ସେଦିନ ରାତିରେ ମୀନା ଶୋଇପାରିନଥିଲେ। ବର୍ଷା ପାଣି ତାଙ୍କ ଘର ଭିତରେ ପଶିଯାଇଥିଲା। ପତଳା ତାରପଲିନ ବେଶୀ ସମୟ ପର୍ଯ୍ୟନ୍ତ ବର୍ଷା ପାଣି ମାଡ଼କୁ ସହିପାରିନଥିଲା ଏବଂ କେଇ ମିନିଟ ମଧ୍ୟରେ ଫାଟି ଯାଇଥିଲା। ମୀନା ଓ ତାଙ୍କ ପରିବାର ଦୌଡ଼ି ଯାଇ ନିକଟରେ ବନ୍ଦ ପଡ଼ିଥିବା ଏକ ଦୋକାନ ଆଗରେ ଆଶ୍ରୟ ନେଇଥିଲେ।
“ବର୍ଷା ଛାଡ଼ିବା ପର୍ଯ୍ୟନ୍ତ ଆମେ ସେଠାରେ ସାରା ରାତି ବସି ରହିଲୁ (ଜୁଲାଇ ପ୍ରାରମ୍ଭରେ)”, ସେ କୁହନ୍ତି। ଏ କଥା କହିବା ବେଳେ ସେ ଏକ ଅପରାହ୍ଣରେ ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ଧଳା ପ୍ରିଣ୍ଟ ହୋଇଥିବା ଚଟେଇ ଉପରେ ବସି ରହିଥିଲେ ପାଖରେ ତାଙ୍କର ୨ ବର୍ଷର ଝିଅ ଶମା ଶୋଇଥିଲା।
ସେଦିନ ବର୍ଷା ଛାଡ଼ିବା ପରେ, ମୀନା ଫେରିଆସି ପୁଣି ଥରେ ତାଙ୍କ ଘର ସଜାଡ଼ିଥିଲେ। ସେତେବେଳକୁ ସେମାନଙ୍କର ଆସବାବପତ୍ର-ବାସନକୁସନ, ଖାଦ୍ୟସାମଗ୍ରୀ, ସ୍କୁଲ ବହି-ଭାସି ଯାଇଥିଲା।
“ଆମ ପାଖରେ ଥିବା ମାସ୍କ ମଧ୍ୟ ଭାସିଯାଇଥିଲା,” କୁହନ୍ତି ମୀନା। ଲକଡାଉନ ଆରମ୍ଭ ହେବା ସମୟରେ ସ୍ୱେଚ୍ଛାସେବୀମାନେ ସବୁଜ ରଙ୍ଗର ମାସ୍କ ଦେଇଥିଲେ। “ଆମେ ମାସ୍କ ପିନ୍ଧିଲେ କ’ଣ ହେବ”? ସେ ପଚାରନ୍ତି। “ଆମେ ଏଠାରେ ମଲା ମଣିଷଙ୍କ ପରି ରହୁଛୁ, କରୋନାକୁ ଡରୁଛି କିଏ?”
ମୀନା (କେବଳ ନିଜର ପ୍ରଥମ ନାମ ବ୍ୟବହାର କରିଥାନ୍ତି) ଏବଂ ତାଙ୍କ ପରିବାର- ସ୍ୱାମୀ ଓ ଚାରି ପିଲା-ସେମାନଙ୍କ ଆଖି ସାମ୍ନାରେ ନିଜର ଜିନିଷପତ୍ର ଭାସିଯିବା ଅନେକ ଥର ଦେଖିଛନ୍ତି। ପ୍ରତିଥର ମୌସୁମୀ ଋତୁ ଆସିଲେ ସେମାନଙ୍କ ସହିତ ଏକାଧିକ ବାର ଏପରି ଘଟିଥାଏ। ସବୁବର୍ଷ ଏମିତି ହୁଏ। ଉତ୍ତର ମୁମ୍ବାଇର ଉପସହରାଞ୍ଚଳ କାନ୍ଦିଭଲି ଇଷ୍ଟର ଫୁଟପାଥରେ ଥିବା ସେମାନଙ୍କ କୁଡ଼ିଆ ପ୍ରବଳ ବର୍ଷାରେ ଭାଙ୍ଗିଯାଇଥାଏ।
କିନ୍ତୁ ଗତବର୍ଷ ପର୍ଯ୍ୟନ୍ତ, ଯେତେବେଳେ ଖୁବଜୋରରେ ବର୍ଷା ହେଉଥିଲା, ସେମାନଙ୍କ ପରିବାର ନିକଟରେ ନିର୍ମାଣାଧୀନ କୋଠାକୁ ଚାଲିଯାଇ ସେଠାରେ ଆଶ୍ରୟ ନେଉଥିଲେ। ବର୍ତ୍ତମାନ ଏହା ବନ୍ଦ ହୋଇଯାଇଛି। ପ୍ରାୟ ୩୦ ବର୍ଷ ବୟସ୍କା ମୀନା କୁହନ୍ତି, “ଆମେ ଏମିତି ବର୍ଷା ସହ ଅଭ୍ୟସ୍ତ, କିନ୍ତୁ ଚଳିତ ବର୍ଷ କରୋନା ଆମ ପାଇଁ କଷ୍ଟକର ପରିସ୍ଥିତି ଆଣିଛି। ଆମେ ସେସବୁ କୋଠାରେ ଯାଇ ଆଶ୍ରୟ ନେଉଥିଲୁ। ସେଠାକାର ଜଗୁଆଳି ଆମକୁ ଜାଣିଛି। ଏପରିକି ଅପରାହ୍ଣରେ ଦୋକାନୀମାନେ ସେମାନଙ୍କ ଦୋକାନ ବାହାରେ ଆମକୁ ବସିବାକୁ ଦେଉଥିଲେ। କିନ୍ତୁ ଏବେ ସେମାନେ ଆମକୁ ସେମାନଙ୍କ ପାଖ ଦେଇ ଚାଲି ଚାଲି ଯିବାକୁ ମଧ୍ୟ ଦେଉନାହାନ୍ତି।”
ବର୍ଷା ହେବା ସମୟରେ ପ୍ରାୟତଃ ସେମାନେ ‘ଘରେ’ ବସିଥାନ୍ତି- ସେମାନଙ୍କର ଘର କହିଲେ ଏକ ଢିଲା ଧଳା ତାରପଲିନ ଯାହା ଦୁଇଟି ଗଛ ଓ ଗୋଟିଏ କାନ୍ଥ ମଧ୍ୟରେ ଟଣା ହୋଇଥିବ, ଏକ ମୋଟା କାଠ ବାଉଁଶ ମଝିରେ ରହି ଛାତକୁ ଧରି ରଖିଥିବ। କିଛି ପ୍ଲାଷ୍ଟିକ ଅଖା ଓ କପଡ଼ା ବସ୍ତା ଏବଂ ଏକ କଳା କାନଭାସ ସ୍କୁଲ ବ୍ୟାଗ ଗଛରେ ଟଙ୍ଗା ହୋଇଥିବ- ଏସବୁ ଭିତରେ ସେମାନଙ୍କର କପଡ଼ା, ଖେଳନା ଓ ଅନ୍ୟାନ୍ୟ ସାମଗ୍ରୀ ରହିଥିବ । ଓଦା କପଡ଼ାରେ ନିକଟରେ ଝୁଲୁଥିବା ଏକ ରଶିରେ ଟଙ୍ଗା ହୋଇଥିବ ଏବଂ ରଙ୍ଗ ଛାଡ଼ିଯାଇଥିବା ଚଟେଇଟିଏ ତଳେ ପଡ଼ିଥିବ।
ମୀନାର ସ୍ୱାମୀ ସିଦ୍ଧାର୍ଥ ନରଭଡ଼େଙ୍କ ଘର ମହାରାଷ୍ଟ୍ରର ଜଲନା ଜିଲ୍ଲା ଅନ୍ତର୍ଗତ ସାରୱାଡ଼ି ଗ୍ରାମରେ। “ମୁଁ ଖୁବ ଛୋଟ ହୋଇଥିବା ବେଳେ ମୋ ବାପା ଗାଁରେ ଥିବା ଆମର ଛୋଟ ଜମି ଖଣ୍ଡେ ବିକି ଦେଇ କାମ ପାଇଁ ମୁମ୍ବାଇକୁ ଚାଲି ଆସିଥିଲେ। ଏହାପରେ ମୀନା ଓ ମୁଁ ଏଠାକୁ ଚାଲିଆସିଲୁ”, କୁହନ୍ତି ୪୮ ବର୍ଷ ବୟସ୍କ ସିଦ୍ଧାର୍ଥ।
ସେ ନିକଟସ୍ଥ ନିର୍ମାଣ କ୍ଷେତ୍ରରେ କାମ କରନ୍ତି, ସିମେଣ୍ଟ ପ୍ଲାଷ୍ଟର କରିବା ପାଇଁ ତାଙ୍କୁ ଦିନକୁ ୨୦୦ ଟଙ୍କା ମଜୁରି ମିଳିଥାଏ। “ଲକଡାଉନ ଆରମ୍ଭ ହେବା ପରେ ତାହା ମଧ୍ୟ ବନ୍ଦ ହୋଇଯାଇଛି”, ସେ କୁହନ୍ତି। ସେବେଠାରୁ ଠିକାଦାର ତାଙ୍କୁ ଫୋନ କରିନାହିଁ କିମ୍ବା ତାଙ୍କ ଫୋନ ମଧ୍ୟ ଉଠାଉନାହିଁ।
ମୀନା ନିକଟସ୍ଥ ଏକ କୋଠାରେ ଘରୋଇ ଶ୍ରମିକ ଭାବେ କାମ କରୁଥିଲେ, ଚଳିତ ବର୍ଷ ଜାନୁଆରୀ ମାସରେ ତାଙ୍କ ମାଲିକ ଘର ବଦଳାଇ ଦେଲେ। ସେବେଠାରୁ ସେ କାମ ଖୋଜୁଛନ୍ତି। “ଲୋକମାନେ ଏଠାରେ ଜାଣିଛନ୍ତି ଯେ ମୁଁ ରାସ୍ତା କଡ଼ରେ ରହୁଛି। କେହି ମୋତେ ଏବେ କାମ ଦେବେ ନାହିଁ ଏପରିକି ମୋତେ ଘରେ ମଧ୍ୟ ପୂରାଇବେ ନାହିଁ (କୋଭିଡ-19 କାରଣରୁ),” ସେ କୁହନ୍ତି।
ଲକଡାଉନ ଆରମ୍ଭ ହେବା ସମୟରେ ମାର୍ଚ୍ଚ ଶେଷ ସପ୍ତାହରେ, ନିକଟସ୍ଥ ଅଟ୍ଟାଳିକାଗୁଡ଼ିକରେ ରହୁଥିବା ଲୋକମାନେ ଆସି ପରିବାରକୁ କିଛି ଖାଦ୍ୟ ନିୟମିତ ଭାବେ ଦେଇ ଯାଉଥିଲେ। ତାହା ଥିଲା ସେମାନଙ୍କ ପେଟ ପୋଷିବାର ମୁଖ୍ୟ ମାଧ୍ୟମ। ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ରାସନ କିମ୍ବା ଅନ୍ୟ କୌଣସି ସୁରକ୍ଷା ସାମଗ୍ରୀ ଦିଆଯାଇନାହିଁ। ମେ ଶେଷ ସପ୍ତାହ-ଜୁନ ଆରମ୍ଭ ବେଳକୁ ଖାଦ୍ୟ ପ୍ୟାକେଟ ଆସିବା କମିଗଲା। ପରିବାର ତଥାପି ଖାଦ୍ୟ ପ୍ୟାକେଟ ପାଉଥିଲା-ଚାଉଳ, ଗହମ ଓ ତେଲ କିମ୍ବା ରନ୍ଧା ଖାଦ୍ୟ।
“ମୂଷାଗୁଡ଼ିକ ଆମକୁ ମଧ୍ୟ ଖାଇଯାଆନ୍ତି,” ମୀନା କୁହନ୍ତି। “ସକାଳେ ଆମେ ଦେଖୁ ଏଣେ ତେଣେ ଖାଦ୍ୟଶସ୍ୟ ପଡ଼ି ରହିଥାଏ। ଚାରିପାଖରେ ଥିବା ସବୁକିଛି ସେମାନେ କାଟି ପକାଇଥାନ୍ତି। ସବୁବେଳେ ଏହି ସମସ୍ୟା ଲାଗି ରହିଥାଏ, ବାସନରେ କିମ୍ବା କପଡ଼ାରେ ଗୁଡ଼ାଇ ଖାଦ୍ୟସାମଗ୍ରୀ ରଖିଲେ ସୁଦ୍ଧା… ମୁଁ କ୍ଷୀର, ପିଆଜ, ଆଳୁ… କିଛି ରଖିପାରିନଥାଏ।”
ଅଗଷ୍ଟ ମାସ ଆରମ୍ଭ ପରଠାରୁ ମୀନା ଓ ସିଦ୍ଧାର୍ଥ ପ୍ଲାଷ୍ଟିକ ବୋତଲ ଭଳି କାନ୍ଦିଭଲି ରାସ୍ତା କଡ଼ରୁ ଫିଙ୍ଗି ଦିଆଯାଉଥିବା କାଚ ବିୟର ଓ ମଦ ବୋତଲ ସଂଗ୍ରହ କରିବା ଆରମ୍ଭ କରିଛନ୍ତି । ସେମାନେ ରାତିରେ ମଧ୍ୟ ଏହି କାର୍ଯ୍ୟ କରିଥାନ୍ତି, ତେଣୁ ସେମାନଙ୍କ ମଧ୍ୟରୁ ଜଣେ ପିଲାମାନଙ୍କ ସହିତ ଘରେ ରହିଥାନ୍ତି। ସେମାନେ ଏଗୁଡ଼ିକ ନିକଟସ୍ଥ କବାଡ଼ି ବାଲାକୁ ବୋତଲ କିଲୋପ୍ରତି ୧୨ ଟଙ୍କା, କାଗଜ ଓ ଅନ୍ୟାନ୍ୟ ସାମଗ୍ରୀ କିଲୋ ପ୍ରତି ୮ ଟଙ୍କାରେ ବିକ୍ରି କରିଥାନ୍ତି। ସପ୍ତାହକୁ ଦୁଇରୁ ତିନି ଥର ଏପରି କରି ସେମାନେ ୧୫୦ ଟଙ୍କା ପାଖାପାଖି ରୋଜଗାର କରିଥାନ୍ତି।
ଚାରା ଓ ଗଛରେ ପାଣି ଦେବାକୁ ଆସୁଥିବା ବିଏମସି ଟ୍ୟାଙ୍କରରୁ ସେମାନେ ପିଇବା ପାଣି ସଂଗ୍ରହ କରୁଥିଲେ। ଲକଡାଉନ ଆରମ୍ଭ ହେବାର କିଛି ସପ୍ତାହ ପରେ ଏହା ବନ୍ଦ ହୋଇଗଲା। ପ୍ରାୟତଃ ମୌସୁମୀ ଋତୁରେ ପାଣି ଟ୍ୟାଙ୍କର ଆସିନଥାଏ। ବେଳେବେଳେ ସେମାନେ ନିକଟସ୍ଥ ମନ୍ଦିର, କିମ୍ବା କିଛି ଦୂରରେ ଥିବା ବିଦ୍ୟାଳୟ ଟ୍ୟାପରୁ ପାଣି ସଂଗ୍ରହ କରିଥାନ୍ତି, ଏବଂ ଏହାକୁ ୨୦ ଲିଟର ଜାର ଓ ପ୍ଲାଷ୍ଟିକ କଣ୍ଟେନରରେ ସଂଗ୍ରହ କରି ରଖିଥାନ୍ତି।
ଫୁଟପାଥର ପାଚେରି କଡ଼ରେ ଥିବା ବୁଦା ଆଢ଼ୁଆଳରେ ସାମାନ୍ୟ ଗୋପନୀୟତା ବଜାୟ ରଖି ମୀନା ଓ ସଙ୍ଗୀତା ରାତିରେ ଗାଧୋଇ ଥାଆନ୍ତି। ସେମାନେ ଥରକେ ୫ ଟଙ୍କା ଦେଇ ନିକଟସ୍ଥ ସର୍ବସାଧାରଣ ଶୌଚାଳୟ ବ୍ୟବହାର କରିଥାନ୍ତି- ସେ ଦୁଇ ଜଣଙ୍କ ପାଇଁ ଅତିକମରେ ଦିନକୁ ୨୦ ଟଙ୍କା ଖର୍ଚ୍ଚ ହୋଇଥାଏ। ସିଦ୍ଧାର୍ଥ ଓ ସେମାନଙ୍କର ଦୁଇ ପୁଅ ଅଶାନ୍ତ, ୫, ଏବଂ ଅକ୍ଷୟ, ୩.୫, ନିକଟରେ ଥିବା ଖୋଲାସ୍ଥାନକୁ ଯାଇଥାନ୍ତି।
କିନ୍ତୁ ମୀନା ଆଉ ଏକ କଥାକୁ ନେଇ ଚିନ୍ତିତ ଅଛନ୍ତି। “ମୁଁ ଦୁର୍ବଳ ଅନୁଭବ କରୁଛି ଏବଂ ଭଲ ଭାବେ ଚାଲି ମଧ୍ୟ ପାରୁନାହିଁ। ମୁଁ ଭାବୁଥିଲି ଋତୁ ବଦଳୁଛି ବୋଲି ଏମିତି ହେଉଛି, କିନ୍ତୁ ଡାକ୍ତର(କାନ୍ଦିଭଲିରେ) କହୁଛନ୍ତି ମୁଁ ଗର୍ଭବତୀ ଅଛି।” ସେ ଆଉ ପିଲା ଚାହୁଁନାହାନ୍ତି, ବିଶେଷ କରି ଏମିତି ସମୟରେ, କିନ୍ତୁ ତାଙ୍କୁ ଗର୍ଭପାତ ନକରିବା ଲାଗି ପରାମର୍ଶ ଦିଆଯାଇଛି। ଥରେ ଡାକ୍ତରଙ୍କ ପାଖକୁ ଗଲେ ୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ, ବୋଲି ସେ କୁହନ୍ତି, ଯାହାକୁ ସେ ତାଙ୍କ ପୂର୍ବତନ ମାଲିକଙ୍କ ଠାରୁ ନେଇଥିଲେ।
ମୀନାର ପିଲାମାନେ କାନ୍ଦିଭଲି ଇଷ୍ଟ ସମତା ନଗରସ୍ଥିତ ମରାଠୀ ମାଧ୍ୟମ ମହାନଗର ନିଗମ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ସବୁଠୁ ବଡ଼ ସଙ୍ଗୀତା ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ଅଶାନ୍ତ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଛନ୍ତି, ଅକ୍ଷୟ ବାଲୱାଡିରେ ଏବଂ ଶମା ଏ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଯାଇନାହାନ୍ତି। “ଅତିକମ୍ରେ ମଧ୍ୟାହ୍ନ ଭୋଜନ ସେମାନଙ୍କୁ ବଞ୍ଚାଇ ଦେଉଛି,” କୁହନ୍ତି ମୀନା।
ମାର୍ଚ୍ଚ ୨୦ ତାରିଖ ପରଠାରୁ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ହୋଇଯାଇଛି। ପିଲାମାନେ ଏଣେତେଣେ ଖେଳୁଛନ୍ତି, ସିଦ୍ଧାର୍ଥଙ୍କ ଫୋନରେ ଯଥେଷ୍ଟ ବାଲାନ୍ସ ଓ ଚାର୍ଜ (ନିକଟସ୍ଥ ଦୋକାନରୁ ଫୋନ ଚାର୍ଜ କରନ୍ତି) ଥିଲେ ସେଥିରେ କାର୍ଟୁନ ଦେଖୁଛନ୍ତି।
‘ସ୍କୁଲ’ କଥା ଶୁଣିବା ମାତ୍ରେ, ଅଶାନ୍ତ ଆମେ କଥା ହେଉଥିବା ସ୍ଥାନକୁ ଚାଲି ଆସି ଏରୋପ୍ଲେନ ମାଗିଥିଲା। “ତା’ ଉପରେ ବସି ମୁଁ ସ୍କୁଲ ଯିବାକୁ ଚାହେଁ,” ସେ କହିଲା। ଲକଡାଉନ ମାସଗୁଡ଼ିକରେ ବର୍ଷାରେ ଭିଜିବାରୁ ରକ୍ଷା ପାଇଯାଇଥିବା ବହି ଧରି ସଙ୍ଗୀତା ପୂର୍ବ ପାଠର ପୁନରାବୃତ୍ତି କରୁଥିଲା। ସେ ମଧ୍ୟ ଘର କାମ-ବାସନ ମାଜିବା, ନିଜ ଛୋଟ ଭାଇ-ଭଉଣୀଙ୍କ ଯତ୍ନ ନେବା, ପାଣି ଆଣିବା, ପରିବା କାଟିବାରେ ବିତାଉଥିଲା।
ସେ ଡାକ୍ତର ହେବାକୁ ଚାହେଁ। “ଆମେ ଅସୁସ୍ଥ ହୋଇପଡ଼ିଲେ ଡାକ୍ତର ପାଖକୁ ଯାଇପାରିନଥାଉ, କିନ୍ତୁ ଯେତେବେଳେ ମୁଁ ଡାକ୍ତର ହୋଇଯିବି ଆଉ କିଛି ସମସ୍ୟା ରହିବ ନାହିଁ,” ସେ କହିଥାଏ। କାନ୍ଦିଭଲି ୱେଷ୍ଟରେ ଥିବା ମହାନଗର ନିଗମ ଡାକ୍ତରଖାନାକୁ ଗଲେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ, ଔଷଧ ପାଇଁ ମଧ୍ୟ ଟଙ୍କା ଦରକାର ହୁଏ। ସଙ୍ଗୀତା ଦେଖିଛି, ଡାକ୍ତରୀ ସହାୟତା ମିଳିବାରେ ବିଳମ୍ବ ହେବା କାରଣରୁ ତା’ର ମା’ ଯାଆଁଳା ପିଲାଙ୍କୁ ହରାଇଛି।
କାନ୍ଦିଭଲି ଇଷ୍ଟରେ ଥିବା ଦାମୁନଗର ମହାନଗର ନିଗମ ସ୍କୁଲରେ ନିଜେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ ମୀନା। ସେଠାକାର ବସ୍ତିରେ ସେ ନିଜ ମା’ ଶାନ୍ତାବାଇଙ୍କ ସହିତ ରହୁଥିଲେ। ସେ କୁହନ୍ତି, ତାଙ୍କ ବାପା ଝିଅ ଚାହୁଁନଥିଲେ, ତେଣୁ ସେ ତାଙ୍କ ମା’ଙ୍କୁ ଛାଡ଼ି ଚାଲିଗଲେ। ସେମାନଙ୍କ ବାପା ମା’ କର୍ଣ୍ଣାଟକର ବିଦାର ଜିଲ୍ଲାରୁ ଆସିଥିଲେ। ତାଙ୍କ ବାପା କ’ଣ କରୁଥିଲେ ମୀନା ତାହା ଜାଣନ୍ତି ନାହିଁ କିନ୍ତୁ ତାଙ୍କ ମା’ ଜଣେ ଦିନ ମଜୁରିଆ ଭାବେ କାମ କରିଥାନ୍ତି, ସ୍ଥାନୀୟ ଠିକାଦାର ପାଇଁ ଡ୍ରେନ ସଫା କରିଥାନ୍ତି।
“ମୋ ମା’ ଅଦ୍ଭୂତ ପ୍ରକାରର ବ୍ୟବହାର କରୁଥିଲେ, କିନ୍ତୁ ମୋତେ ସ୍ନେହ ମଧ୍ୟ କରୁଥିଲେ। ସେ ଅତି ବ୍ୟସ୍ତ ହୋଇପଡ଼ୁଥିଲେ, ଅଧିକାଂଶ ସମୟରେ ତାଙ୍କର ଏ ଜୀବନ ପାଇଁ ମୋ ବାପାଙ୍କୁ ଗାଳି ଦେଉଥିଲେ। ଇତିମଧ୍ୟରେ ମୋତେ ଦଶ ବର୍ଷ ହେବା ବେଳକୁ ପରିସ୍ଥିତି ଆହୁରି ବିଗଡ଼ିଗଲା’’, କୁହନ୍ତି ମୀନା। ତାଙ୍କ ମା’ ନିଜ ସହ ଏଣୁତେଣୁ କଥା ହେବାକୁ ଲାଗିଲେ, ଚିତ୍କାର କଲେ, କାମ କରିବା ଛାଡ଼ିଦେଲେ। “ଲୋକମାନେ କୁହାକୁହି ହେଲେ, ‘ଏଇ ଦେଖ ସେ ପାଗଳ ସ୍ତ୍ରୀ ଲୋକକୁ’, ସେମାନେ ତାଙ୍କୁ ମାନସିକ ରୋଗୀଙ୍କ ଆଶ୍ରୟସ୍ଥଳୀକୁ ନେଇଯିବା ଲାଗି ପରାମର୍ଶ ଦେଲେ”। ମା’ଙ୍କ ଯତ୍ନ ନେବା ଲାଗି ମୀନାଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ିଲା।
ମାତ୍ର ୧୧ ବର୍ଷ ବୟସରେ ତାଙ୍କୁ ପିଲା ଯତ୍ନ ନେବା କାମ ମିଳିଗଲା ଓ ସେ କାନ୍ଦିଭଲୀରେ ଏକ ପରିବାର ସହ ରହିଲେ, ମାସିକ ୬୦୦ ଟଙ୍କା ପାରିଶ୍ରମିକ ଥିଲା। “ମୋତେ ମୋ ମା’କୁ ଛାଡ଼ିବା ଲାଗି ପଡ଼ିଲା, ନହେଲେ ଆମେ ଦୁଇ ଜଣ ଖାଇଥାନ୍ତୁ କ’ଣ? ମୁଁ ସବୁ ସପ୍ତାହରେ ତା’କୁ ଦେଖିବାକୁ ଆସୁଥିଲି।”
ମୀନାଙ୍କୁ ୧୨ ବର୍ଷ ହେବା ବେଳକୁ ତାଙ୍କ ମା’ କେଉଁଆଡ଼େ ଚାଲିଯାଇଥିଲେ। “ପ୍ରବଳ ବର୍ଷା କାରଣରୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ମୁଁ ତାଙ୍କ ପାଖକୁ ଯାଇପାରିନଥିଲି। ମୁଁ ଯେତେବେଳେ ସେଠାକୁ ଗଲି, ସେ ସେଠାରେ ନଥିଲେ। ଆଖପାଖ ଲୋକମାନଙ୍କୁ ପଚାରିଲି, କେହି କେହି କହିଲେ ସେମାନେ ତାଙ୍କୁ ନେଇଗଲେ, କିନ୍ତୁ କେଉଁମାନେ ନେଇଗଲେ କେହି କହିପାରିଲେ ନାହିଁ।” ମୀନା ପୁଲିସ ପାଖକୁ ଗଲେ ନାହିଁ, କାରଣ ସେ ଡରୁଥିଲେ: “ହୁଏତ’ ସେମାନେ ମୋତେ ଅନାଥାଶ୍ରମକୁ ପଠାଇ ଦେଇପାରନ୍ତି?”
ସେ ଆହୁରି କୁହନ୍ତି: “ମୁଁ ଆଶା କରୁଛି ସେ ବଞ୍ଚିଥିବେ ଏବଂ ଏବେ ଶାନ୍ତିରେ ରହୁଥିବେ…”।
ପରବର୍ତ୍ତୀ ୮-୯ ବର୍ଷ ପର୍ଯ୍ୟନ୍ତ ମୀନା ପିଲାର ଯତ୍ନ ନେବା କାମ କଲେ, ସେହି ପରିବାର ସହିତ ରହୁଥିଲେ। କିନ୍ତୁ ଛୁଟି ପଡ଼ିଲେ, ପରିବାର ଯେତେବେଳେ ସହର ଛାଡ଼ି ଦେଉଥିଲା, ତାଙ୍କୁ ରାସ୍ତା କଡ଼ରେ ରହିବାକୁ ପଡ଼ୁଥିଲା। ସେ ଚାକିରି ଛାଡ଼ିଦେବା ପରେ, ସେହି ରାସ୍ତାକଡ଼ ହିଁ ତା’ର ସ୍ଥାୟୀ ଘର ପାଲଟିଗଲା।
ଦମୁ ନଗରରେ, ତାଙ୍କୁ ଓ ତାଙ୍କ ମା’ଙ୍କୁ ନିୟମିତ ଭାବେ ଉତ୍ପୀଡ଼ନର ଶିକାର ହେବାକୁ ପଡ଼ୁଥିଲ। “କିଛି ଲୋକଙ୍କ ଖରାପ ନଜରକୁ ଦେଖି ମୁଁ ଭୟଭୀତ ହୋଇପଡ଼ୁଥିଲି, ସେମାନେ ମୋ ସହିତ କଥା ହେବାକୁ ଚାହୁଁଥିଲେ, ବିଶେଷ କରି ମଦ୍ୟପମାନେ। ସେମାନେ ଆମକୁ ସହାୟତା କରିବା ଲାଗି ଚାହୁଁଛନ୍ତି ବୋଲି କହୁଥିଲେ, କିନ୍ତୁ ମୁଁ ସେମାନଙ୍କର ଉଦ୍ଦେଶ୍ୟ ଜାଣିଥିଲି।”
ଏବେ ମଧ୍ୟ, ମୀନା କୁହନ୍ତି ସେ ସବୁବେଳେ ସତର୍କ ଥାଆନ୍ତି। ବେଳେ ବେଳେ, ସିଦ୍ଧାର୍ଥର ବନ୍ଧୁମାନେ ଆସନ୍ତି ଏବଂ ତାଙ୍କ ‘ଘରେ’ ବସି ସେମାନେ ମଦ ପିଇଥାନ୍ତି। “ମୁଁ ସେମାନଙ୍କୁ ମଦ ପିଇବାକୁ ବାରଣ କରିପାରିବି ନାହିଁ, କିନ୍ତୁ ମୋତେ ସତର୍କ ରହିବାକୁ ପଡ଼ିବ। ପ୍ରକୃତରେ ମୁଁ କେବେ (ରାତିରେ) ଶୋଇନଥାଏ। ଏହା କେବଳ ମୋ ପାଇଁ ନୁହେଁ, କିନ୍ତୁ ମୋ ପିଲାମାନଙ୍କ ପାଇଁ ମଧ୍ୟ, ବିଶେଷ କରି ସଙ୍ଗୀତା ଓ ଶମାଙ୍କ ପାଇଁ।
୨୦୧୧ ଜନଗଣନା ଅନୁଯାୟୀ, ମୁମ୍ବାଇରେ ଅତିକମରେ ୫୭,୪୮୦ ଜଣ ବାସହୀନ ଅଛନ୍ତି ସେମାନଙ୍କ ମଧ୍ୟରୁ ମୀନା ଓ ତା’ର ପରିବାର ଅନ୍ୟତମ। ବିଭିନ୍ନ ସମୟରେ ଭାରତରେ ଥିବା ବାସହୀନମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଆସିଛନ୍ତି। ସେପ୍ଟେମ୍ବର ୨୦୧୩ରେ, ଆବାସ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ସହରାଞ୍ଚଳ ଜୀବିକା ମିଶନ, ଆରମ୍ଭ କରାଯାଇଥିଲା। ଏଥିରେ ସହରାଞ୍ଚଳ ଆଶ୍ରୟସ୍ଥଳୀ ପାଇଁ ଯୋଜନା ରହିଥିଲା, ଏହା ସହିତ ବିଦ୍ୟୁତ ଓ ପାଣି ଭଳି ଜରୁରି ସେବାର ବ୍ୟବସ୍ଥା ମଧ୍ୟ ଥିଲା।
୨୦୧୬ରେ ସୁପ୍ରିମକୋର୍ଟ ଏପରି ଯୋଜନା ଆରମ୍ଭ ହେବା ପୂର୍ବରୁ ବାସହୀନମାନଙ୍କର ସ୍ଥିତି ଉପରେ ଆଗତ ଦୁଇଟି ମାମଲାର ଶୁଣାଣି କରି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ କୈଳାସ ଗମ୍ଭୀରଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ସମିତି ଗଠନ କରିଥିଲେ। ୨୦୧୭ରେ ସମିତି ଏହାର ରିପୋର୍ଟରେ ଦର୍ଶାଇଥିଲା ଯେ କିପରି ଭାବେ ରାଜ୍ୟ ସରକାର ଏନୟୁଏଲଏମରେ ମିଳୁଥିବା ଅର୍ଥ ଉପଯୋଗ କରୁନାହାନ୍ତି। ମହାରାଷ୍ଟ୍ରକୁ ପାଖାପାଖି ୧୦୦ କୋଟି ଟଙ୍କା ମିଳିଥିଲେ ମଧ୍ୟ ତାହା ଖର୍ଚ୍ଚ ହୋଇନପାରି ପଡ଼ି ରହିଛି।
ଜୁଲାଇ ୨୮ ତାରିଖରେ ଆମେ ଯୋଜନା ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ କେନ୍ଦ୍ରର ଅତିରିକ୍ତ ମହାନଗର ନିଗମ ଆୟୁକ୍ତ ଡ. ସଙ୍ଗୀତା ହସନଲେଙ୍କ ସହିତ କଥା ହୋଇଥିଲି। ସେ ଆମକୁ କହିଥିଲେ, “ଆମ ପାଖରେ ମୁମ୍ବାଇରେ ପାଖାପାଖି ୨୨ଟି ଆଶ୍ରୟସ୍ଥଳୀ ରହିଛି ଏବଂ ଆମେ ଆହୁରି ୯ଟି ସ୍ଥାପନ କରିବା ଲାଗି ଚାହୁଁଛୁ। କେତେକ ନିର୍ମାଣ ପ୍ରକ୍ରିୟାରେ ରହିଛି। ଆସନ୍ତା ବର୍ଷ ସୁଦ୍ଧା ଆମେ ୪୦-୪୫ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ଲାଗି ଲକ୍ଷ୍ୟ ରଖିଛୁ।” (ଡ. ହସନଲେ ମଧ୍ୟ ବସ୍ତିବାସିନ୍ଦା ଓ ବାସହୀନମାନଙ୍କ ପାଇଁ ୨୦୦୫ରେ ଆରମ୍ଭ ହୋଇଥିବା ମହାତ୍ମା ଗାନ୍ଧୀ ପଥ କ୍ରାନ୍ତି ଯୋଜନା ନାମକ ଯୋଜନା ବିଷୟରେ ଆମକୁ କହିଥିଲେ। ସେ କହିଥିଲେ ଯେ କେତେକ ପରିବାର ସେମାନଙ୍କ ଫ୍ଲାଟ ବିକ୍ରି କରି ଦେଇ ପୁଣିଥରେ ରାସ୍ତା କଡ଼କୁ ରହିବା ଲାଗି ଚାଲି ଆସୁଛନ୍ତି।)
ତେବେ ବାସହୀନ ସମୁଦାୟର ସଂଯୋଜକ ବ୍ରିଜେଶ ଆର୍ଯ୍ୟା କୁହନ୍ତି, “ବର୍ତ୍ତମାନ ମୁମ୍ବାଇରେ ମାତ୍ର ୯ଟି ଆଶ୍ରୟସ୍ଥଳୀ ରହିଛି, ଯାହାକି ବାସହୀନ ଜନସଂଖ୍ୟାକୁ ଦେଖିଲେ ଖୁବ କମ୍, ଯାହାକି ବହୁବର୍ଷ ହେବ ସେତିକିରେ ହିଁ ରହିଛି।” ଆର୍ଯ୍ୟା ମଧ୍ୟ ପେହଚାନ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିଷ୍ଠାତା, ଯାହା ବାସହୀନମାନଙ୍କ ଅଧିକାର ପାଇଁ କାମ କରିଥାଏ।
ଏହି ୯ଟି ଆଶ୍ରୟସ୍ଥଳୀ ମଧ୍ୟରୁ, ମୀନାଙ୍କ ସମ୍ପୂର୍ଣ୍ଣ ପରିବାରକୁ ଗ୍ରହଣ କରିବା ଭଳି ଗୋଟିଏ ନାହିଁ।
୨୦୧୯ରେ ହୋଇଥିବା ଏନୟୁଏଲଏମ ସର୍ବେକ୍ଷଣ ଅନୁଯାୟୀ, ମୁମ୍ବାଇରେ ବାସହୀନମାନଙ୍କ ସଂଖ୍ୟା ହ୍ରାସ ପାଇ ମାତ୍ର ୧୧,୯୧୫ରେ ପହଞ୍ଚିଛି। “ଆଶ୍ରୟସ୍ଥଳୀ ସଂଖ୍ୟା ବୃଦ୍ଧି ପାଇନାହିଁ କିନ୍ତୁ ଏହା ବଦଳରେ ବାସହୀନମାନଙ୍କ ସଂଖ୍ୟା ହ୍ରାସ ପାଇଛି? ତେଣୁ ସେମାନେ କୁଆଡ଼େ ଗଲେ?” ବୋଲି ଆର୍ଯ୍ୟା ପ୍ରଶ୍ନ କରିଥାନ୍ତି।
ମାର୍ଚ୍ଚ ୨୦୦୪ରେ, ମହାରାଷ୍ଟ୍ର ସରକାରଙ୍କର ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ପରିଚୟପତ୍ର ଓ ଠିକଣା ପ୍ରମାଣପତ୍ର ନଥିଲେ ସୁଦ୍ଧା ବାସହୀନମାନଙ୍କୁ ରାସନ କାର୍ଡ ଯୋଗାଇ ଦେବାରେ ସହାୟତା କରିବା ଲାଗି ସୁପ୍ରିମକୋର୍ଟଙ୍କ ରାୟ ବିଷୟରେ ଏଥିରେ ଉଲ୍ଲେଖ କରାଯାଇଥିଲା।
ମୀନା ଏସବୁ ରାଜ୍ୟ ଯୋଜନା ବିଷୟରେ ଅବଗତ ନାହାନ୍ତି। ତାଙ୍କର ଆଧାର କାର୍ଡ, ରାସନ କାର୍ଡ କିମ୍ବା ବ୍ୟାଙ୍କ ଆକାଉଣ୍ଟ ନାହିଁ। “ସେମାନେ ଆମକୁ ପରିଚୟପତ୍ର ଓ ଠିକଣା ପ୍ରମାଣପତ୍ର ମାଗିଥାନ୍ତି; ଥରେ ଜଣେ ଲୋକ ପରିଚୟପତ୍ର କରି ଦେବା ଲାଗି ମୋତେ ଟଙ୍କା ମାଗିଥିଲା,” ସେ କୁହନ୍ତି। ତାଙ୍କ ସ୍ୱାମୀଙ୍କର ଏକ ଆଧାର କାର୍ଡ (ଗାଁ ଠିକଣାରେ) ଅଛି କିନ୍ତୁ ବ୍ୟାଙ୍କ ଆକାଉଣ୍ଟ ନାହିଁ।
ମୀନାଙ୍କ ଅନୁରୋଧ ଖୁବ ସରଳ: “ବର୍ଷା ଦାଉରୁ ମୋ ଘରକୁ ସୁରକ୍ଷିତ ରଖିବା ପାଇଁ ଯଦି ଆପଣ କେବଳ ଦୁଇଟି ତାରପଲିନ ଯୋଗାଇ ଦେଇପାରିବେ ସେତିକି ଯଥେଷ୍ଟ ହେବ”।
ଏହା ପରିବର୍ତ୍ତେ, ଚଳିତ ମାସରେ, ସେ କୁହନ୍ତି, ବିଏମସି କର୍ମଚାରୀମାନେ ଆସି ଫୁଟପାଥ ଛାଡ଼ି ଚାଲିଯିବା ଲାଗି ପରିବାରକୁ କହିଯାଇଛନ୍ତି। ଅତୀତରେ ଏପରି ଘଟିଛି, ସେମାନେ ସେମାନଙ୍କର ଜିନିଷପତ୍ର ବନ୍ଧାବନ୍ଧି କରି ଆଉ ଏକ ଫୁଟପାଥକୁ ଚାଲିଯାଇଥାନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍