାରିବାକୁ ଚେଷ୍ଟା କଲି। ସେ କୁହନ୍ତି, ‘‘ମୁଁ ମାଆ ହେବା ପରେ,’’ ‘‘ମୁଁ ଚରଖା ଚଲାଇବାକୁ  ଏବଂ ଅନ୍ୟସବୁ ଜିନିଷ ଯାହା ମୁଁ କରୁଥିଲି ସେଥିପାଇଁ ସମୟ ପାଇଲି ନାହିଁ।’’ ସେ ଆମକୁ ପୁଣି ଥରେ ମନେପକାଇ ଦେଲେ – ‘‘ବିବାହ କରିବା ସମୟରେ ମୋର ବୟସ ମାତ୍ର ୯ ଥିଲା।’’

କିନ୍ତୁ ଏହା ପରେ, ସେ ଯେଉଁ ସମୟରେ ଜୀବନ ଜିଇଁଥିଲେ, ସେ ଯେଉଁ ସମସ୍ୟା ଦେଇ ଯାଇଥିଲେ ସେଥିପାଇଁ ଭବାନୀ ନିଶ୍ଚୟ ସେ ସମୟରେ ସାମ୍ନା କରିଥିବା ତିନୋଟି ମହାନ୍‌ ଅଭିଜ୍ଞତା ବିଷୟରେ ଆମକୁ କହିପାରିବେ?

‘‘ମୁଁ ପ୍ରତି ମୁହୂର୍ତ୍ତରେ ଭାରକ୍ରାନ୍ତ ହୋଇରହୁଥିଲି। ଦୟାକରି ମୋ ଜୀବନ କେମିତି ଥିଲା ତାହା ବୁଝ। ତୁମେ କ’ଣ ଭାବୁଛ, ମୁଁ ବସି ଏସବୁ ବିଷୟ ଚିନ୍ତା କରିବାକୁ ଯାଉଥିଲି? ମୁଁ ଦେଖୁଥିଲି କେମିତି ଏହି ବଡ଼ ପରିବାର ଚଳେଇବାକୁ ହେବ। ବୈଦ୍ୟନାଥ ଏବଂ ଅନ୍ୟମାନେ ସଂଘର୍ଷରେ ସାମିଲ୍‌ ଥିଲେ। ମୁଁ ସମସ୍ତଙ୍କୁ ଖାଇବାକୁ ଦେଉଥିଲି।’’

ଯେତେବେଳେ ସେ ଭାରରେ ନଇଁଯାଉଥିଲେ ଏବଂ ଅସହ୍ୟ ଚାପ ଭୋଗୁଥିଲେ ସେ କ’ଣ କରୁଥିଲେ? ‘‘ମୁଁ ମୋ ମାଆ ପାଖରେ ବସୁଥିଲି ଏବଂ ସେଠାରେ କାନ୍ଦୁଥିଲି। ମନେରଖ, ଯେତେବେଳେ ମୋତେ ବୈଦ୍ୟନାଥ ନିଜ ସହ ନେଇ ଆସୁଥିବା ଅଧିକରୁ ଅଧିକ ଲୋକଙ୍କ ପାଇଁ ରୋଷେଇ କରିବାକୁ ହେଉଥିଲା – ମୁଁ ବିରକ୍ତ ହେଉନଥିଲି, ମୋତେ କାନ୍ଦିବାକୁ ଇଛା ହେଉଥିଲା।’’

ଆମେ ତାଙ୍କୁ ଭଲ ଭାବରେ ବୁଝିପାରୁ, ସେଥିପାଇଁ ସେ ସେହି ଶବ୍ଦଗୁଡ଼ିକ ଦୋହରାଇଥିଲେ – ‘‘ମୁଁ ବିରକ୍ତ ହେଉନଥିଲି, ମୁଁ କେବଳ କାନ୍ଦିବାକୁ ଚାହୁଁଥିଲି।’’

*****

୧୯୪୦ ଦଶକରେ ତାଙ୍କର ଭାର ସବୁଠାରୁ ଅଧିକ ଥିଲା ବଙ୍ଗ ଦୁର୍ଭିକ୍ଷର ବର୍ଷଗୁଡ଼ିକ ସମୟରେ। ସେ ସମୟରେ ସେ ଯେଉଁ କଷ୍ଟକର ପରିସ୍ଥିତିକୁ ସାମ୍ନା କରିଥିବେ ତାହା କଳ୍ପନା ଭିତରେ ନଥିଲା

ଭିଡିଓ ଦେଖନ୍ତୁ: ଭବାନୀ ମାହାତୋ - ପୁରୁଲିୟା’ର ନିରୁଦ୍‌ବିଗ୍ନ ସ୍ୱାଧୀନତା ସଂଗ୍ରାମ

ଏବଂ ଯେତେବେଳେ ଆମେ ବାହାରିବା ପାଇଁ ଚେୟାର୍‌ରୁ ଉଠୁଥିଲୁ, ତାଙ୍କର ନାତି ପାର୍ଥ ସାରଥୀ ମାହାତୋ ଆମକୁ ବସିବା ପାଇଁ କହିଲେ। ବୈଦ୍ୟନାଥଙ୍କ ପରି ଜଣେ ଶିକ୍ଷକ ଥିବା ‘ପାର୍ଥ ଦା’ ଆମକୁ କେଇପଦ କହିବାକୁ ଚାହୁଁଥିଲେ।

ଏବଂ ଶେଷରେ ବୁଝାପଡ଼ିଲା।

ସେ ତାଙ୍କର ବଡ଼ ପରିବାର ବ୍ୟତୀତ କେଉଁ ଲୋକମାନଙ୍କ ପାଇଁ ରୋଷେଇ କରୁଥିଲେ? ବେଳେ ବେଳେ ବୈଦ୍ୟନାଥ ଯେଉଁ ପାଞ୍ଚ- ଦଶ – କୋଡ଼ିଏ ଲୋକଙ୍କ ପାଇଁ ରୋଷେଇ କରିବାକୁ ତାଙ୍କୁ କହୁଥିଲେ ସେମାନେ କିଏ?

ପାର୍ଥ ଦା’ କୁହନ୍ତି, ‘‘ସେ ଯେଉଁମାନଙ୍କ ପାଇଁ ରୋଷେଇ କରୁଥିଲେ ସେମାନେ କ୍ରାନ୍ତିକାରୀ ଥିଲେ’’। ‘‘ସେମାନେ ଛଦ୍ମ ବେଶରେ ରହୁଥିଲେ, ଅଧିକାଂଶ ସମୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲେ କିମ୍ବା ଜଙ୍ଗଲରେ ଲୁଚୁଥିଲେ।’’

ଆମେ କେଇ ମୁହୂର୍ତ୍ତ ସେଠାରେ ନିରବରେ ବସିଲୁ। ୯ ବର୍ଷ ବୟସରୁ ପ୍ରାୟ ତାଙ୍କର ସମୁଦାୟ ଜୀବନରେ ନିଜ ପାଇଁ ଗୋଟିଏ ମୁହୂର୍ତ୍ତ ପାଇନଥିବା ସେହି ମହିଳାଙ୍କ ନିଛକ ବଳିଦାନରେ ସମ୍ପୂର୍ଣ୍ଣ ଭାବରେ ଅଭିଭୂତ ହୋଇଯାଇଥିଲେ।

ସେ ୧୯୩୦ ଏବଂ ୪୦ ଦଶକରେ ଯାହା କରିଥିଲେ ତାହା ସ୍ୱାଧୀନତା ସଂଗ୍ରାମରେ ଅଂଶଦାନ ନଥିଲା, ତା’ହେଲେ କ’ଣ ଥିଲା?

ତାଙ୍କ ପୁଅ ଏବଂ ଅନ୍ୟମାନେ ଆମ ଆଡ଼କୁ ଚାହିଁଲେ, ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ଆମେ ଏହା ବୁଝିନଥିଲୁ। ସେମାନେ ଧରିନେଇଥିଲେ ଯେ ଆମେ ଏହା ଜାଣିଥିଲୁ।

ଭବାନୀ ଜାଣିଥିଲେ କି ସେ କ’ଣ କରୁଥିଲେ ଏବଂ କାହା ପାଇଁ?

କହିବାକୁ ଗଲେ ପ୍ରକୃତରେ ହଁ। ସେ କେବଳ ସେମାନଙ୍କର ନାମ ଜାଣିନଥିଲେ କିମ୍ବା ସେମାନଙ୍କୁ ବ୍ୟକ୍ତିଗତ ଭାବରେ ଚିହ୍ନିନଥିଲେ। ବୈଦ୍ୟନାଥ ଏବଂ ତାଙ୍କ ସାଥୀ ବିଦ୍ରୋହୀମାନେ ଗାଁର ମହିଳାମାନଙ୍କ ଦ୍ୱାରା ରନ୍ଧାଯାଉଥିବା ଖାଦ୍ୟକୁ ସ୍ଥାନାନ୍ତରିତ କରିବାର ବ୍ୟବସ୍ଥା କରିଥିଲେ, ଏମିତି ଏକ ଉପାୟରେ ଯାହାର ଲକ୍ଷ୍ୟ ଥିଲା ଉଭୟଙ୍କୁ ଯେତେଦୂର ସମ୍ଭବ ସୁରକ୍ଷା ଦେଇପାରିବା।

ସେ ସମୟର ପୁରୁଲିୟାର ପରିସ୍ଥିତି ଉପରେ ଗଭୀର ଅଧ୍ୟୟନ କରିଥିବା ପାର୍ଥ ଦା’ ଆମକୁ ପରେ ବୁଝାଇଥିଲେ: ‘‘ଗାଁରେ ଥିବା କେବଳ ଅଳ୍ପ କେଇଟି ସମ୍ପନ୍ନ ପରିବାରକୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ସେଠାରେ ଲୁଚିଥିବା କର୍ମୀମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ହେଉଥିଲା। ଏବଂ ଏହା କରୁଥିବା ମହିଳାମାନଙ୍କୁ ସେମାନଙ୍କ ରୋଷେଇଘରେ ରନ୍ଧା ଖାଦ୍ୟ ରଖି ଚାଲିଯିବାକୁ କୁହାଯାଉଥିଲା।

‘‘ସେମାନେ ଜାଣିନଥିଲେ କିଏ ଆସୁଥିଲେ ଏବଂ ଖାଦ୍ୟ ନେଇ ଚାଲିଯାଉଥିଲେ କିମ୍ବା କେଉଁ ଲୋକମାନଙ୍କ ପାଇଁ ସେମାନେ ଖାଦ୍ୟ ରାନ୍ଧୁଛନ୍ତି। ବିପ୍ଳବୀମାନେ ଖାଦ୍ୟ ନେବାଆଣିବା ପାଇଁ ଗାଁର ଲୋକମାନଙ୍କୁ କେବେହେଲେ ବ୍ୟବହାର କରୁନଥିଲେ। ଇଂରେଜମାନଙ୍କର ଗାଁରେ ଖବରୀ ଏବଂ ସୂଚନାଦାତା ଥିଲେ। ଏଥିସହିତ ସେମାନଙ୍କର ସହଯୋଗୀ ଥିବା ଏକଛତ୍ରବାଦୀ ଜମିଦାରମାନଙ୍କର ମଧ୍ୟ। ଏହି ସୂଚନାଦାତାମାନେ ଜଙ୍ଗଲକୁ ଜିନିଷ ନେଇଯାଉଥିବା ଲୋକମାନଙ୍କୁ ଚିହ୍ନିବାର ଆଶଙ୍କା ଥିଲା। ଏହା ଉଭୟ ମହିଳା ଏବଂ ଲୁଚି ରହିଥିବା ବିପ୍ଳବୀମାନଙ୍କୁ ବପଦରେ ପକାଉଥାଆନ୍ତା। ସେମାନେ ଖାଦ୍ୟ ସଂଗ୍ରହ କରିବା ପାଇଁ ଏମିତି ଲୋକଙ୍କୁ ପଠାଉଥିଲେ ଯାହାକୁ କେହି ଚିହ୍ନିପାରିବେ ନାହିଁ – ବୋଧହୁଏ ରାତିରେ। ମହିଳାମାନେ କିଏ ଖାଦ୍ୟ ନେଉଥିଲା କେବେ ବି ଦେଖିନଥିଲେ।

‘‘ଏହିପରି ଭାବରେ ଉଭୟଙ୍କୁ ଚିହ୍ନଟହେବାରୁ ସୁରକ୍ଷିତ ରଖାଯାଉଥିଲା। କିନ୍ତୁ ମହିଳାମାନେ ଜାଣୁଥିଲେ କ’ଣ ହେଉଛି। ଗାଁର ଅଧିକାଂଶ ମହିଳା ପ୍ରତିଦିନ ସକାଳେ ପୋଖରୀ, ଝରଣା, କୂଅ ନିକଟରେ ଜମା ହେଉଥିଲେ ଏବଂ ଏଥିରେ ସଂପୃକ୍ତ ଥିବା ମହିଳାମାନେ ପରସ୍ପର ମଧ୍ୟରେ ସୂଚନା ଏବଂ ଅଭିଜ୍ଞତା ବିନିମୟ କରୁଥିଲେ। ସେମାନେ ଜାଣିଥିଲେ ସେମାନେ କାହିଁକି ଏବଂ କ’ଣ କରୁଥିଲେ – କିନ୍ତୁ କେବେହେଲେ ନିର୍ଦ୍ଦିଷ୍ଟ ଭାବରେ କାହା ପାଇଁ ଜାଣିନଥିଲେ।’’

*****

PHOTO • P. Sainath

ଭବାନୀ  ତାଙ୍କ ନାତି ପାର୍ଥ ସାରଥି ମାହାତୋ (ତଳ ଡାହାଣ)ଙ୍କ ସମେତ ତାଙ୍କର ବର୍ତ୍ତମାନ ପରିବାରର ଅନ୍ୟ ୧୩ ଜଣ ସଦସ୍ୟଙ୍କ ସହିତ । ଏହି ଫଟୋ ନିଆଯିବା ବେଳେ ପରିବାରର କେତେଜଣ ସଦସ୍ୟ ସେଠାରେ ଉପସ୍ଥିତ ନଥିଲେ

ଏହି ‘ମହିଳାମାନଙ୍କ’ ମଧ୍ୟରେ କିଶୋର ବୟସରେ ପହଞ୍ଚିଥିବା ଝିଅମାନେ ମଧ୍ୟ ଥିଲେ। ସେମାନେ ଖୁବ୍‌ ବଡ଼ ବିପଦ ବରଣ କରୁଥିଲେ। ଯଦି ପୋଲିସ୍‌ ଭବାନୀଙ୍କ ଘରେ ପହଞ୍ଚିଯାଏ ତେବେ କ’ଣ ହେବ? ‘ସବୁକିଛି’ ପାଇଁ ତାଙ୍କ ଉପରେ ନିର୍ଭର କରୁଥିବା ତାଙ୍କ ପରିବାର ଏବଂ ତାଙ୍କର କ’ଣ ହେବ? ତେବେ ଲୁକ୍କାୟିତ ରହିବାର ନିୟମ କାମ କରିଥିଲା।

ତଥାପି, ସ୍ୱଦେଶୀ, ଚରଖା ଏବଂ ଇଂରେଜମାନଙ୍କୁ ବିରୋଧର ଅନ୍ୟ ପ୍ରତୀକଗୁଡ଼ିକ ଆପଣେଇ ନେଇଥିବା ପରିବାରଗୁଡ଼ିକ ସବୁବେଳେ ନଜର ଭିତରେ ରହୁଥିଲେ। ବିପଦଗୁଡ଼ିକ ପ୍ରକୃତରେ ଥିଲା।

ତା’ହେଲେ ଲୁଚି ରହୁଥିବା ଲୋକମାନଙ୍କ ପାଇଁ ଭବାନୀ କ’ଣ ରୋଷେଇ କରୁଥିଲେ? ଆମର ସାକ୍ଷାତ ପରେ ଏହା ବୁଝାଇଦେବାକୁ ସେ ପାର୍ଥ ଦା’ଙ୍କୁ କହିଥିଲେ। ଜୋନାର (ମକା), କୋଦୋ (ଖଡ଼ା ବାଜରା), ମାଡ଼ୱା (ମାଣ୍ଡିଆ), ଏବଂ ମହିଳାମାନେ ପାଇପାରୁଥିବା ଯେ କୌଣସି ପନିପରିବା। ଯାହାର ଅର୍ଥ ହେଉଛି ଭବାନୀ ଏବଂ ତାଙ୍କର ସାଥୀମାନଙ୍କୁ ଧନ୍ୟବାଦ, ସେମାନେ ଅଧିକାଂଶ ସମୟରେ ଘରେ ଥିବା ଖାଦ୍ୟଶସ୍ୟ ଉପଯୋଗ କରୁଥିଲେ।

କେବେ କେବେ ସେମାନେ ମୁଢ଼ି ଭାଜୁଥିଲେ କିମ୍ବା ଚୁଡ଼ା କରୁଥିଲେ – ଯାହାକୁ ବଙ୍ଗଳାରେ ଚିଁଡେ (ପୋହା) କୁହାଯାଏ। ଏହି ମହିଳାମାନେ ବେଳେ ବେଳେ ସେମାନଙ୍କ ପାଖକୁ ଫଳ ପଠାଉଥିଲେ। ଏହା ବ୍ୟତୀତ ସେମାନେ ଜଙ୍ଗଲୀ ଫଳ ଓ କୋଳି ଖାଉଥିଲେ। ପୁରୁଣା ସମୟରେ ଯାହାକୁ କନ୍ଦ (କିମ୍ବା ତିରିଲ) କୁହାଯାଉଥିଲା। ଏକାଧିକ ଆଦିବାସୀ ଭାଷାରେ ଏହାର ସାଧାରଣ ଅର୍ଥ ଥିଲା ଜଙ୍ଗଲର ଫଳ।

ପାର୍ଥ ଦା’ କୁହନ୍ତି ତାଙ୍କ ଜେଜେବାପା ଜଣେ ଯୁବକ ସ୍ୱାମୀ ଭାବରେ ହଠାତ୍‌ ଆସି ପହଞ୍ଚି ଯାଉଥିଲେ ଏବଂ ଭବାନୀଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଯାଉଥିଲେ। ଯେତେବେଳେ ଏହା ଜଙ୍ଗଲରେ ଥିବା ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ଏହା ନିଶ୍ଚିତ ଭାବରେ ଆହୁରି ଅନେକ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ଥିଲା।

ଏବଂ କେବଳ ଇଂରେଜମାନେ ହିଁ ସମସ୍ୟା ନଥିଲେ। ୧୯୪୦ ଦଶକରେ ତାଙ୍କର ଭାର ସବୁଠାରୁ ଅଧିକ ଥିଲା ବଙ୍ଗ ଦୁର୍ଭିକ୍ଷର ବର୍ଷଗୁଡ଼ିକ ସମୟରେ। ସେ ସମୟରେ ସେ ଯେଉଁ କଷ୍ଟକର ପରିସ୍ଥିତିକୁ ସାମ୍ନା କରିଥିବେ ତାହା କଳ୍ପନା ଭିତରେ ନଥିଲା।

ତାଙ୍କର ଏହି ଦୁଃସାହସିକତା ସ୍ୱାଧୀନତା ପରେ ଜାରି ରହିଲା। ୧୯୫୦ ଦଶକରେ ସେମାନେ ଏବେବି ବାସ କରୁଥିବା ସମୁଦାୟ ମୋହଲାରେ ନିଆଁ ଲାଗିଗଲା। ଏହା ଲୋକମାନେ ସେଠାରେ ରଖିଥିବା ସମୁଦାୟ ଶସ୍ୟକୁ ନଷ୍ଟ କରିଦେଲା। ଭବାନୀ ଜନଡ଼ା ଗ୍ରାମରେ ଥିବା ତାଙ୍କ ନିଜ ପରିବାରର ଜମିରୁ ଅମଳ ହୋଇଥିବା ଶସ୍ୟ ଏବଂ ଅନ୍ୟସବୁ ଜିନିଷ ଆଣିଲେ। ଏବଂ ପରବର୍ତ୍ତୀ ଅମଳ ପର୍ଯ୍ୟନ୍ତ କେଇ ସପ୍ତାହ ପାଇଁ ସମୁଦାୟ ସମୂହକୁ ବଞ୍ଚାଇ ରଖିଲେ।

୧୯୬୪ରେ ତତ୍କାଳୀନ ବିହାରର ଅଂଶଥିବା ଜାମ୍‌ସେଦପୁର ନିକଟରେ ଏକ ବୃହତ ସାମ୍ପ୍ରଦାୟିକ ଅଗ୍ନିକାଣ୍ଡ ହୋଇଥିଲା। ଏହା ପୁରୁଲିଆର ଅନେକ ଗ୍ରାମକୁ ମଧ୍ୟ ଜାଳି ଦେଇଥିଲା। ଭବାନୀ ତାଙ୍କ ଗ୍ରାମର ଅନେକ ମୁସଲମାନ୍‌ଙ୍କୁ ନିଜେ ଘରେ ଆଶ୍ରୟ ଦେଇଥିଲେ।

ଦୁଇ ଦଶକ ପରେ, ବାର୍ଦ୍ଧକ୍ୟରେ ପହଞ୍ଚି ଯାଇଥିବା ଭବାନୀ ସ୍ଥାନୀୟ ଲୋକଙ୍କ ପଶୁସମ୍ପଦ ଉପରେ ଆକ୍ରମଣ କରୁଥିବା ଜଙ୍ଗଲୀ ବିଲେଇକୁ ମାରିଦେଇଥିଲେ। ସେ ଖଣ୍ଡେ କାଠରେ ତାହା କରିଥିଲେ ବୋଲି ପାର୍ଥ ଦା’ କୁହନ୍ତି। ଏହା ଜଙ୍ଗଲରୁ ଆସିଥିବା ଏକ କଟାସ ବୋଲି ଜଣା ପଡ଼ିଥିଲା।

*****

PHOTO • Courtesy: the Mahato family

୧୯୮୦ ଦଶକରେ ଭବାନୀ ମାହାତୋ (ମଝି) ତାଙ୍କ ସ୍ୱାମୀ ବୈଦ୍ୟନାଥ ଏବଂ ଭଉଣୀ ଉର୍ମିଳାଙ୍କ ସହ। ଏହାଠାରୁ ପୂର୍ବ ସମୟର କୌଣସି ପାରିବାରିକ ଫଟୋ ନାହିଁ

ଭବାନୀ ମାହାତୋଙ୍କ ପ୍ରତି ଆମର ସମ୍ମାନ ଆହୁରି ବଢ଼ି ଯାଇଥିଲା। ମୁଁ ସ୍ୱାଧୀନତା ସଂଗ୍ରାମୀ ଗଣପତି ଯାଦବଙ୍କ ସମ୍ପର୍କରେ କରିଥିବା କାହାଣୀକୁ ମନେ ପକାଇଲି। ସେ ସତାରାରେ ଲୁଚି ରହିଥିବା ବିପ୍ଲବୀମାନଙ୍କ ପାଇଁ ପରିବହନକାରୀ ଥିଲେ। ସେ ସେଠାରେ ଜଙ୍ଗଲରେ ଲୁଚି ରହୁଥିବା ବିପ୍ଲବୀମାନଙ୍କ ପାଇଁ ଖାଦ୍ୟ ପହଞ୍ଚାଉଥିଲେ। ଯେତେବେଳେ ମୁଁ ତାଙ୍କୁ ଭେଟିଥିଲି ସେତେବେଳେ ୯୮ ବର୍ଷ ବୟସରେ ବି ଦିନକୁ ୨୦ କିଲୋମିଟର ସାଇକେଲ୍‌ ଚଲାଉଥିଲେ। ସେହି ଚମତ୍କାର ବ୍ୟକ୍ତିଙ୍କ କାହାଣୀ ପ୍ରସ୍ତୁତ କରିବାକୁ ଖୁବ୍‌ ମୋତେ ଭଲ ଲାଗିଥିଲା। କିନ୍ତୁ ମୁଁ ତାଙ୍କୁ ପଚାରି ପାରି ନଥିଲି: ସେ ଏତେ ବିପଦ ମୁଣ୍ଡାଇ ଜଙ୍ଗଲକୁ ଏତେ ଖାଦ୍ୟ ନେଇ ଯାଉଥିଲେ, କିନ୍ତୁ ଏହି ଖାଦ୍ୟ ରାନ୍ଧୁଥିବା ତାଙ୍କ ପତ୍ନୀ କ’ଣ କହୁଥିଲେ?

ମୁଁ ଯେତେବେଳେ ତାଙ୍କୁ ଭେଟିବାକୁ ଯାଇଥିଲି ସେତେବେଳେ ତାଙ୍କ ପତ୍ନୀ ସମ୍ପର୍କୀୟମାନଙ୍କ ସହ ବାହାରକୁ ଯାଇଥିଲେ।

ଗଣପତି ଯାଦବଙ୍କର ଦେହାନ୍ତ ହୋଇସାରିଛି, କିନ୍ତୁ ଭବାନୀଙ୍କ ସହ ମୋର ଭେଟ ମୋତେ ଗୋଟିଏ କଥା ହୃଦୟଙ୍ଗମ କରାଇଥିଲା। ମୋତେ ବତ୍ସଲା ଗଣପତି ଯାଦବଙ୍କୁ ଭେଟିବାକୁ ହେବ ତାଙ୍କ ଠାରୁ ତାଙ୍କର କାହାଣୀ ଜାଣିବାକୁ ହେବ।

ଭବାନୀ ମଧ୍ୟ ମୋତେ ନେତାଜୀଙ୍କ ଭାରତୀୟ ଜାତୀୟ ସେନାରେ ଯୋଗ ଦେଇଥିବା ଓଡ଼ିଆ ସ୍ୱାଧିନତା ସଂଗ୍ରାମୀ ଲକ୍ଷ୍ମୀ ପଣ୍ଡାଙ୍କ ଦୃଢ଼ ଶବ୍ଦଗୁଡ଼ିକ ମନେ ପକାଇ ଦେଇଥିଲା। ସେ ଉଭୟ ବର୍ମା (ବର୍ତ୍ତମାନ ମିଆଁମାର)ର ଜଙ୍ଗଲ ଏବଂ ସିଙ୍ଗାପୁରରେ ଭାରତୀୟ ଜାତୀୟ ସେନାର ଶିବିରଗୁଡ଼ିକରେ ରହିଥିଲେ।

‘‘ଏଥିପାଇଁ ଯେ ମୁଁ କେବେ ଜେଲ୍‌କୁ ଯାଇ ନଥିଲି, ଏଥିପାଇଁ ଯେ ମୁଁ ରାଇଫଲ୍‌ ଚଲାଇବା ଶିଖି ଥିଲେ ବି ମୁଁ କେବେ ଗୁଳି ଚଳାଇ ନଥିଲି, ତା’ର ଅର୍ଥ କ’ଣ ମୁଁ ଜଣେ ସ୍ୱାଧୀନତା ସଂଗ୍ରାମୀ ନୁହେଁ? ମୁଁ ଇଂରେଜ ବୋମାବର୍ଷଣର ଲକ୍ଷ୍ୟସ୍ଥଳ ହୋଇଥିବା ଆଇଏନ୍‌ଏ ଜଙ୍ଗଲ ଶିବିରଗୁଡ଼ିକରେ କାମ କରୁଥିଲି। ତାହାର ଅର୍ଥ କ’ଣ ସ୍ୱାଧୀନତା ସଂଗ୍ରାମରେ ମୁଁ କୌଣସି ଯୋଗଦାନ ଦେଇ ନାହିଁ? ଯେଉଁମାନେ ବାହାରକୁ ଯାଉଥିଲେ ଏବଂ ଲଢ଼େଇ କରୁଥିଲେ ସେମାନଙ୍କ ପାଇଁ ମୁଁ ୧୩ ବର୍ଷ ବୟସରେ ଶିବିରରେ ରୋଷେଇ କରୁଥିଲି, ମୁଁ କ’ଣ ତା’ର ଅଂଶ ନଥିଲି?’’

ଲକ୍ଷ୍ମୀ ପଣ୍ଡା, ସାଲିହାନ, ହୌସାବାଈ ପାଟିଲ ଏବଂ ବତ୍ସଲା ଯାଦବଙ୍କ ପରି ଭବାନୀ ମଧ୍ୟ ପ୍ରକୃତରେ ହକ୍‌ଦାର ଥିବା କୌଣସି ସମ୍ମାନ କିମ୍ବା ସ୍ୱୀକୃତି ପାଇ ନଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମରେ ସେମାନେ ସମସ୍ତେ ଲଢ଼ିଥିଲେ ଏବଂ ଅନ୍ୟମାନଙ୍କ ପରି ସମ୍ମାନର ସହ ନିଜକୁ ମୁକ୍ତ କରିଥିଲେ। କିନ୍ତୁ ସେମାନେ ମହିଳା ଥିଲେ। ମହିଳାମାନଙ୍କ ବିରୁଦ୍ଧରେ ପକ୍ଷପାତିତା ଏବଂ ରୁଢ଼ିବାଦିତାରେ ଭରପୂର ସମାଜଗୁଡ଼ିକରେ, ସେମାନଙ୍କର ଭୂମିକାକୁ କେବେ ବି ମୂଲ୍ୟ ଦିଆଯାଇ ନଥିଲା।

କିନ୍ତୁ ଏହା ଭବାନୀ ମାହାତୋଙ୍କୁ ବିଚଳିତ କରିବା ପରି ମନେ ହେଉ ନଥିଲା,ଅବଶ୍ୟ ସେ ବୋଧହୁଏ ସେ ସବୁ ମୂଲ୍ୟକୁ ନିଜ ଭିତରେ ଚାପି ନେଇଥିଲେ? ବୋଧହୁଏ ଏହା ତାଙ୍କୁ ତାଙ୍କର ଅନନ୍ୟ ଯୋଗଦାନକୁ କମ୍‌ ମୂଲ୍ୟାଙ୍କନ କରିବାକୁ ପ୍ରେରିତ କରିଥିଲା?

କିନ୍ତୁ ଆମେ ଫେରିଆସିବାକୁ ବାହାରିବା ବେଳେ ସେ ଶେଷରେ ଆମକୁ ଏହା କହିଥିଲେ: ‘‘ଦେଖ ମୁଁ କ’ଣ ପରିପୋଷଣ କରିଛି। ଏହି ବଡ଼ ପରିବାର, ଏଇ ସବୁ ପିଢ଼ି, ଆମର ଜମି, ସବୁ କିଛି। କିନ୍ତୁ ଏଇ କମ୍‌ ବୟସର ପିଲାମାନେ....’’ ଆମ ଚାରିପାଖରେ କେତେଜଣ ନାତୁଣୀ ବୋହୁ ଖୁବ୍‌ ପରିଶ୍ରମରେ କାମ ସବୁ କରୁଥିବା ପରି ମନେ ହେଉଥିଲା। ସେମାନେ ଯଥାସମ୍ଭବ ଭଲ କରୁଥିଲେ। ତଥାପି ଏ ସବୁ ସେ ତାଙ୍କ ସମୟରେ ଏକାକୀ ଭାବରେ କରୁଥିଲେ।

ସେ ସେମାନଙ୍କୁ କିମ୍ବା ଅନ୍ୟ କାହାକୁ ଦୋଷ ଦେଉ ନଥିଲେ। ସେ କେବଳ ଅବଶୋଷ କରୁଥିଲେ ଯେ ଖୁବ୍‌ କମ୍‌ ଲୋକ ଅଛନ୍ତି ଯେଉଁମାନେ – ‘ସବୁ କିଛି’ କରିପାରିବେ।


ଏହି କାହାଣୀରେ ସହଯୋଗ ଦେବା ପାଇଁ ଏବଂ ଭବାନୀ ମାହାତୋ କହିବା ସମୟରେ ହିଁ ନିର୍ଭୁଲ ଅନୁବାଦ ପ୍ରଦାନ କରିବା ପାଇଁ ସ୍ମିତା ଖାଟୋରଙ୍କ ପ୍ରତି ମୋର ଧନ୍ୟବାଦ ଏବଂ କୃତଜ୍ଞତା । ଏଥିସହିତ ତାଙ୍କର ମୂଲ୍ୟବାନ ସହଯୋଗ ଏବଂ ଆମେ କରିଥିବା ବୈଠକ ଏବଂ
ସାକ୍ଷାତକାରଗୁଡ଼ିକ ପାଇଁ ବ୍ୟବସ୍ଥା କରିବା ନିମନ୍ତେ ପ୍ରାକ୍‌ ଗସ୍ତ ପାଇଁ ଜୋସୁଆ ବୋଧିନେତ୍ରଙ୍କୁ ମୋର ଧନ୍ୟବାଦ । ସ୍ମିତା ଏବଂ ଜୋସୁଆଙ୍କ ବିନା, ଏହି କାହାଣୀ କେବେ ପ୍ରସ୍ତୁତ ହୋଇ ପାରି ନଥା’ନ୍ତା ।

ଅନୁବାଦ: ଓଡ଼ିଶାଲାଇଭ୍‍

பி. சாய்நாத், பாரியின் நிறுவனர் ஆவார். பல்லாண்டுகளாக கிராமப்புற செய்தியாளராக இருக்கும் அவர், ’Everybody Loves a Good Drought' மற்றும் 'The Last Heroes: Foot Soldiers of Indian Freedom' ஆகிய புத்தகங்களை எழுதியிருக்கிறார்.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE