କିତାବୁନ୍ ନିଶା ଶେଖ୍ ଭଙ୍ଗାତୁଟା ସାମଗ୍ରୀ ଏବଂ ଆବର୍ଜନାର ଏକ ପାହାଡ଼ ଧାରରେ ଛିଡ଼ା ହୋଇ ନିଜ ଘର ରଫିକ୍ ନଗର ନିକଟରେ ଧୀରେ ବୋହି ଯାଉଥିବା ଏକ ନଳାରୁ ପ୍ଲାଷ୍ଟିକ ଗୋଟାଉଛନ୍ତି। ଏଠାରେ ଜମା ହୋଇଥିବା କେତେକ ଆର୍ବଜନା ନିକଟସ୍ଥ ଦେଓନାର ଆବର୍ଜନା ଖାତ ଅଞ୍ଚଳରୁ ଆସିଥାଏ। ଆଉ କେତେକ ଆବର୍ଜନା ସିଧାସଳଖ ଖୋଲା ଡ୍ରେନକୁ ଫୋପଡ଼ା ହୋଇଥାଏ। ଗୋଟିଏ ହୁକ୍ ଥିବା ଲମ୍ବା କାଠ ବାଡ଼ି ବ୍ୟବହାର କରି ସେ ଗୋଟିଏ ପତଳା କଳାଜରିରେ ଗୁଡ଼େଇ ହୋଇଥିବା ଗୋଲାପି ପ୍ଲାଷ୍ଟିକ ବଟଲକୁ ଟାଣିଲେ। ଏହାପରେ ସେ ତାଙ୍କ ପାଇଁ ମୂଲ୍ୟବାନ ହୋଇଥିବା ପରବର୍ତ୍ତୀ ସାମଗ୍ରୀ ପାଇଁ ବାଡ଼ି ସହ ପହଞ୍ଚିଲେ।
ସେ ଦିନରେ ପ୍ରାୟ ୬ଘଣ୍ଟା ଏହି କାମ କରନ୍ତି, ତାଙ୍କର କମଳା ରଙ୍ଗର କେଶ ସୂର୍ଯ୍ୟକିରଣରେ ଚମକୁଛି, ତାଙ୍କ ପିଠି ୭୫ବର୍ଷ ବୟସରେ କରୁଥିବା କାମରେ ବଙ୍କେଇ ଯାଇଛି। କାଚ ବିୟର ବୋତଲ ଏବଂ ପ୍ଲାଷ୍ଟିକ ପାଣି ବୋତଲ ସବୁଠାରୁ ମୂଲ୍ୟବାନ ସାମଗ୍ରୀ, ଅନ୍ୟ ବର୍ଜ୍ୟ ସାମଗ୍ରୀ ତୁଳନାରେ ଏହାର ପୁନଃବିକ୍ରୟ ମୂଲ୍ୟ ଅଧିକ। ଦିନେ ଛଡ଼ା ଦିନେ ଯେତେବେଳେ ୧୨ରୁ ୧୫ କେଜି ପ୍ଲାଷ୍ଟିକ ସଂଗ୍ରହ ହୋଇଯାଏ, ସେତେବେଳେ କିତାବୁନଙ୍କ ବୋହୂ ଜାହିଦା ଏ ସବୁକୁ ଗୋଟିଏ ପଲିଥିନ ଅଖାରେ ବାନ୍ଧି ମୁଣ୍ଡରେ ଥୋଇ ବାବାନଗର ଅଞ୍ଚଳରେ ଥିବା ଭଙ୍ଗା ଜିନିଷ ଡିଲରଙ୍କ ପାଖକୁ ଯାଏ। ଏହା ପ୍ରାୟ ୧୫ମିନିଟର ରାସ୍ତା । ଏହା ବଦଳରେ ପରିବାର ଟ. ୨୦୦-୩୦୦ କିମ୍ବା ସପ୍ତାହକୁ ପ୍ରାୟ ଟ ୧,୦୦୦ ରୋଜଗାର କରିପାରେ। କିତାବୁନ କୁହନ୍ତି, ‘‘ଆମକୁ ଏହା [ଏହିକାମ] ପେଟ ପୋଷିବା ପାଇଁ କରିବାକୁ ହେଉଛି।’’ ‘‘ମୋତେ ଏହା ଆଦୌ ଭଲ ଲାଗେନି କିନ୍ତୁ ଆମେ ଆଉ କ’ଣ କରିପାରିବୁ?’’
କିତାବୁନଙ୍କ କୁଡ଼ିଆ ୩୨୪ ଏକର ଦେଓନାର ଡମ୍ପିଂ ଗ୍ରାଉଣ୍ଡ ବାହାରେ ରହିଛି । ଏହା ମୁମ୍ବାଇର ଏଭଳି ତିନୋଟି ପଡ଼ିଆ ମଧ୍ୟରୁ ସର୍ବବୃହତ୍ (ଅନ୍ୟ ଦୁଇଟି ରହିଛି ମୁଲୁନ୍ତ ଏବଂ କଞ୍ଜୁରମାର୍ଗରେ)। ଏହି ଡମ୍ପିଂ ଗ୍ରାଉଣ୍ଡକୁ ସହରରେ ଉତ୍ପନ୍ନ ହେଉଥିବା ୯,୫୦୦ ମେଟ୍ରିକ୍ ଟନ୍ ଆବର୍ଜନା ମଧ୍ୟରୁ ପ୍ରାୟ ୩୫ ପ୍ରତିଶତ ଆସିଥାଏ। ଏହି ଦେଓନାର ଅଞ୍ଚଳରେ ୨୦୧୬ ମସିହାରେ ସମ୍ପୂର୍ଣ୍ଣ ଭର୍ତ୍ତି ହୋଇଯାଇଥିଲା କିନ୍ତୁ ଏହା ବ୍ୟବହାର ହେବା ଅବ୍ୟାହତ ରହିଛି। ବମ୍ବେ ଉଚ୍ଚ ନ୍ୟାୟାଳୟ ବୃହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନକୁ ଦେଇଥିବା ‘ଶେଷ ପରିବର୍ଦ୍ଧନ’ ଅନୁମୋଦନ ଅନୁଯାୟୀ ଏହି ପଡ଼ିଆ ଶୁଷ୍କ ଆବର୍ଜନା ଜମା ପାଇଁ ଡିସେମ୍ବର ୩୧, ୨୦୧୯ ପର୍ଯ୍ୟନ୍ତ ବ୍ୟବହାର ହୋଇପାରିବ ।
ଏହି ବିଶାଳ ପଡ଼ିଆ ଚାରିପାଖରେ ରଫିକ୍ ନଗର ପରି ଅନେକ ବସ୍ତି ରହିଛି। ଏଗୁଡ଼ିକ ମହାନଗରର ଏମ୍-ଇଷ୍ଟ ଓ୍ୱାର୍ଡର ଅଂଶ, ଯାହାର ଜନସଂଖ୍ୟା ୮୦୭,୭୨୦ (୨୦୧୧ ଜନଗଣନା ଅନୁଯାୟୀ)। ରଫିକ୍ ନଗରର ଅଣଓସାରିଆ ଗଳିଗୁଡ଼ିକରେ ନର୍ଦ୍ଦମା ପାଣି ବୋହୁଥାଏ ଏବଂ ଆବର୍ଜନା ଗଦା ହୋଇ ରହିଥାଏ। ଡ୍ରମ୍ପିଂ ଗ୍ରାଉଣ୍ଡର ଦୁର୍ଗନ୍ଧ ପବନରେ ଥାଏ। ମାଛି ଏବଂ ମଶାଙ୍କର ବାହିନୀ ସବୁଆଡ଼େ ଦେଖିବାକୁ ମିଳେ।
କିତାବୁନଙ୍କ କୁଡ଼ିଆ ଗୋଟିଏ ଗଳିର ଶେଷ ଭାଗରେ ରହିଛି, ଗୋଟିଏ ନଳାର ଧାରରେ। ଏହା ଏକ ୧୦୦ ବର୍ଗଫୁଟର କୋଠରୀ, ଯେଉଁଥିରେ ୧୬ଜଣ ଲୋକ ରୁହନ୍ତି- କିତାବୁନର ତିନି ପୁଅ, ଜାହିଦା ଏବଂ ୧୧ଜଣ ନାତିନାତୁଣୀ। ସେ କୁହନ୍ତି, ‘‘ଅଧିକ ବର୍ଷା ହେଲେ ନର୍ଦ୍ଦମାର ଜଳ ଆମ ଘରକୁ ପଶେ’’। “ଆମେ ଡାଲି, ଚାଉଳ ଏବଂ ପୋଷାକ ପରି ଆମର ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପର ଥାକକୁ ରଖିଦେଉ। ଅଧିକାଂଶ ଜିନିଷ ଓଦା ହୋଇଯାଏ। ଆମେ ପଡ଼ୋଶୀମାନଙ୍କ ଘରେ [ଗଳିରେ ଉପରମୁଣ୍ଡରେ ଥିବା] ଆଶ୍ରୟ ନେଉ, ଯେପର୍ଯ୍ୟନ୍ତ ପାଣି ଖସିନଯାଏ।’’







