ତାଙ୍କ ଅଫିସରେ କର୍ମଚାରୀଙ୍କ ପିଲାଙ୍କ ପାଇଁ ଏକ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଏବଂ ଏଥିପାଇଁ ସେ ସୋନୁକୁ ଏକ ପେଣ୍ଟିଙ୍ଗ୍‌ ସମ୍ପୂର୍ଣ୍ଣ କରିବାରେ ସହାୟତା କରୁଛନ୍ତି। ପ୍ରତିଯୋଗିତାର ବିଷୟବସ୍ତୁ ଥିଲା, ‘‘ମୋର ସ୍ୱପ୍ନର ଭାରତ’’। ପ୍ରତିଯୋଗିତା ପାଇଁ ଚିତ୍ର ଦାଖଲ କରିବା ଲାଗି ଆଜି ଶେଷ ତାରିଖ ଥିଲା। ସୋନୁର ପେଣ୍ଟିଙ୍ଗ ପ୍ରାୟତଃ ସମ୍ପୂର୍ଣ୍ଣ ହେବାକୁ ଯାଉଥିଲା। ତାଙ୍କ ଝିଅ ବାରମ୍ବାର ତାଙ୍କୁ କହୁଥିଲା, ‘‘ମା’, ଆସ, ମୋ ପାଖରେ ବସ, ପ୍ଲିଜ୍‌’’, କିନ୍ତୁ ସକାଳୁ ତାଙ୍କ ମନ ବେରଙ୍ଗ ଚିନ୍ତାଧାରାରେ ବୁଡ଼ି ରହିଥିଲା। ଏପରିକି, କାମ କରିବା ସମୟରେ ମଧ୍ୟ ତାଙ୍କ ମନ ଖବର ପାଖରେ ଥିଲା। ତେବେ, ଅନିଚ୍ଛା ସତ୍ତ୍ୱେ ସେ ଯାଇ ନିଜ ଝିଅ ପାଖରେ ବସିପଡ଼ିଲେ।

ସେ ଯେମିତି ତାକୁ  ନିଜ କୋଳରେ ଶୁଆଇ ଦେଲେ, ଝିଅର ମୁହଁରେ ହସ ଖେଳିଗଲା। ସୋନୁ ଉତ୍ସାହିତ ହୋଇ ନିଜ ପେଣ୍ଟିଂ ଆଡ଼କୁ ଇସାରା କରି କହିଲା, ‘‘ଦେଖ ମା’!’’ ଅନ୍ୟପଟେ, ଟିଭିରେ ଗେରୁଆ ପୋଷାକ ପିନ୍ଧି ଜଣେ ମହିଳା ଘୃଣାସୂଚକ ମନ୍ତବ୍ୟ ଦେଉଥିଲେ। ଧର୍ମ ସଂସଦର ଏହି କ୍ଲିପ୍‌ ଭାଇରାଲ ହୋଇଥିଲା। ସେ ଜାଣିନଥିଲେ ଯେ ଅନ୍ୟମନସ୍କ ହୋଇ ଦୁଇଟି ମଧ୍ୟରୁ ସେ କେଉଁ କାମଟି କରୁଥିଲେ – ଟିଭିରେ ଘୃଣା ପ୍ରଚାର କରୁଥିବା ସେହି ମହିଳାଙ୍କୁ ଶୁଣୁଥିଲେ ନା ନିଜ ଝିଅର ପେଣ୍ଟିଂ ଦେଖୁଥିଲେ। ପେଣ୍ଟିଂରେ, ଏକ ସୁନ୍ଦର ପୃଷ୍ଠଭୂମି ସମ୍ମୁଖରେ ଛଅ କିମ୍ବା ସାତ ଜଣ ଲୋକଙ୍କ ଚିତ୍ର ରହିଥିଲା। ସଞ୍ଜ ନଇଁବା ବେଳର କମଳା ରଙ୍ଗ ଆକାଶ ତଳେ ପୁରୁଷ, ମହିଳା, ଶିଶୁ, ସବୁଜ କ୍ଷେତରେ ଛିଡ଼ା ହୋଇଥିଲେ।

ସେ ଜାଣିପାରୁନଥିଲେ ଯେ ପେଣ୍ଟିଂରେ ଥିବା ରଙ୍ଗର ପ୍ରଭାବ ଅଧିକ ଥିଲା ନା ସେ ମହିଳାଙ୍କ ଶବ୍ଦ ଅଧିକ ହିଂସାତ୍ମକ ଥିଲା। କିନ୍ତୁ, ତାଙ୍କ ପାଇଁ ଲୁହଭିଜା ଆଖିରେ ଏସବୁ ଛୋଟ ଓ ଧଳା ମଣିଷ ଚରିତ୍ର ଉପରେ ନଜର ପକାଇ ରଖିବା କଷ୍ଟକର ହୋଇଯାଇଥିଲା, ଯେଉଁମାନଙ୍କୁ ସେମାନଙ୍କର ଧାର୍ମିକ ପରିଚୟ ଅନୁସାରେ ଅଙ୍କା ଯାଇଥିଲା – ଜଣଙ୍କ ମୁଣ୍ଡରେ ଟୋପି ଥିଲା, ଆଉ ଜଣଙ୍କ ମୁଣ୍ଡରେ ହିଜାବ୍‌ ଥିଲା, ଜଣେ ବ୍ୟକ୍ତିଙ୍କ ଗଳାରେ ଚମକୁ ଥିବା କ୍ରସ୍‌ ଝୁଲୁଥିଲା, ଜଣଙ୍କ ମଥାରେ ସିନ୍ଦୂର ଭରିଥିଲା ଏବଂ ଆଉ ଜଣେ ମୁଣ୍ଡରେ ପଗଡ଼ି ବାନ୍ଧିଥିଲେ। ପ୍ରତ୍ୟେକଙ୍କ ମୁହଁରେ ସ୍ମିତହାସ୍ୟ ଥିଲା। ସେହି ଅଜଣା ଲୋକମାନେ ପରସ୍ପରର ହାତ ଧରିଥିଲେ। ଏହା ଦେଖି ଯେତେବେଳେ ତାଙ୍କ ଆଖି ଲୁହରେ ଭରିଗଲା, ଲାଗିଲା ଯେମିତି ଗେରୁଆ, ସବୁଜ ଓ ଧଳା, ସବୁ ରଙ୍ଗ ସାମାନ୍ୟ ମିଶି ଯାଇଛନ୍ତି।

ହିନ୍ଦୀରେ ନମିତା ୱାଇକରଙ୍କର କବିତା ପାଠ ଶୁଣନ୍ତୁ

ଇଂରାଜୀରେ ନମିତା ୱାଇକରଙ୍କର କବିତା ପାଠ ଶୁଣନ୍ତୁ

ଚୁପ୍‌ ବସି ନରହି ଆମେ ଲଢ଼ିବୁ

ମୁଁ ହିନ୍ଦୁ, ମୁଁ ହିନ୍ଦୁ,
ହଁ, ମୁଁ ହିନ୍ଦୁ, ନିଷ୍ଠୁର ନୁହେଁ,
ମୁଁ ବି ଦେଶର ବାକି ହିନ୍ଦୁମାନଙ୍କ ଭଳି,
ଆତଙ୍କର ଅଭ୍ୟସ୍ତ ନୁହେଁ
ମୁଁ ହିନ୍ଦୁ, ମୁଁ ବି ମୁସଲମାନ,
ମୁଁ ଶିଖ୍‌, ମୁଁ ବି ଖ୍ରୀଷ୍ଟିଆନ୍‌
ମୁଁ ଜୀବନ୍ତ ରଖିବି ଆମ ଭାରତର ସମ୍ବିଧାନ୍‌।

ତୁମେ ହିନ୍ଦୁତ୍ୱର କଥା କହିବ,
‘ମାର ମାର’ ଚିଲ୍ଲାଇବ
ଆମେ ହିନ୍ଦୁ-ମୁସଲିମ ଶିଖ୍‌-ଖ୍ରୀଷ୍ଟିଆନ୍‌
ସମସ୍ତଙ୍କ ହାତ ଧରିବୁ

ତୁମେ ଶହେ, ଦୁଇ ଶହ, ଗଡ୍‌ସେ ହୋଇ
ଗଳିକନ୍ଦିରେ ବୁଲିବ
ଆମେ ଲକ୍ଷ ଲକ୍ଷ ଗାନ୍ଧୀ ହୋଇ
ସେଇଠି ତୁମମାନଙ୍କୁ ଅଟକାଇବୁ
ତୁମେ ଯେତେ ପାରୁଛ ଘୃଣାର ନାରା ଦିଅ,
ହିଂସାର ଅସ୍ତ୍ର ଉଠାଅ
ଆମେ ଗାଇବୁ ପ୍ରେମର ଗୀତ,
ଆମେ ସମସ୍ତେ ଭାରତର ଲୋକ
ତୁମର ହୋଇଯାଇଛି ମତି ଭ୍ରଷ୍ଟ
ତୁମେ ପାଲଟିଛ ପାଶବିକତାର ଗୋଲାମ
ତୁମେ ନିଜ ଗେରୁଆ ସୁଆଙ୍ଗରେ,
କରୁଅଛ ନିଷ୍ଠୁରତାକୁ ସଲାମ୍‌

ଏ ଦେଶର ହିନ୍ଦୁ କାପୁରୁଷ ନୁହନ୍ତି
ନା ଆମେ ବୋକା
ଆମେ ଭଗତ ସିଂ, ଅଶଫାକ୍‌,
ସରୋଜିନୀ, କସ୍ତୁରବା
ଆମେ ଭାରତର ସମ୍ବିଧାନ
ଆମେ ଗୀତା, ବାଇବଲ ଓ କୁରାନ୍‌
ଆମେ ହିଁ ଗୁରୁ ଗ୍ରନ୍ଥ ସାହିବ
ଆଉ ଆମେ ଧର୍ମନିରପେକ୍ଷ ବି

ତୁମେ କ୍ଷମତାଧାରୀଙ୍କ ଆଶ୍ରିତ, ଚାମଚା ହୋଇପାର
ରାମଙ୍କ ନାମ ଚିଲ୍ଲାଇବାକୁ,
ତୁମେ ଧର୍ମ ବୋଲି ଭାବିପାର
ଆମେ ମାନବିକତାର ମୂଳଦୁଆକୁ ଧରି ରଖିଛୁ
ଶାନ୍ତିର ସ୍ତମ୍ଭରୁ ଆମେ ତ୍ରିରଙ୍ଗାକୁ ଉଚ୍ଚରେ ଉଡ଼ାଇବୁ ପଣ କରିଛୁ

ଆମେ ଲଢ଼ିବୁ, ପ୍ରତ୍ୟେକ ଗଡସେର ମୁକାବିଲା କରିବୁ
ଆମେ ଲଢ଼ିବୁ, ଆପଣଙ୍କୁ ଆଗକୁ ବଢ଼ିବା ଲାଗି ନଦେବୁ
ଚୁପ୍‌ ବସି ନରହି ଆମେ ଲଢ଼ିବୁ
ଆମେ ଲଢ଼ିବୁ, ଆମେ ଜିତିବୁ
ଚୁପ୍‌ ବସି ନରହି ଆମେ ଲଢ଼ିବୁ

ଅନୁବାଦ: ଓଡ଼ିଶାଲାଇଭ୍‍

நமீதா வாய்கர் எழுத்தாளர், மொழிபெயர்ப்பாளர். PARI-யின் நிர்வாக ஆசிரியர். அவர் வேதியியல் தரவு மையமொன்றில் பங்குதாரர். இதற்கு முன்னால் உயிரிவேதியியல் வல்லுனராக, மென்பொருள் திட்டப்பணி மேலாளராக பணியாற்றினார்.

Other stories by Namita Waikar
Illustration : Labani Jangi

லபானி ஜங்கி 2020ம் ஆண்டில் PARI மானியப் பணியில் இணைந்தவர். மேற்கு வங்கத்தின் நாடியா மாவட்டத்தைச் சேர்ந்தவர். சுயாதீன ஓவியர். தொழிலாளர் இடப்பெயர்வுகள் பற்றிய ஆய்வுப்படிப்பை கொல்கத்தாவின் சமூக அறிவியல்களுக்கான கல்வி மையத்தில் படித்துக் கொண்டிருப்பவர்.

Other stories by Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE